ପ୍ରେମ ବନ୍ଧନ ( ତୃତୀୟ ଅଂଶ)
ପ୍ରେମ ବନ୍ଧନ ( ତୃତୀୟ ଅଂଶ)
ଆପଣମାନେ ନିଶ୍ଚିତ ଜାଣିବା ପାଇଁ ବ୍ଯଗ୍ର ହେଉଥିବେ ଯେ କାହାଣୀରେ ଏଇ ଭାଇରସ୍ ଚରିତ୍ରଟି କିଏ ? ଆପଣମାନେ ଥ୍ରୀ ଇଡିଅଟ୍ ଚଳଚିତ୍ର ଦେଖିଥିବେ ନିଶ୍ଚିତ। ଯାହା ଯୁବ ବର୍ଗ ମାନଙ୍କ ପାଇଁ ଉଦିଷ୍ଟ ଥିଲା ଓ ଏହା ସେମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଏଥର କିଛି ବୁଝିପାରିଲେ ନା ନାହିଁ? ହଁ ଆଜ୍ଞା ଆପଣ ଠିକ୍ ବୁଝିପାରିଛନ୍ତି। ଭାଇରସ୍ ଆଉ କେହି ନୁହେଁ , ସେ ହେଉଛନ୍ତି ମହାବିଦ୍ଯାଳୟ ର ମାନ୍ଯବର ଅଧ୍ଯକ୍ଷ ଶ୍ରୀଯୁକ୍ତ ସରି ସରି ଭୁଲ୍ ହୋଇଗଲା, ଡକ୍ଟର କାମପାଳ ମଲ୍ଲୀକଙ୍କୁ ମହାବିଦ୍ଯାଳୟର ଛାତ୍ରଛାତ୍ରୀମାନେ ଶ୍ରଦ୍ଧାରେ ଭାଇରସ୍ ବୋଲି ଡାକନ୍ତି। ତେବେ ଅଧ୍ଯକ୍ଷ ନିର୍ମଳ ହୃଦୟ, ଅମାୟୀକ ଓ ଭଦ୍ରଗୁଣ ସମ୍ପର୍ଣ୍ଣ ବ୍ଯକ୍ତି ଅଟନ୍ତି। ମାତ୍ର ଜହ୍ନରେ କଳଙ୍କ ଥିବା ପରି ଅଧ୍ଯକ୍ଷଙ୍କର ଦୁଇଟି ବଡ ଖରାପ ଗୁଣ ରହିଛି। ପ୍ରଥମଟି ହେଲା ଦୁନିଆରେ ଟଙ୍କା ତାଙ୍କ ପାଇଁ ସବୁକିଛି। ଟଙ୍କାପାଇଁ ସେ ଅସମ୍ଭବ କାମକୁ ମଧ୍ଯ ସମ୍ଭବ କରି ପାରନ୍ତି। ଆଉ ବିଭିନ୍ନ ଉପାୟରେ ଛାତ୍ରଛାତ୍ରୀଙ୍କ ଠାରୁ କିପରି ଟଙ୍କା ହାସଲ କରି ହେବ? ସେ ବିଦ୍ଯା ମହାଶୟଙ୍କୁ ଭଲ ଭାବରେ ଜଣା। ଆଉ ଦ୍ୱିତୀୟ ଖରାପ ଗୁଣଟି ତାଙ୍କ ନାମଟିକୁ ଉଚ୍ଚିତ୍ ରୂପେ ପ୍ରତିପାଦିତ କରେ। କଣ ହେଲା କିଛି ବୁଝିପାରୁ ନାହାଁନ୍ତି କି? ମହାଶୟଙ୍କ ନାମ କାମପାଳ, ଆଉ ତାଙ୍କର ନାରୀ ଓ ଛାତ୍ରୀ ମାନଙ୍କ ପ୍ରତି ଅହେତୁକ ଦୁର୍ବଳତା। ଆଜିଯାଏଁ ମହାଶୟଙ୍କ ବିରୋଧରେ କିନ୍ତୁ ସେମିତି କିଛି ଆଖି ଦୃଶିଆ ଅଭିଯୋଗ କିମ୍ବା ପ୍ରମାଣ ମିଳିନାହିଁ। ମାତ୍ର ତାଙ୍କ ସହ ମିଶିଥିବା ଆଉ ତାଙ୍କ ସମ୍ପର୍କରେ ଆସିଥିବା ଛାତ୍ରଛାତ୍ରୀ ତଥା ବ୍ଯକ୍ତି ବିଶେଷଙ୍କ ଠାରୁ ଏହା ବହୁ ମାତ୍ରାରେ ଶୁଣିବାକୁ ମିଳେ। ମହାଶୟ କାର୍ଯାଳୟ ଓ ଅନ୍ଯାନ୍ଯ ଖର୍ଚକୁ ବିଭିନ୍ନ ଉପାୟରେ କମ୍ କରି ତାର ମିଛ ରସିଦ୍ ଦେଖାଇ ସେ ଟଙ୍କାକୁ ନିଜ ପ୍ଯାକେଟ୍ ରେ ପୁରେଇବାରେ ସିଦ୍ଧ ହସ୍ତ। ବଗିଚା ଉନ୍ନତି କରଣ ପାଇଁ ଲୋକ ପକାଇ ମଜୁରୀ ନଦେଇ ସମୟ ଅସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଡାକି କାମ କରାନ୍ତି। ନିଜେ ମଧ୍ଯ ବେଳେବେଳେ କାମ କରନ୍ତି। କାମ କରିବା ସମୟରେ ତାଙ୍କ ବେଶ ଦେଖିଲେ ଆପଣଙ୍କୁ ମଧ୍ଯ କେହି ମାଳି କିମ୍ବା ମଜୁରିଆ କାମ କରୁଥିବାର ଭ୍ରମ ହୋଇପାରେ। ଘରୁ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀମାନ ତ ରକ୍ଷା ପାଇଯାଆନ୍ତି। କିନ୍ତୁ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀମାନେ କେମିତିବା ରକ୍ଷା ପାଇବେ? ଯଦି ଭୁଲରେ କେହି ବିରୋଧକରେ ତେବେ ମହାଶୟ ତାର ନାମ ଓ ରୋଲ୍ ନଂ ନିଜ ଖାତାରେ ଟିପି ନିଅନ୍ତି,ଇଣ୍ଟର୍ନାଲ୍ ନମ୍ବର କମ୍ କରିବା ପାଇଁ। ହାତୀର ଦେଖାଇବା ଦାନ୍ତ ଓ ଖାଇବା ଦାନ୍ତ ଯେମିତି ଅଲଗା ଅଲଗା। ମହାଶୟ ସେମିତି ଲେଖିକି ସିନା ରଖନ୍ତି କିନ୍ତୁ କାହାକୁ ହଇରାଣ କରନ୍ତି ନାହିଁ। ଭାଇରସ୍ ମହାଶୟ ଥରେ ଛାତ୍ରାବାସର ପିଲାମାନେ ରୁମ୍ ରେ ଗୋଟିଏରୁ ଅଧିକ ଲାଇଟ୍ ଜାଳିବା ଫଳରେ ଅଧିକା ବିଲ୍ ଉଠିବାର ଆଶଙ୍କା ଆଉ ବିଳମ୍ବିତ ରାତି ପର୍ଯ୍ଯନ୍ତ ଅନିଦ୍ରା ରହୁଥିବାରୁ ସେମାନଙ୍କ ଉପରେ ଅନେକ ବିରକ୍ତି ପ୍ରକାଶ କରିଥିଲେ। ଏଥିରେ ଛାତ୍ରାବାସର ଛାତ୍ରମାନେ ବହୁ ମାତ୍ରାରେ କ୍ଷୁବ୍ଧ ହୋଇ ମହାଶୟଙ୍କ ଦୁର୍ବଳତା ଖୋଜିବାକୁ ଲାଗିଲେ। ପିଲାମାନେ ଅନୁସନ୍ଧାନ କରି ଜାଣିବାକୁ ପାଇଲେ, ମହାଶୟଙ୍କର ସାପ, ଗୋଧି ଭଳି ଜୀବ ଓ ଭୂତପ୍ରେତ ମାନଙ୍କୁ ପ୍ରବଳ ଭୟ। ମହାଶୟଙ୍କ ମନରେ ଏତେ ପ୍ରବଳ ଭୟ ଯେ, ରାତିରେ ଏକା ବାର୍ଥରୁମ୍ ନଯାଇ ଝରକା ଫାଙ୍କରେ ମୂତ୍ର ବିଷର୍ଜନ କରନ୍ତି।
ଏହାପରେ ପିଲାମାନେ ଆରମ୍ଭ କରିଦେଲେ ଅପରେସନ୍ ଭାଇରସ୍। ପ୍ରଥମେ ଥ୍ରୀ ଇଡିଏଟ୍ ଚଳଚିତ୍ର କାହାଣୀ ପରି ଆରମ୍ଭ କଲେ,ଆଉ ରାତି ଶୋଇଥିବା ସମୟରେ ଝରକା ଫାଙ୍କ ଦେଇ ରୁମ୍ ଭିତରକୁ ପିଲାମାନେ ମୂତ୍ର ବିଷର୍ଜନ କରିବା ସହ କବାଟ ଉପରକୁ ଟେକା ନିକ୍ଷପ କଲେ। ମହାଶୟ ଅତିଶୟ ଡରିଯାଇ ବାଦଲ ନିକଟକୁ ଫୋନ୍ କରିବା ପରେ ଅପରେସନ୍ ଭାଇରସ୍ ସେତିକିରେ ସ୍ତଗିତ ରହିଲା। ୨ୟ ଦିନ ରାତିରେ ପିଲାମାନେ ମହାଶୟଙ୍କ ରୁମ୍ ଭିତରେ ଷାଠିଏରୁ ଅଧିକ ବେଙ୍ଗଙ୍କୁ ବାହାରୁ ଆଣି ଛାଡିଦେଲେ, ଆଉ ପରଦିନ ରୁମ୍ ଭିତରେ ବେଙ୍ଗ ଖାଇବା ଆଶାରେ ପଶିଲା ସାପ। ଡାହାଣୀ ହୋଇ ଲାଗିବା ଆଉ ଗୁଣିଆ ହୋଇ ଝାଡିବା ନ୍ଯାୟରେ, ପିଲାମାନେ ନିଜେ ଯାଇ ସେ ସାପ ଓ ବେଙ୍ଗ ମାନଙ୍କୁ ରୁମ୍ କୁ ବାହାର କରିଦେଲେ କିନ୍ତୁ ମହାଶୟଙ୍କୁ ଏତେ ମାତ୍ରାରେ ଡରେଇ ଦେଲେ ଯେ ମହାଶୟ ରୁମ୍ ଭିତରେ ଓ ବାହାରେ ଏତେ ମାତ୍ରାରେ ଅାଲୋକର ବ୍ଯବସ୍ଥା କଲେ ଯେ, ରାଜ୍ଯପାଳ ଭବନରେ ମଧ୍ଯ ସେତିକି ଆଲୋକର ବ୍ଯବସ୍ଥା ହୋଇ ନଥିବ। ରାତ୍ରିର ଅନ୍ଧକାରକୁ ଦୂର କରି କୃତ୍ରିମ ଦିନ ସୃଷ୍ଟି କରାଗଲା। ଏହା ହୁଏତ ଆଜିକାଲିର ଶିକ୍ଷା ବ୍ଯବସ୍ଥାରେ ଛାତ୍ର ଓ ଶିକ୍ଷକ ମଧ୍ଯରେ ସମ୍ପର୍କ।
ଦିନେ ହଠାତ୍ ଅସମୟରେ ମହାଶୟ ମହାବିଦ୍ଯାଳୟ ଛାତ୍ରଛାତୀମାନଙ୍କୁ ତାଙ୍କ ନିକଟକୁ ଡାକିଲେ, ଆଉ ଡାକିବାର କାରଣ ହେଲା- ଦୁଇଦିନ ପରେ ମହାବିଦ୍ଯାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହେବ। ଆଉ ବିନା ଖାଇବାରେ ମହାଶୟ କେବେ କୌଣସି ସଭା କରନ୍ତି ନାହିଁ। ତେଣୁ ପ୍ରତୋକ ପିଲାଙ୍କ ନିକଟରୁ କୋଡିଏ ଟଙ୍କା ଲେଖାଏଁ ଭାରତୀୟ ମୂଦ୍ରା ସଂଗ୍ରହ କରିବାକୁ କହିଲେ। ଛାତ୍ରାବାସରେ ଏହି ଦାୟିତ୍ୱ ବାଦଲ କୁ ଦିଆଗଲା କିନ୍ତୁ ଯେଉଁମାନେ ଘରୁ ଯିବା ଆସିବା କରି ପଢୁଛନ୍ତି ସେମାନଙ୍କ ପାଖରୁ କିଏ ଟଙ୍କା ଆଦାୟ କରିବ ସେ କଥା ପଚାରିବାରୁ ସାନୁ କହିଲା ସାର୍ ପରେଶ ସେ କାମ କରିପାରିବ। ପରେଶକୁ ମିଷ୍ଟର ପର୍ଫେକ୍ଟ, ଦ ଗୁଗୁଲ ବଏ ବୋଲି ମଧ୍ଯ ପିଲାମାନେ ଡାକନ୍ତି।

