The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Nityananda Nandi

Inspirational

4.1  

Nityananda Nandi

Inspirational

ରବିବାର

ରବିବାର

6 mins
76


ମେମ୍...

ଇଚ୍ଛା ତ ହେଉଛି ଆକାଶରେ ଉଡ଼ିବା ପାଇଁ ସବୁ ଦିଗରେ, ମୁଁ ଆଜି ବହୁତ ଖୁସି... । ମନ ଭିତରେ ଅହେତୁକ ବ୍ୟଗ୍ରତା ଖୁସି ଟିକିଏ ବାଣ୍ଟିବା ପାଇଁ, କିନ୍ତୁ ବାଣ୍ଟିବି କାହାକୁ ? ଏ ଦୁନିଆରେ ତମେ ହିଁ ମୋ ନିଜର । ଭାବୁଛି, ଘଣ୍ଟାଏ ଗପିବି ତମ ସହିତ । ଦୁଇ ଦୁଇ ବାର ଯାଇ ତମ ଘରୁ ଫେରି ଆସିଲି, ତମେ ନ ଥିଲ।


ଏଇ ଗତ ବୁଧବାର ! ଚାଲି ଚାଲି ଆସିଥିଲି ତମ ଘର ପର୍ଯ୍ୟନ୍ତ । ଜାଣିଛ ତ ! ଆମ ଗାଆଁରୁ ତମ ସହର କେତେ ଦୂର । ଜଙ୍ଗଲ ରାସ୍ତା, ପାଞ୍ଚ ମାଇଲରୁ ଅଧିକ ହେବ । ବହୁତ ବେଲ୍ ବଜେଇଲି ମେମ୍, ବାହାରକୁ ଆସିଲନି !!! 

କି ତାତି ସେଦିନ ! ଫେନ ସୁଇଚ୍ ଅନ୍ କରି ଦୁମ କରି ବସି ପଡ଼ିଲି ତମ ବାରଣ୍ଡାରେ । ଭାବିଲି, ମେମ୍ କବାଟ ଖୋଲିବା ଯାଏ ଆପାତତଃ ଥକ୍କା ଟିକିଏ ମେଂଟି ନେବି । ଆଖି ପତା ଲାଗିଗଲା କିଛି ସମୟ ଶୋଇଗଲି, ପାଦ ଚଲା ଥକ୍କା ମେଣ୍ଟିଗଲା, ଭାବିଲି ତମେ ବାହାରକୁ ଯାଇଛ ! 

ଦୁଇଟି କଞ୍ଚା ଅମୃତଭଣ୍ଡା ରଖି ଆସିଥିଲି ତମ ବାରଣ୍ଡାରେ । ଦେଶୀ ଅମୃତଭଣ୍ଡା, ଆମ ବାଡିର । କାଲି ଡ଼ଜନେ କାଗଜି ଲେମ୍ବୁ ଧରି ଆସିଥିଲି ତମ ଘରକୁ । ପୁଣି ଦୁଇ ତିନି ଥର ବେଲ୍ ବଜେଇଲି, ଶୁଣିଲନି । ଅମୃତଭଣ୍ଡା ଉଠେଇ ନେଇଛ ଦେଖି ଖୁସି ହେଲି । ତମେ କୁଆଡେ ଶୋଇଥିବ ବୋଲି ଆଉ ଡାକିଲି ନାହିଁ, ଲେମ୍ବୁ ବାରଣ୍ଡାରେ ଥୋଇ ଆସିଲି । କାହାକୁ ଆଉ ପଚାରିବି, ପାଖରେ ଘର ଥିଲେ ସିନା ....

ଆଜି ଆମ୍ବ ଆଚାର ସାଥିରେ ଏଇ ଚିଠିଟି ପାଇବ । ତିନି ମାସ ହେଲା ତମ ସହିତ କଥା ହୋଇନି ବୋଲି କେମିତି କେମିତି ଲାଗୁଛି ।

ଆସନ୍ତା ରବିବାର ଆସିବି ତମ ଘରକୁ, କଲିଙ୍ଗ ବେଲ୍ ବଜାଇଲେ ଖୋଲିବ ନା ମେମ୍, ଘଣ୍ଟେ କଥା ହେବି ତମ ସହିତ।


ମେମ୍, ଜାଣିଛ ! ମୁଁ ବାହା ହୋଇ ଯାଇଛି, କହିବା ପାଇଁ ଆଉ ସମୟ କୋଉଠି । ତିନି ମାସ ହେଲା ତମ ଘରକୁ ଆସି ପାରିନି । ମୋ ବର ମୋତେ କଣ ଛାଡୁଥିଲା ! ସବୁବେଳେ କହୁଥିଲା ମୋ ପାଖରେ ବସ୍ । 

ତମେ ତ ଜାଣିଛ, ମୁଁ ଲେଖି ଶିଖିନି, ତାକୁ କହିଲି । ସେ ହିଁ ଲେଖିଲା ଏଇ ଚିଠିଟି । ବେଶି ପଢିନି ସେ ମେମ୍, ଆମ ଗାଆଁ ଆଦିବାସୀ ହାଇସ୍କୁଲରୁ ଅଷ୍ଟମ ପାସ୍ । ନାଆଁଟି ଭାରି ବଢିଆ , ରଞ୍ଜନ । ସବୁ ଠିକ୍, ଖାଲି କଞ୍ଚା ମିଛ କହେ । ଶହେରୁ ପଚାଶ ମିଛ । ହେଇ ଦେଖ ହସୁଛି, ଏତେ ବୋକା ଲେଖି ବି ଦେଲା, ମୁଁ ଯାହା କହିଲି । 

ତମ ବାବୁ ଯେମିତି ତମ ସହ ହସି ହସି କଥା ହୁଅନ୍ତି ମେମ୍, ରଞ୍ଜନ ବି ଠିକ୍ ସେମିତି । ସବୁବେଳେ ମୋତେ ଦେଖି ହସେ । ବହୁତ୍ ଭଲ ପାଏ, ସବୁ ବେଳେ ଟଣା ଓଟରା କରେ । ମୋ ଦେହ ଶୀତେଇ ଉଠେ, ଲାଜରେ ମୁଁ ଜଳିଯାଏ । 

କାଲି ମୋ ଜନ୍ମଦିନ ଥିଲା । ମେନ୍ ରୋଡ଼ ଢାବାକୁ ଯାଇ ରଞ୍ଜନ ମୋ ପାଇଁ କଣ ଆଣିଥିଲା ଜାଣିଛ ! ନଈ କଙ୍କଡା କଷା । ତମେ ତ ଜାଣିଛ କଙ୍କଡା ମୋର ପ୍ରିୟ ବୋଲି । ମନ ଖୁସିରେ ଖାଇଲି । 


ତା ପାଖରେ ସେକେଣ୍ଡ ହେଣ୍ଡ ମୋବାଇଲଟିଏ ଥିଲା ମେମ୍, ଜନ୍ମ ଦିନରେ ତା ମୋବାଇଲଟିକୁ ରଙ୍ଗୀନ୍ କାଗଜରେ ଗୋଡେଇ ମୋତେ ଉପହାର ଦେଇଛି ।

ବହୁତ୍ ବଡ଼ ମୋବାଇଲ୍ । ଗୀତ, ସିନେମା ସବୁ ଅଛି ସେଥିରେ । ଭାବୁଛି ଆଜିଠୁ, କିଛି କିଛି ପଇସା ରଖିବି, ତମ ସହରକୁ ଯାଇ ମୋବାଇଲଟିଏ କିଣିବି ତା ପାଇଁ । ଆଉ ତିନି ମାସ ପରେ ତା ଜନ୍ମଦିନ।

ତମେ ଦେଇଥିବା ସବୁ ଶାଢ଼ୀ, ପେଟିକୋଟ ସଜେଇ ରଖିଛି । ତମ ପରି ମଣିଷ, ସାରା ଦୁନିଆରେ ଖୋଜିଲେ ବି ମିଳିବେ ନାହିଁ ମେମ୍, ତା ନ ହେଲେ ମୁଁ ପରିବା ବିକେ ଜାଣି ବି ତମେ ମୋତେ ଝିଅ ପରି ସ୍ନେହ କର । ପର୍ବ ପର୍ବାଣୀରେ ଶାଢ଼ୀ ଦିଅ, ପେଟିକୋଟ ଦିଅ । ତମ ଋଣ କଣ ମୁଁ ଶୁଝି ପାରିବି ! ରଞ୍ଜନକୁ ସବୁ କହିଛି । ଭାରି ଖୁସି ହେଲା ସେ ତମ କଥା ଶୁଣି । ଭୁଲିବନି, ରବିବାର ମୁଁ ଆସିବି, ବେଲ୍ ଦେଲେ କବାଟ ଖୋଲିବ । କହିବ ତ ଆରଥରକୁ ରଞ୍ଜନକୁ ନେଇ ଦେଖେଇବି । ଟୋକାଟା ଦେଖିବା ପାଇଁ ଭାରି ସୁନ୍ଦର ମେମ୍, ହେଇ ଦେଖ, କେମିତି ହସୁଛି । ଇତି, ମାଳତୀ

******** 

ଆଚାର ଡବା ସାଥିରେ ଚିଠିଟିକୁ ଛାଡ଼ି ଆସିଲା ମେମଙ୍କ ବାରଣ୍ଡାରେ । 


*****

ଆଜି ରବିବାର, ମାଳତୀ ହାଜର, ଆଚାର ଓ ଚିଠି ବାରଣ୍ଡାରେ ନାହିଁ ମାନେ ମେମ୍ ତା ଚିଠି ପାଇଛନ୍ତି । 

ସମୁଦ୍ର ଲହଡ଼ି ପରି ସ୍ଵାଧୀନ ଆଜି ମାଳତୀ, ଉତ୍ତାଳ ତରଙ୍ଗ ପରି ନା ଉଠିବାର ଭୟ ନ ପଡ଼ି ଯିବାର ଭୟ । ଅହେତୁକ ସ୍ୱପ୍ନ ମନ ଭିତରେ, ନୂଆ ବୋହୂ ସାଜି ଆସିଛି ମ୍ୟାଡମ ଶୋଭାଙ୍କ ଘରକୁ । ମୁଣ୍ଡରେ ବଣ ଚମ୍ପା, ଆଖିରେ କଳା ମେଘର ରଙ୍ଗ ଲେସିଛି । ଦୁଇ ପାଦରେ ରୂପା ଖାଡୁ । ଲାଲ୍ ଚିକି ଚିକି ରେଶମ ଶାଢ଼ୀ । ବାହା ଚନ୍ଦନର ବାସ୍ନା ଯାଇନି । ଅପୂର୍ବ ସୁନ୍ଦରୀ, ବିସ୍ତୃତ ସାମ୍ରାଜ୍ୟ ମାଳତୀର, ବଣରୁ ସହର ଯାଏ ।ବହୁତ ଗପିବ ଆଜି ମେମ୍ ଙ୍କ ସହିତ । 

ବାରଣ୍ଡାରେ ଛିଡ଼ା ହୋଇ ଲାଜେଇ ଗଲା ଲାଜକୁଳି ଲତା ପରି । କୋଉଠୁ ଆରମ୍ଭ କରିବ, ଆଗେ ରଞ୍ଜନ କଥା କହିବ ନା ନିଜ କଥା । ବାହାଘର, ଚଉଠି ରାତି, କଉଡ଼ି ଖେଳ ଭୋଜି ଭାତ ସବୁ କଥା କହିବ । ଜିଭକୁ କାମୁଡି ବେଲ୍ ବଜେଇଲା ମାଳତୀ । ଥରେ, ଦୁଇଥର , ତିନି ଥର ପରେ ଭିତରୁ କେହି ଜଣେ ଆସିବାର ଶବ୍ଦ ଶୁଭିଲା । ନିଃଶ୍ୱାସ ପ୍ରଶ୍ୱାସର ତୀବ୍ରତା ବଢ଼ିଗଲା । ଗାଳି କରିବେନି ତ । ଦେଖା ନ କରି ତାଙ୍କ ବାରଣ୍ଡାରେ ଜିନିଷ ଛାଡ଼ି ଯାଉଥିଲି, ମନକୁ ଵୁଝାଉ ଥିଲା, ବେଲ୍ ତ ଦେଇଥିଲି, ମେମ୍ ଖୋଲି ନ ଥିଲେ । ମୋର ଆଉ ଭୁଲ କୋଉଠି ?

ମେନ୍ ଡୋର ଖୋଲି କେହି ଜଣେ ବାହାରି ଆସିଲେ ବାହାରକୁ, ଆଶ୍ଚର୍ଯ୍ୟ ହୋଇଗଲା ଜଣେ ଅପରିଚିତ ଭଦ୍ର ମହିଳାଙ୍କୁ ଦେଖି । ଭଦ୍ର ମହିଳା କହିଲେ, ତୁ ମାଳତୀ ! 

ହଁ

ତୋ ମେମ୍ ଆଉ ଏଠି ରହନ୍ତିନି । ସେମାନେ ଘର ଛାଡ଼ିବା ପରେ ଆମେ ଆସିଛୁ ଏଇ ଘରକୁ । ସେମାନଙ୍କ ସହିତ ଆମର କିଛି ପରିଚୟ ନାହିଁ । ମୁଁ ସବୁଦିନ ଅଫିସରୁ ଫେରିବା ପରେ ତୁ ଛାଡ଼ି ଯାଇଥିବା ଜିନିଷକୁ ଦେଖୁଥିଲି, କିଛି ନ ବୁଝି ପାରି ସବୁ ଭିତରକୁ ନେଇ ରଖିଛି । 

ଗୋଟାଏ ନିସ୍ତବ୍ଧତା ଛାଇଗଲା କିଛି ମୁହୂର୍ତ୍ତ ପାଇଁ, ମାଳତୀ ବୋକୀ ଝିଅଟି ପରି ଅନେଇ ରହିଲା ଭଦ୍ର ମହିଳାଙ୍କୁ।


ମାଳତୀ ! ଗୋଟେ କଥା କହିବି । ଏତେ ସୁନ୍ଦର ବରଟିଏ ପାଇଛୁ, ମୋ ନଜର ନ ଲାଗୁ ତୋ ଉପରେ । ଈର୍ଷା ହେଉଛି । ତୁ କିନ୍ତୁ ଖୁସିରେ ଥା । ତୋ ବର ମିଛୁଆ ବୋଲି, ତା ଦ୍ଵାରା ଲେଖା କରେଇଲୁ ଚିଠିରେ ଅନ୍ୟ କାହା ପାଇଁ । କିଛି ପ୍ରତିକ୍ରିୟା ପରିବର୍ତ୍ତେ ସେ ହସିଲା, ଲେଖି ବି ଦେଲା । ଦୁନିଆରେ ଏତେ ସରଳ ଲୋକ ଥାଆନ୍ତି ମାଳତୀ ! ଆଉ କିଏ ହୋଇଥିଲେ ନା, ସତ କହୁଛି ମାଳତୀ, ଚିଠ ଟିକୁ ଖଣ୍ଡ ଖଣ୍ଡ କରି ଦେଇଥାନ୍ତା ତୋ ସାମ୍ନାରେ । ତୁ ବି ବୋକି, ତୋ ବର ମିଛ କହେ ବୋଲି କଣ କାହାକୁ କହନ୍ତି ! ତୁ କେତେ ନିଷ୍କପଟ ମାଳତୀ ! ମୋ ବରକୁ ପଢେଇଲି ତୋ ଚିଠିଟିକୁ । ମୋତେ କୁଣ୍ଢେଇ ପକେଇଲେ ଖୁସିରେ, କେତେ ବର୍ଷର ତିକ୍ତତା ମଧୁର ସମ୍ପର୍କ ରେ ବଦଳି ଗଲା ଜାଣିଛୁ । କେବଳ ତୋରି ଚିଠି ପାଇଁ.... ତୋ ଚିଠି ପଢି ସେ ଏତେ ବଦଳି ଗଲେ ଯେ କାଲି ଢାବାରୁ ମୋ ପାଇଁ ଗରମ ଗରମ ଚିକେନ କଷା ନେଇ ଆସିଥିଲେ, ପ୍ରଥମ ଥର ବିବାହର ପନ୍ଦର ବର୍ଷ ପରେ।

ଆଉ ଗୋଟାଏ କଥା । ଶୋଭା ମେମଙ୍କ ପରି ଭଲ ମଣିଷଟିଏ ହେବାକୁ ମୋତେ ବି ସୁଯୋଗ ଦେ ମାଳତୀ । ହାତ ପାପୁଲିରେ ଆଖି ପୋଛୁ ପୋଛୁ ଅମୃତଭଣ୍ଡା, କାଗଜି ଲେମ୍ବୁ ଆଚାର ଡବାକୁ ବଢେଇ ଦେଲେ ମାଳତୀକୁ । ପୁଣି ଆସିବୁ, 

ମାଳତୀ ପଥରଟିଏ ପାଲଟି ଯାଇଥିଲା । ହାତରେ ବେଗ ଧରିଲା । ଗେଟ୍ ଖୋଲି ଚୁପ୍ ଚାପ୍ ବାହାରିଗଲା ।

***

ଦଶ ମିନିଟ ପରେ ପୁଣି ଥରେ ଫେରି ଆସି ବେଲ୍ ଦେଲା ମାଳତୀ । ଭଦ୍ର ମହିଳା କବାଟ ଖୋଲି ବାହାରି ଆସିଲେ ବାହାରକୁ । ମେମ୍ , ଏ ସବୁ ତମେ ରଖ । ଇଚ୍ଛା ହେଲାନି ଏଇ ଜିନିଷ ସବୁ ଫେରେଇ ନେଇ ଯିବାକୁ..

କାହିଁକି ?

ଶୋଭା ମେମଙ୍କ ପରି ତମେ ବି ବହୁତ ଭଲ ଲାଗୁଛ !

ମେମ୍ କୋଳେଇ ନେଲେ ମାଳତୀକୁ । କହିଲେ, ଆର ମାସକୁ ଦରମା ପାଇଲେ ତୋ ବର ପାଇଁ ମୋବାଇଲଟେ କିଣି ଦେବି ବୋଲି ଭାବୁଛି।

କାହିଁକି ?

ତୁ ତ ମୋ ଝିଅ ପରି... ହୃଦୟ ଜିତି ନେଇଛୁ । ଅଚାନକ ସମ୍ପର୍କର ସେତୁତିଏ ବାନ୍ଧିଛୁ ମୋ ସହିତ । ଏଇ ରବିବାର, ଜୀବନର ସ୍ମରଣୀୟ ରବିବାର ହୋଇ ରହିବ ମାଳତୀ !!

ଖାଲି ସେତିକି ନୁହେଁ , ଛୋଟ କାଗଜଟିଏ ଜୀବନକୁ ବଦଳାଇ ଦିଏ ବୋଲି ଆଜି ଜାଣିଲି । ତୋ ଚିଠିରୁ ଅନେକ କଥା ଶିଖିଲି ମାଳତୀ । ଅନେକ ଚିଠି ପଢିଛି ଜୀବନରେ, ଏ ଚିଠି କିନ୍ତୁ ନିଆରା ଥିଲା ମୋ ପାଇଁ, ଯଦିଓ ଚିଠିଟି ତୁ ଆଉ କାହା ପାଇଁ ଲେଖିଥିଲୁ । ଖଟା ମିଠାର ଅନେକ ସମ୍ପର୍କ ଦେଖିଛି, କିନ୍ତୁ ତମ ଦୁହିଁଙ୍କ ସମ୍ପର୍କ ଖାଲି ମିଠା ହିଁ ମିଠା । ମୋ ସ୍ୱାମୀଙ୍କ ମୁଖ ମଣ୍ଡଳରେ ହସଟିଏ ଫେରି ପାଇଛି ଅନେକ ଦିନ ପରେ । ସବୁ ସମ୍ଭବ, ସମ୍ପର୍କ ସଜାଡି ନେବା ଏତେ କଷ୍ଟ ନୁହେଁ, ତମ ପରି ଯୋଡ଼ି ଆମ ପାଇଁ ପ୍ରେରଣା....ମାଳତୀ । ତୋର ଯେତେବେଳେ ଯାହା ଦରକାର ମୋତେ କହିବୁ, ମୁଁ ପରା ତୋ ମାଆ...

ସରଳ, ନିଷ୍କପଟ ହସଟିଏ ଖେଳୁଥିଲା ମାଳତୀର ମୁହଁ ଉପରେ, ଆଖି ଜଳ ଜଳ ହୋଇ ଆସୁଥିଲା ଗୋଟାଏ ମାଆର ଉଷ୍ମ ସ୍ପର୍ଶ ପାଇ...ତାକୁ ଲାଗୁଥିଲା, ସମସ୍ତେ ସୁନ୍ଦର ଏ ଦୁନିଆରେ... ମନେ ମନେ କହୁଥିଲା.. ଅରକ୍ଷିତକୁ ଦଇବ ସାହା



Rate this content
Log in