ପ୍ରଥମ ସନ୍ତାନ ଓ ପ୍ରଥମାଷ୍ଟମୀ
ପ୍ରଥମ ସନ୍ତାନ ଓ ପ୍ରଥମାଷ୍ଟମୀ
ସକାଳୁ ସକାଳୁ ମୁନାର ନୂଆ ଡ୍ରେସ୍ ଆସିଥିବାର ଦେଖି ମୁନି କାନ୍ଦିଲା । କହିଲା - ଭାଇନାର ନୂଆ ଡ୍ରେସ୍ ଆସିଲା ହେଲେ ମୋର ଆସିନି କାହିଁକି ? ବାପା ମୁନିକୁ କୋଳକୁ ନେଇ କହିଲେ- ଆରେ ମା, ଆଜି ପରା ପ୍ରଥମାଷ୍ଟମୀ । ସେଇଥିପାଇଁ ଭାଇନାର ନୂଆ ଡ୍ରେସ୍ ଆସିଲା । ସେ ପରା ନୂଆ ଡ୍ରେସ୍ ପିନ୍ଧି ପୋଢ଼ୁଁଆ ହେବ । ମୁନି ବାପାଙ୍କ କଥାରୁ କିଛି ବୁଝିପାରିଲାନାହିଁ । ସେ ପୁଣି ପଚାରିଲା - ପ୍ରଥମାଷ୍ଟମୀ କଣ ? ଭାଇନା କାହିଁକି ଏକା ପୋଢ଼ୁଁଆ ହେବ ଆଉ ମୁଁ କାହିଁକି ହେବିନି ? ବାପା ମୁନିର ଦୁଇ ଗାଲକୁ ଚିପି ଧରି ଗୋଟେ ଚୁମା ଦେଇ କହିଲେ- ଆରେ ପାଗିଳି ସୁଣ୍, ପ୍ରଥମାଷ୍ଟମୀରେ ଘରର ଯିଏ ବଡ ସନ୍ତାନ ସିଏ ପୋଢ଼ୁଁଆ ହୁଅନ୍ତି । କାରଣ ଘରର ଯିଏ ବଡ ସନ୍ତାନ ସେ ହେଉଛନ୍ତି ବାପା ଆଉ ମାଆଙ୍କର ପ୍ରଥମ ସନ୍ତାନ । ସେ ହିଁ ପ୍ରଥମେ ବାପା ଆଉ ମାଆଙ୍କୁ ସାଧାରଣ ପୁରୁଷ ଆଉ ନାରୀରୁ ବାପା ଆଉ ମାଆ ଶବ୍ଦରେ ରୂପାନ୍ତରିତ କରାଇଥାନ୍ତି । ସେଇ ଘରର ବଡ ବା ପ୍ରଥମ ସନ୍ତାନ ଘରର ସମସ୍ତଙ୍କ ଦାୟିତ୍ୱ ନିଅନ୍ତି । ଘରର ଭଲମନ୍ଦ ବୁଝନ୍ତି । ସେ ମଧ୍ୟ ବାପା ଆଉ ମାଆଙ୍କ ମୃତ୍ୟୁ ପରେ ତାଙ୍କୁ ପିଣ୍ଡଦାନ କରନ୍ତି । ଘରର ସବୁ ଛୋଟମାନଙ୍କର ମନକଥା ବୁଝି ସେମାନଙ୍କର ଯତ୍ନ ନିଅନ୍ତି,ଛୋଟମାନଙ୍କୁ ସ୍ନେହ କରନ୍ତି । ବୁଢ଼ା ବୟସରେ ମାଆ ଆଉ ବାପାଙ୍କର ଗୁରୁ ଦାୟିତ୍ୱ ନିଅନ୍ତି,ସେମାନଙ୍କର ଭଲମନ୍ଦ ବୁଝନ୍ତି । ଘରର ସବୁ କାମ କିପରି ଭାବେ ସୁଚାରୁରୂପେ ସମ୍ପନ୍ନ ହେବ ସେ ବିଷୟରେ ଧ୍ୟାନ ଦିଅନ୍ତି । ଏତେ ସବୁ ଦାୟିତ୍ୱ ନେଉଥିବାରୁ ଘରର ପ୍ରଥମ ସନ୍ତାନମାନଙ୍କୁ ସମ୍ମାନ ଦେଇ ପ୍ରଥମାଷ୍ଟମୀ ପାଳନ କରାଯାଏ । ମୁନି ଏସବୁ ଶୁଣି କିଛି ସମୟ ନିରବ ରହି କହିଲା- ତେବେ ଏଇ ସବୁ କାମ ଯିଏ କରିବ କେବଳ ସେ ହିଁ ପୋଢ଼ୁଁଆ ହେବ ? ମୁନିର ପ୍ରଶ୍ନ ଶୁଣି ବାପା କହିଲେ-ଘରର ବଡ ବା ପ୍ରଥମ ସନ୍ତାନମାନେ ଏସବୁ ଦାୟିତ୍ୱ ନେଉଥିବାରୁ ସେ ପୋଢ଼ୁଁଆ ହୁଅନ୍ତି । ମୁନି ହସି ଦେଇ କହିଲା - ବାପା, ତେବେ ତମେ କାହିଁକି ପୋଢ଼ୁଁଆ ହେଉଛ ? ପ୍ରତିବର୍ଷ ପ୍ରଥମାଷ୍ଟମୀରେ ତମେ ବି ନୂଆ ଡ୍ରେସ୍ ପିନ୍ଧୁଛ । ମୁନି ଗାଲରେ ଗାଲ ଘସି ବାପା କହିଲେ- ଆରେ ମା,ମୁଁ ପରା ଘରର ବଡ ମାନେ ତୋ ଜେଜେ ବାପା ଆଉ ଜେଜେ ମାଆଙ୍କର ପ୍ରଥମ ସନ୍ତାନ । ସେଇଥିପାଇଁ ମୁଁ ପୋଢ଼ୁଁଆ ହେଉଛି । ମୁନି ହାଁ କରି ବାପାଙ୍କ ମୁହଁକୁ ଚାହିଁଲା,ଆଉ କହିଲା- ହେଲେ ବାପା , ଘରର ପ୍ରଥମ ସନ୍ତାନ ଯାହା ଯାହା କରନ୍ତି ମାନେ ବୁଢ଼ା ବାପା ଆଉ ମାଆଙ୍କର ଦାୟିତ୍ୱ ନିଅନ୍ତି,ଘରର ସବୁ ଭଲମନ୍ଦ ବୁଝନ୍ତି,ସେସବୁ ତ ତମେ କିଛି ବି କରୁନ । ସେସବୁ ତ ଆମ ଛୋଟ ଅପା କରୁଛନ୍ତି । ବୁଢ଼ା ଜେଜେବାପା ଆଉ ଜେଜେ ମାଆଙ୍କୁ ଛୋଟ ଅପା ପାଖରେ ରଖୁଛନ୍ତି । ତାଙ୍କ ଦାୟିତ୍ୱ ନେଉଛନ୍ତି । ତାଙ୍କର ଭଲମନ୍ଦ ବୁଝୁଛନ୍ତି । ହେଲେ ତମେ ଏସବୁ କିଛି ନକରି କେମିତି ପୋଢ଼ୁଁଆ ହେଉଛ ? ଆଉ ଭାଇନାଙ୍କୁ ବି ପୋଢ଼ୁଁଆ କରୁଛ କାହିଁକି ? ମତେ ନୂଆ ଡ୍ରେସ୍ ଦେଇ ପୋଢ଼ୁଁଆ କର । ଭାଇନା ନୁହେଁ ମୁଁ ହିଁ ଛୋଟ ଅପାଙ୍କ ପରି ବୁଢ଼ା ବୟସରେ ତୁମର ଆଉ ମାଆର ଦାୟିତ୍ୱ ନେବି । ଯେମିତି ଭାଇନା ଘରର ପ୍ରଥମ ସନ୍ତାନ ବୋଲି ତୁମେ ତାକୁ ପୋଢ଼ୁଁଆ କରୁଛ ସେମିତି ତୁମେ ଘରର ପ୍ରଥମ ସନ୍ତାନ ବୋଲି ଜେଜେ ବାପା ଆଉ ଜେଜେମାଆ ତୁମକୁ ପୋଢ଼ୁଁଆ କରୁଥିବେ । ତୁମେ ଯେମିତି ପୋଢ଼ୁଁଆ ହେଇ କିଛି ଦାୟିତ୍ୱ ନେଉନା ଭାଇନା ବି ସେଇପରି ପୋଢ଼ୁଁଆ ହେଇ ମଧ୍ୟ କିଛି ଦାୟିତ୍ୱ ନେବନି । ଛୋଟ ଅପାଙ୍କ ପରି ମତେ ହିଁ ତୁମ ଦାୟିତ୍ୱ ନେବାକୁ ପଡିବ ତେବେ ଆଜି ଠାରୁ ମତେ ବି ପୋଢ଼ୁଁଆ କର । ଭାଇନା କାହିଁକି କିଛି ଦାୟିତ୍ୱ ନନେଇ ଖାଲି ନୂଆ ଡ୍ରେସ୍ ପିନ୍ଧିବ ମୁଁ ବି ପିନ୍ଧିବି ନୂଆ ଡ୍ରେସ୍ । ମୁନିର ଏପ୍ରକାର ଯୁକ୍ତିରେ ବାପା ନିରୁତ୍ତର ଥିଲେ । ଭାବୁଥିଲେ ପ୍ରକୃତରେ ପୋଢ଼ୁଁଆ କିଏ ? ପ୍ରଥମାଷ୍ଟମୀ କାହିଁକି ଆଉ କାହାପାଇଁ ପାଳନ କରାଯାଏ ? ସେ କଣ ପ୍ରକୃତରେ ପୋଢ଼ୁଁଆ ହେବାପାଇଁ ଯୋଗ୍ୟ