ରହିଲା ରାକ୍ଷୀର ମାନ
ରହିଲା ରାକ୍ଷୀର ମାନ


ତୁ ମତେ ଫୋନରେ କ'ଣ କହିଥିଲୁ ଭାଇ, କେତେବେଳ ହେଲାଣି ଏଇଲେ ଆସି ପହଞ୍ଚିଲୁ ? ଆଜି ପରା ରାକ୍ଷୀ ପୂର୍ଣ୍ଣିମା !ତୋ ଭଉଣୀ ତୋ ପାଇଁ ଅପେକ୍ଷା କରିଛି ପରା!ଘରେ ତୋର ଗୋଟେ ଵୋଲି ଭଉଣୀ ଅଛି ତୋର ମନେଅଛି ନା ନାହିଁ!
ହଉ ମୋର ସୁନା ଭଉଣୀ ଟିକେ ଡେରି ହୋଇଗଲା ଏତେ ଅଭିମାନ ମୋ ଉପରେ କରେନି ଯମା । ତୁ ପରା ମୋର ସୁନାନାଖି ଅଲିଅଳି ଗୋଟିଏ ଵୋଲି ଭଉଣୀ ପରା । ହଉ ମୁଁ କାନ ଧରୁଛି ମୋର ଭୁଲ ହୋଇଗଲା । ତୋ ଆଗରେ ଉଠ ବସ ହେଉଛି ।
ଭାଇ ତୁ ନା !
କେତେବେଳଠୁ ଏ ଭଉଣୀ ଜଗି ବସିଛି କିଛି ନ ଖାଇ । ତୋର କଣ ଯାଏ ଆସେକି !
ହଉ ମୋ ଉପରେ ରାଗେନି ଯମା । ନେ ମୋ ହାତରେ ତୁ ରାଖୀ ବାନ୍ଧେ ।
ଭାଇ ତୋ ହାତ କଣ ହୋଇଛି ରକ୍ତର ଦାଗ କେଉଁଠୁ ଲାଗିଛି । ଦେଖା ଦେଖା ।
ନାଇ ସେ କିଛି ନୁହଁ । ତୁ ରାଖି ବାନ୍ଧେ ।
ଭାଇ ତୋ ସାର୍ଟ ଚିରିଯାଇଛି କଣ ହୋଇଛି କହ!
ତତେ କହିଲି ପରା କିଛି ହୋଇନି ମୋର । ତୁ ଏତେ କ'ଣ ପଚାରୁଛୁ ମତେ!ନେ ତୋ ପାଇଁ ନୂଆ ଜାମା ଆଣିଛି । ତୋ ପସନ୍ଦର କିଛି ମିଠା ବି ଆଣିଛି ।
ଭାଇ ଏ ଗୁଡାକ ମତେ ଯମା ଦରକାର ନାହିଁ । ମୋ ଭାଇ ମୋ ପାଖକୁ ଆସିଛି ଵାସ୍ ଏତିକି ଠିକ୍ । ଭାଇ ତୋ ଭଉଣୀ ମୁଣ୍ଡ ଛୁଇଁ କହିଲୁ କଣ ହୋଇଛି ତୋର ସାର୍ଟ କେମିତି ଚିରିଛି ଏ ରକ୍ତଦାଗ କେମିତି ଲାଗିଛି!ସତ କଥା କହିବୁ ମୋ ମୁଣ୍ଡ ଛୁଇଁଛୁ ।
ତୋ ମୁଣ୍ଡ ଛୁଇଁ କହୁଛି ମାନିନୀ ମୁଁ ତୋ ପାଖକୁ ଆସିବା ବେଳେ ଭାବିଲି ତୋ ପାଇଁ ଗୋଟେ ନୂଆ ଜାମା କିଣିନେବି ଆଉ ତୋ ମନ ପସନ୍ଦର ମିଠେଇ ନେବି । ଏଥିପାଇଁ ଦୋକାନିଠୁ ମିଠା କିଣି ଗାଡି ଚଲାଇ କିଛି ବାଟ ଆସିବା ପରେ ଦେଖିଲି ତୋ ପରି ଗୋଟେ କୁନି ଭଉଣୀଟିକୁ ସିଟି ବଜାଇ କିଛି ଯୁବକ ତାକୁ ଅସାଦଚରଣ କରୁଥିଲେ । ବିଚାରି କିଛି ନ କହି ମୁଣ୍ଡ ପୋତି ପୋତି ଚାଲୁଥିଲା । ସେ ଝିଅକୁ ଦେଖିବା ସଙ୍ଗେ ମତେ ତା ମୁହଁଟି ସାକ୍ଷାତ ତୋ ମୁହଁ ପରି ଦିଶିଲା ।
ଏହା ଦେଖି ସଙ୍ଗେ ସଙ୍ଗେ ମୁଁ ଗାଡି ରଖି ଅସାଦଚରଣ କରୁଥିବା ଯୁବକମାନଙ୍କ ପାଖକୁ ଯିବା ସମୟରେ ସେମାନେ ମତେ ଓଲଟା ଆକ୍ରମଣ କରିଥିଲେ ଫଳରେ ସେମାନଙ୍କ ସହ ଧସ୍ତାଧସ୍ତି ହୋଇ ମୋ ହାତରେ ଆଞ୍ଚୁଡା ହୋଇଯାଇଛି । ଏହା ଭିତରେ ରାସ୍ତାରେ ଯାଉଥିବା କିଛି ଲୋକଙ୍କ ନଜର ମଧ୍ୟ ପଡିଯାଇଥିଲା । ସେମାନେ ସେ ଯୁବକମାନଙ୍କୁ ଉତ୍ତମ ମଧ୍ୟମ ଛେଚା ସହ ନିର୍ଧୁମ ମାଡ ବି ମାରିଥିଲେ ।
ସେ କୁନି ଭଉଣୀଟିର ଆଦୌ କିଛି ଭୁଲ ନାହିଁ । ରାକ୍ଷୀ ପୂର୍ଣ୍ଣିମାରେ ସେ କିଛି ମିଠା ଆଣିବା ପାଇଁ ଦୋକାନକୁ ଆସିଥିଲା ତାର ଏକୁଟିଆ ଘରକୁ ଫେରିବାର ଦେଖି କିଛି ଯୁବକ ତା ପ୍ରତି ଅସଦାଚରଣ କରିଥିଲେ । ମୁଁ ତାକୁ ତା ଘରେ ନେଇ ଛାଡିଆସିଥିଲି । ସତ କହୁଛି ମାନିନୀ ଏଥିପାଇଁ ମୋର ଡେରି ହୋଇଗଲା ।
ଭାଇ ତୁ ଠିକ୍ କରିଛୁ ମୋ ପରି ଆଉ ଗୋଟେ ଭଉଣୀକୁ ତୁ ସୁରକ୍ଷା ପ୍ରଦାନ କରିଛୁ ଆଜି ପରି ରକ୍ଷାବନ୍ଧନ ଦିଵସରେ । ଆଜିକାଲି ବି କୌଣସି ଭଉଣୀର ସର୍ମାନ ହଟାତ୍ କେତେ ବେଳେ ମଧ୍ୟ ସଙ୍କଟରେ ପଡିପାରେ । ସେହି ସମୟରେ ଘଟଣାସ୍ଥଳରେ ପହଞ୍ଚି ନିଜ ଭଉଣୀକୁ ରକ୍ଷା କରିବା ଏବେ ଭାଇ ପାଇଁ ଅସମ୍ଭବ କଥା ହୋଇପଡୁଛି । ତୁ ଆଜି ଗୋଟେ ବହୁତ ପୂର୍ଣ୍ଣ୍ୟ କାମ କରିଛୁ । ଆଜି ସମାଜରେ ନାରୀ ପ୍ରତି କୁଦୃଷ୍ଟି ବହୁ ମାତ୍ରାରେ ବଢି ଚାଲିଛି । ପ୍ରତିଦିନ ମହିଳାମାନଙ୍କ ସହ ଅସଭ୍ୟ ବ୍ୟବହାର ଏବଂ ବଳତ୍କାର ଘଟଣାମାନ ଘଟୁଛି । ଦୁଷ୍କର୍ମର ଭାର ମଧ୍ୟ ବୃଦ୍ଧି ପାଉଛି ନାବାଳିକାମାନଙ୍କ ପ୍ରତି ।
ଯେଉଁଥିପାଇଁ ପୂରା ନାରୀଜାତି ନିଜକୁ ଅସୁରକ୍ଷିତ ମନେକରୁଛନ୍ତି । ଏପରି ଶୋଚନୀୟ ପରିସ୍ଥିତିରେ ତୁ ମୋ ପରି ଅନ୍ୟ ଏକ ଭଉଣୀର ଇଜ୍ଜତକୁ ରକ୍ଷା କରିଛୁ । ଏହାଦ୍ୱାରା ସମାଜରେ ନାରୀ ଉପରୁ ଅତ୍ୟାଚାର ମଧ୍ୟ କମିଯିବ । ପ୍ରତ୍ୟେକ ଭଉଣୀ ରକ୍ଷାବନ୍ଧନରେ ନିଜ ଭାଇକୁ ଏହି ପ୍ରତିଜ୍ଞା କରାଇବା ଉଚିତ ଯେ ସେମାନେ ଅନ୍ୟ ଭଉଣୀମାନଙ୍କୁ ନିଜ ଭଉଣୀ ଭଳି ଭାବିବେ,ତାଙ୍କୁ ପବିତ୍ର ଦୃଷ୍ଟିରେ ଦେଖିବେ,ତେବେ ଯାଇ ସବୁ ଭଉଣୀମାନଙ୍କ ସର୍ମାନ ରକ୍ଷା ସମ୍ଭବ ହୋଇପାରିବ । ତୋ ପାଇଁ ମୁଁ ଆଜି ନିଜକୁ ଗର୍ବ ଅନୁଭବ କରୁଛି ଭାଇ । ରକ୍ଷାବନ୍ଧନକୁ ତୁ ସାର୍ଥକ ରୂପେ ପାଳନ କରିଛୁ । ମାନିନୀର ଏହି କଥା ଶୁଣି ତା ଭାଇର ଛାତି କୁଣ୍ଢେମୋଟ ହୋଇଗଲା ।
ଧନ୍ୟ ମୋ ଭାଇ କହି ଆଖିରୁ ଆନନ୍ଦର ଅଶ୍ରୁ ଗଦଗଦ ହୋଇ ବାହାରିଆସିଲା ମାନିନୀର । ଗର୍ବରେ ମନେ ମନେ ଭାବୁଥିଲା ପ୍ରତ୍ୟେକ ଭାଇ ଏଭଳି ହେବା ଉଚିତ୍ ।