STORYMIRROR

NIBEDITA MOHAPATRA

Inspirational

4  

NIBEDITA MOHAPATRA

Inspirational

ପ୍ରେରଣା

ପ୍ରେରଣା

2 mins
653


ସେଦିନ ବିଦ୍ୟାଳୟରେ ନବବର୍ଷାରମ୍ଭର ଶୁଭେଚ୍ଛା ଦିବସ ପାଳନ କରିବା ପାଇଁ ଏକତ୍ର ହେଇଥାନ୍ତି।ସେଇଟା ମୋର ବିଦ୍ୟାଳୟରେ ପ୍ରଥମ ବର୍ଷ(ସି.ଟି.ସ୍କୁଲ ରେ ନୂଆ କରି ଯୋଗ ଦେଇଥିଲି)।ଜାଣି ନଥିଲି ଏ ଉତ୍ସବରେ କଣ କରାଯିବ।ପୂର୍ବରୁ ଭଲ ବକୃତା ଦେଉଥିବାରୁ ସମସ୍ତେ ମତେ ଜାଣି ସାରିଥିଲେ।ସେ ଉତ୍ସବରେ ବି ମତେ ମଞ୍ଚ ପରିଚାଳନା କରିବା ପାଇଁ ମନିଟର ଓ ପରିଚାଳନା କରୁଥିବା ଶିକ୍ଷକ କହିଥିଲେ।

ବଡ ଭାଇ ଭଉଣୀମାନଙ୍କୁ ଉତ୍ସବର ଉଦ୍ଦେଶ୍ୟ ସଂପର୍କରେ ପଚାରିବାରୁ ସେମାନେ କହିଲେ ଏଥିରେ ସମସ୍ତେ ନିଜର ନୂଆ ବର୍ଷର ଆଭିମୁଖ୍ୟ କହିବେ ଓ ନିଜର ସ୍ୱଚରିତ କବିତା କିମ୍ବା କ୍ଷୁଦ୍ର ଗଳ୍ପ ପରିବେଷଣ କରିବେ।ତା ସହିତ ନିଜର ଅନ୍ୟାନ୍ୟ କୃତି ବି ସମସ୍ତେ ଦେଖାଇ ପାରିବେ।

 ବିଦ୍ୟାଳୟର ଏପରି ଏକ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମକୁ ଦେଖି ମୁଁ ଖୁସି ହେଲି।କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ମହୋଦୟା ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କଲେ।ବିଦ୍ୟାର୍ଥୀମାନଙ୍କୁ ଅନେକ ଉପଦେଷାତ୍ମକ କଥା କହିଲେ।ତା ପରେ ଆରମ୍ଭ ହେଲା ପ୍ରତିଭା ପ୍ରଦର୍ଶନର ସମୟ।ଖୁବ୍ କମ୍ ସମୟ ମଧ୍ୟରେ ଅନେକ ସୁନ୍ଦର କବିତା ଉପସ୍ଥାପନା କଲେ ଭାଈ ଭଉଣୀ ମାନେ।ସବୁଠାରୁ ସୁନ୍ଦର କବିତା ଥିଲା ରୁଦ୍ର ଭାଇ ଆଉ ମନସ୍ୱିତା ଭଉଣୀଙ୍କର।

ଏହା ପରେ ବିଭିନ୍ନ କାର୍ଯ୍ୟକ୍ରମମାନ କରାଗଲା।ମୁଁ ବହୁତ ଚେଷ୍ଟା କଲି ଗୋଟିଏ କବିତା ଲେଖିବାକୁ ହେଲେ କେବଳ ୩/୪ ଧାଡିରୁ ଅଧିକ ଲେଖି ପାରି ନଥିଲି;କାରଣ ମଝିରେ ଅନ୍ୟ କିଛି କାର୍ଯ୍ୟକ୍ରମ ପାଇଁ ମତେ ବାରମ୍ବାର ମଞ୍ଚ ଉପରକୁ ଯିବାକୁ ପଡୁଥିଲା।ପରିଶେଷରେ କାର୍ଯ୍ୟକ୍ରମ ସମାପନ ପାଇଁ ଧନ୍ୟବାଦ ଅର୍ପଣ କରିବାକୁ ମୁଁ ଶେଷ ଥର ଲାଗି ମଞ୍ଚ ଉପରକୁ ଗଲି ଓ ମୋ କଥା ଆରମ୍ଭ କଲି ହଠାତ୍ ପଛରୁ କେହି ଜଣେ କହିଲେ,"ଟିକେ ରହ।"ଆଶ୍ଚର୍ଯ୍ୟ ହେଇ ପଛକୁ ଚାହିଁଲି ଦେଖିଲି ଅରୁଣା ଗୁରୁମା ଠିଆ ହୋଇଛନ୍ତି।ଭାବିଲି ମୋର ଉପସ୍ଥାପନାରେ କିଛି ତ୍ରୁଟି ହେଲା ବୋଧେ।କିନ୍ତୁ ଖୁବ୍ ଚକିତ ଲାଗିଲା ସେ ଯେତେବେଳେ କହିଲେ,"ତୁ ଏତେ କଥା କହିଲୁ ହେଲେ ମୁଁ ତୋ ଲେଖା କିଛି ଶୁଣିଲିନି ତ।" କଣ କରୁଚୁ କି?

ମୁଁ ଧୀର ସ୍ବରରେ କହିଲି ମୁଁ ବେଶୀ କିଛି ଲେଖିପାରିନି।ଆଜି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଗରୁ ଜାଣି ନଥିଲି ଏବଂ ଏପଟସେପଟରେ କେବଳ ଚାରି ଧାଡି ଲେଖିଛି।ଗୁରୁମା କହିଲେ,"ହଉ ସେତିକି ଶୁଣା।ଚୁପ୍ କରି ରହିଲେ ହବନି।"ମୁଁ ତାଙ୍କ କଥା ରକ୍ଷା କରି ମୋ କବିତା ଶୁଣାଇଲି।ଯାହାର କିଛି ଧାଡି ଥିଲା ଏହିପରି-----

(ନୂତନ ସୂର୍ଯ୍ୟର ସ୍ବର୍ଣ୍ଣିମ ଆଭାରେ

ଝଲସିତ ହୁଏ ଏହି ଜଗତ,

ନବରୂପ କାନ୍ତି ଧାରଣ କରିଛି

ସତେ ଅବା ଆଜି ଏହି ମରତ।)

ଗୁରୁମା ଖୁସି ହୋଇ କହିଲେ,"ସୁନ୍ଦର ଆରମ୍ଭ ହେଇଛି।ଆଗକୁ ଲେଖ ଆଉ ମତେ ଦେଖେଇବୁ।"କାର୍ଯ୍ୟକ୍ରମ ଶେଷ ହେଇଗଲା।ତାର କିଛି ଦିନ ପରେ ମୁଁ ଲେଖା ସଂପୂର୍ଣ୍ଣ କରି ଗୁରୁମାଙ୍କୁ ଦେଖାଇଲି।ସେ ଖୁସିରେ ମତେ ଆର୍ଶିବାଦ କରି କହିଲେ,"ସାଧନା ଜାରି ରଖ।ଭଲ ଭଲ ଲେଖା ଲେଖିବାକୁ ପ୍ରଚେଷ୍ଟା କର।"ସେଦିନ ଗୁରୁମାଙ୍କ ପ୍ରେରଣା ମୋର ସବୁଦିନ ପାଇଁ ମନେ ରହିଗଲା।ଷଷ୍ଠ ଶ୍ରେଣୀରୁ ମୁଁ କ୍ଷୁଦ୍ର ଗଳ୍ପ ଲେଖିବାର ପ୍ରୟାସ କରୁଥିଲି।ସାଙ୍ଗମାନେ ପଢି ବେଳେ ବେଳେ ଖୁସି ହୁଅନ୍ତି ଓ ବିଦ୍ୟାଳୟ ବାର୍ଷିକ ବିଶେଷାଙ୍କରେ ମୋ ଲେଖା ପ୍ରକାଶ ପାଏ।ହେଲେ କେବେବି ମତେ ଲେଖା ପାଇଁ ପ୍ରେରଣା ଯୋଗାଇ ନାହାନ୍ତି କି ଉତ୍ସାହିତ କରିନାହାନ୍ତି।ସେଥିପାଇଁ ମୁଁ ଲେଖାଲେଖିରେ ଆଗ୍ରହ ଦିଏନି।ସମୟ ପାଇଲେ ଯାହା କିଛି ଲେଖେ।ପ୍ରଥମ ଥର ପାଇଁ ଗୁରୁମାଙ୍କ କଥା ମତେ ଆଗକୁ ଲେଖିବାକୁ ଖୁବ୍ ଉତ୍ସାହିତ କରିଥିଲା।ସେବେଠାରୁ ମୋ କଲମକୁ ବିରାମ ଦେଇନି।ସବୁବେଳେ କିଛି ନୂଆ ଲେଖିବାକୁ ଚେଷ୍ଟା କରେ।ପ୍ରଥମ କରି ଆକାକ୍ଷାଂ ରେ ମୋର କବିତା "ଆସିଛି ନୂଆ ବରଷ"ପ୍ରକାଶିତ ହେବାରେ ସବୁଠାରୁ ବେଶୀ ଖୁସି ହୋଇଥିଲେ ଗୁରୁମା।

ସମୟ ସୁଅରେ ସବୁ ବଦଳିଛି ହେଲେ ଗୁରୁମାଙ୍କ ପ୍ରେରଣା ଆଜି ବି ମୋର ମନେଅଛି।କୌଣସି ବିଷୟରେ ଲେଖିବାକୁ ଆରମ୍ଭ କରିବା ସମୟରେ ଯଦି ମନରେ ଦ୍ବନ୍ଦ୍ବ ଆସେ ଲେଖି ପାରିବି କି ନାହିଁ ସେତେବେଳେ ମୋର ଗୁରୁମାଙ୍କ କଥା ମନେପଡିଯାଏ।ମନରେ ନୂଆ ଉତ୍ସାହ ଆସେ ଓ ମୋ ଲେଖା ଜାରି ରହେ।

ସତରେ କାହାରି ପ୍ରେରଣା ହିଁ ସର୍ବଦା ଆଗକୁ ବଢିବାକୁ ନୂଆ ରାହା ଦେଖାଇଥାଏ।ଗୁରୁମାଙ୍କର ସେଦିନର କେଇ ପଦ କଥା ଆଜି ମତେ ମୋର ନୂଆ ପରିଚୟ ସୃଷ୍ଟିରେ ସାହାଯ୍ୟ କରିଛି।ସେଥିପାଇଁ ମୁଁ ତାଙ୍କ ନିକଟରେ ଚିର ଋଣୀ।



Rate this content
Log in

Similar oriya story from Inspirational