Satyabati Swain

Inspirational

3  

Satyabati Swain

Inspirational

ପୂଜାରିଣୀ

ପୂଜାରିଣୀ

4 mins
45


ଏକସ୍ତରୀ ବର୍ଷର ବୃଦ୍ଧ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ନିବାସ ସାର୍ ମୁଁ । ଛାତ୍ର ମାନେ କେବେ କେଉଁଠି ଦେଖିଲେ ସାର୍ କହି ନମସ୍କାରଟିଏ ହୁଅନ୍ତି । ନଚେତ୍ ଘରେ, ସାଇ ଭାଇ,ବନ୍ଧୁ ବର୍ଗ ଆମ ବୁଢା, ବୁଢ଼ାଟା,ବୁଢା ମଣିଷ ବୋଲି କଥା କଥାକେ କୁହନ୍ତି । ହଁ ବୁଢା ବୟସ ହେଲା କୁହନ୍ତୁ,କଣ ଯାଉଛି ସେଥିରେ । ବେଶୀ ବାଧେ ମୋ ପୁଅ ଯେତେବେଳେ କୁହେ ବୁଢା ଟିଏ ହେଲଣି ବୁଦ୍ଧି ସୁଦ୍ଧି ହେଉନି । ଏ ବୟସରେ ଗର୍ଜିଅସ୍ ଖାଦ୍ୟ ସିନା ହଜମ ହୁଏନି; ହୁଏ କିନ୍ତୁ ପୁଅ ବୋହୂଙ୍କ ଏ ସବୁ କଥା ସହଜରେ ହଜମ ।


କଷ୍ଟ ହେଲେ ମନେ ପଡେ ଅରୁ ,ଅରୁନ୍ଧତୀ ମୋ ସ୍ତ୍ରୀ । ସ୍ତ୍ରୀ କ'ଣ; ମୋର ଗୋଟିଏ ବଡ଼ ସାଙ୍ଗ । ସେ ମୋ ଜୀବନରେ ଆସିଲା ଦିନୁ ଦୁଃଖ କଣ ଜାଣି ନଥିଲି । ମାସକୁ ମାସ ଦରମା ଗଣ୍ଡାକ ଧରାଇ ଦିଏ । ମୁହଁ ଖୋଲି କେଉଁ ଦିନ କହିନାହିଁ ତାର କିଛି ବି ଦରକାର ଅଛି । ମୋ ବାପା ମା'ଙ୍କୁ ମୁଣ୍ଡରେ ମୁଣ୍ଢେଇ ଥିଲା । ସେ କେବେ ଠାକୁର ପୂଜେ ନାହିଁ । ମୁଁ ଦିନେ କହିଲି ଦିନ ରାତି ଟିଉସନ କରୁଛି । ସେଥିରେ ପୁଣି ସରକାରୀ କଲେଜରେ ଅଧ୍ୟାପକ । ଆମକୁ ଅଣ୍ଟୁ ନାହିଁ କାହିଁକି କହିଲୁ?ତୁ ଠାକୁର ଫାକୁର ପୁଜୁ ନାହୁଁ ; ସେଥିପାଇଁ ଏମିତି ହେଉଛି କି?


ବାପାଙ୍କୁ ଗରମ ପାଣିରେ ଗାଧୋଇ ଦେଇ ପୋଛୁ ପୋଛୁ ହସି ଦେଇ ଅରୁ କହିଲା,ହେଉଥିବ । ତୁମେ ପୂଜୁନ । ମୋର ଠାକୁର ପୁଜିବା ଦରକାର ନାହିଁ ।


ଦିନେ ଗୁଡୁ ପୁଡୁ ହୋଇ ଜ୍ୟୋତିଷ ପାଖକୁ ଗଲି । ମୋ ସ୍ତ୍ରୀ ଘରେ ଠାକୁର ରଖି ପୁଜୁନାହିଁ ବୋଲି ଆଗ ତୁରା ଜଣେଇଁ ପଚାରିଲି ଯେତେ ରୋଜଗାର କଲେ ଅଣ୍ଟୁ ନାହିଁ କାହିଁକି ଆଜ୍ଞା?ଜ୍ୟୋତିଷ ଗୋଟେ ବିଚିତ୍ର ହସ ହସି କହିଲେ ତୁମ ସ୍ତ୍ରୀଟା ଅଲକ୍ଷଣୀ ଟିଏ । ଠାକୁର ପୂଜୁନାହିଁ । ରୋଜଗାର ଉଅ ଦିଅନ୍ତା କି? ଭଲ ରକମ ମୋଠାରୁ ଝଡେଇଲେ ଜ୍ୟୋତିଷ ମହାଶୟ । ଡେଉଁରିଆଟିଏ ଦେଲେ । ଠାକୁରଙ୍କ ଫୋଟୋ ଟିଏ ବି କିଣି ଆଣିଲି ତାଙ୍କ ଠାରୁ ।


ଅରୁ କୁ ଆଦେଶ ଦେବା ଭଙ୍ଗୀରେ କହିଲି ତୁ ଏଇଟା ଆଗ ଗାଧୋଇ ପାଧୋଇ ପୂଜିବୁ । ଆଉ ନେ ଏ ଡେଉଁରିଆଟା ପିନ୍ଧିନେ । ସେ ମୋ ବୋଉକୁ ଭାତ ଡାଲି ଚକଟି ଖୁଆଇ ଦେଉ ଦେଉ କହିଲା, ଯଦି ନ ମାନେ ମୋତେ ଘରୁ ବାହାର କରିଦେବ, ହସି ହସି କଥାଟିକୁ ଉଡାଇଦେଲା । ମୁଁ ମୁହଁ ଫଣ ଫଣ କରି ବାହାରି ଗଲି ନ ଖାଇ ନ ପିଇ ।


ଘରକୁ ଫେରିଲା ବେଳକୁ ବାପା ମୋ ଉପରେ ଖଡ୍ଗ ହସ୍ତ । କେତେ ଖଟୁଛି ବୋହୂଟା । ଉପାସ ପକେଇଛୁ ଆଜି । ମୋ ବୋଉ ପାରାଲିସିସ୍ ରୋଗୀ; ହାତ ଗୋଡ଼ ଅଚଳ । ବେଡ୍ ରେ ଝାଡା ପରିସ୍ରା । କାନ୍ଦି କାନ୍ଦି କହିଲା ନିବା! କାହିଁକି ବୋହୂଟାକୁ କଷ୍ଟ ଦେଉଛୁ?ତୁ ସକାଳୁ ବହାରିଯାଉଛୁ । କେବେ ଭାବିଛୁ ଅରୁ ଆମ ଅଚଳ ବୁଢା ବୁଢ଼ୀଙ୍କ ସେବା କରୁ କରୁ ସେ ନିଜ ଖାଇବା ଭୁଲି ଯାଏ ବୋଲି? ସେଥିରେ ତାକୁ ଉପାସ ରଖୁଛୁ?


ମୋ ଉପାସ କାହା ଆଖିକୁ ଦେଖା ଯାଉ ନଥିଲା । ଖାଲି ଅରୁ ଉପାସ ଦେଖା ଯାଉଥିଲା । ଆହୁରି ରାଗି ଗଲି । ଥରେ ଦି ଥର ଖାଇ ଉଠିଗଲି । ହୁଁ ଗୋଟିଏ ପୁଅ ଓ ଝିଅରେ ବି ଅରୁ ବୁଢ଼ୀ ହୋଇ ଯାଇଛି । ଦୁଇ ବର୍ଷ ହେବ ଅନେଇଁ ଅନେଇଁ କର ଲେଉଟାଇ ଶୋଇ ପଡିବି ପଛେ ଠାକୁରାଣୀଙ୍କ ଦର୍ଶନ ନଥିବ । ଉଠି ଖୋଜିଲା ବେଳକୁ ବି ନଥିବ । ସନ୍ୟାସୀ ମନରେ, ଧନରେ କରିସାରିଲାଣି ମୋତେ । ଭଲେଇ ଦେଖାଉଛି । ପୁଅ ଝିଅ ଦିଟା ହଷ୍ଟେଲରେ । କ'ଣ କରୁଛି ଦିନ ସାରା?


ଆଜି ତାର ଦିନକୁ ମୋର ଦିନେ । ମୁଁ ସେଦିନ ନ ଶୋଇ ଅନାଇଁ ଥାଏ । ବାରଟା ବେଳକୁ ରାଣୀ ମା ଆସିଲେ । ଥିରି କି ମଶାରୀ ଟେକି ପଶିଲେ । ଖାପୁକୁ କିନା ହାତ ଧରି ପକେଇ କହିଲି, ଚୋର ପରି କଣ ପଶୁଛୁ? ସବୁବେଳେ ହସୁଥିବ ସେ । ହସି ହସି କହିଲା ଚୋର! ମୁଁ; ନା ତୁମେ । ସବୁ ତ ମୋର ଚୋରେଇ ନେଇ ସାରିଛ । ଓଲଟି ଚୋର ମୁଁ । କାଳେ ତୁମ ନିଦ ଭାଙ୍ଗି ଯିବ ବୋଲି ଏମିତି ସବୁ ଦିନେ ପଶେ । ମୁଁ ରାଗିକି କହିଲି ରଖ ତୋ ପଲିସି କଥା । ତୁ ଆସିବା ପନ୍ଦର ବର୍ଷ ଭିତରେ କେତେ କମେଇଁଲେଣି? କାହିଁକି ଅଣ୍ଟୁ ନାହିଁ?


ସେ କମ୍ପ୍ୟୁଟର ପରି ହିସାବ ଦେଇଦେଲା ମୋ ଭାଇ ଭଉଣୀ ପଢ଼ାରେ ଖର୍ଚ୍ଚ,ତାଙ୍କ ବାହା ଘର ଖର୍ଚ୍ଚ,ବନ୍ଧୁ ବାନ୍ଧବ ପାଇଁ ଖର୍ଚ୍ଚ,ପିଲା ମାନଙ୍କ ଜନ୍ମଠାରୁ ପଢା ଖର୍ଚ୍ଚ,ଦୁଇ ବର୍ଷ ହେଲା ବାପାଙ୍କ ହାର୍ଟ ଅପେରେସନ୍ ଖର୍ଚ୍ଚ,ବୋଉର ପରାଲିସିସ ଖର୍ଚ୍ଚ ଯାଇ ମୋ ରୋଜଗାର ଅପେକ୍ଷା ବାର ହଜାର ନିଅଣ୍ଟ ହେଲା । ସେଇଟି ସେ ତା ଭାଇଭାଉଜ ଦେବା ସାବିତ୍ରୀ ଓ ରାକ୍ଷୀ ବାବଦକୁ ପଇସା ବୋଲି କହିଲା । ଆହୁରି ବି କହିଲା ଠାକୁର ସେ ପ୍ରତିଦିନ ଭକ୍ତିରେ ପୁଜୁଛି ମୋ ଆଖିରେ ପଡୁ ନାହିଁ ଯାହା ।


କାଳେ ମୋ ରୋଜଗାର ଅରୁ ତା ବାପ ଘରକୁ ଦେଇଦେଉଥିବ ଭାବି ତା ଅଜାଣତେ ଟିପିକି ରଖେ ସନ୍ଦେହି ସ୍ୱାମୀ ପରି । କିନ୍ତୁ ମେଳ ଖୁଆଇ ନଥିଲି ରିଜଗାର ଖର୍ଚ୍ଚ । ଏବୁ ତାପରଦିନ ଖାତା ବାହାର କରି ବସି ଗଲି ପନ୍ଦର ବର୍ଷ ହିସାବକରି । କଷି କି ଦେଖିଲି ପୁରା ମେଳ ଖାଉଛି ଅରୁ ହିସାବ ସହ । ସେଦିନ କୁଆଡେ ନ ଯାଇ ଅରୁ ଅଲକ୍ଷରେ ଦେଖିଲି ସେ କେମିତି କେଉଁ ଠାକୁର ପୁଜୁଛି । ସକାଳୁ ଉଠି ସେ କେବଳ ମୋ ବାପା ବୋଉଙ୍କ କାମରେ ଲାଗିଛି । ଠିଆ ଠିଆ ଚା ପିଉଛି । କାଉ ପରି ଗାଧୋଉଛି । ମୁଁ ଅଛି ବୋଲି ଛଅ ତିଅଣ ନଅ ଭଜା ପୁଣି ମୋ ପସନ୍ଦର ବି କରୁଛି ।


ସେଦିନ ନିଜକୁ ଛୋଟ ମଣିଲି । ସତକଥା ସେ ମୋରି ବାପା ମା ଠାକୁର ପୁଜୁଛି ମୁଁ ନ ଜାଣି ଦୋଷ ଦେଉଛି ଭାବି ଅପରାଧୀ ଲାଗିଲା । ସେଇ ଦିନଠାରୁ ତା ହାତରୁ ମୁଁ କାମ ଉଶ୍ୱାସ କରିବାକୁ ଚେଷ୍ଟାକଲି,ଯଦିଓ ମୁଁ ଠାକୁର ଅର୍ଥାତ ମୋ ବାପା ବୋଉଙ୍କ ପୁଜିବାକୁ ଗଲାବେଳକୁ ସେମାନେ ମୋ ଅପେକ୍ଷା ଅରୁ କୁ ଡାକେ,ଅରୁ ଉପରେ ତାଙ୍କ ଖୁସି ଅଧିକ ଅନୁଭବ କଲି ।


ସେ ଠାକୁର ଚାଲିଗଲେ ଆଗ ପଛ ହୋଇ ଓ ସେ ପୂଜାରିଣୀ ଅରୁ ବି ତାଙ୍କୁ ସ୍ଵର୍ଗରେ ପୂଜା କରିବ ବୋଲି ତାଙ୍କ ପଛେ ପଛେ ଚାଲିଗଲା । ଝିଅଟି ବାହା ହୋଇ ବାହାରେ । ମୁଁ ନରାଧମ ରହିଗଲି ଏଇଠି । ଯିବା ପୂର୍ବରୁ ଅରୁ ଘର ବି କରିଦେଇ ଯାଉଥିଲା ଛଅ ନମ୍ବର ଭୁବନେଶ୍ୱରରେ ।


ଦିର୍ଘଶ୍ଵାସ ଟିଏ ବାହାରି ଆସିଲା ନିବାସଙ୍କୁ ଅରୁ ମୟ କରି । ଫୋଟୋ ହୋଇ ଝୁଲୁଥିବା ଅରୁକୁ ଚାହିଁ ନିଗୁଡି ପଡିଲା ଲୁହ କେଇ ବୁନ୍ଦା । ବୁଢା ଟା ଥଣ୍ଡା କାଶ ସବୁବେଳେ ବୋଲି ପୁଅ ବୋହୂଙ୍କ ଠାରୁ ଏକଘରିକିଆ ହୋଇ ରହିଛନ୍ତି ନିଜେ ନିଜେ ଶ୍ରୀ ନିବାସ ସାର୍ । ଏ ସମୟେ ବେଶୀ ମନେ ପଡୁଛି ତାଙ୍କ ଅରୁ ପୂଜାରିଣୀ କଥା ।


Rate this content
Log in

Similar oriya story from Inspirational