ପୁଅବୋହୁ
ପୁଅବୋହୁ
ଅନେକ ମାନସିକ ଯନ୍ତ୍ରଣା ଭୋଗିଲା ପରେ ଆମେ ଟିକେ ହସିବା ଆରମ୍ଭ କରିଛୁ ।
ଜାଣିନୁ ଆମକୁ ସମାଜ ସଂସ୍କାରୀ ପୁଅବୋହୁ କହିବ କି ନା ।
ଆମେ ବାଧ୍ୟ ବି କାହାକୁ କରୁନୁ ଆମକୁ ଗ୍ରହଣ କର । ଆମ ବିବେକ ଓ ହୃଦୟ ଯାହା ସ୍ୱୀକୃତି ଦେଲା ସେଇଆ ହିଁ କରିଛୁ । ଏଥିପାଇଁ ଆପଣ ମାନେ ଅଲଜ୍ଜ୍ୟା, ବେହିଆ କେତେ କଣ କହିଲେ । ଓ.କେ. ଆମ ସବୁ ସହିବାକୁ ପ୍ରସ୍ତୁତ । କିନ୍ତୁ ଆମକୁ ନିଜ ରାସ୍ତା ବନେଇବାକୁ ଛାଡି ଦିଅନ୍ତୁ, ପ୍ଲିଜ଼ ।
ଆସନ୍ତୁ ଏବଂ ଶୁଣନ୍ତୁ ଆୟୁ ଓ କଇଁ ଜୀବନୀ ।
ମୋ ମିସେସ୍ ଖୁବ୍ ଭଲ ସ୍ୱଭାବର ଝିଅ । ମୋ ସହ ମୋର ସବୁକୁ ସୁକୁ କାନିରେ ବାନ୍ଧି ଆମ ସଂସାର ନାଆକୁ ଆଗକୁ ବଢ଼େଇ ନେଉଛି । ପିଲାଦିନୁ ମାଆ ନଥିଲା । ଭଉଣୀ କି ଭାଇ ବି ନଥିଲେ । ବାପା ଓ ମୁଁ । ମାଆ ଓ ଭଉଣୀ ବିନା ଘରଟିରେ ବେଶୀ ଚୁପ୍ ଚାପ୍ କମ୍ ଗହ ଗହ ହେଉଥିଲା କଇଁ ଆସିବା ପୂର୍ବରୁ ।
ମୋ ବାହାଘର ପରେ ଘର କାହାକୁ କୁହନ୍ତି ମୁଁ ଜାଣିଲି । ଖଡ୍ ଧଡ୍, ଖିଲି ଖିଲି ହସ, ରୁଣୁଝୁଣୁ ଶବ୍ଦ ଆମ ନିର୍ଜୀବ ନିଶବ୍ଦ ଘରକୁ ଜୀବନ୍ତ କରିଦେଲା । ଘର ଜିନିଷ ଖୁବ୍ ସାଇଜି ସୁତର ହୋଇ ସଜ ହେବାରୁ ଘର ଶୋଭା ବଢିଗଲା । ନହେଲେ ଏକୋଇଶି ବର୍ଷ ହେବ ଆମେ ବାପା ପୁଅ ଜୀଇଁଥିଲୁ ସିନା ବଞ୍ଚି ନ ଥିଲୁ । କଇଁ ଆସିଲାରୁ ସବୁ ସୁନ୍ଦର ସବୁ ଭଲ ଲାଗିଲା । ବଞ୍ଚିବା ସ୍ୱାଦ ମୁଁ ଚାଖିଲି । ଦେହ ମୁଣ୍ଡରେ ପଡିଗଲେ ରସୁଣ ତେଲ ଗିନା ଧରି ଏମିତି କଇଁ ପରି କେହି ମାଲିସି କରୁନଥିଲେ । ସଂକ୍ଷେପରେ କହିବାକୁ ଗଲେ ଜୀବନ ଏତେ ଲୋଭନୀୟ ଏମିତି ସ୍ୱାଦିଷ୍ଟ କଇଁ ହିଁ ଆମ ବାପା ପୁଅଙ୍କୁ ଦେଲା ।
ଖାଦ୍ୟ ଦୁନିଆଁରେ ଏତେ ପ୍ରକାର ପୁଣି ଘରେ ରୋଷେଇ ହୁଏ ଦେଖି ଓ ଖାଇ ଖାଲି ଆଶ୍ଚର୍ଯ୍ୟ ହେଲି ନାହିଁ ବିସ୍ମୟ ବି ହେଲି । ଆଗେ ଯେଉଁ ଦିନ ଭଲ ଖାଇବାକୁ ଇଚ୍ଛା ହୁଏ ବାପା ହୋଟେଲରୁ ମଗେଇ ଆଣନ୍ତି । ପିଠା ପଣା ଯାହା ଯେତେବେଳେ ମନ ହୁଏ ସବୁ କିଣା ଜିନିଷରେ ଆମେ କାମ ଚଳେଇ ନେଉ । ବାପା ମୋ କଥା ବୁଝୁ ବୁଝୁ ନିଜ କଥା ଭୁଲି ଯାଆନ୍ତି । ମୁଁ ଟିକେ ବଡ଼ ହେବାରୁ ବାପା ମୋ ସଫା ଟପା ଓ ଦେହ ମୁଣ୍ଡ ବୁଝିଲା ବେଳେ ମୁଁ ତାଙ୍କର ବୁଝିବାକୁ ଆରମ୍ଭ କଲି ।
ବେଳେବେଳେ ଭାରି ଅସହାୟ ଲାଗେ । ବାପା ରୋଷେଇ ସହ ସବୁ ଘର କାମ ଓ ତାଙ୍କ ଚାକିରୀ କଥା କଥା ବୁଝାବୁଝି କରି କରି ଥକି ପଡନ୍ତି ନି କେମିତି ମୁଁ କେବଳ ଭାବେ । ମୋ ବାପାଙ୍କ ଦେହ କି ମନ କଥା ବୁଝିବାକୁ କେହି ନାହିଁ । ମୋ କଥା ତ ବାପା ବୁଝନ୍ତି କିନ୍ତୁ ବାପା କଥା!
ଯେତେ ଯେତେ ବଡ଼ ହେଉଥିଲି ସେତେ ଅଧିକ ବାପାଙ୍କ ଦୁଃଖ ମୋତେ ଗ୍ରାସ କରୁଥିଲା । ଏଣୁ ବାପା ରୋଷଇ କଲେ ମୁଁ ବାସନ ମାଜି ଦେଉଥିଲି । ସେ ମୋ ସାର୍ଟ ପ୍ୟାଣ୍ଟ କାଚିଲେ ମୁଁ ପାଇପି ମାରି ଦେଉଥିଲି ଧୋଇବା ପାଇଁ । ବାପା କିନ୍ତୁ ସବୁ କଥାରେ ମୋତେ ବାରଣ କରି ମନ ଲଗାଇ ପଢିବାକୁ କୁହନ୍ତି । ମୁଁ ପାଠ ତ ପଢେ, ମାଷ୍ଟର ପୁଅ ପାଢ଼ ପଢିବିନି ତ ଆଉ କଣ କରନ୍ତି । ଜନ୍ମ ହେଲା ଦିନୁ ଦେଖିଛି ଆମ ଘରେ ପିଲାଙ୍କ ପାଠ ପଢା । ବାପା ସକାଳ ଓ ସଞ୍ଜରେ ଟିଉସନ କରନ୍ତି । ସେଇ ପିଲାମାନଙ୍କ ଗହଣରେ ବହି ଖାତା ମେଳରେ ମୋ ପିଲା ଦିନ ବିତିଛି । ଚାରି ବର୍ଷ ହୋଇଥିଲି ମାଆ ମଲା । ସେବେଠାରୁ ସାଇକେଲ ପରେ ଗାଡି ପଛରେ ବସି ବାପା ଯେତେ ସ୍କୁଲ ଟ୍ରାନ୍ସଫର୍ ହୋଇଛନ୍ତି ମୁଁ ସେତେଟା ସ୍କୁଲରେ ପାଠ ପଢ଼ିଛି ତାଙ୍କ ସହ ଯାଇ ।
ବାପା ତିନି ଝିଅ ତଳେ କୋଡ଼ପୋଛା ଭାରି ଗେହ୍ଲା ପୁଅ । ସେଥିରେ ପୁଣି ତାଙ୍କ ସାନ ଭଉଣୀ ଠାରୁ ସେ ଦଶ ବର୍ଷ ସାନ । ମୋ ପିଉସୀମାନେ ବୟସ୍କା ହୋଇଗଲେଣି । ମୋ ଜନ୍ମ ହେବାର ବର୍ଷକ ପରେ ଜେଜେମାଆ ଓ ମୋତେ ତିନି ବର୍ଷ ହେଲା ବେଳକୁ ଜେଜେ ମରିଗଲେ ।
ଶେଷରେ ମାଆଟା ବି ବାପାଙ୍କୁ ଏକା କରି ଚାଲିଗଲା !!
ମୋ ବାପା ଏ ଦୁନିଆଁର ସବୁଠାରୁ ଦୁଖୀ ଏକ୍ଳା ମଣିଷ । ମାଆ ମଲା ପରେ ଟିଉସନ ବନ୍ଦ । କେବଳ ମୋ କଥା ଓ ଚାକିରୀ ଛଡା ଆଉ କିଛି ଚିନ୍ତା କରି ନାହାନ୍ତି ବାପା । ମୁଁ ଯେବେ ମାଆ ମାଆ କହି ଆକୁଳ ହୋଇ କାନ୍ଦେ ବାପା ମାଆର ବଡ଼ ଫୋଟୋଟିଏ ମୋତେ ଧରେଇ ଦିଅନ୍ତି । ମୁଁ ତୁନି ହୋଇ ମାଆ ସଂଗେ କଥା ହେଉ ହେଉ କେତେବେଳେ ତାକୁ ଧରି ଶୋଇ ପଡେ । ପ୍ରାୟତଃ ଫୋଟୋଟି ମୋ ସହ ଥାଏ । ବାପା ମୋତେ ବେଡକୁ ଉଠାଇ ନିଅନ୍ତି । ମୋତେ ମଝିରେ ଓ ଗୋଟେ କଡେ ବାପା ଅନ୍ୟ କଡେ ଯେଉଁଠି ସବୁଦିନେ ମାଆ ଶୋଉଥିଲା ସେଇ ଜାଗାରେ ଫୋଟୋଟିକୁ ଶୁଆଇ ଘୋଡେଇ ଦିଅନ୍ତି । ବାପାଙ୍କ ଡାହାଣ ହାତ ମୋ ସହ ମାଆ ଫୋଟୋ ଯାଏ ଲମ୍ବି ଯାଏ ।
ଦିନେ ଦିନେ ରାତିରେ ବାପା ଏପଟ ସେପଟ ଖାଲି କଡ଼ ଲେଉଟାନ୍ତି । ଟଏଲେଟ୍ ବାରମ୍ବାର ଯାଆନ୍ତି ଓ ବଟଲରୁ ପାଣି ଢାଳି ପିଅନ୍ତି ।
ନିଦ ହେଉନି କି ବାପା ?
ନାଇଁରେ ଆୟୁ ।
ମୁଁ ତାଙ୍କ ହାତ ଧରି ବେଡକୁ ନେଇ ଆସେ । ତାଙ୍କ ଆଖି ଉପରେ ହାତ ଥାପୁଡ଼େଇ ଶୁଆଇ ଦେବାର ଚେଷ୍ଟା କରି କୁହେ, "ବାଇଆ ଯା ଯା ମୋ ବାପା ଶୋଇ ପଡିଲେଣି । " ବାପା ଯେଉଁ ଯେଉଁ ଗୀତ ବୋଲି ମୋତେ ଶୁଆନ୍ତି ସେ ସବୁ ଗୁଲୁ ଗୁଲୁ ହୋଇ ବୋଲେ ।
ଯେତେବେଳେ ବାଇ ଚଢ଼େଇରେ ବାଇ ଚଢେଇ ଆୟୁ ମାଆ ଯାଇଛି ଆକାଶ ତାରା ହୋଇ ବୋଲେ ବାପା ମୋତେ ତାଙ୍କ ଛାତି ଉପରକୁ ଟାଣି ନେଇ ଖୁବ୍ କାନ୍ଦନ୍ତି ।
ବାପାଙ୍କ କାନ୍ଦ ମୋ ପିଲା ମନକୁ ଦଳିମନ୍ଥି ପକାଏ । କେବେ କେବେ ସାନ ପିଉସୀ ମିରା ନାନୀ ଆସନ୍ତି । ତିନି ପିଉସୀ ମଧ୍ୟରେ ମୀରା ନାନୀ ଭାରି ଭଲ । ମୋ ବାପାଙ୍କୁ ଖୁବ୍ ଭଲ ପାଆନ୍ତି । ମଝିରେ ମଝିରେ ଆସନ୍ତି ଘର ଅଳନ୍ଧୁ ସହ ବାପାଙ୍କ ବହି ଥାକ, ପୋଷାକ ପତ୍ର ସଫା ଓ ଆଇରନ୍ କରି ଦେଉଥିଲେ । ମାତ୍ର ଏବେ ସେ ବି ଆସନ୍ତନି, କାରଣ ୟୁଟ୍ରସ ପ୍ରୋବ୍ଳେମ୍ ହେତୁ ସେ ଉଠି ବସି ପାରୁନାହାନ୍ତି । ଅନ୍ୟ ପିଉସୀମାନେ କେବଳ ଆସନ୍ତି ଓ ସଂଗେ ସଂଗେ ପଳାନ୍ତି । ସେତିକି ସମୟ ଭିତରେ 'ଆର୍ଯ୍ୟ' ଏଇଟା ଦେ ଆର୍ଯ୍ୟ ସେଇଟା ନବୁ ବରାଦ କରନ୍ତି । ମୋ ବାପାଙ୍କ ନାଁ ଆର୍ଯ୍ୟମାନ ସ୍ୱାଇଁ, ଡାକନ୍ତି ଆର୍ଯ୍ୟ । ବାପା ବି ଭାଉଜ ନାହିଁ କାଳେ ମନ ଊଣା କରିବେ ସେମାନେ ବୋଲି ବରାଦ କରିବା ଆଗରୁ ସବୁ ସଜିଲ କରି ଥାଆନ୍ତି । ତଥାପି ବଡ଼ ନାନୀ ଦୁଇ ଜଣ ଯେତେ ନେଲେ ବି ଖୁସି ହୁଅନ୍ତି ନାହିଁ । ବରଂ କୁହନ୍ତି ଚାକିରିଆ ଭାଇ ଦିଅନ୍ତା ନାହିଁ କି ।
ଏଣୁ ଆମ ଭାଗ୍ୟରେ ସବୁଦିନେ ଡାଲି ଓ ଆଳୁ କିମ୍ବା ବାଇଗଣ କି ବିଲାତି ସିଝେଇ ଚକଟି ଖାଇବା ଥୟ । ଆଉ କିଛି ରୋଷେଇ ବାପାଙ୍କୁ ଆସେନି । ମୁଁ ବଡ଼ ହେବା ସହ ଡାଲି ଓ ଭାତ କରିବା ଶିଖିଗଲି । ଘରଦ୍ୱାର ଓଳାଓଳି କଲି । ବେଡ୍ ସଜେଇଲି । ସଞ୍ଜ ଦେଲି । ବାପା ଓ ମୋ ପାଇଁ ଖାଇବା ବାଢ଼ିଲି ।
ମୋର ଏପରି କାମ ଦେଖି ମୋ ସାଙ୍ଗମାନେ କୁହନ୍ତି ଆୟୁ ତୁ ଗୋଟେ ମାଇଚିଆ । ରୋଷେଇ କରୁଛୁ,ସଞ୍ଜ ଦେଉଛୁ ଘର ବାଡ଼ି ଓଳାଉଛୁ ।
ମୁଁ କିଛି କୁହେ ନାହିଁ । ମନେ ମନେ କିନ୍ତୁ କୁହେ କଣ ହେଲା ସେଇଠୁ ମୋ ମାଆ ନାହିଁ । ଆମ ଘର କାମ କିଏ କରିବ! ସବୁବେଳେ ମୋ ବାପା କରୁଥିବେ କି ?ମୁଁ ଟିକେ ସାହାଯ୍ୟ ନ କଲେ ହେବ କେମିତି ଯେ । ଝିଅ ପିଲେ ବି ଆୟୁଟା ମାଇଚିଆରେ, ଚିଡ଼େଇଲେ ମୋ ମୁଣ୍ଡକୁ ପିତ୍ତ ଚଢ଼ିଯାଏ । ସବୁ ଦୋଷ ମାଆକୁ ଦିଏ । ତା ଫୋଟୋକୁ ଧରି କୁହେ, ତୁ କାଇଁକି ମଲୁ ମାଆ । ଦେଖେତ ବାପାଙ୍କୁ ଟିକେ କାମରେ ସାହାଯ୍ୟ କରୁଛି ବୋଲି ମୋତେ ସମସ୍ତେ ମାଇଚିଆ କହୁଛନ୍ତି!
ଯେତେ ବଡ଼ ହେଉଥିଲି ଏ ମାଇଚିଆ ଶବ୍ଦଟି ମୋତେ ଭାରି କଟୁ ଲାଗୁଥିଲା । ମନ ହେଉଥିଲା ମୁଥି ମାରି କହିବା ପିଲାଙ୍କ ଦାନ୍ତ ଭାଙ୍ଗିଦେବାକୁ । କିନ୍ତୁ ଚୁପ୍ ରହୁଥିଲି । ହେଲେ ଦିନେ ସହିବା ଶକ୍ତି ମୋର ସୀମା ଟପିଗଲା । ଭୀଷଣ ରାଗିକି ଦି ଚାରିଟା ପିଲାଙ୍କୁ ପିଟିଲି ନିର୍ଘାତ । ତୁମର କଣ ଯାଉଛି ମୁଁ ମାଇଚିଆ ହେଲି । ମୋ ମାଆ ନାହିଁ ଆମ ଘର କାମ କଣ ତୁମେ କରିବ ? ମୋ ବାପା କଣ ସବୁ ଏକା କରିବେ!
ବେଦ୍ ଚିଡ଼େଇବା ପିଲାଙ୍କ ଓସ୍ତାତ କହିଲା, "ତୋ ବାପା ଆଉ ଗୋଟେ ବାହା ହୋଇ ପଡୁନାହାନ୍ତି; ତୋର ଗୋଟେ ନୂଆ ମାଆ ହୁଅନ୍ତା ଓ ଘର କାମ କରନ୍ତା ।
ସତେ ତ ଏକଥା ମୋ ମନକୁ କାଇଁ ଆସି ନଥିଲା !
ସେଦିନ ଖାଇ ପିଇ ଶୋଇଲା ବେଳେ କହିଲି, "ବାପା ମୋର ଗୋଟିଏ ନୂଆ ମାଆ ଆଣୁନ । ଆମେ ସ୍କୁଲ ଗଲେ ଆଉ ଘର ତାଲା ପକାଇ ଯାଏନ୍ତେ ନାହିଁ । ନୂଆ ମାଆ ଘରେ ରୁହନ୍ତା । "
ବାପା ମୋ ମୁଣ୍ଡ ସାଉଁଳେଇ କହିଲେ, ମୁଁ କଣ ତୋ ମାଆର କମି ପୂରଣ କରି ପାରୁନି କି ଆୟୁ? ହେଉ ଏଣିକି ମୁଁ ଅଧିକ ସତର୍କ ରହିବି ଯେ ତୁ ଯେପରି ତୋ ମାଆକୁ ଝୁରିବୁ ନାହିଁ । ବାପା ମରିଗଲେ ମାଆଟିଏ ତା ପିଲାଙ୍କୁ ଏକା ଏକା ମଣିଷ କରି ପାରିଲା ବେଳେ ଜଣେ ବାପା ମାଆ ମଲା ପରେ ଏକା ପିଲା ସମ୍ଭାଳି ପାରିବ ନାହିଁ କାହିଁକି?
ଆୟୁ ତୁ ପିଲା ଲୋକ ଏ ଦୁନିଆଁ ବିଷୟରେ କିଛି ଜାଣିନୁ । ସୁବୁକୁ ଦେଖୁଛୁଟି । ତା ବାପା ଆଉ ଗୋଟେ ବାହା ହେଲା ପରେ ତା ଅବସ୍ଥା କଣ ହେଉଛି? ପଢୁଆ ପିଲାଟା ଛେଳି ଜଗୁଛି । ନୂଆ ଆସିଲେ ତୋତେ ଭଲ ପାଇବ, ତୋ ସହ ମୋ କାମ ନିଶ୍ଚିତ କରିବ ସେ ଗ୍ୟାରେଣ୍ଟି କିଏ ଦେବ? ଆମେ ଯେମିତି ଅଛେ ଠିକ୍ ଅଛେ । ଈଶ୍ୱର ତୋ ଭାଗ୍ୟରେ ମାଆ ସୁଖ କି ମୋ ଭାଗ୍ୟରେ ସ୍ତ୍ରୀ ସୁଖ ଲେଖି ନାହାନ୍ତି । ଯାହା ଈଶ୍ୱରଙ୍କ ଇଚ୍ଛା ନୁହେଁ ତେଣିକି ମନ ବଳାଇଲେ ଦୁଃଖ ଭୋଗ କରିବା ସାର ହୁଏ ।
ଏଣୁ ନୂଆ ମାଆ ଆସିବା ସ୍ୱପ୍ନ ମୋର ସ୍ୱପ୍ନରେ ରହିଗଲା । ମୁଁ ବି.ଏସସି. ପରେ ବି.ଇଡି. ଟ୍ରେନିଂ ନେଲି ଓ ଟିଚର ପୁଅ ହାଇସ୍କୁଲରେ ଟିଚରଟିଏ ହେଲି ।
ଏଇଠୁ ବାପା ଓ ମୁଁ ଟିକେ ଅଲଗା ହେଲୁ । ବାପା ତାଙ୍କ ସ୍କୁଲ ଗଲାବେଳେ ମୁଁ ମୋ ସ୍କୁଲ ଗଲି । ସବୁଦିନ ମୁଁ ଆଗ ଘରୁ ବାହାରେ ଯେହେତୁ ମୋ ସ୍କୁଲ ବାପାଙ୍କ ସ୍କୁଲ ଠାରୁ ଦଶ କିଲୋମିଟର ଅଧିକ ରାସ୍ତା । ଚାକିରୀ କରିବା ପରଠୁ ବାପା ସକାଳେ ଖାଆନ୍ତି କି ନାହିଁ ମୁଁ ଦେଖିପାରେ ନାହିଁ । ମୋତେ ଖାଇବାକୁ ଦେଇ ମୋ ଟିଫିନ୍ ସଜାଡ଼ି ମୋତେ ସ୍କୁଲ ପଠାଇ ସାରିଲା ପରେ ଖାଇବେ କୁହନ୍ତି । କେବଳ ରାତିକି ସାଙ୍ଗ ହୋଇ ଖାଉ । ସାଙ୍ଗ ହୋଇ ଶୋଉ
ଏମିତି ଭାତ ଡାଲି ବାଣ୍ଟି ଖୁଆ ଖୋଇ ହେଲା ପରି ବାପା ଓ ମୁଁ ଜୀବନକୁ ଭାଗ ବାଣ୍ଟୁ ବାଣ୍ଟୁ କେତେ ବେଳେ ମୁଁ ବାହା ହେବା ଯୋଗ୍ୟ ବି ହୋଇଗଲି ।
ଖୋଜି ଖୋଜି ବାପା ବୋହୁଟିଏ କଲେ । ମୁଁ ବହୁତ ଖୁସି ଥିଲି ଯେ ଆମ ଭାଗ୍ୟ ଖୋଲିଲା । ଏଣିକି ଆମ ଘର ଘର ପରି ଲାଗିବ । ସେଇଆ ହେଲା କିନ୍ତୁ ବାପା ବେଶୀ ଏକୁଟିଆ ହୋଇଗଲେ । ବାପାଙ୍କ ସମୟରୁ କଇଁ କିଛି ଭାଗ ବସିଲା । ବାପାଙ୍କ ପାଖରେ ମୁଁ ଆଉ ଶୋଇ ପାରିଲି ନାହିଁ । ପ୍ରତିଦିନ ଶୋଇବା ପୂର୍ବରୁ ବାପାଙ୍କ ପାଖକୁ ଯାଏ । ବେଡ୍ କରିଦିଏ ବାପା ଓ ମାଆ ଫୋଟୋକୁ ଘୋଡେଇ ଦିଏ । ମୋ ମଝି ଜାଗାଟି ଖାଲି ରୁହେ ସେମିତି । ବେଡ୍ ଧାରରେ ବସି ଭାବେ ବାପା ମୋ ବାହାଘର ପରେ ପ୍ରକୃତରେ ଖୁବ୍ ଏକା ହୋଇ ଯାଇଛନ୍ତି । ମୋ ଚିନ୍ତା ଭର୍ତ୍ତି ମୁହଁକୁ ପଢି ବାପା କୁହନ୍ତି ଆରେ ଯା କଣ ବସି ଭାବୁଛୁ? ବୋହୁଟି ଅପେକ୍ଷା କରିଥିବ । ବଡ଼ ହେଲୁଣି, ଘର ସଂସାର କଲୁଣି ଯା ଆୟୁ ଯା ।
ଭଲ ଝିଅଟିଏ ଈଶ୍ୱରଙ୍କ ଅପାର କରୁଣାରୁ ମୋତେ ମିଲିଥିଲେ ବି ବାହାଘର ପରେ ଅସୁଖ ଅନୁଭବ କରୁଥିଲି । କଣ କରିବି କିଛି କୁଳ କିନାରା ପାଉ ନଥିଲି । କଇଁ ଆସିଲା ପରେ ବାପା ପ୍ରତି କଥାରେ କଇଁକୁ ମୋ ମାଆ ସହ ତୁଳନା କରୁଥିଲେ । କଇଁକୁ ମାଆ ପରି ରୋଷେଇ ଆସୁନି । ଘରକରଣା ମାଆ ପରି ଶିଖିନି । ସ୍ୱଭାଵ ବି ମାଆ ପରି ନୁହଁ । କଇଁ କଥାବାର୍ତ୍ତା, ବ୍ୟବହାର ମଧ୍ୟ ମାଆ ସଙ୍ଗେ ମିଶୁନି ଇତ୍ୟାଦି ଇତ୍ୟାଦି ।
ମୋ ବାହାଘର ପରେ ବାପା ବଦଳିଗଲେ କି ମୁଁ ବଦଳିଲି କିବା ଆମ ପରିବେଶ ତାହା ବୁଝିବା ମୁସ୍କିଲ ଥିଲା ମୋ ପାଇଁ । ବେଶୀ କଇଁକୁ ନେଇ ବାପା ପୁଅ ଭିତରେ ଦୂରତା ବଢିବାକୁ ଓର ଖୋଜୁଥିଲା ।
ମୁଁ ଆଶ୍ଚର୍ଯ୍ୟ ହେଲି ଯେ ବାପା କଇଁ ଭିତରେ ମାଆକୁ କାହିଁକି ଖୋଜୁଛନ୍ତି ? କଇଁ ତ କଇଁ ସେ କେମିତି ମାଆର ସବୁ ଗୁଣ ଆଣି ପାରିବ!!କଣ ହୋଇଛି ବାପାଙ୍କର !
ଆସ୍ତେ ଆସ୍ତେ ବାପା ଏମିତି ହେଲେ ଯେ ଦିନେ ଦିନେ କଇଁ ଉପରକୁ ଖାଇବା ଭଲ ହୋଇନି କହି ଫିଙ୍ଗିବେ । କିନ୍ତୁ ଖାଇବା ତ ଅତି ଟେଷ୍ଟ ହୋଇଥାଏ!
ଝିଅଟିଏ ଆସିବ ଆମ ଘର ହସିବ ଆଶା ମୋର ପାଣି ଫୋଟକା ପରି ମିଳେଇ ଗଲା । ଜଣେ ଡାକ୍ତର ବନ୍ଧୁଙ୍କ ସହ ବାପାଙ୍କ ବିଷୟରେ କଥା ହେଲି । ସେ ଯାହା କହିଲେ ମୋ ହୋସ୍ ଉଡ଼ିଗଲା । ବାପା ଜୀବନ ସାରା ନିଜ ଭିତର କାମନା ବାସନାକୁ ଚାପି ରଖି ଏକା ଏକା ସବୁ ଦୁଃଖ କଷ୍ଟକୁ ଭୋଗି ଭୋଗି ସେ ଏପରି ଏକ ମାନସିକ ରୋଗର ପୀଡିତ ଯେ ଯାହା କରୁଛନ୍ତି କିଛି ବୁଝି ପାରୁନାହାନ୍ତି କିମ୍ବା ସେ ଏପରି କରୁଛନ୍ତି ବୋଲି ତାଙ୍କର କିଛି ମନେ ରହୁ ନାହିଁ । ଏମିତି ଏକ ବିପଦ ସଂକୁଳ ଷ୍ଟେଜରେ ପହଞ୍ଚି ଯାଇଛନ୍ତି ସେ । ମୁଁ ଦୀର୍ଘ ଏକୋଇଶି ବାଇଶି ବର୍ଷ ତାଙ୍କ ସହ ଯୋଡି ହୋଇ ଥିଲି । ଏବେ ତାଙ୍କଠାରୁ ଦୁରେଇ ଆସିବାଟା ତାଙ୍କୁ ଖୁବ୍ ବାଧିଛି ।
ଉପାୟ!
ତାଙ୍କୁ ସହଯୋଗ କରିବା । ପ୍ରତିବାଦ ନ କରିବା । ସେ ଯାହା କହୁଛନ୍ତି ଠିକ୍ କହିବା । ଯଥା ସମ୍ଭବ ଖୁସି ରଖିବ ତାଙ୍କୁ । ନଚେତ ସାଧାରଣରୁ ଅସାଧାରଣ ସମସ୍ୟା ଦେଖାଦେବା କିଛି ଅସମ୍ଭବ ନୁହେଁ । ତୋ ମିସେସ୍କୁ କହିବୁ ଖୁବ୍ ସତର୍କ ରହିବ ସେ । ତାକୁ ତୋ ବାପାଙ୍କ ପାଖେ କେବେ ଏକା ଛାଡ଼ିବୁ ନାହିଁ ।
ଓହୋ ଜୀବନ ମୋର ବିଷମୟ ହେଇ ଉଠୁଥିଲା । ଦିନୁ ଦିନ କଇଁ ଉପରେ ବାପାଙ୍କ ଅତ୍ୟାଚାର ବଢ଼ୁଥିଲା । ମୁଁ ଅନ୍ଧ ମୁକ ବଧିର ପରି କିଛି ଦେଖି ପାରୁ ନଥିଲି କି କିଛି ଶୁଣି ପାରୁ ନଥିଲି । ବାପାଙ୍କୁ ତ କିଛି କହି ପାରିବି ନାହିଁ । ମୁଁ ଜାଣିଛି ତାଙ୍କ ଦୁଃଖ । ସେଥିରେ ସେ ଯାହା କରୁଛନ୍ତି କେବଳ ରୋଗର ଶିକାର ହୋଇ । କିଛି ଜାଣି ପାରୁନାହାନ୍ତି । ଯେତେବେଳେ ବୁଝୁଛନ୍ତି ଏପରି ହଇରାଣ ହରକତ କରୁଛନ୍ତି ବୋଲି ଆଦୌ ବିଶ୍ୱାସ କରୁ ନାହାନ୍ତି । ଭାରି ବିକଳ ଲାଗୁଛି ତାଙ୍କ ଚାହାଣି ।
ଦିନେ ବାପା ମୋତେ ଡାକି କହିଲେ, ଆରେ ଆୟୁ ଦିନନାଥ ମୋ ସହକର୍ମୀ ଏବଂ ଆମ ଗାଁ ପରେଶ କହୁଥିଲେ ମୁଁ କୁଆଡେ ବୋହୁ ଉପରକୁ ଫିଙ୍ଗାଫିଙ୍ଗି କରୁଛି? କାଇଁ ତୁ ମୋତେ ଏ ବିଷୟରେ କିଛି କହିନୁ । ସତରେ ଆୟୁ ମୁଁ ମୋ ବୋହୂକୁ ଏମିତି ହଇରାଣ କରୁଛି!!
ବାପା କହି ମୁଁ କୁଣ୍ଢେଇ ପକାଇ ପିଲାଙ୍କ ପରି କାନ୍ଦି ଉଠିଲି । ବାପା ଖୁବ୍ ଗମ୍ଭୀର ହୋଇ କହିଲେ ତୁ ମୋ କଥା ମାନିବୁ ଆୟୁ! ମୋର କଣ ହୋଇଛି ମୁଁ ଜାଣି ପାରୁନାହିଁ । ସୁନାନାକି ବୋହୁଟାକୁ ମୋର ଏତେ ଦୁଃର୍ବ୍ୟବହାର କରୁଛି । ତୁ ଗୋଟେ କଥା କର ବୋହୂକୁ ସାଙ୍ଗରେ ନେଇ ତୋ ସ୍କୁଲ ପାଖେ ରହ । ପ୍ରତି ଦିନ ଏତେ ବାଟ ଯିବା ଆସିବା କାଇଁ କରିବୁ, ବରଂ ସେଇ ପାଖା ପାଖି ଭଡା ନେଇ ରହିଯା ।
ବାପା!! ମୋ ଶ୍ୱାସ ରୁଦ୍ଧ ହେଲା ପରି ଲାଗୁଥିଲା । ମୁଁ କହିଲି କାହା କଥାରୁ କଣ ମିଳିବ ବାପା । ସବୁ ଠିକ୍ ଠାକ୍ ଅଛି । ତୁମେ ଆଦୌ ଚିନ୍ତା କରନା ।
ବାପା ନିଜକୁ ଦୋଷୀ ଦୋଷୀ ଭାବୁଥିଲେ । ଗାମୁଛାରେ ବାମ୍ଫେଇବା ମୁହଁକୁ ପୋଛି ପୋଛି ବାରି ଆଡକୁ ପଳାଇଲେ ।
ଇଏ ଗୋଟେ ଏତେ ମାରାତ୍ମକ ମାନସିକ ରୋଗ ! ରୋଗୀ ଜାଣି ପାରୁନି କଣ କରୁଛି । ସ୍କୁଲରେ ତ ଭଲ । ଠିକ୍ ଠାକ୍ ପାଠ ପଢା! ସବୁ କାମ ତ ଠିକ୍ ଠାକ୍ । କେବଳ ବେଳେବେଳେ କଇଁ ଉପରକୁ ଏମିତି ହେବାର କାରଣ !! ମୋତେ ଭାରି ବ୍ୟଥିତ କରୁଥିଲା ଆକସ୍ମିକ ଭେଟ ହେବା ଏଇ ଜୀବନ ସହ ।
ହଁ କଇଁକୁ କୁହେ ମୋ ବାପାଙ୍କୁ କିଛି କହିବ ନାହିଁ । କେବଳ ମୋରି ପାଇଁ ସେ ଏକ୍ଳା ଏକ୍ଳା ନିଜ ଜୀବନ, ବୟସ ଓ ଜୀଇଁବା ଭୁଲି ଯାଇଛନ୍ତି । ଚେତନ ମନ ସିନା ତ୍ୟାଗୀର, ଯୋଗୀର ଜୀବନ ବଞ୍ଚିବାକୁ ବାଧ୍ୟ; କିନ୍ତୁ ଅବଚେତନ ମନ ଏସବୁ ମାନିବାକୁ ବାଧ୍ୟ ନୁହେଁ । ତାର ଯାହା ଇଚ୍ଛା ତାହା ହିଁ କରୁଛି ।
କଇଁ ହସିଦେଇ କୁହେ ସେ କଣ ଖାଲି ତୁମ ବାପା ମୋ ବାପା ନୁହଁନ୍ତି!
କଇଁ !! ବିଚାରୀ ଝିଅଟି ବାହା ହୋଇ ଆସୁ ଆସୁ ସବୁ ଜଞ୍ଜାଳ ମୁଣ୍ଡେଇବା ସହ ବାପାଙ୍କ ରାଗ ରୋଷର ଶିକାର ହେଉ ହେଉ ହସ୍କୁରୀ ଝିଅଟି ଦିନୁ ଦିନୁ ଗମ୍ଭୀର ହୋଇଯାଉଥିଲା । କିନ୍ତୁ ମୁହଁ ଖୋଲି କେବେ ମୋ ବାପାଙ୍କ ବ୍ୟବହାର ବିଷୟରେ ମୋତେ କହିନି କି ଅତିଷ୍ଠ ହୋଇନି ।
ମୁଁ ଆୟୁଷ୍ମାନ ସ୍ବାଇଁ ତ୍ରିଶଙ୍କୁ ପରି ଝୁଲିଛି ବାପା ଓ କଇଁ ମଝିରେ ।
ମୋ ଠାରୁ ବାପା ଯେ ମାନସିକ ରୋଗର ଶିକାର ସେ କଥା ଜାଣି କଇଁ ଆଶ୍ଚର୍ଯ୍ୟ ହେବା ସହ ଗୋଟେ ପ୍ରସ୍ତାବ ଦେଲା, ଚାଲ ବାପାଙ୍କ ଦ୍ଵିତୀୟ ବିବାହ କରୁଦେବା । ସାଙ୍ଗଟିଏ ପାଇଲେ ସେ ପୁଣି ନର୍ମାଲ ହୋଇଯିବେ ।
ଠିକ୍ ଯେ ପାତ୍ରୀ କେଉଁଠୁ ମିଳିବେ । ବାପାଙ୍କୁ ରାଜି କରାଇବ କିଏ?
ଦେଖିବା, ଖୋଜିବା । ଉଦ୍ୟମ ଓ ଇଚ୍ଛା ଥିଲେ କଣ ଅସମ୍ଭବ ଅଛି କି?
ବାପା ଏଇ ମୁହୂର୍ତ୍ତରେ କଇଁକୁ ବିଗିଡି ଥିବେ ତ ଟିକେ ପରେ ଅତି ଭଲ କଥା ମାଆ, ମୋ ସୁନା ବୋହୁ କହିବେ । ଦିନେ ବାପା ଘରେ ଥିଲେ ସାନ ପିଉସୀ ନାନୀଙ୍କ ଦେହ ଅତିଶୟ ଖରାପ ଶୁଣି ମୁଁ ଦେଖିବାକୁ ଯାଇଥିଲି । ଫେରି ଦେଖେତ କଇଁ ଘରେ କବାଟ କିଳି ପଇଛି । ବାପା କଟୁରି ଧରି ସେ ଦୁଆର ମୁହଁରେ ଜଗିଛନ୍ତି ।
ମୁଁ ଏ ସବୁ ଦୃଶ୍ୟ ଦେଖି ଯଦିଓ ଅନୁମାନ କଲି କିଛି ଅଘଟଣର କିନ୍ତୁ ଏତେ ମାରାତ୍ମକ କଥା ଆକଳନ କରି ନ ଥିଲି । ବାପା ମୋତେ ଦେଖି କହିଲେ ଆଜି ହାଣି ଦେବି ତୋ ସ୍ତ୍ରୀକୁ । କହ ଦେଉ ସେ ପିନ୍ଧା ଶାଢ଼ୀଟା । ତୋ ମାଆ ଶାଢ଼ୀ ସେଇଟି । ତୋ ସ୍ତ୍ରୀ କାଇଁ ପିନ୍ଧିଛି ?
ବାପା ! କେଉଁ ଶାଢ଼ୀ?
ସେଇ ମେରୁନ୍ କଲର୍ ହାତ ବୁଣା ଫୁଲ ପକା ଶାଢ଼ୀ । ସାବିତ୍ରୀ ଦିନ ତୋ ମାଆ ପାଇଁ ସେଇଟି ଆଣିଥିଲି ।
ବାପା ତୁମେ ପରା ସେ ଶାଢ଼ୀଟି ମୋତେ ଦେଇ କହିଥିଲ ନେ ଆୟୁ ଏ ଶାଢ଼ୀଟି ସାଇତିକି ରଖିଥା । ମୋ ବୋହୁ ଆସିଲେ ପିନ୍ଧିବ । ମୁଁ ସେଇଟା କଇଁକୁ ଦେଇଥିଲି । ସେଥିପାଇଁ ସେ ପିନ୍ଧିଛି ।
ଓହୋ ମୋ ବୋହୁ ପିନ୍ଧିଛି । ଭଲ ଭଲ ପିନ୍ଧୁ କହି ବାପା ଅପରାଧୀ ପରି ତଳକୁ ମୁହଁ ପୋତି ବାରି ଆଡକୁ ଚାଲିଗଲେ ।
ଡାକିବାରୁ କଇଁ କବାଟ ଖୋଲି ମୋତେ କୁଣ୍ଢେଇ ପକାଇ ଭୋ ଭୋ କାନ୍ଦି କହିଲା ମୋତେ ଆମ ଘରେ ଛାଡ଼ି ଆସ । ମୁଁ ଏଠି ଚଳି ପାରିବି ନାହିଁ । ବାପା ଆଜି ମୋ ଇଜ୍ଜତ ନେବାକୁ ଦେଖ୍ ଶାଢ଼ୀ ଟଣା ଓଟରା କରି କେମିତି ଚିରିଛନ୍ତି । ମୁଁ ଏ ଘରେ ଆଉ ରହି ପାରିବି ନାହିଁ ।
କଣ କୁହନ୍ତି ଇଜ୍ଜତ ନୁହେଁ ମାଆ ଶାଢୀଟାକୁ ବାପା ଲୋଭ କରି ଟାଣୁଥିଲେ ବୋଲି । ମୋ ବାପା ଖରାପ ଲୋକ ନୁହଁନ୍ତି । କିନ୍ତୁ ମାଆ ପାଇଁ ଏବେ ସେ ପାଗଳ ହେବାକୁ ବସିଲେଣି । ଆହୁରି ଚାରି ବର୍ଷ ଚାକିରି ଅଛି ଅବସର ନେବାକୁ । ଆର୍ଯ୍ୟ ମାଷ୍ଟ୍ରେ ଜଣେ ଆଦର୍ଶ ଶିକ୍ଷକ ସାରା ଜିଲ୍ଲା ଜାଣେ । ହେଲେ ଚହଳ ପଡିଲା ଆର୍ଯ୍ୟ ମାଷ୍ଟ୍ର ପାଗଳ ହୋଇ ଗଲାଣି । ବୋହୁର ଇଜ୍ଜତ ନେବାକୁ ପଛଉ ନାହିଁ ।
ଆର୍ଯ୍ୟ ମାଷ୍ଟ୍ରେ ନୁହଁ ମୁଁ ଆୟୁ ହିଁ ପାଗଳ ହେଉଥିଲି । କେତେ ବାଲାନ୍ସ ରଖନ୍ତି ଆଉ । ବାପାଙ୍କ ଉପରେ ମୋ ଭରସା ରହୁ ନଥିଲା । କେତେବେଳେ ସତ ସତିକା କଇଁକୁ ହାଣି ନ ଦେବେ କିଏ କହିବ?ଯେଉଁ ବାପା ମୋ ବୋହୁ ଆସିବ ମୋ ଘର ପୁରିବ ଅନେଇଁ ବସିଥିଲେ ସେଇ ବାପାଙ୍କ ପାଇଁ କଇଁକୁ ନେଇ ତାଙ୍କ ଘରେ ଛାଡ଼ି ଦେଇ ଆସିଲି ।
ଆଗ ପରି ବାପାଙ୍କ ସହ ମୁଁ ଖାଇଲି, ପିଇଲି,ଶୋଇଲି । ଶୋଇଲା ବେଳେ ମୋତେ ବାପା କୁହନ୍ତି ବୋହୂ କାଇଁକି ଆଠ ଦିନ ହେଲା ତାଙ୍କ ଘରୁ ଆସିନି ? ବାହା ହେଲା ପରେ କଣ ହାତରେ ରାନ୍ଧି ଖାଇବୁ । ମାଆ ଫୋଟୋକୁ କହିବେ ତୁ ତ ଚାଲିଗଲୁ ଦେଖିବୁ ଆ ଆର୍ଯ୍ୟ ମାଷ୍ଟ୍ରେ କେମିତିଆ ରୂପର ଗୁଣର ବୋହୁ କରିଛି । ଏ ଖଣ୍ଡ ମଣ୍ଡଳ ରେ ଏମିତି ବୋହୁ କେହି କରିଛି ଭଲା ଏ ଅଞ୍ଚଳରେ !
ମୁଁ ଭୋ ଭୋ ହୋଇ କାନ୍ଦିଲି ।
ତୁ କାଇଁ କାନ୍ଦୁଛୁ? ତୋର ପୁଣି କଣ ହେଲା ଆୟୁ ! ବାପା ମୋତେ ତାଙ୍କ ଛାତି ଆଡ଼କୁ ମୋତେ ଟାଣି ନେଇ କହିଲେ ।
ବାପା କଇଁ ଆଉ ଆମ ଘରକୁ ଆସିବା ନାହିଁ ମନା କରିଛି । ଏଇ ମୌକାର ସଦ୍ ବ୍ୟବହାର କଲି ।
ଆରେ କାହିଁକି ? ତାର କଣ ଅସୁବିଧା ହେଉଛି ଏଠି ?
କେମିତି କୁହନ୍ତି ବାପା ତୁମ ପାଇଁ କଇଁ ଆଉ ଆସିବ ନାହିଁ ଜିଦ ଧରିଛି ।
କିନ୍ତୁ କଇଁର ମୋର ପ୍ଲାନ କରିଥିଲୁ ସୁଯୋଗ ଦେଖି ବାପାଙ୍କୁ ବାହାଘର ପାଇଁ ରାଜି କରେଇବାକୁ ।
ଆରେ କହୁନୁ କାହିଁକି ଆସିବ ନାହିଁ ବୋହୁ ?
କହିବି ?
ହଁ କହ ।
କଇଁ କହିଛି ତାର ଶାଶୁଟିଏ ଲୋଡ଼ା । ଆମ ଘରକୁ ଶାଶୁଟିଏ ନ ଆସିଲେ ସେ ଆଦୌ ଆସିବ ନାହିଁ । ବାପା ଏଇ ଅଳ୍ପ ଦିନ ଭିତରେ ମୁଁ କଇଁକୁ ଖୁବ୍ ଭଲ ପାଇ ଯାଇଛି । ତା ବିନା ମୋତେ ଭାରି କଷ୍ଟ ଲାଗୁଛି ବାପା । ମୋତେ ଯଦି ଖୁସି ଦେଖିବାକୁ ଚାହଁ ତୁମେ ପୁଣି ବିବାହ କରିବାକୁ ରାଜି ହୁଅ ବାପା ।
ପାଗଳ ହେଲୁ, ଯେଉଁ ବୟସରେ ତୋ ମାଆ ଛାଡି ଗଲା ସେତେବେଳେ ବାହା ହେଲିନି ଏ ବୁଢା ବୟସରେ ବାହା ହେବି । ଛିଃ ଏଇଟା ବେଲଜ୍ୟା କଥା ।
ବାପା ସେତେବେଳେ ମୋ ପାଇଁ ବାହା ହୋଇ ନଥିଲ । ଏବେ ସେଇ ମୋ ପାଇଁ ବାହା ହେବାକୁ ହଁ କର ବାପା ।
ମୋ ଖୁସି ଏବେ କଇଁ ପାଖେ । କଇଁ ଆସିବ ତୁମେ ବାହା ହେଲେ । ଅର୍ଥାତ ତୁମ ବାହା ହେବା ଉପରେ ମୋ ଖୁସି ନିର୍ଭର କରୁଛି । କୁହ ବାପା ତୁମେ ରାଜି ।
ବାପା କିଛି କହିଲେ ନାହିଁ । ମୋତେ ପିଠି କରି ଶୋଇଲେ । ମୁଁ ଉଠି ଯାଇ ଛାତରେ ବସିଲି । ଘରେ ଆଉ ଖିଆ ପିଆ କଲିନି । ରାତି ଅଧରେ ଘରକୁ ଫେରିଲି ।
ମଦୁଆଙ୍କ ସଂଗେ ସାଙ୍ଗ ହେଲି । ଗୁଡୁ ଦାଦା ଓ ବିଟୁ ଭାଇଙ୍କୁ ଶିଖେଇଲି ବାପାଙ୍କୁ ମୋ ବିଷୟରେ କହିବାକୁ । ବାହାଘର ପାଇଁ ମନେଇବାକୁ । ଏସବୁ ମୋର ବାପାଙ୍କୁ ବିବାହ ପାଇଁ ରାଜି କରେଇବାର ଅଭିନଵ ଯୋଜନା ଥିଲା ।
ଡୁଗୁ ଦାଦା କହିଲେ ଆର୍ଯ୍ୟ ଭାଇ ଆୟୁଟି ନଷ୍ଟ ହୋଇଗଲାଣି । ମଦ ପିଇଲାଣି ।
ବିଟୁ ଭାଇ କହିଲେ ଆର୍ଯ୍ୟ ବଡବାପା, ଆୟୁ ଛତରା ପିଲାଙ୍କ ସହ ମିଶି ଏତେ ତଳକୁ ଖସିଯିବ! ତୁମେ ଆର୍ଯ୍ୟ ମାଷ୍ଟ୍ରେଟି । ଆୟୁ ପୁଣି ଜଣେ ହାଇସ୍କୁଲ ଶିକ୍ଷକ । କଣ ଶିଖେଇବ ତୁମେ ପିଲାଙ୍କୁ ?
ମୋ ଅଭିନୟ ଏବଂ ଲୋକଙ୍କ କଥା ଶୁଣି ଶୁଣି ଦିନେ ବାପା କହିଲେ, ଆରେ ଆୟୁ ଆଉ ଲୋକହସା କରନା । ମୁଁ ବାହା ହେବାକୁ ରାଜି ।
ବାପା ! କହି କୁଣ୍ଢାଇ ପକାଇଲି ମୁଁ । ଆର ଗାଁ ଚୌରାଳିଶି ବର୍ଷ ବୟସ୍କା ବିନୁ ନାନୀ ଯେ ବିବାହର ମାତ୍ର ପାଞ୍ଚ ବର୍ଷ ପରେ ବିଧବା ହୋଇ ବାପ ଘରେ ପଡି ରହିଥିଲା । ଭାଇ ଭାଉଜଙ୍କ ଗଞ୍ଜଣା ସହି ନ ପାରିବାରୁ ଦୁଇ ଦୁଇ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବି ମରି ପାରିନଥିଲେ, ତାଙ୍କ ସହ ମୋ ବାପାଙ୍କ ବିବାହ ଧୁମ୍ ଧାମ୍ ରେ ହେଲା ।
କଇଁ ଓ ମୁଁ ମୋ ବାପା ତଥା ବିନୁ ନୂଆ ମାଆଙ୍କ ଗୃହ ପ୍ରବେଶ ପାଇଁ ବନ୍ଦାପନା ଥାଳି ସଜାଡୁ ସଜାଡୁ କଇଁକୁ କହିଲି ଏସବୁ ତୁମ ପାଇଁ ସମ୍ଭବ । ଯାହା ପୁଅ ହୋଇ ମୁଁ କରି ପାରି ନଥିଲି ତୁମେ ବୋହୁ ହୋଇ କରି ପାରିଲ ।
ଓ ଏମିତି କି ! ତ ମୋତେ ମୋ ପାଉଣା ମିଳିବା ଦରକାର!
ପାଉଣା ତ ... ଏଇ ଗୋଟେ କଥା ନିଅ କହି କଇଁକୁ ଜାବୁଡି ଧରି ଚୁମାଟିଏ ଦେଇ ଦେଲି ।
କଇଁ ଖିଲି ଖିଲି ହୋଇ ହସି ଉଠି କହିଲା ମାଷ୍ଟ୍ରିଆ ବୁଦ୍ଧି, ନାଇଁ!!
