Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Siddhartha Tripathy

Horror


4  

Siddhartha Tripathy

Horror


ପ୍ରହେଳିକା

ପ୍ରହେଳିକା

9 mins 162 9 mins 162


          ସାଙ୍ଗ ମାନଙ୍କ ସହିତ ରାକେଶ କଲେଜ ପ୍ରୋଜେକ୍ଟ ରେ ବାହାରି ପଡ଼ିଲା ଅପନ୍ତରା ଇଲାକାର ଏକ ଗାଁ କୁ ବିଜିପୁର । ଜଙ୍ଗଲ ପାହାଡ଼ ଇଲାକା । ରାସ୍ତା ଦୁର୍ଗମ କୁ ଇଲେକ୍ଟ୍ରିକ ସମସ୍ୟା । ଗ୍ରାମରେ ପଶିବାକୁ ଆହୁରି ପନ୍ଦର କୋଡିଏ କିଲୋମିଟର ବାଟ ଅଛି ଅନ୍ଧାର ର ରାଜୁତି ଆରମ୍ଭ ହୋଇ ସାରିଲାଣି । ନାଲି ରଙ୍ଗର ମୋରମ ରାସ୍ତା । ବର୍ଷା ପଡି ଠାଏ ଠାଏ ନାଲି ପାଣି ଜମା ହୋଇଛି ।

          କେଉଁଠି ଦୂର ଦୂର ଯାଏଁ ବିଜୁଳି ଖୁଣ୍ଟ ଟିଏ ବି ଦେଖା ଯାଉନି । ହଁ କିନ୍ତୁ ଗାଁ ଭିତରକୁ ବିଜୁଳୀ ର ଏଗାର କେଭି ତାର ନିଶ୍ଚୟ ଟଣା ଯାଇଛି । ହେଇ ପାରେ ଚୋର ଲୁଟେରା ଙ୍କ ସୁବିଧା ନିମନ୍ତେ ଖୁଣ୍ଟରୁ ବିଦ୍ୟୁତ ବଲ୍ ଗୁଡିକ ଜାଣି ଜାଣି କାଢି ନିଆ ଯାଇଛି । ସେ ଯାହା ବି ହେଉ । ରାସ୍ତାର ଦୁଇ ପାର୍ଶ୍ଵ ରେ ଘଞ୍ଚ ଜଙ୍ଗଲ ପାଇଁ ଠାଏ ଠାଏ ସାଇନ ବୋର୍ଡ଼ ଲାଗିଛି । ବା ସତର୍କ ସୂଚନା ର ପ୍ଲେଟ । ବା ଫଳକ..!!

            ଗାଡି ଧୀରେ ଚଲାନ୍ତୁ । କାରଣ ଆପଣଙ୍କ ଗାଡିର ତୀବ୍ର ବେଗ ରେ ନିରୀହ ପଶୁ ଙ୍କ ଜୀବନ ହାନି ଘଟି ପାରେ ।

            ତେଣୁ ରୋହନ ବି ଗାଡି ଖୁବ୍ ଧୀରେ ଧୀରେ ଗଡାଉ ଥାଏ । ବିରକ୍ତ ହୋଇ ରାକେଶ ରୋହନ କୁ ପଚାରିଲା -" ଆରେ ସାଙ୍ଗ । ଆଉ କେତେ ସମୟ ଲାଗିବ କିରେ ସେଇ ବଙ୍ଗଳା ରେ ପହଞ୍ଚିବାକୁ ?"

         ରୋହନ -" ଦେଖୁଚୁ ତ ଭାଇ । ରାସ୍ତା କିପରି । ପୁଣି ଗାଡି ଧିମା ଗତିରେ ଗଡୁଛି । ରାସ୍ତାରେ ଆଲୋକ ବି ଟିକିଏ ନାହିଁ । ଗାଡି ର ହେଡ୍ ଲାଇଟ ବି ଲଗାଇବାକୁ ମନା । ଏଇ ମିଞ୍ଜି ମିଞ୍ଜି ଆଲୁଅ ରେ ଅନୁମାନ କରି ହେଉନି । ତଥାପି ଭାବୁଛି ଆହୁରି ଦେଢ଼ ଘଣ୍ଟା ଲାଗି ଯିବ ବୋଧେ । "

       ଦିଶା -" ଆଛା ରୋହନ ଭାଇ, ତୁମର ଜେଜେ ଙ୍କ ସେହି ବଙ୍ଗଳା ଟା ଏତେ ଅପନ୍ତରା ଇଲାକାରେ କାହିଁକି ଅଛି । ତୁମେ ମାନେ ତ ସହରରେ ରହିଲ । କେବେ କ 'ଣ ସେଇ ବଙ୍ଗଳା ରେ ରହିବାକୁ ମନ ହୁଏନି ତୁମର?"

         ରୋହନ -" ଆରେ ଜେଜେ ଥିଲେ ଇଂରେଜ ଜମାନାର ଲୋକ । ଗ୍ରାମର ଏକ ମାତ୍ର ଧନୀ ଲୋକ ଥିଲେ ସେତେବେଳେ । ଜେଜେ ଙ୍କ ଜୀବନ ଶୈଳୀ ବି ରାଜା ମହାରାଜା ଙ୍କ ପରି ଥିଲା । ଲୋକ ନ୍ୟାୟ ନିଶାପ ଲାଗି ତାଙ୍କରି ପାଖକୁ ଆସୁଥିଲେ । ତାଙ୍କ ର ଆଦେଶ କୁ ଲୋକ ମହାରାଜ ଙ୍କ ନ୍ୟାୟ ପରି ସ୍ବୀକାର କରୁଥିଲେ । ତେଣୁ ଜେଜେଙ୍କ ଇଛା ହେଲା ବିରାଟ କାୟ ବଙ୍ଗଳା ଟିଏ କରିବେ । ଯେପରି ଆଖ ପାଖ ଦଶ ଦଶ ମୌଜା ରେ ତାଙ୍କ ପରି ରାଜା କେହି ନଥିବେ ।

      ତାଙ୍କ ଇଚ୍ଛା ହେଲା । ସେ କରିଲେ । ଏଥିରେ ଆମେ ବା କ'ଣ କରିବୁ । ବାପା ତ ମୋର ସହରରେ ପାଠ ପଢି ସହରରେ ଘର କରିଲେ । ଏବେ ଏହି ନିର୍ଜନ ନିକାଞ୍ଚନ ସ୍ଥାନରେ କିଏ ରହିବ। ପିଲା ଦିନେ କେବେ କେବେ ବୁଲିବାକୁ ଆସୁଥିଲୁ ଛୁଟି ଦିନରେ । ବୁଲା ବୁଲି କରି ଦିନେ ଦୁଇ ଦିନରେ ଫେରି ଯାଉ । ଜେଜେ ଙ୍କ ର ଖୁବ୍ ଖ୍ୟାତି ଥିଲା । ଏହି ଗ୍ରାମର ଏକ ମାତ୍ର ଇଂରେଜ ଶାସକ ଙ୍କ ଅଫିସର ଭାବେ ଚାକିରୀ ପାଇଥିଲେ ଜେଜେ । ତେଣୁ ତାଙ୍କ ରାଜକୀୟ ଢଙ୍ଗ ଓ ତାଙ୍କ ନ୍ୟାୟ କୁ ଭଗବାନ ଙ୍କ ଆଦେଶ ପରି ମାନୁଥିଲେ ସଭିଏଁ । 

      ଏବେ ବି ଏଠି ବିଦ୍ୟୁତ ର ଅଭାବ ଦୂର ହେଇନି । ଯଦି ଦିନେ ବିଦ୍ୟୁତ ବଲବ ଜଳେ ତ ଦୁଇ ସପ୍ତାହ ଅନ୍ଧାର ବିଜେ । ପୁଣି ଏ କଥାରେ କେତେ ସତ୍ୟତା ଅଛି ଜାଣିନି । କିନ୍ତୁ ଜଙ୍ଗଲ ମଝିରେ ଜେଜେ ଙ୍କ ର ଗୋଟିଏ ଛୋଟ ବଙ୍ଗଳା ଟିଏ ବି ଅଛି । ଶୁଣିବାକୁ ମିଳେ ସେଇ ବଙ୍ଗଳା ରେ ଭୁତଙ୍କ ଆସର ଜମେ। ତେଣୁ ସେଇ ପଟ ଇଲାକା କୁ ଦିନ ରେ ବି କେହି ଯାଆନ୍ତି ନାହିଁ । ଆମେ ବର୍ତ୍ତମାନ ଜେଜେଙ୍କର ଯେଉଁ ରାଜକୀୟ ବଙ୍ଗଳା କୁ ଯାଉଛେ । ତାର ଠିକ୍ ବାଡ଼ି ପଟେ ଠିଆ ହେଲେ ଜଙ୍ଗଲ ମଝିର ସେଇ ଅଲୋଡ଼ା ବଙ୍ଗଳା ଟି ପଡେ ।

        ବାପା ବହୁତ ଥର ଆମର ଏଇ ବଡ଼ ବଙ୍ଗଳା ଟି ବିକି ଦେବାକୁ ଗରାଖ ଦେଖିଲେଣି । ସେଇ ବଙ୍ଗଳା କୁ ସଜାଡି ଦେଲେ ଖୁବ୍ ସୁନ୍ଦର ହୋଟେଲ ଟିଏ ବି ଠିଆ ହୋଇ ଯିବ । ଖୁବ୍ ଉଚ୍ଚ ଦରରେ ବଙ୍ଗଳା ର ଦାମ୍ ବି ଛିଡି ଯାଉଛି । ହେଲେ ଜେଜେଙ୍କ ସେଇ ଜଙ୍ଗଲ ମଝି ବଙ୍ଗଳା ଟି ପାଇଁ ସମସ୍ତେ ହାତକୁ ବଢ଼ାଇ ଦେଇଥିବା ଟଙ୍କା ବି ଫେରାଇ ନେଉଛନ୍ତି । ବିକ୍ରି ହୋଇ ପାରୁନି । ବୋଧେ ସରକାର ଏହାକୁ ସରଂକ୍ଷଣ ରେ ନେଇ ଯିବ । ଏବେ ତ ବିଦ୍ୟୁତ ବି ଆସିଲାଣି । ଜନଗହଳି ବଢିଲେ ଏଇ ବଙ୍ଗଳା ଟା ବିକି ଦେବୁ । "

           ତା କଥା ଶୁଣି ଦିଶା ଓ ଅନ୍ୟ ମାନେ ଭୟଭୀତ ହୋଇ ପଡିଲେ । ହେଲେ ରାକେଶ ଏ କଥା ଶୁଣି ଠୋ ଠୋ ହୋଇ ହସିବାରେ ଲାଗିଲା । ସମସ୍ତେ ତା ଆଡ଼କୁ ଚାହିଁଲେ । ରାକେଶ କହିଲା -" ହଇରେ ସାଙ୍ଗ। ତୁ ସହରୀ ଛୁଆ ଟି । ତୁ ପୁଣି ଭୁତ ଉପରେ ବିଶ୍ୱାସ କରୁଚୁ । ଶୁଣ୍ ତୁ ମୋର ରହିବାର ପ୍ରବନ୍ଧ ସେଇ ଜଙ୍ଗଲ ମଝି ବଙ୍ଗଳା ରେ କରି ଦେ ତ ।"

         ରୋହନ -" ଅସମ୍ଭବ !!"

         ରାକେଶ -" କାହିଁକି ଅସମ୍ଭବ । ସେ ବଙ୍ଗଳା ର ମାଲିକ ତ ତୁ । ତେବେ ତୋ ପାଇଁ ଏଇଟା ଅସମ୍ଭବ କିପରି ହେବ । "

          ରୋହନ -" ସେଠିକି ଯିଏ ଯାଏ ଆଉ ଫେରେନା । ଗାଁ ର ବୟସ୍କ ବ୍ୟକ୍ତି ମାନେ ଏହାର ପ୍ରମାଣ ବି ପାଇଛନ୍ତି । ମୁଁ ସିନା ଏଠି ରୁହେନି । ହେଲେ ମୋର ବି ଏଠି ଜେଜେ ଙ୍କ ପାଇଁ ଖୁବ୍ ଖାତିର ଅଛି । ହେଲେ ମୁଁ ବି କେବେ ଏଠାର ବୟସ୍କ ଲୋକଙ୍କ କଥାର ଅବଜ୍ଞା କରିନି । ସେ ଜଙ୍ଗଲ ମଝି ବଙ୍ଗଳା କୁ ମୁଁ ବି କେବେ ଯାଇନି । ଆଉ ସବୁଠୁ ବଡ଼ ଅସୁବିଧା ହେଲା ଆମ ବଙ୍ଗଳା ର ରକ୍ଷଣ ବେକ୍ଷଣ ଦାୟିତ୍ୱ ରେ ଥିବା ସନେଇ ଜେଜେ । "

         ରାକେଶ --" ସନେଇ ଜେଜେ.....!"

          ରୋହନ -" ହଁ, ସନେଇ ଜେଜେ । ଭୁତ ଅଛିକି ନା ଜାଣେନି । ହେଲେ ସନେଇ ଜେଜେ ଙ୍କ ଆଖିରେ ନିଦ ନଥାଏ । ଚିଲ୍ଲ ଛଞ୍ଚାଣ ପରି ତାଙ୍କ ନଜର ଆମ ଉପରେ ରହିବ । ଜେଜେ ଙ୍କ ଖାସ୍ ସେବକ । ବା ବୋଲକରା। ତାଙ୍କ ଆଦେଶ କୁ ବି ଜେଜେଙ୍କ ଆଦେଶ ପରି ମାନିବାକୁ ପଡେ । ନଚେତ ଖୁବ୍ ରାଗି ଯାଆନ୍ତି ସନେଇ ଜେଜେ । ତୁରନ୍ତ ତୁମ ଜିନିଷ ପତ୍ର ଧରି ସେଇ ରାତି ରାତି ବଙ୍ଗଳା ରୁ ବାହାର କରି ତୁମକୁ ନେଇ ରୋଡ଼ ରେ ଛାଡି ଦେବେ । ଜେଜେ ତାଙ୍କ ଉତରାଧିକାରୀ କାଗଜ ରେ ଲେଖି ଦେଇ ଯାଇଛନ୍ତି ଯେ ସନେଇ ଜେଜେ ଙ୍କ ଜୀବନ ଥିବା ଯାଏ ତାଙ୍କୁ ସେହି ବଙ୍ଗଳା ରୁ ବରଖାସ୍ତ କରି ହେବ ନାହିଁ । ସେ ମୋ ବାପା ହୁଅନ୍ତୁ କିମ୍ବା ମୁଁ । ତାଙ୍କ ଜୀବନ ଥିବା ଯାଏଁ। ସେ ସେହି ବଙ୍ଗଳା ର ଦେଖା ଶୁଣା କରିବେ ଏବଂ ତାଙ୍କ ଆଦେଶ କୁ ମାନ୍ୟ କରା ଯିବ । ଆରେ .... ହେଇ ଦେଖ । ଆଗରେ ଲଣ୍ଠନ ଧରି ସନେଇ ଜେଜେ ଠିଆ ହୋଇଛନ୍ତି । ଆମେ ଏଥର ପହଞ୍ଚି ଗଲେ । ସମସ୍ତେ ହୁସିଆର ରହିବ । ଭୁଲ୍ ରେ ବି ଜଙ୍ଗଲ ମଝିର ବଙ୍ଗଳା କଥା ଉଠାଇବ ନାହିଁ । ନଚେତ ଜେଜେ ତୁମ ମାନଙ୍କୁ ଏହି ବଙ୍ଗଳା ରେ ତ କଣ... ଏହି ଗାଁ ରେ ବି ରହିବାକୁ ଅନୁମତି ଦେବେ ନାହିଁ । ରାତି ଅଧରେ ରୋଡ଼ ରେ ବିତେଇବ । କାରଣ ଏଠୁ ଫେରିବାକୁ ଏକ ମାତ୍ର ବସ୍ ବି କାଲି ଦ୍ବିପ୍ରହର କୁ ଆସିବ । "

          ସମସ୍ତେ ସନେଇ ଜେଜେ ଙ୍କୁ ଦେଖି ଚୁପ୍ ରହିଲେ । ଇତି ମଧ୍ୟରେ କଥା କଥାରେ ସେମାନେ କେତେବେଳେ ବଙ୍ଗଳା ରେ ପହଞ୍ଚି ଗଲେ ବୋଲି ଜଣା ମଧ୍ୟ ପଡିଲାନି । ସନେଇ ଜେଜେ.....!! ଲୋଚା କୋଚା ଧୁଡୁ ଧୁଡ଼ିଆ ଚର୍ମ ର ଆସ୍ତରଣ ଭିତରେରେ ଗୋଟିଏ କଙ୍କାଳ ସାର ବୃଦ୍ଧ । ଆଖି ପତା ଗୁଡିକ କେଉଁ କୋଟରରେ ପଶି ଯାଇଛି । ଡୋଳା ଦୁଇଟା ଢ଼ିମା ଢ଼ିମା ହୋଇ ବଡ଼ ବଡ଼ ଦେଖା ଯାଉଥାଏ । ଦାନ୍ତ ଗୁଡାକ ବି ଭାଙ୍ଗି ଯାଇଛି । ଦୁଇଟା ପାନ ଖିଆ ନାଲି ନାଲି ହନୁ ଦାନ୍ତ ପାକୁଆ ପାଟିର ଓଠ ଉପରକୁ ବାହାରି ଆସିଛି । ହାତ ଗଣତି ପଚାଶ ଷାଠିଏ ଟି ପାଞ୍ଚ ପାଞ୍ଚ ଇଁଚିଆ ଧଳା ଚୁଟି ମୁଣ୍ଡ ଉପରେ ଆଉ ବାକି ଅଛି । । ସେଥିପାଇଁ ରୋହନ ତାଙ୍କୁ ସୁନପାମ୍ପୁଡ଼ି ବୁଢା ଡାକୁଛି ।

                ଭୁତର କଳ୍ପନା ତୋଳିଲେ ସନେଇ ଜେଜେ କୌଣସି ତରଫରୁ ମଣିଷ ପରି ଲାଗୁ ନଥିଲେ । ଭୟଙ୍କର ଚେହରା ଆଗରେ ଲଣ୍ଠନ ର ଆଲୋକ ପଡିଲେ ସମ୍ପୂର୍ଣ୍ଣ ରୂପେ ସେ ଏକ ଭୁତ ପରି ଦିଶୁଥିଲେ ଭୟଙ୍କର ।ମୁହଁରେ ହସ ବି ନାହିଁ । କଠୋର ରୁକ୍ଷ ସ୍ୱର ରେ କହିଲେ , " ଚୁପ୍ ଚାପ୍ ସବୁ ମୋ ପଛେ ପଛେ ଆସ । କିଏ ଯଦି ଏପଟ ସେପଟ କୁଆଡେ ବୁଲିଚ ତ ସେ ଦେଖିବ ମୋ ଅସଲ ରୂପ ।"

       ନିଜ ନିଜ ବ୍ୟାଗ ଉଠାଇ ପିଲାମାନେ ସବୁ ଗୋଟିଏ ଲାଇନ ରେ ସନେଇ ଜେଜେ ପଛେ ପଛେ ଚାଲିଲେ। ଅନ୍ଧାର କିଟିମିଟି ଚାରିଆଡ଼ । ସନେଇ ଜେଜେ କହିଲେ--" ସଭିଙ୍କ ମୁଣ୍ଡ ପାଖ ଟେବଲ ଉପରେ ଧିମା ବତୀ ରେ ଲଣ୍ଠନ ଲାଗିଛି । ଯୁଆଡେ ବି ଯିବ ନିଜ ସହିତ ଲଣ୍ଠନ କୁ ନେବା ଭୁଲିବନି । ସବୁ ଆଡ଼ ଅନ୍ଧାର। ଝିଅ ମାନଙ୍କ କୋଠରୀ ପୁଅ ମାନଙ୍କ କୋଠରୀ ପାଖ ଟା। ପୁଅ ଝିଅ ଙ୍କୁ ଯଦି ଏକାଠି ଦେଖେ ତେବେ ଗାଁ ରେ ସାତ ବେଣ୍ଟିଆ କରି ଦେବି କହୁଚି । ସେ ସହରୀ ସଭ୍ୟତା ଏଠାରେ ଚଳିବନି । ସେ ଯିଏ ବି ହେଉ । ଦୁହିଁଙ୍କୁ ମୁରବି ଡାକି ମନ୍ଦିରରେ ବିବାହ କରାଇ ଦେବି । ଭୁଲ୍ ରେ ବି ଯଦି ବାଡ଼ି ପଟକୁ ଯାଇଛ କି , ଜଙ୍ଗଲ କୁ ଯିବାର ଭୁଲ୍ କରିଛ ତେବେ ମୋ ଅସଲ ରୂପ ଚିହ୍ନେଇ ଦେବି । ରାତି ଅନ୍ଧାରେ ହିଁ ତାକୁ ନେଇ ରୋଡ଼ ଉପରେ ଛାଡି ଦେଇ ଆସିବି। ପାଣି ଓ ରାତି ଖାଇବା ସଭିଙ୍କ ଖଟ ପାଖ ଟେବୁଲ ଉପରେ ଥୋଇ ଦେଇଛି । କିଛି ଜରୁରୀ କାମ ପଡିଲେ କି କିଛି ଆବଶ୍ୟକତା ହେଲେ ମୋତେ ଡାକିବ । ଖବରଦାର ଯଦି ଏକା ଏକା କୁଆଡେ ବୁଲିବାକୁ ଚେଷ୍ଟା କରିଚ । ସକାଳ ହେଲେ ମୁଁ ନିଜେ ତୁମ ମାନଙ୍କୁ ତୁମ କଲେଜ ପ୍ରୋଜେକ୍ଟ ରେ ସାହାଯ୍ୟ କରିବାକୁ ଗାଁ ଭିତରକୁ ନେଇ ଯିବେ । ନିଜେ ନିଜେ କୁଆଡେ ମାଡି ଯିବ ନାହିଁ । ଯିଏ ନିୟମ ଭାଙ୍ଗିବ ତାର ଏଠି ସ୍ଥାନ ନାହିଁ ।ଶୁଣ, ଏଠାରେ ବିଦ୍ୟୁତ ନା ବରାବର । ତେଣୁ ଲଣ୍ଠନ ବତୀ ଲିଭାଇବ ନାହିଁ "

          ସନେଇ ର ଚଢା ଗଳାରେ ତାଗିଦ ଶୁଣି ସଭିଏଁ ନିରବ । କେହି ବି ରାକେଶ ର ସମର୍ଥନ କରି ଜଙ୍ଗଲ ମଝିରେ ଥିବା ସେଇ ବଙ୍ଗଳା କୁ ଯିବା ପାଇଁ ଉଁ କି ଚୁଁ କହିଲେ ନାହିଁ । ସେମାନେ ଭିତରକୁ ଯିବା ପରେ ଦେଖିଲେ ସନେଇ କହିବା ମୁତାବକ ସଭିଙ୍କ ଖଟ ପାଖରେ ସମସ୍ତ ସାମଗ୍ରୀ ମହଜୁଦ ଅଛି । କୋଠରୀ ଭିତରେ ମିଞ୍ଜି ମିଞ୍ଜି ହୋଇ ବଲ ଦୁଇଟା ଜଳୁଛି । ସହରୀ ଘରେ ରାତି ପାଇଁ ଶୁନ ପାୱାର ର ବଲ ଲାଗିବା ପରି ଆଲୋକ । ପଙ୍ଖା ଦୁଇଟା ବଡ଼ ଜୋରେ କଁ କଁ ହେଇ ଏମିତି ଧୀର ମନ୍ଥର ଗତିରେ ଘୁରୁଛି ଯେ ମୁଣ୍ଡର ଗୋଟାଏ ଚୁଟି ବି ସେଥିରେ ହଲିବ ନାହିଁ ।

        କୌଣସି ପ୍ରକାରେ ଖିଆ ପିଆ ସାରି ଦେଇ ସଭିଏ ଶୋଇ ବାକୁ ଗଲେ । ହେଲେ ରାକେଶ ଆଖିରେ ନିଦ ନାହିଁ । ଜଙ୍ଗଲ ମଝିରେ ସେ ବଙ୍ଗଳା ର ରହସ୍ୟ ଜାଣିବାକୁ ଛଟପଟ ହେଉ ଥାଏ। ରାତି ବାରଟାରେ ସେଇ ମିଞ୍ଜି ମିଞ୍ଜି ଲାଇଟ ଟା ବି କଟି ଗଲା । ସେଇ ଧୀର  ମନ୍ଥର ଗତିରେ ବୁଲୁଥିବା ପଙ୍ଖା ଟା ବି ଅଟକି ଗଲା। ଏତେ ଲମ୍ବା ରାସ୍ତା ଗାଡ଼ିରେ ବସି ବସି ସଭିଙ୍କ ଆଖିରେ ଗାଢ଼ ନିଦର ପରସ୍ତ । ହେଲେ ରାକେଶ ର ନିଦ ଉଡି ଯାଇଥିଲା । ଛଟପଟ ହୋଇ ବାଡ଼ି ପଟେ ଯାଇ ଖୋଲା ପବନ ଖାଇବାକୁ ବସି ପଡ଼ିଲା । ସନେଇ ଜେଜେ ଆଖି ମୁଜି ଶୋଇ ପଡିଛନ୍ତି ବାଡ଼ି ପଟ ପିଣ୍ଡାରେ ।

            ଚୁପ୍ ଚାପ୍ ସୁଯୋଗ ଦେଖି ରାକେଶ ବାଡ଼ି ଗେଟ୍ ଖୋଲି ଜଙ୍ଗଲ ଆଡ଼କୁ ଚାଲିଲା । ହାତରେ ନେଇ ଥାଏ ତାର ଡିଜିଟାଲ କ୍ୟାମେରା । କିଛି ବାଟ ଯିବା ପରେ ତାକୁ ପାଉଁଜି ର ଛମ୍ ଛମ୍ ଶବ୍ଦ ଶୁଭିଲା । ହେଲେ ସେ ଡରିଲା ନାହିଁ । ସେଇ ଶବ୍ଦ ଆଡ଼କୁ ଚାଲିଲା । ଚାଲୁ ଚାଲୁ ସେ ଅନେକ ଦୂର ଚାଲି ଆସିଲାଣି । ହେଲେ ସେଇ ଶବ୍ଦ ହେଉଥିବା କୁହୁକିନୀ କୁ ଦେଖି ପାରୁ ନଥାଏ। ହଠାତ୍ ତାକୁ ଅନୁଭୂତ ହେଲା ପରିବେଶ ର ବାତାବରଣ ଟା ଅଧିକ ଥଣ୍ଡା ଥଣ୍ଡା ହୋଇ ଯାଉଛି । ନିଜ ପାପୁଲି ରେ ବାହୁ ଦୁଇଟା ଘଷି ଦେଇ ସାମାନ୍ୟ ଉଷ୍ମତା ପାଇବାର ପ୍ରୟାସ କରୁଥିଲା ରାକେଶ ।

          ହଠାତ୍ ତା ନଜରରେ ପଡିଲା ଏକ ପଦ୍ମକଢ଼ି ପରି କୋମଳି ଶ୍ୱେତ ଦୁଗ୍ଧ ପରି ନବ ଯୌବନା ସୁନ୍ଦରୀ ଝିଅ ଟିଏ ଉପରେ । ଓଃ.....!! କି ସୁନ୍ଦର । କି ସୁନ୍ଦର ତାର ରୂପ ଲାବଣ୍ୟ। । ଘନ ଗହଳ କଳା ମେଘ ପରି ଲମ୍ବା ଲମ୍ବା କେଶ ରାଶି । ସେ ଚାଲିଲେ ତାର ନଳୀ ଗୋଡ଼ ଯାଏ ଉଠିଥିବା ଘାସ ଉପରେ ତାର କେଶ ଗୁଡିକ ଛୁଇଁ ଛୁଇଁ ଯାଉଛି । ଚାଖଣ୍ଡେ ହେବ କି କଣ କଅଁଳି ଅଣ୍ଟା । ତା ଦେହର ତେଜ ଏପରି ଯେ ସେ ଚାଲି ଗଲେ ସେ ସ୍ଥାନରେ ଆଲୋକ ଖେଳି ଯାଉଛି । ଧଳା ଶାଢ଼ୀ ତା ଦେହକୁ ଖୁବ୍ ମାନୁଚି । ତା ଲାଜୁଆ ଲାଜୁଆ ଓଠରେ ଚେନାଏ ହସ ର ଚମକ ମନ ମୋହି ନେଇ ଯାଉଛି ।

             ଅଜାଣତରେ ରାକେଶ ଅନେକ ଗୁଡ଼େ ରାସ୍ତା ଚାଲି ଆସିଲାଣି ତା ରୂପ ରେ ସମ୍ମୋହିତ ହୋଇ ।ରାକେଶକୁ ଝିଅଟି ଧିରେ ଧିରେ ସେଇ ଭଗ୍ନବଙ୍ଗଳା ଭିତରକୁ ପ୍ରବେଶ କରାଇଲା। ରାକେଶ କହିଉଠିଲା, କିଏ ତମେ ସୁନ୍ଦରୀ, ମୋତେ ଏଇ ଭିତରକୁ କାହିଁକି ଟାଣିଆଣିଲ। ତମେ ଅନିନ୍ଦ୍ୟ ସୁନ୍ଦରୀ। ସାଙ୍ଗମାନେ କହୁଥିଲେ ଭୁତବଙ୍ଗଳା। ମୁର୍ଖ ଗୁଡାକ। ଏକବିଂଶ ଶତାବ୍ଦୀରେ ବି ଭୁତପ୍ରେତରେ ବିଶ୍ବାସ ରଖନ୍ତି। ତମ ବିଷୟରେ କୁହ। ଝିଅଟି ତା ଦୁଃଖ କାହାଣୀ ବର୍ଣ୍ଣନା କଲା। ତାକୁ କିଏ ଜଣେ ପ୍ରେମରେ ଧୋକା ଦେଇ ତାର ସର୍ବସ୍ବ ଲୁଟିନେଲା। ଝିଅଟି ଆଖିରେ ଲୋତକବନ୍ୟା।

  ହଠାତ୍ କାନ୍ଧଉପରେ କାହାର କର୍କଶ, ହାଡୁଆ ହାତ ସ୍ପର୍ଶରେ ଚମକିଉଠି ପଛକୁ ଫେରି ଚାହିଁଲା ରାକେଶ। ସନେଇଜେଜେ କହୁଥିଲେ ତମର ତ ଭାରୀ ସାହସ। ମନାକଲି ତଥାପି ମୋ କଥା ଅମାନ୍ଯ କଲ। ଠିକ୍ ସମୟରେ ମୁଁ ପହଞ୍ଚି ନଥିଲେ ତମର କଣ ଯେ ହୋଇଥାଆନ୍ତା ? ମୁଁ ନିନ୍ଦା ପାଇଥାଆନ୍ତି ନା। ଆଉ ନିନ୍ଦା ଅପବାଦ ଶୁଣିବାକୁ ଏ ବୁଢାର ବଳ ନାହିଁ।

  ଠୋ ଠୋ ହସିଉଠି ରାକେଶ କହିଲା, ନା ଜେଜେ, ତମେ ସବୁ ଭ୍ରମ କଥା କହୁଛ। ଏଇଠିକୁ ସୁନ୍ଦରୀ ଝିଅଟିଏ ଆସେ। ମୁଁ ତାକୁ ବାହାହେବି । ସନେଇ କହିଲା, ହେ ବେକାରକଥା, ଚାଲ ଶୋଇବ। ଆରେ ଜେଜେ ମୁଁ ଜାଣେ ତମେ ବିଶ୍ବାସ କରିବନାହିଁ। ଏଇ ପରା ମୋ ଆଗରେ ଠିଆ ହୋଇଛି ଦେଖୁନ। ତମ ଆଖି ବୟସାଧିକ୍ୟ ଯୋଗୁଁ ଦେଖିପାରୁନି। ଆଶ୍ଚର୍ଯ୍ଯ ହୋଇଗଲା ରାକେଶ, ଆରେ ଏଇଠିଥିଲା ସୁନ୍ଦରୀ ଲଳନା, ଗଲା କୁଆଡେ ?

      ସନେଇଜେଜେ କହିଲେ ବାବୁ, ଚାଲିଲ ତମେ। ମନା କଲା ରାକେଶ। ଆରେ ଜେଜେ ତମକୁ ଦେଖି ବୋଧେ ଝିଅଟି ଏଠାରୁ ପଳେଇଗଲା। ହଉ ତା ଫଟୋ ମୁଁ ନେଇଛି, ଜେଜେ। ଝିଅଟି କିଏ କହିଲ ? କ୍ୟାମେରା ମୂଳରୁ ଶେଷ ଯାଏଁ ଓଲଟାଇ ନେଲା ହେଲେ ଗୋଟିଏ ବି ଫଟୋ ନାହିଁ। ଭୟରେ ବରଡାପତ୍ର ପରି ଥରୁଥିଲା ରାକେଶ। ମନେପଡୁଥିଲା ଜେଜେମାଆର ବାଉଁଶମୂଳର ଭୁତ କାହାଣୀ। ସନେଇ ଜେଜେ ସେଇ ଝିଅଟି ବିଷୟରେ ବର୍ଣନା କଲେ। ସେ ସନେଇଜେଜେଙ୍କ ଝିଅ ପିଙ୍କି। ତାକୁ ଭଲପାଇ ପ୍ରତାରିତ କରିଥିବା ବ୍ୟକ୍ତି ରୋହନର ବାପା ବ୍ୟତିତ ଅନ୍ୟ କେହି ନୁହଁ। ପିଙ୍କି ଗର୍ଭବତୀ ହୋଇ ଲୋକଲଜ୍ଜା ସହିନପାରି ଆତ୍ମହତ୍ୟା କଲା। ବିଚାରୀ ମାଆ ଛେଉଣ୍ଡ ଝିଅଟି। ସେହିଦିନଠାରୁ ସେ ଖୋଜିବୁଲୁଛି ତାର ପ୍ରେମକୁ। କୌଣସି ପୁରୁଷ ଏଠାକୁ ଆସି ଜୀବନ୍ତ ଫେରିନାହି।

   ହସି ଉଠିଲା ରାକେଶ। ସନେଇ ଜେଜେ ! ହୋଇପାରେ ତୁମ କଥା ସତ୍ଯ। କିନ୍ତୁ ଭୁତ ପ୍ରେତ ଏସବୁ ମିଥ୍ୟା। ଏଇଠି ଦେଖିଥିବା ସୁନ୍ଦରୀ ତରୁଣୀ ୟାରି ଭିତରେ ହିଁ ଅଛି। ସନେଇଜେଜେର ଆକଟ ନମାନି ଚତୁର୍ଦ୍ଦିଗ ଖୋଜିବୁଲିଲା ରାକେଶ।

କିଛି ସମୟ ପରେ..........

ସୁନ୍ଦରୀ ତରୁଣୀର ହାତଧରି ସନେଇଜେଜେ ସାମ୍ନାରେ ଉଭା ହେଲା ରାକେଶ। ସନେଇଜେଜେ ଆଖିରେ ଲୋତକର ବନ୍ୟା। ଏଇ ନିର୍ଭିକ ଯୁବକ ହାତରେ ନିଜକୁ ଧରା ଦେଇଦେଲୁ ଝିଅ କହୁଥିଲା ସନେଇ।

ସନେଇ :-- ବାବୁ ଏ ପିଙ୍କିର ଝିଅ ଟିକି। ରୋହନର ବାପାଙ୍କର ଅବୈଧ ସମ୍ପର୍କର ମୂକସାକ୍ଷୀ। ଝିଅକୁ ହରାଇଲା ପରେ ସମ୍ପତ୍ତି ଲୋଭରେ ମୁଁ ଭୁତର ବାହାନାକରି ଆସୁଥିଲି। କିନ୍ତୁ ତମେ......

ରାକେଶ :-- ଜେଜେ, ତମେ ଭୟକରନାହିଁ। ଏହା ଆମ ଭିତରେ ଗୋପନ ରହିବ। ହେଲେ ମୁଁ ତମ ନାତୁଣୀକୁ ବୈଦିକରୀତିରେ ବାହା ହେବି।

ସନେଇଜେଜେର କୋରଡପଶା ଆଖିଦୁଇଟି ଖୁସିରେ ଉଜ୍ଜ୍ବଳ ଦେଖାଯାଉଥିଲା। ସନେଇକୁ ଲାଗୁଥିଲା ତା ଝିଅ ପିଙ୍କି ସ୍ୱର୍ଗରୁ ଥାଇ ଆଶୀର୍ବାଦ ବର୍ଷା କରୁଛି।

ହସୁଥିଲା ସନେଇ, ହସୁଥିଲା ପିଙ୍କି।

ହସୁଥିଲେ ଟିକି ଓ ରାକେଶ ପ୍ରେମ, ମିଳନ ଓ ବିବାହର ଖୁସିରେ। ଆଧୁନିକ ଗୀତର ତାଳେତାଳେ ନାଚୁଥିଲା ସନେଇ। ଭୁତବଙ୍ଗଳାର ଭୁତ ଇତିହାସର ପରିସମାପ୍ତି ଘଟିଥିଲା।



Rate this content
Log in

More oriya story from Siddhartha Tripathy

Similar oriya story from Horror