ପଶି ଥାଅ ଫୋନରେ
ପଶି ଥାଅ ଫୋନରେ
ଛତ୍ରପୁର ମେଟ୍ରୋ ଷ୍ଟେସନରୁ ମୋ ଘର ବେଶୀରେ ବେଶୀ ଦେଢ଼ କିଲୋମିଟର। ଯିବା ପାଇଁ ମିଳେ ସେୟାରିଂ ଅଟୋ, ପ୍ରତି ଯାତ୍ରୀ ପାଇଁ ଦଶ ଟଙ୍କା। ଯିବା ଆସିବା ବ୍ୟବସ୍ଥାକୁ ଦେଖିଲେ ଲାଗିବନି ଏଇଟା ଦିଲ୍ଲୀ, ବରଂ କଟକ କି ଭୁବନେଶ୍ୱର। ଧାଡି ହେଇ ଠିଆ ହେଇଥିବେ ଅଟୋ ଓ ବ୍ୟାଟେରୀ ଅଟୋ, ଜଣେ ହାତକୁ ଟାଣିଲା ବେଳକୁ ଆଉ ଜଣେ ଘୋସାରୁଥିବ ବ୍ୟାଗ। ପଛରେ ତିନି ଆଉ ଚାଳକ ପାଖରେ ଦୁଇ ନବସିବା ଯାଏ ଛାଡିବନି ଅଟୋ। ଏ ଟଣା ଓଟରା ଭିତରେ 1ଅଟୋରେ ବସିବା ଠାରୁ ଘରେ ପହଂଚିଯିବା ଯାଏ ଅଫିସ ଦିନ ମାନଙ୍କରେ ମାତ୍ର ଦେଢ଼ କିଲୋମିଟରକୁ ଲାଗିଯାଏ ପାଖାପାଖି କୋଡିଏ ମିନିଟ। ରବିବାର ଓ ଛୁଟି ଦିନ ମାନଙ୍କରେ ଟିକେ ଅଧିକ ସମୟ ଲାଗେ ଅଟୋଟି ଯାତ୍ରୀରେ ପୂର୍ଣ୍ଣ ହେବାକୁ।
କଥା ଗତ ରବିବାରର। ଜଣେ ବନ୍ଧୁଙ୍କ ଘରେ ଖରାବେଳେ ଖାଇ ମେଟ୍ରୋ ଷ୍ଟେସନ ତଳେ ପହଁଚିଲା ବେଳକୁ ପାଖାପାଖି ଦିନ ଦୁଇଟା। ମୋ ଘର ପାଖକୁ ଯିବା ପାଇଁ ପାଖାପାଖି ଚାରି ପାଞ୍ଚୋଟି ଅଟୋ ଠିଆ ହୋଇଥାନ୍ତି। ଏକ ତ ରବିବାର, ଦୁଇରେ ଖରାବେଳ। ଅଟୋରେ ଯାତ୍ରୀ ଭରିବାକୁ ସମୟ ଲାଗୁଥାଏ। ମୁଁ ଅଟୋର ପଛ ସିଟରେ ବସିଥାଏ ଆଉ ମୋ ସହ ଦୁଇଜଣ ବୟସ୍କା ସହଯାତ୍ରୀ। ଏତିକିବେଳେ ମୋର ଗୋଟେ ଫୋନ ଆସିଲା। କଥା ହେବା ଭିତରେ ଆଉ ଜଣେ ବୟସ୍କା ମହିଳା ପଛପଟୁ ଆସି ମୋ ବାହୁକୁ ଧରି ହଲାଉଥାନ୍ତି। ଫୋନ କାନରୁ କାଢି ସାମାନ୍ୟ ବିରକ୍ତ ହୋଇ ପଚାରିଲି, କଣ ହେଲା? ମୋ ବିରକ୍ତିର ଉତ୍ତର ସିଏ ଆଦିଙ୍କ ବିରକ୍ତିକର କଣ୍ଠରେ ଦେଲେ, ଦେଖା ଯାଉନି ତତେ, ଦୁଇ ଜଣ ଲେଡ଼ିଜ ବସିଛନ୍ତି, ଆଉ ଜଣେ ଲେଡ଼ିଜ ଆସିଲେଣି। ଆଗ ସିଟକୁ ଯାଉନୁ, ଚାହିଁଚୁ କଣ ମତେ? ମୁଁ ଖାଲି ଏତିକି କହିଲି, ଆପଣ ଆସିବେ ବୋଲି କଣ ଭଗବାନ ମତେ ଫୋନ କରିଥିଲେ? ତାପରେ ଆଉ କଥା ନବଢେଇ ଚୁପଚାପ ଆଗକୁ ଆସିଲି।
ଅଟୋ ଛାଡିଲା ଦୁଇ ଚାରି ମିନିଟ ପରେ। ଅଟୋ ମୋ ଘର ପାଖେ ପହଂଚିବାକୁ ନିଏ କୋଡିଏ ମିନିଟ। ସେଇ କୋଡିଏ ମିନିଟ ଭିତରେ ଏହି ମହିଳା ଓ ତାଙ୍କ ପାଖରେ ଥିବା ମହିଳାଙ୍କ ଭିତରେ ହେଇଥିବା କଥୋପକଥନ କିଛି ଏଇପରି। ମୂଳରୁ କହିଦେଉଛି ଯେ ସେମାନେ ସେଇ ଦୁଇ ମିନିଟ ତଳେ ହିଁ ପରସ୍ପରକୁ ଚିହ୍ନିଲେ। ମତେ ଉଠେଇଥିବା ମହିଳା ଜଣକ କହୁଥାନ୍ତି, କାଲି ତାଙ୍କର ନାତୁଣୀ ଟିଏ ଜନ୍ମ ହେଲା। ତାକୁ ଦେଖିବାକୁ ସିଏ ଯାଇଥିଲେ ମେହରୁଲି। ଜୋଇଁ ତାଙ୍କର ନିହାତି ଗଣ୍ଡି ଅଳସୁଆ କିସମର ମଣିଷ। ଝିଅ ହୋଇଛି ବୋଲି ଶ୍ୱଶୁରଘର ଲୋକେ ବି ଖୁସି ନାହାନ୍ତି। ଏତିକିବେଳେ ଦ୍ଵିତୀୟ ମହିଳା ଜଣକ ବଖାଣିଲେ ତାଙ୍କ ନାତୁଣୀ ଜନ୍ମବେଳର କଥା। ତା
ପରେ ପ୍ରଥମ ମହିଳା ଜଣକ ପୁଣି ଯୋଡ଼ିଲେ ତାଙ୍କ ସ୍ୱାମୀ ଗତବର୍ଷ ଅବସର ନେଲେ, ପେନସନ ଏତିକି ଟଙ୍କା, ହେଲେ କାଗଜପତ୍ର କାମ ଅଟକିଥିବାରୁ ପୁର୍ଣ ପେନସନ ମିଳୁ ନାହିଁ। ଦ୍ଵିତୀୟ ମହିଳା ଜଣକ ଯୋଗ କଲେ ତାଙ୍କ ସ୍ୱାମୀ ବ୍ୟବସାୟ କରନ୍ତି। ଦୁଇ ପୁଅ ମଧ୍ୟ ସେହି ବ୍ୟବସାୟରେ। ଏବେ କଣ ଗୋଟେ ଜିଏସଟି ଲାଗିଲା ପରେ ବେପାର ମାନ୍ଦା। ଏବେ ପ୍ରଥମ ମହିଳା ଜଣକ କହିଲେ ତାଙ୍କର କିଛି ଘର ଭଡା ଲାଗିଛି, ସେଥିରୁ ପାଖାପାଖି ଦଶ ପନ୍ଦର ହଜାର ମାସକୁ ଆସୁଛି। ଏହି ପଏଣ୍ଟରେ ଦ୍ଵିତୀୟ ମହିଳା କହିଲେ ନିକଟ ଅତୀତରେ ଜଣେ ନାଇଜେରିୟଙ୍କୁ ଘର ଭଡା ଦେଇ ସେ କିପରି ହଇରାଣ ହେଇଛନ୍ତି।
ଆହୁରି ଅନେକ ବିଷୟରେ କଥାବାର୍ତ୍ତା, ସେଇଟା ପୁଣି ଏତେ ଉଚ୍ଚ ସ୍ୱରରେ ଯେ ଅଟୋର ଘଂ ଘଂ ଶବ୍ଦ ତା ଆଗରେ ଫିକା ପଡି ଯାଉଥାଏ। ମୁଁ ବସିଥାଏ ଡ୍ରାଇଭର ପାଖ ସିଟରେ ଆଉ ପ୍ରଥମ ମହିଳାଙ୍କ ଶବ୍ଦ ଓ ପାଟିର ଥୂକ ଉଭୟ ସିଧା ଥ୍ରୋ ହେଉଥାନ୍ତି ମୋ କାନ ପାଖରେ। ସେମିତି ତ ବସିବା ବେଳର ରାଗ ଥିଲା ଆଉ ଘର ପାଖ ବି ହେଲାଣି। ମୁଁ ପଛକୁ ଚାହିଁ ପ୍ରଥମ ମହିଳାଙ୍କୁ ସାମାନ୍ୟ ବିଦ୍ରୁପ ସ୍ୱରରେ କହିଲି, ମାଉସୀଙ୍କୁ ଆପଣଙ୍କ ଏଟିଏମ କାର୍ଡ ନମ୍ବର ଆଉ ପିନ ଦେଇ ଦେଉ ନାହାନ୍ତି। ମହିଳା ଜଣକ ପ୍ରଥମେ ବୁଝି ପାରିଲେନି ପ୍ରାୟ। ମିନିଟିଏ ପରେ ପଚାରିଲେ, କାହିଁକି? ମୁଁ କହିଲି, ଘର ଦ୍ୱାର, ସ୍ୱର୍ଗ ମର୍ତ୍ତ ପାତାଳ, ଚଉଦ ପୁରୁଷ, ସବୁ ବିଷୟରେ ତ କଥା ହେଇ ସାରିଲେଣି। କେବଳ ଏଟିଏମ କାର୍ଡ ନମ୍ବର ଆଉ ପିନ ନମ୍ବର ବାକି ରହିଲା। ସେତକ ଦେଇଦେଲେ କାମ ଶେଷ, ଆଉ ଏତେବଡ଼ ପାଟିରେ ଆଲୋଚନା ଦରକାର ପଡ଼ିବନି। ମହିଳା ଜଣକ ତାଙ୍କ ନର୍ମାଲ ପିଚ ଠାରୁ ଉଚ୍ଚ ସ୍ୱରରେ କହିଲେ, ଦେଖୁନ ଆଜିକା ପିଲାଙ୍କୁ। ଦି ଜଣ ଲୋକ କଥା ହେଲେବି ଏମାନଙ୍କୁ ଅସୁବିଧା। ଦ୍ଵିତୀୟ ମହିଳା ଜଣକ ଯୋଗ କଲେ ସବୁବେଳେ ତ ପଶିଲେ ଫୋନ ଭିତରେ, ଏମାନେ କୁଆଡୁ ଜାଣିବେ ସମ୍ପର୍କ, କଥାବାର୍ତ୍ତାର ଅର୍ଥ? ଉଭୟଙ୍କ ମନ୍ତବ୍ୟ ମୋ ପାଇଁ ସୁଖକର ନଥିଲା, କିନ୍ତୁ ଶିକ୍ଷଣୀୟ ନିଶ୍ଚିତ ଥିଲା। ତେଣୁ ଆଉ କଥା ନବଢେଇ ଅଟୋବାଲାକୁ ପଇସା ଦେଇ ଚୁପଚାପ ଚାଲିଲି ଘରକୁ।ମଣିଷ ଭାବେ ଶତାବ୍ଦୀ ଶତାବ୍ଦୀ ଧରି ଆମେ ପରସ୍ପର ପାଖରେ ଯେତିକି ଅଜଣା ନଥିଲେ ତାଠାରୁ କେତେ ଅୟୁତ ଗୁଣ ଅଜଣା ହେଇଛେ ଏଇ ଦଶ ପନ୍ଦର ବର୍ଷ ଭିତରେ। ଏ ଅଜଣାପଣ ପାଇଁ ଯନ୍ତ୍ର ଓ ଯାନ୍ତ୍ରିକତା କିଛି ମାତ୍ରାରେ ଦାୟୀ। ହେଲେ ମତେ ଲାଗେ ବେଶୀ ଦାୟୀ, ଯନ୍ତ୍ର ଓ ଯାନ୍ତ୍ରିକତା ପାଖରେ ଆମ ସହଜପଣ ଆଉ ସମ୍ପର୍କ ଆଗରେ ଆମର ଦୁର୍ବୋଧତା। ଉଭୟର ସନ୍ତୁଳନରେ କେଉଁଠି ନା କେଉଁଠି ଆମେ ଟିକେ ମାତ ଖାଇ ଯାଇଛେ। ଚେଷ୍ଟା କଲେ ସନ୍ତୁଳନ ରଖି ପାରିବା ମ!