sushama Parija

Inspirational

3  

sushama Parija

Inspirational

ରାକ୍ଷୀର ମାନ

ରାକ୍ଷୀର ମାନ

8 mins
492


ନିହାର ନିଜ ଭିତରେ ନିଜେ ସହମି ଯାଉଥିଲା, କାଳେ ବାପା ରାଗିବେ କି ? ପିଲାଟି ଦିନରୁ ବାପାଙ୍କୁ ନ ପଚାରି କୌଣସି କାମ କରିନି ସେ ଆଜି ଯାଏଁ, ଆଜି ଏତେ ବଡ କାମଟିଏ କରି ଆସିଛି ବାପାଙ୍କର ବିନାନୁମତିରେ , ସେଥିପାଇଁ ଛାତି ଭିତରେ ଡରଟିଏ ଘର କରିସାରିଥିଲା ତା’ର । ତଥାପି ଆଶା ଥିଲା ବାପା ନିଶ୍ଚୟ ବୁଝି ପାରିବେ ତା’ କଥା । କୋଉ ପରିସ୍ଥିତିରେ ପଡି ସେ ଏତେ ବଡ କାମଟି କରିପକାଇଲା, କାହିଁକି ଆଗ ତାଙ୍କର ଦୃଷ୍ଟିକୁ ନ ନେଇ ଏମିତି ନିର୍ଣ୍ଣୟ ନେଲା , ସେ କଥା ସେ ବୁଝାଇବାକୁ ଚେଷ୍ଟା କରିବ ନିଶ୍ଚୟ । ତା’ ପଛରେ ଆସୁଥିବା ରୀମା ନାନୀ ଅନେକ ବେଳୁ ଚାଲି ଗଲାଣି ଘର ଭିତରକୁ, ବୋଧହୁଏ ତାଙ୍କର ପଢାଘରେ ପଶି କବାଟ ଦେଇ ସାରିବଣି କି କ’ଣ । ଦାଣ୍ଡଘରେ ବସି ବାପା ନିଉଜ୍ ପେପର୍ ପଢୁଥିଲେ , ନିହାରକୁ ଘରେ ପଶିବାର ଦେଖି ମୁଣ୍ଡ ଉପରକୁ କରି ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲେ ତା’କୁ , ସ୍କୁଲ୍ ରୁ ଫେରିବାର ବେଳ ଅନେକ ସମୟ ତଳୁ ଗଡିଗଲାଣି । ସାତବର୍ଷ ତଳେ ବୋଉ ପାଞ୍ଚ ବର୍ଷର ନିହାର ଆଉ ସାତ ବର୍ଷର ମାଧୁରୀମାକୁ ଏକା କରି ଆରପାରିକୁ ଚାଲିଗଲା ଦିନୁ, ଏଇ ବାପା ସେମାନଙ୍କୁ ବାପା ମାଆ ଉଭୟଙ୍କ ସ୍ନେହ ଦେଇ ପାଳିଛନ୍ତି । ମାଆର ଅଭାବ ଅନୁଭବ କରିବାକୁ ଦେଇନାହାଁନ୍ତି ଭାଇ ଭଉଣୀ ଦୁହିଁଙ୍କୁ । ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇ ସେମାନଙ୍କ ରକ୍ଷଣାବେକ୍ଷଣ କରିଛନ୍ତି । ରନ୍ଧାବଢା ଠାରୁ ଆରମ୍ଭ କରି ଲୁଗା ସଫା,ଗୋଡ ଘସା ଯାଏଁ ସବୁ ନିଜ ହାତରେ କରିଛନ୍ତି । ଟିଉସନ ନଦେଇ ନିଜେ ଘରେ ପାଠ ପାଇଛନ୍ତି ସେମାନଙ୍କୁ। ସେମାନେ କେମିତି ଭଲ ଖାଇବେ,ଭଲ ପିନ୍ଧିବା, ଭଲ ପଢିବେ, ଭଲ ମଣିଷ ହେବେ, ସେଇ ପ୍ରଚେଷ୍ଟାରେ ନିଜକୁ ହଜାଇ ଦେଇଛନ୍ତି ସିଏ। ସ୍ନେହ ଲତାଙ୍କ ଯିବା ପରେ ସାହି ପଡିଶା, ବନ୍ଧୁ ବାନ୍ଧବଙ୍କ ଦ୍ଵିତୀୟ ବିବାହ ଲାଗି ହଜାରେ ଅନୁରୋଧ ସତ୍ତ୍ୱେ ଆଉଥରେ ସଂସାର କରିବେନି ବୋଲି ସଫା ସଫା ଶୁଣେଇ ଦେଇଛନ୍ତି ସେ । ନିଜର ସବୁ ସୁଖକୁ ଜଳାଞ୍ଜଳି ଦେଇ ପିଲା ଦୁହିଁଙ୍କୁ ମଣିଷ କରିବାରେ ଲାଗିଛନ୍ତି । ଟିକିଏ ହେତୁ ପାଇଲା ଦିନରୁ ସେମାନେ ବାପାଙ୍କ ତ୍ୟାଗ ଦେଖି ଆସୁଛନ୍ତି ଏବଂ ତାଙ୍କ ମହାନତା ପାଖରେ ମୁଣ୍ଡ ନଇଁ ଯାଇଛି ସେମାନଙ୍କର । ଆଜି ସେଇଥି ପାଇଁ ନୀହାରର ସାହସ ହେଉନି ବାପାଙ୍କ ଆଗରେ ଠିଆ ହେବାକୁ। ବୋଉ ଥିଲେ ଆଜି ହୁଏତ ଏମିତି ପରିସ୍ଥିତି ଆସି ନଥାନ୍ତା । ଯେତେ ସ୍ନେହ ଶ୍ରଦ୍ଧା କଲେ ବି ମାଆର ସ୍ଥାନ କେବେହେଲେ ନେଇ ପାରନ୍ତି ନାହିଁ ବାପା ମାନେ । ଯେଉଁ ସ୍ୱାଭାବିକତାରେ ନିଜର ସବୁକଥା ମାଆଟି ଆଗରେ କହି ହୁଏ ତା’ ବାପ ଆଗରେ କହିବାକୁ ଜିଭ ଲେଉଟେ ନାହିଁ, ସଙ୍କୋଚ ଆବୋରି ବସେ । ଆଉ ସେଇ ସଙ୍କୋଚ ଭାବ ପିଲାଙ୍କୁ କଥା ଲୁଚାଇବା ଲାଗି ବାଧ୍ୟ କରେ , କୌଣସି ବିକଟ ପରିସ୍ଥିତି ନ ଆସିଲା ଯାଏଁ । ତାହା ହିଁ ହୋଇଥିଲା ।

ଗାଁ ରେ ସରକାରୀ ନୋଡାଲ୍ ସ୍କୁଲ୍ ରେ ପଢୁଥିଲେ ନିହାର ଆଉ ମାଧୁରୀମା । ନିହାରର ସପ୍ତମ ଶ୍ରେଣୀ ମାଧୁରୀମାର ନବମ ଶ୍ରେଣୀ । ଏକା ସ୍କୁଲ୍ ରେ ପଢୁଥିବା ହେତୁ ଭାଇ ଭଉଣୀ ଦୁହେଁ ସାଙ୍ଗ ହୋଇ ଯା’ ଆସ କରୁଥିଲେ, ତେଣୁ ସେମାନଙ୍କ ପାଇଁ ଚିନ୍ତା ନଥିଲା ଧନଞ୍ଜୟ ଭଞ୍ଜଙ୍କର।ମାଧୁରୀମା ଠିକ୍ ତା’ ମାଆ ପରି, ଖୁବ୍ ଡଉଲଡାଉଲ କିନ୍ତୁ ନିହାତି ସରଳ, ସମସ୍ତଙ୍କ କଥାକୁ ହଠାତ୍ ବିଶ୍ୱାସ କରିଯିବ । ହେଲେ ନିହାରଟା ଠିକ୍ ତାଙ୍କରି ପରି, ଖୁବ୍ ଧୀର ସ୍ଥିର, ସ୍ଥିତପ୍ରଜ୍ଞ , ସ୍ପଷ୍ଟବାଦୀ, ସାହସୀ ମଧ । ତାଙ୍କରି ଭଳି ଅନ୍ୟାୟ ଦେଖିଲେ ମୋଟେ ସହିବନି, ରାଗି ପାଚି ନିଆଁବାଣ ହୋଇଯିବ। କ’ଣ ନାଇଁ କ’ଣ କରି ବସିବ। ସେଥିପାଇଁ ଅନେକ ସମୟରେ ନିହାରକୁ ଆକଟ କରନ୍ତି ସେ, ହଠାତ୍ ନ ବୁଝି ସଶୁଝି ପ୍ରତିକ୍ରିୟା ନକରିବାକୁ ତାଗିଦ୍ କରନ୍ତି।

ମାଧୁରୀମା ଧୀରେ ଧୀରେ ବଡ ହେଉଥିଲା, ମାଆ ନଥିଲା ଝିଅ, କେତେବେଳେ କୋଉ କଥା । ମାଆ ଥିଲେ ଅବଶ୍ୟ ସଂସାର ନୀତିଗତି ଶିଖେଇ ଥାଆନ୍ତେ ଝିଅକୁ, ହେଲେ ସେ ତ ବାପ , କ’ଣ କେମିତି ବୁଝେଇବେ ଝିଅକୁ । ଆଜି କାଲି ପରିସ୍ଥିତି ଯେଉଁ ଜଟିଳ ହେଲାଣି, ଝିଅଟି ଘରୁ ବାହାରକୁ ଗଲେ ଭୟ ଲାଗି ରହୁଛି ମନରେ । କିନ୍ତୁ ନିହାର ସାଥିରେ ଥିବାରୁ ଧନଞ୍ଜୟ ନିଶ୍ଚିନ୍ତ ହୋଇ ରହୁଥିଲେ, ସବୁବେଳେ କହୁଥିଲେ “ ଅପା ସାଙ୍ଗରେ ଯିବୁ, ଅପା ସାଙ୍ଗରେ ଆସିବୁ, ବାଟରେ କୋଉଠି ଅଟକି ଯିବିନି ସାଙ୍ଗ ମାନଙ୍କ ସହିତ ଖେଳକୁଦ କରିବା ପାଇଁ । ଅପାକୁ ଘରେ ଛାଡି ଦେଇ ପଛେ ଯିବୁ ଖେଳିବୁ” । ପିଲାମାନଙ୍କର ସ୍କୁଲ୍ ରୁ ଫେରିବାର ଡେରି ହେଲେ ତାଙ୍କର ମନରେ ଛନକା ପଶେ, କୋଉଠି କିଛି ଅସୁବିଧା ହେଲା କି? ଆଜି ବି ସେମିତି ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ଫେରିଥିଲେ ଭାଇଭଉଣୀ ଦୁଇ ଜଣ । ଆଗେ ଆଗେ ଆସିଥିବା ମାଧୁରୀମା ମୁହଁ ତଳକୁ କରି କ୍ଷିପ୍ର ପଦପାତରେ ପଶି ଯାଇଥିଲା ଘର ଭିତରକୁ ଆଉ କବାଟଟା ବନ୍ଦ କରି ବସିଥିଲା ସେତିକିବେଳୁ । ତା’ ପଛରେ ଆସିଥିଲା ନିହାର, ମୁହଁଟା ଅସ୍ୱାଭାବିକ ଭାବରେ ଥମ୍ ଥମ୍ ଦିଶୁଥିଲା । ନିଉଜ୍ ପେପର୍ ଟି ଆଖି ଆଗରେ ଧରି ଥିଲେ ବି ଧନଞ୍ଜୟଙ୍କର ଦୃଷ୍ଟି ନିବଦ୍ଧ ରହିଥିଲା ପିଲାଙ୍କ ଉପରେ । ଅହେତୁକ ବିଳମ୍ବର କାରଣ ଜାଣିବାକୁ ପିତୃହୃଦୟ ତାଙ୍କର ବ୍ୟାକୁଳ ହୋଇ ଉଠୁଥିଲା ହେଲେ ଦୁହିଁଙ୍କ ଭିତରୁ ଜଣେ କେହି ବି ଆସୁନଥିଲେ ବାହାରକୁ । ସାଧାରଣତଃ ସ୍କୁଲ୍ ରୁ ଫେରିବାପରେ ଆଗ ପୋଷାକପତ୍ର ବଦଳାବଦଳି କରି ରୀମା ଆସେ, ଭାତ ବଢାବଢି କରି ଭାଇକୁ ଡାକେ ଖାଇବାକୁ । ଚଟ୍ ପଟ୍ ଦି’ ଗୁଣ୍ଡା ଖାଇପିଇ ନିହାର ବାହାରି ଯାଏ ସାଙ୍ଗ ମାନଙ୍କ ସହିତ ଖେଳକୁଦ କରିବା ପାଇଁ । ରୀମା ଘରଦ୍ବାର ଓଳାଓଳି କରି ଲୁଗାପଟା ସଜାଡି ରଖେ ସନ୍ଧ୍ୟା ବତୀ ଦିଏ।

ଟିକିଏ ହେତୁ ପାଇଲା ଦିନରୁ ରୀମା ଧନଞ୍ଜୟଙ୍କ ହାତରୁ ଅନେକ କାମ ଛଡେଇ ନେଇ ନିଜେ କରେ। କହେ “ ବାପା ! ତମେ ବହୁତ ଖଟିଲଣି ଆମ ପାଇଁ, ଏବେ ତ ମୁଁ ବଡ ହୋଇଗଲିଣି ନା, ମତେ ଏସବୁ କରିବାକୁ ଦିଅ। ତୁମେ ଟିକିଏ ବିଶ୍ରାମ କର” ।

ଖୁସିର ଲୁହ ଜକେଇ ଆସେ ଧନଞ୍ଜୟଙ୍କ ଆଖିରେ । ଭାବନ୍ତି, ଆଜି ସ୍ନେହଲତା ଥିଲେ, ରୀମାକୁ ପାଣି ହାତ କରେଇ ଦେଉ ନଥାନ୍ତେ, ଝିଅ ପିଲାଟା, କାଲି ସକାଳୁ ପରଘରକୁ ଗଲେ ,ସେଠି ତ ସାରା ଜୀବନ ଖଟିବାକୁ ଆଉ ଏଇଠି ବାପ ଘରେ ଟିକିଏ ଆରାମ କରୁ, ବୋଲି କହିଥାନ୍ତେ । କିନ୍ତୁ ସେ ତ ବାପା, ସେଥିପାଇଁ ମନରେ ସେମିତି ଭାବୁଥିଲେ ବି ପରିପ୍ରକାଶ କରି ପାରନ୍ତି ନାହିଁ, ରୀମାର ମୁଣ୍ଡକୁ ଆଉଁସି ଦେଇ ଚୁପ୍ ରହନ୍ତି, ତାଙ୍କ ଆଖିର ଲୁହ ଆଉ ମନର କୋହକୁ ଛାତି ଭିତରେ ଚାପି ରଖି ବାହାରି ଯାଆନ୍ତି ବଜାର କରିବାକୁ । ନିର୍ଜନ ରାତିରେ ଏକୁଟିଆ ଖଟ ଟିରେ ପଡି ପଡି ନିଦ ନଆସୁଥିଲା ବେଳେ ସେଇ ଲୁହ ଆଉ କୋହ ମାନେ ବାହାରି ଆସନ୍ତି ଆଖିପତା ଭିଜେଇ । ଧନଞ୍ଜୟ ମନେମନେ କହନ୍ତି ସ୍ନେହଲତାଙ୍କୁ “ ମତେ ଏକା କରି ହାତଛାଡି ଅଧାବାଟରୁ ଚାଲି ଗଲ ସିନା ,ଏଇ ପିଲାଙ୍କୁ ବଢେଇ କୁଢେଇ ମଣିଷ କରିବା ପାଇଁ ମତେ ଧୈର୍ଯ୍ୟ, ସାହସ ଦିଅ, ମୋ ପାଖରେ ଛାଇଟିଏ ହୋଇ ରହିଥାଅ ସବୁବେଳେ , ନହେଲେ ମୁଁ ଏକୁଟିଆ ମଣିଷଟା କ’ଣ କରିବି ଯେ ? “

ନିହାରଟା ଖୁବ୍ ପେଟଗାବୁରା, ମୋଟେ ଭୋକ ସହି ପାରେନି । ସ୍କୁଲ୍ ରୁ ଫେରିବାପରେ ସାର୍ଟ ପ୍ୟାଣ୍ଟ ଫୋପାଡି ଦେଇ ଦୌଡି ଆସି ବସିଯାଏ ଖାଇବାକୁ, ଆଜି ସିଏ ବି ଆସୁନି, ଘଟଣା କ’ଣ? ଚୌକି ଛାଡି ଉଠିଲେ ଧନଞ୍ଜୟ, ଚାଲ ଚାଲ ହୋଇ ପିଲା ମାନଙ୍କ ଶୋଇବା ଘର ପାଖକୁ । କବାଟରେ ହାତ ମାରିଲେ, କବାଟ ଭିତରୁ ବନ୍ଦ ଅଛି, କବାଟରେ କାନ ଦେଇ ଶୁଣିବାକୁ ଚେଷ୍ଟା କଲେ ସେ । କିଛି ଶୋର ଶବ୍ଦ ନାହିଁ, ଏଥରକ ଆଉ ନିଜକୁ ସମ୍ଭାଳି ପାରିଲେନି ଧନଞ୍ଜୟ । ଜୋର୍ ଜୋରରେ କବାଟ ବାଡେଇବା ସହିତ ନିହାର! ନିହାର ! ବୋଲି ଚିତ୍କାର କରିବାକୁ ଲାଗିଲେ। କିଛି ସମୟ ପରେ ଆସ୍ତେ କରି କବାଟ ଖୋଲି ବାହାରକୁ ଆସିଲା ନିହାର , ମୁହଁଟାରେ ଭୟରେ ଚିହ୍ନ ସୁସ୍ପଷ୍ଟ । ତା’କୁ ଆଡେଇ ଦେଇ ଆଗକୁ ଟିକିଏ ମାଡି ଯାଇ ଘର ଭିତରକୁ ଚାହିଁଲେ ଧନଞ୍ଜୟ, ରୀମା ଖଟ ଉପରେ ମୁହଁ ମାଡି ଶୋଇଛି , ନା ‘ ନା’, କାନ୍ଦୁଛି ବୋଧହୁଏ , ତା’ର ଶରୀରଟା ରହିରହି ଥରି ଉଠୁଛି । ପଛକୁ ଫେରି ନିହାରର କାନ ଧରି ପକାଇଲେ ଧନଞ୍ଜୟ , ଗର୍ଜି ଉଠିଲେ “ କ’ଣ ହେଇଛି, ସତ କଥା କହ , ନହେଲେ ପିଠିରୁ ଛାଲ ଉତ୍ତାରି ଦେବି ନିହାର ! “ । ଆଉ ଚୁପ୍ ରହି ପାରିଲାନି ନିହାର, ପାଟି ଖୋଲିଲା “ କିଛି ଦିନ ହେଲା ଅପା କହୁଥିଲା ଯେ ଆମ ସ୍କୁଲ୍ ର ବିଜ୍ଞାନ ସାର୍ ତା’କୁ ଅଯଥାରେ ଗୁଡାଏ ପ୍ରଶ୍ନ ପଚାରୁଛନ୍ତି କ୍ଲାସ୍ ରେ, ସେ ଉତ୍ତର ଦେଇ ନପାରିଲେ କହୁଛନ୍ତି ତତେ କିଛି ପାଠ ଆସୁନି, ଆଗକୁ ବାର୍ଷିକ ପରୀକ୍ଷାରେ ଠିଆ ଫେଲ୍ ହେବୁ।

ବାପାକୁ କହି ମୋ ପାଖରେ ଟିଉସନ ହ । ପରୀକ୍ଷା ପୂର୍ବରୁ ସବୁ ବତେଇ ଦେବି । ଅପାକୁ ସାରା ଶ୍ରେଣୀ ଆଗରେ ଏମିତି କହିବାରୁ ଲାଜ ଲାଗୁଥିଲା କିନ୍ତୁ ସେ ଭୟରେ କିଛି କହି ପାରୁନଥିଲା ତାଙ୍କୁ। ଆଜି ସ୍କୁଲ୍ ସରିବା ପରେ ତା’କୁ ଡାକିଲେ ବିଜ୍ଞାନାଗାରକୁ ଖାତା ନେଇ ଯିବାକୁ । ଡରି ଡରି ସେ ଯାଇଥିଲା ଖାତାପତ୍ର ଧରି ସେଠିକି । ସ୍କୁଲ୍ ର ଛୁଟି ଘଣ୍ଟା ବାଜିଲା ପରେ ଅନେକ ସମୟ ଧରି ଅପା କ୍ଲାସ୍ ରୁ ନ ଆସିବାରୁ ମୁଁ ଯାଇଥିଲି ତା’ କ୍ଲାସ୍ କୁ । ସେଠାରେ କେହି ନଥିଲେ କିନ୍ତୁ ଅପାର ବହିପତ୍ର ଦୁଆଁ ହୋଇଥିଲା ଡେସ୍କ ଊପରେ । ବାହାରକୁ ଆସି ପିଲା ମାନଙ୍କୁ ପଚାରିବାରୁ ସେମାନେ ଅପାକୁ ବିଜ୍ଞାନାଗାର ଆଡେ ଯିବାର ଦେଖିଥିବା କଥା କହିଲେ । ସେଇଠୁ ମୁଁ ଗଲି ବିଜ୍ଞାନାଗାରକୁ । ବିଜ୍ଞାନାଗାରର କବାଟ ବନ୍ଦ ଥିଲା । ସେଇଠୁ ଫେରି ଆସୁଛି ଗୋଟିଏ ଗଁ, ଗଁ ଶବ୍ଦ ଶୁଣି ଅଟକି ଗଲା ମୋ ପାଦ। କାନେଇଲି, ଶବ୍ଦ ଟି ବିଜ୍ଞାନାଗାର ଭିତରୁ ଆସୁଥିଲା । ଆଖିବୁଜା ଦୌଡିଲି ସେଠିକି । ନିଜର ସବୁ ବଳ ଖର୍ଚ୍ଚ କରି ଧକ୍କା ମାରି ମାରି କବାଟ ଭାଙ୍ଗି ଭିତରେ ପଶିଲି । ଦେଖିଲା ବେଳକୁ ଅପାର ମୁହଁରେ ପଟି ବନ୍ଧା ହୋଇଛି, ସେ ପଡିଛି ଗୋଟିଏ କଣରେ ଆଉ ବିଜ୍ଞାନ ସାର୍  । ମୋ ମୁଣ୍ଡକୁ ପିତ୍ତ ଚଢିଗଲା । ତାଙ୍କୁ ଅପା ଉପରୁ ଘୋଷାରି ଆଣି ତଳେ ପକେଇଦେଲି । ପାଖରେ ଟେବୁଲ୍ ଉପରେ ହାତୁଡି ଟିଏ ଥୁଆ ହୋଇଥିଲା, ଟାଣି ଆଣିଲି ସେଇଟାକୁ, ଅଦା ଛେଚିଲା ପରି ଛେଚି ଦେଇଗଲି ତାଙ୍କୁ । ଲହୁଲୁହାଣ ହୋଇ ପଡିଗଲେ ସେ । ସେଇଠୁ ଅପାର ମୁହଁ ହାତ ଖୋଲି ତା’କୁ ସଜଡା ସଜଡି କରି ଆଣିଲି ଘରକୁ ।ମୋର କିଛି ଦୋଷ ନାହିଁ ବାପା ! ମୁଁ ଜାଣି ଜାଣି କିଛି ଭୁଲ୍ କରିନି ।ଅପାର ଦୁର୍ଦ୍ଦଶା ଦେଖି ମୋ ମୁଣ୍ଡ ଖରାପ ହୋଇଗଲା, ମୋ ଦେହରେ ଏତେ ବଳ କୁଆଡୁ ଆସିଲା ମୁଁ ନିଜେ ଜାଣିନି ।କିନ୍ତୁ ଏତିକି କହୁଛି ବାପା! ମୁଁ କିଛି ବି ଭୁଲ୍ କାମ କରିନି । ମୋ ଯାଗାରେ ତମେ ଥିଲେ କ’ଣ ଏଇଆ କରି ନଥାନ୍ତ ? କୁହ ବାପା ! କୁହ । କୁହ । ଶେଷ ଆଡକୁ ନିହାରର କଥା ଗୁଡିକ ଡାକ ବାଜି ଯନ୍ତ୍ର ଭଳି ପ୍ରତିଧ୍ୱନିତ ହେଉଥିଲା ଧନଞ୍ଜୟଙ୍କର କାନରେ। ତାଙ୍କ ପାଦ ଦୁଇଟା ଭୂମିରେ ଲାଖି ଯାଇଥିଲା । ରସାତଳକୁ ଖସିପଡିଲା ପରି ପ୍ରତେ ହେଉଥିଲା ତାଙ୍କୁ। ତଣ୍ଟି ଶୁଖି ଅଠା ଅଠା ହୋଇ ଯାଉଥିଲା, ଶବ୍ଦ ସବୁ ଗଳାରେ ଅଟକି ଯାଇଥିଲେ, ସେ ଶୂନ୍ୟ ଦୃଷ୍ଟିରେ ଥରେ ନିହାରର ମୁହଁକୁ ତ ଆଉ ଥରେ ମୁହଁ ମାଡି ଶୋଇରହି କାନ୍ଦୁଥିବା ମାଧୁରୀମା ଆଡକୁ ଚାହୁଁଥିଲେ । କ’ଣ କହିବେ , କ’ଣ କରିବେ କିଛି ବୁଦ୍ଧିବାଟ ଦେଖା ଯାଉନଥିଲା ତାଙ୍କୁ । ଭାବ ବିହ୍ଵଳିତ ହୋଇ ସେ କୁଣ୍ଢେଇ ପକେଇଲେ ନିହାରକୁ । ଭୋ ଭୋ ହୋଇ କାନ୍ଦି ଉଠିଲେ ସେ । କହିଲେ “ ତୁ ନଥିଲେ ଆଜି କ’ଣ ହୋଇଥାନ୍ତା ରେ ବାବୁ? ମୁଁ କାହା ଆଗରେ ମୁହଁ ଦେଖେଇ ଥାଆନ୍ତି? ମୋ ଝିଅ କ’ଣ ଆଉ ବଞ୍ଚି ପାରି ଥାଆନ୍ତା? ତୁ ମୋ ପୁଅ ନୁହେଁରେ, ତୁ ମୋ ବାପା, ତୁ ଆମ ସମସ୍ତଙ୍କ ଜୀବନ ବଞ୍ଚେଇ ଦେଲୁ ରେ ବାବୁ । ଠାକୁରେ ତତେ କୋଟି ପରମାୟୁ ଦିଅନ୍ତୁ , ତୁ ମୋ ଆୟୁଷ ନେଇ ବଞ୍ଚି ରହ । ଏମିତି ବିଳାପ କରୁ କରୁ ଧନଞ୍ଜୟଙ୍କର ମନେ ପଡିଗଲା ନିହାର ର କହିବା କଥା , “ ଲହୁ ଲୁହାଣ ହୋଇ ପଡିଛନ୍ତି ସେ” । ମନେ ମନେ ଭାବିଲେ ଏତେ ସମୟ ହେଲାଣି, ଯଦି ଅତ୍ୟଧିକ ରକ୍ତସ୍ରାବ ହେତୁ ବିଜ୍ଞାନ ସାର୍ ଙ୍କର ସେଇଠି ମୃତ୍ୟୁ ଘଟିଥିବ , ତେବେ କ’ଣ ହେବ? ନିହାରକୁ ତ ଜେଲ୍ ହୋଇ ଯିବ, ତା’ର ଭବିଷ୍ୟତ ବରବାଦ୍ ହୋଇଯିବ । ଯଦି ସେ ବର୍ତ୍ତମାନ ଅନ୍ୟ ମାନଙ୍କୁ ଏ ବିଷୟରେ ଜଣାଇବେ ତେବେ ତାଙ୍କ ଇଜ୍ଜତ ମହତ ଚାଲିଯିବ। ସେ ଗାଁରେ କାହାକୁ ମୁହଁ ଦେଖେଇ ପାରିବେ ନାହିଁ । ମାଧୁରୀମା ଆଉ ସ୍କୁଲ୍ କୁ ପଢିବା ପାଇଁ ଯାଇ ପାରିବନି, ତା’ର ଭବିଷ୍ୟତ ମଧ୍ୟ ବରବାଦ୍ ହୋଇଯିବ । କ’ଣ କରିବେ ସେ? ଏମିତି ଭାବି ଭାବି ଶେଷରେ ନିଷ୍ପତ୍ତି ନେଲେ ଧନଞ୍ଜୟ, ନା’ ଯାହା ପରିଣାମ ହେଉ ପଛେ ସେ ସତ୍ୟର ପରିପ୍ରକାଶ କରିବେ । ତେଣିକି ଯାହା ତାଙ୍କର ଆଉ ତାଙ୍କ ପିଲା ମାନଙ୍କ ଭାଗ୍ୟରେ ଲେଖା ଥିବ ତାହା ହେବ । ସେ ପଡୋଶୀ ବିନୋଦ ବାବୁଙ୍କୁ ସବୁ କଥା କହିବେ ।ତାଙ୍କୁ ସାଙ୍ଗରେ ନେଇ ଆଗ ଯାଇ ବିଜ୍ଞାନ ସାର୍ ଙ୍କୁ ଦେଖିବା ପରେ ପରବର୍ତ୍ତୀ ପନ୍ଥା ନିର୍ଦ୍ଧାରଣ କରିବେ । ପୋଲିସ୍ ଷ୍ଟେସନ୍ ଯାଇ ସବୁ ସତ ଘଟଣା ବୟାନ କରିବେ । ତେଣିକି ଯାହା ହେବାର ହେବ । ନିହାରକୁ ଅପାର ଦେଖାଶୁଣା କରିବାକୁ କହି ସାର୍ଟ ପ୍ୟାଣ୍ଟ ପିନ୍ଧି ବାହାରକୁ ବାହାରି ଗଲେ ଧନଞ୍ଜୟ ।

ଭାଗ୍ୟ ଭଲଥିଲା ବିଜ୍ଞାନ ସାର୍ ଙ୍କର । ନିହାର ଠାରୁ ନିର୍ଘାତ ପାହାର ଖାଇବା ପରେ ପ୍ରଚୁର ରକ୍ତସ୍ରାବ ହେବା ପରେ ମଧ୍ୟ ସେ ବଞ୍ଚି ରହିଥିଲେ । ଧନଞ୍ଜୟ ଆଉ ବିନୋଦ ବାବୁ ସାଥି ହୋଇ ଆହୁରି ଚାରି ପାଞ୍ଚଜଣଙ୍କୁ ସାଥିରେ ଧରି ସେଠିକି ଯିବା ବେଳକୁ ସେ ସେମିତି ବେହୋସ ଅବସ୍ଥା ରେ ପଡି ରହିଥିଲେ । ସାଙ୍ଗେ ସାଙ୍ଗେ ତାଙ୍କୁ ସ୍ଥାନୀୟ ପି ଏଚ୍ ସି କୁ ନେଇ ଚିକିତ୍ସା ବ୍ୟବସ୍ଥା କରିବା ସହିତ ପୋଲିସ୍ ଷ୍ଟେସନକୁ ଯାଇ ବିଜ୍ଞାନ ସାର୍ ଙ୍କ ବିରୁଦ୍ଧରେ ପ୍ରାଥମିକ ରିପୋର୍ଟ ଲେଖାଇଥିଲେ ଧନଞ୍ଜୟ । ମାଧୁରୀମାର ଘଟଣା ଟି ପ୍ରକାଶିତ ହେବାରୁ ଆହୁରି ଅନେକ ଛାତ୍ରୀ, ଯେଉଁ ମାନେ ପୂର୍ବରୁ ସେଇ ବିଜ୍ଞାନସାର୍ ଙ୍କ ପଶୁ ପ୍ରବୃତ୍ତିର ଶୀକାର ହୋଇଥିଲେ ଏବଂ ଲୋକଲଜ୍ୟା ଭୟରେ ଅଭିଭାବକ ମାନଙ୍କୁ ଜଣାଇ ନଥିଲେ, ସେମାନେ ମଧ୍ୟ ଆଗେଇ ଆସିଲେ ତାଙ୍କର ଦୁର୍ଦ୍ଦଶା ବୟାନ ରେକର୍ଡ କରିବାକୁ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ହେଲା । ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଦୋଷୀ ସାବ୍ଯସ୍ତ ହେଲେ ବିଜ୍ଞାନ ସାର୍ । ତାଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇ ଆଜୀବନ କାରାଦଣ୍ଡ ମିଳିଲା ଆଉ ନିହାରକୁ ମିଳିଥିଲା ସମସ୍ତଙ୍କର ସାବାସୀ । ସାନଭାଇଟିଏ ହୋଇ ଭଉଣୀର ମାନ୍ ଇଜ୍ଜତ ବଞ୍ଚେଇ ରାକ୍ଷୀର ମାନ ରଖିଥିଲା ନିହାର ।


Rate this content
Log in

Similar oriya story from Inspirational