Gopal Krishna Behera

Drama Tragedy

3  

Gopal Krishna Behera

Drama Tragedy

ରକ୍ତର ଛକାପଞ୍ଝା ଖେଳ

ରକ୍ତର ଛକାପଞ୍ଝା ଖେଳ

6 mins
12.2K


ମଧୁପୁର ଗାଁ ଭିତରେ ରଞ୍ଜନ ବାବୁଙ୍କ କାର ଟି ଗଡି ଚାଲି ଥିଲା | ହଠାତ ସବୁ ଲୋକ ଚିତ୍କାର କରି ଉଠିଲେ...ନେଇ ଗଲା.. ନେଇଗଲା..ବୁଡିଗଲା ବୁଡ଼ିଗଲାରେ.. ଧାଇଁ ଆସ... ଏ ସବୁକହି ସବୁ ଦୌଡିବାକୁ ଲାଗିଲେ | ଲୋକଙ୍କ ଭିଡ ଦେଖି ରଞ୍ଜନ ବାବୁ ଗଡି ଅଟକେଇ ବାହାରକୁ ଆସିଲେ |ସବୁ ଲୋକ କୁଆଡେ ଯାଉଛନ୍ତି?.. ବୁଡିଗଲା.. କଣ କିଏ ପାଣିରେ ବୁଡି ଗଲା କି ଭାବି ସେ ମଧ୍ୟ ଲୋକଙ୍କ ପଛେ ପଛେ ଗଲେ ଘଟଣାଟି କଣ ଜାଣିବା ପାଇଁ !ସତକୁ ସତ ଜଣେ ବାର ବର୍ଷାର ଛୁଆଟି ନଈ ପାଣିରେ ବୁଡି ଯାଇଥିଲା |କୂଳରେ ବସି ତାର ପରିବାର ଲୋକ ଭୋ.. ଭୋ ହୋଇ କାନ୍ଦୁଥିଲେ |ଗାଁ ଲୋକ କଥା ହଉଥିଲେ.. "ସେ ରାକ୍ଷସୀ ପୁଣି ଏ ବର୍ଷ ଗୋଟେ ମୁଣ୍ଡ ନେଲା.. ସେ ରକ୍ତଖାଇ ଡାହାଣୀ କାହିଁକି ଏମିତି କରୁଛି କେଜାଣି... ମୁଣ୍ଡ ନଉଛି ପୁଣି ବାଛି ବାଛି ନଉଛି, ଯାହାର ଗୋଟେ ପୁଅ ତାରି ମୁଣ୍ଡ ନଉଛି !ସିଏ କଣ ରାତିସାରା ରକ୍ତ ନ ପି ମନୁଆ ପୁଅକୁ ସହଜରେ ଛାଡ଼ିବ?... ହେ ପ୍ରଭୁ ଏ ଗାଁ କୁ ତୁମେ ରକ୍ଷା କର |" ଏସବୁ କଥା ଶୁଣି ରଞ୍ଜନ ଆଶ୍ଚଯ୍ୟ ହୋଇ ଗଲା ! ମନରେ ତାର ଅନେକ ପ୍ରଶ୍ନ ଉଙ୍କି ମାରିଲା |ସେ ଜାଗାରୁ ଫେରୁ ଥିଲା, ହଠାତ ଜଣେ ପୁରୁଣା ସାଙ୍ଗ ବିଜୁ ଦେଖା ହୋଇଗଲା |..ଆରେ ରଞ୍ଜନ ତୁ ଏଠି କଣ କରୁଛୁ.. ବିଜୁ ତୁ ଏଠି.. ଏଇଟା ମୋ ଗାଁ... ଓଃ, ହେଲେ ଆଜି କିଏ ଜଣେ ବୁଡିଗଲା, ଏହି ବାଟ ଦେଇ ଯାଉଥିଲି ତ ଲୋକଙ୍କ କୋଳାହଳ କରିବା ଦେଖି ରହି ଗଲି|.... ହଁ କଣ କରିବା ଆମ ଦୁର୍ଭାଗ୍ୟରେ, ଛାଡେ ସେ କଥା ଆସେ ମୋ ଘରକୁ ଯିବା ସେଠି ବସି କଥା ହବା |ରଞ୍ଜନ ଗାଡ଼ିରେ ବସି ବିଜୁଙ୍କ ଘରକୁ ଗଲା |

                                    ବିଜୁର ସ୍ତ୍ରୀ ମାଳତୀ ରଞ୍ଜନଙ୍କ ର ଖୁବ ଭଲ ଭାବରେ ଚର୍ଚ୍ଚା କଲେ |ରଞ୍ଜନ ଶୁଣିଥିବା କଥା ବିଷୟରେ ବିଯୁକୁ ପଚାରିବା ରୁ ମାଳତୀ କହିଲେ.. "ହଁ ରଞ୍ଜନ, ତମେ ସବୁ ସତକଥା ଶୁଣିଛ |ଆମ ଗାଁ ନଈ ନା ହଉଛି ପୁଅଖାଇ ନଈ |ନଈ ନୂହତ ଗୋଟେ ଡାହାଣୀ, ବରଷକୁ ଥରେ ପିଲାର ମୁଣ୍ଡ ନ ନେଲେ ସେ ଶାନ୍ତ ପଡ଼ିବନି, ଆଉ କାହାର କ୍ଷତି କରିବନି ସେ, ଯୋଉ ବାପା ମା ଙ୍କର ଗୋଟିଏ ସନ୍ତାନ ସେ କେବେଳ ବାଛି ବାଛି ତାର ମୁଣ୍ଡ ନବ |ମତେ ତ ଭାରି ଭୟ ଲାଗେ, ମୋରବି ଗୋଟେ ପୁଅ, ତାକୁ ମୁଁ ଗୋଡ଼େ ଗୋଡ଼େ ଯଗିକି ଥାଏ କେବେବି ସେ ପୁଅଖାଇ ନଈ ପାଖକୁ ଯିବାକୁ ଦିଏନି|ଆଜି ମୋହନର ପୁଅ ଲୁଚିକି ତା ସାଙ୍ଗମାନଙ୍କ ସହ ମାଛଧରିବାକୁ ଯାଇଥିଲା| ଗୋଡ ଖସିଗଲା ପାଣିରେ ପଡିଗଲା, ସେ ଡାହାଣୀ ଛକିକି ଥିଲା, ତା ଉପରକୁ ପଞ୍ଝା ପକେଇ ଟାଣିନେଲା |ହେ ମା ମଙ୍ଗଳା ଲୋ ସେ ରାକ୍ଷସୀ ର ଛକା ପଞ୍ଝା ଖେଳରୁ ଏ ଗାଁ କୁ ରକ୍ଷାକର |"ଏ ସବୁ ଶୁଣି ରଞ୍ଜନ ଆହୁରି ଆଶ୍ଚଯ୍ୟ ହୋଇ ଗଲେ ୟାର ପ୍ରତିକାର ପାଇଁ ଗାଁ ଲୋକ କିଛି କରିଛନ୍ତି ନା ନାହିଁ ଜାଣିବାକୁ ଚାହିଁଲେ |

                      ବହୁତ ପୂଜାର୍ଚନା, ବଳି ପରେ ମଧ୍ୟ କିଛି ଲାଭ ହୋଇ ନଥିଲା| ଦିନେ ହିମାଳୟରୁ ଗୋଟେ ବାବା ଏ ଗାଁ କୁ ଆସିଥିଲେ, ନଈକୁ ଦେଖି କହିଲେ ଏ ନଈରେ ଗୋଟେ ଅତୃପ୍ତ ଆତ୍ମା ରହୁଛି...କିଏ କିଏ ଏ ନଈରେ ଆତ୍ମହତ୍ୟା କରିଥିଲା !ଏ କଥା ଶୁଣି ଗାଁ ର ଲୋକ ଭୟଭୀତ ହୋଇ ଗଲେ, କହିଲେ ହଁ ସେ ମୋହିନୀର ଆତ୍ମା ଏ ପାଣିରେ ରହୁଛି |ଛୋଟ ଜାତିର ଝିଅ ଥିଲା ସେ, କୁଂଆରୀ ମା ହେବାରୁ ତାକୁ ଆଉ ତା ମାକୁ ଆମେ ଏକ ଘରିକିଆ କରି ଦେଇଥିଲେ |ମା ମଲାପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ଥିଲା | ତା ପୁଅ ଏଗାର ବର୍ଷର ହୋଇଥିଲା ଦିନେ ପାଣିରେ ବୁଡି ଯାଉଥିଲା, ତାକୁ ବଁଞ୍ଚେଇବା ପାଇଁ ସମସ୍ତଙ୍କୁ ସେ ନେହୁରା ହେଲା, ହେଲେ କେହି ଆସିଲେଣି, ସମସ୍ତଙ୍କ ପାଦ ତଳେ ପଡି ଭିକ ମାଗିଲା ହେଲେ କେହି ତାକୁ ଛୁଇଁଲେନି| ଶେଷରେ ନିଜ ପୁଅକୁ ବଂଚେଇବା ପାଇଁ ପାଣି ଭିତରକୁ ସେ ଡେଇଁ ପଡିଲା ଶେଷରେ ସେ ପାଣି ଭିତରେ ଦୁହେଁ ବୁଡିକି ମରିଗଲେ | ତାପରେ ବାବା କହିଲେ ସେହୁ ଅତୃପ୍ତ ଆତ୍ମା ତାର ପ୍ରତିଶୋଧ ନେଉଛି..ସମସ୍ତଙ୍କୁ ନିର୍ବଶ କରି ଦେବ ସେ, ତାର ଆତ୍ମାକୁ ଶାନ୍ତ କରିବାକୁ ପଡିବ, ତାର ଆପଣାର କିଏ ତାକୁ ପିଣ୍ଡଦାନ କଲେ ତାର ଅତୃପ୍ତ ଆତ୍ମା ମୋକ୍ଷ ପାଇବ| ହେଲେ ମୋହିନୀର ଏ ଦୁନିଆରେ କିଏ ବା ଥିଲା? ତାର ସେ ପ୍ରତାରିତ ପ୍ରେମିକକୁ ଖୋଜିବାକୁ ସମସ୍ତେ ଚେଷ୍ଟା କଲେ |ମୋହିନୀର ଫୋଟୋ ସବୁଆଡେ ବଣ୍ଟା ହେଲା |ଏବେବି ତା ଫୋଟୋ ସବୁଆଡେ ବଣ୍ଟା ହଉଛି, କାଳେ ତା ପ୍ରେମିକ ମିଳି ଯିବ| ଏ ସମସ୍ତ ବୃତାନ୍ତ ରଞ୍ଜନକୁ ଚିନ୍ତିତ କରିଦେଲା | ମୋହିନୀ ର ଫୋଟୋ ମାଗି ଦେଖିଲେ| ବିଚରା ନିରୀହ ଝିଅଟି କେତେଦୁଃଖ ସହିଛି ସେ? ତାର ଫୋଟୋକୁ ସାଙ୍ଗରେ ନେଇ ସେ ସେଠୁ ବିଦାୟ ନେଲେ |

                    ପୁଅଖାଇ ନଈ ପୋଲ ଉପରେ ତାଙ୍କ ଗାଡିଟି ଯାଉଥିଲା | ହଠାତ ଗଡି ରୋକି ସେ ପୋଲ ତଳକୁ ଚାହିଁ ପାଣିକୁ ଦେଖୁ ଥିଲେ, କଳା ରଙ୍ଗର ଗଭୀର ଜଳ, କେତେ ଲୋକଙ୍କୁ ସେ ଦୁଃଖର ସାଗରେ ଭସେଇ ଦେଇଛି !ପାଣି ଭିତରେ ତାକୁ ମୋହିନୀର ସେ ନିରୀହ ମୁହଁ ଦିଶୁ ଥିଲା |ସତେ ଯେପରି ମୋହିନୀ ତାକୁ ହାତଠାରି ସାହାଯ୍ୟର ଭିକ ମାଗୁ ଥିଲା |ଅତୃପ୍ତ ଆତ୍ମାର ରକ୍ତ ଭରା ଲୁହ ଯେମିତି ସେ ପାଣିକୁ ରକ୍ତାକ୍ତ କରି ଦେଇଥିଲା |ହୀନ ମାନସିକତା ର ଅତ୍ୟାଚାର ଅଗ୍ନିରେ ମୋହିନୀ ଆତ୍ମା ଟି ଜଳି ପୋଡି ଛଟପଟ ହଉଥିଲା|ମୋକ୍ଷ ର ସ୍ୱାଦ ଚାଖିବା କୁ ସେ କୋଉ କାଳରୁ ଅପେକ୍ଷାରତ ହୋଇ ରହିଛି| ହଠାତ ନଈ ପାଣିର ଢେଉ ଖୁବ ଜୋରରେ ବଢ଼ି ଗଲା |ପବନର ବେଗରେ ପାଣି ର ଛିଟା ଉପରକୁ ଉଠି ରଞ୍ଜନକୁ ଭିଜେଇ ଦେଲା | ଖୁବ ଡରିଗଲା ରଞ୍ଜନ, ଶୀଘ୍ର ସେ ଜାଗାରୁ ଚାଲିଗଲା |

                        ଏମିତି କିଛିଦିନ ବିତିଗଲା,ପ୍ରତିଦିନ ରଞ୍ଜନ ମୋହିନୀ ର ଫୋଟୋକୁ ଦେଖୁଥିଲା, ତା କଥା ଭାବି ସବୁବେଳେ ଅନ୍ୟମନସ୍କ ରହୁ ଥିଲା |ଏ ସବୁ ପ୍ରମୋଦ ବାବୁଙ୍କୁ ଭଲ ଲାଗିଲାନି |ସବୁବେଳେ ସତେଜ ରହୂଥୁବା ତାଙ୍କ ପୁତ୍ର ଏବେ କାହିଁକି ଝାଉଁଳି ପଡିଛି | ନିଜ ପତ୍ନୀଙ୍କ ମୃତ୍ୟୁ ପରେ ସେ ରଞ୍ଜନ କୁ ଖୁବ ଗେଲ୍ହାରେ ବଢ଼େଇ ଆସିଛନ୍ତି| ନିଜ ଗେଲ୍ହା ପୁଅର ଶୁଖିଲା ମୁହଁକୁ ସେ ଆଉ ଦେଖି ପାରିବେନି ରାତିରେ ଖାଇଲା ବେଳେ ସେ ସବୁ କଥା ପଚାରିଲେ| ସମସ୍ତ ଘଟଣା ଶୁଣିବା ପରେ ସେ ମୋହିନୀର ଫୋଟୋ ମାଗିଲେ| ଫୋଟୋଦେଖି ସେ ଚମକି ପଡିଲେ, ପାଦତଳୁ ମାଟି ଖସିଗଲା |ଖୁବ ଜୋରରେ ଥରିବାକୁ ଲାଗିଲେ, ଆଖିରୁ ଧାର ଧାର ଲୁହ ଝରିଗଲା, ତଳେ ପଡିଗଲେ ସେ | ବାପାଙ୍କୁ ତଳୁ ଉଠାଇ ନେଇ ଖଟ ଉପରେ ଶୁଆଇ ଦେଇ ପଚାରିଲେ... ବାପା କଣ ହେଲା ତମର, ଏମିତି ପଡିଗଲ କାହିଁକି? ପ୍ରମୋଦ ବାବୁ କାନ୍ଦି କାନ୍ଦି କହିଲେ..." କଣ କହିବି ପୁଅ , ମୁଁ...ମୁଁ ସେହି ପାପି, ମୋହିନୀର ପ୍ରତାରକ ପ୍ରେମିକ, ଦୀର୍ଘ ଚାଳିଶି ବର୍ଷ ହେଲା ମୁଁ ଯୋଉ ପାପ କରିଥିଲି ଆଜି ସେ ପୁଣି ମୁଣ୍ଡ ଟେକିଛି, ଛୋଟ ଜାତି ବୋଲି ବାପା ମୋହିନୀକୁ ସ୍ୱୀକାର କଲେନି, ମୋର ଅନ୍ୟତ୍ର ବିବାହ କରିଦେଲେ|..ହେଲେ ମୁଁ ସତ କହୁଛି, ମୋହିନୀ ଗର୍ଭବତୀ ଥିଲା ମୁଁ ଜାଣିନି |ମୁଁ ତା ପ୍ରତି କରିଥିବା ଅନ୍ୟାୟର ପ୍ରାୟଶ୍ଚିତ କରିବାକୁ ଚାହେଁ, ନେଇ ଚାଲ ପୁଅ.. ମୋତେ ସେ ଜାଗାକୁ ନେଇ ଚାଲେ "| ଏ ସବୁ ଶୁଣିବା ପରେ ରଞ୍ଜନ ବାବୁ କାନ୍ଦି ପକେଇଲେ, ମୋହିନୀର ଆତ୍ମା ଆଜି ମୋକ୍ଷ ପାଇଯିବ ଭାବି ଟିକେ ଖୁସି ହେଲେ | ଆଉ ସମୟ ନଷ୍ଟ ନକରି ଧାଇଁଲେ ମଧୁପୁର ଗାଁ କୁ |

                  ଗାଁ ରେ ପହଁଚି ଦେଖିଲେ ପୁଣି ନଈ ପାଖରେ ଲୋକଙ୍କ ଭିଡ ଜମିଛି| ଆଜିବୋଧେ ପୁଣି କିଏ ନଈରେ ବୁଡିଗଲା |ଗାଡ଼ିରୁ ଓଲ୍ହେଇ ନଈ କୂଳକୁ ଦୌଡ଼ିଗଲେ | ରଞ୍ଜନକୁ ଦେଖି ବିଜୁ ଆଉ ମାଳତୀ ଖୁବ ଜୋରରେ କାନ୍ଦି ଉଠିଲେ |ତାଙ୍କ ପୁଅ ଖେଳୁ ଖେଳୁ ପାଣିରେ ପଡି ଯାଇଥିଲା | ମାଳତୀକୁ ସନ୍ତୁନା ଦେଇ ରଞ୍ଜନ କହିଲେ, "ଆଜି ଏ ରକ୍ତର ଛକପଞ୍ଜା ଖେଳର ପରିସମାପ୍ତି ଘଟିବ |"ଗାଁ ର ପୁରୋହିତଙ୍କୁ ଡାକି ଶ୍ରାଦ୍ଧ ପାଇଁ ହୋମ ହେଲା |ଆତ୍ମାର ମୋକ୍ଷ ପାଇଁ ପ୍ରମୋଦ ବାବୁ ହାତରେ ପିଣ୍ଡକୁ ନେଇ ପାଣି ଭିତରକୁ ଗଲେ | ହଠାତ ନଈର ସୁଅ ବଢିବାକୁ ଲାଗିଲା, ଆକାଶରେ ମେଘ ଢାଙ୍କି ଆସି ବିଜୁଳି ଚମକୀଲା |ବଜ୍ରପାତର କମ୍ପନରେ ଚତୁଃର୍ଦିଗ ଥରି ଉଠିଲା | ଏସବୁ ଦେଖି ପ୍ରମୋଦବାବୁ ଭୟଭୀତ ହୋଇ ଉଠିଲେ |ଯୋଉ ମାଳତୀ ପ୍ରତି ସେ ଏତେ ଅନ୍ୟାୟ କରିଛନ୍ତି, କେମିତି ସେଭଳି ପପି ହାତରୁ ଗୋଟେ ପବିତ୍ର ଆତ୍ମା ମୋକ୍ଷ ପାଇବ !ପାଦ ତାଙ୍କର ଆଗକୁ ବଢ଼ିଲାନି, କଣ କରିବେ ସେ ଭାବି ପାରିଲେନି| ହଠାତ ତାଙ୍କ ହାତରୁ ପିଣ୍ଡଥାଳ ଛଡେଇ ନେଇ ରଞ୍ଜନ ପାଣି ଭିତରକୁ ଗଲେ, ସ୍ଥିର କଣ୍ଠରେ କହି ଉଠିଲେ... "ମା..... ଶାନ୍ତ ହେଇଯା ମା.. ମୁଁ ଜାଣିନି ତୁ ମୋତେ କଣ ଭାବୁଛୁ, ହେଲେ ମୋ ପିତାଙ୍କ ସହ ସମ୍ପର୍କ ଅନୁଯାୟୀ ତୁ ମୋର ମା ହବୁ |ମୋ ଯଶୋଦା ମା.. ଏ ମା ଛେଉଣ୍ଡ ସନ୍ତାନ ଆଜି ତାର ଆଉ ଗୋଟେ ମା କୁ ପିଣ୍ଡଦାନ କରୁଛି, ଯଦି ଟିକିଏ ସ୍ନେହଭାବ ତୋର ମୋ ପ୍ରତି ଥିବ, ତାହେଲେ ତୁ ଏ ପିଣ୍ଡକୁ ସ୍ୱୀକାର କର ମା|" ଏହା କହିବା ଚତୁର୍ଦିଗ ଶାନ୍ତ ପଡିଗଲା|ନଈର ଢେଉ ଆସି ରଞ୍ଜନଙ୍କ ହାତରୁ ପିଣ୍ଡକୁ ଗ୍ରହଣ କଲା| ଆକାଶରେ ଢାଙ୍କିଥିବା କଳା ମେଘ କୁଆଡେ ଉଭେଇଗଲା | ନଈର ପାଣି ଶାନ୍ତ ପଡ଼ିଗଲା |ହଠାତ ବିଜୁର ବୁଡ଼ିଯାଇ ଥିବା ପୁଅ କୁଆଡୁ ଭାସି ଆସି କୂଳରେ ଲାଗି ଗଲା |ଏହା ଦେଖି ସମସ୍ତ ଗ୍ରାମବାସୀ ଆନନ୍ଦରେ ଉଲ୍ଲସିତ ହୋଇ ଉଠିଲେ |ହରିବୋଲ ହୁଳହୁଳି ଶବ୍ଦ ରେ ମେଦିନୀ କମ୍ପି ଉଠିଲା | ଦୀର୍ଘଦିନ ଧରି ନଈ ଭିତରେ ଥିବା ମୋହିନୀର ଅତୃପ୍ତ ଆତ୍ମା ଆଜି ମୋକ୍ଷ ଲାଭ କଲା | ସମସ୍ତେ ରଞ୍ଜନ ବାବୁଙ୍କୁ ଅନନନ୍ଦର ଅଭିବାଦନ ଜଣେଇଲେ |ସେହି ଦିନଠାରୁ ଆଉ କାହାର ସନ୍ତାନ ପାଣିରେ ବୁଡ଼ିଲେ ନାହିଁ | ଦୀର୍ଘ ଦିନ ଧରି ଚାଲି ଆସିଥିବା ରକ୍ତର ଛକପଞ୍ଜା ଖେଳର ଆଜି ପରିସମାପ୍ତି ଘଟିଲା |.

                


Rate this content
Log in

Similar oriya story from Drama