ପରୋକ୍ଷ ନାୟିକା ରାଧା
ପରୋକ୍ଷ ନାୟିକା ରାଧା
ବାଇ ଚଢେଇ ବସା ପରି, ଛୋଟ ସଂସାର ରଘୁର. ପୁଅ ଝିଅ ଦୁଇଟିଙ୍କ ସହ ରଘୁ ରାଧାକୁ ନେଇ ଗଢ଼ିଛି ମାଟିର ମଟାଳ ପରି ତା ଛୋଟ ସଂସାର. ମେହନତି ମଣିଷ ରଘୁ. ମାଟି ତାର ମାଆ ବାପା. ମାଟି ତାର ରୋଜଗାର. ମାଟିରୁ ଫଳାଏ ସୁନା. ସେହି ଅମଳ ରୁ ଚାଲିଯାଏ ବର୍ଷକ. ଘର ବାଡ଼ିରେ ମାଡିଥାଏ କଖାରୁ ଗଛ. ଜହ୍ନି, ଭେଣ୍ଡି, କାକୁଡିର ଲଟା, ଶାଗ ପଟାଳି କୁ ପଟାଳି. ବୁଦା ବୁଦା ସାରୁ. ଚାଲିଯାଏ ବର୍ଷକ ଦୁଃଖ ସୁଖରେ. ବଳକା ବିକ୍ରିବଟା ରୁ ବି ଭରିଯାଏ, ଛୋଟ ମୋଟ ହାତଖର୍ଚ୍ଚ.ଗାଇ ପାଳନ, କୁକୁଡ଼ା ଚାଷ, ଛତୁ ଚାଷ ରୁ ବି ଭଲ ଆୟ ହୁଏ.
ଏମିତିରେ ବି ବନ୍ଧୁ ବାନ୍ଧବ, ପରବ ପର୍ବାଣୀ, ସାଙ୍ଗ ସାଥି ନାହାଁନ୍ତି ବୋଲି ନୁହେଁ, ବରଂ ସବୁରି ଦୁଆରେ ଠିଆ ହୁଏ ରଘୁ. ବାର୍ତ୍ତା, ଗୁଆ ବନ୍ଧୁ ସମ୍ପର୍କ ମାନେ ବୁଝେ. ସେଇଥିପାଇଁ ବଢନ୍ତା ସଂସାରସହ ହାତ ମିଳାଇ ରାଧା ଦାଣ୍ଡ ଦୁଆରେ ଖୋଲିଛି ଦୋକାନ. ପୁଅ ଝିଅ ଦୁହେଁ ପାଠ ପଢୁଛନ୍ତି ପାଖ ସ୍କୁଲ ରେ. ରଘୁର ବାଇଆ ବସା ସହ ଛୋଟ ସଂସାର ଭିତରେ ଥିଲା ଆଦର୍ଶ. ନିଜ ସାମର୍ଥ୍ୟ ଉପରେ ନିଜର ଭରସା ଓ ବିଶ୍ୱାସ. ତା ଛଡା, ସ୍ନେହ, ମମତା, ଆଦର, ବୁଝାମଣା ରହିଥିଲା ରଘୁ ଓ ରାଧା ଭିତରେ.
ଅବସ୍ଥା ଚକ୍ର ସହ ନିୟତ୍ତିର କ୍ରୁର ଉପହାସ ଯୋଗୁଁ ରଘୁ ର ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତି କରୁଥିଲା. ମାଟି ମାଆର କର୍ଷଣ ବେଉଷଣ ରେ ବାଧା. ତାକୁ ଧରି ରାଧା ସହରକୁ ଦୌଡୁ ଥିଲା, ଏଠିକି ସେଠିକି ରୋଗ ନିରୂପଣ କରି ଔଷଧ ଦେଇ ସୁସ୍ଥ କରିବାକୁ ସ୍ୱାମୀକୁ. ଦୋକାନ ରୁ ଫେରିଯାଉଥିଲେ ଗରାଖ. ପିଲା ଦୁହେଁ ବାପା ମାଆ ଙ୍କ ଠୁ ପାଇଥିବା ସଂସ୍କାର ଓ ସମୟନୁବର୍ତ୍ତୀ କାରଣରୁ ନିଜ କାମ ନିଜେ କରି ସ୍କୁଲ ଯାଉଥିଲେ. ପାଠ ପଢିବାରେ ମନ ଦେଇ, କହୁଥିଲେ, କାଳିଆ ଘୋଡାରେ ଚଢ଼ିବି... ମଧୁ ବାରିଷ୍ଟର ପରି ଲଢ଼ିବି. ଭାଇ ଭଉଣୀ ଭିତରେ ଥିବା ଅନାବିଳ ସ୍ନେହ ମମତା ଯୋଗୁଁ ଆଜି ଦୁହେଁ ନିଜ ନିଜ କ୍ଲାସରେ ପ୍ରଥମ ସ୍ଥାନ ଅଧିକାର କରି ଆଗେଇ ଚାଲିଛନ୍ତି.
ରାଧା ଦୋକାନରୁ ପାନ ଖାଉଥିବା ଜୈନିକ ପାଖ ପଡୋଶୀ ଡାକ୍ତର ବାବୁ,ଦେବଦୂତ ପରି ସାହାଯ୍ୟ ସହଯୋଗର ହାତ ବଢ଼େଇଲେ. ରଘୁର ଆରୋଗ୍ୟ ରେ ସହାୟକ ହୋଇ, ଔଷଧ ପତ୍ର ଯୋଗେଇ ଦେଲେ.ଏଣିକି ରଘୁ ଆସ୍ତେ ଆସ୍ତେ ସୁସ୍ଥ ହୋଇ ଆସୁଥିଲେ ମଧ୍ୟ ଜମି ବାଡି କାମକୁ ଯିବାକୁ ଡାକ୍ତର ମନା କରିଛନ୍ତି. ପୁଅ ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଛି. ଘରକୁ କେତେ କିଏ ଯିବା ଆସିବା କରୁଛନ୍ତି. ରାଧା ଓ ରଘୁକୁ କିଛି କହିବାକୁ କହିବାରୁ ରାଧା କହିଛି ଆତ୍ମବିଶ୍ଵାସ ହିଁ ସଫଳତାର ଚାବିକାଠି. ମନୋବଳ ନହରାଇ ଆଗକୁ ବଢିବାକୁ ଦେଇଥିବା ଉପଦେଶ ଅକ୍ଷରେ ଅକ୍ଷରେ ପାଳନ କରିଥିବାରୁ ମୋ ପୁଅ ଆଜି ଘରକୁ ସୁନାମ ଆଣିଦେଇଛି. ପୁଅ କହିଥିଲା ଭବିଷ୍ୟତ ରେ ଶିକ୍ଷକ ଟିଏ ହୋଇ ଗ୍ରାମରେ ଥିବା ସମସ୍ତ ଅସହାୟ ପିଲାଙ୍କୁ ପଢ଼ାଇବା ମୋର ଲକ୍ଷ. ସମସ୍ତେ ରଘୁ ପୁଅ କୁ ସାବାସୀ ଦେଇ ରଘୁକୁ କିଛି କହିବାକୁ କହିବାରୁ ସେ କହିଥିଲା.
ମୋର କିଛି ଲକ୍ଷ ନାହିଁ. ମୁଁ କେବଳ ମାଆ ମାଟି କୁ ଜାଣେ. ଆସିଛି ଏକା ଯିବି ମୁଁ ଏକା. ମାଟିରୁ ସୁନା ଫଳାଇବାକୁ ଆଜି ମୁଁ ଅସମର୍ଥ. ଏ କାମରେ ମୋ ପୁଅ ମତେ ସାହାଯ୍ୟ କଲେ ମୁଁ ସବୁଠୁ ଖୁସି ହେବି. ରଘୁର ସରଳ ପଣ ଓ ମାଟି ମାଆ ଉପରେ ଭରସା ଓ ବିଶ୍ୱାସ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥିଲା. ପୁଅ କୁ ଅନେକ ଅନୁଷ୍ଠାନ ତରଫରୁ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସାହାୟତା ମିଳି ଯାଇଥିଲା,କିନ୍ତୁ ଓଡ଼ିଶାର ସବୁ ପୁରାତନ ଖବର କାଗଜ କୃଷକ ରଘୁର ପ୍ରଶଂସା ରେ ଶତମୁଖ ହୋଇ ସମ୍ବାଦ ପରିବେଷଣ କରୁଥିଲା ବେଳେ, ରଘୁ ଘରେ ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ ମହା ଧୂମଧାମ ରେ ପାଳିତ ହେଉଥିଲା.
