Satyabati Swain

Inspirational

4.0  

Satyabati Swain

Inspirational

ପ୍ରେମାଞ୍ଜୁଳି

ପ୍ରେମାଞ୍ଜୁଳି

6 mins
12.2K



ମୋ ଆଞ୍ଜୁଳାରେ ଆଞ୍ଜୁଳାଏ ରଙ୍ଗୀନ ସ୍ବପ୍ନ ଭରି ଦେଲେ ଭାଉଜ।


ବିଦାୟ ମୁହୂର୍ତ୍ତ।କେହି ଜଣେ କହୁଥିଲେ ଶୀଘ୍ର ଶୀଘ୍ର କାମ ସାର।ରାତି ରାତି ଯିବାର ଅଛି। ରାତି ପାହିଲେ ଗୁରୁବାର।ଗୁରୁବାରରେ ଝିଅ ବିଦା ମନା।


ସମସ୍ତ ନିଦୁଆ ଆଖି ତତ୍ପର ହୋଇ ପଡିଲେ ଝିଅ ବିଦା ପାଇଁ।


ଏଇ ଟିକକ ପୂର୍ବରୁ ନାଚ ଗୀତ ଖୁସିର ମାହୋଲ୍ ଥମି ଗଲା।ସବୁ ସଜବାଜ ଭିତରେ ମୋତେ ବି ଆଉ ଟିକେ ଭଲ କରି ସଜ କରୁଥିଲେ ବିୟୁଟି ପାର୍ଲର ବାଲି।ସେ ସନ୍ଧ୍ୟାରୁ କରିଥିବା ମେକ ଅପ୍ ବୋଳି ବାଳି ହୋଇ ଯାଇଥିଲା ଯେଣୁ।ଦହି ପଖାଳ ବାଢି ଦିଆ ଗଲା ମୋ ଖାଇବା ପାଇଁ।


ମୋ ପେଟରେ କଣ ଭୋକ ଥିଲା ଯେ ଖାଇବି?ହାତ ଗଣ୍ଠି ପଡିବା ପୂର୍ବ ମନର ଆବେଗ,ଉଦ୍ ବେଳନ ଓ ଉନ୍ମାଦନା ହାତ ଗଣ୍ଠି ପଡିବା ପରେ ଉତ୍ତୁରି ଯାଇଥିଲା ମୋର।ଗୋଟେ ଅଜଣା ଭୟ ଜାବୁଡି ଧରିଥିଲା ମୋତେ।ଖାଲି କାନ୍ଦ କାନ୍ଦ ମୁହଁ।ହୃଦୟ ସ୍ପନ୍ଦନ ବଢି ଯାଉଥିଲା।


ବାରମ୍ବାର ଗୋଟିଏ ପ୍ରଶ୍ନ ମୋତେ ବିଚଳିତ କରୁଥିଲେ "ଚାଲିଯିବି ଏ ଘର ଛାଡି?"


ପୁଣି ଜଣେ କିଏ ଡାକ ଛାଡିଲା ଆରେ ରାତି ପାହିଯିବ ସଜବାଜ ସରିଲା ନା ନାହିଁ?


କେହି ଜଣେ କହିଲା ଏ ସ୍ତ୍ରୀ ଲୋକଙ୍କ ସଜ କେବେ ସରେ ନା କଣ?ନେଇ ଆସ ଝିଅକୁ।


ସାଙ୍ଗ ସାଥୀ,ସାଇ ପଡିଶା,ଓ ବନ୍ଧୁ ବାନ୍ଧବ ଜମି ଗଲେ ମୋତେ ବିଦା କରିବାକୁ।ମୁଁ ଛାଡୁ ନଥିଲି ଭାଉଜ ଦେହ।ଭାଇ କହିଲେ ଉଠ ଉଠ ତୁମ ଦ୍ୱାରା କିଛି ହେବନାହିଁ କହି ଶୁନ୍ୟେ ଶୁନ୍ୟେ ମୋତେ ଟେକି ନେଲେ।


ଲୁହ ସର୍ ସର୍ ଆଖିରେ ଭାଉଜ ମୋ ଆଞ୍ଜୁଳାରେ ଭରି ଦେଲେ କନକ ଆଞ୍ଜୁଳି।


ବର ହାତରେ ଦେଲେ ବର ଆଞ୍ଜୁଳି।ସତେକି ଭାଉଜ ବର ଆଞ୍ଜୁଳିରେ ମୋତେ ଟେକି ଦେଉଥିଲେ।


ମୁଁ ଖୋଜୁଥିଲି ଗୋଟିଏ ମୁହଁ।ସମସ୍ତଙ୍କ ଭିତରେ ମୋ ଅତି ପ୍ରିୟ ଏ ଦୁନିଆଁର ସବୁଠୁ ସୁନ୍ଦର ମୁହଁ "ମା" କୁ।


ମା ଆ...ମା ଆ ମୋ ମାଆ କାଇଁ।ମାଆ....


ମୋ ମା ମା ଆକୁଳ ଡାକ ଦୁହିଁ ଦେଉଥିଲା ସମସ୍ତଙ୍କ ଆତ୍ମା।


ମା କିନ୍ତୁ ଦିଶୁ ନଥିଲା।


ସୁନେଇ ଆଈ କାନ୍ଦି କାନ୍ଦି କହୁଥିଲେ ସେ ତୋ ଆଗକୁ ଆସିବନାହିଁ ଲୋ ସାକ୍ଷୀ।


ଆସିବ ନାହିଁ?କାହିଁକି? ମୋ ମା କୁ ଦେଖା ନ କରି ଚାଲିଯିବି?


ସମସ୍ତଙ୍କୁ ଠେଲି ପେଲି ଦଉଡ଼ି ଗଲି ବାରି ଆଡ଼ ଜାଳ ଘର ପାଖକୁ;ଯେଉଁଠି ପ୍ରାୟତଃ ମା ବସେ।ମା କୋହ ଫୁଟେଇ କାନ୍ଦୁ ଥିଲା।ମୋତେ ଦେଖି ତା କାନିରେ ମୁହଁ ଘୋଡେଇ ଦେଲା। ସେ ବିଧବା ମୋତେ ମୁହଁ ଦେଖେଇବ ନାହିଁ କାଳେ। ମାଙ୍କୁ ପ୍ରଣାମ ହୁଅନ୍ତି ନାହିଁ କୁଆଡେ।


ଟାଣି ଆଣିଲେ ଲୋକ ମାନେ ମୋତେ।ମୁଁ ବୁଝି ପାରିଲି ନାହିଁ ମା ଦେଖିବ ନାହିଁ ତା ସଖୀ କଣ୍ଢେଇ ବୋହୁ ବେଶରେ କେମିତି ଦୁଶୁଛି?କିଏ କଲା ଏ ନୀତି?ବିଧବା ମା ପାଇଁ କିଏ କରିଛି ଏ ଦଣ୍ଡ ବିଧାନ।ମୁଁ କାନ୍ଦୁଥିଲି ଦେଖ୍ ମା ଥରେ ତ ତୋ ମୁହଁ ଦେଖା।ଦେଖ୍ ତୋ ସଖୀ କଣ୍ଢେଇ ବୋହୁ ବେଶରେ ଯେମିତି ଦିଶୁଛି।ମା ବେଶୀ ବେଶୀ ତା ମୁହଁ ଘୋଡାଇ ଖିନି ମିନି ହୋଇ କାନ୍ଦୁଥିଲା।


ମୋ ଦୁଇ ଭାଇ କାଳ ବିଳମ୍ବ ନ କରି ସେଠୁ ଟେକି ଆଣି ମୋତେ ନେଇ ବସେଇଦେଲେ କାର୍ ରେ।


ଗାଡି ଚାଲିଲା ଆଗକୁ।ପଛରେ ରହିଗଲା ଆମ ଘର,ମା,ଗାଁ,ଭାଇ ଭାଉଜ ,ମୋ ଗେହ୍ଲା ବୁବୁ ଓ ଟାଟୁ।


ମୁଁ ତେଇଶିଟି ଫଗୁଣ ବିତେଇଥିବା ଘର ଏରୁଣ୍ଡି ଡେଇଁ କନକ ଆଞ୍ଜୁଳି ପଛକୁ ପକେଇ ଯାଉଥିଲି ଆଉ କାହା ବଂଶ ବୃକ୍ଷ ହୋଇ।କେଉଁ ଅଦେଖା ଏରୁଣ୍ଡି ବନ୍ଧଟିଏ ପ୍ରସ୍ତୁତ ହେଉଥିଲା ମୋତେ ଭିତରକୁ ସ୍ୱାଗତ କରି ପାଛିଟି ନେବ ବୋଲି।ଅଜଣା ପୃଥିବୀଟିଏ ଅପେକ୍ଷା କରିଥିଲା ମୋତେ।


କାର୍ ଭିତରେ ବସିଥିଲି ମୋ ମିଷ୍ଟର୍ ରାଜୀବଙ୍କ ପାଖେ।ଗାଡି ଦୋହଲୁଥିଲା ବୋଲି କି ଜାଣି ଜାଣି ରାଜୀବ ମୋ ଦେହ ସହ ଧକ୍କା ଖାଉଥିଲେ ବାରମ୍ବାର। ଡ୍ରାଇଭର ପାଖେ ବସିଥିଲେ ରାଜୀବ ଙ୍କ ବାବା ମୋ ଶଶୁର।।ମୁଁ କାନ୍ଧୁଥିଲି ବାପାଙ୍କ କଥା ମନେ ପକାଇ।ଝିଅ ବିଦା କରିବା ଯେତିକି ଦୁଃଖଦ ସେତିକି ଭାଗ୍ୟର ,ପୁଣ୍ୟର କଥା କୁଆଡେ ବାପାଟିଏ ପାଇଁ।କିନ୍ତୁ ମୋ ବାପା ତ ମୋତେ ତେର ବର୍ଷ ହେଲା ବେଳୁ ଛାଡି ଆର ପାରିରେ।ଥିଲେ ଖୁସି ହେଉ ଥାନ୍ତେ।ଭାବୁଥିଲି ମା କଥା ।ମା ଏଣିକି ଏକୁଟିଆ ହୋଇଯିବ।ମୋ ସହ ବାଣ୍ଟୁଥିଲା ବାପା ସହ ବିତେଇଥିବା ସୁଖର ଦିନ।ଘରେ ତ ସମସ୍ତେ କାମରେ ବ୍ୟସ୍ତ।କାହା ପାଖେ ସମୟ ଅଛି ଯେ ମା କଥା ଶୁଣିବ।ପୁଣି ଭାବୁଥିଲି ମୋ ପୁତୁରା ବୁବୁ ଓ ଟାଟୁ କଥା।ସବୁବେଳେ ଗୋଡାଉଥିଲେ ମୋ ସାଥୀରେ।ପିଲା ଦିଟାଙ୍କୁ ସମ୍ଭାଳୁଥିଲି ମୁଁ।ମା ର ଦାୟିତ୍ୱ ଏଣିକି ବଢିଯିବ।


ମନେ ପଡିଲେ ଆମ ଗାଁ ଦଧିବାମନ ଠାକୁର।ସାକ୍ଷାତ ଜୀଅନ୍ତା ଦେବତା।ଡାକିଲେ ଓ କରନ୍ତି।ଆଉ ପ୍ରତିଦିନ ସନ୍ଧ୍ୟାବେଳେ ବତୀ ନେଇ ଯିବିନି।


ମନେ ପଡିଲା ଆଉ ଗୋଟେ ମୁହଁ କାକୁ ର୍।ଯାହା ଆଖିରେ ମୋ ପାଇଁ ଭଲ ପାଇବା ଭର୍ତ୍ତୀ କିନ୍ତୁ ମୁହଁ ଖୋଲି କହି ପାରିଲା ନାହିଁ।କେବଳ ସୂଚନା ଦେଇଥିଲା ମୋ ନିର୍ବନ୍ଧ ଦିନ । କହିଲା ସାକ୍ଷୀ ଲୋ! ମୋ ମନ କଥା ଓଠ ଦେଇ ଆସି ପାରିଲା ନାହିଁ ଜଣକ ପାଇଁ।ଏ ଅବଶୋଷ ମୋର ସବୁଦିନ ରହିବ।"ମୁଁ ପଚାରିଲି କି କଥା କାକୁ,କାହା ପାଇଁ।ସେ ଭୁଲେଇ ଦେଇ କହିଲା ଛାଡ଼ ନା।କଣ ମିଳିବ ସେଥିରୁ।ହୁଏତ ସେଦିନ କହି ଦେଇଥିଲେ ଅବା ମୁଁ କିଛି କରିଥାନ୍ତି।ଯେତେ ପଚାରିଲି ମୁହଁ ଖୋଲି କହିଲା ନାହିଁ।ଓଲଟି ମୁଁ ହସି ହସି କହିଲି ସେ ଅନାମିକା ମୁଁ ନୁହେଁ ତ କାକୁ?


ଫୁଟ୍ ତୋ ପରି ରାଜକୁମାରୀ ପାଇଁ ରାଜମୁମାର ବା ବିଧାତା ଗଢ଼ିଛି।ମୋ ଭଳି ମଳି ମୁଣ୍ଡିଆ ଏତେ ବଡ଼ ଆସ୍ପର୍ଦ୍ଧା କରି ପାରିବ ।ଇଲୋ ବୋପା ଲୋ ତୋ ରାଢ ସାନ ଭାଇ ମୁନ୍ନା ମୋତେ ଜୀବନରୁ ମାରି ଦେବ ଏତିକ ଜାଣିଲେ।ମୁଁ ଯାଉଛି ଲୋ ସାକ୍ଷୀ କହି ନ ଖାଇ ନ ପିଇ ପଳେଇଲା ଯେ ବାହାଘରକୁ ବି ଆସିଲାନି।ବିଚରା କାକୁ ..


ରାଜୀବ କହୁଣୀରେ ମୋ କଙ୍କାଳକୁ ଖେଞ୍ଜି ଦେଇ କହିଲେ ହେ ସାକ୍ଷୀ ଆଉ କାହା କଥା ଭାବୁଛ କି?


ମୁଁ ଚମକି ପଡିଲି।ଏ କେମିତି ଜାଣିଲେ।ମୁଁ ଆକୁଳ ହୋଇ ଅନାଇଁଲି।ସେ କହିଲେ ଆରେ ମଜାରେ କହିଲି।ଆସିଲା ବେଳୁ ମାଟି ଗଦା ପରି ବସିଛ।କାନ୍ଧୁଛ। ତୁମେ ଶିକ୍ଷିତ ଏବେକାର ଝିଅ ହୋଇ ଏତେ ସେଣ୍ଟିମେଣ୍ଟାଲ୍।ମୁଁ ଜାଣିଛି ତୁମେ ଖୁବ୍ ଭଲ ଝିଅ।ବାବା ତ ବାଛି ବାଛି ଝିଅଟିଏ ମୋ ପାଇଁ ଖୋଜି ଆଣିଛନ୍ତି।ଶୁଣ୍ ଆମ ଘର ହୋଇ ଆସିଲାଣି।ପ୍ରସ୍ତୁତ ହୋଇଯାଅ ଗୃହ ପ୍ରବେଶ ପାଇଁ।ହଁ ମୋ ବଡ଼ ଭାଉଜ ଭାରି ଚାଲାକ୍,ହୁସିଆର ଥିବ।


ମାନେ?ମୁଁ ବିସ୍ମୟ ହୋଇ ଚାହିଁଲି ରାଜୀବଙ୍କୁ।


ସେ ହସି ହସି କହିଲେ ଆରେ ସେମିତି କିଛି ନାହିଁ ଜଣେ ଫିଜିଙ୍କ ଝିଅ ତ।କାହାକୁ ପାସାଙ୍ଗରେ ପକାନ୍ତି ନାହିଁ। ନିଜକୁ ଉର୍ବଶୀ ଭାବନ୍ତି।କିନ୍ତୁ ଏଥରକ ତାଙ୍କ ଗର୍ଵ ଭାଙ୍ଗିଯିବ ତୁମକୁ ଦେଖି।ଆଗରୁ ସାବଧାନ କରି ଦେଉଛି ଦିନ ପନ୍ଦରଟା ସମ୍ଭାଳି ଯିବ ତାଙ୍କୁ।ତୁମକୁ ତାଙ୍କ ପ୍ରତିଦ୍ବନ୍ଦି ଭାବି କିଛି ବି କରି ପାରନ୍ତି।ତୁମେ ଡରି ବନି ସେ ଜଣେ ପୋଲିସ୍ ଡିଜିର ଝିଅ ହେଲେ ବି ତୁମେ ଜଣେ ଅଫିସର ସ୍ତ୍ରୀ।


ଓଃ ମୁଁ ତାହେଲେ ଲୋକେ ଯାହା କୁହନ୍ତି ଖୁବ୍ ସୁନ୍ଦର ତେବେ!ହଁ ଏଇ ସୁନ୍ଦର ଓ ସଂସ୍କାରୀ ଭାବି ତ ଏତେବଡ଼ ଘର ,ଅଫିସରରିଆ ବର ମୋତେ ମିଳିଛି।ନଲେ ଆମ ପରି ଗରିବ ଝିଅଙ୍କୁ ଏପରି ଘର ବର୍ ମିଳିବା ଆକାଶ କଇଁଆଁ ପରି ସିନା।ଖୁସି ଲାଗିଲା ମୋ ମିଷ୍ଟର୍ ଟି ଭଲ ମଣିଷ ନିଶ୍ଚୟ।


ଗୃହ ପ୍ରବେଶ ପୂର୍ବରୁ ଗୃହ ଯୁଦ୍ଧ ପାଇଁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କଲି।


ରାଜୀବ ଙ୍କ ଘର ଆସିଗଲା।ମୋତେ ବନ୍ଦାପନା କଲା ବେଳେ କେହି ଜଣେ କହିଦେଲେ ସଂଜୁଆ ସ୍ତ୍ରୀଠାରୁ ରାଜୁଆ ସ୍ତ୍ରୀଟି ଗୋଟିଏ ଚାଉଳରେ ଗଢ଼ା ସୁନା ପ୍ରତିମା ପରି ଲାଗୁଛି।ବିହି କେତେ କାଳ ବସି ଗଢ଼ିଛି ଏ ସଖୀ କଣ୍ଢେଉଟିକୁ।ବାସ୍! ଘରେ ନ ପଶୁଣୁ ଚାଳ ବାଜିଲା ପରି ରାଜୀବଙ୍କ ଭାଉଜ ବନ୍ଦାପନା ଥାଳିକୁ ଦେଲେ ଫୋପାଡ଼ି ମୋ ମୁହଁକୁ।ହୁଏତ ନିଆଁ ଲାଗି ପୋଡି ହୋଇଯାଇଥାନ୍ତି ।କିନ୍ତୁ ସେ ଜାଣି ନଥିଲେ ମୁଁ ସାକ୍ଷୀ 

ଚୌଧୁରୀ ପ୍ରଥମ ବାଜିରୁ ହାର ମାନିବି?ପଛକୁ ଠେଲି ହୋଇ ଧରି ନେଲି ଥାଳି ଟିକୁ ଓ କହିଲି ସରି ଭାଉଜ! ଥାଳିଟି ତୁମ ହାତରୁ ଖସି ପଡି ଗଲାକି?ତାଙ୍କ ହାତ ଦିଟା ଧରି ଟିକେ ଚୁମି ଦେଲି।ଦେଖାଣା ହାରି ସବ୍ଧ।ଗୋଟେ ଦୁଃର୍ଘଟଣାରୁ ବଞ୍ଚି ଗଲୁ ଆମେ।ଚାପା ଗଳାରେ ଲୋକେ କହୁଥିଲେ ଏତେ ସୁନ୍ଦର ନିରୀହ ଛୁଆଟା ବିକ୍ରମ ବଡ଼ ବୋହୁ ପାଖେ ତିଷ୍ଠିବ ତ......


ତାପର ଠାରୁ ଅଷ୍ଟମଙ୍ଗଳା ଯିବା ପର୍ଯ୍ୟନ୍ତ ପ୍ରତି ମୁହୂର୍ତ୍ତରେ ବଡ଼ ଭାଉଜ ମୋତେ ଅପମାନିତ ଓ ନୀଚ୍ଚା ଦେଖାଇବାକୁ ଚେଷ୍ଟା କରିଛନ୍ତି।ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ମୁଁ ନିଜକୁ ବଞ୍ଚାଇଛି।


କିନ୍ତୁ ଗୋଟିଏ କଥା ମୋତେ ସନ୍ଦେହରେ ରଖେ ଯେ ଏଡ଼େ ଉଦ୍ଧତ ବୋହୁଟା ଯାହା କଲେ କେହି କିଛି କୁହନ୍ତି ନାହିଁ କାହିଁକି?ଏମିତି କି ସଂଜୀବ ଭାଇ ବି।ରିସେପସନ ଦିନ ମୋ ଭାଉଜ ତଥା ଘର ଲୋକମାନଙ୍କୁ ଯାଛା ତା ବ୍ୟବହାର କଲେ।ସେମାନେ ନ ଖାଇ ଚାଲି ଯାଉଥିଲେ ସଂଜୀବ ଭାଇ ହାତ ଗୋଡ଼ ଧରି ଭୁଲ୍ ମାଗିଲେ ଓ ଖୁ ଆଇଲେ।ଭାରି କାଟିଲା ମୋତେ।ସେଦିନ ମୁଁ ବହୁତ କାନ୍ଦିଲି।କଣ ଦରକାର ଥିଲା ମୋ ଭାଇଙ୍କର ଏଡ଼େ ବଡ଼ ଘରେ ବସିବା।ଯେତିକି ଚୁନାକୁ ସେତିକି ପିଠା କଲେ ସିନା ଭଲ।ଏମିତି ଅପମାନିତ ହେବା କଣ ଠିକ୍।ଗଲା ବେଳେ ଭାଉଜ ମାନେ କହିଲେ କେମିତି ଚଳିବ ଏଠି ସାକ୍ଷୀ!!


ମୋ କାନ୍ଦ ସେଦିନ ବନ୍ଦ ହେଲା ନାହିଁ।ଶାଶୁ ଆମ ପାଇଁ ସଜା ହୋଇଥିବା ରୁମ୍ କୁ କ୍ଷୀର ଆଣି ଚୁପ୍ କି କାନ୍ଦି କାନ୍ଦି କହିଲେ କ୍ଷମା କରିବୁ ମା।ଭାବୁଥିବୁ ତୋ ଶାଶୁ ଶଶୁର ଏମିତି ମୁକ କାହିଁକି?


ମା ରେ ମିଛ କେସ୍ ରେ ଜେଲ ଭିତରେ ରହିବା ବୟସ ଆମର ଆଉ ନାହିଁ।ଏପରି ଚଣ୍ଡି ଗୁଣ ଦେଖି ସଂଜୁ କଣ ଦିନେ କହିଦେଲା ବୋଲି ଆମେ ବାପା ମା ଓ ପୁଅ ତିନି ମାସ ଜେଲରେ ବୋହୁ ଅତ୍ୟାଚାର ଅପରାଧରେ କଟେଇଛୁ।ତା ପୋଲିସ୍ ଡିଜି ବାପା କହିଛି ମୋ ଝିଅକୁ ଯଦି କେହି କେବେ କିଛି କହିଛ ଏଥରକ ଜାମିନି ବିହୀନ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରି ଦେବି।ସେଇ ଭୟରେ.....ଥରେ ତ ଇଜ୍ଜତ ମହତ ଯାଇଛି।ଆଉ କିଛି ସମ୍ବାଳିବାକୁ ବୟସ ନାହିଁରେ ମା।କାନିରେ ଆଖି ପୋଛି ପୋଛି ମୋ ଶାଶୁ ମା ଘରୁ ବାହାରି ଗଲେ।


ଓଃ .....ଏମିତି କଥା ତାହେଲେ?ଅପେକ୍ଷିତ ମଧୁ ରାତିଟି ମୋର କେବଳ କିଛି ଗୋଟିଏ ନିଷ୍ପତ୍ତି ନେବାରେ ବିତି ଗଲା।ଖୁବ୍ ଦୟା ଲାଗିଲା ବାବା ମା ଓ ରାଜୀବଙ୍କୁ ମୋତେ।କି କଷ୍ଟର ଜୀବନ ବଞ୍ଚୁଛନ୍ତି ଏମାନେ?


ମୁଁ ପ୍ରଥମ ରାତିର ମୁହଁ ଦେଖା ହିସାବରେ ରାଜୀବ ଙ୍କ ଠାରୁ ଗୋଟିଏ ଅନୁମତି ମାଗିଲି।ରାଜୀବ!ତୁମେ ବାବା,ମା ଓ ମୋତେ ପୋଷି ପାରିବ ତ ତୁମ ଚାକିରୀ ଜାଗାରେ ନେଇ।


ରାଜୀବ ଖୁସିରେ ଗଦ୍ ଗଦ୍ ହୋଇ କହିଲେ ନିଶ୍ଚୟ ସୁଇଟି ହାର୍ଟ।


ତାପର ଦିନ ବାବା ,ମା ଓ ମୁଁ ରାଜୀବ ସହ ଯାତ୍ରା କରୁଥିଲୁ ଦିଲ୍ଲୀ ଅଭିମୁଖେ।


ମା ମୋ ଦୁଇ ଆଞ୍ଜୁଳି ଭରି ଦେଉଥିଲେ ଚୁମାରେ।ବାବା ସାଉଁଳି ଦେଉଥିଲେ ଆଶୀର୍ବାଦ ଢାଳି।ମୋ ଦେହ,ମନ ଓ ଆଞ୍ଜୁଳି ପୁର୍ଣ୍ଣ ହୋଇ ଯାଉଥିଲା ସ୍ନେହ ପ୍ରେମ ଅବିରରେ।


Rate this content
Log in

Similar oriya story from Inspirational