ପ୍ରକୃତ ବନ୍ଧୁ: ପ୍ରଥମ ଶିକ୍ଷା
ପ୍ରକୃତ ବନ୍ଧୁ: ପ୍ରଥମ ଶିକ୍ଷା
ମୁଁ ସୌଭାଗ୍ୟ, ହେଲେ ନାମ ଯେମିତି ମୋ ଭାଗ୍ୟ ହୁଏତ ନୁହଁ ସେମିତି। ମୋ ଜନ୍ମ ରାଜଧାନି ସୀମା ମଧ୍ୟରେ ହୋଇଛି ସତ ହେଲେ ସୁଖ ଏ ଯାଏଁ ମିଳିନି। ମୋ ଅଜା ଥିଲେ ସରକାରୀ ସଚିବାଳୟ ଅଧିକାରୀ, ଖୁବ୍ ଖ୍ୟାତି ଅର୍ଜନ କରିଥିଲେ । ଯାହା ଫଳ ରେ ଏ ଯାଏଁ ମୋ ମାମୁ ଘର ଏବଂ ମାଆ ଗର୍ବିତ। ମୋ ଜନ୍ମ ସରକାରୀ ଚିକିତ୍ସକଙ୍କ ଦ୍ଵାରା ହୋଇଥିଲା। ମୋ ବାପା ନିମ୍ନ ମଧ୍ୟବିତ୍ତ ଘରୋଇ ଚାକିରୀ, ଦରମା ଚଳିବାପାଇଁ ଯେତିକି ଠିକ୍ ସେତିକି। ଯେହେତୁ ମୁଁ ଘରର ଗୋଟେ ବୋଲି ସନ୍ତାନ ତେଣୁ ମୋ ଛୋଟ ବେଳୁ ବାପା ଚାହୁଁଥିଲି ମୁଁ ସରକାରୀ ଡକ୍ଟର ହୁଏ, ମାତ୍ର ମୋ ମନରେ ଥିଲା ଇଚ୍ଛା ହେବାକୁ ଗୋଟେ ଶିକ୍ଷକ। ସ୍ବାସ୍ଥ୍ୟ କାରଣ ହେତୁ ମୁଁ ମୋର ବାଲ୍ୟକାଳ ମୋ ଆଇ ପାଖରେ ବ୍ୟତୀତ କରିଥିଲି କାରଣ ବାପା ବିଳମ୍ବରେ ଘରକୁ ଫେରନ୍ତି। ସବୁ ମନକଥା ମୋ ଆଇ ପାଖରେ କୁହେ, ମୋ ବୋଉ କୁ ମଧ୍ୟ ମୁଁ ସେତେ ସ୍ନେହ କେବେ କରିପାରିନି ଯେତିକି ମୁଁ ମୋ ଆଈ କୁ କରିଛି। ମାତ୍ର ମୋ ଆଈ ଓ ବୋଉ ମତେ ବାହାର ଦୁନିଆକୁ ଯିବାକୁ ଅନୁମତି ଦିଅନ୍ତି ନାହିଁ। ସ୍କୁଲ୍ ରୁ ଘର ବସ୍ ସେତିକି ତା ମଧ୍ୟ ବୋଉ ସହ।
ସମୟ ବିତିଲା ଓ ମୁଁ ଉଚ୍ଚବିଦ୍ୟାଳୟକୁ ପ୍ରବେଶ କଲି । ନୂଆ ସ୍କୁଲ୍ ନୂଆ ପରିବେଶ; ହେଲେ ଆଇ ଆଉ ମୋ ଦୁନିଆ ରେ ଆଉ ନାହିଁ, ଚାଲିଗଲା ବହୁ ଦୂର ସେ । ବହୁତ୍ ଏକାକୀ ଲାଗିଲା ମୋତେ । ବାପାମାଆ ଥାଇ ମଧ୍ୟ ଏକାକୀ ଲାଗେ। ଭାଇ ଭଉଣୀ ତ ନାହାନ୍ତି କି ନାହାନ୍ତି ଆଖ ପାଖ ର କୌଣସି ଚିହ୍ନା ସାଙ୍ଗ। ଯେତିକି ପୁରୁଣା ସ୍କୁଲ୍ ରେ ଥିଲେ ସବୁ ସାଥି ଛାଡିଦେଲେ। ଦୋଷ ଦେବିନି ତାଙ୍କୁ ଆମେ ସବୁ ଛୋଟ ଥିଲୁ ଆଉ ସେ ସମୟରେ ସମସ୍ତଙ୍କ ପାଖେ ଫୋନ ନଥିଲା।
ଏବେ ଘର ଆଖ ପାଖକୁ ଗଲେ ବି ସବୁ ଅଚିହ୍ନା ଲାଗେ, ହେଲେ ଭାଗ୍ୟ ବସତ୍ ମୋ ଘର ପାଖରେ ଗୋଟେ ଭଲ ବନ୍ଧୁ ଟିଏ ହେଲା ଯିଏ ନୂଆ ଉଚ୍ଚବିଦ୍ୟାଳୟରେ ସମ୍ମାନ ଶ୍ରେଣୀରେ ପଢ଼ୁଥିଲା। ତାର ସ୍ନେହର ନାମ ଥିଲା ଚିକୁ। ଆମେ ନବମ ଓ ଦଶମ ରେ ଏକାଠି ଟିଉସନ୍ ହେବାକୁ ଯାଉ, ସେତେବେଳକୁ ମୋ ପାଖେ ଗୋଟେ ଲାଲ୍ ରଙ୍ଗର ହର୍କଲସ୍ ସାଇକେଲ୍ ଟିଏ ଥିଲା। କେବେ ସାଇକେଲ୍ ତ କେବେ ଚାଳିକି ଯାଉ, ମାସକୁ ୨ ଥର ଯାହା ହେଲେ ଘରୁ ପଇସା ମାଗି ବାହାରେ ଖାଉ, ସେ ସମୟ ଓ ତା ମଜା ନିଆରା। ମିଛ କହିବିନି ଥରେ ଟିଉସନ୍ ଛୁଟି ହେଉ ହେଉ ହେଇଗଲା ବିଳମ୍ବ। ବର୍ଷା ଦିନକଥା, ମାଡ଼ି ଆସିଲା ରାତି ର ମେଘ। ଭାଗ୍ୟ ଭଲ ଚାଲିକି ଯାଇଥିଲୁ ହେଲେ ବିଳମ୍ବ ଯୋଗୁ ବେସ୍ତ ହୋଇ ଗୋଟିଏ ଛତା ତଳେ ଆସିଲୁ ଦୁହେଁ। କିଛି ଲାଭ ନାହିଁ ପୁରା ଓଦା, ଆମ ଓଲ୍ଡଟାଉନ୍ ରେ ପାଣି ଆଣ୍ଠୁଆ ତଥାପି ଆସିଲୁ ମାଡ଼ି। ଘରେ ଆସି ଶୁଣିଲୁ ବୁହେ ଗାଳି। ଏହିପରି ସମୟ ଗଲା ବିତି ।
ସ୍କୁଲ୍ ରେ ମଧ୍ୟ ବେଶୀ ନ ହେଲେ ବି ୪ ଟି ଭଲ ବନ୍ଧୁ କରିଛି, ସେମାନଙ୍କ ମଧ୍ୟରୁ ଆୟୁସ୍ ଓ ଶିବ ଅନ୍ୟତମ। ବୋର୍ଡ ପରୀକ୍ଷା ଆଗରୁ ଏକାଠି ପଢ଼ିବା ହେଉ, ବା ହେଉ ମଜା-ମସ୍ତି ବହୁତ୍ ସମୟ ଏକାଠି କାଟୁ। ମୁଁ ଅନୁଶାସିତ ସତ ହେଲେ ଦୁଷ୍ଟ ମଧ୍ୟ ପ୍ରବଳ। ଆମେ ପାଖାପାଖି ପ୍ରତିଦିନ ଘଣ୍ଟେ ମାଷ୍ଟର ଓ ମାଷ୍ଟରାଣୀର ଉପହାସ କରୁ, ଯେଉଁମାନଙ୍କ ପାଠ ବୁଝା ପଡେନି। ଅନେକ ପିଲା ମୋ ଉପହାସ କରନ୍ତି ସତ, ହେଲେ ମୁଁ କଣ କରିବି? ପ୍ରକୃତି ମୋରୋ ସେହିପରି ମୋତେ ଅନୁଶାସନ ଅତି ପ୍ରିୟ। ମଧ୍ୟ ନବମରେ ମୁଁ ଜାଣିପାରିଲି ଯେ ମୋ ମନ ମୋ ପାଖେ ନାହି, ମୋ ୩ ଧାଡ଼ି ଛାଡ଼ିକି ପାଖରେ ବସିବା ସୁକନ୍ୟା ନେଇଯାଇଛି ମୋ ମନ। ପ୍ରତି ରାତି ଲୁଚି ଲୁଚି ମାଆର ନୂଆ ସ୍ମାର୍ଟ ଫୋନରେ ମେସେଜ୍ କରେ ଓ ସେଥିରେ ରାତି ରାତି ବିତାଏ। ମୁଁ ବି ବହୁତ୍ ପ୍ରିୟ ହୋଇଗଲି ତାର, ହେଲେ ନବମ ର ପରୀକ୍ଷା ପରିଣାମ ଥିଲା ଭୟଙ୍କର। ଶେଷରେ ଜାଣିଲି ଯେ ସେ ମୋ ଜୀବନରେ ଗୋଟେ ଛଳନା ଥିଲା । ମୋ ସାଙ୍ଗ ଶିବ ମତେ ସଚେତ କରିଥିଲା ଯେ ତାର ଅନେକ ବଏଫ୍ରେଣ୍ଡ୍ ଥିଲେ ଓ ସେ କେବଳ ଟାଇମ୍ ପାସ୍ କରେ ହେଲେ ମୁଁ ଜାଣିପାରିଲିନି। ଶେଷରେ ହୃଦୟ ରେ ପଥର ରଖି ଭୁଲିଗଲି ମୋ ପ୍ରଥମ ପ୍ରେମ। ଆଜି ବି ମନେପଡେ ତା ମିଠା ହସ।
ଦଶମ ସରିଲା ପରିଣାମ ମଧ୍ୟ ଭଲ ଆସିଲା, ଧନ୍ୟବାଦ୍ ମୋ ଗୁରୁଜନ ଓ ସେ ୪ ବନ୍ଧୁ ଯାହା ସହ ମୁଁ ପାଠପଢ଼ା ଅତିବାହିତ କରି ସଫଳ ହେଲି। ମୋର ଦ୍ଵାଦଶ ମଧ୍ୟ ସେହି ବିଦ୍ୟାଳୟରେ ହେବ ବୋଲି ନିର୍ଣ୍ଣୟ ହେଲା ଏବଂ ମୋ ସହ ଶିବ ଓ ଆୟୁଷ ବି ରହିଥିଲେ। ଚିକୁ ଅଲଗା କଲେଜ୍ ପଳାଇଲା ସତ ହେଲେ ଏବେବି ଆମେ ଏକାଠି କେବେ କେବେ ଯାଉ ବୁଲିବାକୁ। ସମୟ ବିତିଲା, ଏକାଦଶ ଶେଷ ହେବାକୁ ଆସିବା ଆଗରୁ ମୁଁ ଲକ୍ଷ୍ୟ କଲି ଯେ ଚିକୁ ମୋଠୁ ଦୂରେଇଗଲା । ଆଉ କଥା ବାର୍ତ୍ତା କମ, ବୁଲାବୁଲି ମଧ୍ୟ ନାହିଁ ହୁଏତ କଲେଜ୍ କାମରେ କି ନୂଆ ସାଙ୍ଗ ପାଇଁ ସମୟ କାଢ଼ୁଛି? ମୁଁ ଅନେକ ପ୍ରୟାସ କଲି ହେଲେ ସେ ଆଉ ଫେରିଲାନାହିଁ। ଖାଲି ୱାଟସ୍ଅପ୍ ରେ ଷ୍ଟାଟସ୍ ଦେଖେ କୁଆଡେ କଣ ଯାଉଚି ସରିଲା କଥା। ଦିନେ ଦେଖିଲି ସେ ମୋ ଅନ୍ୟ ୪ ସାଙ୍ଗ ସହ ଫିଲ୍ମ ଦେଖିବାକୁ ଯାଇଛି ଆଉ ଥରେ ଲିଙ୍ଗରାଜ ମନ୍ଦିର ବି ଯାଇଥିଲା। ଦୁଃଖ ଲାଗିଲାନି ସେ ମତେ ନେଲାନି ବୋଲି, ଦୁଃଖ ତ ଏଥିପାଇଁ ଲାଗିଲା ଯେ ଅନେକ ଜଣ ମୋ ବନ୍ଧୁ ହୋଇ ମଧ୍ୟ କେହି ଥରେ ଜଣାଇଲେନି ଯାଉଛନ୍ତି ବୋଲି କି ସତ ମାନିଲେନି। ହେଲେ ସତ କଣ ଲୁଚି ରହିବ? ବାହାରିଲା ସତ, ଭାଙ୍ଗିଲା ବିଶ୍ୱାସ। ତଥାପି ମୁଁ ଆଶା ନ ହରାଏ ସବୁ ଯଥାରୁପ ରଖିଲି ହେଲେ ତାପରେ ଆସିଗଲା କରୋନ ମହାମାରୀ । ଆରମ୍ଭ ହେଲା ଅନ୍-ଲାଇନ୍ ଶିକ୍ଷା। ଏ ସବୁ-ଭିତରେ ମୁଁ ପଡ଼ିଗଲି ଏକୁଟିଆ, କେବେ କଲ୍ କଲେ ବି ବାହାନା କରି ଦିଅନ୍ତି କାରଣ ଏଟା ସତ୍ୟ ଯେ ଜଣେ ସବୁବେଳେ ବ୍ୟସ୍ତ ରହେନି, ସମୟ କାଢ଼ିବାର ଥିଲେ ସମୟ ଆସିବ । ହେଲେ ଲାଗୁଚି ଯାହାଙ୍କୁ ମୁଁ ଅତି ନିଜର ଭାବୁଛି ତାଙ୍କ ପାଖେ ଆଉ ମୋ ପାଇଁ ସମୟ ଜମା ନାହିଁ। ହଠାତ୍ ଖବର ଆସିଲା ଆମ ଇଂରାଜୀ ଶିକ୍ଷକଙ୍କ ଦେହାନ୍ତ, ପହଞ୍ଚି କି ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଦେଖିଲି ସେମାନଙ୍କ ମୁହଁ, ହେଲେ ସେ ମୁହଁରେ ନା ଆଉ ନିଜପଣିଆ ଅଛି ନା କିଛି ଶବ୍ଦ। ବନ୍ଧୁ ଆଉ ପ୍ରେମ ଦୁହେଁ ମୋ ଭାଗ୍ୟ ରେ ନାହାନ୍ତି।
ମହାମାରୀ ଶେଷ ସହ +୨ ମଧ୍ୟ ସରିଲା, ଆଉ ସରିଗଲା ମୋ ଭଲ ସମୟ। ଯେତେ ବିଶ୍ୱାସ ସହ ବନ୍ଧୁ ଗଢିଥିଲି ସେ ସବୁ ଏକାକୀ କରି ଛାଡିଦେଲେ। ଜାଣିନି ଏଟା ମୋ ଭାଗ୍ୟ ନା ମୋରୋ କିଛି ଦୋଷ ଅଛି। ପଛରେ ବହୁତ୍ କଥା ଶୁଣିଲି ଯେ ମୋ ପୂର୍ବ ପ୍ରେମିକା ସେମାନଙ୍କୁ ପାଠ ପଢ଼ାଇଛି ହେଲେ ସତ କେବେ ପଚାରିବାର ସାହାସ କରିନି। ହୁଏତ ସେମାନେ ମତେ କେବେ ସାଙ୍ଗ ନ ଭାବି ନିଜ ସ୍ବାର୍ଥ ସିଦ୍ଧିର ଉପାୟ ଭାବୁଥିଲେ?
ମହାମାରୀ ପରେ ଆମେ ଆଖପାଖ ସାଙ୍ଗ ପ୍ରତି ରବିବାର ଲୁଡୋ, ତାଶ, ବ୍ୟାଡ୍-ମିନ୍-ଟନ୍ ଖେଳୁ ହେଲେ ସମୟ ସହ କିଛି ଛୋଟ ଛୋଟ ଝଗଡ଼ା ସହ ତାହା ବନ୍ଦ ହୋଇଗଲା। ଯିବି ବି କାହିଁଙ୍କି? ଚିକୁ ତ ଏବେ ପାଖରେ ଥାଇ ବି ଦୁରେଇଗଲା ଭଳିଆ, ସେ ଏ କଥା ନ ମାନିଲେ କଣ ସତ ବଦଳିଯିବ?
ନୂଆ କଲେଜ୍ ରେ ନବଯାତ୍ରା ଆରମ୍ଭ କଲି, ହେଲେ ଏଥର ମନ ଓ ମୁଣ୍ଡ ଦୃଢ଼। "ମୁଁ ଭଲ, ମୋ ପାଠ ଭଲ, ମୋ ଗୁରୁ ଭଲ, ମୋ ବାପା-ମା ବ୍ୟତୀତ କେହି ନୁହ ନିଜର" ଏହି ଦୃଢ଼ ବିଶ୍ୱାସ ସହ ମୁଁ କଲେଜ୍ ଆସିଲି। ଏକୁଟିଆ ପଢେ ଓ ଯେତିକି ଆବଶ୍ୟକ କୁହେ, ଟିକେ ହସ ମଜା ବି କରେ । କାହାକୁ ନିଜ ବନ୍ଧୁ କରିବାର ଆଉ ସାହସ ନଥିଲା, କିଏ ଜାଣେ ଦିନେ ସିଏ ମଧ୍ୟ ଦୁରେଇଯିବ? ବହୁତ୍ ଏକୁଟିଆ ଲାଗେ, ବହୁତ୍ ପୁରୁଣା କଥା ମନ ପକାଇ ଆଖି ରେ ଲୁହ ଆସି ଯାଏ । ଭାବେ କିଏ ଗୋଟେ ଥାନ୍ତା ଯାହାକୁ ମୁଁ ମୋ ମନ କଥା କହି, କୁଣ୍ଢାଇ ନିଜ ମନ ଖୋଲି କାନ୍ଦନ୍ତି। ହେଲେ କେହି ନାହିଁ, ତେଣୁ ଦୁଃଖ ତକ ସହି ଚାଲେ, ଯାହାକୁ ଯାହା ସାହାଯ୍ୟ ଦରକାର କରିଦିଏ ଓ ବସିପଡେ ଚୁପ୍-ଚାପ୍। ହେଲେ ମାନସିକ ଚାପ କେତେବେଳେ ଉଚ୍ଚ ରକ୍ତଚାପ ହୋଇଗଲା ଜାଣିନଥିଲି, ସ୍ଵଭାବ ହୋଇଗଲା କଠୋର ମୋରୋ। ମୋ ନିଜର ରହିଲେ କେବଳ ଘରଲୋକ ଆଉ ମୋ ଇଶ୍ଵର ଯାହାଙ୍କୁ ପ୍ରତିଦିନ ମୋ ହୃଦୟ କଥା କୁହେ। କାରଣ ସାଙ୍ଗ କରିବା ଆଉ ମୋ ହାତରେ ନଥିଲା, କି ନଥିଲା ସାହାସ। ଜଣକୁ ନିଜର କରି ପର କରିବା ମୋ ପାଖେ ବହୁତ୍ କାଠିକର ପାଠ। ତେଣୁ ମୁଁ ଏକୁଟିଆ ମଣିଷ, ଏକୁଟିଆ ଦିନେ ଚାଲିଯିବି - ଦରକାର ନାହିଁ ଭାଇଭଉଣୀ କି ସାଙ୍ଗସାଥୀ । ଶେଷରେ ସେ ବନ୍ଧୁ ମାନଙ୍କୁ ଧନ୍ୟବାଦ୍ ଯେଉଁମାନେ କିଛି ମୁହୂର୍ତ୍ତ ସୁଖ ଦେଲେ ତା ସହ ଶେଷରେ ଦେଲେ ଗୋଟେ ବଡ଼ ଶିକ୍ଷା।।
