KRUTIBAS NAYAK

Tragedy Crime Inspirational

4  

KRUTIBAS NAYAK

Tragedy Crime Inspirational

ପୁତ୍ରଲାଭ

ପୁତ୍ରଲାଭ

11 mins
267



କମଳେଶଙ୍କର ମାନସିକ ସ୍ଥିତି ପରୀକ୍ଷା କରୁଥିଲେ ଡ଼କ୍ଟର ମିଶ୍ର । ମାନେ ମାନେ କହିଲେ -'ଆଶ୍ଚର୍ଯ୍ୟର କଥା , କମଲେଶ ଅତ୍ୟନ୍ତ ପ୍ରଫୁଲ ଦିଶୁଛନ୍ତି । କଥାବାର୍ତ୍ତା ବି ନର୍ମାଲ । ତେବେ କ'ଣ ସେ ଜାଣି ନାହାନ୍ତି ଯେ, ଏଇଟା ହେଉଛି , ତାଙ୍କର ଲାଷ୍ଟ ଷ୍ଟେଜ । ଅତି ବେଶୀରେ ଆଉ ମାତ୍ର ଦିନ କେଇଟା ।

-ତାଙ୍କ ପରିବାର ଲୋକଏନ ବରଂ ଠିକ କରିଛନ୍ତି । ରୋଗୀକୁ ତା'ର ଭୟାବହତା ସମ୍ପର୍କରେ ଜଣାଇ ଅଧିକ ଆତଙ୍କିତ କରିବାର ମୂଲ୍ୟ କିଛି ନାହିଁ । ଯେତିକି ଦିନ ସେ ବଞ୍ଚିବେ , ଆନନ୍ଦରେ ବଞ୍ଚନ୍ତୁ ; ଏତିକି ତ ଆମେ ଚାହୁଁ ।'


କମଲେଶ ବିଛଣାରୁ ଉଠି ବସିଲେ । ନର୍ସ ଗୋଟିଏ ସିରିଞ୍ଜ ପ୍ରସ୍ତୁତ କରୁଥିଲେ ଇଂଜେକସନ ପାଇଁ । ବେଶ ନିର୍ଭୟରେ ସେ ହାତ ବଢ଼େଇ ଦେଲେ । ଡାକ୍ତରବାବୁ ପଚାରିଲେ -"କ'ଣ କମଲେଶ୍ୱବାବୁ । ଟିକେ ଭଲ ଲାଗୁଛି ତ ? ମ୍ୟାଡମ୍ କୁଆଡେ ଗଲେ ? ଆପଣଙ୍କର ଆଉ ଗୋଟିଏ ପରୀକ୍ଷା ହେବ । ଏ'ପ୍ରେସକ୍ରିପସନଟି ରଖନ୍ତୁ । ଆଉ କେହି ଆସିଲେ , ତାଙ୍କ ହାତରେ ଏ'ମେଡ଼ିସିନଗୁଡିକୁ ମଗେଇ ଆଣି ପାଖରେ ରଖିଥିବେ ।"

ଡାକ୍ତରବାବୁ କାଗଜ ଖଣ୍ଡକ ବଢ଼େଇ ଦେଇ ଚାଲିଯିବାକୁ ବାହାରିଥିଲେ । କମଲେଶ ନରମ ଗଳାରେ କହିଲେ - "ସାର ! ମୋର ଗୋଟିଏ ଅନୁରୋଧ ରକ୍ଷା କରି ପାରିବେ ।"

-"ନିଶ୍ଚୟ କ'ଣ କହନ୍ତୁ ?"

-"ସାର ! ମୋର ସ୍ତ୍ରୀ ସନ୍ଧ୍ୟା ବର୍ତ୍ତମାନ ମନ୍ଦିରକୁ ଯାଇଥିବ । ଠାକୁରଙ୍କୁ ପ୍ରାର୍ଥନା କରୁଥିବ । ମୁଁ କେମିତି ଶୀଘ୍ର ଆରୋଗ୍ୟ ଲାଭ କରି ଘରକୁ ଫେରେ । କିନ୍ତୁ ବିଚାରି ମୋର ବ୍ରେନ କ୍ୟାନସର ଲାଷ୍ଟ ଷ୍ଟେଜ ବୋଲି ମଧ୍ୟ ଜାଣି ନାହିଁ । ଆପଣ ଦୟାକରି ତାକୁ ମୋ ରୋଗ ବିଷୟରେ କିଛି ଜଣେଇବେ ନାହିଁ । ସିଷ୍ଟରମାନଙ୍କୁ ମଧ୍ୟ ମନା କରିଦେବେ , ସେମାନେ ମୋ ସ୍ତ୍ରୀ ସନ୍ଧ୍ୟାକୁ କିଛି କହିବେ ନାହିଁ ।"


-ହଁ,ସାର ! ପ୍ରେସକୀପସନଟାକୁ ଆପଣ ରଖିଥାନ୍ତୁ । ଯାହା ଔଷଧ ଦରକାର ଆପଣ ମଗେଇ ଦେବେ । ମୁଁ ସବୁ ଟଙ୍କା ଆପଣଙ୍କୁ ଦେଇ ଦେବି ।

-ମୋ ସ୍ତ୍ରୀ ସନ୍ଧ୍ୟା ବଡ଼ ଦୁଖୀ ଝିଅଟିଏ ସାର ! ମୋ କଥା ଶୁଣିଲେ ନା ' ସେ ହାର୍ଟଫେଲ କରିଯିବ । ଯଦିବା ବଞ୍ଚିରହେ , ତା'ର ଶୁଖିଲା ହତାଶ ମୁହଁକୁ ଦେଖି ମୁଁ ସହି ପାରିବି ନାହିଁ । ମୁଁ ବି ମରିଯିବି । ମୋ ଅନୁରୋଧ ରକ୍ଷା କରିବେ ସାର ।"

ଡାକ୍ତର ମିଶ୍ର ତାଙ୍କ ମୁହଁକୁ ଚାହିଁ ମୁକ ଭଳି ସବୁ ଶୁଣୁଥିଲେ । ନର୍ସ ଜଣକ କେତେବେଳେ ଡାକ୍ତରଙ୍କ ମୁହଁକୁ ତ ଆଉ କେତେବେଳେ କମଳେଶଙ୍କ ମୁହଁକୁ ଚାହୁଁଥିଲେ । ଡାକ୍ତରବାବୁଙ୍କ ଆଦେଶକୁ ଅପେକ୍ଷା ମଧ୍ୟ କରି ରହିଥିଲେ ।


ଡାକ୍ତରବାବୁ କମଳେଶଙ୍କୁ ସାନ୍ତ୍ୱନା ଦେଇ କହିଲେ , " ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ସବୁବେଳେ ମନକୁ ପ୍ରଫୁଲ ରଖନ୍ତୁ । ଘର ଚିନ୍ତା କିମ୍ବା ଦେହ ଚିନ୍ତା ମୋଟେ କରନ୍ତୁ ନାହିଁ । ଘର ପାଇଁ ଆପଣଙ୍କ ପତ୍ନୀ ଅଛନ୍ତି । ଆପଣଙ୍କ ପାଇଁ ଆମେ ଅଛୁ । ମୁଁ ପ୍ରତ୍ୟକ ଦିନ ଆସି ଆପଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଯାଉଥିବି । ଯାହା ଅସୁବିଧା ହେବ , ଆପଣ ମୋତେ କହିବେ । ସିଷ୍ଟର ତମର ଔଷଧପତ୍ର କିଣି ଆଣିବେ ।"

ନର୍ସ ଜଣକ ପ୍ରେସକ୍ରିପସନ ନେଇ ନିଜ ପକେଟରେ ରଖିଲେ । କମଳେଶଙ୍କ ବିଛଣାକୁ ଟିକେ ସଜାଡି ଦେଲେ । ଡାକ୍ତରବାବୁ ପଛକୁ ଚାହିଁ ଚାହିଁ ବାହାରକୁ ଚାଲିଗଲେ । ଯିବା ସମୟରେ ସେ ଭାବୁଥିଲେ -'କମଲେଶବାବୁ ଏଇ ମାତ୍ର ତିନି ଦିନ ହେଲା , ଏଇଠି ଆଡ଼ମିସନ ହେଇଛନ୍ତି । ବିଭିନ୍ନ ପ୍ରକାର ଟେଷ୍ଟ ହେଲା ପରେ ଜଣାପଡିଛି , ତାଙ୍କର ବ୍ରେନ କ୍ୟାନସର , ଏକଦମ ଶେଷ ଅବସ୍ଥାରେ ପହଞ୍ଚି ଯାଇଛି । ଏକଥା ତାଙ୍କୁ ଆମେ ଜଣେଇ ନଥିଲୁ । ଆବଶ୍ୟକ ଚିକିତ୍ସା ପାଇଁ ଏବଂ ସମସ୍ତ ପ୍ରକାର ଔଷଧ ଖର୍ଚ୍ଚ କରିବାକୁ ତାଙ୍କ ବଡ଼ ଭାଇ ତ ପ୍ରସ୍ତୁତ ଅଛନ୍ତି । କିନ୍ତୁ କମଲେଶଙ୍କୁ ଆକଥାଟି ନ ଜଣାଇବା ପାଇଁ ସମସ୍ତେ ବିନୀତ ଅନୁରୋଧ କରି ଯାଇଥିଲେ ।


-ଗତକାଲି କମଳେଶଙ୍କର ବଡ଼ ଭାଇ ମୋ ଚାମ୍ବରକୁ ଆସି ସ୍ୱତନ୍ତ୍ର ଭାବେ ଅନୁରୋଧ କରିଥିଲେ -କମଳେଶର ବର୍ତ୍ତମାନ ଯାହା ଅବସ୍ଥା , ଏ'କଥାଟା ଯେମିତି ମୋ ବାପା ନ ଜାଣନ୍ତି । ସେ ଆପଣଙ୍କୁ ଦେଖା କରିବାକୁ କାଲି ଆସିବେ । ବାପା ଜଣେ ହୃଦରୋଗୀ । କମଳେଶକୁ ବହୁତ ଭଲ ପାଆନ୍ତି । ବାହାର ଲୋକଙ୍କ କଥା ଶୁଣି ସେ ଏକପ୍ରକାର ରୋଗୀ ପଲିଟି ଯାଇଛନ୍ତି । ମୁଁ ତାଙ୍କୁ ବୁଝେଇ ଦେଇଛି । ଡାକ୍ତରବାବୁ କହିଛନ୍ତି -"କମଳେଶ ଖୁବ ଶୀଘ୍ର ଭଲ ହେଇଯିବ । ଆପଣ ଦୟା କରି ମୋ ପାଇଁ ଟିକେ ମିଛ କହିବେ । ତା'ର ସେମିତି ବିଶେଷ କିଛି ହେଇନାହିଁ ।"


ମୁଁ ବୁଝେଇଥିଲି -'ରୋଗିର ଭଲ ପାଇଁ ଏବଂ ଲୋକଙ୍କର ମଙ୍ଗଳ ପାଇଁ ଆମେ ଯେତେଦୂର ସମ୍ଭବ ମିଥ୍ୟାର ଆଶ୍ରୟ ମଧ୍ୟ ନେଇଥାଉ । ବେଳେବେଳେ ସେଇକଥା ଓଲଟା ଫଳ ଦେଇଥାଏ । ତଥାପି ଆପଣଙ୍କ ବାପାଙ୍କର ସ୍ୱାସ୍ଥ୍ୟଗତ କାରଣରୁ ମୁଁ ମିଛ ପଡେ କହିଦେବି । ଆପଣ ବ୍ୟସ୍ତ ନହେଇ ଘରକୁ ଯାଆନ୍ତୁ । ସବୁ ଠିକଠାକ ହେଇଯିବ ।'

-କିନ୍ତୁ ଏ' କି ଆଶ୍ଚର୍ଯ୍ୟର କଥା ! ନିଜେ କମଳେଶ କହୁଛନ୍ତି , ତାଙ୍କୁ କ୍ୟାନସର ହେଇଛି । ପୁଣି ଏଇଟା ଲାଷ୍ଟ ଷ୍ଟେଜ । ଏତିକି ଜାଣିଲା ପରେ ମଧ୍ୟ ସେ ଛଳନାର ଆଶ୍ରୟ ନେଇ ପତ୍ନୀକୁ ଲୁଚେଇ ରଖିବାକୁ ପ୍ରୟାସ କରୁଛନ୍ତି । ମନେ ହୁଏ , ତାଙ୍କ ପରିବାରର ସମସ୍ତ ସଦସ୍ୟ ଅସଲ କଥାଟିକୁ ଜାଣି ସାରିଛନ୍ତି । କେବଳ ସମସ୍ତେ ସମସ୍ତଙ୍କୁ ଲୁଚେଇବାରେ ଲାଗିଛନ୍ତି ।'


ଡାକ୍ତରବାବୁ ଚାଲିଗଲା ପରେ କମଳେଶ ବଡ଼ ବିକଳ ସ୍ୱରରେ କହିଲେ -"ସିଷ୍ଟର ! ଡାକ୍ତରବାବୁ ବଡ଼ ଦୟାଳୁ ମଣିଷନା "!

ମୋ ରୋଗ ତ ଭଲ ହେବ ନାହିଁ । ଆପଣ ଟିକେ ଦୟା କରି ଶୁଣିବେ , ମୋ ସ୍ତ୍ରୀ ସନ୍ଧ୍ୟାର ଦୁଃଖ କାହାଣୀ ?"

ଅନିଚ୍ଛା ସତ୍ୱେ ନର୍ସ ଜଣକ କହିଲେ -"ଆପଣ ତ ନିଜ ଅସୁସ୍ଥ । ସ୍ତ୍ରୀଙ୍କ ଦୁଃଖ କହି ଲାଭ କ'ଣ ? ହଉ କ'ଣ କହିବାର ସଂକ୍ଷିପ୍ତରେ କହନ୍ତୁ ।"

"ସିଷ୍ଟର ! ବିଚାରି ସନ୍ଧ୍ୟା ପିଲା ବେଳୁ ତା'ବାପା ମାଆଙ୍କୁ ହରେଇଥିଲା । ଖାଲି ଦୁଃଖରେ ଦୁଃଖରେ ତା'ଜୀବନ ବିତିଛି ।ମୁଁ ସିନା ଥିଲା ବାଲା ଘରେ ଜନ୍ମ ହେଇଥିଲି । କିନ୍ତୁ ମୋର ପୋୖରଷତ୍ୱରେ ଥିଲା ପ୍ରଶ୍ନବାଚୀ । ସେଇଥିପାଇଁ ମୋତେ କେତେ ଯେ ମାନସିକ ଯନ୍ତ୍ରଣା ଭୋଗିବାକୁ ପଡିଛି , ସେକଥା ମୁଁ ଜାଣେ । ଶେଷରେ ସନ୍ଧ୍ୟା ସବୁକଥା ଜାଣି ମଧ୍ୟ ମୋର ଜୀବନ ସାଥି ହେଲା । ମୋ ଦୁଃଖରେ ସିଏ ହିଁ କେବଳ ଦୁଖୀ ହେଲା । ସତରେ ସିଷ୍ଟର ! ମୁଁ ତାକୁ ସାମାନ୍ୟତମ ସୁଖ ଦେଇ ପାରିନାହିଁ ।ବରଂ ସେ ମୋର ସୁଖ ପାଇଁ ସବୁ କିଛି ତ୍ୟାଗ କରିଛି । ମୁଁ ତା'ପାଖରେ ଯୁଗ ଯୁଗ ପାଇଁ ଋଣୀ ହେଇ ରହିଯାଇଛି ସିଷ୍ଟର । ଜୀବନର ଶେଷ ମୁହୂର୍ତ୍ତରେ ଆହୁରି ଅଧିକ ଦୁଃଖ ଦେଇ ସନ୍ଧ୍ୟାକୁ ଯନ୍ତ୍ରଣା ଜର୍ଜରିତ କରିବାକୁ ମୁଁ ଚାଁହୁନାହିଁ ।"


ନର୍ସ ଜଣକ କମଳେଶର କଠୋର ସତ୍ୟ ସ୍ୱିକାରୋକ୍ତି ଶୁଣି ଆଶ୍ଚର୍ଯ୍ୟ ହେଇ ଯାଇଥିଲା । ସେ ଲକ୍ଷ୍ୟ କରୁଥିଲା , ତାଙ୍କ ଆଖି ଗୁଡାକ ବର୍ତ୍ତମାନ କେମିତି ଅଲଗା ଅଲଗା ଦିଶୁଛି । ଜଣା ପଡୁଥିଲା -'କମଳେଶ ମତିଷ୍କରେ ଅତ୍ୟଧିକ ଯନ୍ତ୍ରଣା ଆନୁଭଵ କରୁଛନ୍ତି । ସେ ତାଙ୍କୁ ବେଡ଼ରେ ଶୁଆଇ ଦେଇ ଆଉ ଗୋଟିଏ ଇଂଜେକସନ ଦେଇ ଦେଲେ ।


ସନ୍ଧ୍ୟା ହସ୍ପିଟାଲରେ ପହଞ୍ଚି ଦେଖିଲେ , କମଳେଶବେଶ ଆରାମରେ ସୋଇ ପଡିଛନ୍ତି । ପୁଅ ନରେଶ ମଧ୍ୟ ସାଙ୍ଗରେ ଆସିଛି । ସେ ବାହାରେ ରହି ପାଠ ପଢେ । ବାପାଙ୍କର ଦେହ ଖରାପ ଖବର ପାଇଁ ଛୁଟି ନେଇ ଆସିଛି । ମାଆ-ପୁଅ ଦୁହେଁ ପରସ୍ପରକୁ ଚାହିଁଲେ । ନରେଶ ବାପାଙ୍କ ଗୋଡ଼ ପାଖରେ ବସି ପଡି ପାଦ ଦୁଇଟାକୁ ଟେକି ଦେଇ ନିଜ କୋଳରେ ରଖି ଆଉଁସିବା ଆରମ୍ଭ କଲା ।


ସନ୍ଧ୍ୟା ଆଖିରେ ଲୁହର ଝରଣା । ବାଟରେ ସେ ପୁଅକୁ ସବୁକଥା ଖୋଲାଖୋଲି କହି ଦେଇଛି । ପୁଣି ବାରମ୍ବାର ତାଗିତ କରି ଦେଇଛି , ଯେ କୌଣସି ପରିସ୍ଥିତିରେ ବାପାଙ୍କୁ ତୁ କହିବୁ ନାହିଁ ଯେ, "ତୁମର ବ୍ରେନ କ୍ୟାନସର ହେଇଛି । ସେଇଟା ପୁଣି ରୋଗର ଲାଷ୍ଟ ଷ୍ଟେଜ ।"

କମଳେଶ ଆଖି ଖୋଲିଲେ । ପୁଅ ନରେଶକୁ ଦେଖି ସେ ନିରୋଗ ମଣିଷ ପରି ହସି ହସି ତା'ର କୁଶଳ ପଚାରି ବୁଝିଲେ । ତାକୁ ପରାମର୍ଶ ଦେଲେ , "ପଢାପଢିରେ ମନ ଦେଇଥିବୁ । ମୋ ଦେହ କଥା ମୋତେ ଚିନ୍ତା କରିବୁ ନାହିଁ । ଡାକ୍ତରବାବୁ କହୁଥିଲେ , ମୋତେ ସାଧାରଣ ଜ୍ଵର ହେଇଛି । ଆଉ କେତେଦିନ ପରେ ମୁଁ ଭଲ ହେଇ ଘରକୁ ଫେରିଯିବି ।

ଆଉ ତୋର ପରୀକ୍ଷା କେମିତି ହେଇଛି ? ସାଙ୍ଗମାନଙ୍କ ସହିତ ମିଳିମିଶି ଚଳୁଥିବୁ । ଗଣ୍ଡଗୋଳରେ ମୋଟେ ମିଶିବୁ ନାହିଁ । ହଁ ଶୁଣ, ଆଜିକାଲି ଚାରିଆଡେ ପ୍ରଚାର ଚାଲିଛି , ଚାକିରୀ ନାହିଁ । ସେଥିରେ ତୁ ଭାଙ୍ଗି ପଡ଼ିବୁ ନାହିଁ । ତୋ'ମନବଳକୁ ଟାଣ କରିବା ପାଇଁ ମୁଁ କ'ଣ କରିଛି ଜାଣୁ ? ତୋ ପିଲାଦିନେ ମୁଁ ଗୋଟିଏ ଏଜୁକେସନ ପଲିସ କରି ଦେଇଥିଲି । ସେଇଟା ମେଚ୍ୟୁର ହେଇ ଯାଇଛି । ତିନି ଲକ୍ଷ୍ୟ ଟଙ୍କା ମିଳିବ । ସେଥିରେ ତୁ ଫରେନ ଯାଇ ସ୍ପେଶାଲ କୋର୍ସ କରି ପାରିବୁ ।"

"ତମେ ଏତେ ଗୁଡାଏ କଥା କାହିଁକି କହୁଛ ? ଡାକ୍ତରବାବୁ ପରା କହି ଯାଇଛନ୍ତି , ତୁମକୁ ଯଥେଷ୍ଟ ବିଶ୍ରାମ ଦରକାର " -କମଳେଶଙ୍କ କଥା ମଝିରେ ସନ୍ଧ୍ୟା କହି ପକାଇଲେ ।


ପୁଣି କମଳେଶ କହିଲେ , "ସନ୍ଧ୍ୟା ! ମୋର କ'ଣ ହେଇଛି କି ବିଶ୍ରାମ ନେବି ? ଏବେ ମୋତେ ତ ଭାରି ଆରାମ ଲାଗୁଛି । ଦେହରେ କୌଣସି ପ୍ରକାର ଯନ୍ତ୍ରଣା ନାହିଁ । ଅନେକ ଦିନ ପରେ ମୋ ପୁଅ ନରେଶ ଆସିଛି , ମନ ଖୋଲି ତା'ସାଙ୍ଗରେ ଦି'ପଦ କଥା ହୁଏ ।"

ନର୍ସ ଜଣକ ଦେଖିଲେ କମଳେଶ ବେଶ ସ୍ମାର୍ଟ ହେଇ ଉଠିଛନ୍ତି । ସେ ସନ୍ଧ୍ୟା ଉଦ୍ଦେଶ୍ୟରେ କହିଲେ , " ମ୍ୟାଡ଼ାମ ! ଆପଣ ତିନି ଜଣ ବସି ଗପସପ ହୁଅନ୍ତୁ । ମୁଁ ଡାକ୍ତରଙ୍କ ଚାଁମ୍ବରରେ ଅଛି । ଦରକାର ହେଲେ ମୋତେ ଡାକିବେ ।"


କ୍ୟାବିନ ଦୁଆର ଖୋଲି ନର୍ସ ଜଣକ ବାହାରକୁ ଚାଲିଗଲେ ।କମଳେଶ ମନ ଖୋଲି ନରେଶ ସହିତ କଥାବାର୍ତ୍ତା କଲେ । ସନ୍ଧ୍ୟା ଅନୁଭବ କଲେ , "ଆଜି କମଳେଶ ବହୁତ ଖୁସି ଅଛନ୍ତି । ହୃଦୟ ଖୋଲି ହସୁଛନ୍ତି । ପିଲାଦିନର କେତୋଟି ମଜା କଥାକୁ ମାନେ ପକେଇ ନରେଶକୁ ହସେଇବାକୁ ଚେଷ୍ଟା କରୁଛନ୍ତି ।

-ସତରେ କେତେ ନିରୀହ ସରଳ ହୃଦୟର ମଣିଷ ଏହି କମଳେଶ । ସେ ଜାଣନ୍ତି ନାହିଁ , ଅଳ୍ପ କେତେଟା ଦିନରେ ସେ ଆମକୁ ଛାଡି ଚାଲିଯିବେ । ଏ'କଥା ଯଦି ସେ ଜାଣି ପାରନ୍ତି , ତାଙ୍କର ଅବସ୍ଥା କ'ଣ ବୋଲି କ'ଣ ହେଇଯିବ ?


-ଏହି ହସକୁରା ମଣିଷ ସହିତ ମୁଁ ଯେଉଁ ବିଶ୍ୱାସଘାତକତା କରିଛି , ଏଥିପାଇଁ କ'ଣ ମୋତେ ଭଗବାନ କ୍ଷମା ଦେଇ ପାରିବେ ? ତଥାପି ମୁଁ ତାଙ୍କୁ ସବୁ କଥା ଖୋଲି କହିଦେବି । ସେ ଯଦି ମୋ ପାପ କର୍ମକୁ ଶୁଣି ହତ୍ୟା କରି ଦିଅନ୍ତି, ତେବେ ମୁଁ ତାଙ୍କ ହାତରୁ ମୁକ୍ତି ପାଇଯିବି । ନଚେତ ତାଙ୍କ ଅନ୍ତେ ମୋତେ ସାରା ଜୀବନ ଅନୁତାପ କରି ଜଳିବାକୁ ପଡିବ । ପାପକୁ ଲୁଚେଇ ରଖିଲେ , ଆର ଜନ୍ମକୁ ପୁଣି ଭୋଗ ମୋତେ ହିଁ କରିବାକୁ ପଡିବ ।"


କମଳେଶ ନରେଶକୁ ପାଇ ଖୁସିରେ ଗପି ଚାଲିଛନ୍ତି । ସତରେ ଯେମିତି ତାଙ୍କର କିଛି ହେଇନାହିଁ ।

ସନ୍ଧ୍ୟାର ମାନେ ପଡିଗଲା , ସେ ଦିନର ଦୁର୍ଘଟଣା କଥା ।

ହଁ , ଦୁର୍ଘଟଣା ନୁହେ ତ ଆଉ କ'ଣ ?

-ଶ୍ରବଣ କୁମାରକୁ ରାଜା ଦଶରଥ ବାଣ ମାରି ହତ୍ୟା କଲେ । ସେ ଜାଣନ୍ତରେ ହେଉ ବା ଅଜଣାତରେ ହେଉ । ତାଙ୍କୁ ହତ୍ୟା ଦୋଷ ତ ଲାଗିଥିଲା । ଅନ୍ଧମୁନି ଏବଂ ତାଙ୍କର ପତ୍ନୀ ରାଜାଙ୍କୁ କ୍ଷମା ଦେଇ ପାରିଲେ ନାହିଁ । ଅଭିଶାପ ଦେଲେ , " ମହାରାଜ ! ପୁତ୍ରକୁ ହରାଇ ଆମେ ଯେମିତି ବିକଳରେ ପ୍ରାଣ ହରାଉଛୁ, ତୁମେ ବି ସେଇମିତି ପୁତ୍ର ଶୋକରେ 'ପୁତ୍ର ପୁତ୍ର ହେଇ ପ୍ରାଣ ହରାଇବେ । ସେତେବେଳେ ତୁମ ପୁତ୍ର ମୋ ପୁତ୍ର ପରି ବଣରେ ବୁଲୁଥିବ ।"


ମୁନିଙ୍କର ଅଭିଶାପ ରାଜା ଦଶରଥଙ୍କ ପାଇଁ ଅବଶ୍ୟ ଆଶୀର୍ବାଦ ଭଳି କାମ ଦେଇଥିଲା । ଅପୁତ୍ରିକ ରାଜାକୁ ପୁତ୍ର ଶୋକ ଭୋଗିବାକୁ ପଡିବ । ସେହି ଅଭିଶାପ କାରଣରୁ ରାମଚନ୍ଦ୍ର ତାଙ୍କ କୋଳରେ ଜନ୍ମ ଗ୍ରହଣ କଲେ । ଅଭିଶାପଟା ଆଶୀର୍ବାଦ ହେଉ ପଛେ , ଏହି ଘଟଣା ତ ଥିଲା , ରାଜା ଦଶରଥଙ୍କ ପାଇଁ ଏକ ବଡ଼ ଦୁଃଖଦ ଦୁର୍ଘଟଣା ।

କମଳେଶଙ୍କୁ ଦେଖିଲେ , କେହି ବି ଜାଣି ପାରିବ ନାହିଁ ; ସେ ଜଣେ ନଁଫୁସକ । ମୋଟା ମୋଟା ନିଶ , ଚଉଡା ଛାତି । ଦେହରେ ହାତୀଏ ଵଳ । ରସିକ ପଣିଆରେ ଆଗୁଆ । କେଉଁ ଜନ୍ମରେ ସେ କି ପାପ କରିଥିଲେ , କି ମୁଁ କେଉଁ ଜନ୍ମରେ କି ପାପ କରିଥିଲି କେଜାଣି , ଭଗବାନ ଆମପାଇଁ ଏ'ଦଣ୍ଡ ରଖିଥିଲେ । ତାଙ୍କର ସ୍ନେହ ,ଆଦର ଆଉ ପରକୁ ଆପଣା କରିବାର ଗୁଣ ହିଁ ମୋତେ ବଞ୍ଚିବାର ରାହା ଦେଖାଇଲା ।


ମୁଁ ଅନୁଭବ କରୁଥିଲି , କମଳେଶ ତାଙ୍କ ନିଜ ପାଇଁ ନୁହେଁ , ମୋ ପାଇଁ ବେଶୀ ମନ ଦୁଃଖ କରୁଥିଲେ । ମୁଁ ତାଙ୍କୁ କେତେଥର ବୁଝେଇଛି ।"ସନ୍ତାନ ଆମ ଭାଗ୍ୟରେ ନାହିଁ । ଅଯଥାରେ ତମେ ବ୍ୟସ୍ତ ହେଉଛ କାହିଁକି ? ଶହ ଶହ ଝିଅ ପୁଅ ବାହା ନହେଇ ରହି ପାରୁଛନ୍ତି , ସେମାନଙ୍କର କ'ଣ ହେଇଯାଉଛି , କହିଲ ?"

କମଳେଶ ନିରବ ରହି ଯାଆନ୍ତି । ମୋ ସୁଖ ପାଇଁ ସେ ସବୁବେଳେ ଉପାୟ ଖୋଜି ବୁଲନ୍ତି । ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା,ଔଷଧ,ଚେରମୂଳ ଓ ଗୁଣି-ଗାରେଡିରେ ଅନେକ ଅର୍ଥ ଶ୍ରାଦ୍ଧ କରିଛନ୍ତି ।


ଶେଷରେ ଦିନେ ସେ କେଉଁଠୁ ଠିକଣା ଯୋଗାଡ଼ କରି ମତେ ନେଇ ଜଣେ ତାନ୍ତ୍ରିକର ଶରଣାପନ୍ନ ହେଲେ । କେଉଁ ଏକ ଅଜଣା ଜାଗାରେ କମଳେଶ ମୋତେ ଛାଡି ଦେଇ ବାହାରକୁ ଚାଲିଗଲେ । ଯିବା ପୂର୍ବରୁ ମୋତେ ଅଭୟବାଣୀ ଦେଇଗଲେ , "ଏଠି ଯେଉଁମାନେ ଅଛନ୍ତି - ସେମାନେ ସମସ୍ତେ ସିଦ୍ଧ ପୁରୁଷ । କୌଣସି ପ୍ରକାର ଭୟ ନାହିଁ । ତୁମ ଗର୍ଭରୁ ମୋର ସନ୍ତାନଟିଏ ଦରକାର । ଏଥିପାଇଁ ତୁମକୁ ଯାହା କିଛି କଷ୍ଟ ଯନ୍ତ୍ରଣା ଭୋଗିବାକୁ ପଡିବ , ମୋ ପାଇଁ ସହିଯିବ ।"

କମଳେଶଙ୍କ କଥାଗୁଡ଼ାକ ମୋତେ ସେଦିନ କେମିତି କେମିତି ଲାଗିଥିଲା । ମୁଁ ଭୟରେ ଥରି ଯାଇଥିଲି । ଜଣେ ମାତାଜୀ ମୋତେ ଧରି ନେଇଗଲେ , ତାନ୍ତ୍ରିକଙ୍କ ପୂଜାସ୍ଥଳକୁ । ସେଠାରେ ଝୁଣା ଆଉ ଧୂପ ଗନ୍ଧରେ ମୁଁ ଅଣନିଶ୍ୱାସୀ ହେଇ ପଡୁଥିଲି । ତା'ପରେ ମୋର ଚେତା ବୁଡିଗଲା ।


ଚେତା ଫେରିଲା ବେଳକୁ ମୋ ଦେହଟା ଅପବିତ୍ର ହେଇ ସାରିଥିଲା । ଯାହାକି କମଳେଶ ପାଇଁ ଆଉ ଯୋଗ୍ୟ ନଥିଲା ।

ମାତାଜୀ ମୋତେ ନେଇ ସୁଦ୍ଧ ସ୍ନାନ କରାଇଲେ । ନୂତନ ବସ୍ତ୍ର ପରିଧାନ କରାଇଲେ । ମୁଁ ମୁକ ପାଲିଟି ଯାଇଥିଲି । ମୋତେ ସେ ବୁଝେଇ ଦେଲେ -"ଠିକ ଦଶ ମାସେ ପରେ ତୁମ ଗର୍ଭରୁ ନିଶ୍ଚୟ ସନ୍ତାନଟିଏ ଜନ୍ମ ଲାଭ କରିବ । ବାବା ତୁମକୁ ଆଶୀର୍ବାଦ ଦେଇଛନ୍ତି । ଯେଉଁ ସନ୍ତାନ ପାଇଁ ତୁମେ ଏତେ ବ୍ୟାକୁଳ ହେଉଥିଲ । ତାହା ଏବେ ତୁମ ଗର୍ଭାଶୟରେ ସୁରକ୍ଷିତ । ଯଦି କିଛି ଅସୁବିଧା ହୁଏ , ଆଉ ଥରେ ଆସି ବାବାଙ୍କ ଠାରୁ ଆଶୀର୍ବାଦ ନେଇଯିବ । ଲାଜ ଭୟ ନଛାଡିଲେ , ସନ୍ତାନ ଲାଭ ସମ୍ଭବ ନୁହେଁ । ତୁମର ସ୍ୱାମୀ ବାହାରେ ଅପେକ୍ଷା କରିଛନ୍ତି । ଚାଲ ଅନ୍ୟମାନେ ପୁଣି ପୂଜା ଦେବାକୁ ଭିତରକୁ ଆସିବେ ।"


ମାତାଜୀଙ୍କର ଶେଷ କଥା ପଦକ ଶୁଣି ମୋ ମୁଣ୍ଡ ଘୁରେଇ ଦେଲା । ତାନ୍ତ୍ରିକମାନଙ୍କ ଉପରେ ମୋର ଭୀଷଣ ଘୃଣା ଆସିଗଲା । ଭାବିଲି - ଅମାନଙ୍କୁ ଉପଯୁକ୍ତ ଶାସ୍ତି ଦେବା ପାଇଁ ସବୁକଥା କମଳେଶଙ୍କୁ ହିଁ କହି ଦେବାକୁ ହେବ ।

କମଳେଶଙ୍କ ପାଖକୁ ଯାଇ ତାଙ୍କ ମୁହଁକୁ ଚାହିଁଲି । ନିଶ୍ଚିତ ସନ୍ତାନ ପ୍ରାପ୍ତି ମୋହରେ ସେ ଉତଫୁଲିତ ଦିଶୁଥିଲେ । ମୋତେ ଦେଖି ପଚାରି ଦେଲେ , "ବାବାଙ୍କ ଆଶୀର୍ବାଦ ମିଳିଛି ତ ? ଏଥର ମୁଁ ସନ୍ତାନଟିଏ ପାଇବି ତ ?"


ମୁଁ ଆଶ୍ଚର୍ଯ୍ୟ ହେଇଗଲି । ଅନୁଭବ କଲି , କମଳେଶଙ୍କ ମୁହଁରେ ଥିବା ଦୀର୍ଘ ଦିନର ଦୁଃଖର ଛାୟା ସତେ ଯେମିତି ଉଭେଇ ଯାଇଛି । ସନ୍ତାନଟିଏ ପାଇଁ ବ୍ୟାକୁଳ ହେଉଥିବା କମଳେଶ ଆଜି ଯେମିତି ନୂଆ ଜୀବନ ପାଇ ଯାଇଛନ୍ତି ।ମୁଣ୍ଡ ତଳକୁ କରି ତାଙ୍କ ସହିତ ଘରକୁ ଫେରିଲି ।

ସେ ଦିନର ଦୁର୍ଘଟଣାକୁ ମୁଁ ଆଉ ତାଙ୍କ ଆଗରେ ପ୍ରକାଶ କରି ପାରିଲି ନାହିଁ । ଯେତେ ଥର ସେ କଥା ମୁଁ ପ୍ରକାଶ କରିବାକୁ ସ୍ଥିର କରିଛି , ସେତେବେଳେ କିଏ ଯେମିତି ମୋର କଣ୍ଠରୋଧ କରି ପକାଇଛି ।

ନରେଶର ଜନ୍ମ ପୂର୍ବରୁ କମଳେଶ ମୋର ଯତ୍ନ ନେବାରେ କୌଣସି ପ୍ରକାର ଅବହେଳା କରି ନଥିଲେ । ତା'ର ଏକୋଇଶିଆ ଉତ୍ସବକୁ ସେ ଖୁବ ଜାକଜମକରେ ପାଳନ କରିଥିଲେ । ମୁଁ ତାଙ୍କର ଆନନ୍ଦ ଆଉ ସୁଖକୁ ଦେଖି ଭାବୁଥିଲି, କମଳେଶ କେଡେ ନିରୀହ ମଣିଷଟିଏ ସତେ ! କୁଆ ବସାରେ କୋଇଲି ଛୁଆ ଯେ ବଢୁଛି , ସେ କଥା ସେ ଜାଣନ୍ତି ନାହିଁ ।


ଚାହୁଁ ଚାହୁଁ ଅଠର ବର୍ଷ ବିତିଗଲା । ଯେତେଥର ଚେଷ୍ଟା କରିଛି , ମୁଁ ମୋର ପାପ କଥାକୁ ସ୍ୱୀକାର କରି ଦେଇ ଆଶ୍ୱସ୍ତ ହେବି । କିନ୍ତୁ ସେ ସୁଯୋଗ ମୁଁ ପାଇଁନାହିଁ । ଆଜି କିନ୍ତୁ ନିଶ୍ଚୟ କହିଦେବି । ସବୁକଥା ଖୋଲି କମଳେଶ ଆଗରେ ଥୋଇଦେବି । ସେ ଯାହା କରିବାର କରନ୍ତୁ ।"

ମୁଣ୍ଡ ଉଠେଇ କମଳେଶଙ୍କୁ ଚାହିଁଲେ ସନ୍ଧ୍ୟା । ପୁଣି ଠାରେ ତାଗିତ କରି କହିଲେ - "ତୁମେ ଆଜି ଏତେ ଗପୁଛା କାହିଁକି ? ନରେଶ କ'ଣ ଆଜି ପଳେଇ ଯାଉଛି , ନା କ'ଣ ? ମୋର ଗୋଟିଏ ଜରୁରୀ କଥା ତମ ପାଖରେ ପ୍ରକାଶ କରିବାର ଅଛି । ଏକାନ୍ତ ବ୍ୟକ୍ତିଗତ । ନରେଶ ପଦାକୁ ଗଲେ , ମୁଁ ତମକୁ କହିବି ।"


ନରେଶ ମାଆଙ୍କ କଥା ଜାଣେ । ସେ ନିଶ୍ଚୟ ବାପାଙ୍କୁ ଜଣେଇ ଦେବେ -'ତମ ମତିଷ୍କରେ କ୍ୟାନସର ହେଇଛି । ଏଇଟା ଲାଷ୍ଟଷ୍ଟେଜ । ଆଉ ମାତ୍ର କେଇଟା ଦିନ ପରେ ତମର ଜୀବନ ଦୀପଟା ଧପ କରି ଲିଭିଯିବ । ଆମେ ଦୁଇ ଜଣ ତୁମ ବିନା ବଞ୍ଚିବୁ କେମିତି ?'

ନରେଶ ବାପାଙ୍କ ପାଖରୁ ଉଠି ଠିଆ ହେଲା । ମାଆଙ୍କ କାନରେ ଫିସଫିସ ହେଇ ସଚେତନ କରେଇ ଦେଇଗଲା , "ବାପାଙ୍କ ରୋଗ କଥା କଦାପି ତାଙ୍କୁ କହିବୁ ନାହିଁ ।"


ସନ୍ଧ୍ୟା ମୁଣ୍ଡ ଟେକି ଚାହିଁଲେ , ନରେଶ ମୁଣ୍ଡ ତଳକୁ କରି ଚାଲି ଯାଉଛି , ଦୁରକୁ ଦୁରକୁ । ଏହାକୁ ଉପଯୁକ୍ତ ସମୟ ମନେ କରି ସନ୍ଧ୍ୟା କହିଲେ- "ଆଜି ତମକୁ ଯେଉଁ କଥା ପଦେ କହିବାକୁ ଯାଉଛି , ସେଥିପାଇଁ ମୁଁ ନିଜକୁ କ୍ଷମା ଦେଇପାରୁ ନାହିଁ । ତୁମ ସହିତ ମୁଁ ଯେଉଁ ବିଶ୍ୱାସଘାତକତା କରିଛି , ସେଥିପାଇଁ ମୁଁ କ୍ଷମା ପାଇଁ ମଧ୍ୟ ଯୋଗ୍ୟ ନୁହେଁ । ଆଜି ମୋ ଜୀବନର ଏକ କଠୋର ସତ୍ୟ ପ୍ରକାଶ କରିବାକୁ ସାହାସ ସଞ୍ଚୟ କରିଛି । ମୋ କଥା ଶୁଣିବାକୁ ତମର ଧର୍ଯ୍ୟ ଅଛି ତ ?"

କମଳେଶ କହିଲେ - "ତମେ ସାଧାରଣ କଥାରେ ଅଟେ ଗୌର ଚନ୍ଦ୍ରିକା ହେଉଛ କାହିଁକି ? ଏ'କେବିନରେ ତମେ ଆଉ ମୋ ଛଡା କହି ନାହାନ୍ତି , ଯାହା କହିବାର ସବୁ କଥା କୁହ । କିନ୍ତୁ ତମେ ଯାହା କହିବାକୁ ଚାଁହୁଛ , ସେ କଥା ମୁ ଜାଣେ । ମୋ ମତିଷ୍କ କ୍ୟାନସର କଥା , ନା'ନରେଶର ଜନ୍ମ କଥା କହିବି ?

ଏଇଟା ମୋର ଲାଷ୍ଟ ଷ୍ଟେଜ । ଆଉ ମାତ୍ର କେଇଟା ଦିନ ମୋ ପାଇଁ ବାକି ଅଛି । ନରେଶ ମୋ ଔରସରୁ ଜନ୍ମ ନୁହେଁ । ଆଉ ତମେ କହିବ , ଭଣ୍ଡ ତାନ୍ତ୍ରୀକଙ୍କ ଠାରୁ ତମେ ପ୍ରତାରିତ ହେଇ ନରେଶକୁ ଜନ୍ମ ଦେଇଛ । ଏହି କଥା କହିବି ତ ?


-ତମେ ତାକୁ ଜନ୍ମ ଦେଇଛ । ସେ ତମର ପୁଅ । ତମର ସବୁ ଜିନିଷ ତ ମୋର । ନରେଶ କ'ଣ ଆଉ କାହାର ହେଇପାରେ ?

ସନ୍ଧ୍ୟା ! ତମର ଯାହା , ସେ ତ ମୋର । ମୁଁ ସନ୍ତାନ ଉତ୍ପାଦନ ପାଇଁ ଅକ୍ଷମ , ସେ କଥା ଜାଣେ । ତଥାପି ତମେ ମୋତେ ସନ୍ତାନ ଜନକ କରେଇ , ମୋ ମନରୁ କଳଙ୍କ ପୋଛି ଦେଇ ପାରିଛ । ମୁଁ ତ ଏତିକି ବୁଝି ନେଇଛି । ଶେଷରେ ତୁମ ନିକଟରେ ମୁଁ ଋଣୀ ହେଇ ଆର ପାରିକୁ ଚାଲିଯିବି । ପର ଜନ୍ମରେ ତୁମକୁ ପାଇବାକୁ ପୁଣି ଅପେକ୍ଷା କରିବି ।"


ଡାକ୍ତରଙ୍କ ଚାଁମ୍ବରରୁ ନର୍ସ ଦୌଡ଼ି ଆସିଲେ । ସଂଗେ ସଂଗେ ତାଙ୍କୁ ଇମରଜେନ୍ସି ରୁମକୁ ନିଆଗଲା । କିଛି ସମୟ ପରେ ଡାକ୍ତରବାବୁ ଆସି ଖବର ଦେଲେ , "କମଳେଶବାବୁ ଇଜ ନୋ ମୋର । ସେ ଆଉ ନାହାନ୍ତି।"


Rate this content
Log in

Similar oriya story from Tragedy