ରାମାୟଣର କିଛି ଅଜଣା ଫର୍ଦ୍ଦ
ରାମାୟଣର କିଛି ଅଜଣା ଫର୍ଦ୍ଦ
ଶୋଭାମୟୀ ସୀତାଙ୍କ ଆବିର୍ଭାବର ଅଦ୍ଭୁତ ଆଖ୍ୟାତର ବର୍ଣ୍ଣନା କରିବାର ପ୍ରଚେଷ୍ଟା କରିଛି। ଏସବୁ ମୋର ପରମପୂଜ୍ୟ ପିତା ମାନସରତ୍ନ ଉପାଧିରେ ବିଭୂଷିତ ଶ୍ରୀଯୁକ୍ତ ହୟଗ୍ରୀବ ତ୍ରିପାଠୀଙ୍କ ଠାରୁ ପାଇଛି ଓ ତା'ର ସଂକ୍ଷେପରେ ଉପସ୍ଥାପନା କରୁଛି।
ଦଣ୍ଡକାରଣ୍ୟରେ ଗୁତ୍ସମଦ ନାମକ ଜଣେ ତେଜସ୍ୱୀ ବ୍ରାହ୍ମଣ ରହୁଥିଲେ। ତାଙ୍କ ପତ୍ନୀଙ୍କର ଅଭିଳାଷ ଥିଲା ଯେ ସେ ଲକ୍ଷ୍ମୀଙ୍କୁ ପୁତ୍ରୀରୂପରେ ପ୍ରାପ୍ତ ହେବେ। ନିଜ ପତ୍ନୀଙ୍କ ମନୋସ୍କାମନା ପୂର୍ଣ୍ଣ ପାଇଁ ବ୍ରାହ୍ମଣ ଜଣକ ଲକ୍ଷ୍ମୀ ମୋର ପୁତ୍ରୀ ହୁଅନ୍ତୁ, ଏପରି ମନ୍ତ୍ରୋଚ୍ଚାରଣ କରି ପ୍ରତିଦିନ କଳସରେ କୁଶର ଅଗ୍ରଭାଗରେ ଦୁଗ୍ଧ ପକାଉଥିଲେ। ଦିନେ ସେ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ସେହିସମୟରେ ଲଙ୍କାଧିପତି, ପ୍ରବଳ ପରାକ୍ରମୀ, ପଣ୍ଡିତ ରାବଣ ଦଣ୍ଡକାରଣ୍ୟ ଆସିଥିଲେ। ଅଗ୍ନିସମାନ ତେଜୋଦୀପ୍ତ ବ୍ରାହ୍ମଣମାନଙ୍କୁ ଦେଖି ରାବଣ ଭାବିଲେ ମୁଁ ଯଦି ଏମାନଙ୍କୁ ଜୟ କରିନପାରେ ତେବେ ତ୍ରୈଲୋକ୍ୟବିଜୟୀ କିପରି ଘୋଷିତ ହେବି ? ଏହା ଭାବି ରାବଣ ଋଷିମାନଙ୍କ ଆଶ୍ରମରେ ପ୍ରବେଶ କରି ସେମାନଙ୍କୁ ବଳପୂର୍ବକ ଆହତ କରି ସେମାନଙ୍କ ଅଙ୍ଗରୁ ରକ୍ତସ୍ରାବ କରାଇ ଗୁତ୍ସମଦ ରଖିଥିବା କଳସିରେ ରଖିଲେ। କଳସ ଭରିଯିବା ପରେ ତାକୁ ନେଇ ରାବଣ ଲଙ୍କାଯାଇ ମନ୍ଦୋଦରୀଙ୍କ ହେପାଜତରେ ରଖିଲେ। ରାବଣ ମନ୍ଦୋଦରୀଙ୍କୁ ସତର୍କ କରାଇ କହିଲେ, ପ୍ରିୟେ ! ଏହି କଳସରେ ହଳାହଳଠାରୁ ବି ଭୟଙ୍କର ବିଷ ଭରିରହିଛି। ଅତଃ ଏହା କାହାରିକୁ ଦେବନାହିଁ। ଏହାକହି ରାବଣ ସହ୍ୟାଦ୍ରି ପର୍ବତ ଅଞ୍ଚଳକୁ ଚାଲିଗଲେ। ସେଠାରେ ଦେବ, ଦାନବ, ମାନବ କନ୍ୟାମାନଙ୍କ ସହ ବିହାର କରିବାକୁ ଲାଗିଲେ। ପତିଙ୍କ ଉପେକ୍ଷାରୁ ମନ୍ଦୋଦରୀ ନିଜ ଜୀବନକୁ ବିଷ ମଣିଲେ। ମନ୍ଦୋଦରୀ ହୀନମନ୍ୟତାର ଶିକାର ହୋଇଗଲେ। ତାଙ୍କ ମନରେ ବିଶେଷ କଷ୍ଟ ହେଲା। ସେ ଜୀବନକୁ ଭାର ଭାବି ମୃତ୍ୟୁବରଣ କରିବା ଶ୍ରେୟସ୍କର ମନେକଲେ। ଦିନେ ସେ ସେହି ବିଷପୂର୍ଣ୍ଣ କଳସକୁ ଖୋଲିଲେ ଓ ତା'ର ଉତ୍କଟ ଗନ୍ଧରେ ବିଚଳିତ ହୋଇପଡିଲେ।
ସେହି କଳସରୁ ମନ୍ଦୋଦରୀ ବିଷଭାବି ଢାଳିବାରୁ ସେଥିରୁ ରୁଧିର ବାହାରିଲା। ମନ୍ଦୋଦରୀ ସେ ରୁଧିର ପାନକରିଦେଲେ। ଲକ୍ଷ୍ମୀଙ୍କ ଆଶ୍ରୟଭୂତ ଦୁଗ୍ଧମିଶ୍ରିତ ହୋଇଥିବାରୁ ସେ ରୁଧିର ପାନପରେ ମନ୍ଦୋଦରୀ ଗର୍ଭବତୀ ହେଲେ। ଏଣେ ରାବଣ ସହ୍ୟାଦ୍ରି ପର୍ବତରେ।ମନ୍ଦୋଦରୀ ଲଜ୍ଜାରେ ସଢିଲେ, ସେ ଭାବିଲେ ସ୍ୱାମୀ ରାବଣ ଏଇକଥା ଜାଣିଲେ ଅନର୍ଥ ହୋଇଯିବ। ମନ୍ଦୋଦରୀ ଭୟଭୀତା ହୋଇ ବିମାନରେ ଲଙ୍କାରୁ କୁରୁକ୍ଷେତ୍ର ଚାଲିଲେ। ସେଠାରେ ସେ ଗର୍ଭସ୍ଥ ଭୃଣକୁ ପୋତିଦେଲେ। ସରସ୍ଵତୀ ନଦୀରେ ସ୍ନାନକରି ଲଙ୍କା ଫେରିଆସିଲେ। ତା'ପରେ ସେ କୁରୁକ୍ଷେତ୍ର ଯିବା କଥା କାହାରିକୁ କହିନଥିଲେ।
କିଛିଦିନ ଅନ୍ତେ ମିଥିଳାର ରାଜା ଜନକ ଯଜ୍ଞ ନିମିତ୍ତ ସୁବର୍ଣ୍ଣ ଲଙ୍ଗଳରେ ମାଟିକର୍ଷଣ କରୁଥିଲେ। ଏହି ସମୟରେ ଭୁମିରୁ ଏକ ଦିବ୍ୟକନ୍ୟା ପ୍ରକଟ ହେଲା। ସେ କନ୍ୟାଉପରେ ଆକାଶରୁ ଦିବ୍ୟପୁଷ୍ପ ବୃଷ୍ଟିହେବାରେ ଲାଗିଲା ।ଏ ବିଚିତ୍ର ଘଟଣା ଦେଖି ରାଜର୍ଷି ଜନକ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ଏହି ସମୟରେ ଆକାଶବାଣୀ ହେଲା, ରାଜନ୍ ! ଏ କନ୍ୟାକୁ ନେଇ ଆପଣ ଲାଳନପାଳନ କରନ୍ତୁ। ଏହି କନ୍ୟା ଦ୍ୱାରା ବିଶ୍ୱର କଲ୍ୟାଣ ହେବ। ରାକ୍ଷସମାନଙ୍କ ବିନାଶ ଘଟିବ, ପୃଥିବୀରେ ଧର୍ମ ସଂସ୍ଥାପନ ହେବ।ହଳର ଅଗ୍ରଭାଗରୁ ଜାତହୋଇଥିବାରୁ ଏହି କନ୍ୟାର ନାମ ସୀତା। ଜନକ ସେ କନ୍ୟାକୁ ନେଇ ରାଣୀ ସୁନୟନାଙ୍କୁ ଦେଇଦେଲେ। ସୁନୟନା ଏକ ଅଲୌକିକ ଶୋଭାସୌନ୍ଦର୍ଯ୍ୟ ପରିପୂରିତ କନ୍ୟାକୁ ଦେଖି ଆନନ୍ଦ ବିଭୋର ହୋଇ ଲାଳନପାଳନ କରି ବଢାଇଲେ।