ପ୍ରିୟ ପୌରାଣିକ ଚରିତ୍ର‐ଶିବ
ପ୍ରିୟ ପୌରାଣିକ ଚରିତ୍ର‐ଶିବ
ଭାରତୀୟ ସଂସ୍କୃତିରେ ପୁରାଣ,ରାମାୟଣ,ମହାଭାରତ,ବେଦ, ଉପନିଷଦ ଇତ୍ୟାଦି ବହୁତ ପ୍ରଭାବ ପକାଇଥାଏ | ପବିତ୍ର ମହାଗ୍ରନ୍ଥ ରାମାୟଣର ରାମ ଚରିତ୍ର ଖୁବ ଆକର୍ଷଣୀୟ | ମହାଭାରତ ମହାଗ୍ରନ୍ଥର ପ୍ରତ୍ୟେକଟି ଚରିତ୍ର ଏକ ଭିନ୍ନ ଭିନ୍ନ ଦିଶା ନିର୍ଦ୍ଦେଶ କରି ନୂତନ ବାର୍ତ୍ତା ବହନ କରେ | ବେଦ ପବିତ୍ର ଧର୍ମଗ୍ରନ୍ଥ ଭାରତୀୟ ଜନଜୀବନର ପ୍ରାଣକେନ୍ଦ୍ର | ଲକ୍ଷ୍ମୀପୁରାଣ,ଶିବପୁରାଣ, ବିଷ୍ଣୁପୁରାଣ, ପଦ୍ମପୁରାଣ ଇତ୍ଯାଦି ପୁରାଣର କଥାବସ୍ତୁ ଖୁବ୍ ରୁଚିକର, ମୂଲ୍ୟବୋଧ ଭିତ୍ତିକ ତଥା ଆଗ୍ରହ ଉଦ୍ଦିପକ | ତାହା ପୁଣି ଅସରନ୍ତୀ ଜ୍ଞାନର ଭଣ୍ଡାର | ସେଥିମଧ୍ୟରୁ ଶିବପୁରାଣ ଭାରତୀୟ ସଂସ୍କୃତିରେ ଅନନ୍ୟ | ଭାରତର ସର୍ବତ୍ର ଶିବ ପୂଜିତ ହୁଅନ୍ତି | ଦ୍ବାଦଶ ଜ୍ଯୋତିର୍ଲିଙ୍ଗ ଶୈବ ମାନଙ୍କର ପୂଜ୍ୟ ପୂଜାସ୍ଥଳୀ | ଏତଦ୍ ବ୍ୟତୀତ ଅସଂଖ୍ୟ ସ୍ଥାନରେ ଉଭା ବା ପ୍ରତିଷ୍ଠିତ ଶୈବସ୍ଥଳୀ ଶିବମନ୍ଦିର ଦେଖିବାକୁ ମିଳିଥାଏ | ସମସ୍ତଙ୍କର ସେହି ଗୋଟିଏ ଲକ୍ଷ୍ୟ ; ସୋମବାର, ଶ୍ରାବଣ ମାସ ଅବା ମାଘ କିମ୍ବା ଶିବ ଚତୁର୍ଦ୍ଦଶୀ ହେଉ ବା ମହାଶିବରାତ୍ରୀରେ ଲୋକେ ଶିବ ମନ୍ଦିରରେ ଶିବ ଦର୍ଶନ ନ କରିଲେ ମନ ବୁଝେ ନାହିଁ | ମନରେ ଶିବ, ଧ୍ୟାନରେ ଶିବ, ନୟନରେ ଶିବ, ଅନ୍ତରରେ ଶିବ, ମନ୍ତ୍ରରେ ଶିବ ଏବଂ ସାରା ଜଗତ ହିଁ ଶିବମୟ | ଶିବ ବିନା ଅନ୍ୟ କିଛି ଚିନ୍ତା କରାଯାଇପାରେ ନାହିଁ | ଶିବ ସର୍ବଶ୍ରେଷ୍ଠ ଶକ୍ତି | ବିଲ୍ବ ପତ୍ର, ନାରୀକେଳ, ଗଇଶ ଫୁଲ ,କ୍ଷୀର ,ଅକ୍ଷତ ଦେଇ ଶିବ ମନ୍ତ୍ରପାଠ ପୂର୍ବକ ଶିବଙ୍କୁ ଆରାଧନା କଲେ ସ୍ବୟଂ ଶିବ କୃପା ପ୍ରଦାନ କରନ୍ତି | ଏହାହିଁ ଆତ୍ମ ବିଶ୍ବାସର ମୂଳ ଦୃଢ଼ ତତ୍ତ୍ବ | ଶିବ ଓ ଶକ୍ତି ,ଭକ୍ତର ଆରାଧନା ଓ ଶକ୍ତିର ଉତ୍ସ | ଶିବ ଚରିତ୍ର ବ୍ୟାଖ୍ୟା କରିବା ଧୃଷ୍ଠତା ହେବ ମାତ୍ର | ସେ ସୃଷ୍ଠି ,ସେ ସଂହାରକର୍ତ୍ତା ଓ ଜୀବନର ମୂଳଧର୍ମ | ସେ ଚାହିଁଲେ ପଙ୍ଗୁ ବି ମହାଗିରି ଲଙ୍ଘିପାରେ , ମୁକ ବିଚାଳ ହୋଇପାରେ , ଅନ୍ଧ ପଠନ କରିପାରେ | ଏଇତ ଶିବଶକ୍ତି ମହାନତା | ତାଙ୍କରି କୃପା ସମସ୍ତଙ୍କର ଏକମାତ୍ର ଧ୍ୟେୟ | ଶିବ କେଳାଶବାସୀ | ଅର୍ଦ୍ଧାଙ୍ଗିନୀ ମାତା ପାର୍ବତୀ, ଦୁଇପୁତ୍ର କାର୍ତ୍ତିକ ଓ ଗଣେଶ ବିନାୟକ | ଶିବଙ୍କର ବାହନ ଷଣ୍ଢ ବୃଷଭ ,ପାର୍ବତୀଙ୍କର ବାହନ ସିଂହ, କାର୍ତ୍ତିକଙ୍କର ବାହନ ମୟୂର ଓ ବିନାୟକଙ୍କର ବାହନ ମୂଷା | ପିତା,ମାତା ଓ ପୁତ୍ରଙ୍କୁ ନେଇ କ୍ଷୁଦ୍ର ପରିବାର | ଦେଖିବାର ଅଛି ଏ ପରିବାରର ବାହନ ମାନଙ୍କର ସଂପର୍କ | ବୃଷଭର ଶତ୍ରୁ ସିଂହ ବା ସିଂହର ଭକ୍ଷ୍ୟ ବୃଷଭ ,ମୟୂରର ଭକ୍ଷ୍ୟ ଶିବ ଗଳାରେ ଥିବା ନାଗ ଭୂଷଣ |ନାଗର ଭକ୍ଷ୍ୟ ମୂଷା | କହିବାକୁ ଗଲେ ଏଠାରେ ଭକ୍ଷକ ଓ ଭକ୍ଷ୍ୟ ଗୋଟିଏ ସ୍ଥାନରେ ସହାବସ୍ଥାନ କରନ୍ତି | ଏହାହିଁ ଶିବ ପରିବାରର ସ୍ବାତନ୍ତ୍ର୍ୟତା | ଶିବ ଶକ୍ତିର ମହାନତା | ଶିବ ଏହି ବାର୍ତ୍ତା ଦିଅନ୍ତି କି ବିପରୀତ ସ୍ଥିତିରେ ମଧ୍ୟ ମଣିଷ କେମିତି ରହିପାରିବ | ଏହି ବାର୍ତ୍ତା ପ୍ରେରଣରେ ଶିବ ହୁଅନ୍ତି ଜନଜୀବନର ମହାନ ସ୍ରୋତ | ଭକ୍ତ ଯେଉଁଠି ଶିବ ସେଇଠି | ତାଙ୍କରି ସେବା ,ପୂଜା, ଆରାଧନା, ଧ୍ୟାନ ମଣିଷକୁ କରିଦିଏ ଏକନ୍ତ ମୌଳିକ | ଶିବ ,ଶିବ,ଶିବ | ଶିବୋହମ୍ | ସବୁରି ହୃଦୟରେ ଶିବ ଅବସ୍ଥାନ କରନ୍ତି | ହୃଦୟର ପ୍ରତିଟି କୋଣରେ ଶିବ | ଶିବ ଅନନ୍ତ ଶକ୍ତିର ଶ୍ରେଷ୍ଠ ସ୍ରୋତ | ହର ,ହର ମହାଦେବ ଡାକରେ ମହାଦେବ ଶିବ ଭକ୍ତ ପାଖରେ ଛିଡ଼ା ହୁଅନ୍ତି | ଓଁମ୍ ଶିବଶକ୍ତି | ହେ ମହାଦେବ ଶିବ, ମଙ୍ଗଳମୟ ଶିବ ! କୃପା କର ପ୍ରଭୁ | ଜୟ ମହାଦେବ |
