STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ରାତ୍ରୀ ଉଡ଼ାଳି

ରାତ୍ରୀ ଉଡ଼ାଳି

4 mins
0

କଲିକତାରୁ ପୁଅ ଘରୁ ଫେରି ଆସି ଝିଅ ଘର କୋରାପୁଟରେ ମଧ୍ୟ ପକ୍ଷୀଟିଏ ଦେଖିବାକୁ ପାଉନଥିଲେ ମାଆ, ଅନସୂୟା . ତାର କାରଣ କ୍ୱାଟର ଠାରୁ ଗଛଗୁଡିକ ଖୁବ ଦୂରରେ ରହିଥିଲା ତ ପୁଅ ଯେବେ ଫୋନ କରି ମାଆଙ୍କୁ ପଚାରୁଥିଲା କି ସେଠି ପକ୍ଷୀ ଦେଖୁଛୁ ତ ମାଆ!ମାଆ ଉତ୍ତର ଦେବା ପୂର୍ବରୁ ବାପା କହିଥିଲେ ମାଆ ପକ୍ଷୀ ଦେଖିପାରୁନି ବୋଲି ମୁଁ ସବୁ ଆମ୍ବ ର ଟାକୁଆ ଗୁଡିକୁ ଏଠି ଥିବା ଖାଲି ସ୍ଥାନରେ ପୋତିଚାଲିଛି. ମାଆ ହୁଏତ ଏହି ଗଛ ବଡହେଲେ ଏହା ଉପରେ ବସୁଥିବା ପକ୍ଷୀଙ୍କୁ ଦେଖିପାରେ ଅବା ଦେଖିନପାରେ କିନ୍ତୁ କେହିତ ଦେଖିବ. ପୁଅ କହୁଥିଲା ସେକଥା ଠିକ ଯେ ହେଲେ ଗଛ ଲଗେଇବା ସ୍ଥାନ ଠିକ ରହିବା ଦରକାର.ସବୁ ଶୁଣୁଥିଲେ ମାଆ ଅନସୂୟା ଆଉ ଚାହୁଁଥିଲେ ଦୂରରେ ଥିବା ଗଛ ଗୁଡିକୁ. କେବେ କେବେ ଉଡିଯାଉଥିବା ତଥା କିଚିରି ମିଚିରି ଶବ୍ଦ କରୁଥିବା ଚଢେଇଙ୍କୁ ଦେଖିହୁଏତ କେବେ ଦେଖିହୁଏନା.ମନ କିନ୍ତୁ ଖୋଜୁଥାଏ ପକ୍ଷୀ ଙ୍କ ଉଡାଣ.        ଅନସୂୟାଙ୍କର ନିଜ ଘର କଥା ମନେପଡେ. ନିଜ ଘର ଛାତ ଉପରେ ଖୁବ ପକ୍ଷୀ ଓ ତାଙ୍କ ଗତିବିଧି ଦେଖି ହୁଏ. ତାର କାରଣ ଘର ଆଗରେ ଥିବା ଝଙ୍କାଳିଆ ବରଗଛଟା, ଛାତ ଉପରକୁ ଖୁବ ପାଖରେ ଥିବା ପରି ମନେହୁଏତ ଦେଖିହୁଏ ଖୁବ ସହଜରେ ତଥା ଦେଖିହୁଏ ପକ୍ଷୀ ସମୂହ ସହିତ ତାଙ୍କର ବସା ତିଆରି କରିବା କୌଶଳ ଓ ସ୍ୱର ସହ ଗତିବିଧି ମାନେ ଉଡାଣ. ବାରିପଟେ ମଧ୍ୟ ଅନସୂୟାଙ୍କ ବାପା ନିଜ ହାତରେ ଲଗାଇଥିବା ଆମ୍ବଗଛରେ କେତେ ଜାତି ଜାତି ପକ୍ଷୀ ସହିତ ଭଦଭଦଳିଆ ପକ୍ଷୀବସା ତିଆରି କରେ ପ୍ରତିବର୍ଷ . ସେଇଥିପାଇଁ ତ ଆମ୍ବଗଛ କଟାଯାଇନି ଏଯାଏଁ ନହେଲେ ଘରର କାନ୍ଥ ଫାଟିବା, ସାପ ଚଢିବା ଓ ପତ୍ର ଝଡି ଅଳିଆ ହେବା କାରଣଗୁଡିକ ଗଛଟିକୁ ହଣା ହେବାପାଇଁ ମନ କହୁଥିଲା ବେଳେ ହୃଦୟ ନାହିଁ ନାହିଁ କରେ. ଆମ୍ବ ବଉଳ ହେବାଠାରୁ କଷି ହେବା ଯାଏଁ ମାଙ୍କଡ଼ ପଲ ଖାଉଥାଆନ୍ତି ତ ସ୍ୱାମୀ ବୃନ୍ଦାବନବାବୁ ଓ ପୁଅ ଆକାଶ କହନ୍ତି ଖାଆନ୍ତୁ ସେମାନେ ନହେଲେ ବଞ୍ଚିବେ କେମିତି!           ଏ ବର୍ଷ କିନ୍ତୁ ଚାରିଆଡେ ଏତେ ଆମ୍ବ ଯେ ମାଙ୍କଡ଼ ମଧ୍ୟ ଖାଉନାଁହାନ୍ତି ଝଡ଼େଇ କି ଛିଡେଇ. ତଳ ଘରେ ଭଡା ଥିବା ପୁଅ ଯେବେ ଜଣେଇଲେ ଆମ୍ବଗଛ ଭାଙ୍ଗିଯାଇଛି ଓ ପାଚେରୀ ଉପରେ ପଡ଼ିରହିଛି. ସେଦିନ ରାତିରେ ଝିଅ ଘରେ ବୃନ୍ଦାବନବାବୁ ଖାଇପାରିଲେ ନାହିଁ. ସ୍ତ୍ରୀ ଅନସୂୟା ଯେବେ କହିଲେ ତୁମେ ଯାହା ଚାଁହୁଥିଲ ତାହା ମନକୁ ମନ ହୋଇଗଲା ତ ଖୁସି ହେବା କଥା, ଦୁଃଖ କଣ ପାଇଁ. ବୃନ୍ଦାବନବାବୁ ଯେବେ କହିଲେ ନାହିଁ ସେକଥା ନୁହେଁ ଯେ ଭଦଭଦଳିଆ ପକ୍ଷୀ ଶାବକ ଗୁଡିକ ବେଘର ହୋଇ କଲବଲ ହେଉଥିବେ ଏ ମୌସୁମୀ ବର୍ଷାରେ. ତୁମେ କେବେଠୁ ପକ୍ଷୀପ୍ରେମୀ ହେଲ ବୋଲି କହି ସ୍ତ୍ରୀ ଅନସୂୟା ସ୍ତବ୍ଧ ଓ ଚକିତ ହେଲାବେଳେ ଝିଅ କହୁଥିଲା ସେ ଅଜା ହେଲେଣି ତ ସେଇଥିପାଇଁ. ଅନସୂୟା ଥରେ ଝିଅ ମୁଁହଁକୁ ଓ ଥରେ ସ୍ୱାମୀଙ୍କ ମୁଁହଁକୁ ଚାହିଁ କହୁଥିଲେ ଏଥର ଆମକୁ ଯିବାକୁ ଦେ ଝିଅ ତ ସେପଟୁ କଲିକତାରୁ ପୁଅ ଫୋନ କରି କହୁଥିଲା ମାଆକୁ ଏବେ ଛାଡେନା, ଆମ୍ବଗଛ ଭାଙ୍ଗି ଯାଇଛି ଦେଖି ସେ କଷ୍ଟ ପାଇବ. ଝିଅ ଭାଇକୁ କହୁଥିଲା ମାଆ ଠାରୁ ବାପା ଅଧିକା ଚିନ୍ତିତ ଅଛନ୍ତି. ଭାଇ କହୁଥିଲା ମାଆ ପାଖେ ରହି ସେ ଏ ଭିତରେ ପକ୍ଷୀପ୍ରେମୀ ହୋଇଯାଇଛନ୍ତି ନିଶ୍ଚୟ ତେଣୁ ଭଦଭଦଳିଆ ପକ୍ଷୀଘର କଥା ଭାବି ଦୁଃଖ କରୁଥିବେ. ସ୍ୱାମୀ ସ୍ତ୍ରୀ ଦୁହେଁ ଶୀଘ୍ର ଯିବା ପାଇଁ ବେଗ୍ର ହେଉଥିଲା ବେଳେ ଝିଅ ତା ପୁଅକୁ ଧରେଇ ଦେଇ କହୁଥିଲା ଏ ପକ୍ଷୀକୁ ଛାଡି କେମିତି ଯିବାକୁ ଇଛା କରୁଛ କେଜାଣି, ଅଜା ଆଈ ଦୁହେଁ! ବୃନ୍ଦାବନ ବାବୁ ଏଥର କହୁଥିଲେ ମୋ ନାତିର ଜେଜେ, ଜେଜେମାଆ ଇତ୍ୟାଦି କେତେ କିଏ ଅଛନ୍ତି ହେଲେ ଆମ୍ବ ଗଛରେ ପ୍ରତିବର୍ଷ ବସା ବାନ୍ଧୁଥିବା ଭଦଭଦଳିଆ ପକ୍ଷୀର କିଏ ଅଛନ୍ତି କହିଲୁ ଝିଅ!    ଘରେ ପହଁଚିଲା ପରେ ଆମ୍ବ ଗଛଟିକୁ ପ୍ରାଚୀର ଉପରକୁ ପଡିଯାଇଥିବା ଦେଖି ଅନସୂୟା ଆଗ ଖୋଜି ପକେଇଲେ ଭଦଭଦଳିଆ ପକ୍ଷୀ ବସା ହେଲେ କୋଉଠି କିଛି ନଥିଲା. ବୃନ୍ଦାବନ ବାବୁ ଗଛ କଟାଳିଙ୍କୁ ଖବର ପଠେଇଲେ, ଶୀଘ୍ର ଆସି ଗଛ ନହାଣିଲେ ପାଚେରୀ କେତେ ଦିନ ସମ୍ଭାଳିବ ଏତେବଡ ଆମ୍ବ ଗଛର ଭାର!ସେମାନେ କିନ୍ତୁ ଆସୁନଥିଲେ ଆଉ ଏଣିକି ପ୍ରତିଦିନ ରାତିରେ ପେଚା ବୋବାଳି ଶୁଣିବାକୁ ମିଳୁଥିଲା. ଡରି ଯାଇଥିଲେ ଖୁବ ଅନସୂୟା. ଡରିଯାଇ କହୁଥିଲେ ଅଚ୍ୟୁତାନନ୍ଦ ପତି ଲେଖିଥିବା ଅଶୁଭ ପୁତ୍ରର କାହାଣୀ ପରି ନିଶ୍ଚୟ କୋଉଠି ପେଚାଛୁଆ ତା ମାଆ କଥା ନମାନି ଉଡ଼ିବୁଲୁଛି ଦୁନିଆଁ ଦେଖିବାକୁ.ରାତ୍ରୀର ଉଡ଼ାଳି ପେଚା ତାଙ୍କ ଘର ଦେଇ ଉଡିଯାଉଛି ନିଶ୍ଚୟ. ଡର ଭୟ ଓ ଛାନିଆଁରେ ଅନସୂୟା ବ୍ୟସ୍ତ ବିବ୍ରତ ହେଲାବେଳେ ବୃନ୍ଦାବନ ବାବୁ ଧାଉଁଥିଲେ ଗଛକଟାଳିମାନଙ୍କୁ ଡାକିବାକୁ. ସେଦିନ ଛାତ ଉପରେ ପକ୍ଷୀ ଦେଖୁ ଦେଖୁ ଅନସୂୟା ଠାଵ କଲେ ପେଚାର କିଛି ବକେୟା ବା ବଳିପଡିଥିବା ଖାଦ୍ୟ ପଡ଼ିରହିଛି . ଶିହରି ଉଠିଲେ ଅନସୂୟା.ପ୍ରଭୁ ଜଗନ୍ନାଥଙ୍କ ନାକଚଣା ମାଳଙ୍କୁ ଜୁହାର ପରେ ଜୁହାର କରିବା ସହ ମାଆ ଦୁର୍ଗାଙ୍କୁ ମୁଣ୍ଡିଆ ମାରି ଓ ବୀର ହନୁମାନ ଚାଳିଶା ବୋଲିଚାଲିଥିଲା ବେଳେ ସ୍ୱାମୀ ଅଭୟ ଦେଉଥିଲେ. କହୁଥିଲେ ପଡୋଶୀ କଲ୍ୟାଣୀ ମଣ୍ଡପରୁ ମାଛ କି ଚିକେନ ବା କୁକୁଡ଼ାର ଅନ୍ତ ଆଣି ବିଲେଇ ପକେଇଥିବ, ପେଚା କୁଆଡୁ ଆସିବ!ମନ ବୁଝୁଥିଲେ ଆଖି ବୁଝୁନଥିଲା ଅନସୂୟାଙ୍କର. ଆଶଙ୍କିତ ହୃଦୟ ଓ ମନ ବିଗଳିତ ହେଉଥିଲା ବେଳେ ଗଛକଟାଳିମାନେ ପହଁଚିଲେ. ଜଳଯୋଗ ଓ ଚା ପାନ ପରେ ଆମ୍ବଗଛ ହାଣିବାକୁ ଦୁମ ଦାମ ଚଢିଗଲେ ପାଚେରୀ ଉପରକୁ .ସେମାନଙ୍କ ଦଳପତି,ରାଧୁଆ ଭାଇର ଦାଢୁଆ କାତିରେ ମୂଳରୁ ଉପୁଡି ପଡ଼ିଥିବା ଗଛଟିର ଡ଼ାଳ ହାଣୁ ହାଣୁ ସେମାନେ ଡାକଛାଡିଲେ ଯେ ବାବୁ ଦେଖିଯାଆନ୍ତୁ,ପେଚାବସା କରିଛି ଓ ମାଆ ଛୁଆ ଦୁହେଁ ଅଛନ୍ତି ଏ ବସା ଭିତରେ. ଦିନରେ ସେମାନଙ୍କୁ ଦେଖାଯାଏନା ବୋଲି ଉଡିଯାଇପାରୁନାଁହାଁନ୍ତି. ସ୍ତବ୍ଧ ବୃନ୍ଦାବନ ବାବୁ. ଚକିତ ଅନସୂୟା.ଧୂପ ଲଗେଇ ମାଆ ମହାଲଷ୍ମୀ କହି ଦୀପ ଧୂପ ସଜାଡ଼ିଲା ବେଳେ ବୃନ୍ଦାବନ ବାବୁ କହୁଥିଲେ ଗଛ ଟେକ, ନହାଣି ପୁଣି ମାଟି ଖୋଳି ପୋତିଦେବା. ସେୟା ହେଲା. ଫେରିଯିବା ପୂର୍ବରୁ ଗଛକଟାଳିମାନେ ଓ ସେମାନଙ୍କ ସର୍ଦ୍ଦାର ରାଧୁଆ ଭାଇ କହୁଥିଲେ ଆମେ ସେଇଥିପାଇଁ ଆସୁନଥିଲୁ କାରଣ ଏହାପୂର୍ବରୁ ତିନିଥର ଏଇ ଗଛ କାଟିବାକୁ ଆସି ଫେରିଛୁ. ଅନସୂୟା କହିଲେ ଦେଖିଲ ତ ମହାମାୟୀ ମାଆ ଲଷ୍ମୀଙ୍କ ବାହାନ ଏଠାରେ ବସା କରିଛନ୍ତି ଆଉ ଗଛ କଟା ହେଇଥାନ୍ତା କେମିତି! ମୁଁହଁ ନେଫେଡେଇ ଗଛକଟାଳିମାନେ ସିନା ଫେରିଗଲେ ହେଲେ ଅନସୂୟାଙ୍କ ଡର ପରିବର୍ତ୍ତେ ପୂଜାପୁଜି ଦେଖି ବୃନ୍ଦାବନବାବୁ ଖୁବ ବିସ୍ମିତ ହେଲାବେଳେ ପୁଅ ଓ ଝିଅ ଦୁହେଁ ଫୋନ କରି ମାଆକୁ କୁହ ବାପା ଏକୋଇଶିଆ କରୁ ପେଚାଛୁଆଙ୍କର କହୁଥିଲେ ତ ମାଆ ଅନସୂୟାଙ୍କ ପରିବର୍ତ୍ତନ ଦେଖିବା ଭଳି କଥା ଥିଲା.
,,,,,,,,,,,,,,,,,,,,,,




          



Rate this content
Log in

Similar oriya story from Abstract