STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ରାବଣର ଜନ୍ମ ରହସ୍ୟ

ରାବଣର ଜନ୍ମ ରହସ୍ୟ

4 mins
18

     

ଅନେକ ଦିନ ତଳେ କେକେୟ ଦେଶରେ ସତ୍ୟକେତୁ ନାମରେ ଜଣେ ଧାର୍ମିକ ଓ ଖୁବ୍ ପ୍ରତାପଶାଳୀ ରାଜା ରାଜପଣ କରୁଥିଲେ l ତାଙ୍କର ପ୍ରତାପଭାନୁ ଓ ଅରି ମର୍ଦ୍ଦନ ନାମରେ ଦୁଇ ଗୁଣବାନ୍ ପୁତ୍ର ଥିଲେ l ରାଜା ସତ୍ୟକେତୁ କିଛିକାଳ ପରେ ଜ୍ୟେଷ୍ଠ ପୁତ୍ର ପ୍ରତାପ ଭାନୁକୁ ରାଜ୍ୟ ଭାର ଅର୍ପଣ କରି ସନ୍ନ୍ୟାସ ବ୍ରତରେ ବନକୁ ବାହାରି ଗଲେ l ପିତାଙ୍କ ପ୍ରାୟ ପ୍ରତାପଭାନୁ ଧର୍ମରେ ପ୍ରଜା ପାଳନ କଲେ l 

ରାଜା ପ୍ରତାପଭାନୁଙ୍କର ବିଜ୍ଞ ମନ୍ତ୍ରୀ ଥିଲେ ଧନରୁଚି l ଧନରୁଚିଙ୍କ ସୁମନ୍ତ୍ରଣାରେ ପ୍ରତାପ ଭାନୁଙ୍କ ସୁଶାସନ ଚାଲିଥିଲା l ତାଙ୍କ ରାଜ୍ୟରେ କୌଣସି ଦୁଃଖଦୈନ୍ୟ ନଥିଲା l ସମସ୍ତେ ସୁଖରେ କାଳ କାଟୁଥିଲେ l

ଦିନେ ରାଜା ବିନ୍ଧ୍ୟାଚଳର ଘଞ୍ଚ ଅରଣ୍ୟରେ ପାରିଧି କରୁଥିବା ବେଳେ ଏକ ବରାହକୁ ଦେଖି ତା ପଛରେ ଧନୁର୍ବାଣ ଧରି ଧାବିତ ହେଲେ l ବରାହଟି ଦୋଉଡ଼ି ଦୋଉଡ଼ି ଯାଇ ଗୋଟିଏ ଗୁମ୍ଫା ଭିତରେ ପଶିଗଲା l ରାଜା ବରାହ ପଛରେ ଗୋଡ଼ାଇ ଗୋଡ଼ାଇ ତୃଷିତ ହୋଇ ପଡ଼ିଲେ ଓ ଜଳ ଖୋଜି ଖୋଜି ଯାଇ ଏକ ଆଶ୍ରମ ନିକଟରେ ପହଁଚିଲେ l

ସେହି ଆଶ୍ରମରେ ଜଣେ ମୁନି ବାସ କରୁଥିଲେ l ସେ ଆଗରୁ ଜଣେ ରାଜା ଥିଲେ ଓ ପ୍ରତାପଭାନୁଙ୍କ ଠାରୁ ପରାଜିତ ହୋଇ ବନକୁ ପଳାଇଯାଇ କପଟ ତପସ୍ୱୀ ବେଶରେ ସେହି ଆଶ୍ରମରେ ରହୁଥିଲେ l ସେ ରାଜା ପ୍ରତାପଭାନୁଙ୍କୁ ଦେଖିବା ମାତ୍ରେ ଚିହ୍ନିନେଲେ l ରାଜା ତାଙ୍କୁ ନମସ୍କାର କଲେ l ତୃଷାର୍ତ୍ତ ରାଜାଙ୍କୁ ସେ ଏକ ଜଳାଶୟ ନିକଟକୁ ନେଇଗଲେ l ସେଠାରେ ରାଜା ତୃଷା ନିବାରଣ କରି ଓ ସ୍ନାନସାରି ଆଶ୍ରମକୁ ଫେରି ଆସିଲେ l ତପସ୍ୱୀ ତାଙ୍କୁ ପଚାରିଲେ, ମୁଁ ଆପଣଙ୍କ ଠାରେ ଜଣେ ଚକ୍ରବର୍ତ୍ତୀ ରାଜାର ସବୁ ଲକ୍ଷଣ ଦେଖି ପାରୁଛି l ଆପଣ ଏ ବନରେ କାହିଁକି ବୁଲୁଛନ୍ତି l

ରାଜା ତାଙ୍କୁ ପରିଚୟ ଦେଇ ମୃଗୟା ଉଦ୍ଧେଶ୍ୟରେ ବନକୁ ଆସିଥିଲେ ବୋଲି କହିଲେ l ସନ୍ଧ୍ୟା ହୋଇ ଆସୁଥାଏ ଏଣୁ ମୁନି ତାଙ୍କୁ ଆଶ୍ରମରେ ରାତ୍ରିଯାପନ କରିବାକୁ କହିଲେ l ରାଜା ତାଙ୍କର ଆତିଥ୍ୟ ଗ୍ରହଣ କଲେ l କିନ୍ତୁ ଛଦ୍ମ ତପସ୍ୱୀ ତାଙ୍କ ପୂର୍ବ କଥା ସ୍ମରଣ କରି ମନେ ମନେ କ୍ରୁଦ୍ଧ ହେଉଥିଲେ l 

ରାଜା ମୁନିଙ୍କ ଆତିଥେୟତାରେ ଅତ୍ୟନ୍ତ ମୁଗ୍ଧହୋଇ ତାଙ୍କର ପ୍ରଶଂସା କରିବାକୁ ଲାଗିଲେ l ତପସ୍ୱୀ ନିଜ ପରିଚୟ ଦେଇ କହିଲେ, ହେ ରାଜା ! ମୋର ନାମ ହେଉଛି ଏକତନୁ l ସୃଷ୍ଟି ଆରମ୍ଭରେ ମୋର ଜନ୍ମ l ମୁଁ ସେହି ଦିନରୁ ଆଉ ଅନ୍ୟ ତନୁ ଧାରଣ କରି ନଥିବାରୁ ମୋର ନାମ ଏକତନୁ ହୋଇଛି l ମୋ ତପୋବଳରେ ଏହା ସମ୍ଭବ ହୋଇଛି l ମୋର ଅଜ୍ଞାତ ବୋଲି କଛିନାହିଁ l ମୁଁ ଆପଣଙ୍କୁ ମଧ୍ୟ ଚିହ୍ନିଛି l ଆପଣ ଧର୍ମ ପ୍ରାଣ ରାଜା ସତ୍ୟକେତୁଙ୍କ ପୁତ୍ର ପ୍ରତାପଭାନୁ l ଏପରି କଥାସବୁ ଶୁଣି ରାଜା ମୁନିଙ୍କୁ ପ୍ରଣାମ କରି କହିଲେ, ହେ ମୁନି ! ଯଦି ଆପଣ ପ୍ରସନ୍ନ ହୋଇଛନ୍ତି, ତାହାଲେ ମୋତେ ଏହି ବର ଦିଅନ୍ତୃ, ନିଷ୍କଣ୍ଟକ ହୋଇ ମୁଁ ଯେପରି ଶତ କଳ୍ପ ପର୍ଯ୍ୟନ୍ତ ପ୍ରଜା ପାଳନ କରେ l ତପସ୍ୱୀ କହିଲେ, ତୁମର ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ l ବ୍ରାହ୍ମଣଙ୍କ ଅଭିଶାପବିନା ତୁମର କଛିକ୍ଷତି ହେବନାହିଁ l ରାଜା କହିଲେ, ତାହେଲେ କୃପାକରି ବ୍ରାହ୍ମଣମାନଙ୍କୁ ବଶ କରିବାର ଉପାୟ ଆପଣ ମୋତେ ବତାଇ ଦିଅନ୍ତୁ l ତପସ୍ୱୀ କହିଲେ, ଉପାୟ ଅଛି l ମୁଁ ତୁମ ନଗରକୁ ଗଲେ ଯାଇ ତାହା ସମ୍ଭବ ହେବ l ତୁମ ଭବନରେ ମୁଁ ରହି ଅନ୍ନ ପାକ କରିବି l ତୁମେ ସେହି ପାକାନ୍ନକୁ ବ୍ରାହ୍ମଣ ମାନଙ୍କୁ ପରିବେଷଣ କରିବ l

କ୍ଳାନ୍ତ ରାଜା ତପସ୍ୱୀଙ୍କ ଆଶ୍ରମରେ ଶୋଇ ପଡ଼ିଲେ l ଯେଉଁ ବରାହକୁ ରାଜା ଛାଡ଼ି ଦେଇଥିଲେ ସେ ଥିଲା କାଳକେତୁ ନାମା ଏକ ରାକ୍ଷସ l ପ୍ରତାପଭାନୁ ତାକୁ ପୂର୍ବେ ପରାସ୍ତ କରିଥିଲେ l କାଳକେତୁ ଏବଂ ମାୟା ତପସ୍ୱୀ ଦୁହେଁ ମିଶି ଏସବୁ ଯୋଜନା କରିଥିଲେ l ମାୟାବୀ ରାକ୍ଷସ ରାଜାଙ୍କୁ ନିଦ୍ରିତ ଅବସ୍ଥାରେ ନେଇ ତାଙ୍କ ରାଜ ପ୍ରାସାଦରେ ପହଞ୍ଚାଇ ଦେଲା l ସେ ପୁଣି ତପସ୍ୱୀଙ୍କୁ ପୁରୋହିତ ରୂପେ ନେଇ ସେଠାରେ ଏକ ଗୁମ୍ଫାରେ ରଖିଦେଲା l

ରାଜା ସକାଳୁ ଉଠି ଦେଖିଲେ ସେ ନିଜ ଭବନରେ ଅଛନ୍ତି l ମାୟା ପୁରୋହିତଙ୍କୁ ଡାକି ସେ ତାଙ୍କ ସହ ବ୍ରାହ୍ମଣ ମାନଙ୍କୁ ଆପ୍ୟାୟିତ କରିବା ବ୍ୟବସ୍ଥା କଲେ l ଏକଲକ୍ଷ ବ୍ରାହ୍ମଣ କୁଟୁମ୍ବଙ୍କ ସହିତ ନିମନ୍ତ୍ରିତ ହୋଇ ଆସିଲେ l ମାୟା ପୁରୋହିତ ଏ ପଟେ ବ୍ରାହ୍ମଣ ମାଂସ ଓ ପଶୁ ମାଂସରେ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି l ପଂକ୍ତି ଭୋଜନରେ ନିମନ୍ତ୍ରିତ ସବୁ ବ୍ରାହ୍ମଣମାନଙ୍କୁ ଭୋଜନ ରାଜା ପରସି ଦେଲେ l 

ଏତିକିବେଳେ କାଳକେତୁ ରାକ୍ଷସର ମାୟା ବଳରେ ଶୂନ୍ୟ ବାଣୀ ଶୁଭିଲା, ହେ ବ୍ରାହ୍ମଣ ମାନେ ! ରାଜା ପରିବେଷଣ କରୁଥିବା ବ୍ୟଞ୍ଜନରେ ପଶୁ ଓ ବ୍ରାହ୍ମଣ ମାଂସ ମିଶିଛି l ଆକାଶବାଣୀ ଶୁଣି ବ୍ରାହ୍ମଣମାନେ ଆସନରୁ ଉଠି ପଡ଼ି କୃଦ୍ଧହୋଇ କହିଲେ, ରେ ମୂର୍ଖ ରାଜା ! ତୁ ଆମମାନଙ୍କୁ ଭ୍ରଷ୍ଟ କରିବାକୁ ଇଚ୍ଛାକଲୁ l ତୁ ପରିବାର ସହ ଭ୍ରଷ୍ଟ ହୋଇ ଯାଆ l ତୋ କୂଳରେ ପାଣି ଦେବା ପାଇଁ କେହି ନ ରହନ୍ତୁ l

ରାଜା କାତର ହୋଇ ବ୍ରାହ୍ମଣ ମାନଙ୍କୁ ଯୋଡ଼ ହସ୍ତରେ ପ୍ରାର୍ଥନା କରୁଛନ୍ତି ଏହି ସମୟରେ ପୁଣି ଶୂନ୍ୟବାଣୀ ହେଲା, ହେ ବ୍ରାହ୍ମଣମାନେ ! ରାଜାଙ୍କର କିଚ୍ଛି ଦୋଷ ନାହିଁ l ତୁମେ ବିନାଦୋଷରେ ତାଙ୍କୁ ଶାପ ଦେଇଛ l ରାଜା ଆଶ୍ଚର୍ଯ୍ୟହୋଇ ଯାଇ ପାକ ଶାଳାରେ ପହଞ୍ଚି ଦେଖନ୍ତି ତ, ସେଠାରେ ବ୍ୟଞ୍ଜନ ନାହିଁ, କି ବ୍ୟଞ୍ଜନ ପ୍ରସ୍ତୁତକାରୀ ପୁରୋହିତ ନାହାଁନ୍ତି l ବ୍ରାହ୍ମଣ ମାନଙ୍କୁ ରାଜା ସମସ୍ତ ଘଟଣା କହିଲେ l ବ୍ରାହ୍ମଣଙ୍କ ଅଭିଶାପ କିନ୍ତୁ ଆଉ ଅନ୍ୟଥା ଯିବାର ନଥିଲା l

ଏହି ସମୟରେ କାଳକେତୁ ଓ ଛଦ୍ମ ତପସ୍ୱୀ ବେଶ ଧାରୀ ରାଜା ପ୍ରତାପଭାନୁଙ୍କ ନଗରଉପରେ ଭୀଷଣ ଆକ୍ରମଣ ଆରମ୍ଭ କରି ଦେଲେ l ତୁମୁଳ ଯୁଦ୍ଧ ହେଲା ଓ ଯୁଦ୍ଧରେ ରାଜା, ପ୍ରତାପଭାନୁ ସକୁଟୁମ୍ବେ ନିପାତ ହେଲେ l କୂଳରେ ଆଉ କେହି ରହିଲେନାହିଁ l

ପରେ ସେହି ରାଜା ପ୍ରତାପଭାନୁ ରାବଣ ରୂପେ ଜନ୍ମ ହେଲେ, ଭାଇ ଅରିମର୍ଦ୍ଦନ ହେଲେ କୁମ୍ଭକର୍ଣ୍ଣ l ତାଙ୍କ ପରିବାରର ସମସ୍ତେ ଦଶାନନର ପରିବାରରେ ଜନ୍ମ ହେଲେ,ମନ୍ତ୍ରୀ ଧର୍ମରୁଚି ହେଲେ ବିଭୀଷଣ l

ଶ୍ରୀରାମଚରିତ ମାନସରେ ରାବଣର ଏହି କାହାଣୀ ମହର୍ଷି ଯାଜ୍ଞବଲକ୍ୟ ଭରଦ୍ୱାଜଙ୍କୁ ଶୁଣାଇ କହିଲେ, ବିଧାତା ଯାହାକୁ ବାମ ହୁଏ ତାପାଇଁ ଧୂଳିମଧ୍ୟ ମେରୁ ସମାନ ହୋଇଯାଏ l ପିତା ଯମ ସମାନ ଭୟଙ୍କର ହୋଇ ଯାଆନ୍ତି ଓ ଦଉଡ଼ି ମଧ୍ୟ ସର୍ପସମାନ ହୋଇ ଯାଏ l


Rate this content
Log in

Similar oriya story from Inspirational