STORYMIRROR

Pradeep Kumar Panda

Horror Tragedy Action

3  

Pradeep Kumar Panda

Horror Tragedy Action

ପୃଥିବୀ କେବଳ ମଣିଷର ନୁହେଁ

ପୃଥିବୀ କେବଳ ମଣିଷର ନୁହେଁ

3 mins
4

ପୃଥିବୀ କେବଳ ମଣିଷର ନୁହେଁଆମ ଗ୍ରହ ପୃଥିବୀରେ କୋଟି କୋଟି ବର୍ଷ ତଳେ ଜଳ, ପବନ ସୃଷ୍ଟି ହେବା ପରେ ନଦ, ନଦୀ, ଝରଣା କୁଳୁକୁଳୁ ନାଦ କରି ବହିଚାଲିଲେ। ପର୍ଯ୍ୟାୟକ୍ରମେ ଉଭୟଚର ଓ ଜଳଚର ପ୍ରାଣୀଙ୍କ ଉତ୍ପତ୍ତି ପରେ ବନ୍ୟ ସମ୍ପଦ ସୃଷ୍ଟି ହେଲା। ଏହାପରେ ପଶୁ ଓ ପକ୍ଷୀଙ୍କର ରାବ ଓ କାକଳି ପ୍ରକୃତି ମା’କୁ ଆହୁରି ଚଳଚଞ୍ଚଳ କରିଦେଲା। ସର୍ବଶେଷରେ ଏହାର ସୁରକ୍ଷା ଦାୟିତ୍ୱ ବହନ କରିବା ପାଇଁ ବାନରାକୃତି ମଣିଷରୁ ବୁଦ୍ଧି, ବିବେକ ଓ ଜ୍ଞାନସମ୍ପନ୍ନ ସଭ୍ୟ ମାନବ ସମାଜର ଅଭ୍ୟୁଦୟ ହେଲା। କିନ୍ତୁ ସୁରକ୍ଷା ବଦଳରେ ପ୍ରାକୃତିକ ସମ୍ପଦର ବିନାଶ କରିଚାଲିଲା ମଣିଷ। ବୃକ୍ଷ ଫଳ, ଜଳ ଓ ଅମ୍ଳଜାନ ଦିଏ। ଏସବୁ ଜାଣି ସୁଦ୍ଧା ଏପରି ଜୀବନରକ୍ଷାକାରୀ ସମ୍ପଦକୁ ନଷ୍ଟ କରି ମଣିଷ ‘ଆପଣା ହସ୍ତେ ଜିହ୍ୱା ଚ୍ଛେଦି’ ପରି ନିଜେ ସେହି ମହାକାଳ ଗର୍ଭରେ ଲୀନ ହେବାକୁ ବସିଲାଣି। ପଶୁ, ପକ୍ଷୀଙ୍କ ବାସସ୍ଥାନ ବିପନ୍ନ ହେବାରୁ ଉତ୍ତାପ ସହି ନ ପାରି ସେମାନେ ଜନବସତି ମୁହାଁ। ଏହାଦ୍ୱାରା କେତେ ଯେ କ୍ଷତି ହେଉଛି ତାହା ଜାଣି ମଧ୍ୟ ଆମେ ନିରବ।

ଜଣେ ଶ୍ରେଷ୍ଠ ଗୁରୁ ତାଙ୍କର ପଟ୍ଟଶିଷ୍ୟଙ୍କର ବିଦ୍ୟାଧ୍ୟୟନର ଶେଷ ପର୍ଯ୍ୟାୟରେ ଆଦେଶ ଦେଲେ, ‘ଜଙ୍ଗଲକୁ ଯାଇ ସମସ୍ତ ବୃକ୍ଷର ଔଷଧିୟ ଗୁଣ ପରୀକ୍ଷା କର। ଯେଉଁ ବୃକ୍ଷରେ କୌଣସି ଔଷଧିୟ ଗୁଣ ନାହିଁ, ତାହାର ତାଲିକା ଦିଅ।’ ଶିଷ୍ୟ ଜଣକ ଗୁରୁଙ୍କ ଆଦେଶରେ ଘଞ୍ଚଅରଣ୍ୟ ମଧ୍ୟରେ ବର୍ଷ ବର୍ଷ ଧରି ସମସ୍ତ ବୃକ୍ଷଲତାକୁ ପରୀକ୍ଷା କରି ଔଷଧୀୟ ଗୁଣ ପରଖିଲେ। ନିରାଶ ମନରେ ଗୁରୁଙ୍କ ପାଖକୁ ଫେରି ଆସି କହିଲେ, ‘ମହାଭାଗ ଏମିତି କୌଣସି ଲତା, ବୃକ୍ଷ ନାହିଁ, ଯେଉଁଥିରେ ଔଷଧିୟ ଗୁଣ ନାହିଁ।’ ଗୁରୁ ଆନନ୍ଦରେ ଶିଷ୍ୟଙ୍କୁ କୋଳାଗ୍ରତ କଲେ। ସେ ହେଉଛନ୍ତି ପୃଥିବୀର ଗୌରବ ଚରକ। ତାଙ୍କ ରଚିତ ‘ଚରକ ସଂହିତା’ରେ ସେ ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି କେଉଁ ବୃକ୍ଷଲତାର କିପରି ଔଷଧିୟ ଗୁଣ ଭରିରହିଛି। ଏହାକୁ ପୃଥିବୀର ପ୍ରଥମ ‘ଡାକ୍ତରୀ ଶାସ୍ତ୍ର’ର ମାନ୍ୟତା ଦିଆଯାଇଛି। କିନ୍ତୁ ବିଡ଼ମ୍ବନା, ଆମେ ବୃକ୍ଷଲତାର ସୁରକ୍ଷା ବଦଳରେ ତାହାକୁ ନଷ୍ଟ କରି ଚାଲିଛୁ।

ପୃଥିବୀ କେବଳ ମଣିଷର ନୁହେଁ ଯେ ମନଇଚ୍ଛା ବୃକ୍ଷ,ଲତା, ଜଙ୍ଗଲ ନଷ୍ଟ କରିଚାଲିବ। ଭାରତର ଜଙ୍ଗଲ ଧ୍ୱଂସର ଭୟାବହତାକୁ ଲକ୍ଷ୍ୟ ରଖି ଭାରତର ଉଚ୍ଚତମ ନ୍ୟାୟାଳୟ ସମସ୍ତଙ୍କୁ ସତକର୍ବାଣୀ ଶୁଣାଇଛନ୍ତି। ସହରୀକରଣ ପାଇଁ ବର୍ତ୍ତମାନ ଜଙ୍ଗଲ ଯେତିକି ପରିମାଣରେ କଟା ଯାଉଛି ବନାଗ୍ନିରେ ତା’ଠାରୁ ଅଧିକ ପରିମାଣର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଉଛି। ଏହି ବନାଗ୍ନିରର ୯୦ ପ୍ରତିଶତ ମଣିଷକୃତ। ଗତବର୍ଷ ଓ ଚଳିତବର୍ଷ ଆମ ଦେଶ ଓ ଓଡ଼ିଶା ଅଧିକ ନୂତନ ଜଙ୍ଗଲ ସୃଷ୍ଟି ହୋଇ ସୁନାମ ଅର୍ଜନ କରିଥିଲେ ମଧ୍ୟ ଗତବର୍ଷ ଓ ଚଳିତବର୍ଷ ଆମ ରାଜ୍ୟର ବନାଗ୍ନି ଦେଶରେ ରେକର୍ଡ ସୃଷ୍ଟି କରିଛି। ଦେଶରେ ୩୧୫ଟି ସ୍ଥାନରେ ବଡ଼ ଧରଣର ବନାଗ୍ନି ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ୧୦୭ଟି ଜଙ୍ଗଲରେ ବନାଗ୍ନି ଦେଖାଦେଇଛି। ଓଡ଼ିଶା ପଛକୁ ଛତିଶଗଡ଼ରେ ୫୮, ଉତ୍ତରାଖଣ୍ଡରେ ୩୭, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶରେ ୨୪ଟି ଲେଖାଏଁ ସ୍ଥାନରେ ବଡ଼ଧରଣର ବନାଗ୍ନି ସଂଘଟିତ ହୋଇଥିବା ସମ୍ପର୍କରେ ‘ଫରେଷ୍ଟ ସର୍ଭେ ଅଫ୍‌‌ ଇଣ୍ଡିଆ’ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାର ମୁଖ୍ୟ ବନ ସଂରକ୍ଷକଙ୍କ କହିବା ଅନୁସାରେ ଓଡ଼ିଶାର ବନାଗ୍ନିର ୯୦ ପ୍ରତିଶତ ପୋଡ଼ୁୁଚାଷ ଯୋଗୁଁଁ ହେଉଛି। ୨୦୧୩ ନଭେମ୍ୱର ପହିଲାରୁ ଚଳିତ ବର୍ଷ ଏପ୍ରିଲ୍‌‌ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ୧୨ ହଜାର ୧୮୯ଟି ବନାଗ୍ନି ଅଞ୍ଚଳ ଚିହ୍ନଟ ହୋଇଛି। ବନାଗ୍ନିରେ ପଶୁମାନେ ମୃତ୍ୟୁବରଣ କରୁଥିବା ବେଳେ ଅନେକେ ଜୀବନରକ୍ଷା ପାଇଁ ଜନବସତି ମୁହାଁ ହୋଇ ପଶୁ-ମଣିଷ ଲଢ଼େଇରେ ମୃତାହତ ହେଉଛନ୍ତି।

ପୃଥିବୀର ସର୍ବାଧିକ ବନାଞ୍ଚଳ ବା ଦୁଇ-ତୃତୀୟାଂଶ ଆମାଜନଠାରେ ରହିଛି, ଯାହା ପୃଥିବୀର ଜଳବାୟୁକୁ ନିୟନ୍ତ୍ରଣରେ ରଖେ। ଗତ ଦୁଇ ବର୍ଷ ହେବ ଏହି ଚିରହରିତ୍‌‌ ଜଙ୍ଗଲର ଆକାଶଚୁମ୍ୱୀ ବୃକ୍ଷମାନଙ୍କର ପତ୍ରଝଡ଼ା ଦେବା ପରେ ଆଉ ନୂତନ ପତ୍ର କଅଁଳୁ ନାହିଁ। ବ୍ରାଜିଲ୍‌‌ରେ ଅଧିକ ବିଶାଳବାୟୁ ବୃକ୍ଷର ଜଙ୍ଗଲ ରହିଛି। ଦେଶବାସୀଙ୍କ ଆର୍ଥକ ଅବସ୍ଥା ଭଲ ନଥିବାରୁ ବ୍ରାଜିଲ୍‌‌ବାସୀ ରୋଜଗାର ପାଇଁ ପ୍ରତିଦିନ ହଜାର ହଜାର ବିଶାଳ ବୃକ୍ଷ କାଟି ବିକ୍ରି କରୁଛନ୍ତି। ମଣିଷ ତା’ର ସୁଖ ପାଇଁ ରାସ୍ତା ଓ ଗୃହ ନିର୍ମାଣ, କାରଖାନା ଓ ଖଣିଖନନ କରିବାକୁ ଯାଇ ଅବାଧରେ ଶତାୟୁ ବୃକ୍ଷଙ୍କୁ ଛେଦନ କରୁଛି।

ଭାଗବତରେ ଲେଖା ଅଛି – ‘ସକଳ ଘଟେ ନାରାୟଣ…।’ ବୈଜ୍ଞାନିକମାନେ ଏହାକୁ ପ୍ରମାଣ କରିଛନ୍ତି। ଗଛ ଗୋଟିଏ ସ୍ଥାନରେ ରହିଥିଲେ ମଧ୍ୟ ସଜୀବଙ୍କ ପରି ବଢ଼଼ିବା, ଖାଦ୍ୟପ୍ରସ୍ତୁତ, ସଙ୍ଗମ ଆଦି କାର୍ଯ୍ୟ କରିଥାଏ। ବୈଜ୍ଞାନିକମାନେ ଗବେଷଣାରୁ ଜାଣିପାରିଛନ୍ତି ଯେ ଗଛର ମଧ୍ୟ ମଣିଷ ଭଳି ଭାବନା ରହିଛି। ସେମାନଙ୍କୁ କେହି ଓପାଡ଼ିଲେ, କାଟିଲେ ସେମାନଙ୍କୁ କଷ୍ଟ ହୁଏ ଏବଂ ସେମାନେ ଶବ୍ଦ ଉତ୍ପନ୍ନ କରି ସାଥୀ ଗଛମାନଙ୍କୁ ଜଣାଇଥା’ନ୍ତି। ଜଳାଭାବ ହେଲେ ମଧ୍ୟ ଗଛ କଷ୍ଟ ଯୋଗୁଁଁ ଶବ୍ଦ ସୃଷ୍ଟି କରିଥାଏ। ଅବଶ୍ୟ ଏହି ଅଲଟ୍ରାସୋନିକ୍‌‌ ଶବ୍ଦ ତରଙ୍ଗ ମଣିଷମାନେ ଶୁଣି ପାରନ୍ତି ନାହିଁ। କିନ୍ତୁ ବୈଜ୍ଞାନିକମାନେ ଏହାକୁ ରେକର୍ଡ କରିବାରେ ସମର୍ଥ ହୋଇଛନ୍ତି। ଗଛ ଅବସାଦଗ୍ରସ୍ତ ଥିବା ବେଳେ ଏହି ଶବ୍ଦ ଅଧିକ ହୋଇଥାଏ ବୋଲି ଇସ୍ରାଏଲ୍‌‌ର ତେଲ ଆଲିଭ୍‌‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ‘ସେଲ’ରେ ପ୍ରକାଶିତ ରିପୋର୍ଟରେ ଜଣାଇଛନ୍ତି। ଏହାଦ୍ୱାରା ଗଛମାନେ ନିଜ ବିପଦ ସମ୍ପର୍କରେ ଆଖପାଖରେ ପରିବେଶକୁ ଜଣାଇବାକୁ ଇଚ୍ଛା କରିଥା’ନ୍ତି ବୋଲି ଉକ୍ତ ସନ୍ଦର୍ଭରେ କୁହାଯାଇଛି। ତେବେ ପଶୁମାନେ ଗଛର ଏହି ଶବ୍ଦ ଶୁଣିପାରନ୍ତି। ଅନ୍ୟ ବିଭିନ୍ନ ଗବେଷଣାରେ ଗଛମାନେ କୀଟ ପତଙ୍ଗ, ଅନ୍ୟ ପଶୁଙ୍କ ସହ ଭାବ ବିନିମୟ କରୁଥିବା ସମ୍ପର୍କରେ ଜଣାଯାଇଛି। ନିଜର କୌଣସି ପରିବର୍ତ୍ତନ ଜଣାଇବାକୁ ଯାଇ ଖୁବ୍‌‌ ତୀବ୍ର ଗନ୍ଧ ଛାଡ଼ିବା, ନିଜ ରଙ୍ଗ ଓ ଆକାର ବଦଳାଇବା ଭଳି ବିଭିନ୍ନ ଲକ୍ଷଣ ବୃକ୍ଷଲତାମାନେ ଦର୍ଶାଇଥା’ନ୍ତି।

ମଣିଷ ରାଇ ଜପରି ଜଙ୍ଗଲ ରାଇଜ ମଧ୍ୟ ପରସ୍ପର ସୁଖ, ଦୁଃଖ ବିପଦରେ କଥା ହୋଇଥା’ନ୍ତି। ଆମେ ଗୋଟିଏ ଗଛକୁ ହାଣିବା; ପୋଡ଼ିବା ବେଳେ ସେମାନେ ମଣିଷ ପରି କଷ୍ଟ ପାଆନ୍ତି। ଶିବ ପୁରାଣରେ ଉଲ୍ଲେଖ ଅଛି – ‘ଏକ ବୃକ୍ଷ ଦଶ ସନ୍ତାନ’। ଅର୍ଥାତ୍‌‌ ଗୋଟିଏ ଗଛକୁ ପାଳିବା ଦଶ ସନ୍ତାନଙ୍କୁ ପାଳିବା ସହିତ ସମାନ ଏବଂ ଗୋଟିଏ ଗଛକୁ ହାଣିବା ଦଶଟି ସନ୍ତାନ ହାଣିବା ସହିତ ସମାନ। ଗୋଟିଏ ଚାରାରୋପଣ କରି ଯତ୍ନନେଇ ବଡ଼ କଲେ ସେମାନେ ଦଶଟି ସନ୍ତାନର ଲାଭ ପ୍ରଦାନ କରିଥା’ନ୍ତି।


Rate this content
Log in

Similar oriya story from Horror