Gopal Krishna Behera

Inspirational

2  

Gopal Krishna Behera

Inspirational

ପୂର୍ଣ୍ଣମୀର କଳଙ୍କ

ପୂର୍ଣ୍ଣମୀର କଳଙ୍କ

4 mins
3.3K


ନିଛାଟିଆ ରାତି,ରାସ୍ତାର ମଝିରେ ସେ ଏକୁଟିଆ ଛିଡା ହୋଇଥାଏ| ହଠାତ ମୋ ଗାଡିଟି ଅଟକି ଗଲା ତା ପାଖରେ |ତାକୁ ଦେଖି ମୁଁ ଆଶ୍ଚଯ୍ୟ ହୋଇ ଗଲି | ଅତ୍ୟନ୍ତ ସୁନ୍ଦରୀ ନାରୀ, ସତେ ଯେପରି ସ୍ୱର୍ଗରୁ ଜଣେ ପରୀ ଓଲ୍ହେଇ ଆସିଛି |ଗୋରା ରଙ୍ଗର ଦେହ ଉପରେ ନାଲି ରଙ୍ଗର ଶାଢ଼ୀ ତାକୁ ଖୁବ ମାନୁ ଥିଲା |ପୂର୍ଣମୀ ଜହ୍ନ ର ଜୋଛନ୍ନା ରେ ତା ମୁଖ ମଣ୍ଡଳ ଝଲସି ଉଠୁଥିଲା |ମୃଗ ନୟନ ଦୁଇ ଆଖିରେ କଜଳ ଗାର, ଗୋଲାପ ପାଖୁଡା ଓଠରେ ଲାଗିଥିବା ନାଲି ରଙ୍ଗ ସାଙ୍ଗକୁ ସୁନେଲି କେଶଗୁଡା ତାର ରୂପ ମାଧୁର୍ଯ୍ୟ କୁ ଉଦ୍ଭାସିତ କରୁ ଥିଲା| ଏପରି ଏକ ଦିବ୍ୟ ସୁନ୍ଦରୀ ନାରୀକୁ ଦେଖି ମୁଁ ସ୍ତବ୍ଧ ହୋଇ ଯାଇ ଥିଲି |ଭାବିଲି ଏପରି ତରୁଣୀ କଣ ଦେହଜୀବୀ ହୋଇ ପାରେ ! ତାକୁ ନେଇ ମୁଁ କ୍ଷଣିକ ମଧ୍ୟରେ ସ୍ୱପ୍ନ ରାଇଜରେ ହଜିଗଲି |ପ୍ରେମର ରଙ୍ଗୀନ ଇନ୍ଦ୍ରଧନୁ ମୋ ହୃଦୟରେ ଆଙ୍କି ହୋଇସାରିଥାଏ. ଉପଭୋଗର ମିଠା ସ୍ୱାଦର ତୃଷ୍ନା ମୋ ଦେହରେ ବଢ଼ି ଯାଇ ଥାଏ |

                          ହଠାତ କାହା ତାଳି ଶବ୍ଦରେ ମୋ ସ୍ବପ୍ନ ଭାଙ୍ଗି ଗଲା | କିଛି ବୁଝିବା ଆଗରୁ ଶୁଭିଲା.. ଏ ବାବୁ ଏମିତି କଣ ଦେଖୁଛ? ଆସ ମୋ ସାଙ୍ଗରେ |ସେ ତଳକୁ ଯିବା ପୁରା ଖୁସି କରି ଦେବି, ବେଶୀ ନୁହଁମ ମାତ୍ର ଶହେ ଟଙ୍କା ପଡିବ| ଏହା ଶୁଣିବା ପରେ ମୋ ରଙ୍ଗୀନ ସ୍ୱପ୍ନର ଇନ୍ଦ୍ରଧନୁଟା କୁଆଡେ ଉଭେଇ ଗଲା |ନାରୀ ରୂପକ ଶରୀରରୁ ପୁରୁଷର କଣ୍ଠସ୍ୱର ଶୁଣିବା ପରେ ବୁଝିବାକୁ ବାକି ନଥିଲା କି ମୁଁ ଯାହାକୁ ନେଇ ସ୍ବପ୍ନ ଦେଖୁଥିଲି ସେ ନାରୀ ନୁହଁ ଅର୍ଦ୍ଧନାରୀ ଥିଲା| ଜଣେ କିନ୍ନର ଥିଲା ସେ !ଏପରି ଏକ ଶୂନଶାନ ରାତିରେ କୋଉ ଝିଅ ସାହସ କରିବା ବାହାରକୁ ବାହାରିବା ପାଇଁ | କିନ୍ନର ମାନଙ୍କ ବିଷୟରେ ଜାଣିବା ପାଇଁ ମୋର ବହୁତ ଇଛା ଥାଏ, ହେଲେ ସମୟ ଅଭାବରୁ ମୁଁ ତାଙ୍କ ପାଖକୁ ଯାଇ ପାରିନି |ଆଜି ସୁଯୋଗ ମିଳିବାରୁ ମୁଁ ଗାଡ଼ିରୁ ଓଲ୍ହାଇ ମୁଁ ତାକୁ ଦୁଇ ସହ ଟଙ୍କା ଦେଇ ମୁଣ୍ଡିଆ ମାରି କହିଲି "ମା ମୁଁ କିଛି ସମୟ ତମ ସହ କଥା ହୋଇ ଚାଲି ଯିଵି. ମୋର କିଛି ମନ୍ଦ ଉଦ୍ଧେଶ୍ୟ ନାହିଁ "ଏହା ଶୁଣିବାପରେ ସେ କହିଲା "ନାଇଁରେ ପୁଅ ତୋ ମା' ଡାକ ପ୍ରମାଣ କରି ଦଉଛି ତୋର ମନ୍ଦ ଉଦ୍ଧେଶ୍ୟ ନାହିଁ ବୋଲି| କଥା ହବୁତ ଆସେ ସେଇ ଦୋକାନର ବାରଣ୍ଡାରେ ବସି କଥା ହବା| ଏ ରାସ୍ତା ମଝିରେ କାଇଁ ଠିଆହବା.. ଆସେ.. ଗାଡି ରଖି ଦେଇ ମୁଁ ବାରଣ୍ଡାରେ ବସି ପଚାରିଲି "ମା ତମେ କଣ ଜନ୍ମରୁ ଏପରି ଥିଲ ନା ଆଉ କଣ? ଏ ବୁର୍ତ୍ତିକୁ କାହଁକି ଆପଣେଇଲ? ମୋ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଟିକିଏ ସ୍ମିତ ହସ ଦେଇ ସେ କହିଲେ "ଏତେ ଦିନପରେ ମୁଁ ତୋ ଭଳିଆ ଲୋକ ଦେଖିଲି, ଯିଏ କି ମୋ ବିଷୟରେ ଜାଣିବା ପାଇଁ ଏତେ ଆଗ୍ରହି ! ମୋ ଜୀବନ କାହାଣୀ ଶୁଣିବୁ ତେବେ ଶୁଣୁ |

                    "ମୋ ନାଁ ସୋନାଲି... ସୋନାଲି କିନ୍ନର | ବାପା, ମା ମୋ ନାଁ ଦେଇ ଥିଲେ ସୁନୀଲ |ଗୋଟେ ପୁରୁଷର ଶରୀର ନେଇ ମୁଁ ଏ ପୃଥିବୀକୁ ଆସିଥିଲି | ସବୁ ମଣିଷଙ୍କ ପରି ମୁବି ସ୍ବପ୍ନ ଦେଖିଥିଲି, ଭଲ ପାଠ ପଢ଼ିବି ବଡ ଚାକିରୀ କରି ବାପା ମାଙ୍କୁ ପୋଷିବି |ଏ ସମାଜରେ ଜଣେ ସୁନାଗରିକ ର ପରିଚୟ ଗଢିବି| ହେଲେ ନା, ବିଧାତା ମୋ ଭାଗ୍ୟରେ ଆଉ କିଛି ଲେଖିଥିଲା | ପୁରୁଷର ଶରୀର ସିନା ଦେଇଥିଲେ, କିନ୍ତୁ ହୃଦୟକୁ ଗୋଟେ ନାରୀର ହୃଦୟ ପରି ଗଢି ଦେଲା |ବୟସ ବଢିବା ସାଙ୍ଗକୁ ମୋ ଭିତରେ ଲୁଚି ରହି ଥିବା ନାରୀ ରୂପ ଧୀରେ ଧୀରେ ପଦାକୁ ଆସିଲା | ମୋ ଚାଲିଚଳନ କଥାବାର୍ତ୍ତା ସବୁ ଝିଅଙ୍କ ଭଳିଆ ହୋଇଗଲା | କେଜାଣି କାହଁକି ମୋତେ ଝିଅଙ୍କ ପରି ସଜ ହବାକୁ ଖୁବ ଆନନ୍ଦ ଲାଗୁଥିଲା |ହେଲେ na, ମୋ ପାଇଁ ଯାହା ଆନନ୍ଦ ଥିଲା ଏ ସମାଜ ପାଇଁ ତାହା କଳଙ୍କ ଥିଲା | ଆଉ ସେତେବେଳେ ଏ ସମାଜ ମୋତେ ଚେତେଇ ଦେଲା କି ମୁଁ ଗୋଟେ ମାଇଚିଆ ବୋଲି | ସ୍କୁଲଠୁ ଆରମ୍ଭ କରି କଲେଜ ଯାଏଁ ସମସ୍ତେ ମୋତେ ଗୋଟିଏ ଆଖ୍ୟା ଦଉଥିଲେ.. .. ଛକା.. ମାଇଚିଆ ର .. ! ଏସବୁ ଶୁଣି ବେଳେବେଳେ ନିଜ ଉପରେ ମୋର ଘୃଣା ଆସୁଥିଲା |ମୁଁ ଆତ୍ମହତ୍ୟା କରିବାକୁବି ଚେଷ୍ଟା କରିଥିଲି | ଜୀବନଟା ମୋର ମରୁଭୂମି ପାଲଟି ଯାଇଥିଲା | ଥକି ପଡ଼ିଥିଲି, ଆଗକୁ ବଢିପାରୁ ନଥିଲି | ଠିକ ସେହି ସମୟରେ ମୋ ହାତର ଅସ୍ତ୍ର ପାଲଟି ଥିଲା ମୋ ମା |ଏବେବି ମୋର ତାର ସେ ଦୁଇପଦ କଥା ମନେ ଅଛି, "ପୁଅ ପୂର୍ଣ୍ଣମୀର ଜହ୍ନ ଦେଖିଛୁ? କେମିତି ସେ ତାର ଶୀତଳ ଜ୍ୟୋତିରେ ରାତ୍ରିର ଅନ୍ଧକାରରେ ମଧ୍ୟ ରୋମାଞ୍ଚ ଭରି ଦେଇ ଥାଏ¡ ସେହି କାରଣରୁ ସେ ସମସ୍ତଙ୍କ ପ୍ରିୟ ହୋଇଥାଏ. କିନ୍ତୁ ସେ ଜହ୍ନରେ ବି କଳଙ୍କ ଥାଏ | ଏ ସବୁ ଜାଣି ମଧ୍ୟ ସମସ୍ତେ ତାକୁ ପସନ୍ଦ କରନ୍ତି |ତୁ ହଉଛୁ ମୋର ସେହି ମିଠା କଳଙ୍କ ଥିବା ପୁର୍ଣ୍ଣମୀ ଜହ୍ନ |ତୋର ପବିତ୍ର ଜ୍ୟୋଛନ୍ନାକୁ ବିଛାଇ ତୁ ଏ ସମାଜରେ ଏମିତି କାମ କର ଯେମିତି ଲୋକ ତୋର ଏ କଳଙ୍କ କୁ ସ୍ୱୀକାର କରିନେବେ| ତତେ ସମ୍ମାନ ଦେବେ|" ମୋ ମା ର ଏହି କଥାକୁ ମାନେ ରଖି ମୁଁ ଆଗକୁ ବଢ଼ିଲି |

                                    ମୋତେ ଗୋଟେ ଭଲ କମ୍ପାନୀରେ ଚାକିରି ମିଳିଲା | ବହୁତ ଖୁସି ଥିଲି ମୁଁ, ଭାବିଲି ଏବେ ମୁଁ ସହଜରେ ବଞ୍ଚି ପାରିବି| କିନ୍ତୁ ନା.. ସେଠିବି ସାମାଜିକ ପରିହାସର ଛାୟା ମୋ ପିଛା ଛାଡ଼ିଲାନି | କଲେଜରେ ଯେପରି ମୁଁ ଥଟ୍ଟା ପରିହାସ ର ପାତ୍ର ଥିଲି ଏଠିବି ସେଇଆ ଥିଲା | ସେଠି ଯେମିତି ପୁରୁଷର କାମନା ବାସନା ମେଣ୍ଟେଇବାର ମାଧ୍ୟମ ଥିଲି, ଏଠିବି ମୋ ପୁରୁଷ ସହ କର୍ମଚାରୀ ଙ୍କ ଶିକାର ହେଲି | କେତେ ବା ପ୍ରତିରୋଧ କରି ଥାନ୍ତି, ଜୀବନର ପ୍ରତିଟି କ୍ଷେତ୍ରରେ ଖାଲି ଘୃଣା , ପରିହାସ ଆଉ ଶୋଷଣର ଶିକାର ହେଲି | କଣ ବା କରି ଥାନ୍ତି? ମୋ ଜନ୍ମ ହିଂ ଏପରି ହୋଇଛି | ଯୋଉଟା ମୋର ଜୀବନ ନଥିଲା ମୁଁ ସେଇ ଜୀବନକୁ ବଞ୍ଚି ଅଣନିଶ୍ୱାସୀ ହେଇ ଯାଇଥିଲି | ହଠାତ ଦିନେ ମୁଁ ଏହି କିନ୍ନର ମାନଙ୍କୁ ଦେଖିଲି| ତାପରେ ସ୍ଥିର କାଲି... ନାଁ ଈଶ୍ୱର ଜଦି ମୋତେ ମାଇଚିଆ ସୃଷ୍ଟି କରିଛନ୍ତି ତ ମୁଁ ଏକ ପୁରୁଷ ହେଇ କାଇଁ ବଞ୍ଚିବି? ସମୟ ନଷ୍ଟ ନକରି ଘର ଲୋକଙ୍କଠୁ ଲୁଚି ମୁଁ ଏମାନଙ୍କ ସହ ମିଶିଲି | କିଛିଦିନ ବିତିବା ପରେ ମୁଁ ମୋ ପୁରୁଷ ଦେହକୁ ଅସ୍ତ୍ରୋପଚାର କରି ଏକ ନାରୀର ଦେହ କରି ଦେଲି | ଭାବିଲି ସମାଜ ମୋର ଏ ନାରୀ ରୁପକୁ ଆପଣେଇ ନବ| କିନ୍ତୁ ନା.. ଏ ସମାଜ ମୋତେ ଜଣେ ନାରୀ ର ଆଖ୍ୟା ନୁହଁ, ବରଂ ଗୋଟେ କିନ୍ନର ର ଆଖ୍ୟା ଦେଲା | ପରିବାର ଲୋକେ ବି ମୋତେ ସ୍ୱୀକାର କଲେନି, କିନ୍ତୁ ମୋ ମା ମୋତେ ଆପଣେଇ ନେଇ ଥିଲା| ଏବେ ସେ ଆଉ ଏ ଦୁନିଆରେ ନାହିଁ |ସିଏ ଯିବା ପରେ ମୁଁ ଏହି କିନ୍ନର ମାନଙ୍କ ପାଖରେ ରହିଲି | ସମାଜର ସେବାରେ ନିଜକୁ ନିୟୋଜିତ କରିଲି | ମୋ ଦେହ ବିକ୍ରି କରି ରାତିରେ ଯାହା ମୁଁ ରୋଜଗାର କରୁଛି, ନିଜେ ଚଳିବା ପାଇଁ କିଛି ରଖି ବାକି ଗରିବ ଲୋକଙ୍କୁ ସାହାଯ୍ୟ କରୁଛି| ଯୋଉ ସମାଜ ମୋତେ ପରିହାସ କରୁଥିଲା, ଘୃଣା କରୁଥିଲା, ଏବେ ସେହି ସମାଜ ମୋତେ ପ୍ରଶଂସା କରୁଛି | ବହୁ ଜାଗାରେ ମୁଁ ପୁରସ୍କୃତ ମଧ୍ୟ ହେଇଛି | ଏବେ ମୋ ମା ର କଥା ସତ ହେଇଛି | ଈଶ୍ୱର ଦେଇଥିବା ମୋର ସେ କଳଙ୍କ, ଆଜି ମୋ ପାଇଁ ପାଲଟିଛି ପୂର୍ଣ୍ଣମୀର କଳଙ୍କ..... "

                               ଏସବୁ କହି ସେ ମୋ ପାଖରୁ ବିଦାୟ ନେଇ ଚାଲିଗଲା | ଜଣେ କିନ୍ନର ସହିତ ଆଜି ବିତେଇ ଥିବା ସେ ମୁହୂର୍ତ୍ତ ଗୁଡିକୁ ମୁଁ କେବେବି ଭୁଲି ପାରିବିନି| ମୁଁ ତାକୁ ସେମିତି ଚାହିଁ ରହିଥିଲି. ଭାବୁଥିଲି ସତରେ ଈଶ୍ୱରଙ୍କ ଏ କି ବିଚିତ୍ର ସୃଷ୍ଟି. ବାସ୍ତବରେ ଏମାନେ ହିଁ ହେଉଛନ୍ତି ପୂର୍ଣ୍ଣମୀ ଜହ୍ନ ର ସେହି ପବିତ୍ର କଳଙ୍କ..."ପୂର୍ଣ୍ଣମୀର କଳଙ୍କ "..|

                       

                     


Rate this content
Log in

Similar oriya story from Inspirational