Gangadhar Nanda

Drama Thriller fantasy

3  

Gangadhar Nanda

Drama Thriller fantasy

ପ୍ରେତର ପ୍ରତିଶୋଧ ( ଭାଗ୧୧ )

ପ୍ରେତର ପ୍ରତିଶୋଧ ( ଭାଗ୧୧ )

3 mins
469


ପ୍ରେତର ପ୍ରତିଶୋଧ (ଭାଗ୧୧)


         ସୂର୍ଯ୍ୟାସ୍ତ ଅନେକ ଆଗରୁ ହୋଇସାରିଥିଲା । ପୁରୁଣା କୋଠାଘରଟିର ବାରଣ୍ଡାରେ ଆମେ ଦୁଇ ଜଣ ଅନ୍ଧାରରେ ବସିଥିଲୁ । ହୋଟେଲରେ ମୋ ପତ୍ନୀ ଏକୁଟିଆ ଥିବାରୁ ମନ ସାମାନ୍ୟ ବ୍ୟସ୍ତ ଲାଗୁଥିଲା । ତଥାପି ଦୁଇଟା ମର୍ଡର କେସର କୌଣସି ସୁରାକ ମିଳିଯିବା ଲୋଭରେ ମୁଁ ସେ ସ୍ଥାନ ଛାଡି ଯାଉ ନଥିଲି ।

'-ମୋ ପ୍ରଶ୍ନର ଉତ୍ତର ଦେଲେ ନାହିଁ '? ମୁଁ ସାମାନ୍ୟ ବିବ୍ରତ ହୋଇ ପଚାରିଲି ।

'-ସେମାନଙ୍କ ପାଇଁ ଦଣ୍ଡ ଧାର୍ଯ୍ୟ ସରିଛି । ଗମ୍ଭୀର କଣ୍ଠରେ କାଳୀ ପ୍ରସାଦ କହିଲେ। 

-'ଅର୍ଥାତ '?ମୁଁ ବିସ୍ମୟ ହୋଇ ପଚାରିଲି ।

'-ସମସ୍ତେ ମରିବେ ; କେହି ଜଣେ ବି ବର୍ତ୍ତିବେନି' । କାଳୀ ପ୍ରସାଦ ସ୍ଵର୍ଗୋରକ୍ତି କରୁଥିଲେ । .

ମୁଁ କିଛି ବୁଝିପାରୁନଥିଲି । କେଉଁମାନେ ମରିବେ ଆଉ କିଭଳି ମରିବେ , ମୋ ମୁଣ୍ଡରେ କିଛି ପଶୁ ନଥିଲା । ତଥାପି ଶେଷ ପ୍ରଶ୍ନ କଲି ।

-'ପଣ୍ଡିତଙ୍କୁ ହତ୍ୟା କିଏ କରିଛି ବୋଲି ଆପଣ ଭାବୁଛନ୍ତି '?

-'କେହି ହତ୍ୟା କରିନାହାଁନ୍ତି । ତାକୁ ବଳି ଦିଆଯାଇଛି 'I

'-ପଣ୍ଡିତଙ୍କୁ ଆପଣ ବଳି ଦେଇଛନ୍ତି 'I ମୁଁ ଟିକିଏ ଶକ୍ତ ସ୍ୱରରେ କହିଲି ।

'-ହା ହା ହା ହାଃ .... କାଳୀ ପ୍ରସାଦ ହସିଲେ । ସେ ନିର୍ଜନ କୋଠାଘରର ପ୍ରତିଟି କୋଠରୀରୁ କାଳୀ ପ୍ରସାଦଙ୍କ ସେ ଅଟ୍ଟହାସ୍ୟର ପ୍ରତିଧ୍ଵନି ଶୁଭୁଥିଲା । କିଛି ଚେମେଣି କାନ୍ଥରେ ବାଡେଇ ହୋଇ ଫଡ ଫଡ ହେଲେ । ଦୁଇ ଚାରୋଟି ପାରା ଟିକିଏ ଜୋରରେ ଘୁମୁରି ଦେଇ ପୁନର୍ବାର ନିରବ ହୋଇଗଲେ । ସତେ ଯେମିତି ସେ ଅଟ୍ଟହାସ୍ୟ ଶୁଣି ସେମାନେ ଖୁବ ଭୟଭୀତ ହେଉଥିଲେ ।

'-ଗଣନାଥକୁ ହତ୍ୟା କରିବାର କୌଣସି କାରଣ ମୋ ପାଇଁ ନାହିଁ । ବରଂ ତା ମୃତ୍ୟୁପରେ ଶର୍ମା ବଂଶର ଅନ୍ତ ହୋଇଗଲା । ସେ ଯିବାପରେ ମୁଁ ଗୋଟାଏ ଅସହନୀୟ କଷ୍ଟ ଭୋଗୁଛି । ନିଜକୁ କ୍ଷମା ଦେଇ ପାରୁନି । ଛାଡନ୍ତୁ ; ଆପଣ ସେସବୁ ବୁଝିପାରିବେନି । ମୋ ବିରୁଦ୍ଧରେ ଆପଣଙ୍କ ପାଖରେ କିଛି ପ୍ରମାଣ ଥିଲେ ମୋତେ ଆପଣ ଆରେଷ୍ଟ କରିପାରନ୍ତି'। 

        ମୁଁ ନିରବ ଥିଲି । ବାସ୍ତବିକ କୌଣସି ପ୍ରମାଣ ନ ଥିଲା । ଶେଷ ଚେଷ୍ଟା କଲି ।

'ଆପଣଙ୍କର ଭାଇର ହତ୍ୟାକାରୀକୁ ଧରିବାରେ ମୋତେ ସାହାଯ୍ୟ କରନ୍ତୁ 'I

-'ମୋ ସାହାଯ୍ୟ ବିନା ଆପଣ ହତ୍ୟାକାରୀକୁ ଜାଣିପାରିବେ । ଟିକିଏ ଧୈର୍ଯ୍ୟ ସହିତ ଅପେକ୍ଷା କରନ୍ତୁ । ଗୋଟିଏ କଥା ମନେ ରଖିବେ । ସେ ଜାଣିବାଟା କେବଳ ଆପଣଙ୍କ ପାଇଁ ; କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନୁହେଁ । ଗଣନାଥ ଆପଣଙ୍କୁ ବହୁତ ଶ୍ରଦ୍ଧାକରେ । ମୋତେ ଅନେକବାର ଆପଣଙ୍କ କଥା କୁହେ । ଏବେ ମଧ୍ୟ କହୁଛି ।

-" 'ଏବେ ମଧ୍ୟ କହୁଛି ' ମାନେ' ? ମୁଁ ଚମକି ପଡି ଚଉକି ଛାଡ଼ି ଠିଆ ହୋଇଗଲି ।

'-ହଁ , ଆପଣ ଠିକ୍ ଶୁଣିଛନ୍ତି । ସେ ଏବେ ମଧ୍ୟ ଆପଣଙ୍କ କଥା କହୁଛି । ଅଧିକାଂଶ ସମୟ କାନ୍ଦୁଛି 'I କହିସାରି କାଳୀ ପ୍ରସାଦ ନିଜ ଆଖିରୁ ଲୁହ ପୋଛିଲେ |

        ମୁଁ ନିର୍ବାକ ହୋଇ ପୁନର୍ବାର ଚଉକିରେ ବସିଲି । ଅନ୍ଧାରରେ ଭୟ ଲାଗିବା ସହ ପରିବେଶ ବଡ଼ ଅଶ୍ୱସ୍ତିକର ବୋଧ ହେଉଥିଲା ।

'-ଆସନ୍ତୁ ଘର ଭିତରେ ବସିବା । ଅନ୍ତତଃ ଅନ୍ଧାରରୁ ରକ୍ଷା ମିଳିବ 'I କାଳୀ ପ୍ରସାଦ ମୋ ମନ କଥା ବୁଝିପାରିଲାଭଳି କହିଲେ ।

         ଘର ଭିତରେ ଜଳୁଥିବା ଧୂନିର ଶିଖା କମି ଆସିଥିଲା । ସେଥିରେ କିଛି ଶୁଖିଲା କାଠ ପକାଇ ଆଉ କିଛି ଘିଅ ଢାଳିବାରୁ ଜୋରରେ ଜଳିବା ଆରମ୍ଭ କଲା । ବେଳେ ବେଳେ କାନ୍ଥରେ କିଛି ଛାଇ ଚଳପ୍ରଚଳ ହେବାର ଦେଖୁଥିଲି ।

'-ସ୍ୱର୍ଗବାସୀ ପଣ୍ଡିତ ଗଣନାଥ ଶର୍ମା ଏବେ ମଧ୍ୟ ଆପଣଙ୍କୁ ମୋ କଥା କହୁଛନ୍ତି ? ଆପଣ ମିଛ କହୁଛନ୍ତି ନା ମୋ ସାଙ୍ଗେ ମଜା କରୁଛନ୍ତି '? ପ୍ରଶ୍ନଟିକୁ ଦୋହରାଇଲି ।

-'ନା ନା , ମୁଁ ମିଛ କହୁନି କି ମଜା କରୁନି। ଆପଣ ବି ତ ଏହାର ପ୍ରମାଣ ପାଇଛନ୍ତି 'I

-'ମୁଁ ପ୍ରମାଣ ପାଇଛି ? କେବେ '? 

-'ଗତ ରାତିରେ ଆପଣଙ୍କ ପତ୍ନୀ ଆପଣଙ୍କୁ କଣ କହୁଥିଲେ '?

କାଳୀ ପ୍ରସାଦଙ୍କର ଏ ପ୍ରଶ୍ନରେ ଗତ ରାତିର ଘଟଣା ମୋର ମନେ ପଡିଗଲା । ମୁଁ ସାମାନ୍ୟ ଭୟଭୀତ ହୋଇ ତାଙ୍କ ମୁହଁକୁ ଚାହିଁଲି ।

-'ଡରିବାର କିଛି ନାହିଁ । ଗଣନାଥ କେବେ ମଧ୍ୟ ଆପଣଙ୍କର କିମ୍ବା ଆପଣଙ୍କ ପତ୍ନୀଙ୍କର କିଛି କ୍ଷତି କରିବନି । ବରଂ ସେ ଆପଣଙ୍କର ସୁରକ୍ଷା ଲାଗି ଅଧିକ ଚିନ୍ତିତ ' । କାଳୀ ପ୍ରସାଦ ମୃଦୁ ହସି କହିଲେ ।

'ଲୋକଟା ପାଗଳ ନା କଣ' , ମୁଁ ମନେ ମନେ ଭାବୁଥିଲି , 'ଗୋଟାଏ ପ୍ରେତ ପୁଣି ମୋ ସୁରକ୍ଷା କଥା ଭାବୁଛି ? ଯିଏ ନିଜ ଜୀବଦ୍ଦଶାରେ ସଂପୂର୍ଣ୍ଣ ଅସୁରକ୍ଷିତ ଭାବରେ ରହି ଶେଷରେ ଦେହତ୍ୟାଗ କଲା '?

         କାଳୀ ପ୍ରସାଦ ଉପରକୁ ମୁହଁ କରି ବିଡ ବିଡ ହୋଇ ମନକୁ ମନ କ'ଣ ଗୁଡ଼ାଏ କହୁଥିଲେ । ସେମିତି କହିବା ମଧ୍ୟରେ ନିଜ ଦକ୍ଷିଣ ହସ୍ତଟି ପ୍ରସାରିତ କଲେ । ହଠାତ ପାରାଟିଏ ଉଡିଆସି ତାଙ୍କ ହାତରେ ବସିଲା ।

-' ଏ ହେଉଛି ଗଣନାଥ ; ମୋ ଭାଇ 'I ପାରାଟିର ପିଠିକୁ ଆଉଁସିବା ଅବସରରେ କାଳୀ ପ୍ରସାଦ କହିଲେ ।' ଏମାନଙ୍କୁ ଭୋକ ହେଲାଣି । କିଛି ଖାଇବା ବ୍ୟବସ୍ଥା କରିବାକୁ ହେବ ।ଏବେ ଆପଣ ହୋଟେଲକୁ ଫେରି ଯାଆନ୍ତୁ । ସମ୍ଭବ ହେଲେ ଆସନ୍ତା କାଲି ପ୍ରଭାତରୁ ଆସିବେ । ବାକିଥିବା ପ୍ରଶ୍ନର ଉତ୍ତର କାଲି ପାଇଯିବେ 'I

ଅଗତ୍ୟା ମୁଁ ନିରବରେ ସେ ସ୍ଥାନ ତ୍ୟାଗ କରି ହୋଟେଲକୁ ଫେରିଲି ।

 **** କ୍ରମଶଃ ****


Rate this content
Log in

Similar oriya story from Drama