ପତିପତ୍ନୀ
ପତିପତ୍ନୀ
ରାମପୁର ଗାଆଁରେ ଟିକନ୍ର ଘର କିନ୍ତୁ ଟିକନ ଗୋଟିଏ ଛୋଟ ଚାକିରି କରି ସମ୍ବଲପୁରରେ ରହୁଛି । ଗାଆଁରେ ତାର ବାପା ମା ଭାଇ ଭାଉଜ ଓ ତାର ସ୍ତ୍ରୀ ରହିଛନ୍ତି ସ୍ତ୍ରୀ ତାର ଭାରି ସରଳିଆ । ଟିକନ ଛୋଟ ଚାକିରି ଖଣ୍ଡେ କରିଛି । ସ୍ୱଳ୍ପ ଦରମା ନିଜେ ଚଳି ଘରକୁ ଅଳ୍ପ ପଇସା ପଠାଏ, ଯାହାଦ୍ୱାରା ପରିବାରରେ ସମସ୍ତ ସଦସ୍ୟ ବୋହୁଟିକୁ ଦୋଷ ଦିଅନ୍ତି ଯେ ତୁ ଆସିଲା ଦିନଠୁ ଆମ ପୁଅ ଆଉ ଘରକୁ ପଇସା ଦେଉନି । ନିରୀହ ବୋହୁଟି କାହାକୁ କିଛି କହି ପାରେନା ନିଜ ଲୁହ ନିଜେ ପିଇ ପଡ଼ି ରହୁଥାଏ । ପ୍ରତିଦିନ ପରିବାର ଲୋକେ ଅଭିଯୋଗ କରି ତାକୁ ବାର ଭାଷା କହୁଥାନ୍ତି । ଭାଉଜ ତ ଘର ଚଳାଉଛନ୍ତି କହି ଯାହା ଇଚ୍ଛା ତାହା ଗାଳି କରନ୍ତି । କିନ୍ତୁ ବୋହୁଟି ପାଟି ଖୋଲିନି କି ସ୍ୱାମୀକୁ ବି କିଛି କୁହେନାହିଁ , କାଳେ ମୁଁ ଘର କଥା ଜଣାଇଲେ ସେ ମନଦୁଃଖ କରିବେ, ଏଥିପାଇଁ ସେ ଘର କାମ ଦାମ ସାରିଦେଇ ଚୁପ୍ ଚାପ୍ ବସି ପଡ଼େ କିଛି ଶୁଣେନି । ଏହିପରି ସମୟ ଗାଡି ଚାଲିଲା କିଛି ଦିନ ପରେ ଟିକନ ଗାଆଁକୁ ଆସିଲେ, ଆଉ ଘରର ଆର୍ଥିକ ଅବସ୍ଥା ସହ ସ୍ତ୍ରୀ କୁ ଯନ୍ତ୍ରଣା ଦେବା ପର୍ଯ୍ୟନ୍ତ ପଡ଼ିଶା ମାନଙ୍କ ଠାରୁ ଶୁଣିଲେ ଓ ତାଙ୍କ ପତ୍ନୀ ରେଣୁକାଙ୍କୁ କହିଲେ ତମେ ଏବେ ଚାଲ ଆମେ ବାହାରେ ରହିବା । ଏ କଥା ଶୁଣି ରେଣୁକା କିଛି ନ କହି ଚୁପ୍ ରହିଲେ । ଟିକନ ପଚାରିଲା ତୁମେ ଚୁପ୍ ଚାପ୍ ରହିଗଲ ଯିବା କଥା ଶୁଣି କଣ ହେଲା ତୁମର ? ରେଣୁକା ଉତ୍ତର ଦେଲା ମୁଁ ଯଦି ଘର ଛାଡ଼ି ତୁମ ସାଙ୍ଗରେ ଚାଲିଯିବି କଣ ସବୁ ସମସ୍ୟାର ସମାଧାନ ହୋଇଯିବ : ଟିକନ କହିଲା ତେବେ ତୁମେ କଣ ଚାହୁଁଛ? ଉତ୍ତରରେରେ ରେଣୁକା କହିଲା ମୁଁ ସିଲେଇ କାମ ଶିଖିଛି, ଯଦି ମୋ ପାଇଁ ତମେ ଗୋଟିଏ ସିଲେଇ ମେସିନ୍ ଆଣି ଦିଅନ୍ତ ତାହାହେଲେ ମୁଁ ଘରେ ବସି ଦି ପଇସା ରୋଜଗାର କରିପାରିବି , ଆଉ ଆମ ପରିବାରର ଅଭାବଦୂର ହୋଇଯିବ। ଅଭାବ ନ ରହିଲେ ଆମ ପରିବାର ହସ ଖୁସି ରେ ଚାଲିବ ଏ କଥା ଟିକନର ମନକୁ ଛୁଇଁଲା ଓ ସେ ତହିଁ ଆରଦିନ ସକାଳୁ ଗୋଟିଏ ସିଲେଇ ମେସିନ୍ କିଣି ଆଣି ରେଣୁକାଙ୍କୁ ଦେଈ ପୁଣି ତାର ଚାକିରି କ୍ଷେତ୍ରକୁ ବାହାରିଲେ । ଏବେ ଆଗ ପରି ଆଉ ଅଶାନ୍ତି ନାହିଁ । ପରିବାରର ସମସ୍ତ ସଦସ୍ୟ ମାନଙ୍କ ସ୍ନେହ ଶ୍ରଦ୍ଧା ଓ ଆଦର ପାଇଛି । ରେଣୁକା ଆଉ ସମାଜକୁ ଶିକ୍ଷା ଦେଉଛି ପ୍ରତ୍ୟେକ ଘରେ ଯଦି ପତିପତ୍ନୀଙ୍କ ସମ୍ପର୍କ ବିଶ୍ଵାସର ସହିତ ଚାଲିଥିବ ତେବେ ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ।
ସଂସାର ରୂପକ ନାଆରେ ପାରିହେବା ପାଇଁ ପତିପତ୍ନୀ ଦୁହିଁଙ୍କର ଆବଶ୍ୟକ ହୁଏ । ଜଣେ ନାବିକ ହୋଇ ସଂସାରର ମଙ୍ଗକୁ ଧରେ ଓ ଆଉଜଣେ ନାଆର ଆହୁଲା ବା କାତ ହେଲେ ପତିପତ୍ନୀଙ୍କ ସମ୍ପର୍କ ଅତୁଟ ରୁହେ ପରିବାର ହସି ଉଠେ ।
