ପ୍ରିୟ ପରି ସିନ୍ଡ୍ରେଲା
ପ୍ରିୟ ପରି ସିନ୍ଡ୍ରେଲା
ମନେପଡେ ଆଜି ମୋର ସେହି ଦିନ କଥା ,
କାନ୍ଦି କାନ୍ଦି ଭାବି ଦେଲେ ହୁଏ ମନେ ବ୍ୟଥା,
କହିକି ପାରିବି ନିଜ ସହୋଦର କଥା,
ହୃଦ ମଧ୍ୟେ ରଖି ଦେଇଥିଲି କଥା,
ମରିଯିବି ପଛେ ବାଟେ ନପଡିବ କଥା।।
ପ୍ରକୃତରେ ଯେତେ କଷ୍ଟ ହେଲେବି ନିଜ ଲୋକଙ୍କ କଥା କେବେ ଅନ୍ୟ ଆଗରେ କହି ହୁଏନି।କିନ୍ତୁ ଭାବିଲେ ଅନେକ କଷ୍ଟ ହୁଏ ଓ ଦୁଃଖ ବି ଲାଗେ।କାହିଁକି ଯେ ମଣିଷକୁ ଭଗବାନ ଏମିତି ପରିସ୍ଥିତିର ସମ୍ମୁଖୀନ କରାନ୍ତି ତାହା ତାଙ୍କୁ ହିଁ ଜଣା।
ଜ୍ଞାନୀ ଲୋକେ କୁହନ୍ତି ଭଗବାନ କୁଆଡେ ଭଲ ଲୋକଙ୍କର ବେଶି ପରୀକ୍ଷା ନିଅନ୍ତି।ମାତ୍ର ପରୀକ୍ଷା ଏପରି ବି ନହେଉ ଯେ ମଣିଷର ଜୀବନ ଉପରକୁ ଆସିଯାଉ।
ଆହୁରି କିଛି ଗୁଣିଜନ କୁହନ୍ତି ବର୍ତ୍ତମାନ ଯାହା ଭୋଗୁଛ ତାହା ତୁମ କୃତ କର୍ମ ର ଫଳ।ଯଦି କୃତ କର୍ମ ର ଫଳରେ ଜଣଙ୍କର ଜୀବନ ଚାଲିଯାଉଛି ତେବେ ହେ ପ୍ରଭୂ ,ହେ ତ୍ରିକାଳଦର୍ଶୀ ଏପରି ଜନ୍ମ କାହିଁକି। ଜନ୍ମ ନଦେଲେ କଣ ହେବନି।ପୃଥିବୀ ପୃଷ୍ଠରେ କଣ ଜନସଂଖ୍ୟା କମ ଅଛି ।
ଏମିତି ଅନେକ କିଛି ଭାବୁଛି ବସି ଏଲି।ହଠାତ ମୁଁ ପଶିଗଲି।ମତେ ଦେଖି ଟିକେ ଚମକି ପଡିଲା।ମୁଁ ମଜା କଲାପରି କହିଲି କଣ ମତେ ଦେଖି ଡରିଗଲୁ।ତାର ଉତ୍ତର କିଛି ନଥିଲା।ପିଲାଦିନେ ତାର ମୋର ଏକା ସଙ୍ଗେ ବସି ଆମର ପ୍ରିୟ ଧାରାବାହିକ ଦେଖୁ।ସେତେବେଳେ ଚନ୍ଦକାନ୍ତା,ଓ ସିନ୍ଡ୍ରେଲା ସବୁଠୁ ପ୍ରିୟ ଥିଲା।ଏଲିର ବେଶି ପ୍ରିୟ ଥିଲା ସିନ୍ଡ୍ରେଲା।କାରଣ କେଉଁଠି ନା କେଉଁଠି ତା ଜୀବନ ସହ ମିଶି ଯାଉଥିଲା।ସେ ଚରିତ୍ରଟି ଏତେ ପ୍ରିୟ ଥିଲା ଯେ ସବୁବେଳେ ଭାବେ କେଉଁ ଏକ ରାଜକୁମାର ଆସି ମତେ ବାହା ହୁଅନ୍ତା କି।ଏପରି କହିଲା ବେଳେ ଆମେ ସବୁ ହସୁ ଓ ତାର ମଜା ଉଡୋଉ।ସେ କିଛି ନ କହି ଚୁପ ରୁହେ।
ଏଲିର ପ୍ରକୃତରେ ବାପା ମାଆ କେହି ନଥିଲେ ।ତା ଜେଜେମାଆ ପାଖରେ ସେ ରହୁଥିଲା।ସେ ପରଲୋକକୁ ଚାଲିଗଲା ପରେ ତା କାକା ଖୁଡିଙ୍କ ପାଖରେ ରହୁଛି।ସେମାନଙ୍କ ର ମଧ୍ୟ କେହି ପିଲାପିଲି ନଥିଲେ।ଏଲି କୁ ସେମାନେ ପାଠ ପଢଉ ଥିଲେ। ତା ବଦଳରେ ସେ ଘରର ସବୁ କାମ କରେ।ସକାଳୁ ଘର କାମ ସାରି ରୋଷେଇ ରେ ସାହାଯ୍ୟ କରି ନିଜେ ଖାଇ ଆମ ସହ ପାଠ ପଢିବାକୁ ଆସେ।ପିଲାଟି ଦିନରୁ ମୁଁ ଦେଖୁଛି ତାହା।ଆଜି ଆମେ ମହାବିଦ୍ୟାଳୟ ରେ ପଢିଲୁଣି ଏବେବି ତାହା।ସକାଳୁ ଯେଉଁ ଦିନ କଲେଜ ଥାଏ ସେଦିନ ସେ କିଛି ନଖାଇ ଆସେ।ପଚାରିଲେ କହେ ହଁ ଖାଇଛି।ମାତ୍ର ମୁଁ ଜାଣିପାରେ।ତା ମନରେ କଷ୍ଟ ନଦେଲା ପରି ମୁଁ କୁହେ ଆଜି ମତେ ଖାଇବାକୁ ସମୟ ହେଲାନି ଟିଫିନ ଆଣିଛି।ଚାଲ ବସି ଖାଇବା ।ସେ ମନା କରେ।ମାତ୍ର କଥା ଛଳରେ ଟିକେ ଖାଇବା ଆରମ୍ଭ କରିଦେଲେ ସେ ସବୁ ଖାଇଦିଏ।ବହୁତ ଖୁସି ଲାଗେ।ପ୍ରକୃତରେ ତାରି ପାଇଁ ହିଁ ମୁଁ ଟିଫିନ ଆଣିଥାଏ।ମାତ୍ର ସେ ଏତେ ସରଳ, ସେ କଥା ବୁଝିପାରେନି।
ଘର ପାଖରେ ଘର ହେଲେବି ବହୁତ କମ ସମୟ ସେ ବାହାରକୁ ବାହାରେ।ସେଥିପାଇଁ ମୁଁ ତା ପାଖକୁ ପଳେଇଯାଏ।ତେଣୁ ତାଙ୍କ ଘରର ହାବ ଭାବ ମତେ ପ୍ରାୟ ଜଣାଥାଏ।କିଛି ଖାଇବାକୁ ହେଲେ ତାଙ୍କ ଖୁଡିଙ୍କର ଅନୁମତି ମାଗେ ।ଯଦି ହଁ କୁହନ୍ତି ତେବେ ସେ ଖାଇବାକୁ ଆଣେ ଆଉ ଯଦି ଚୁପ ରୁହନ୍ତି ତେବେ ସେ ବୁଝିଯାଏ ଯେ ଅନୁମତି ନାହିଁ ତେଣୁ ଭୋକ ଥିଲେ ବି ଚୁପ ରୁହେ।
ଦିପକର କଥା ସକାଳୁ କିଛି ଖାଇନି ଆସଛି।ଦିନ ଯାକ କ୍ଲାସ ଭିତରେ ତାକୁ ଏତେ ଭୋକ ଲାଗିଛି ଯେ ସେ ବେହୋସ ହୋଇ ଶ୍ରେଣୀ ଭିତରେ ପଡିଗଲା।ହଠାତ ସମସ୍ତେ ଧଡପଡ ହୋଇ ଉଠିଲେ।ମୁଁ ଜାଣିଛି କଣ ହୋଇଥିବ ତେଣୁ ତାକୁ ପାଣି ଦେଇ ବାହାରେ ବସେଇ ଦୋକାନରୁ କଣ ଟିକେ ବିସ୍କୁଟ କିଣି ଖାଇବାକୁ ଦେଲି।ଖାଇଲା ବେଳେ ସେ ବହୁତ କାନ୍ଦିଲା।ଏତେ କାନ୍ଦିଲା ଯେ ତାର ଗୋରା ତକତକ ମୁହଁ ଟି ନାଲି ପଡିଗଲା।ସେତେବେଳେ ସେ ମତେ କହିଲା ବୁଝିଲୁ ମୋ ପ୍ରିୟ ଚରିତ୍ର ସିନ୍ଡ୍ରେଲା ପରି କଣ ମତେ କେହି ରାଜକୁମାର ଆସି ନେବେନି ମୁଁ କଣ କେବେ ଖୁସିରେ ରହି ପାରିବିନି।ତା କଥା ଶୁଣି ମତେ ବି କାନ୍ଦ ଲାଗିଲା।କି ଉତ୍ତର ଦେବି ତାକୁ ମୁଁ ବୁଝିପାରିଲିନି।କେବଳ ଆଶ୍ୱାସନା ଦେଇ ତାକୁ ଚୁପ କରେଇଲି।ଏ ଭିତରେ କଲେଜ ପାଠପଢା ସରିଲା।ମୋର ବିଭାଘର ହୋଇଗଲା।ସେଦିନ ସେ ବହୁତ ଖୁସି ଥିଲା।କହିଲା ତୋ ବର ତ ତତେ କାରରେ ଆସି ନେଉଛି ମୋ ରାଜକୁମାର ତ ମତେ ପାଲିଙ୍କିରେ ବସେଇ ନେବ।ତା କଥା ଶୁଣି ସେଦିନ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲି ତା ତୁଣ୍ଡକୁ ସୁତୁଣ୍ଡ କର ପ୍ରଭୂ।ତାର ଖୁସି ପାଇବାର ଅଧିକାର ଅଛି।ଖୁସି ଖୁସିରେ ବିଦାୟ ଦେଲା ମତେ।ଗଲାବେଳେ ବାପା ବୋଉକୁ ଛାଡି ଯାଉଛି ବୋଲି ଯେତେ ଦୁଃଖ ନଥିଲା ସେତେ ଦୁଃଖ ଥିଲା ଏଲିକୁ ଛାଡି ଯାଉଥିବାରୁ।ଭାବିଲି ମୁଁ ଚାଲିଗଲି ଏବେ ତା ଦୁଃଖର କିଏ ଭାଗିଦାରୀ ହେବ।କିଛି ଦିନପରେ ମୁଁ ଘରକୁ ଆସିଲି।ଘରେ ଗୋଡ ନଦଉଣୁ ଏଲି ପାଖକୁ ଆଗେ ଗଲି।ଗଲା ବେଳକୁ ସେ ବସି ବାସନ ମାଜୁଛି।ଚୁଟିଗୁଡିକ ଆଲୁରୁ ବାଲୁରୁ ହୋଇ ଏଣେତେଣେ ଝୁଲୁଛନ୍ତି ଯେମିତି ଦୀର୍ଘ ଦିନ ହେଲା ପାନିଆ ବାଜିନି।ମୁହଁରେ ଆଉ ସେ ଚିକ୍କଣତା ନାହିଁ।ତାକୁ ଦେଖି ମୋର ହାଲୁକ ଶୁଖିଗଲା।ମୁଁ କିଛି କହିବା ଆଗରୁ ସେ ମତେ କୁଣ୍ଢେଇ ଧରି କାନ୍ଦିବାକୁ ଲାଗିଲା।ବୋଧେ ଅନେକ ଦିନର କୋହ ସେଦିନ ଅନ୍ତରପାଠି ବାହାରୁଥିଲା ବାହାରକୁ।ବହୁତ କଷ୍ଟରେ ତାକୁ ଚୁପ କରେଇ କଣ ହେଲା ପଚାରିଲି।
ତା ମୁହଁରୁ ଏପରି କଥା ଶୁଣିବି ବୋଲି ମୋର ଆଶା ବାହାରେ ଥିଲା।
ପ୍ରଥମରେ ସେ କହିଲା ମତେ ତୋ ସହ ନେଇଚାଲ।ତୋ ଘରେ ମୁଁ ବାସନ ମାଜିବି ,ରୋଷେଇ କରିବି ।ମତେ ଦୁଇ ମୁଠା ଖାଇବାକୁ ଦେବୁ।ମୁଁ ସେଠି ଶାନ୍ତିରେ ରହିବି।ମାତ୍ର ଏଠାରେ ରହିବି ନାହିଁ । ତାର କଥାରୁ କାହିଁକି କେଜାଣି ଏକ ଡର ଓ ଭୟର ଆଂଶିକ ଅନୁମାନ ମୁଁ କରିନେଲି।ସେଠାରୁ ତାକୁ ଆମ ଘରକୁ ନେଇ ଆସିଲି।ତାଙ୍କର ଖୁଡିଙ୍କୁ କହିଲି ମୁଁ ଗଲାବେଳେ ତାକୁ ଛାଡିଦେଇ ଯିବି।ସେ ମଧ୍ୟ ଚୁପ ରହି ହଁ ଭରିଲେ।ଆମଘରକୁ ଆସିଲାପରେ ତାକୁ ସବୁକଥା ପଚାରିଲି।କହିଲା ମୋ କାକାଖୁଡୀ ମୋ ବାହାଘର କରିବେନି ସେମାନେ ମତେ ପଇସା ରୋଜଗାର କରିବାର ମାଧ୍ୟମ କରିଛନ୍ତି।କିଛି ଦିନ ଅନ୍ତରରେ କିଛି ଲୋକ ଆସୁଛନ୍ତି ଓ ମତେ ଏମାନେ ବାଧ୍ୟ କରୁଛନ୍ତି ତାଙ୍କ ମନୋରଞ୍ଜନ କରିବା ପାଇଁଏବଂ ଯଦି କାହାକୁ କହିଲି ସେମାନେ ମତେ ଘରୁ ତଡିଦେବେ ବୋଲି ଧମକ ଦେଇଛନ୍ତି।ମତେ ଘରୁ ତଡିଦେଲେ ମୁଁ କୁଆଡେ ଯିବି।ମୋ ଜୀବନଟା ଦୁର୍ବିସହ ହୋଇଗଲା ସାଙ୍ଗ।ମୋ ଜୀବନ ଓ ଯୌବନ ମୋ ପାଇଁ ଏକ ଅଭିଶାପ।ମୁଁ ଏଠାରୁ ମୁକ୍ତି ଚାହୁଁଛି।ତା କଥା ଶୁଣି ଓ ତାର ଅବସ୍ଥା ଦେଖି ମୋର ଅନ୍ତରଟା ଆନ୍ଦୋଳନ କରିଉଠିଲା।ମନେ ମନେ ସ୍ଥିର କଲି ଶାଶୁଘର ସହ କଥା ହେଇ ତାକୁ ମୋ ସହ ନେଇଯିବି।ଏହା ଭାବି ତାକୁ ଆଶ୍ୱାସନା ଦେଇ ମୁଁ ତରତଳ ହୋଇ ବାହାରିଲି ଯିବାପାଇଁ।ତାକୁ ତାଙ୍କ ଘରେ ଛାଡି କହିଗଲି ଦୁଇତିନିଦିନ ଅପେକ୍ଷା କରିବାକୁ ଓ ସବୁ ଠିକ ହୋଇଯିବ।
ଶାଶୁଘରେ ସମସ୍ତ ଙ୍କୁ କହିଲି ।ଏହା ଶୁଣି ସମସ୍ତେ କହିଲେ ତାକୁ ସେଠାକୁ ନେଇଯିବା ପାଇଁ।ମୁଁ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ଖୁସିରେ ଆତ୍ମହରା ହୋଇପଡିଲି।ଭାବିଲି ତା ପରଦିନ ସକାଳୁ ଯାଇ ତାକୁ ବୁଲେଇବାକୁ ନେଉଛି କହି ନେଇ ଆସିବି ଆଉ ଛାଡିବିନି ।ଯଦି ତା କାକା ଖୁଡି କିଛି କହିଲେ ତାଙ୍କୁ ପୋଲିସ ,ଥାନା,କଚେରୀ ର ଧମକ ଦେଖାଇଲେ ସେ ଚୁପ ହୋଇରହିଯିବେ।ଏହା ଭାବି ତାପରଦିନ ଘରକୁ ଗଲି ।ବହୁତ ଲୋକଙ୍କ ସମାଗମ ଦେଖି କଣ ହୋଇଛି ଗଲାବେଳକୁ ଦେଖିଲି ଏଲି ବାରଣ୍ଡାରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡି ଛଟପଟ ହେଉଛି।ତା ଖୁଡି ସଫେଇ ଦେଉଛନ୍ତି ରୋଷେଇ କରୁକରୁ ମୋ ଝିଅ ପୋଡି ହୋଇଗଲା।ଆମ୍ବୁଲାନ୍ସ ଡାକିଛନ୍ତି।ମୁଁ ବ୍ୟାଗ ଫୋପାଡି ଧଡପଡ ହୋଇ ତା ପାଖରେ ପହଞ୍ଚିଲା ବେଳକୁ ମତେ ଦେଖି କହିଲା ଦେଖେ ସାଙ୍ଗ ତତେ କହିଥିଲି ନା ମୁଁ ସବାରୀରେ ଯିବି।ମୋ ସବାରୀ ଆସୁଛି।ମୋ ପ୍ରିୟ ପରୀ ସିନ୍ଡ୍ରେଲା ପରି ମୋ ରାଜକୁମାର ଆସୁଛି ମତେ ନେବାପାଇଁ।ଏତେଦିନ ପରେ ମୋ ଖୁସିର ସମୟ ଆସିଲା ସାଙ୍ଗ।ମୁଁ ଯାଉଛି।ତୋ ପାଖକୁ ନିହାତି ବୁଲି ଆସିବି।ଏତିକି କହି ତାର ଶେଷ ନିଃଶ୍ବାସ ମୋ କୋଲରେ ତ୍ୟାଗ କଲା।
ସତକୁ ସତ କୋକେଇରେ ତାକୁ ନିଆଗଲା।ତାର ଆତ୍ମା ଶାନ୍ତି ପାଇଗଲା ଏ ପାପୀମାନଙ୍କ ପାଖରୁ।ତା ଦୁଃଖ ଯେତିକୁ ମୋର ବିଶ୍ୱାସ ଥିଲା ସ୍ୱର୍ଗ ପୁରରେ ତାକୁ ନିହାତି ସ୍ଥାନ ମିଳିବ।ଭଗବାନ କରନ୍ତୁ ଏ ମର୍ତ୍ତମଣ୍ଡଳରେ ତାକୁ ଶାନ୍ତି ଓ ସୁଖ ମିଳିଲାନି ଅନ୍ତତଃ ସ୍ୱର୍ଗରେ ସେ ଶାନ୍ତିରେ ରହୁ।
ଆଜିବି ଯେତେବେଳେ କେଉଁ ଏକ ତାରା ଆକାଶରେ ଚମକି ଉଠେ ମତେ ଲାଗେ ଆଜି ସେ ବହୁତ ଖୁସି ସେଥିପାଇଁ ସେ ମତେ ଦେଖାକରିବାକୁ ଆସିଛି।କାହିଁକି ନା ସେ ଗଲାବେଳେ କହିଥିଲା ମତେ ଦେଖାକରିବାକୁ ସେ ନିହାତି ଆସିବ।
