ପର୍ଶୁରାମଙ୍କ ତେଜ ହରଣ
ପର୍ଶୁରାମଙ୍କ ତେଜ ହରଣ
ହରଧନୁ ଭଗ୍ନ ପରେ ଶ୍ରୀରାମ,ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କର ବିବାହ ସମ୍ପନ୍ନ ହୋଇଗଲା । ମହର୍ଷି ବିଶ୍ଵାମିତ୍ର ପରଦିନ ପ୍ରଭାତରେ ଅଯୋଧ୍ୟାର ରାଜ କୁମାର ମାନଙ୍କୁ ଆଶୀର୍ବାଦ କରି ହିମାଳୟ ଯାତ୍ରା କଲେ । ରାଜା ଜନକ ବହୁ ଗଜ,ଅଶ୍ୱ,ଗାଭି,ରଥ, ମୂଲ୍ୟବାନ ପଟ୍ଟବସ୍ତ୍ର, ଦାସ, ଦାସୀ ଓ ମୂଲ୍ୟବାନ ଅଳଙ୍କାର ସ୍ତ୍ରୀଧନ ରୂପେ ଦାନକରି କନ୍ୟାମାନଙ୍କୁ ଅଶ୍ରୁପୁର୍ଣ୍ଣ ନେତ୍ରରେ ବିଦାୟ ଦେଲେ । ଦଶରଥଙ୍କ ସହ ସେ କିଛିଦୂର ଯାଇ ତାଙ୍କଠାରୁ ବିଦାୟନେଇ ଫେରି ଆସିଲେ ।
ଦଶରଥ ତାଙ୍କ ପୁତ୍ର ଏବଂ ପୁତ୍ରବଧୂ ମାନଙ୍କୁ ଧରି ଚତୁରଙ୍ଗ ବଳ ସହ, ମହାଡ଼ମ୍ବରେ ଢ଼ୋଲ ଟମକ ବଜାଇ, ଅଯୋଧ୍ୟା ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁ ଥାଆନ୍ତି ଏହି ସମୟରେ ପକ୍ଷୀମାନେ ଘୋର କଳ ରବ କରି ଉଡ଼ିବାକୁ ଲାଗିଲେ । ମୃଗମାନେ ଆସି ଶୋଭାଯାତ୍ରାକୁ ପ୍ରଦକ୍ଷିଣକରି ଚାଲିଗଲେ । ରାଜା ଦଶରଥ କୁଳଗୁରୁ ବଶିଷ୍ଠଙ୍କୁ କାରଣ ପଚାରିବାରୁ ସେ କହିଲେ," କିଛି ଅମଙ୍ଗଳର ସୂଚନା ମିଳୁଛି, କିନ୍ତୁ ମୃଗମାନେ ପ୍ରଦକ୍ଷିଣ କରି ଚାଲିଗଲେ ଅର୍ଥ, ବିପଦ ଦୂର ହୋଇ ଯିବ । ତେଣୁ ଆପଣ ନିଶଙ୍କ ରୁହନ୍ତୁ, ଚିନ୍ତାର କୌଣସି କାରଣ ନାହିଁ ।
ଏହି ସମୟରେ ମେଦିନୀ କମ୍ପମାନହୋଇ ପ୍ରବଳ ବେଗରେ ବାୟୁ ପ୍ରବାହିତ ହେଲା । ବଡ଼ବଡ଼ ବୃକ୍ଷ ମାନେ ଧରାଶାୟୀ ହୋଇ ପଡ଼ିଲେ, ସୂର୍ଯ୍ୟ ମଣ୍ଡଳ ଅଦୃଶ୍ୟ ହୋଇଗଲା । ସୈନ୍ୟ ସାମନ୍ତ କିଂକର୍ତ୍ତବ୍ୟ ବିମୁଢ଼ ହୋଇ ପଡ଼ିଲେ । ଏତିକି ବେଳେ ଦଶରଥ ଦେଖିବାକୁ ପାଇଲେ, କ୍ଷତ୍ରୀୟ କୂଳ ନାଶକ ଭୀମ ମୂର୍ତ୍ତୀ ପର୍ଶୁରାମ ଆସୁଛନ୍ତି । ତାଙ୍କ ସ୍କନ୍ଧରେ ପରଶୁ ଓ ହସ୍ତରେ ତେଜୀୟାନ ଧନୁ । କାଳାନ୍ତକ ପ୍ରାୟେ ସେହି ଭୃଗୁପତିଙ୍କୁ ଚାହିଁହେଉ ନଥାଏ । ବଶିଷ୍ଠଙ୍କ ସହ ସମସ୍ତ ମୁନିଋଷି ମାନେ ଭାବିଲେ ଏକବିଂଶ ବାର କ୍ଷତ୍ରିୟ ସଂହାରକରି କଅଣ ଭୃଗୁପତି ଶାନ୍ତ ହୋଇ ନାହାଁନ୍ତି,ପୁଣି ବାହାରି ପଡ଼ିଛନ୍ତି ! ସମସ୍ତେ ମିଶି ତାଙ୍କ ପଦ ବନ୍ଦନା କଲେ ଏବଂ ରାମ ରାମ କହି ମଧୁର ବାକ୍ୟରେ ପୂଜା କଲେ ।
ପର୍ଶୁରାମ ସାଦରେ ପୂଜା ଗ୍ରହଣ କରି ଶ୍ରୀରାମଙ୍କୁ ଚାହିଁ କହିଲେ । ରାମ ତୁମେ ଶିବ ଧନୁ ଭଗ୍ନ କରି ଏକ ଅଦ୍ଭୁତ କାର୍ଯ୍ୟ କରିଛ, କିନ୍ତୁ ମୋ ନିକଟରେ ଆଉ ଏକ ଧନୁ ଅଛି । ତୁମେ ଯଦି ସେଥିରେ ଗୁଣ ଚଢ଼ାଇ ପାରିବ, ତେବେ ମୁଁ ତୁମକୁ ପ୍ରକୃତ ବୀର ବୋଲି ଜାଣିବି ଓ ପୁରସ୍କାର ସ୍ୱରୂପ ମୁଁ ତୁମ୍ଭ ସହ ଦ୍ୱନ୍ଦ୍ୱଯୁଦ୍ଧ କରିବି ।
ରାଜା ଦଶରଥ କୃତାଞ୍ଜଳୀପୁଟ ହୋଇ କହିଲେ, ହେ ଭାର୍ଗବ ! ଆପଣ ଏ ସଂସାରରେ ବହୁ ଯଶ ଅର୍ଜନ କରିଛନ୍ତି,କ୍ଷତ୍ରୀୟମାନଙ୍କ ପ୍ରତି ଆପଣଙ୍କ କ୍ରୋଧ ଶାନ୍ତ ହୋଇଥିବା ମୁଁ ଜାଣେ । ପ୍ରତିଜ୍ଞାକରି ଇନ୍ଦ୍ରଙ୍କ ନିକଟରେ ଆପଣ ଅସ୍ତ୍ର ତ୍ୟାଗ କରିଛନ୍ତି । ସମଗ୍ର ପୃଥିବୀକୁ ଦାନକଲାପରେ ଆପଣ ଏବେ ମହେନ୍ଦ୍ର ଗିରିରେ ତପସ୍ୟା ରତ ଅଛନ୍ତି । ଆପଣ ମୋର ପୁତ୍ର ରାମଙ୍କୁ ନିହତ କଲେ ଆମ୍ଭେ କେହି ଜୀବନ ଧରି ରହିପାରିବୁ ନାହିଁ । ସେ ଦଶରଥଙ୍କ ମିନତିକୁ କର୍ଣ୍ଣପାତ ନକରି ରାମଙ୍କୁ କହିଲେ,ମୋ ନିକଟରେ ଶିବ ଧନୁ ପରି ଏକ ଧନୁ ଅଛି, ଯାହା ଜଗତରେ ଏକ ମୁଖ୍ୟ ଧନୁ ବୋଲି ଖ୍ୟାତ ।
ଦେବଗଣ ଦେଵଶିଳ୍ପୀ ବିଶ୍ୱକର୍ମାଙ୍କ ଦ୍ୱାରା ଦୁଇଟି ଧନୁ ନିର୍ମାଣ କରାଇ ଗୋଟିଏ ଶିବଙ୍କୁ ଓ ଗୋଟିଏ ବିଷ୍ଣୁଙ୍କୁ ଦେଇଥିଲେ । ଗୋଟିଏସମୟରେ ବିଷ୍ଣୁ ଓ ଶିବଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଶ୍ରୀବିଷ୍ଣୁଙ୍କ ହୁଙ୍କାରରେ ଶିବଧନୁର ତେଜହାନୀ ଘଟିଲା,ବିଷ୍ଣୁ ତାଙ୍କ ଧନୁଟି ଋଚିକଙ୍କୁ ଦେଲେ । ପୁଣି ଋଚିକ ମୋ ପିତା ଯମଦଗ୍ନିଙ୍କୁ ସେହି ଧନୁ ଦେଇ ଦେଲେ । ମୁଁ ସେହି ଧନୁରେ କ୍ଷତ୍ରୀୟ ସଂହାର କରି ପୃଥିବୀକୁ କରଗତ କଲି । କଶ୍ୟପ ଋଷିଙ୍କୁ ପୃଥିବୀକୁ ଦାନ କରି ଏବେ ମୁଁ ମହେନ୍ଦ୍ର ଗିରିରେ ତପସ୍ୟା ରତ । ତୁମେ ଏହି ବୈଷ୍ଣବ ଧନୁକୁ ଗ୍ରହଣ କର ଓ ତୁମ ବୀରତ୍ୱ ପ୍ରକାଶ କର ।
ଶ୍ରୀରାମ କହିଲେ, ଭାର୍ଗବ, ଆପଣଙ୍କ କିର୍ତ୍ତୀଗାଥା ମୁଁ ଶୁଣିଛି,କିନ୍ତୁ ଆପଣ ଆମ ଶକ୍ତି ଜାଣି ନାହାଁନ୍ତି । ଏଣୁ ଆପଣ ଏଭଳି ଅବଜ୍ଞାପୂର୍ଣ୍ଣ ବାର୍ତ୍ତା କରୁଛନ୍ତି । ଏବେ ମୋର ପରାକ୍ରମ ଦେଖନ୍ତୁ । ଏହାକହି ପ୍ରଭୁ ଶ୍ରୀରାମ ତାଙ୍କ ହାତରୁ ଧନୁଟି ଆଣି ଅନାୟାସରେ ଶର ସଂଯୋଗ କଲେ । କିନ୍ତୁ ଶରନିକ୍ଷେପ ନକରି କହିଲେ ଆପଣ ଯମଦଗ୍ନିଙ୍କ ପୁତ୍ର ଓ ବିଶ୍ଵାମିତ୍ରଙ୍କ ଭାଗିନେୟ,ଏଣୁ ମୁଁ ଆପଣଙ୍କ ପ୍ରାଣନାଶ କରିବା ଚାହେଁ ନାହିଁ । ମାତ୍ର ଏହି ବୈଷ୍ଣବ ଶରଟି ମୋର ବ୍ୟର୍ଥ ଯିବ ନାହିଁ । ଏହା ଆପଣଙ୍କ ଗତି ଓ ତପ ବଳରେ ଅର୍ଜିତ ପୁଣ୍ୟ ଦୁଇଟାରୁ ଗୋଟିଏ ହରଣ କରିବ । ଦେବ,ଦାନଵ,ଯକ୍ଷ,ରକ୍ଷ, ନର ସମସ୍ତେ ସେହି ଦୃଶ୍ୟକୁ ଦେଖିବାକୁ ଲାଗିଲେ । ରାମ ଚନ୍ଦ୍ର ସମସ୍ତଙ୍କ ଉପସ୍ଥିତିରେ ପର୍ଶୁରାମଙ୍କ ତେଜ ହରଣ କଲେ । ପର୍ଶୁରାମ ନିର୍ଵିର୍ଯ୍ୟ,ନିର୍ବଳହୋଇ ରାମଙ୍କ ଆଡ଼େ ଚାହିଁ କହିଲେ,ହେ ରାଘବ,ମୋର ଗତିକୁ ତୁମେ ନାଶ କର ନାହିଁ । ସନ୍ଧ୍ୟା ପୂର୍ବରୁ ମୋତେ ମୋର ତପସ୍ଥଳୀ ମହେନ୍ଦ୍ର ଗିରିକୁ ଫେରି ଯିବାକୁ ପଡ଼ିବ । ମୁଁ ତପଃ ବଳରେ, ଯେଉଁ ପୁଣ୍ୟ ଅର୍ଜନ କରିଛି ତାହା ଏହି ଶର ଦ୍ୱାରା ହରଣ କର । ଏହି ବୈଷ୍ଣବ ଧନୁଷରେ ତୁମେ ଯେପରି ଅନାୟାସରେ ଶର ସଂଯୋଗକଲ ତହିଁରୁ ମନେ ହେଉଛି ତୁମେ ସ୍ୱୟଂ ମଧୁସୂଦନ । ତୁମ ପାଖରୁ ମୁଁ ପରାସ୍ତହେଲି, ଏଥିରେ ମୁଁ ଆଦୌ ଲଜ୍ଜିତ ନୁହେଁ । ବର୍ତ୍ତମାନ ମୁଁ ମହେନ୍ଦ୍ର ପର୍ବତକୁ ଚାଲି ଯାଉଛି ।
ଏହା ପରେ ଶ୍ରୀରାମ ନିଜ ଶର ମୋଚନ କଲେ । ଉପସ୍ଥିତ ସମସ୍ତ ଦେବତା ଋଷିମାନେ ଶ୍ରୀରାମଙ୍କ ବହୁ ପ୍ରଶଂସାକଲେ । ଶ୍ରୀରାମଙ୍କୁ ଭକ୍ତି ସହକାରେ ପ୍ରଦକ୍ଷିଣ କରି ପର୍ଶୁରାମ ପ୍ରସ୍ଥାନ କଲେ । ଶ୍ରୀରାମ ସେହି ବୈଷ୍ଣବ ଧନୁଟିକୁ ବରୁଣଙ୍କୁ ପ୍ରଦାନ କଲେ । କୋଶଳ ପତି ଦଶରଥ ସଦଳବଳେ ଅଯୋଧ୍ୟାକୁ ଫେରିଆସିଲେ ।
କୌଶଲ୍ୟା,ସୁମିତ୍ରା, କୈକେୟୀ ଓ ଅନ୍ୟ ପୁରନାରୀମାନେ ନବବଧୂମାନଙ୍କୁ ବରଣ କରି ନେଲେ । ମଙ୍ଗଳାଚରଣ, ହୋମ ଆଦି ପରେ ସୀତା, ଉର୍ମିଳା, ମାଣ୍ଡବୀ ଓ ଶୃତକୀର୍ତ୍ତି ପଟ୍ଟ ବସ୍ତ୍ର ପରିହିତା ହୋଇ ଗୃହ ଦେବତାଙ୍କୁ ପୂଜା କରି ଗୁରୁ ଗୁରୁଜନ ମାନଙ୍କ ବନ୍ଦନା କରି ଅନ୍ତଃପୁର ପ୍ରବେଶ କଲେ । ବିଭିନ୍ନ ମଙ୍ଗଳ ଵାଦ୍ୟ ବାଜିବାକୁ ଲାଗିଲା ଓ ସମଗ୍ର ଅଯୋଧ୍ୟା ଉତ୍ସବମୁଖର ହୋଇପଡ଼ିଲା । ଶ୍ରୀରାମଙ୍କ ଯଶ ଓ ବୀରତ୍ୱର ଗାଥା ଚତୁର୍ଦ୍ଦିଗରେ ଗୁଞ୍ଜରିତ ହେବାରେ ଲାଗିଲା । ଏହି ଦୃଶ୍ୟକୁ ସନ୍ଥ ତୁଳସୀଦାସ ରାମଚରିତ ମାନସରେ ବର୍ଣ୍ଣନାକରି
ଲେଖିଲେ :-
ମାଗଧ ସୁତ ବନ୍ଦି ନଟ ନାଗର ।
ଗାୱହିଁ ଜସୁ ତିହୁଁ ଲୋକ ଉଜାଗର ।।
ଜୟଧୁନୀ ବିମଲ ବେଦବର ବାନୀ ।
ଦଶଦିଶି ଶୁନିଅ ସୁମଙ୍ଗଲ ସାନୀ ।।
