Gangadhar Nanda

Abstract Romance Classics

3  

Gangadhar Nanda

Abstract Romance Classics

ରାଣୀ ଓ ଘୋଡ଼ାବେପାରୀ କାହାଣୀ ଭାଗ୩

ରାଣୀ ଓ ଘୋଡ଼ାବେପାରୀ କାହାଣୀ ଭାଗ୩

2 mins
126


          ' ଆସନ ଗ୍ରହଣ କରନ୍ତୁ ମନ୍ତ୍ରୀବର !' ଏତକ କହିସାରି ଗୁରୁଦେବ ସ୍ୱୟଂ ନିଜ ପାଇଁ ଉଦ୍ଦିଷ୍ଟ ଆସନରେ ଉପବିଷ୍ଟ ହେଲେ । 'ଏତେଦୂର ଯାତ୍ରା ମଧ୍ୟରେ ଓ ଏଠାରେ ଆପଣଙ୍କର କୌଣସି ଅସୁବିଧା ହୋଇନାହିଁ ତ '? ପ୍ରଶ୍ନ ପଚାରିବା ଅବସରରେ ଗୁରୁଦେବ, ପୂର୍ବରୁ ଉପସ୍ଥିତ ଥିବା ଶିଷ୍ୟକୁ ଇଶାରାରେ ପ୍ରସ୍ଥାନ କରିବାଲାଗି ନିର୍ଦ୍ଦେଶ ଦେଲେ ।

         ହତଚକିତ ମହାମନ୍ତ୍ରୀ ନିଜ ମୁଣ୍ଡ ହଲାଇ କୌଣସି ଅସୁବିଧା ହୋଇନଥିବା କଥା ଜଣାଇଲେ । 

' ଆପଣଙ୍କର କୌଣସି ସଂଶୟ ଅବା ପ୍ରଶ୍ନ ଥିଲେ ଜଣାନ୍ତୁ । ଜଣେ ସାଧୂ ବା କୌଣସି ଏକ ଅଧ୍ୟାତ୍ମିକ ମାର୍ଗର ମାର୍ଗୀ ହେବାକୁ ହେଲେ ଜଟା ଦାଢୀର ପ୍ରୟୋଜନ ନଥାଏ । ଶରୀରର ବାହ୍ୟ ଓ ଅନ୍ତଃପ୍ରଦେଶ ଶୌଚ଼ ଓ ଶୁଦ୍ଧ ରହିବା ଜରୁରୀ ଅଟେ 'I ଗୁରୁଦେବ ସତେ ଯେପରି ମହାମନ୍ତ୍ରୀଙ୍କର ମନ ମଧ୍ୟରେ ଥିବା ସନ୍ଦେହ ମୋଚନ ପାଇଁ ଏସବୁ କହୁଥିଲେ ।

ମହାମନ୍ତ୍ରୀ ପ୍ରକୃତିସ୍ଥ ହୋଇ ସାଧୁଙ୍କୁ ପୁନର୍ବାର ଭଲ ଭାବରେ ନିରୀକ୍ଷଣ କଲେ । ଆଗରେ ଗୁରୁ ରୂପରେ ବସିଥିଲେ ଜଣେ ଦୀର୍ଘକାୟ ଗୌରବର୍ଣ୍ଣର ଯୁବକ । ପେଶୀ ବହୁଳ ଶରୀର କୌଣସି ଏକ କ୍ଷତ୍ରୀୟ ଯୋଦ୍ଧା ଠାରୁ ଅଧିକ ତେଜୀଯାନ ଦେଖାଯାଉଥିଲା । ଗୈରିକ ବସନରେ ଅର୍ଦ୍ଧାବୃତ୍ତ ଶରୀର . ପୁରାଣ ବର୍ଣ୍ଣିତ କୌଣସି ଏକ ଧର୍ମଯୋଦ୍ଧାର ଶରୀର ଭଳି ଦୃଶ୍ୟମାନ ଥିଲା । ଏଥିସହିତ ତାଙ୍କର ସ୍ଵରରେ ଭରି ରହିଥିଲା ଏକ ଅପୂର୍ବ ମାଧୂର୍ଯ୍ୟଭରା ସମ୍ମୋହନ ଶକ୍ତି, ଯେଉଁ ଶକ୍ତିର ଅବମାନନା କରିବା ଏକ ସାଧାରଣ ମନୁଷ୍ୟ ବା ପ୍ରାଣୀ ପକ୍ଷରେ ଅସମ୍ଭବ ଥିଲା । ଧିରେ ଧିରେ ମହାମନ୍ତ୍ରୀଙ୍କ ମନ ମଧ୍ୟରୁ ସମସ୍ତ ଦ୍ଵନ୍ଦଭାବ ଅପସରି ଯାଉଥିଲା ।

'ହେ ମହାତ୍ମା !ଆପଣ ସର୍ବଜ୍ଞାତା ବୋଲି ମୋର ହୃଦବୋଧ ହୋଇଗଲାଣି । ଅତଏବ ବର୍ତ୍ତମାନ ମହାରାଜା ଓ ରାଜ୍ୟର ପରିସ୍ଥିତି ସଂପର୍କରେ ସୂଚନା ଦେବାର ଆବଶ୍ୟକତା ମୁଁ ଆଉ ଅନୁଭବ କରୁନାହିଁ 'I

'କ୍ଷମା କରିବେ ମନ୍ତ୍ରୀବର ; ସାଧୂ ସ୍ମିତହାସ୍ୟ ସହକାରେ କହିଲେ ,ସର୍ବଜ୍ଞାତା ଉପାଧିଟି ବିଧାତାଙ୍କ ଲାଗି ଉଦ୍ଦିଷ୍ଟ । ବିଭୂକୃପା ପ୍ରାପ୍ତି ଲାଗି ଆବଶ୍ୟକୀୟ ତତ୍ତ୍ଵ ବ୍ୟତିରକେ ଅନ୍ୟ କେଉଁଥିରେ ବିଶେଷକରି ସାଂସାରିକ ବିଷୟ ଉପରେ ସୂଚନା ପ୍ରାପ୍ତି ପାଇଁ ଆମ୍ଭେ କୌଣସି ପ୍ରକାର ସଂଯମ ପ୍ରୟୋଗ ଲାଗି ସଦା କୁଣ୍ଠିତ ଥାଉ । ସଂଯମର ସହାୟତା ବିନା ଆମ୍ଭେ କୌଣସି ବିଷୟରେ ଜ୍ଞାତ ହେବା ସମ୍ଭବ ନୁହେଁ 'I

'କିନ୍ତୁ ଆପଣ ଏବେ ମୋ ମନକଥା କିପରି ଜାଣିପାରିଲେ '? ମହାମନ୍ତ୍ରୀ ସାମାନ୍ୟ ଶଙ୍କା ଭରା କଣ୍ଠରେ ପଚାରିଲେ ।

'ଆପଣ ମୋ ପାଖରେ ଏବେ ଉପସ୍ଥିତ ଅଛନ୍ତି । ଆପଣଙ୍କର ମନ କଥା ଜାଣିିବାର ଆବଶ୍ୟକତା ଆମର ରହିଛି । କାରଣ ଜଣେ ବ୍ୟକ୍ତିର ଆଧ୍ୟାତ୍ମିକ ଉପଲବ୍ଧି ନଜାଣି ବା ତାର ଚରିତ୍ର ଓ ମନୋଭାବର ଶୁଦ୍ଧତା ନ ଜାଣି ତା ସହିତ କିଛି ସମୟ ବିତାଇବା ଆମ ନିୟମ ବିରୁଦ୍ଧ । ସେସବୁ ଛାଡ଼ି ଆପଣଏଠାକୁ ଆସିବାର ଉଦ୍ଦେଶ୍ୟ ବିଷୟରେ ମୋତେ କୁହନ୍ତୁ 'I

'ଆଜ୍ଞା ବୁଝିପାରିଲି 'I ମହାମନ୍ତ୍ରୀ ଉତ୍ତର ଦେଲେ ।'ମୋର ସୌଭାଗ୍ୟ ଆପଣଙ୍କର ସାକ୍ଷାତ ପାଇଲି । ଆପଣଙ୍କଠାରୁ କିଛି ଉପଦେଶ ଆଶାରେ ମୁଁ ଏଠାକୁ ଆସିଥିଲି ' । ଏହାପରେ ମହାମନ୍ତ୍ରୀ , ରାଜ୍ୟ ପ୍ରତି ଆସୁଥିବା ବିପଦ , ମହାରାଜାଙ୍କର ରାଜ୍ୟଶାସନ ପ୍ରତି ବିମୁଖତା ଓ ବିମୁଖତା ହେତୁ ସ୍ୱୟଂ ମହାରାଣୀ ମନ୍ଦାକିନୀ ଦେବି ,ଇତ୍ୟାଦି ବିଷୟରେ ସାଧୁଙ୍କୁ ସର୍ବିଶେଷ ବିବରଣୀ ଜଣାଇଲେ ।

         ସମସ୍ତ ବିଷୟ ଅବଗତ ହେଲାପରେ ସାଧୂ କିଛି ସମୟ ଚିନ୍ତାକରି କହିଲେ , 'ଏ ସମସ୍ୟାଟି କେବଳ ଉପଦେଶରେ ଟଳିବ ନାହିଁ । ଏଥିପାଇଁ ବିହିତ ପଦକ୍ଷେପର ଆଵଶ୍ଯକତା ରହିଛି । ମୁଁ ଏକ ଯୋଜନା ସ୍ଥିର କରିଛି । ଯୋଜନାଟିର ସଫଳ ରୂପାୟନ ନିମନ୍ତେ ଆପଣ ମୋତେ ସାହାଯ୍ୟ କରିବେ ଏବଂ ଏସବୁକୁ ଗୁପ୍ତ ରଖିବେ ବୋଲି କଥା ଦିଅନ୍ତୁ । ମହାମନ୍ତ୍ରୀ କଥା ଦେବା ପରେ ଯୋଜନାଟିର ଆମୂଳଚୁଳ ରୂପରେଖ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚ଼ନା ହେଲା ।

      ପ୍ରଭାତରୁ ମହାମନ୍ତ୍ରୀ ନିଜ ଅନୁଚ଼ର ଦ୍ଵୟଙ୍କ ସହ ରାଜଧାନୀକୁ ବାହୁଡି ଗଲେ । ତାଙ୍କର ଦୁଃଶ୍ଚିନ୍ତା ଉଭେଇଯାଇ ମନରେ କିଞ୍ଚିତ ଆଶାର ଉଦୟ ହୋଇଥିଲା ।

 


Rate this content
Log in

Similar oriya story from Abstract