ପ୍ରଣୟରେ ପାପ ପୁଣ୍ୟ
ପ୍ରଣୟରେ ପାପ ପୁଣ୍ୟ
କଥାରେ ଅଛି ବାହାଘର ପରେ ବେଦୀମୁହଁ ପୋଡା ଅର୍ଥାତ ପାରିବାରିକ ତଥା ସାମାଜିକ ପର୍ବ ବିବାହ ପୂର୍ବରୁ ବେଦୀକୁ ଯେତିକି ଧ୍ୟାନ ଦିଆଯାଇଥାଏ ବିବାହ ପରେ ଆଉ ବେଦୀକୁ ପଚାରେ କିଏ?ଜେଜୀମା କହୁଥିଲେ ଆରେ ପିଲାଏ ଆମ ବେଳେ ପରା ଷୋଳ ମଙ୍ଗଳା ଯାଏଁ ବେଦୀ ବନ୍ଦାପନା ହେଉଥିଲା. ପୁଣି ମାସକୁ ମାସ ବନ୍ଦାପନା ପରେ ଶେଷ ବନ୍ଦାପନା ଥିଲା ବିବାହ ବାର୍ଷିକୀ. ସେଦିନ ପୁଅ ବୋହୂ ବା ଝିଅ ଜୋଇଁ ପିନ୍ଧିଥିବା ମୁକୁଟ,ବାଡୁଅ ସୂତା, ଗଇଣ୍ଠିଆଳ ଇତ୍ୟାଦି ପରା ପୂଜା ପାଇ ପାଣିରେ ଉଜୁଆଁ ହେଉଥିଲା. ଆଜିକାଲି କଲ୍ୟାଣୀମଣ୍ଡପ ଓ ବଡ଼ ବଡ଼ ହୋଟେଲମାନଙ୍କରେ ବାହାଘର ହୋଇଯାଉଛି ତ ଆଉ ସେଇ ବେଦୀ ପାଇବା ଅସମ୍ଭବ. ଜଣଙ୍କ ପରେ ଜଣଙ୍କର ବାହାଘର ଚାଲିଛି ସେହି ବେଦୀରେ ସବୁଦିନ. ଜେଜୀମାଆଙ୍କ କଥା ଶୁଣି ହସିଦେଲେ ମାଆ ସୁମିତ୍ରା. ସେତେବେଳେ ବାପା ମାଆ ପସନ୍ଦର ଜୋଇଁ ଓ ବୋହୂ ସହିତ ବାହାଘରରେ ମନରେ ଯେଉଁ ଉତ୍ସାହ ଉଦ୍ଦୀପନା ଥିଲା ଏ ମନରାଜି ବାହାଘରରେ କଣ ଆଉ ସେସବୁ ଅଛି! ଶାଶୁଙ୍କ କଥାଟା ବୋହୂ ଆନି ଦେହରେ ବାଜୁଥିଲା ଟପ ଟାପ ତ ତାହାର ପ୍ରତିକ୍ରିୟା କେବଳ ଭୋଗୁଥିଲା ବୋଧହୁଏ ଅନିମେଷ. ଖ୍ରୀଷ୍ଟିଆନ ଘର ଝିଅ ଆନିକୁ ବାହାହୋଇ ବାପା ମାଆ ବନ୍ଧୁବାନ୍ଧବ ସମସ୍ତଙ୍କ ପାଖେ ଦୋଷୀ ଥିଲା ଚଳୁଥିଲା କିନ୍ତୁ ପ୍ରଥମ ରାତିରେ ଆନି ଯେବେ ଆଉ ପାପ କରନା କହି ଘୁଞ୍ଚିଗଲା ତ ଅନିମେଷ ଖାଲି ଆଶ୍ଚର୍ଯ୍ୟ ହେଲାନି ବରଂ ଦୁଃଖ ପାଇଲା ଖୁବ. ଅନିମେଷ ବାଇବେଲ ପଢି ପାପର ସଂଜ୍ଞା କିଛି ମାତ୍ରାରେ ଜାଣିଥିଲା. ଏମିତି ଯେ ପୃଥିବୀର ପ୍ରଥମ ମାନବ ଯୋଡି ଆଦାମ ଓ ଇଭ ଇଶ୍ଵରଙ୍କ ସହିତ ଏଡେନ ବଗିଚାରେ ବାସ କରୁଥିଲେ. ଇଶ୍ଵରଙ୍କ ବଗିଚାରେ ଭଲ ଓ ମନ୍ଦ ଜ୍ଞାନର ବୃକ୍ଷରୁ ଫଳ ଖାଇବାକୁ ମନା କରାଯାଇଥିଲା ମାତ୍ର ଇଶ୍ଵରଙ୍କ ଆଦେଶକୁ ଅବମାନନା କରି ଫଳ ଖାଇଥିବାରୁ ସେମାନଙ୍କୁ ପୃଥିବୀପୃଷ୍ଠରେ ବଂଶାନୁକ୍ରମିକ ଚଳିବାକୁ ଛାଡ଼ିବା ସହ ଧରାପୃଷ୍ଠରେ ପାପ ବୋଲି ଏକ ଶବ୍ଦ ସୃଷ୍ଟି ହୋଇସାରିଥିଲା.ଇଶ୍ଵରଙ୍କ ବିଚାରରେ ମନ୍ଦ କର୍ମକୁ ପାପ ଓ ଭଲକାମକୁ ପୁଣ୍ୟ କୁହାଯାଉଥିଲା ବେଳେ ଆନିକୁ ବିବାହ କରି ଅନିମେଷ କେବଳ ପୁଣ୍ୟ ହିଁ କରିଥିଲା.ନଚେତ ଆନିର ଭବିଷ୍ୟତ ଅନ୍ଧକାର କାଳ କୋଠରୀରେ ସଢ଼ି ଥାଆନ୍ତା. କାରଣ ଆନିର ଇଛା ବିରୁଦ୍ଧରେ ବିବାହ ଦିନ ହିଁ ତା ସ୍ୱାମୀର ମୃତ୍ୟୁ ହୋଇଯାଇଥିଲା ତ ପୂର୍ବ ପ୍ରେମିକ ଅନିମେଷ ସେତେବେଳେ ଚର୍ଚ୍ଚରୁ ଆନିର ହାତ ଧରି ନେଇଆସିଥିଲା ତାଙ୍କ ଘର ଅଗଣାର ବେଦୀ ଯାଏଁ.ତେବେ ଆନିର ଏ ଆଚ୍ଚରଣରେ ଅନିମେଷର ଭାବନା ଥିଲା ସୁଦୂରପ୍ରସାରୀ ।
ମନୁଷ୍ୟର ଇଛା ହିଁ ପାପ ଓ ପୁଣ୍ୟ ବଢ଼ାଇଥାଏ.ମନୁଷ୍ୟ ମନର ପୁଣ୍ୟରେ ପାପ ଲୁକ୍କାୟିତ ଓ ପାପରେ ପୁଣ୍ୟ ଉହ୍ୟ ଥାଏ.ମଣିଷ ମନର ଏ ପ୍ରକାର ସ୍ଥିତି ଯୋଗୁଁ ସାହାସ ଭୀରୁତାରେ, ଆତ୍ମବିଶ୍ୱାସ ଆତ୍ମଗର୍ବରେ, ବନ୍ଧୁତା ଶତ୍ରୁତାରେ ଓ ପ୍ରେମ ହିଂସାରେ ତଥା ଆଦର ଅନାଦାରରେ ପରିଣତ ହୋଇ ପାପ ଆଡକୁ ଅଗ୍ରସର ହୁଅନ୍ତି. ବେଳେବେଳେ କଠୋର ନୀତିବାଦୀ ଵ୍ୟକ୍ତି ପୁଣ୍ୟ ପ୍ରତି ଅତ୍ୟନ୍ତ ଆସକ୍ତ ହୋଇ ପାପ କରିବସିବାର ବହୁ ନଜିର ଅଛି. ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପ୍ରେମ ହିଁ ପୁଣ୍ୟ କିନ୍ତୁ ଉପେକ୍ଷାକୁ ଅପେକ୍ଷାରେ ପରିଣତ କରିବାକୁ ବୁଝି ଶୋଇଯାଇଥିଲା ଅନିମେଷ. ସକାଳୁ ନିଜ ବୋଉ ଡାକି ଉଠେଇ କହିଥିଲେ ପୁଅ ଅନିମେଷକୁ ଆନିକୁ ପାଖ ଜଗନ୍ନାଥ ମନ୍ଦିର ନେଇକି ଯିବାକୁ. ଆନି ମଧ୍ୟ ପ୍ରସ୍ତୁତ ହୋଇସାରିଥିଲା. ଜଗନ୍ନାଥ ଦର୍ଶନ ପରେ ଆନି ମନରେ ଥିବା ବିଷାଦ ନିଶ୍ଚୟ ଦୂରେଇ ଯିବ ବୋଲି ଭାବି ଉଠିଲା ଅନିମେଷ. ମନ୍ଦିର ବେଢାରେ ନିଜ ସାଙ୍ଗ ସହିତ ତାର ତିନି ବର୍ଷର ଛୋଟ ପୁଅକୁ ଦେଖି ଆନି ଅଧୀର ହୋଇଉଠିଲା. ଦୁଇ ସାଙ୍ଗଙ୍କୁ ଏକାଠି ଗପିବାକୁ ଛାଡି ଅନିମେଷ ଦୂରେଇ ଯାଉଥିଲା କିନ୍ତୁ ଆନି ଅନିମେଷଙ୍କ ହାତକୁ ଭିଡି ପଚାରୁଥିଲା ମୋ ସାଙ୍ଗ ଏଇ ପାଖ ଗଳିରେ ରହେ ତା ଘରକୁ କେବେ ଯିବା କୁହ?ସାଙ୍ଗ ନିବେଦିତା କହୁଥିଲା ଆସନ୍ତା ଶନିବାର ମୋ ସ୍ୱାମୀ ଆସୁଛନ୍ତି ଫୌଜି ଚାକିରୀରୁ ଛୁଟି ପାଇ ତ ତୁ ସେତିକି ବେଳେ ଆସେ ଆନି ତୋ ମନରମଣିଷ ଅନିମେଷଙ୍କ ସହ. ନିଶ୍ଚୟ ଯିବୁ କହି ଖୁସିରେ ଘରକୁ ଫେରିଲେ ଦୁହେଁ. ଆନି ମନରେ କିଛି ପରିବର୍ତ୍ତନ ତ ଥିଲା କିନ୍ତୁ ଆଦାମଙ୍କ ପରି କିଛି ଭୁଲ କରିବାକୁ ନଦେଇ ଆରିଷ୍ଟଟଲଙ୍କ କହିବା ଅନୁସାରେ ଚରମ ସୀମାରେ ପହଞ୍ଚିଗଲେ ପ୍ରତ୍ୟେକ ପୁଣ୍ୟ ପାପରେ ଓ ପାପ ମଧ୍ୟ ପୁଣ୍ୟରେ ପରିଣତ ହୋଇଥାଏ ତ ଅନିମେଷ ସ୍ତ୍ରୀର ପ୍ରେମ ପାଇବା ସୁଯୋଗକୁ ଅପେକ୍ଷା କରି ରହିଥାଏ ଦିନ ପରେ ଦିନ ଗଣି ।
ସପ୍ତାହର ଶେଷ ଦିନ ଅନିମେଷ ନିଜକୁ ପ୍ରସ୍ତୁତ କରୁଥିଲେ. ତାଙ୍କୁ ଏଥର ଫେରିଯିବାକୁ ହେବ କର୍ମସ୍ଥଳୀକୁ. ଘରେ ଜେଜେ ଜେଜୀମା, ବୋଉ, ବାପା ସମସ୍ତେ ବାଧ୍ୟ କରୁଥିଲେ ବୋହୂ ଆନିକୁ ସାଙ୍ଗରେ ନେଇଯିବାକୁ ଆନି କିନ୍ତୁ ମନ୍ଦିରରେ ଦେଖା ହୋଇଥିବା ସାଙ୍ଗ ନିବେଦିତା ଘରକୁ ଯିବକି ନାହିଁ ପଚାରୁଥାଏ. ରାଜି ଥିଲେ ଅନିମେଷ କାଲି ଯିବା କହି. ହଠାତ ଟିଭିରେ ସନ୍ତ୍ରାସବାଦୀ ଆକ୍ରମଣରେ ଦଶ ଜଣ ଜବାନଙ୍କ ଭିତରୁ ଓଡ଼ିଶାର ଜଣେ ଜବାନ ଶହୀଦ ଖବରରେ ବ୍ୟସ୍ତ ବିବ୍ରତ ଅନିମେଷ ସ୍ତବ୍ଧ ହୋଇଗଲେ ଯେବେ ଜାଣିବାକୁ ପାଇଲେ ସେ ଆଉ କେହି ନୁହଁନ୍ତି ବରଂ ନିବେଦିତାଙ୍କ ପତି ରଞ୍ଜନ. କଫିନ ଆସିବା ଆଗରୁ ଆନି ଓ ଅନିମେଷ ପହଞ୍ଚିଥିଲେ ନିବେଦିତାଙ୍କ ଘର ପାଖେ. ଜନସମୁଦ୍ର ପରି ଲୋକରଣ୍ୟ ପରିବେଶ ଖୁବ ଅଶ୍ରୁଳ ଥିଲା.କଫିନରୁ କାଢି ଶହୀଦଙ୍କୁ ଶୁଆଇ ଦେବା ପରେ ଦେଖାଗଲା ଛୋଟ ପୁଅ ବାପା ଉପରେ ଜାତୀୟ ପତାକା ଘୋଡେଇ କହୁଛି ବନ୍ଦେ ମାତରଂ ଆଉ ନିବେଦିତା? ଆରେ ଏ କଣ ପତିବ୍ରତା ସଧବା ବେଶରେ ସ୍ୱାମୀ କପାଳରେ ଚୁମ୍ବନ ଆଙ୍କି ଦେଇ ନିବେଦିତା ଢଳି ପଡିବାରେ ଜନତା ସ୍ତବ୍ଧ. ଡାକ୍ତର ଘୋଷଣା କରିଥିଲେ ସି ଇଜ ନୋ ମୋର ତ ଦୁହିଁଙ୍କୁ ଏକାସଙ୍ଗେ କଫିନରେ ଭରିଲା ବେଳେ ପୁଅ ଛୋଟୁ ନିର୍ଭିକ ଭାବେ କହୁଥିଲା ବନ୍ଦେ ମାତରଂ. ଏହି କରୁଣ ପରିସ୍ଥିତିରେ ଆଉ କିଛି ଦିନ ଆନିକୁ ନୂତନ ପରିବେଶ ଓ ପରିବାର ସହିତ ଇଛା ଅନିଚ୍ଛା ଭିତରେ ପାପ ପୁଣ୍ୟ ବିଚାରକୁ ପରଖିବାକୁ ଛାଡି ଅନିମେଷ ନିଜ ବ୍ୟାଗ ନେଇ ବାହାରିଲା ବେଳେ ତା ପଛରେ ଆନି ତା ଟ୍ରଲି ବ୍ୟାଗ ଧରି ପ୍ରସ୍ତୁତ ଥିଲା ଯିବାକୁ. କିଛି ପ୍ରଶ୍ନ ଉତ୍ତର ପୂର୍ବରୁ ମାଆ ବିଦାୟ ବନ୍ଦାଣ ଥାଳି ଧରି ବନ୍ଦେଇ ଚାଲିଥିଲା ବେଳେ ଆନି ଚୁପି ଚୁପି କହୁଥିଲା ତୁମକୁ ଛାଡି ବଞ୍ଚିପାରିବିନି ଅନିମେଷ. ହେଲେ ତୁମ ଦାଇତ୍ୱ, କର୍ତ୍ତବ୍ୟ, ତୁମ ପରିବାର ସହ ନିଜ ଇଛା ଅନିଚ୍ଛାର ପାପ ପୁଣ୍ୟ ପାଇଁ ଆଉ କିଛି ଦିନ ଏକା ରହିବାର ଥିଲା ନା ତୁମର . ଆନି ଆଖିରେ ଅଶ୍ରୁ ଦେଖି ଆଉ କିଛି କହିନଥିଲା ଅନିମେଷ ।
