STORYMIRROR

Pratima Das

Classics Inspirational

3  

Pratima Das

Classics Inspirational

ପ୍ୟାକିଂ ପ୍ରେମ

ପ୍ୟାକିଂ ପ୍ରେମ

4 mins
235



ସକାଳ ସାଢ଼େ ଆଠଟା। ଗାଁର ସକାଳ ସାଢ଼େ ଆଠ ମାନେ ଅଧାଦିନ।ଚଞ୍ଚଳ ଭୋରୁ ଉଠିବା ଗ୍ରାମ୍ୟ ଚଳଣୀ। ମୁଁ ପଖାଳ ଖାଇବାକୁ ଦୁଇ ତିନି ପ୍ରକାର ନଗେଇଖିଆ କରିସାରି,ଶାନ୍ତିରେ ଚା'ଟା ପିଉଥିଲି।

ହଇରେ କୃଷ୍ଣ!

ତୋତେ ଆଉ ପାରିହେବନି।କେତେକରି କହୁଛି ସାର୍ଟପେଣ୍ଟ ହକାଳିବାକୁ ଦେଲାବେଳେ,ସାର୍ଟପେଣ୍ଟକୁ ଓଲଟାଇପାଲଟାଇ କରି ଦେଖିବୁ।କାମିଜର ଚୋରାମୁଣିକୁ ଓଲଟାଇ ଝାଡିଦେବୁ।ହେଲେ ତୁ କ'ଣ ଶୁଣୁଛୁ!ଅଇଖା ମୁଁ ନଦେଖି ଥିଲେ,ଏ ପଚାଶ ଟଙ୍କାଟି ପାଣିରେ ବତୁରି ଯାଇଥାନ୍ତା।ବତୁରାଚିରା ଟଙ୍କାଟି କୋଉ ଖର୍ଚ୍ଚକୁ ଆସି ନଥାନ୍ତା। ବଡ଼ ଚାକିରି କରିଛୁ ବୋଲି କଣ ମା ମହାଲକ୍ଷ୍ମୀଙ୍କର ହତାଦାର କରିବୁ ? ମା ମହାଲକ୍ଷ୍ମୀଙ୍କୁ ଦଣ୍ଡେ ଲାଗେନିରେ ପୁଅ,ଲକ୍ଷ୍ମୀମନ୍ତିଆଙ୍କୁ ଲକ୍ଷ୍ମୀଛଡା କରିବାକୁ।ହୁସିଆରୀ।ଗଣ୍ଡାଏ ପାଞ୍ଚଟା ପାଞ୍ଚଟଙ୍କିଆ ପଇସାବି ପଡ଼ିଛି , ଅବଶ୍ୟ ସେଗୁଡ଼ାକ ବତୁରିବନି।ଏଇଠି ସବୁ ପଇସାତକ ଏକାଠି କରି ରଖିଲି।

ଦେଖି,ରଖିଦେବୁ।ହେଲା.... !

ନାଲୋ ବୋଉ ସେ ପଇସା ତୋ କରାଟରେ ତୁ ରଖିଦେ। ଏଠି ସେଠି ଜମା ଥୁଅନା।

ପ୍ରାୟଦିନ ସକାଳେ ଏହି କଥା ମୁଁ ଶୁଣେ। ସ୍ବାମୀ ଯେଉଁ ଅଫିସ ଛୁଟିଦିନତକ ଘରେ ଥାନ୍ତି।ମୋର ଅଭ୍ୟାସ ହୋଇଗଲାଣି ଏପରି ଶୁଣିବା। ମୁଣ୍ଡ ଖେଳାଏନି, ତାଙ୍କ ମାପୁଅଙ୍କ କଥାରେ। ଗାଧୁଆପର ଶୁଚିକାମରେ ମୁଁ ବ୍ୟସ୍ତ ରହିଗଲେ, ଅଗାଧୁଆ କାମ, ଯେପରିକି ସ୍ବାମୀଙ୍କ ପ୍ୟାଣ୍ଟ୍ ସାର୍ଟ ସଫା କରିବା,କି ଆମ ଶୋଇବା ଘରଟିକୁ ଓଳାପଳା କରିବା ବା ଆଉକିଛି ବାସିପାଇଟି କରିପାରେନି।ମୁଁ ଉଠିଲା ବେଳକୁ ସ୍ବାମୀ ଶୋଇଥାନ୍ତି,ଫ୍ୟାନ ବନ୍ଦକରି ଶୋଇବା ବଖରାଟିବି ଝାଡି ହୁଏନି।

ତେଣୁ ଶାଶୁ କୁହନ୍ତି ଦେ ଯା ,ଯାହା ବାସିପାଇଟି ପଡ଼ିଲା ପଡ଼ିଥାଉ। ତାକୁ ମୁଁ କରିଦେବି। ତୁ ଗାଧୁଆ ପାଧୁଆ ସାରିଲୁଣି, ଆଉ ଏହି ଅସନା ବାସି କାମକୁ ଛୁଆଁ ଛୁଇଁ କରନା। ଦେଇ ପିଣ୍ଡି,ରୋଷେଇଘର ,ତୋ ଖିଆପିଆ କାମକରେ। ଦୁନିଆଁର ଶତକଡ଼ା ନବେ ଭାଗ ଶାଶୁ ବୋହୁକୁ ଭଲପାଆନ୍ତି ନାହିଁ, ମୁଁ ବୋଧେ କପାଳିଆଟେ। ମୋ ଶାଶୁ ଭଲ । ଅଲିଖିତ ଭାବେ,କେଡେ ସୁନ୍ଦର କାମ ବଣ୍ଟା ହୋଇ ଯାଇଥାଏ,ନିଜ ନିଜ ସକ୍ଷମତା ଆଉ ସମୟ ସୁବିଧା ଅନୁସାରେ,ଶାଶୁ ଆଉ ମୋ ଭିତରେ।

ଦିନେ ଶୋଇବା ଘରୁ ଟିକେ ଗୋଳ ଶୁଭିଲା । ମୁଁ କାନ ପାରିଲି।ପଚାଶ,କୋଡ଼ିଏ ନୋଟ ଭୁଲିଯାଇ ,ପକେଟରେ ରଖିଦେଉଥିଲୁ ଅଲଗା କଥା। ଶହେ ଦୁଇଶ ନୋଟ କଣ ଭୁଲିଯାଉଛୁ ପକେଟରେ। ଅଇଖା ନଦେଖି ସର୍ଫରେ ବୁଡାଇ ଦେଇଥାନ୍ତି ଯଦି,କଣ ହୋଇଥାନ୍ତା ସେ ଟଙ୍କା ଦୁଇଶ। କଣ ଲକ୍ଷ୍ମୀ ଛଡ଼ା ହେବୁକିରେ କୃଷ୍ଣ !

ନାଲୋ ବୋଉ! ଭୁଲରେ ରହିଯାଇଛି ଏତେ ଟଙ୍କା।ରଖିଦେ ସେ ଟଙ୍କା ତୋ ପାଖେ , କାହିଁକି ଏମିତି ହେଉଛୁ।

ହେଉ ହେଲା ରଖିଲି।ଆଉ ଥରକୁ ଏମିତି କରିବୁନି କହି ଶାଶୁ ସ୍ବାମୀଙ୍କ ପେଣ୍ଟସାର୍ଟ ଧରି କଳମୂଳକୁ ଚାଲିଗଲେ ସଫା କରିବାକୁ।

ମୁଁ ଶୋଇବା ଘରକୁ ଯାଇ ସ୍ବାମୀଙ୍କି କହିଲି, କାହିଁକି ସବୁବେଳେ ଏମିତି ବେହୁସିଆର ହେଉଛ? ସବୁବେଳେ ବୋଉ ଚିଡୁଛନ୍ତି। ଟଙ୍କା କାଢି ରଖିଦେଇ ପ୍ୟାଣ୍ଟ୍ ସାର୍ଟ୍ ସଫା କରିବାକୁ ଦେଉନ। ସ୍ବାମୀ କହିଲେ ତୁମେ ଟିକେ କଳମୂଳକୁ କାନ ପାର। ବୋଉ କା'ସହ କଥା ହେଉଛି ଦେଖ।

ଆମ ଶୋଇବା ଘର ଝରକାଦେଇ ବାଡ଼ିର ନଳକଳଟି ଦେଖାଯାଏ। ମୁଁ କାନ ପାରିଲି।

ପଡିଶାଘର ବଡମା କହୁଥିଲେ, କୃଷ୍ଣ ବୋଉ ଆଜିକଣ ଏତେବେଳ କଲୁଣି ଗାଧୋଇବାକୁ? ପଖାଳ ଖାଇବୁ କେତେ ବେଳେ?

ନାମ ନାନୀ ! ପୁଅର ଗନ୍ତାକାମିଜ ସଫା କରୁଥିଲିତ ଡେରି ହେଲାଣି। ଗାଧୋଇ ସାରି ଗଲେ ତ ଖାଲି ଲୁଗାଟା ବଦଳି ଖାଇବି।

କାହିଁ ତୋ ବୋହୂ କଣ ଲୁଗାପଟା ଦିଖଣ୍ଡ ସଫା କରି ପାରୁନି ଯେ ତୁ ସଫାଟପା କାମଗୁଡା କରୁଛୁ? ସେ କଣ କରୁଛି ବା!ତୋ ଉପରକୁ କାମଆସୁଛି। 

ସେମିତି କୁହନି ନାନୀ।ମୋ ବୋହୂ ଲକ୍ଷରେ ଗୋଟେ।

ସାରା ଘରଟାର ଦାୟିତ୍ଵ ନେଇ ତ କାମ କରୁଛି। ପୁଅଟା ଏଇ ଶୁକ୍ରବାର ରାତିକି ଆସି ସୋମବାର ସକାଳୁ ସକାଳୁ ପୁଣି ଭୁବନେଶ୍ୱର ତା'ଚାକିରି ଯାଗାକୁ ବାହାରିଯିବ। ଘରକୁ ପଶୁ ପଶୁ ଲକ୍ଷେ ଫରମାଇସ କରିବ ଖାଇବାକୁ।ବୋଉଲୋ ଇଲିଶ୍ ଖାଇବି, ମଟନ ଚିକେନ ଖାଇବି,ବିରି ଦାନ୍ତୁରିଖାଇବି,ଛୁଞ୍ଚିପତର ଖାଇବି ,ଚୂନାମାଛ ପତ୍ରପୋଡା ଖାଇବି,ଘାଣ୍ଟ ଶାଗ ଖାଇବି ।ନାନାଦି ପ୍ରକାର ଫରମାଇସି କରି ବୋହୂଟାକୁ ହଇରାଣ କରୁଛି। ପୁଅ ପାଇଁ ବୋହୁ ଘାଣ୍ଟି ହୋଇ କାମକଲା ବେଳେ ମୁଁ କଣ ଆଉ ବସିବି!!

ମୋ ହାତରେ ଯାହା ଯେତିକି ହୁଏ କରିକୁରାକି ବୋହୂକୁ ଯୋଗାଇ ଦିଏ।ଶାଶୁଟିଏ ହୋଇ ବାସି ପାଇଟି କାମ ଗୁଡା ବୋହୂ ହାତରୁ ନଛଡାଇଲେ ବୋହୂଟି ଛୁଆଟେ, କେତେ କାମ କରିବ?

ଅଇଖା ଆମେ ତାକୁ ଝିଅଭଳି ଦେଖି ସେବା ଦେଲେ ସିନା ସେ ଆମ ଅଚଳ ବେଳେ ସେବାଦେବ ଆମକୁ। ଆଉ ନାନୀ ଏଇ ଯେଉଁ ପୁଅର ଲୁଗା କାଚିବା କଥା କହୁଛ।

ମୋ ପୁଅକଣ ମୋ ମୂଲ ପଇସା ଲାଗେ। ହଁ, ମା ହୋଇ ମୂଳକଥା ଉଠାଇବା ଠିକ ନୁହେଁ ଯେ ହେଲେ ଯେବେ କୃଷ୍ଣର ପ୍ୟାଣ୍ଟସାର୍ଟ୍ ସଫାକରେ । ତା'କାମିଜରୁ ଟଙ୍କା ପଇସା ବାହାରେ।ବୋଉ ସେଗୁଡା ତୋ କରାଟରେ ରଖିଦେ କହିବ।ମୋର ନଟା ନା ଛଟା। ସେହିତ ଗୋଟିଏ। ମୁଁ ବି ବାକ୍ସଟିଏ କରି, ସେ ଟଙ୍କା ଗଳାଇ ଦିଏ ତା ନାଁ ରେ। ସବୁ ତ ମୋ ପାଇଁ ଖଞ୍ଜିଛି।

ମୋର ବା ଆଉ ଟଙ୍କାପଇସା କଣ ଦରକାର?

ମୋ କାବା ହୋଇ କଳମୁଳୁ ବୋଉଙ୍କ କଥା ଶୁଣୁଥିଲି। ସ୍ବାମୀ ମୃଦୁ ହସି ମାତୃ ପ୍ରେମର ଝଲକ ମୁହଁରେ ଖେଳାଇ ବୋଉହାତ ସଫା କାମିଜଟିଏ ଗଳାଇ ମୋତେ ଟାଣିନେଇ ପାଖରେ ବସାଇଲେ।

କହିଲେ ରୁନା ପ୍ରେମ ଏକ ଦୁର୍ମୂଲ୍ୟ ଚିଜ କି ନାହିଁ କହିଲ? ମୋ ହଁ ନାଁ ର ଉତ୍ତରକୁ ଅପେକ୍ଷା ନକରି ପୁଣି କହିଲେ ଏହି ପ୍ରେମ ଯାହାକୁ ଦେବ ହୃଦୟର ସହ, ଭାବର ପ୍ୟାକେଟ ଭିତରେ ପ୍ୟାକ କରିଦେବ। ସାମାନ୍ୟ ଉପହାରକୁ ଆମେ ରଙ୍ଗୀନ କାଗଜରେ ଗୁଡ଼େଇ ସୁନ୍ଦର ଭାବେ ପ୍ୟାକକରି ଜଣକୁ ଦେଉଛେ କି ନାହିଁ? ଆଉ ଭଲପାଇବା ପରି ସୁନ୍ଦର ଉପହାରଟିକୁ ବିନା ଭାବରେ ପ୍ୟାକ ନକରି ବୋଉକୁ ସିଧା କେମିତି ଦେବି? ବୋଉ ନେ ଏ ଟଙ୍କା କଣ ଖର୍ଚ୍ଚ କରିବୁ କହିଲେ ସେ ଭଲ ପ୍ରତିକ୍ରିୟା ଦେଖାଇ ନପାରେ। ନେବ ଯେ,ସେହି ଦେବାରେ ଭାବଟା ଏତେ ରହିବନି। ଏମିତିରେ ପୁଅ ହୋଇ ତାକୁ ହାତଟେକି ଦେବାକୁ ମୋତେ ଠିକ ଲାଗେନି। ମୁଁ ଜାଣିଶୁଣି ଟଙ୍କା ସାର୍ଟ ପକେଟରେ ଛାଡ଼ିଦେଇ ଏପରି ଏକ ଭାବ ଭିତରେ ବୋଉ ହାତକୁ ପଇସାଟା ପଠାଏ। ତାପାଖରେ ଯେତେ ଟଙ୍କା ଥିଲେବି,ଏ ଟଙ୍କା ତାକୁ ଅଲଗା ଆନନ୍ଦ ଦେବ। ବାପା ହଷ୍ଟେଲଗଲା ବେଳକୁ ଯାହା ଦେଇଥାନ୍ତି ତା ବାଦେ ବୋଉ ପଚାଶ ଶହେ ନୁଚାଇ ଦେଇଥାଏ। ବୋଉଦିଆ ଟଙ୍କାଟି ମୋତେ ରଙ୍କ ରଙ୍କ ଲାଗେ। ଦେଖ ରୁନା ବୋଉ କେତେ ଖୁସି । ଘରତ ତୁମେ ଚଳାଉଛ। ବୋଉ ତୁମକୁ ସବୁ ସଅଁପି ଦେଇଛି। କାଳେ ନିଜ ଇଚ୍ଛାରେ ଛୋଟମୋଟ ଖର୍ଚ୍ଚଟେ କେବେ କିଛି କରିବ ମୋ ବୋଉ। ଏହା ମୁଁ ଭାବି ଏପରି କରେ।ବୋଉ କହିବା ଯାଏଁ ,ମାଗିବା ଯାଏଁ କାହିଁକି ଯିବ କହିଲ? ମୋ ଆଖି ଲୁହ ଛଳଛଳ ହୋଇ ଉଠିଲା, ପ୍ରେମର ଏପରି ଏକ ନୂତନ ଅଧ୍ୟାୟ ପଢ଼ି।

         


Rate this content
Log in

Similar oriya story from Classics