ରାକ୍ଷୀର ଉପହାର
ରାକ୍ଷୀର ଉପହାର


ହଟାତ୍ ମିତାଲିର କାନ୍ଦଶୁଣି ଘର ଭିତରୁ ଦୌଡିଆସିଲା ତା ଭାଇ ମିତୁ।ମିତାଲିର ଆଖିରୁ ଲୁହ ବାହାରିବା ଦେଖି ମିତୁର ଆଖି ମଧ୍ୟ ଛଳଛଳ ହୋଇଗଲା।ତା କାନ୍ଦ ଶୁଣି ମିତାଲିକୁ କୁଣ୍ଢେଇ ପଚାରିଲା କହ ତୋର କଣ ହେଇଛି ! ତୁ କାନ୍ଦୁଛି କାହିଁକି ମତେ କହିଵୁନି ତ ଆଉ କାହାକୁ କହିବୁ ,ମୁଁ ପରା ତୋର ବାପାମାଆ ସବୁକିଛି।ମାଆ ଚାଲିଗଲା ପରଠୁ ତୋର ସବୁ ଦାୟିତ୍ବ ମୋ ଉପରେ। ତୁ ଖାଲି ଭଉଣୀ ନୁହଁ ମୋ ଜୀବନ ମଧ୍ୟ।
ମିତାଲି ନିଜ ଆଖିରୁ ଲୁହ ପୋଛି କହିଲା ନାଇ ଭାଇ ସେମିତି କିଛି ନୁହଁ।ଭାଇ ତୁ ଦିନରାତି କେତେ ପରିଶ୍ରମ କରି ଵିଲବାଡରେ କାମ କରି ପଇସା ଟିକେ ରୋଜଗାର କରୁଛୁ ଏ ସାନ ଭଉଣୀକୁ ମଣିଷ କରିବା ପାଇଁ।ମତେ ସ୍କୁଲ ପଠାଉଛୁ ମୋର ସବୁକଥା ବୁଝୁଛୁ,ମୋର ଖାଇବାପିଇବା ପିନ୍ଧିବାରେ କେବେ ତୁ ଅଭାବ ରଖିନୁ।ତୋର ଆଶିର୍ବାଦ ସବୁବେଳେ ମୋ ସାଥିରେ ଅଛି। କାଲି ରାକ୍ଷୀ ପୂର୍ଣ୍ଣିମା ତ ମୁଁ ଭାବିଲି ତତେ ପଇସା ମାଗି ରାକ୍ଷୀ କିଣି ଆଣିବା ଅପେକ୍ଷା ମୋ ନିଜ ହାତରେ ତୋ ପାଇଁ ଏକ ରାକ୍ଷୀ ବନେଇବି।ଏଥିପାଇଁ ଆମ ପଡୋଶୀ ନିଧିଆ ଅଜାଙ୍କୁ କିଛି ଧାନ,ମୁଗ ଆଉ ବିରି ମାଗି ଆମ ବାରିପଟୁ କିଛି ଘାସ ଉପାଡି ବିଭିନ୍ନ ଫୁଲ, ପତ୍ର ସଂଗ୍ରହ କରି ତାକୁ ଗୁନ୍ଥି ତୋ ପାଇଁ ରାକ୍ଷୀ ତିଆରି କରୁଥିଲି।
ଏଭଳି ସୁନ୍ଦର ରାକ୍ଷୀ ତିଆରି କରି ମନେ ମନେ ଭାବୁଥିଲି ତୋ ହାତରେ ବାନ୍ଧିଲେ କେତେ ସୁନ୍ଦର ଦିଶିବ।ଠିକ୍ ଏ ସମୟରେ ଶ୍ରାବଣୀ ମୋ ସାଙ୍ଗ ପାଖକୁ ଆସି ଥଟ୍ଟାମଜା ଉଡାଇ କହିଲା ଏ କି ପ୍ରକାର ରାକ୍ଷୀ ତିଆରି କରିଛୁ ତୋ ଭାଇ ପାଇଁ ! ଏ ଫୁଲ ରାକ୍ଷୀ ତୋ ଭାଇ ହାତରେ ବାନ୍ଧିବା ସଙ୍ଗେ ସଙ୍ଗେ ମଉଳିଯିବ ଆଉ ତୁ ଧାନ ଏବଂ ଚାଉଳରେ ଯେଉଁ ରାକ୍ଷୀ ତିଆରି କରିଛୁ ସଙ୍ଗେ ସଙ୍ଗେ ଝଡି ପଡିବ।ଏ ଫୁଲ, ଦୂବ,ଚାଉଳରେ ଏ କି ପ୍ରକାର ରାକ୍ଷୀ ତୋର!
ଜାଣିଛୁ ଆଜି ମୋ ଭାଇ ପାଇଁ ଗୋଟିଏ ସୁନା ଭଳିଆ ବ୍ରେସଲେଟ୍ ରାକ୍ଷୀ କିଣି ଆଣିଛି ତା ହାତରେ ବାନ୍ଧିବା ପାଇଁ।ହାତରେ ଥରେ ବାନ୍ଧିଦେଲେ ତାହା ବହୁଦିନ ପର୍ଯ୍ୟନ୍ତ ଚକଚକ୍ କରୁଥିବ।
ତାର ଦାମ୍ କେତେ ଜାଣିଛୁ?
ତିନିଶହ ଟଙ୍କା!
ତୁ କଣ ଜାଣିବୁ ସେ ରାକ୍ଷୀର ମୂଲ୍ୟ !ହଁ ସେ ଫୁଲରେ ତିଆରି କରେ ତୋ ଭାଇ ପାଇଁ ରାକ୍ଷୀ। ତୋ ରାକ୍ଷୀ ଯେମିତି ତୁ ଉପହାର ପାଇବୁ ସେମିତି!
ମୋ ଭାଇ ନା ମୋ ପାଇଁ ଗୋଟେ ଦାମିଖିଆ ଉପହାର ଆଣିଛି।
ତୋ ଭାଇ ପାଖରେ କଣ ଅଛି ଯେ ତତେ ଉପହାର ଦେବ!
ମିତାଲିର ଏତିକି କଥା ଶୁଣି ତା ଭାଇ ମିତୁ କହିଲା ଆରେ ତୁ ତୋ ସାଙ୍ଗର ଏହି କଥା ଶୁଣି ମନ ଦୁଃଖ କରି କାନ୍ଦୁଛୁ। କାଇଁ ଦେଖାଇଲୁ କେମିତି ରାକ୍ଷୀ ତିଆରି କରିଛୁ ମୋ ପାଇଁ!
ଇସ୍ ଏତେ ସୁନ୍ଦର ରାକ୍ଷୀ!
ରାକ୍ଷୀ ତ ରାକ୍ଷୀ।
ଅଧିକ ପଇସା ଆଉ କମ୍ ପଇସାର କଣ ?
ତୁ ତିଆରି କଲାଭଳି ସବାଇଘାସ, ଧାନ, ଵିରି, ମୁଗ ଆଉ ଚାଉଳର ରାକ୍ଷୀର ଚାହିଦା ସବୁଠୁ ଅଧିକ।
ଵିଭିନ୍ନ ଫୁଲ ସହ ଦୂବ ଗୁନ୍ଥି ଏ ରାକ୍ଷୀଟି ତିଆରି କରିଛୁ ଭାରି ସୁନ୍ଦର ହୋଇଛି। ଏ ରାକ୍ଷୀ ଭିତରେ ତୋ ଭାଇ ପ୍ରତି ଭଲ ପାଇବା ଭରପୂର ରହିଛି।
ଭାଇ ତୁ ସତ କହୁଛୁ ମୋ ରାକ୍ଷୀ ସୁନ୍ଦର ହୋଇଛି।
ହଁ ମିତାଲି ତୋ ମୁଣ୍ଡ ଛୁଇଁ କହୁଛି।
ତାହାହେଲେ ଏ ରାକ୍ଷୀ ତୋ ହାତରେ ବାନ୍ଧିବି ଇଏ ମଉଳିବନି ନା।
ହଁ କହିଲି ପରା କିଛି ହେବନି।ଯାଆ ତୁ ଏହାକୁ ନେଇ ଠାକୁରଙ୍କ ପାଖରେ ରଖିଦେ। କାଲି ସକାଳୁ ମୋ ହାତରେ ବାନ୍ଧିଦେବୁ।
ରାକ୍ଷୀ ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ମିତାଲି ଗାଧୁଆ ପାଧୁଆ ସାରି ଠାକୁରଙ୍କୁ ଫୁଲ ଚନ୍ଦନ ଦେଇ ଭାଇର ଦିର୍ଘାୟୁ କାମନା କରି ଠାକୁରଙ୍କ ପାଖରେ ରଖିଥିବା ସେ ରାକ୍ଷୀଟିକୁ ଆଣି ତା ଭାଇ ମିତୁ ହାତରେ ବାନ୍ଧିଦେଲା। ଦେଖିଲା ରାକ୍ଷୀଟି ସେମିତି ସତେଜ ହୋଇ ରହିଛି।ମଉଳି ନାହିଁ ମଧ୍ୟ। ବିଭିନ୍ନ ପୁଷ୍ପର ସୁଗନ୍ଧରେ ଚତୁର୍ଦିଗ କମ୍ପିବା ସହ ତା ଭାଇର ହାତଟି ବହୁତ ସୁନ୍ଦର ଦିଶୁଥିଲା।ଭାଇ ପ୍ରତି ତାର ଅନ୍ତରରେ ଥିବା ଭଲପାଇବା ଏ ସୂତାଖିଅଟି ତାର ଠିକ୍ ପ୍ରମାଣ ଦେଉଥିଲା ।
ସେହିପରି ଭାଇର ନିଜ ଭଉଣୀ ପ୍ରତି ଅନ୍ତରର ସ୍ନେହ ଏଵଂ ଭଲପାଇବା ଆଶୀର୍ବାଦ ରୂପେ ରହିଥିଲା ସବୁଦିନ ପାଇଁ।ମିତାଲି ହୃଦୟଙ୍ଗମ କରୁଥିଲା ଗୁରୁଜନଙ୍କ ଆଶୀର୍ବାଦ ହିଁ ସବୁଠାରୁ ବଡ ଉପହାର।