ପ୍ରଜାପତିର ରଙ୍ଗ
ପ୍ରଜାପତିର ରଙ୍ଗ


ସେଦିନ ଦେଖିଲି ତିତିଲିକୁ ବଜାରରେ I କେମିତ କେଜାଣି ଏବେ ମଧ୍ୟ ଲାଗୁଛି କୋଡିଏ ବର୍ଷର ତରୁଣୀଟିଏ ଭଳି ! ନିଜକୁ ଭାରି ଖରାପ ଲାଗିଲା ! ଏ ବୟସର ପ୍ରଭାବ ଖାଲି କଣ ମୋ ପାଇଁ ସୃଷ୍ଟି ହେଇଛି ? ଅଧା କଳା ଅଧା ଧଳା ନିଶ ଆଉ ବାଳରେ ମୋର ଅର୍ଦ୍ଧ ବୟସ୍କ ହୋଇ ଯାଇ ଥିବାର ସମସ୍ତ ପ୍ରମାଣ ଉପଳବ୍ଧ ଥିଲା କିନ୍ତୁ ତାହାର ମୁଖ ମଣ୍ଡଳରେ ଝଲସୁଥିଲା ସତେଜତା ସତେ ଯେମିତି ଏବେ ଏବେ ପ୍ଲସ ଟୂ ସାରିକି ପ୍ଲସ ଥ୍ରୀ ରେ ଦାଖିଲ ହେବ ! ନିଶ୍ଚୟ କିଛି ଗୋଟାଏ ଟ୍ରିଟମେଣ୍ଟ ନେଉଥିବ ନ ହେଲେ କୌଣସି ପ୍ରକାରର ଟ୍ରେନିଂ ! ନ ହେଲେ ଏମିତି ଏହି ଚାଳିଶ ପାର ବୟସରେ ଏହି ରୂପ ରଙ୍ଗ କେମିତି ମେଣ୍ଟେନ କରିଛି ?ମୁଁ କିଛି ଭାବିବା ଆଗରୁ ମୋ ପାଖକୁ ଚାଲି ଆସିଥିଲା ତିତିଲି I
"ଇସ! ପୁରା ବୁଢା ଦିଶୁଛ I ବାଳ ଟିକେ କଳା ନାହଁ କାହିଁକି?" କହିଲା ମୋତେ I
"ମୁଁ କଣ ପ୍ରଜାପତି? ଥରେ ରଙ୍ଗ ରୂପ ନିର୍ଦ୍ଧାରିତ ହେଇଗଲା ପରେ ମୃତ୍ୟୁ ପର୍ଯ୍ୟନ୍ତ ବଜାୟ ରହିବ?" ମୁଁ କହିଲି I
ଜୋରରେ ହସିଲା ତିତିଲି ଆଉ କହିଲା," ମୁଁ ଭୁଲି ଯାଇଥିଲି ପ୍ରସୂନ, ତୁମେ କେବଳ ନିର୍ଦ୍ଧିଷ୍ଠ ସମୟ ଲାଗି ରଙ୍ଗର ମାଲିକ ହେବI କିନ୍ତୁ କାହିଁକି କେଜାଣି ତୁମକୁ ଦେଖିଲେ ସବୁ ବେଳେ ଆଉ ଥରେ ଗୋଟିଏ ଫଟୋ ନେବାକୁ ଇଚ୍ଛା ହୁଏ ତୁମ ସାଥିରେ I କିନ୍ତୁ ତୁମର ଏହି ରଙ୍ଗଟା ଟିକେ ଫିକା ଲାଗୁଥିବାରୁ ମନକୁ ବୁଝେଇ ନିଏ ନ ଉଠେଇବା ଲାଗି I ଆଜି କାଲି ତା ସେଲ୍ଫି ନେବା ଏତେ ସହଜ ହେଇ ଗଲାଣି," କହିଲା ତିତିଲିI
" ଭଲ ହେଇଛି ତୁମେ ଉଠାଅ ନାହିଁ I ନଚେତ ଅଫିସ୍ ରେ ସବୁ କହିବେ ମୁଁ ଏହି ବୁଢା ବୟସରେ ବାଲ୍ୟ ଲୀଳା କରୁଛି କୌଣସି ତରୁଣୀ ସହିତ," ମୁଁ ଉତ୍ତର ଦେଲି I
“ମୋର ଫୋଟୋ ଉଠେଇବା ଶୌକ କେଉଁ କାଳରୁ ଉଭାନ ହେଇଗଲାଣି I କିନ୍ତୁ ଦେଖୁଛି ତୁମେ ସେମିତି ରୁଚି ରଖିଛ ଫୋଟୋ ଉଠେଇବାରେ ! କାହା ପାଇଁ ଏତେ ସବୁ ଫୋଟୋ ଉଠାଉଛ?" ମୁଁ ପଚାରିଲି I
" ଏମିତି ଗୁଟେ ଖୁସି ଆଉ ! ସତ କହିବାକୁ ଗଲେ ମୋତେ ସମୟ ମଧ୍ୟ ମିଳେନି ପୁରୁଣା ଫୋଟୋ ଗୁଡିକୁ ଥ ରେ ଆଖି ବୁଲେଇବା ଲାଗି I କିଛି ଗୋଟାଏ ତ କରିବ ମଣିଷ? କଣ ଖାଲିରେ ଠିଆ ହେଇକି କି ବସିକି ସମୟ କଟା ଯାଇ ପାରେ କି? ତୁମେ ସିନା ସଂସାରୀ ମଣିଷ, ତେଲ ଲୁଣର ସଂସାରରେ ହଜିଛ I ୟାଙ୍କର ତ ଅଧା ଦିନ ଟୁର I ମୁଁ ଏକା ଘରେ କେତେ ବସିବି? " ତିତିଲି କହିଲା I
ଅନୁଭବ କରି ପାରିଲି ତାହାର କଥାରେ ଥିବା ନିରାଶା କୁ ଆଉ ବୁଝି ପାରିଲି ତାହାର ଯନ୍ତ୍ରଣାକୁ I ବାହା ଘର ହେବାର ଅନେକ ବର୍ଷ ପରେ ଜଣା ପଡିଲା ତାହାର ସ୍ଵାମୀର ପୂର୍ବରୁ ଗୋଟାଏ ଅବୈଧ ସମ୍ପର୍କ ଚାଲିଥିଲା I କିନ୍ତୁ ସମାଜର ଭୟରେ ତିତିଲିର ନିଜ ବାପା ମାଆ ମଧ୍ୟ ଘଟଣାକୁ ଦବେଇବାକୁ ଚେଷ୍ଠା କରିଥିଲେ ଓ ସଫଳ ହୋଇଥିଲେ I ତିତିଲିର ଶାଶୁ ଘର କଥା ନ କହିଲେ ଭଲ I ଅନେକ ମାନସିକ ଯନ୍ତ୍ରଣା ଦେବା ସହ ତାହାର ଅଜଣାତରେ ନିଶାଦ୍ରବ୍ୟ ଦେବା ସହ ତାହାର ଅନେକ ଥର ଗର୍ଭପାତ ମଧ୍ୟ କରିଦେଇଥିଲେ I ଯେତେବେଳକୁ ସବୁ କଥା ଜଣା ପଡିଲା,ଅନେକ ଡେରି ହେଇଯାଇଥିଲା I ବାହାଘରର ସାତ ବର୍ଷ ବିତିଯାଇଥିବାରୁ କୌଣସି ଓକିଲ କେସ ନେବାକୁ ରାଜି ହେଲେନି I ତିତିଲି ବାଧ୍ୟ ହୋଇ ସବୁ ଚୁପଚାପ ସହିକି ରହିଛି I ମୋତେ କୁହେ ତାହାର ସବୁ କଥା ଯଦି କେବେ ଦେଖା ହୁଏ I
"ସରି, ମୁଁ ଟିକେ ଏମିତି ହସ ମଜାକ କରିଦେଲି, ଦେହକୁ ନିଅ ନାହିଁ, ଏତେ ବର୍ଷର ପୁରୁଣା ବନ୍ଧୁ ମୋର ତୁମେ," ମୁଁ କହିଲି ଗୋଟିଏ ଅପରାଧୀ ଭଳି I
" ସବୁ ଦେହ ସୁହା ହେଲାଣି ପ୍ରସୂନ I ଛାଡ ସେ ସବୁ କଥା I ଅନେକ ବର୍ଷ ବିତିଗଲା ମୋତେ ଗୋଟିଏ ସତ୍ୟତା ବୁଝିବା ଲାଗି I ନିଜର ସୁଖ ଦୁଃଖ ନିଜର ମନର ସୃଷ୍ଟି I ନିଜ ପରିବେଷରେ ସୁଖରେ ରହିବାକୁ ସମସ୍ତଙ୍କୁ ସୁଯୋଗ ମିଳେ, ଯଦିଓ ତାହା ବିଭିନ୍ନ ଲୋକଙ୍କ ପାଇଁ ବିଭିନ୍ନ ରୂପ ନେଇଥାଏ I ଭଲ ପାଗରେ ଯଦି ପ୍ରଜାପତିଟିଏ ନ ଉଡିଲା ଭୁଲ କାହାର ? "ତିତିଲି କହିଲା I
"ତୁମର ସାକ୍ଷାତ ହେଲେ ମୁଁ ମୋ ନିଜର ସବୁ ଦୁଃଖ ଭୁଲି ଯାଏ କିଛି କ୍ଷଣ ପାଇଁ," ମୁଁ କହିଲି I
ପୁଣି ହସିଲା ତିତିଲି ଆଉ କହିଲା ," ତୁମର ସେ ତେଲ ମାରିବା ଗୁଣ ଆଉ ଗଲାନି I ହଁ ଯିବ ଅବା କେମିତି ? ସରକାରୀ ଚାକିରୀ କରିଛ, ବରିଷ୍ଠଙ୍କୁ ତେଲ ନ ମାରିଲେ ପ୍ରମୋସନ ଅଟକି ଯିବ ଯେ !" ମୋ ପାଟିରୁ ଜୋରରେ ହସ ବାହାରିଗଲା I
"ତୁମେ ସବୁ ବେଳେ ହସେଇ ଦିଅ ମୋତେ, କେମିତି କେଜାଣି," ମୁଁ କହିଲି I
"ସବୁ ଦିନେ ଆସୁନ ବଜାର, ହସେଇ ଦେବି ! ଆଜି କାଲି ଆଉ ବଜାରରେ ବେଶୀ ଦେଖା ଯାଉ ନାହଁ I ମୁଁ ତ ପ୍ରତିଦିନ ସନ୍ଧ୍ୟାରେ ଆସେ, ଆଉ କିଛି କିଣା ହେଉ ନ ହେଉ ତଟକା ପରିବା ଟିକେ ନେଇକି ଫେରେ I ଫ୍ରୀଜ଼ରେ ରଖିକି ଖାଇବାକୁ ଭଲ ଲାଗୁ ନାହିଁ I କିନ୍ତୁ ତୁମକୁ ଆଜି ବହୁତ ଦିନ ପରେ ଦେଖିଲି , ବୋଧ ହୁଏ ଦୁଇ ତିନିcମାସ ହେଇ ଯାଇଥିବ I ଶୁଣିଲି ଆଜି କାଲି ଫେସବୁକରେ ବହୁତ ସମୟ ଅତିବାହିତ କରୁଛ ତୁମେ," ତିତିଲି ପଚରିଲା I
"ମୁଁ କଣ ତୁମ ଭଳି ରୂପ ରଙ୍ଗ ପାଇଛି? ଏମିତି ଭୁଲିବି ବଜାରରେ? ମୋର ଆଉ ରୂପ ରଙ୍ଗ ନାହିଁ କି, ସାହସ ମଧ୍ୟ ନାହିଁ, ପ୍ରତ୍ୟେକ୍ଷ ଜଗତରେ ବୁଲି ନିଜର ଅସ୍ତିତ୍ଵକୁ ପ୍ରକଟ କରିବାର, ଯାହା ତୁମେ ଅକ୍ଳେଶରେ କରି ଯାଉଛ, ପ୍ରଜାପତି ଭଳି I ମୁଁ ପରା ପାଲଟିଛି ପରୋକ୍ଷ ଜଗତର ମଣିଷଟିଏ, ଯେଉଁଠି ଅମ୍ଳାନ ରହି ପାରୁଛି, ମୋର ଡ଼ି. ପି. ରେ !" ମୁଁ ଉତ୍ତର ଦେଲି I
"ହଁ ପ୍ରତ୍ୟେକ୍ଷ ହେଉ ଅଥବା ପରୋକ୍ଷ ହେଉ, ନିରନ୍ତର ନିଜର ଅସ୍ତିତ୍ଵର ସନ୍ଧାନ ଏବଂ ପ୍ରତୀକ୍ଷାରେ ରେ ହିଁ ରହିଯାଏ ମଣିଷଟିଏ, ସେ ତିତିଲି ହେଉ କି ପ୍ରସୂନ ହେଉ! ମୁଁ ଚାଲିଲି ଘରେ କାମ ଅଛି, ଆର ଥରକୁ ସେଲ୍ଫି ନିଶ୍ଚୟ ନେବା I ବାଳକୁ ଟିକିଏ ଭଲ ଭାବରେ କଲର କରିଥିବ I "
କ୍ଷଣଟିଏ ଲାଗି ବାର୍ତ୍ତାଳାପରେ ସୁଖ ନିଶ୍ଚୟ ପାଇଥିଲା ତିତିଲି, ତାହାର ଚେହେରାରୁ ଜଣା ପଡୁ଼ଥିଲା I ସମସ୍ତେ ଅଟକି ଯାଆନ୍ତି ତାହା ସହ କିଛି ସମୟ କଥା ହେବାକୁ ଆଜି ମଧ୍ୟ I ଗପୁଡିଟା କେଜାଣି କେମିତ ସମସ୍ତଙ୍କୁ ମୋହିଦିଏ ନିଜର କଥାରେ ଏବଂ ରୂପ ରଙ୍ଗରେ I କାହାର ନ ହୋଇ ପାରି ସମସ୍ତଙ୍କର ହୋଇପାରିବାର ଏକ ଅଦ୍ଭୁତ କଳା ହାସିଲ କରି ପାରିଛି ତିତିଲି I ହୁଏତ ସେଥି ଲାଗି ତାହା ଦେହରେ ସବୁ ଦିନେ ଫଗୁଣ ହସୁଛି, ଆଉ ସିଏ ଡେଣା ମେଲି ଉଡି ପାରୁଛି ପ୍ରଜାପତିର ରଙ୍ଗ ନେଇ !