ରିନଲଡ୍ସ ପେନ
ରିନଲଡ୍ସ ପେନ
ରିତୁ ମୋ ଝିଅ ଷ୍ଟାଣ୍ଡର୍ଡ ଥ୍ରୀରେ ପଢେ । ସନ୍ଧ୍ୟାରେ ଘରକୁ ଫେରୁ ଫେରୁ ଚମକାଇ ଦେଲା ପରି ରଡି ଛାଡି ଦୌଡ଼ି ଆସି କ’ଣ ଗୋଟାଏ ସାର୍ଟିଫିକେଟ ହାତକୁ ବଢାଇ ଦେଉ ଦେଉ କହିଲା, ମେଥ ଅଲମ୍ପିଆଡ଼ରେ ଦିଷ୍ଟିକ ଟପ୍ପର । ବହୁତ ଖୁସି ଥିଲା ରିତୁ । ପକେଟରୁ ରିନଲଡ୍ସ ପେନ ଟିକୁ ରିତୁ ହାତକୁ ଦେଇ କହିଲି, ନେ’ ଏଇଟା ମୋ ମାମାର ଗିଫ୍ଟ ।
ପେନ ଟିକୁ ହାତରେ ଧରି ରିତୁ ଥରେ ମୋ ମୁହଁକୁ ଆଉ ଥରେ ତା’ ମାମା ମୁହଁକୁ ଚାହିଁ, ତା' ଚାନ୍ଦ ପରି ମୁହଁ ଟିକୁ ତଳକୁ କରି ପସିଗଲା ତା' ଷ୍ଟଡିରୁମକୁ । ଶ୍ବେତା, ରିତୁକୁ ବୋଧେ ପେନଟି ଭଲ ଲାଗିଲାନି ।
ଆରେ ତମେ ବି ନା’ ଭାରି ଆଉଟ ଡେଟେଡ଼ କ’ଣ ଦରକାର ଥିଲା ଗୋଟେ ଶସ୍ତା ପେନ ତା ହାତରେ ଧରାଇବାକୁ । କେତେ ଦାମି ପେନ ସିଏ କିଣେ, କେତେ ଖୁସି ରେ ସେ ଅପେକ୍ଷା କରିଥିଲା, ତୁମକୁ ସରପ୍ରାଇସ ଦେବ । ସବୁ ଗଲା ତୁମେ ତ ମନ ଦୁଃଖ କରିଦେଲ ତାର ।
ଆଜି ଯଦି ଆଇ. ଏ.ଏସ ସରୋଜ ମହାପାତ୍ରଙ୍କ ପତ୍ନୀ ବୋଲାଉଛ କେବଳ ମୋ ବାପାଙ୍କ ଆଶୀର୍ବାଦ ସେଇ ରିନଲଡ୍ସ ପେନ ପାଇଁ । ପାଞ୍ଚ ଭଉଣୀ ପରେ ଜନ୍ମ ତାର, ମା’ ବହୁତ ଦୁର୍ବଳ ଆଉ ରୋଗୀଣା ହୋଇଯାଇଥାଏ ଆଉ ସିଏ ଷଷ୍ଠ ସନ୍ତାନ ଭାବେ ବହୁତ ଦୁର୍ବଳ ହୋଇ ଜନ୍ମ ହୋଇଥିଲା, ଜନ୍ମର ୧୩ ଦିନରେ ମା’ଛେଉଣ୍ଡ ହୋଇଯାଇଥିଲା ସିନୁ, ସରୋଜକୁ ବାପା ଆଦରରେ ସିନୁ ବୋଲି ଡାକିଥିଲେ । ଅତି ଗେଲାରେ ବଡ ହୋଇଥିଲା ସେ । ପାଞ୍ଚ ଭଉଣୀ ଓ ବାପା ବହୁତ ଆଦରରେ ବଢ଼ାଇ ଥିଲେ ତାକୁ ।
ସ୍ଥାନୀୟ ସରକାରୀ ସ୍କୁଲ ରେ ପଢୁଥାଏ । ବାପା କିରାଣୀ ଚାକିରୀ କରି ସୁଦ୍ଧା କେବେ ଅଭାଵ କ’ଣ ଜାଣିବାକୁ ଦିଅନ୍ତିନି ସେମାନଙ୍କୁ । ମନେ ପଢୁଛି ପ୍ରଧାନ ଶିକ୍ଷକ ସିନୁକୁ ତୃତୀୟ ବୃତ୍ତି ପାଇଁ ମନୋନୀତ କରିଥାନ୍ତି । ବାପାଙ୍କୁ ପ୍ରଣାମ କରି ପରୀକ୍ଷାକୁ ଯିବା ପୂର୍ବରୁ ବାପା ସିନୁ ହାତରେ ଧରାଇ ଥିଲେ ଗୋଟିଏ ନୂଆ ଚକଚକିଆ ରୀନୋଲଡ୍ସ ପେନ । ହୁଏତ ସେଇଖୁସି ସେ ଆଇ .ଏ.ଏସ ହେଲା ବେଳେ ବି ହୋଇନଥିଲା । ପରୀକ୍ଷା ଦେଇଥିଲା ଆଉ କୃତକାର୍ଯ୍ୟ ବି ହୋଇଥିଲା ବୃତ୍ତିରେ । ଏଇମିତି ପ୍ରତି ପରୀକ୍ଷା ରେ ତାର ସାଥି ଦେଇଥାଏ ବାପାଙ୍କର ଦେଇଥିବା ରୀନୋଲଡ୍ସ ପେନ । ବାପା ପରୀକ୍ଷା ପୂର୍ବରୁ କେବେ ପେନ ଦେବା ଭୁଲନ୍ତିନି । ଧୀରେ ଧୀରେ ବଡ ହୋଉଥିଲା ସିନୁ । ମୋର ଗ୍ରାଜୁଏସନ ବେଳକୁ ବାପା ସତପାତ୍ରରେ ମୋର ପାଞ୍ଚ ଭଉଣୀଙ୍କ ବିବାହ କରେଇ ସାରିଥାନ୍ତି । ମନେ ପଡେ ଶ୍ୱେତା ବାପା ଅନେକ ସମୟରେ କୁହନ୍ତି "ସିନୁରେ ମୋର ବୃଦ୍ଧାଵସ୍ଥାରେ ତୋ ପାଇଁ କିଛି ରଖିପାରିନିରେ ।
କିନ୍ତୁ ବାପା ତାକୁ ଚାକିରୀ କରିବାକୁ ଦେଇନଥିଲେ ତାଙ୍କର ଇଛା ଥିଲା ମୁଁ ବଡ ଅଫିସର ହୁଏ, ୭୦ ବର୍ଷ ବୟସରେ ମୋର ପାଠପଢା ପାଇଁ ସେ ବୁଲି ବୁଲି ପୂଜା କର୍ମ କରନ୍ତି । ବାପାଙ୍କ ସାଙ୍ଗ ବିପ
ିନ ମଉସାଙ୍କ ଘରେ ମୁଁ ରହି ପ୍ରସ୍ତୁତ ହେଉଥାଏ ପ୍ରଶାସନିକ ସେବା ପରୀକ୍ଷା ପାଇଁ । ଭୁବନେଶ୍ବରକୁ ବାପା ପ୍ରତି ମାସ ଟଙ୍କା ପଠାନ୍ତି । ମୋ ପାଞ୍ଚ ଭଉଣୀଙ୍କ ବାହାଘରରେ ବାପାଙ୍କ ସବୁ ଟଙ୍କା ସାରିଯାଇ ଥିଲା ଆଉ ପେନ୍ସନ ବି ସମ୍ପୂର୍ଣ୍ଣ ଚାଲିଯାଏ ଲୋନ୍ ସୁଝିବାରେ । ଦୁଇ ଦୁଇ ଥର ଅକୃତ କାର୍ଯ୍ୟ ହେଲା ପରେ ତୃତୀୟ ଥର ପରୀକ୍ଷା ଦେବା ପୂର୍ବରୁ ଗାଁକୁ ଯାଇଥିଲି, ବାପା ଟିକେ ବିଗିଡିବା ବା ତା’ ଦୂରର କଥା ମନରେ ଦୁଃଖ ଟିକେ ବି କରିନଥିଲେ । ଅନେକ ଦୁର୍ବଳ ଦିଶୁଥିଲେ ସେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ, ମୋ ପାଇଁ ବହୁତ ଚିନ୍ତିତ ରହୁଥିଲେ ବୋଧେ, ମନରେ ଘୃଣା ଆସୁଥିଲା ନିଜ ପ୍ରତି ମୋ ବାପାଙ୍କୁ ଟିକେ ଖୁସି ଦେଇପାରୁନି । ପରୀକ୍ଷା ଦେବାକୁ ଆସିବା ଦିନ ମୋ ହାତରେ ଧରେଇ ଥିଲେ ଏଇ ରିନଲଡ୍ସ ପେନ । ଆଉ ପରୀକ୍ଷାରେ ମୁଁ କୃତକାର୍ଯ୍ୟ ହୋଇ ପ୍ରଶାସନିକ ସେବାରେ ଯୋଗ ଦେଇଥିଲି । ବାପା ସେଇଦିନ ବହୁତ ଖୁସିଥିଲେ ମୋତେ ଧରି ଗାଁର ପ୍ରତ୍ୟେକ ଲୋକଙ୍କୁ ଲଡୁ ବାଣ୍ଟିଥିଲେ ଆଉ ଜଇନିଂ ଦିନ ହାତକୁ ଦେଇଥିଲେ ଏଇ ରିନଲଡ୍ସ ପେନ ।
ସେଦିନ ଶୁକ୍ରବାର ଥାଏ ବାପାଙ୍କ ଦେହ କେମିତି ଥିବ ଭାବି ମନଟା କେମିତି ଗୋଳେଇ ଘାଣ୍ଟି ହୋଇଥିଲା । ବାପାଙ୍କୁ ଫୋନ କଲି । ବାପା ଖାଲି କହିଲେ ହବ ଯଦି କାଲି ଆସିବୁ, ମୁଁ ଟିକେ ତୋତେ ଦେଖିବି । ଗାଁକୁ ଯାଇଥିଲି ଶନି ବାର ଦିନ, ଘର ଗହଳି ଥିଲା ଆଉ ଭଉଣୀ ମାନେ ଥିଲେ । ବାପାଙ୍କୁ କକା ମାନେ ଆଣି ଅଗଣାରେ ଶୁଆଇଥିଲେ । ଭାରି ଖୁସି ଜଣା ପଡୁଥିଲେ ବାପା, ଧୂପକାଠି ବାସ୍ନାରେ ପରିବେଶ ସୁବାସିତ ହୋଇଥିଲା, ବାପାଙ୍କ ଦେହସାରା ଫୁଲଭର୍ତ୍ତି । କିନ୍ତୁ ସିନୁରେ ବୋଲି ଡାକିବାକୁ ବାପା ନଥିଲେ କି ମୋର ଡାକର ଉତ୍ତର ଦେଉନଥିଲେ । ଦିନୁ କକା କହୁଥିଲେ କାଲି ଠାରୁ ଆଜି ତ୍ରିନାଥ ମେଳାଟିଏ ସିନୁ ପାଇଁ କରେଇବାକୁ ବ୍ୟସ୍ତ ଥିଲେ ଆଜି ସକାଳୁ ମୋତେ ଡାକି ପିଣ୍ଡାରେ ବସାଇ ସେ ବିଷୟରେ କଥା ହୋଉ ହୋଉ ସେ ମୂର୍ଚ୍ଛା ହୋଇଗଲେ ଆଉ ମେଡିକାଲ ନେଲା ବେଳକୁ ସବୁ ସାରିଯାଇ ଥିଲାରେ ସିନୁ ।
ମୋର ଈଶ୍ୱର ବିଶ୍ୱାସୀ ମନଟା ବିଦ୍ରୋହୀ ହୋଇଉଠୁଥିଲା ଆଉ କଣ ଭୁଲ ଥିଲା ମୋର । ମାତୃ ପିତୃ ସ୍ନେହ ଯେଉଁ ପିତା ଦେଉଥିଲେ ତାଙ୍କୁ ଶେଷ ମୁହୂର୍ତ୍ତରେ ଟିକେ କଥା ବି ହୋଇପାରିଲିନି, କ’ଣ ଭୁଲ ଥିଲା ମୋର । ଆଜିବି ୧୦ ବର୍ଷ ପରେ ପେନଟିକୁ ଦେଖିଲେ ମନେ ପଡେ ବାପାଙ୍କର ତ୍ୟାଗ ଆଉ ସଂଘର୍ଷ । ପ୍ରତି ମୁହୂର୍ତ୍ତରେ ପେନଟି ମୋ ପକେଟରେ ରହି ସୁଚାଇଦିଏ ମୋର ଦାୟିତ୍ୱବୋଧ । ମୁଁ ଚାହିଁଥିଲି ବାପାଙ୍କ ଆଶୀର୍ବାଦ ରିତୁକୁ ମିଳୁ । ହୁଏତ ବାପା ଥିଲେ ।
ବାଷ୍ପରୁଦ୍ଧ ହୋଇଯାଇଥିଲା ସରୋଜଙ୍କ କଣ୍ଠସ୍ୱର, ସ୍ତମ୍ଭିଭୂତ ହୋଇ ଶ୍ୱେତା ଦେଖୁଥିଲା ସରୋଜଙ୍କ ହୃଦୟର ଶୂନ୍ୟତା ଆଖିରେ ଆଖିଏ ଲୁହ ଆଉ ଛାତିରେ ଛାତିଏ କୋହ ।