Lopamudra Mishra

Comedy Others

3  

Lopamudra Mishra

Comedy Others

ରଘୁ ଜ୍ୟୋତିଷଙ୍କୁ ଶନି ମହାଦଶା

ରଘୁ ଜ୍ୟୋତିଷଙ୍କୁ ଶନି ମହାଦଶା

6 mins
7.7K


ଡାଙ୍ଗବନ୍ଧ ବ୍ଲକର ରଘୁନାଥ ଆଚାର୍ଯ୍ୟ ଜଣେ ଜଣାଶୁଣା କଡ଼ା ଜ୍ୟୋତିଷ l ସେ ଲୋକଙ୍କ ହସ୍ତ, ପାଦ, କପାଳ ଦେଖି ଓ ବେଳେ ବେଳେ କେବଳ ମାତ୍ର ଲୋକଙ୍କ ନାଁ ଓ ଜନ୍ମ ତାରିଖ ଶୁଣି ତାଙ୍କର ଅତୀତ, ବର୍ତମାନ ଓ ଭବିଷ୍ୟତକୁ ନିର୍ଭୁଲ ଭାବେ କହିପାରନ୍ତି l ଅଦ୍ଭୁତ ତାଙ୍କ ଗଣନା ଶକ୍ତି l

କାହାର ବାହା ରାଶି କେବେ ଫିଟିବ, କାହାର ହଜିଯାଇଥିବା ଚିଜ କେବେ ଓ କୋଉଠୁ ମିଳିବ, କାହାର କି ଦଶା ଆଗକୁ ପଡ଼ିବାକୁ ଅଛି, କାହାର ବାପା ବେମାରୀ ପଡିଛି ତ ସେ ଆଉ କେତେ ଦିନ ଭୋଗିଲା ପରେ ଆରପରିକୁ ଯାଇପାରିବ , ମଲା ପରେ ପୁଣି ବାପାଙ୍କ ଆତ୍ମା କୋଉଠିକୁ ଯିବ ଇତ୍ୟାଦି ବିଭିନ୍ନ ପ୍ରଶ୍ନର ସଠିକ ଏବଂ ସୁନ୍ଦର ଉତ୍ତର ଦେବାରେ ରଘୁ ଆଚାର୍ଯ୍ୟ ଖୁବ ପାରଙ୍ଗମ l

ସିଏ ଏମିତି ସେମିତି ଜ୍ୟୋତିଷ ନୁହଁନ୍ତି ଯେ ଖାଲି ମିଛ ଟାରେ ଏଣୁ ତେଣୁ ଗପିଦେବେ l ତାଙ୍କ ପାଖରେ ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧୀୟ ଅନେକ ପୁସ୍ତକ ଅଛି l ସେ ବହୁ ଅଧୟନ କରି ହିଁ ଜ୍ୟୋତିଷ ବିଦ୍ୟା ରେ ସିଦ୍ଧହସ୍ତ ହୋଇଛନ୍ତି l ଆହୁରି ମଧ୍ୟ ତାଙ୍କ ପାଖରେ ଅନେକ ଗୁଡିଏ ଯନ୍ତ୍ର ଉପଲବ୍ଧ l ଅନେକ ପଢା ପଢ଼ି କରି ସେସବୁ ଯନ୍ତ୍ର ସେ ନିଜେ ଉଦ୍ଭାବନ କରିଛନ୍ତି l ତନ୍ମଧ୍ୟରୁ ତାଙ୍କ ପାଖେ ଥିବା ଏକ ଲମ୍ବା ସଫେଦ କାଠି ପରି ଯନ୍ତ୍ର ସବୁଠୁ ନିଆରା l ତାହା ମାଧ୍ୟମରେ ସେ ଯମଲୋକର ଚିତ୍ରଗୁପ୍ତଙ୍କ ସହ କଥାବାର୍ତ୍ତା ହୁଅନ୍ତି l ସେହି ଯନ୍ତ୍ର ସାହାଯ୍ୟ ସେ ସିଧାସଳଖ ଚିତ୍ରଗୁପ୍ତଙ୍କ ସହ ଯୋଗାଯୋଗ କରି କହିଦେଇପାରନ୍ତି କାହାର ଆୟୁଷ ପୁରିଆସିଲା ଓ ସେ ସ୍ୱର୍ଗକୁ ଯିବ କି ନର୍କରେ ରହିବ l ଯନ୍ତ୍ରଟିର ନାମ ସେ ରଖିଥିଲେ 'ଶୂନ୍ୟଭାଷ ଯନ୍ତ୍ର' l ତାହା ମାଧ୍ୟମରେ କାହାର ମୃତ୍ୟୁ ବିଷୟରେ ଜାଣିବାକୁ ହେଲେ ଖୁବ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହୁଏ l ଏତେ ଦୂରକୁ ଫୋନ ଲଗେଇବା ଶସ୍ତା ନାଁ କଣ? ସାଧାରଣ ଲୋକେ ସେତେ ଟଙ୍କା ଦେବାକୁ ସକ୍ଷମ ହୁଅନ୍ତି ନାହିଁ l କିଛି ଖାସ ବ୍ୟକ୍ତିଙ୍କ ପାଇଁ ସେହିଟି ପ୍ରଯୁଜ୍ୟ l

ସେ ଏବେ ଆଧୁନିକ ପ୍ରକ୍ରିୟାରେ କମ୍ପ୍ୟୁଟର ମାଧ୍ୟମରେ ଜାତକ ତିଆରି କରୁଛନ୍ତି l ଲୋକେ ତାଙ୍କ ନବଜାତ ଶିଶୁର ନିର୍ଭୁଲ ଜାତକ ତିଆରିବା ପାଇଁ ରଘୁ ଆଚାର୍ଯ୍ୟଙ୍କ କାର୍ଯ୍ୟାଳୟ ଆଗରେ ଭିଡ଼ ଲଗାନ୍ତି l ଦୁଇଦିନ ଆଗରୁ ତାଙ୍କର ଆପଏଣ୍ଟମେଣ୍ଟ ନେବାକୁ ପଡେ l

ସବୁ ସମସ୍ୟାର ସମାଧାନ ରହିଛି ତାଙ୍କ ପାଖେ l ଯଦି ରାଶି ନକ୍ଷତ୍ରରେ କିଛି ଗଡବଡ ଅଛି ଓ ଆଗକୁ ଦଶା ଭୋଗିବାକୁ ଅଛି, ସେ ତାର ପ୍ରତିକାର ବ୍ୟବସ୍ଥା ସଙ୍ଗେ ସଙ୍ଗେ କରିଦିଅନ୍ତି l ତାଙ୍କ ପାଖେ ଅନେକ ରତ୍ନ ପଥରର ମୁଦି, ପଦକ ଓ ମାଳି ସୁଲଭ ମୂଲ୍ୟରେ ମିଳେ l ସେସବୁ କିଣି ନେଇ ଆଙ୍ଗୁଠି, ବେକ , ଅଣ୍ଟାରେ ଧାରଣ କରିପକେଇଲେ ବିରାଟ ବିରାଟ ଗ୍ରହ ନକ୍ଷତ୍ର ନିଜ ନିଜ କକ୍ଷ ତ୍ୟାଗ କରି ରତ୍ନପଥର ଗ୍ରାହକଙ୍କ ଶତ୍ରୁର ରାଶି ଉପରେ ହିଁ ବିଚରଣ କରନ୍ତି l ଜ୍ୟୋତିଷ ଆଜ୍ଞା କେମିତି ଶନି,ମଙ୍ଗଳ, ବୃହସ୍ପତି ପରି ଗ୍ରହ ମାନଙ୍କୁ ମହାଶୂନ୍ୟରୁ ସେମାନଙ୍କ ନିଜସ୍ୱ କକ୍ଷରୁ ସାମାନ୍ୟ ଗୋଟେ ପଥର ସାହାଯ୍ୟରେ ଟାଣି ଆଣିପାରନ୍ତି କେବଳ ତାଙ୍କୁ ହିଁ ଜଣା l ରାଶି ଗୁଡାକ ଉପରେ ଗ୍ରହ ସବୁ କିପରି ଚାଲନ୍ତି ସେକଥା ଗ୍ରହ ମାନଙ୍କୁ ଜଣା ଥାଉ କି ନଥାଉ ତାହା ବିଜ୍ଞ ଜ୍ୟୋତିଷଙ୍କୁ ଭଲ ରୂପେ ନିଶ୍ଚୟ ଜଣାଥିବ l

ପିଲାଟିଏ ଜନ୍ମ ହେଉ ହେଉ ସେ କହିଦେଇ ପାରନ୍ତି ତାର ଭବିଷ୍ୟତ କଣ ହେବ l ଥରେ ଜଣେ ପରିବା ଦୋକାନୀର ବହୁବର୍ଷ ପରେ ପୁଅଟିଏ ହେଲା l ସେ ରଘୁ ଜ୍ୟୋତିଷଙ୍କ ପାଖକୁ ଆସି ପୁଅର ଜାତକ ତିଆରି କରେଇଲା l ଜ୍ୟୋତିଷ ଆଜ୍ଞା କହିଲେ, "ଆଉ କିଛି ଟଙ୍କା ପୈଠ କର ପୁଅ ଭବିଷ୍ୟତରେ କଣ କରିବ କହିଦେବି " l ଅତି ଉତ୍ସାହରେ ମଦନ ପରିବାଵାଲା ସେତେବେଳେ ପାଞ୍ଚଶହ ଟଙ୍କା ଦେଇ ବୁଝିନେଇଥିଲା ତା ପୁଅ ବାଙ୍କବିହାରୀ ବଡ ହୋଇ ବୈଜ୍ଞାନିକ ହେବ l ସେହିଦିନଠାରୁ ଠିକ ଏକୋଇଶି ବର୍ଷ ପରେ ଆଜି ବୈଜ୍ଞାନିକ ବାଙ୍କବାବୁ ଡାଙ୍ଗବନ୍ଧ ବଜାରରେ ତାଙ୍କ ଛୋଟ ଗବେଷଣାଗାରଟି ଖୋଲିଛନ୍ତି l ଅନେକ ପରୀକ୍ଷା ନିରୀକ୍ଷା କରି ସାଇକେଲ ଚକାର ଟ୍ୟୁବରେ କୋଉଠି ଛୋଟିଆ କଣାଟି ହୋଇଛି ସେ ଜାଣିପାରୁଛନ୍ତି ଓ ପ୍ୟାଚ ପକାଇ ଠିକ ମଧ୍ୟ କରିପାରୁଛନ୍ତି l କେହି ବି କହିପାରିବନାହିଁ ରଘୁ ଆଚାର୍ଯ୍ୟଙ୍କ ଭବିଷ୍ୟବାଣୀ କେବେ ମିଥ୍ୟା ପ୍ରମାଣିତ ହୋଇଛି l

ଡାଙ୍ଗବନ୍ଧର ସବୁଠୁ ବିତ୍ତଶାଳୀ ପରିବାର ମାନ ପୋଇଙ୍କର ପରିବାର l ବିରାଟ ସୁନା ଗହଣା ଦୋକାନ, ଲୁଗାପଟାର ବଡ ବଡ ସୋ ରୁମ ସହ ଦୁଇଟି ବସ ଓ ଅନେକ ବ୍ୟବସାୟ ସେମାନଙ୍କର l ସେମାନେ ରଘୁ ଜ୍ୟୋତିଷଙ୍କର ନିୟମତ ଗ୍ରାହକ l ପୋଇଙ୍କ ଭବ୍ୟ ପ୍ରାସାଦକୁ ଜ୍ୟୋତିଷ ମହାଶୟଙ୍କର ସବୁବେଳେ ଯା'ଆସ ଲାଗିରହିଥାଏ l

ସେହି ବିତ୍ତଶାଳୀ ବ୍ୟବସାୟୀ ମାନ ପୋଇଙ୍କର ହଠାତ ହୃଦଘାତରେ ଅକାଳ ବିୟୋଗ ହୋଇଗଲା l କେହି ପ୍ରସ୍ତୁତ ନଥିଲେ l ଆଗରୁ ଜାଣିଥିଲେ ହୁଏତ ରଘୁ ଜ୍ୟୋତିଷ ନିଜ ଶୂନ୍ୟଭାଷ ଯନ୍ତ୍ରଟି ଉପଯୋଗ କରିକହିପାରିଥାନ୍ତେ କୋଉ ସମୟରେ ତାଙ୍କର କାଳ ହେବ l ସମସ୍ତେ ଆଗୁଆ ଟିକେ ସଜାଗ ହୋଇଯାଇଥାନ୍ତେ l ହେଲେ ଯାହା ତ ହେବାରେ ଥିଲା ହେଲା l ତାକୁ ଆଉ କିଏ ଟାଳି ପାରିବ l ଏବେ ସମସ୍ୟା ଉପୁଜିଲା ଦୁଇପୁଅ ନୀର ପୋଇ ଓ ଧୀର ପୋଇଙ୍କ ଭିତରେ ସମ୍ପତି ଏବଂ ବ୍ୟବସାୟର ଭାଗ ବାଣ୍ଟକୁ ନେଇ l ବହୁ କଳି ତକରାଳ ପରେ ଦୁଇଭାଇଙ୍କ ମଧ୍ୟରେ ସମାନ ଭାଗରେ ସମ୍ପତି ବାଣ୍ଟିଦିଆ ଗଲା l ତଥାପି ଦୁଇଭାଇଙ୍କ କଳି ସମାଧାନ ହୋଇପାରିଲା ନାହିଁ l ଉଭୟ ଉଭୟଙ୍କର ଶତ୍ରୁ ପାଲଟି ଗଲେ l ଘର ଅଲଗା ଅଲଗା ହୋଇଗଲା l

କିଛିଦିନ ଉତ୍ତାରେ ବଡ ପୁଅ ନୀର ପୋଇ ଯାଇ ରଘୁ ଆଚାର୍ଯ୍ୟଙ୍କ କାର୍ଯ୍ୟାଳୟରେ ପହଞ୍ଚି କହିଲା, "ପଣ୍ଡିତେ !ଆପଣ ମୋ ବାପାଙ୍କୁ ବ୍ୟବସାୟର ଲାଭ କ୍ଷତି ଶୁଭ ଅଶୁଭ ସମ୍ପର୍କିତ ସମସ୍ତ ସୂଚନା ଓ ପରାମର୍ଶ ଦେଉଥିଲେ l ବାପାଙ୍କ ଉତ୍ତରାଧିକାରୀ ସୂତ୍ରରେ ବଡ ପୁଅକୁ ମାନେ ମତେ ଏବେ ସୂଚନା ଦେବେ l ଧୀରକୁ ଯେପରି କୌଣସି ପରାମର୍ଶ ନଦିଅନ୍ତି l ସେ ଯେତିକି ଟଙ୍କା ଆପଣଙ୍କୁ ଦେଇଥାନ୍ତା ତାର ଦୁଇଗୁଣା ଅଧିକ ପଇସା ମୁଁ ଦେଵି l "

କିଛି ସମୟ ପରେ ସାନପୁଅ ଧୀର ପୋଇ ମଧ୍ୟ ଆସି ଅନୁରୂପ କଥା କହିଲା l ଆଚାର୍ଯ୍ୟ ମହାଶୟଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିଗଲା l ସେ ଦୁହିଁଙ୍କ କଥାରେ ହଁ ଭରି ନିଜ ରୋଜଗାର ବଢେଇବାରେ ଲାଗିଲେ l ସେ ପ୍ରତି ଦୁଇଚାରିଦିନରେ ଥରେ ଲେଖା ଭିନ୍ନ ଭିନ୍ନ ସମୟରେ ମୁଣ୍ଡରେ ଗାମୁଛା ଘୋଡେଇ ଲୁଚି ଲୁଚି ଦୁଇଭାଇଙ୍କର ପାଖା ପାଖି ଥିବା ଅଲଗା ଅଲଗା ଘରଦୁଇଟିକୁ ଯିବାକୁ ଲାଗିଲେ l ଦୁଇଭାଇ ନିଜ ନିଜର ବ୍ୟବସାୟ ବଢେଇବା ସଙ୍ଗେ ସଙ୍ଗେ ଅପରର କିପରି କ୍ଷତି କରିପାରିବେ ସେସବୁ ପରାମର୍ଶ ରଘୁଜ୍ୟୋତିଷଙ୍କଠୁ ପାଇଯାଉଥାନ୍ତି l ଜ୍ୟୋତିଷ ଏଭିତରେ ମାଲାମାଲ ହେଇଗଲେଣି l

ଯେତେବେଳେ ନୀର ଦେଖେ ଧୀର ଟା ବେଶୀ ଭଲ ବିଜନେସ କରୁଛି ସେ ଜ୍ୟୋତିଷଙ୍କୁ କାରଣ ପଚାରେ l ଜ୍ୟୋତିଷ କହନ୍ତି, "ସେ ନିଶ୍ଚୟ କୋଉ ଜ୍ୟୋତିଷ ଠୁ ପରାମର୍ଶ ପାଉଛି l ମୁଁ ତ ଅନେକ ଦିନ ହେବ ତା ସହ ସାକ୍ଷାତ କରିନାହିଁ l ଜାଣିବି କେମିତି? " ଧୀର ର ସମାନ ପ୍ରଶ୍ନର ଏକା ଉତ୍ତର ପଣ୍ଡିତେ ତାକୁ ଦିଅନ୍ତି l

ଦୁଇଭାଇ ମନେ ମନେ ଏକାକଥା ଭାବିଲେ- କିଏ ସେ ଜ୍ୟୋତିଷ ଯିଏ ମୋ ଶତ୍ରୁକୁ ସାହାଯ୍ୟ କରୁଛି? ତାକୁ ପାନେ ଦେଲେ ଆଉ ମୋ ବେପାରର କେହି ସମକକ୍ଷ ହୋଇପାରିବ ନାହିଁ l

ଦୁହେଁ ଦୁହିଁଙ୍କ ଗୁପ୍ତଚରଙ୍କୁ ଦୁହିଁଙ୍କ ଘର ଓ ଦୋକାନ ସବୁଆଡେ ଜଗେଇଦେଲେ l ଦିନେ ଜଣେ ମୁହଁରେ ଗାମୁଛା ଭିଡା ଲୋକକୁ ପୋଇ ଦୁଇ ପରିବାର ରହୁଥିବା ରାସ୍ତା ଆଡକୁ ଆସୁଥିବାର ଦୁଇ ପକ୍ଷଙ୍କ ଗୁପ୍ତଚରମାନେ ଦେଖିଲେ l ସେ ଛଦ୍ମବେଶୀଟି ହାତରେ କିଛି ପୋଥି, ରୁଦ୍ରାକ୍ଷ ମାଳ ଧରିଥିବାର ସେମାନେ ଲକ୍ଷ୍ୟ କଲେ l ଏଇଟା ହିଁ ଠିକ ଲୋକ ବିଚାର କରି ଦୁଇ ଦଳ ଛଦ୍ମବେଶୀଟି ଉପରେ ଆକ୍ରମଣ ଆରମ୍ଭ କରିଦେଲେ l ଓହୋ କି ମାଡ଼ !!ମସ୍ତ ବଡ ବଡ ପହିଲୀମାନଙ୍କର ଭୀଷଣ ମୁଷ୍ଟି ଓ ଗୋଇଠା ଆଘାତରେ ଛଦ୍ମବେଶୀଟିର ଶରୀରର ସମସ୍ତ ଶକ୍ତ ହାଡ ଗୁଡ଼ାକ ଭାଙ୍ଗି ଚୁନା ଚୁନା ହୋଇଯାଉଥାଏ l ଗାମୁଛା ଭିତରୁ ଥାଇ ସେ ଖାଲି ବୋଉଲୋ ବାପାଲୋ ରଡି ଛାଡୁଥାଏ l ପୁଣି କହୁଥାଏ "ଛାଡିଦିଅ ମତେ ଆଉ କାହାରି ଭବିଷ୍ୟତ ବାଣୀ କରିବିନି l ଛାଡ଼ି ଦିଅଁ... ମରିଗଲି ଇଁ ଇଁ ଇଁ.... ଲୋ ବୋଉ ଉଁ ଉଁ... "l

ସେ ଯେତେବେଳେ ଗଁ ଗଁ ହୋଇ ଅଚେତ ହୋଇଗଲା ସେମାନଙ୍କ ଭିତରୁ ଦୁଇ ତିନି ଜଣ ତାକୁ ଟେକିନେଇ ଗୋଟେ ବୁଦା ପାଖେ ଫିଙ୍ଗି ଦେଇ ନିଜ ନିଜ ମୁନିବଙ୍କୁ ଯାଇ ସୁସମ୍ବାଦଟି ଜଣେଇଦେଲେ l

ଏହି ଘଟଣା ପରେ ପରେ ଜ୍ୟୋତିଷଙ୍କ କାର୍ଯ୍ୟାଳୟରେ ତାଲା ଝୁଲିଲା l

ଜ୍ୟୋତିଷ ଆଜ୍ଞାଙ୍କ ହାତ ଓ ଗୋଡ଼ର ହାଡ ଭାଙ୍ଗି ରୁଜି ଚୁନା ହୋଇ ଯାଇଛି l ମରାମତି ଉଦେଶ୍ୟରେ ଏବେ ସେ ଡାକ୍ତରଖାନା ବେଡରେ l ଗାଲ ଦୁଇଟି ଓଉ ଫଡା ପରି ଫୁଲି ଓହଳି ପଡିଛି l କେହି ଯଦି ଦେଖାକରିବାକୁ ଯାଇ ପଚାରିଦିଏ, "ଆଜ୍ଞା !ଆପଣଙ୍କର ଏ ଦଶା କିଏ କଲା? "

ଜ୍ୟୋତିଷ ଉତ୍ତର ଦିଅନ୍ତି, "ମୋ ରାଶି ଉପରେ ଶନି ମହାଦଶା ପଡିଛି "l

ଲୋପାମୁଦ୍ରା ମିଶ୍ର


Rate this content
Log in

Similar oriya story from Comedy