Subal Mohapatra

Drama Inspirational

4.9  

Subal Mohapatra

Drama Inspirational

ପ୍ରେମ ବିବାହ

ପ୍ରେମ ବିବାହ

8 mins
7.5K


ସକାଳୁ ସକାଳୁ ମର୍ନିଙ୍ଗ ୱାକରୁ ଫେରି ଅଧା ଖୋଲା ଦରଜା ଦେଖି ଧର୍ମେନ୍ଦ୍ର ବାବୁ ଟିକେ ଅଟକି ଗଲେ I ଘରେ ଚୋର ପଶିଛି କି ଆଉ I ଏତେ ସକାଳୁ ତ କେହି ବି ଉଠିବେନି I ସେ ତ ତାଲା ପକେଇ ଯାଇଥିଲେ I ଏବେ ବି ଚାବି ପଇତାରେ ଝୁଲୁଛି I ହେଲେ କବାଟଟା ଖୋଲା ଅଛି କଣ ପାଇଁ I ଘରେ ପଶିଲା ବେଳକୁ ବଂଶ ଯାକ ଲୋକ ଦୁଆରେ ଠୁଳ I କ'ଣ ହେଲା କାହାର, ଚିନ୍ତାରେ ପଡିଗଲେ ସେ I ସମସ୍ତଙ୍କ ମୁହଁକୁ ଚାହୁଁଥାନ୍ତି ସେ, କିନ୍ତୁ କେହି ବି କିଛି କହୁ ନଥାନ୍ତି I ନାତି ଟୋକା ବୀର, ମୁଣ୍ଡ ତଳକୁ କରି ଠିଆ ହୋଇଥାଏ I ତା ବାପା ହାତରେ ଗୋଟେ ରୁଲ ବାଡ଼ି I ତା ମା ଉର୍ମିଳା, ଖୁଡି ସୁଶୀଳା ଆଉ ଧର୍ମେନ୍ଦ୍ର ବାବୁଙ୍କ ସ୍ତ୍ରୀ ଦମୟନ୍ତୀ ମୁହଁରେ ଲୁଗା ଦେଇ ଠିଆ ହୋଇଥାନ୍ତି I ଆଖିରୁ ଲୁହ ବୋହୁଥାଏ I ଧର୍ମେନ୍ଦ୍ର ବାବୁଙ୍କୁ ଦେଖି ବୀରର ଟିକେ ହୋଶ ଆସିଲା I ବୀର ପାଖରେ ଗୋଟେ ଝିଅ ଠିଆ ହୋଇଥାଏ I ଧର୍ମେନ୍ଦ୍ର ବାବୁ ସେ ଝିଅକୁ କେବେ ଦେଖି ନଥାନ୍ତି I କଥା ବୁଝୁ ବୁଝୁ ବୀର ଗୋଟେ ଝିଅକୁ ଧରିକି ପଳେଇ ଆସିଛି I ବାପା ତାର ଠେଙ୍ଗା ଧରି ଠିଆ ହୋଇଛି I କଣ ନା ତାକୁ ଘରେ ପୂରେଇବନି I ଘରର ପରିପାର୍ଶ୍ଵିକ ଅବସ୍ଥା ଦେଖି ଲାଗୁ ଥାଏ ଆଜି କିଛି ଗୋଟେ ହେଇ ଯିବ I ଧର୍ମେନ୍ଦ୍ର ବାବୁଙ୍କ ବଡ ପୁଅ ରତନ, କହିଲା "ବାପା, ତମେ ବୁଝ, ଆମେ ଆଉ ପାରିବୁନି I ଆଜିକାଲିର ଟୋକା ସବୁ କିଛି ନବୁଝି ନଶୁଝି କଣ ସବୁ କରୁଛନ୍ତି ଦେଖ I ମୁଁ ଯାଉଛି " I ଧର୍ମେନ୍ଦ୍ର ବାବୁ କାହାକୁ କଣ କହିବେ? ଏଣୁ ମାଇଲେ ଗୋ ହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା I ବୀରକୁ କଣ କହିଲେ, ସେ ଯେମିତିଆ ପିଲା ଘର ଛାଡି ପଳେଇବ I ଏପଟେ ରତନ କାହାକୁ ବି ଘରେ ପୁରେଇବାକୁ ରାଜି ନୁହଁ I ଅଗତ୍ୟା ଅବସ୍ଥା ସମ୍ଭାଳିବାକୁ ଧର୍ମେନ୍ଦ୍ର ବାବୁ କହିଲେ , ଆରେ ପିଲା ଦିଟା ସେତେବେଳୁ ଠିଆ ହେଇଛନ୍ତି ଆଗ ସାଷ୍ଟାମ ହବାକୁ ଦେ I ତାପରେ ବୁଝିବା କ'ଣ ହେଇଚି I ମୁଁ ବି ଏତେ ବାଟ ଚାଲି କି ଆସିଛି ମୋ ଧଇଁ ବାହାରି ଗଲାଣି I ମୋ ପାଇଁ ଆଗ ପାଣି ମୁନ୍ଦେ ଆଣିଲ I ବଡ ବୋହୁ ପାଣି ଗ୍ଲାସେ ଆଣି ଧରେଇ ଦେଲା I ସମସ୍ତଙ୍କୁ ଗହଳି ଭାଙ୍ଗିବାକୁ କହି ସେ ଚୌକିରେ ବସି ପଡିଲେ I ସମସ୍ତେ ରାଗ ତମ ତମ ହେଇ ନିଜ ନିଜ ରୁମରେ ପଶିଲେ I ବୀର ଆଉ ସେ ଝିଅ ସେଇମିତି ମୁଣ୍ଡ ତଳକୁ କରି ଠିଆ ହୋଇ ଥାନ୍ତି I

ଝିଅକୁ ପାଖକୁ ଡାକିଲେ ଧର୍ମେନ୍ଦ୍ର ବାବୁ I ପଚାରିଲେ ତୋ ନା କ'ଣ? ଝିଅଟି କହିଲା,"ସମ୍ଭାବନା I ସମ୍ଭାବନା ମହାନ୍ତି " I ଧର୍ମେନ୍ଦ୍ର ବାବୁ ବୁଝିଗଲେ କଥା କ'ଣ I ଝିଅ ଆମ ଜାତିର ନୁହଁ I ଆଉ ଗୋଟେ ଭିତିରିଆ କଥା ବି ଅଛି I ବଡ ବୋହୂଟା ଟିକେ ଲୋଭି I ପୁଅ ବାହାଘର କରି ଯୌତୁକ ଆଣିଥାନ୍ତା କିନ୍ତୁ ଏବେ ଆଉ ସେଟା ହବନି I ସେଥିପାଇଁ ଏତେ ନାଟ I ଆଜିକାଲି ଯୌତୁକ ଜନିତ ହତ୍ୟା ଆଉ ବଧୂ ନିର୍ଯ୍ୟାତନାର ଦୃଶ୍ୟ ସବୁ ତାଙ୍କ ଆଖିକୁ ଜଳ ଜଳ ହୋଇ ଦେଖା ଗଲା I ଫି ଦିନ ପେପରରେ ପଢି ପଢି ଏଗୁଡା ସବୁ ତାଙ୍କର ମାନସପଟ୍ଟରେ ଉଙ୍କି ମାରିଲେ I ସେ କିନ୍ତୁ ଯୌତୁକର ଘୋର ବିରୋଧୀ I ଦି ଟା ପୁଅଙ୍କୁ ବାହା କରି ମଧ୍ୟ କାହାଠୁ ବି କାଣି କଉଡିଟିଏ ସେ ଆଣି ନାହାନ୍ତି I ବଡ ବୋହୁ କିଛି ଯୌତୁକ ନ ଆଣିଥିଲେ ବି ପୁଅ ଜନ୍ମ କରିଛି ଯେତେବେଳେ ଯୌତୁକ ପ୍ରତି ଲୋଭ ତାର ଟିକେ ଅଧିକ I କିନ୍ତୁ ଧର୍ମେନ୍ଦ୍ର ବାବୁଙ୍କ ମୁହଁରେ ପଶି କିଛି କହି ପାରେନି I ସାନ ପୁଅ ଯତୀନର ଗୋଟେ ଝିଅ, ତେଣୁ ସେମାନେ ସ୍ୱାମୀ ସ୍ତ୍ରୀ ଦି ଜଣ ଯୌତୁକ ବିରୋଧୀ I ଏପଟେ କିନ୍ତୁ ଯୌତୁକ ସହ ମାମଲାଟା ଆଉ ଟିକେ ଅଧିକ I ଜାତି ଅଲଗା I ଲୋକେ କଣ କହିବେ ? ଭାବୁ ଭାବୁ ବୀର ଆଉ ସମ୍ଭାବନାକୁ ଭିତରକୁ ଯାଇ ଟିକେ ରେଷ୍ଟ ନେବାକୁ କହିଲେ I ସେ ଦିହେଁ ଚାଲିଗଲା ପରେ ଧର୍ମେନ୍ଦ୍ର ବାବୁ ମୁଣ୍ଡରେ ହାତ ଦେଇ ବସି ପଡିଲେ I ୫୦ ବର୍ଷ ତଳର ଅବସ୍ଥା ଯେ ପୁଣି ଆସି ପହଞ୍ଚିବ ଏକଥା ସେ ସ୍ବପ୍ନରେ ବି ଭାବି ନଥିଲେ I

ଗାଁରେ ଥିଲା ଵାଲା ଘର ତାଙ୍କର I ବାପା ହୃଦାନନ୍ଦ ମିଶ୍ର, ପାଞ୍ଚ ଲୋକ ଦେଖିଲେ ମୁଣ୍ଡିଆ ମାରନ୍ତି I କଳି ତକରାଳର ମୀମାଂସା ସେ କରନ୍ତି I ଗୋଟିଏ ବୋଲି ପୁଅ ଧର୍ମେନ୍ଦ୍ର ମିଶ୍ର I ପାଠ ପଢିବାକୁ ସହର ଆସିଲେ I ପଢୁ ପଢୁ ପ୍ରେମ କରି ବସିଲେ ଦମୟନ୍ତୀଙ୍କୁ I ପିଲା ବେଳ, ପ୍ରେମ କଣ ନ ଜାଣିଲେ ବି ଦମୟନ୍ତୀ କେମିତି ଭଲ ଲାଗିବାକୁ ଲାଗିଲେ I ଗୋଟିଏ କ୍ଲାସ, ସାଙ୍ଗ ହଉ ହଉ କେବେ କେମିତି ପ୍ରେମ ହେଇ ଗଲା ଜଣା ନାହିଁ I କଲେଜ ସରିଲା ବେଳକୁ କେମିତି ଗୋଟେ ଖାପ ଛଡା, ଖାପ ଛଡା ଲାଗିଲା I କହୁ କହୁ "ଆଇ ଲଭ ୟୁ" କହିଦେଲେ I କିନ୍ତୁ ତା ପରେ ଯେ ଏତେ କଥା ଘଟି ଯିବ ସେ ତାର କଳନା କରି ନଥିଲେ ସେ I ପଢା ସାରି ଘରକୁ ଆସିବା ପରେ ବାପା ମା, ବାହାଘର ପାଇଁ ପ୍ରସ୍ତାବ ଦେଖିବାକୁ ଲାଗିଲେ I ଧର୍ମେନ୍ଦ୍ର ବାବୁ ସବୁ ଜାଣିଲା ପରେ କଣ କରିବେ କିଛି ବୁଦ୍ଧି ବାଟ ଦିଶୁ ନଥିଲା ତାଙ୍କୁ I ଦିନେ ସକାଳୁ ସକାଳୁ ସେ ଦମୟନ୍ତୀଙ୍କୁ ଧରି ଘରେ ପହଞ୍ଚି ଗଲେ ଆଉ ବାହା ହେବାକୁ କହିଲେ I ସବୁ ଠିକ ଥିଲା ହେଲେ କାଳ ହେଲା ଜାତି I ଦମୟନ୍ତୀ ଥିଲେ ଖଣ୍ଡାୟତ ଘର ଝିଅ ଆଉ ଧର୍ମେନ୍ଦ୍ର ହେଲେ କୁଳୀନ ବ୍ରାହ୍ମଣ I ବାପା ତ ରୋକଠୋକ ମନା କରିଦେଲେ I ହୋଇ ପାରିବ ନାହିଁ I ଆରେ ଏ ପାଞ୍ଚ ଖଣ୍ଡ ଗାଁରେ ଲୋକ କଣ କହିବେ? ଭରଦ୍ୱାଜ ଗୋତ୍ରର କୁଳୀନ ବ୍ରାହ୍ମଣ ବାହା ହେବ ଗୋଟେ ଖଣ୍ଡାୟତ ଘରେ ? ନା କେବେ ନୁହଁ I

ସେପଟେ ଦମୟନ୍ତୀଙ୍କ ଘରେ ଜାଣିଲେ ଝିଅ ଘର ଛାଡି ଗୋଟେ ବ୍ରାହ୍ମଣ ଟୋକା ସହ ପଳେଇଯାଇଛି I ଆଉ କିଛି କରିବାର ନଥିଲା I ସେମାନେ ତ ଦମୟନ୍ତୀଙ୍କର ଶ୍ରାଦ୍ଧ ଦେଇ ଦେଲେ I ବାସ, ନା ଏ କୁଳକୁ ଯିବାର ଥିଲା ନା ସେ କୂଳକୁ I ସେଇ ଦିନୁ ଧର୍ମେନ୍ଦ୍ର ବାବୁ ଘର ଛାଡି ଆସିଥିଲେ ଯେ ବାପା ମା ମଲା ପରେ ଯାଇ ଗାଁକୁ ଗଲେ I ଶେଷରେ ଗାଁ ଲୋକ ବି ବାପାଙ୍କୁ ବୁଝେଇଲେ I ଏବେ ଏସବୁ ଚଳିଲାଣି, ରାଗ ଛାଡ଼ I ଯାହା ହେଲେ ବି ଗୋଟିଏ ବୋଲି ପୁଅ ତମର I ଯାହା ହେଲାଣି ହେଲାଣି I ଏବେ ପୁଅ ବୋହୁଙ୍କୁ ଘରକୁ ଆଣ I କିନ୍ତୁ ନା, ତାଙ୍କର ଏକା ଜିଦ, ମୁଁ ବଂଚି ଥିଲା ଯାଏ ସେ ଖଣ୍ଡାୟତ ଘର ଝିଅ ମୋ ହାଣ୍ଡିଶାଳେ ପଶିବନି I ଗାଁ ଲୋକ ଧର୍ମେନ୍ଦ୍ର ଙ୍କୁ ବୁଝେଇ ଶୁଝେଇ ଥରେ ନେଇ କି ଗଲେ ଘରକୁ I ସାଙ୍ଗରେ ଦମୟନ୍ତୀ, ରତନ ଆଉ ଯତୀନ I ବାପା, ନାତି ଦି ଜଣଙ୍କୁ ଘରକୁ ନେଲେ କିନ୍ତୁ ଧର୍ମେନ୍ଦ୍ର ଆଉ ଦମୟନ୍ତୀଙ୍କୁ ବାରଣ୍ଡା ଉପରକୁ ଉଠିବାକୁ ଦେଲେନି I ସେଇଦିନୁ ରତନ ଆଉ ଯତୀନ ଜେଜେଙ୍କ କଥା ବୁଝୁଥିଲେ, ସେ ମଲା ଯାଏ I ମା ର କିଛି କହିବାର ନଥିଲା I ମା ଚାହୁଁଥିଲା ଯେ ପୁଅ ବୋହୁ ଘରକୁ ଆସନ୍ତୁ I କିନ୍ତୁ ବାପାଙ୍କ ଡରରେ ସେ ଚୁପ I ପୁଅକୁ ଦେଖିବାକୁ ଇଛା ହେଲେ, ନାତି ଦୁଇ ଜଣକୁ ଦେଖି ମନ ବୋଧ କରୁଥିଲା I ଅଜାଣତରେ ଧର୍ମେନ୍ଦ୍ର ବାବୁଙ୍କ ଆଖିରୁ ଦି ଧାର ଲୁହ ବୋହି ଆସିଥିଲା I ଲୁହ ପୋଛି ଧର୍ମେନ୍ଦ୍ର ବାବୁ ଟିକେ ସହଜ ହେବାକୁ ଚେଷ୍ଟା କଲେ I ରତନ ଆଉ ଯତୀନ ତ ଆଜି ଯାଏ ଜାଣି ନାହାନ୍ତି ଯେ ତାଙ୍କ ମା ଖଣ୍ଡାୟତ ଘର ଝିଅ I ସେମାନେ ଜାଣନ୍ତି ଯେ ବାପା ଛୋଟ ବେଳେ କଣ ଗୋଟେ ଭୁଲ କରିଥିଲେ ବୋଲି ଜେଜେ ତାଙ୍କୁ ତ୍ୟେଜପୁତ୍ର କରିଥିଲେ I 

ଆଜିର ଏ ଅବସ୍ଥାରେ ସେ କଣ କରିବେ ଭାବି ହେଉଥିଲେ I ବଡପୁଅ ରତନ, ବାପାଙ୍କ ପାଖରେ ରହି ତାଙ୍କ ଗୁଣ ସବୁ ରଖିଛି I ବଡ ଜିଦଖୋର ସେ I ହଁ ତ ହଁ , ନାହିଁ ତ ନାହିଁ I ଆଉ କିଛି ଭାଷା ବୁଝେନି ସେ I ଗାଁର ଜମି ବାଡି଼ଠୁ ଆରମ୍ଭ କରି ଚାକିରୀ ଯାଏ ସେ ସବୁ ବୁଝେ I ସାନ ପୁଅର କିଛି ନଥାଏ I ତା'ର ମାଇରେ ଯାଏ ନି କି ଗାଈରେ ଯାଏନି I ଧୋଇ ରେ ଯାଏନି କି ମରୁଡିରେ ଯାଏନି I ଯାହା ହେଲେ ଚଳିବ I ସେ କିଛି ବି ମାନେନି I ବ୍ରାହ୍ମଣ ହେଇକି ବି ତା କାନ୍ଧରେ କେବେ ପଇତା ନଥାଏ I କହିଲେ କହିବ "ହଁ ମ, ଯେତେବେଳେ ଦରକାର ପିନ୍ଧି ଦେବିନି I ଚିନ୍ହା ବ୍ରାହ୍ମଣର ପଇତା କଣ ଦରକାର" ? ବୀର, ବୀରଭଦ୍ର ମିଶ୍ର I ରତନର ପୁଅ ହେଇକି ଏମିତି କରିବ, ଏହା ତାଙ୍କ କଳ୍ପନା ବାହାରେ ଥିଲା I କିନ୍ତୁ ସେ ବି ତ ହୃଦାନନ୍ଦ ମିଶ୍ରଙ୍କ ପୁଅ ହେଇକି ଠିକ ସେଇୟା ହିଁ କରିଥିଲେ I ଏବେ କିନ୍ତୁ ଫଇସଲା ତାଙ୍କୁ ହିଁ କରିବାର ଅଛି I କଣ ଯେ ସେ ନିର୍ଣ୍ଣୟ ନେବେ ସେ ଭାବି ପାରୁ ନଥିଲେ I

ମଣିଷ ତା ଜୀବନରେ କେବେ ନା କେବେ ଏମିତି ଏକ ଦୋଛକିରେ ଠିଆ ହୋଇ ଥାଏ, ଯେଉଁଥିରେ ରାସ୍ତା ତ ଦି ଟା ଥାଏ, କିନ୍ତୁ ଚାଲିବା ପାଇଁ ବାଟ ନଥାଏ I ନା ଏପଟକୁ ଯାଇ ହୁଏ ନା ସେପଟକୁ ଯାଇ ହୁଏ I କାହା ସପକ୍ଷରେ ସେ ରାୟ ଦେବେ ସେ ଭାବି ପାରୁ ନଥିଲେ I ରତନ ତ ରାଗ ତମ ତମ ହେଇ ଅଫିସ ବାହାରି ଗଲା I ସାନ ପୁଅ କେତେବେଳୁ ଅଫିସ ଚାଲି ଗଲାଣି I ଘରେ ଆଜି ଜଳଖିଆ ତିଆରି ବି ହେଇନି I ତାଙ୍କୁ ଭୋକ ଲାଗୁଥିଲା ହେଲେ କାହାକୁ କିଛି କହିବା ଅବସ୍ଥାରେ ନଥିଲେ I ଦମୟନ୍ତୀ ଛତୁଆ ଟିକେ ଗୋଳେଇ ଧର୍ମେନ୍ଦ୍ର ବାବୁଙ୍କ ପାଖରେ ଆସି ବସିଲେ I କହିଲେ ଖାଇଦିଅ କଣ ଟିକେ I ବୁଢା ବୁଢୀ ଦି ଜଣ କାହାକୁ କିଛି ନ କହିଲେ ବି ବୁଝି ପାରୁଥିଲେ ଅବସ୍ଥା କଣ ଆଉ କଣ ହେବାକୁ ଯାଉଛି I ବାହା ହେଲା ପରେ ଦମୟନ୍ତୀ ଆଜି ଯାଏ ତାଙ୍କ ବାପ ଘରକୁ ଯାଇ ନାହାନ୍ତି I ଏପଟେ ବାପା ମାଙ୍କ ସ୍ନେହ ବି ପାଇଲେନି ନା ପାଇଲେ ଶାଶୁ ଶ୍ଵଶୁରଙ୍କ ସ୍ନେହ I ଆଖି ଓଦା ହେଇ ଆସୁଥାଏ ତାଙ୍କର I ଖାଲି ଏତିକି କହିଲେ ଛୁଆ ଦିଟାକୁ ଆମ ସ୍ନେହରୁ ବଞ୍ଚିତ କରନି I ଧର୍ମେନ୍ଦ୍ର ବାବୁ ବୁଝି ପାରୁଥିଲେ କେତେ ଯେ ଯନ୍ତ୍ରଣା ଲୁଚି ରହିଛି ଏଇ କଥା ପଦକରେ I ଏବେ ସେ ନିର୍ଣ୍ଣୟ ନେଇ ସାରିଥିଲେ ଖାଲି ଅପେକ୍ଷା ଥିଲା ସନ୍ଧ୍ୟା ସମୟକୁ I

ସନ୍ଧ୍ୟାରେ ବଡପୁଅ, ବୋହୁ, ସାନପୁଅ, ବୋହୁ, ଦମୟନ୍ତୀ, ଯତୀନ ଝିଅ ମାଳା, ସମସ୍ତେ ଆସି ଧର୍ମେନ୍ଦ୍ର ବାବୁଙ୍କ ପାଖରେ ପହଁଚିଲେ I ଧର୍ମେନ୍ଦ୍ର ବାବୁ ଆଗରୁ ବୀର ଆଉ ସମ୍ଭାବନାକୁ ଡାକି ପାଖରେ ବସେଇଥାନ୍ତି I ସମସ୍ତେ ଆସିଲା ପରେ ଧର୍ମେନ୍ଦ୍ରବାବୁ ଆରମ୍ଭ କଲେ, "ମୁଁ ଜାଣିଚି ତମେ ମାନେ ସମସ୍ତେ ମୋତେ ମାନ I ମୁଁ ଯାହା କହିବି ମନ ଦେଇ ଶୁଣ I ଆଉ ମୁଁ ଯାହା ନିର୍ଣ୍ଣୟ ନେଇଛି ସେଇଟା ଫାଇନାଲ I ତା ଉପରେ ମୁଁ କାହା କଥା ବି ଶୁଣିବିନି I ମୋର ନିର୍ଣ୍ଣୟ ହେଲା କାଲି ସକାଳୁ ଆମେ ଝିଅ ଘରକୁ ପ୍ରସ୍ତାବ ନେଇ କି ଯିବା ଆଉ ବାହାଘର ଠିକ କରି କି ଆସିବା I ଏଇ ମାସରେ ଦି ଜଣଙ୍କ ବାହାଘର ହେବ I "

ରତନ-- କିନ୍ତୁ ବାପା..

ସେ ଆଉ କିଛି କହିବା ପୂର୍ବରୁ ଧର୍ମେନ୍ଦ୍ର ବାବୁ ତାକୁ ଅଟକାଇ ଦେଲେ ଓ କହିଲେ, "ଆଗ ତୋ ମା ଆଉ ମୋତେ ଘରୁ ବାହାର କରି ଦେ I କାରଣ ତୋ ମା ଖଣ୍ଡାୟତ ଘର ଝିଅ I ବ୍ରାହ୍ମଣ ନୁହଁ I ତୋ ଜେଜେ ବି ସେଇଥିପାଇଁ ମୋତେ ତ୍ୟେଜପୁତ୍ର କରିଥିଲେ ଆଉ ଏବେ ଯାଏ ଆମେ ବାପା ମାଙ୍କ ସ୍ନେହ ପାଇଁ ଝୁରି ହେଉଛୁ I ତମେ ମାନେ ଆଜି ଯାଏ ମାମୁଁ ଘର କଣ ଜାଣିନ କାରଣ ତୋ ମା'ର ଶ୍ରାଦ୍ଧ ସେମାନେ ଦେଇ ସାରିଛନ୍ତି I ମୋ ବାପା, ମଲା ଯାଏ ବି ଆମ ଦି ଜଣଙ୍କୁ କ୍ଷମା କରି ନଥିଲେ ଆଉ ଘରେ ପୁରେଇ ଦେଉ ନଥିଲେ I ଆରେ ତୋ ମା ଯଦି ଖଣ୍ଡାୟତ, ତା ଔରସରୁ ଜନ୍ମ ନେଇ ତମେ ଦି ଜଣ କେମିତି ବ୍ରାହ୍ମଣ ହେଲ? ଆଜି କାଲି ବେଳ କାଳ ଯାହା ହେଲାଣି ପୁଅ ମାନେ ପୁଅ ମାନଙ୍କୁ ଆଉ ଝିଅ ମାନେ ଝିଅ ମାନଙ୍କୁ ବାହା ହେଇ ରହୁଛନ୍ତି I ବୀର ତ ଗୋଟେ ଝିଅକୁ ନେଇ କି ଆସିଛି I ସେ ପୁଣି ଅଛୁଆଁ ଜାତି ନୁହଁ ଛୁଆଁ ଜାତିରୁ I "

ସମସ୍ତେ ହାଁ କରି ଧର୍ମେନ୍ଦ୍ର ବାବୁ ଆଉ ଦମୟନ୍ତୀଙ୍କୁ ଦେଖୁଥିଲେ I ବୀର ଆଉ ସମ୍ଭାବନା ଧର୍ମେନ୍ଦ୍ର ବାବୁଙ୍କ ଗୋଡ ତଳେ ପଡିଗଲେ I ଧର୍ମେନ୍ଦ୍ର ବାବୁ ଦୁଇ ଜଣଙ୍କୁ କୋଳେଇ ନେଉ ନେଉ କହିଲେ I କାଲି ସକାଳୁ ରେଡି ହେଇଯିବ I ଝିଅକୁ ଝିଅଘରକୁ ନେଇ କି ଯିବାର ଅଛି I ଧର୍ମେନ୍ଦ୍ର ବାବୁଙ୍କ ନିଷ୍ପତି ଶୁଣି ଦମୟନ୍ତୀଙ୍କ ମୁହଁରେ ଧାରେ ହସ ଲାଖିରହି ଥିଲା I

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ - ୯୩୭୬୦୧୨୫୦୦

ଇମେଲ - subal.mohapatra@gmail.com

----------------------------XXX----------------------------


Rate this content
Log in

Similar oriya story from Drama