ପ୍ରତିଲିପି ଓଡ଼ିଆ ମହା ଧାରାବାହିକ ମହୋତ୍ସବ (ଆତ୍ମ-ମନ୍ଥନ-ଭାଗ-17)
ପ୍ରତିଲିପି ଓଡ଼ିଆ ମହା ଧାରାବାହିକ ମହୋତ୍ସବ (ଆତ୍ମ-ମନ୍ଥନ-ଭାଗ-17)
ବର୍ଷଟିଏ, ମାସଟିଏ, ଦିନଟିଏ ପୁଣି ଘଣ୍ଟାଟିଏ, କାହାପାଇଁ ବହୁତ ଦୀର୍ଘ ତ ପୁଣି କାହାପାଇଁ ଖୁବ ସଂକ୍ଷିପ୍ତ ସମୟ | ସମୟ ସମସ୍ତଙ୍କ ପାଇଁ ସମାନ ହେଲେ ବି ଅବସ୍ଥିତି, ପରିସ୍ଥିତି ଏବଂ ସ୍ଥାନ କାଳ ପାତ୍ର ଦେଖି ତାହା ବିସ୍ତାରିତ ହୋଇଯାଏ ତ ପୁଣି ସଙ୍କୁଚିତ ହେଲାପରି ଲାଗେ | ରୋଗୀ-ଦୁଃଖୀ ଓ ଅପେକ୍ଷାକାରୀଙ୍କୁ ସମୟ ବହୁତ ଦୀର୍ଘ ଲାଗିବା ତ ସ୍ଵାଭାବିକ କଥା | ସେହିପରି ସୁଖର ସମୟ, ମଜା-ମଉଜ, ଖେଳିବା ବୁଲିବା ଆଉ ଗପିବାବେଳେ ସମୟ ତ କେମିତି କୁଆଡ଼େ ଚାଲିଯାଏ, ତାହା ଜଣାପଡ଼େ ନାହିଁ | 2020 ମସିହାର ମହାମାରୀ ଆତଙ୍କ ସମୟ ଅବଶ୍ୟ ଅଧିକାଂଶ ମଣିଷଙ୍କ ପାଇଁ ଅତି ଦୀର୍ଘ ଜଣା ପଡୁଥିଲା | ସମସ୍ତେ ଅପେକ୍ଷା କରି ରହିଥିଲେ, କେବେ କରୋନା ପ୍ରତିଷେଧକ ଟୀକା ବାହାରିବ ? କେବେ ଏହି ମହାମାରୀ ଆତଙ୍କ ଦୂରହେବ ? କେବେ ଲକଡାଉନ ଶଟଡାଉନ ଉଠିବ ? ଏହି ଅପେକ୍ଷା କରିବାର କଷ୍ଟ ହିଁ ଆମର ସମୟକୁ ଅତିଦୀର୍ଘ କରି ଦେଉଥିଲା | କୌଣସି ସରକାରୀ କାମ ହେଇପାରୁ ନଥିଲା | ଯାହାର ଯାହା ଜରୁରୀ କାମ ଥିଲା, ତାହା ହେଇପାରୁ ନ ଥିଲା | ବିବାହ ପାଇଁ ସକଳ ପ୍ରସ୍ତୁତି ଶେଷହେଇ ମଧ୍ୟ ବାହାଘର ହେଇ ପାରୁ ନଥିଲା | କଳାକାରମାନେ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିପାରୁ ନ ଥିଲେ | ସଙ୍ଗୀତ, ନୃତ୍ୟ, ଚଳଚିତ୍ର, ଯାତ୍ରା, ପାଲା ଏବଂ ବିଶେଷ କରି ସୌଖୀନ ସଂସ୍ଥାମାନେ ଯିଏ ଅଡ଼ିଓ–ଭିଡ଼ିଓ ତିଆରି କରି ଲୋକମାନଙ୍କର ମନୋରଞ୍ଜନର ଖୋରାକ ଯୋଗାଉଥିଲେ, ସେମାନେ ହାତ ଛନ୍ଦି ଅନେକ କଷ୍ଟ ପାଉଥିଲେ | ସମସ୍ତଙ୍କର କାମ ଏକପ୍ରକାର ବନ୍ଦ ହେଇଯାଇଥିଲା |
ଏହି ଦୁଃଖଦ ସମୟରେ କେତେକ ଅନୁଷ୍ଠାନ ଓ ବ୍ୟକ୍ତି ତାଙ୍କର ପ୍ରତିକୂଳ ସମୟକୁ ଅନୁକୂଳରେ ପରିଣତ କରି ବିକଳ୍ପ ଉପାୟ ଖୋଜି ପାଇଥିଲେ | ସାହିତ୍ୟ ପ୍ରେମୀମାନେ ଅନ-ଲାଇନରେ ସମଧର୍ମାମାନଙ୍କୁ ଏକଜୁଟ କରି ସ୍ଵତନ୍ତ୍ର ସାହିତ୍ୟ ସଭାର ଆୟୋଜନ କରି ପାରିଥିଲେ | ଅଡ଼ିଓ-ଭିଡ଼ିଓ ମାଧ୍ୟମରେ ସେମାନେ ଅନେକ କାର୍ଯ୍ୟକ୍ରମକୁ ସଫଳତା ସହ ସମାପନ କରି ପାରିଥିଲେ | ଏହି ସମୟରେ ଅନେକ ଲୋକ ନୂଆ ଟେକ୍ନୋଲୋଜି ମାଧ୍ୟମରେ ନୂଆ କୌଶଳ ପ୍ରୟୋଗ କରି ବିକଳ୍ପ ଉପାୟକୁ ଆଦରି ନେଇଥିଲେ |
ଏଭଳି କାର୍ଯ୍ୟକ୍ରମରେ ମୋତେ ମଧ୍ୟ ଅଂଶ ଗ୍ରହଣ କରିବାର ସୁଯୋଗ ମିଳିଥିଲା | କେଉଁଠି ଅନ-ଲାଇନରେ ଅତିଥି ତ କେଉଁଠି ଜଣେ ଅଂଶ ଗ୍ରହଣକାରୀ ଭାବେ ଯୋଗ ଦେଇଥିଲି | ସ୍ଵାଧୀନତା ଦିବସ ଅବସରରେ ହଠାତ ଗୋଟିଏ ସୁନ୍ଦର ଦେଶାତ୍ମକବୋଧକ ଭିଡ଼ିଓ ମୋ ମୋବାଇଲ ଫୋନକୁ ଆସିଲା | କୋରାପୁଟ ଜିଲ୍ଲାର ଢେମସା ଟିଭିଦ୍ଵାରା ତାହା ପ୍ରସ୍ତୁତ କରାଯାଇଛି | “ଗୋଟି ଗୋଟି ଆମେ କୋଟିଏ ସନ୍ତାନ, ଗୋଟିଏ ଆମରି ମାଆ” ଶୀର୍ଷକ ଗୀତଟିକୁ ମୁଁ ଅନେକ ଦିନ ଆଗରୁ ରଚନା କରିଥିଲି | ତାକୁ ସଙ୍ଗୀତ ନିର୍ଦ୍ଦେଶକ ନୀହାର ରଞ୍ଜନ ମହାନ୍ତି ମହାଶୟ, ସୁନ୍ଦର ଭାବେ ତାକୁ ସଜେଇଛନ୍ତି | ତାଙ୍କର ସୁକନ୍ୟାଙ୍କ ନେତୃତ୍ଵରେ ଶିଶୁ କଳାକାରମାନେ ସଙ୍ଗୀତଟିକୁ ପରିବେଷଣ କରିଛନ୍ତି | ଜଣେ ଅବସର ପ୍ରାପ୍ତ ସୈନିକ ଏଥିରେ ଅଭିନୟ କରିଛନ୍ତି | ସେହି ଭିଡ଼ିଓଟି ଅତି ସୁନ୍ଦର ଭାବେ ପ୍ରସ୍ତୁତ କରାଯାଇଛି, ଯାହାକୁ 34 ହଜାରୁ ଅଧିକ ଦର୍ଶକ ଉପଭୋଗ କରି ସାରିଲେଣି | ଏହି ଭିଡ଼ିଓଟିକୁ ଦେଖି ମୁଁ ଅମାପ ଆନନ୍ଦ ପାଇଥିଲି |
ଠିକ ସେହିପରି ଫୋକରକ, ସରସ୍ଵତୀ ଇଭେଣ୍ଟ, (କଟକ) ଅନୁଷ୍ଠାନ ତରଫରୁ ପ୍ରଖ୍ୟାତ ଚଳଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଶରତ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଭିଡ଼ିଓରେ ମୋର ପଲ୍ଲୀଗୀତ–“ଧରିଲି ମାଗୁର ମାଛ ଲୋ, ଫୁଲ ବଉଳବେଣୀ” ବିଶିଷ୍ଟ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ପରିବେଷଣ କରିଛନ୍ତି | ସେହି ଭିଡ଼ିଓଟି ଅତ୍ୟନ୍ତ ସୁନ୍ଦର ହେଇଛି | ତାକୁ ବାରମ୍ବାର ଦେଖିଲେ ମଧ୍ୟ ମନ ଛାଡୁନାହିଁ |
କିଛିଦିନ ତଳେ ପୁଣି ଗୋଟିଏ ଭିଡ଼ିଓ ୟୁଟିଉବରେ ଦେଖିବାକୁ ପାଇଲି | ତାକୁ କୋରାପୁଟ-ଜୟପୁରର ପ୍ରଯୋଜକ କାହ୍ନୁ ଚରଣ ପ୍ରଧାନ ପ୍ରସ୍ତୁତ କରିଛନ୍ତି | ସେଥିରେ ମୋର ଗୀତିକବିତା “ପ୍ରଥମ ଚିଠିରେ ପ୍ରଥମ ଧାଡ଼ିରେ ଲେଖିଥିଲା ମୋର ପ୍ରିୟା“ ଗୀତଟିକୁ ପରିବେଷଣ କରିଛନ୍ତି-କଣ୍ଠଶିଳ୍ପୀ ଧରଣୀଧର ମଲ୍ଲିକ, ସଙ୍ଗୀତ–କାହ୍ନୁଚରଣ ପ୍ରଧାନ, ଅଭିନୟ କରିଛନ୍ତି-ବଳିଆ ଓ ପ୍ରିୟା | ଏହି ଭିଡ଼ିଓକୁ ଏକହଜାର ଦର୍ଶକ ଉପଭୋଗ କରି ସାରିଛନ୍ତି | ଏହା ମଧ୍ୟ ବେଶ ଉପଭୋଗ୍ୟ ହେଇ ପାରିଛି | ଏହି ଗୀତଟି ରେକର୍ଡ ହୋଇଛି ବୋଲି ମୁଁ ଜାଣି ନ ଥିଲି | ପ୍ରଯୋଜକମାନେ ଲେଖକମାନଙ୍କୁ ପ୍ରାୟ ଅଣଦେଖା କରନ୍ତି | ଏହା ତା’ର ଏକ ଦୃଷ୍ଟାନ୍ତ |
ଏହା ବ୍ୟତୀତ ଆହୁରି କିଏ କେବେ କେଉଁଠି ମୋର ଗୀତକୁ ବ୍ୟବହାର କରୁଛନ୍ତି, ତା’ର ହିସାବ ମୋ ପାଖରେ ନାହିଁ | ମୁଁ ଜାଣେ, ଥରେ ଜଣେ କବି/ଲେଖକଙ୍କର ଲେଖା ସର୍ବସାଧାରଣରେ ପ୍ରକାଶ ପାଇ ସାରିବା ପରେ, ତାହା ଆଉ ତାଙ୍କ ନିୟନ୍ତ୍ରଣରେ ନ ଥାଏ | ଏଥିପାଇଁ ଆମର ମଧୁର କ୍ଷୋଭ ପ୍ରକାଶ ପାଏ ସତ, କିନ୍ତୁ କିଛି କହିବାର ବା କରିବାର ଉପାୟ ଆମ ପାଖରେ ନ ଥାଏ |
