ପ୍ରଶାନ୍ତ କୁମାର ବେହେରା

Inspirational Others

3  

ପ୍ରଶାନ୍ତ କୁମାର ବେହେରା

Inspirational Others

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

11 mins
216



ପ୍ରାୟ ୩୦ ବର୍ଷ ତଳର ଘଟଣା, ୧୯୯୦ ମସିହା କଥା । ମୁଁ ସେତେବେଳେ ଏସ୍.ଭି.ଏମ୍. କଲେଜରେ ଯୁକ୍ତ୩ ୨ୟ ବର୍ଷରେ ପଢୁଥାଏ । ଏବେ ଆମ କଲେଜର ମେନ୍ ବିଲ୍ଡିଙ୍ଗ୍ ର ବାରଣ୍ତାରେ ଯେମିତି ଶ୍ରେଣୀ ଗୃହରେ ପାଠ ପଢାଚାଲିଥିବା ବେଳେ କିଛି ପିଲା ବୁଲୁଛନ୍ତି, ଆମ ବେଳେ ମଧ୍ୟ କିଛି ପିଲା ବୁଲୁଥିଲେ । ଏମିତି କିଛି ପିଲା ଥାଆନ୍ତି ବିନା କରଣରେ ସେଇ ବାରଣ୍ତାରେ ନିହାତି ୭ କି ୮ ଘେରା ନ ମାରିଲେ ମନ ବୁଝେନା । ଅବଶ୍ୟ ଆମେ ଯାହାକୁ ବିନା କରଣ ବୋଲି କହୁଛୁ, ସେମାନଙ୍କ ପାଇଁ ସେମିତି ନ ହୋଇ କିଛି ଭ୍ୟାଲିଡ୍ କାରଣ ଥାଇପାରେ ! ଆମ କଲେଜ ସମୟ ବା ତା' ପୂର୍ବରୁ ଏମିତି ମୋବାଇଲ୍ ନଥିଲା କିମ୍ୱା ପୁଅ ଝିଅ ମାନଙ୍କ ଭିତରେ ଏତେ କଥାବାର୍ତ୍ତା ହେଉ ନଥିଲା । କାଆଁ ଭାଁ ହାତଗଣତି କେଇଜଣ ପୁଅ ଝିଅ କଲେଜ ବାରଣ୍ତାରେ ବା କଲେଜ ପରିସରର ଅନ୍ୟ କେଉଁଠି ଠିଆ ହୋଇ କଥାବାର୍ତ୍ତା ହେଉଥିବାର ଦେଖାଯାଉଥିଲା । ପ୍ରେମ ଯେହେତୁ ଶାଶ୍ବତ , ସତ୍ୟ ଆଉ ଚିରନ୍ତନ , ତେଣୁ ସେବେ ବି ପ୍ରେମ ଥିଲା, ଏବେ ବି ଅଛି ଆଉ ଆଗକୁ ରହିବ ମଧ୍ୟ । ଖାଲି ଯାହା ସମୟର ସ୍ରୋତରେ ପ୍ରେମର ତରିକା ଓ ସ୍ୱରୁପ ବଦଳି ଚାଲିଥିବ ।


ସେତେବେଳେ ସକାଳୁଆ ଅର୍ଥାତ୍ ୭.୩୦ରେ ଯୁକ୍ତ ଦୁଇ ଆଉ ୧୧.୧୫ରେ ଯୁକ୍ତ ତିନି କ୍ଲାସ୍ ଆରମ୍ଭହୁଏ । ଆଜିକାଲି କଲେଜରେ ପ୍ରାୟ ୧.୩୦ ପରେ ପିଲାମାନେ ଆଉ ରହୁନାହାନ୍ତି । କିନ୍ତୁ ଆମ ସମୟରେ ୪.୩୦ ପର୍ଯ୍ୟନ୍ତ ପିଲାମାନେ ରହୁଥିଲେ ଆଉ ୨.୧୫ରୁ ୪.୩୦ ପର୍ଯ୍ୟନ୍ତ ଗ୍ରୁପ୍ କ୍ଲାସ୍ ହେଉଥିଲା ଯେଉଁଥିରେ ୧୬ ଜଣ ପିଲାଙ୍କୁ ଧରି ଜଣେ ଅଧ୍ୟାପକ ଜେନେରାଲ୍ କ୍ଲାସରେ ପଢାଯାଇଥିବା ପାଠରେ ଯଦି କିଛି ଡାଉଟ୍ ଥିଲା ତାକୁ ପ୍ରଞ୍ଜ୍ୱଳଭାବରେ ବୁଝାଉଥିଲେ । ପିଲାମାନଙ୍କର ଶିକ୍ଷକଙ୍କ ସହିତ କେବଳ ସେଇ ଗ୍ରୁପ୍ କ୍ଲାସ୍ ପାଇଁ ବ୍ୟକ୍ତିଗତ ସଂପର୍କ ଗଢିଉଠୁଥିଲା । କିନ୍ତୁ ୨୦୦୫ ମସିହା ପରଠାରୁ ଏହି ଗ୍ରୁପ୍ କ୍ଲାସ୍ ସରକାର ଉଠାଇଦେବାରୁ ଦିନ ୧.୩୦ ପରେ କେବଳ ଆମ କଲେଜ କାହିଁକି ସାରା ଓଡିଶାରେ ସବୁ କଲେଜରେ ପିଲାମାନେ ଆଉ କଲେଜରେ ରହୁନାହାନ୍ତି । କାଁ ଭାଁ କେଉଁଠି ଜଣେ ଅଧେ ଅଧ୍ୟାପକ ଅଳ୍ପକେଇଜଣ ହାତ ଗଣତି ପିଲାଙ୍କୁ ଧରି ଦିନ ୧.୩୦ ପରେ କ୍ଲାସ ନେବାର ଦେଖାଯାଏ ।


ସେଦିନ ୧୧.୧୫ ରେ ଯୁକ୍ତ ତିନି ପିଲାଙ୍କର କ୍କାସ୍ ଆରମ୍ଭ ହେଲା । ମୋ ସାଙ୍ଗ ରୁବୁ ( ଦିଲିପ ମିତ୍ର ) ଓ ମୁଁ ସେଇ ୧୧.୩୦ ପରେ ବିନା କାରଣରେ ସେଇ ମେନ୍ ବିଲ୍ଡିଙ୍ଗ୍ ର ବାରଣ୍ତାରେ ଏକ ଘେରା ବୁଲି ଆସିଲୁ । ସେଇ ବୁଲିବା ସମୟରେ ଦେଖିଲୁ ଠିକ୍ ଷ୍ଟାଫ୍ କମନରୁମ୍ ପରେପରେ ଥିବା ଇଂରାଜୀ ସେମିନାର୍ ରୁମ୍ ରେ ଇଂରାଜୀ ବିଭାଗର ସେତେବେଳର ବିଭାଗୀୟ ମୁଖ୍ୟଥିବା ପ୍ରଫେସର ନିତ୍ୟାନନ୍ଦ ନାୟକ ମାତ୍ର ୪ଟି ପିଲାଙ୍କୁ ଧରି ଅନର୍ସ କ୍ଲାସ ନେବା ଆରମ୍ଭକଲେ । ଗୋଟେ ଘେରା ସେଇ ବାରଣ୍ତାରେ ମାରିସାରିବା ପରେ ଆମେ ଦୁହେଁ ବିବେକାନନ୍ଦଙ୍କ ଷ୍ଟାଚ୍ୟୁ ପାଖରେ ଯାଇ ବସିଗଲୁ । ସେଠି ବସିଲେ ସାମ୍ନାରେ ଥିବା ଅଳକାନଦୀର ବାଲୁକାରାଶି ସହିତ ସାରା କଲେଜ ପରିବେଶକୁ ଚମତ୍କାର ଢଙ୍ଗରେ ଦେଖିହୁଏ । ଏବେ ବିବେକାନନ୍ଦଙ୍କ ଚାରିପଟେ ପାଚେରୀ ହେଇଯିବା ଦ୍ୱାରା ଆଉ ପିଲାମାନେ ସେଠି ବସିପାରୁନାହାନ୍ତି । କିନ୍ତୁ ଆମେ ପଢିବାବେଳେ ତାହା ସମ୍ପୂର୍ଣ୍ଣ ଖୋଲାମେଲା ଥିଲା । ବିବେକାନନ୍ଦଙ୍କ ଷ୍ଟାଚ୍ୟୁ ବାଦ୍ ଆଉଗୋଟେ ଜାଗାରେ ବି ଆମେ କେଇଜଣ ସାଙ୍ଗ ହୋଇ ବସି ବିଭିନ୍ନ ବିଷୟରେ କଥାହେଉ । ସେ ଜାଗାଥିଲା ଷ୍ଟାଚ୍ୟୁ ପାଖରୁ ମାତ୍ର ୫୦ ଫୁଟ ଦୂରରେ ଥିବା ସପ୍ତ ବରଗଛର ମଝିରେ ତିଆରି ହୋଇଥିବା କିଛି ସିମେଣ୍ଟ୍ ପିଣ୍ତି । ଧୁ ଧୁ ଖରାବେଳେ ସେଠି ବସିଗଲେ ଯେମିତି ଆଜିକାର ଏ.ସି. ରୁମରେ ବସିବାପରି ଲାଗେ । ସେତେବେଳେ ପିଲାମାନେ ସେଇ ବରଗଛ ଓହଳରେ ଝୁଲନ୍ତି, ସେଇ ପିଣ୍ତିରେ କିଛି ପିଲା ବସି ଲେଡିଜ୍ ହଷ୍ଟେଲକୁ ଯିବା ଆସିବା କରୁଥିବା ପିଲାମାନଙ୍କୁ ଏକ ଲୟରେ ଚାହିଁ ଚାହିଁ ସମୟ ବିତେଇ ଦିଅନ୍ତି । ଆଉ କିଛି ପିଲା ପାଠ ସହିତ ଦେଶରେ ଘଟୁଥିବା ଘଟଣାସବୁ ବିଷୟରେ ବି ଆଲୋଚନା କରୁଥିବାର ଦେଖାଯାଏ । ଏମିତି ସବୁ କଥା କେବଳ ଆମ କଲେଜ କାହିଁକି , ସବୁ କଲେଜରେ ହେଉଥିବ, ଏଥିରେ ତିଳେହେଁ ସନ୍ଦେହ ନାହିଁ !


ରୁବୁ ଆଉ ମୁଁ ବିବେକାନନ୍ଦଙ୍କ ଷ୍ଟାଚ୍ୟୁ ପାଖରେ କିଛି ସମୟ ବସିବାପରେ ମୁଁ ପୁଣି ଉଠିବା ଦେଖି ରୁବୁ ବି ଉଠିପଡି ପଚାରିଲା , " ପୁଣି କୁଆଡେ ଯିବା ? " 


ମୁଁ କହିଲି, " ସେ ବାରଣ୍ତାରେ ଆଉ ଗୋଟେ ରାଉଣ୍ତ ମାରିଦେଇ ଆସିବା ।" 


ଇଚ୍ଛା ନଥିଲେ ବି ରୁବୁ ବାଧ୍ୟ ହୋଇ ମୋ ସହିତ ପୁଣି ଆସିଲା ମେନ୍ ବିଲ୍ଡିଙ୍ଗ୍ ଭିତରକୁ । ଏମିତିରେ ସାଙ୍ଗ ହିସାବରେ ରୁବ୍ ଖୁବ୍ ଭଲ । ସେ ଜାକଜମକରେ ଜମା ବିଶ୍ୱସ କରେନି । ଖୁବ୍ ସାଧା ସିଧା ତା' ଜୀବନ । କିଛି କରିବା ପୂର୍ବରୁ ବହୁତ ଭାବିବା ଚିନ୍ତିବା ତାର ଏକ ବିଶେଷ ଗୁଣ । ଯାହା କହନ୍ତି ହାତେ ମାପିବ କିନ୍ତୁ ଚାଖଣ୍ଡେ ନୁହେଁ ବରଂ ଆଙ୍ଗୁଳେ ଯିବା ଲୋକ ସେ । ସବୁ କଥାରେ ଖୁବ୍ ଧୀରସ୍ଥିର ଆଉ କେମିତି ଗୋଟେ ନିର୍ବିକାର ଭାବ । ମୋ ପରି ଜମା ହୁଙ୍କାପିଟା ନୁହେଁ । କେମିତି କେମିତି ଗୋଟେ ବୁଢାଳିଆ ରଙ୍ଗଢଙ୍ଗ ତା'ର । ପ୍ରେମ ଆଦି ଜିନିଷ ସବୁଠୁ ଢେର୍ ଦୂରରେ ରହିବା ପିଲା ସେ । ମୁଁ କାଳେ କୋଉଠି କଣ ଗଡବଡ କରିଦେବି ସେଥିପାଇଁ କଲେଜରେ ସେ ମୋତେ ଗୋଡେଗୋଡେ ଜଗିଥାଏ । ସବୁବେଳେ ମହାପୁରୁଷଙ୍କ ପରି ଉପଦେଶ ମଧ୍ୟ ମୋତେ ଦିଏ । ଆମ ଘର ପାଖରୁ କଲେଜ ମାତ୍ର ୧ କିଲୋମିଟର ହୋଇଥିବାରୁ ଘରେ ମୋ ପାଇଁ ସାଇକେଲ୍ କିଣି ନଥିଲେ । ମୁ ଚାଲି ଚାଲି କଲେଜକୁ ଯା ଆସ କରେ । ରୁବୁ ଘର ବହୁତ ବଡ ଯୌଥ ପରିବାର । ଲୋକସଂଖ୍ୟାକୁ ଅନାଇଁ ତାଙ୍କର ଗୁଡେ ସାଇକେଲ୍ ଥିଲା । ମୋ ଯିବା ଆସିବା ପାଇଁ ସେ ମୋତେ ଗୋଟେ ବିନା କେରିଅର ବାଲା ବଢିଆ ସାଇକେଲ୍ ଦେଇଥିଲା । ସେ ସାଇକେଲର ହେଣ୍ତେଲ୍ ରେ ଗୋଟେ ଛୋଟ କେରିଅର ଲାଗିଥିଲା, ଯେଉଁଥିରେ ମୁଁ ଖାତାବହି ମାରି ଯିବା ଆସିବା କରେ । କୌଣସି କାରଣ ଥାଇ ହେଉ ଅଥବା ବିନା କାରଣରେ ହେଉ ସେ ସାଇକେଲରେ ପ୍ୟାଡେଲ୍ ମାରି ମାରି ମୁଁ ଖୁବ୍ ବୁଲିଛି । କୁଆଡେ ଯାଏ ? କାହିଁକି ଯାଏ ? - ଏବେ ସେ ସବୁ କଥା ଭାବିଲେ ଖୁବ୍ ଆଶ୍ଚର୍ଯ୍ୟ ବି ଲାଗେ ! ପାଖା ପାଖି ୪ ବର୍ଷ ସେ ସାଇକେଲକୁ ମୁଁ ବ୍ୟବହାର କରିଥିଲି । ୧୯୯୩ରେ ମୁଁ ଗୋଟେ ସାଇକେଲ କିଣିବା ପରେ ସେ ସାଇକେଲକୁ ରୁବୁକୁ ଫେରାଇଥିଲି ।


ଲେଡିଜ୍ କମନରୁମ୍ ପରେ ପରେ ଲାଇବ୍ରେରୀ ଦେଇ ବାଙ୍କ ବୁଲି ଆମେ ଦୁହେଁ ବୟେଜ୍ କମନରୁମ୍ ଦେଇ ଚାଲିଥାଉ । ( ସେତେବେଳେ ଶ୍ରୀପତି ଲାଇବ୍ରେରୀ ଏଇ ମେନ୍ ବିଲ୍ଡିଙ୍ଗ୍ ରେ ଥାଏ, ଯେଉଁଠି ଏବେ ସାମ୍ସ୍ ଓ ଏକାଡେମୀକ୍ ସେକ୍ସନ୍ ରହିଛି ) କ୍ଲାସ୍ ଓଭର୍ ହେବାକୁ ଆଉ ୧୦ ମିନିଟ୍ ଥାଏ । ଷ୍ଟାଫ୍ କମନରୁମ୍ ପାଶ୍ କରିବା ପରେପରେ ଇଂରାଜୀ ସେମିନାର୍ ରୁମ୍ ପଡିଲା । ବାରଣ୍ତାରେ ପ୍ରଥମ ରାଉଣ୍ତ ମାରିବା ବେଳେ ଦେଖିଥିଲୁ ନିତ୍ୟାନନ୍ଦ ସାର୍ ସେଠି କ୍ଲାସ ନେଉଥିଲେ । ଆମ ସମୟରେ ଇଂରାଜୀ ଅନର୍ସ ନେବାକୁ କୌଣସି ପିଲା ଆଗଭର ହେଉ ନଥିଲେ । ମୋଟ ୪ ଜଣ ଆମ କ୍ଲାସମେଟ୍ ପିଲାଙ୍କୁ ଧରି ସାର୍ କବାଟ ଆଉଜାଇ ପାଠ ପଢାଇବାରେ ମଗ୍ନ ଥାଆନ୍ତି । ହଠାତ୍ ମୋ ମୁଣ୍ତରେ ଏକ ଅଦ୍ଭୁତ କଥା ପଶିଗଲା । ତାହା ହେଉଛି - ସାର୍ କାଇଁ କବାଟ ଆଉଜେଇ ପଢାଉଛନ୍ତି ? ସେ ସମୟର ଚଗଲାମିରେ ହେଉ ଅଥବା କ୍ଷଣିକ ଉନ୍ମାଦନାରେ ହେଉ, ହଠାତ୍ ମୁଁ ସେଇ ଆଉଜା ହୋଇଥିବା କବାଟର ଆଲଡ୍ରପକୁ ହାତରେ ଧରି ଧଡକରି ବନ୍ଦ କରିଦେଲି । ଗୋଟେ ସେକେଣ୍ଡ୍ ରେ, ଯାହାକୁ କହନ୍ତି ଆଖିପିଛଡାରେ ସେଇ କାମଟା ସାରିଦେଲି । 


ରୁବୁ ସ୍ୱପ୍ନରେ ବି ଭାବି ନଥିଲା ମୁଁ ଏମିତି ହଠାତ୍ ସେ ଅଦ୍ଭୁତ କାମଟା କରିଦେବି ବୋଲି ! ସେ ଖୁବ୍ ଭୟଭୀତ ହୋଇ କହିଲା, " ଇରେ ..ଇରେରେ ... ଜଟିଆ ଏ କ'ଣ କଲୁ ? ଏ କି ବଦମାସି ? ସେ କବାଟଟାକୁ କାଇଁ ବାହାରପଟରୁ ଦେଇଦେଲୁ ? ମଲା ମଣିଷ ଆଜି ! "


ଏତିକି କହି ଜୀବନ ବିକଳରେ ରୁବୁ ସେଠୁ ଦୌଡ଼ି ଦୌଡ଼ି ଆମ ରାଜନୀତି ବିଜ୍ଞାନ ବିଭାଗ ଦେଇ ଆଗ ବାଙ୍କ ମୋଡି ଯାଇ ଇତିହାସ ସେମିନାର୍ ରୁମ୍ ସାମ୍ନରେ ଚୁପ୍ ଚାପ୍ ସୁନାପିଲା ପରି ଠିଆ ହୋଇଗଲା ।


ମୁଁ କବାଟ ଲକ୍ କରିସାରି ଧୀରେ ସୁସ୍ଥେ ଯେମିତି କିଛି ଘଟଣା ଘଟେଇନାହିଁ, ସେଇ ଢଙ୍ଗରେ ନିର୍ବିକାର ହୋଇ ଚାଲିଥାଏ । ଏକଥା ମୁଁ ଭଲଭାବରେ ଜାଣିଥାଏ, ଯେ ବାହାରପଟୁ କବାଟ ବନ୍ଦ କରିଛି ମାନେ, ସାର୍ କିମ୍ୱା ସେ ପିଲା କେହି ବାହାରି ପାରିବେ ନାହିଁ, ଯେପର୍ଯ୍ୟନ୍ତ ବହାରପଟରୁ କେହି ସେ କବାଟର ଆଲଡ୍ରପ୍ ନଖୋଲିଛନ୍ତି ! ତେଣୁ ବଦମାସୀ କରିଦେଇ ନିର୍ଭୟ ଭାବରେ ଚାଲିଥାଏ । 


ରୁବୁ ଭୟ ସହିତ ଦୌଡ଼ି ଦୌଡ଼ି ଆସିଥିବା ହେତୁ, ଇତିହାସ ବିଭାଗ ସାମ୍ନାରେ ଠିଆହୋଇ ଧଇଁ ପେଲୁଥାଏ । ମୁଁ ଯେମିତି ତା' ପାଖରେ ପହଞ୍ଚିଲି ରାଗିକି କହିଲା, " କି ବାଜେ ପିଲା ! ନିତ୍ୟାନନ୍ଦ ସାର୍ କ୍କାସ୍ ନେଉଛନ୍ତି ସେଠି । କବାଟ କାଇଁ ଦେଇଦେଲୁ ? " 


ମୁଁ ସ୍ଥିର ଭାବରେ କହିଲି, " ସେମିତି କାଇଁ ବିରୁଡି ମାରିବା ଭଳି ହେଉଛୁ କହିଲୁ ? ଦେଇ ତ ସାରିଲେଣି , ଏବେ ଆଉ ଚିନ୍ତାକଲେ କ'ଣ ହେବ ? "


ରୁବୁ ସେମିତି ରାଗ ତମତମ୍ ହୋଇ କହିଲା, " ଏ କି ପାଗଳାମି ? ଜଣେ ସାର୍ ଭିତରେ କ୍ଲାସ୍ ନେଉଥିବା ବେଳେ ବାହାରୁ କବାଟ ଦେବା ନିହାତି ଭୁଲ୍ । ଏଇଟା ପୁରା ଅଭଦ୍ରାମି । ଆଉ ତୁ ବି ଜାଣିଛୁ ନିତ୍ୟାନନ୍ଦ ସାର୍ ଆମ ଘରପାଖରେ ଭଡାନେଇ ରହୁଛନ୍ତି । ତାଙ୍କ ସ୍ତ୍ରୀ ସ୍ନେହଲତା ମାଡାମ୍ ସିପି ଅପର ପ୍ରଇମ୍ରେରୀ ସ୍କୁଲରେ ହେଡମାଷ୍ଟର୍ ଏବଂ ମୋତେ ପଢାଇଛନ୍ତି । ଆମ ଘରକୁ ପ୍ରାୟ ବୁଲି ଆସନ୍ତି । ସାର୍ ଙ୍କ ବଡପୁଅ ସତ୍ୟ ଶଙ୍କର ( ମୁନା ) ମୋ ସ୍କୁଲ୍ ସାଙ୍ଗ । "


ମୁଁ କହିଲି, " ତୁ କାଇଁ ଏତେ ସିରିଅସ୍ ହେଉଛୁ ? ଆମେ ସେ କବାଟ ଦେଇଚେ ବୋଲି ସେ କେମିତି ଜାଣିବେ ? କଣ ଗୋଟେ ମୁଣ୍ତରେ ପଶିଗଲା , କବାଟ କୁ ଦେଇଦେଲି ! ତୁ ଆଉ ଏତେ ଚିନ୍ତା କରନା ! ଆସେ ଯିବା ବରଗଛ ମୁଳକୁ । "


ରୁବୁ ଟିକେ ଥୟଧରି କଣ ଚିନ୍ତାକଲା । ତା'ପରେ ମୋ ମୁହଁକୁ ଚାହିଁ ପଚାରିଲା, " ଆଛା ! ସେମାନେ ସେ ରୁମରୁ ଏବେ ବାହାରିବେ କେମିତି ? " 


ମୁଁ କହିଲି, " ଯାଉନୁ ! ସେ କବାଟକୁ ଖୋଲିଦେଇ ଆସିବୁ !!"


ସେ କହିଲା, " ହଁ , ଭଲ କଥା କହୁଛୁ ଆଉ ? ମୁଁ ଯାଇ ଖୋଲିବି ମାନେ ମୋତେ ହିଁ ଚୋର ବୋଲି ଭାବିବେ !" 


ତାହାଲେ ବ୍ୟସ୍ତ ନ ହୋଇ ଆସେ ବରଗଛ ମୂଳରେ ଯାଇ ବସିବା । ସେ ତାଙ୍କର କାହାକୁ ଡାକି ବଳେ ବହାରିବେ । - ମୁଁ କହିବା ସହିତ ଆଗକୁ ଚାଲିବା ଆରମ୍ଭକଲି । ରୁବୁ ବି ମୋ ସହିତ ଆସିବାକୁ ବାଧ୍ୟହେଲା । ଠିକ୍ ୩୩ ନମ୍ୱର ରୁମ୍ ପାଖରେ ହୋଇଛୁ, ରୁବୁ ଅଟକିଯାଇ କହିଲା , " ଏଇଠି ରହିବା , ସେମାନେ ସେ ରୁମ୍ ରୁ ବାହାରି ସାରିବାପରେ ଆମେ ଯିବା ।" 


୩୩ ନମ୍ୱର ରୁମ୍ ସାମ୍ନାରେ ବାରଣ୍ତାର ଆରପଟେ ପାଖା ପାଖି ୫୦ ମିଟର ଦୂରରେ ଇଂରାଜୀ ସେମିନାର ରୁମ୍ । ରୁବୁକୁ କାଳେ ସାର୍ ଦେଖିଦେବେ ସେଇ ଭୟରେ ୩୩ ନମ୍ୱର ରୁମ୍ ଭିତରେ ଝରକା ପାଖରେ ଠିଆ ହୋଇ ଲୁଚି ଲୁଚି ଇଂରାଜୀ ସେମିନାର ରୁମ୍ କୁ ଅନେଇ ରହିଥାଏ । ମୁଁ କିନ୍ତୁ ପୁରା ବିନଦାସ୍ ହୋଇ ସେଇ ୩୩ ନମ୍ୱର ରୁମ୍ ବାରଣ୍ତାରେ ଟହଲ ମାରୁଥାଏ ! ଏମିତି ଲାଗୁଥାଏ ଯେମିତି ମୁଁ ନୁହେଁ ରୁବୁ ସେ ଭୁଲ୍ କାମ କରିଛି, ଆଉ ସେଥି ପାଇଁ ଚୋରଙ୍କ ପରି ଲୁଚିକି ରହିଛି ! ଏ ଭିତରେ କ୍ଲାସ୍ ଓଭର ହୋଇସାରିଥାଏ । କିନ୍ତୁ ସେ ରୁମର କବାଟ ଖୋଲୁ ନଥାଏ । ଭିତରୁ ତ ଖୋଲିବାର ପ୍ରଶ୍ନ ଉଠୁନଥାଏ , ଯିଏ ଖୋଲିବ ବାହାର ପଟରୁ ହିଁ ଖୋଲିବ ।


ହଠାତ୍ ଦେଖିଲୁ ଦୁଇଜଣ ପିଲା ପଛଗେଟ୍ ଦେଇ ଦୌଡ଼ି ଦୌଡ଼ ଆସିଲେ । ବୟେଜ୍ କମନରୁମ୍ ଓ ଷ୍ଟାଫ୍ କମନରୁମ୍ ପାଶ୍ କରି ଠିକ୍ ଇଂରାଜୀ ସେମିନାର ରୁମ୍ ସମ୍ମୁଖରେ ଅଟକିଯାଇ, ବନ୍ଦଥିବା କବାଟର ଆଲଡ୍ରପ୍ ଖୋଲିଦେଲେ । ତାମାନେ ସେଇ ପିଲା ଦୁଇଜଣ କଲେଜ ମେନ୍ ବିଲ୍ଡିଙ୍ଗ୍ ର ପଛପଟଦେଇ ସେତେବେଳେ ସେପଟେ ଥିବା ପୂର୍ଣ୍ଣବାବୁଙ୍କ କ୍ୟାଣ୍ଟିନ୍ ଆଡକୁ ଯାଉଥିଲେ, ଆଉ ସେମାନଙ୍କୁ ଝରକାଦେଇ ବଡ ପାଟିରେ ଏପଟେ ଆସି କବାଟ ଖୋଲୁବାକୁ ସାର୍ କହିଥିବେ ।


କବାଟ ଖୋଲାଯିବା ପରେ ସେ ରୁମ୍ ଭିତରୁ ସାର୍ ଓ ସେ ୪ ଜଣ ପିଲା ବାହାରିଆସି ବାରଣ୍ତାରେ ଠିଆହୋଇ ଏଣେତେଣେ ଚାହୁଁଥାନ୍ତି । ସାର୍ ଙ୍କ ଆଖି ମୋ ଉପରେ ପଡିବାପରେ ସେଇ ଇଂରାଜୀ ଅନର୍ସର ପିଲା ପିନାକିକୁ କିଛି କହି ଷ୍ଟାଫ୍ କମନରୁମ୍ କୁ ଚାଲିଗଲେ । ପିନାକି ନାମକ ପିଲାଟି ପାଖା ପାଖି ୬ଫୁଟ୍ ହାଇଟ୍ ର ଏବଂ ସେ ଜୟବଡରେ ଭଡାନେଇ ରହୁଥିଲା । ସେ ମେନ୍ ବିଲ୍ଡିଙ୍ଗର ପଡିଆ ମଝି ଅର୍ଥାତ୍ ଗାନ୍ଧିଙ୍କ ଷ୍ଟ୍ୟାଚୁ ଦେଇ ୩୩ ନମ୍ୱର ରୁମ ଆଡକୁ ଆସିଲା । 


ସେ ମୋ ପାଖରେ ପହଞ୍ଚି କହିଲା, " ସେ କବାଟ କିଏ ଦେଲା କେଜାଣି , ସାର୍ କିନ୍ତୁ ତମ ଆଡକୁ ଅନେଇ କହିଲେ, ସେଇ ବଦମାସ୍ ଦେଇଥିବ ।" 


ପିନାକିର ଏ କଥାର ପ୍ରଭାବ ମୋ ଉପରେ ବିଶେଷ କିଛି ନପକାଇଲେ ମଧ୍ୟ ରୁବୁ ଉପରେ ସାଂଘାତିକ୍ ଭାବରେ ପଡିଲା । ସେ ପୁରା ଶଙ୍କାଗ୍ରସ୍ତ ଅବସ୍ଥାରେ କହଲା, " ଆଜି ମଲା ମଣିଷ ! ମୁଁ ତୋ ସହିତ ସବୁବେଳେ ବୁଲେ, ସାର୍ ଦେଖିଛନ୍ତି । ସେ ନିଶ୍ଚେ ଯାଇ ସ୍ନେହ ମାଡାମଙ୍କୁ ସବୁକଥା କହିବେ ଆଉ ମାଡାମ୍ ଆଜି ସଂଧ୍ୟାରେ ଆମ ଘରକୁ ଆସି ମୋତେ ପଚାରିବା ସହିତ ଘରେ ସମସ୍ତଙ୍କ ଆଗରେ କହିବେ ।" 


ମୁଁ ତାକୁ କହିଲି, " ସବୁ ନାଟ ତୋରି ଠେଇଁ ! ମୁଁ ତ କହୁଥିଲି ଚାଲେ ବରଗଛ ମୂଳକୁ ପଳେଇବା ! କେମିତି ରୁମ୍ ରୁ ବାହାରୁଛନ୍ତି ଦେଖିବାକୁ ରହିଲୁ, ଏବେ ନାମ ନେ ! ମୁଁ କଣଟା କରି ପାରିବି ?"


ମୁଁ ଏମିତି ଢଙ୍ଗରେ ତାକୁ କହିଲି, ସତେ ଯେମିତି ମୋ କବାଟ ଦେବା ଅପେକ୍ଷା ୩୩ ନମ୍ୱର ରୁମରେ ରହିବାକୁ କହି ସେ ଅଧିକ ଭୁଲ୍ କରିପକାଇଛି !


ସେଇ ଘଟଣାର ୧୦ ଦିନଯାଏ ରୁବୁ ସେମିତି ଶଙ୍କାଗ୍ରସ୍ତ ଅବସ୍ଥାରେ ଥାଏ । ମୁଁ ତାକୁ ମଜାରେ ପଚାରେ , " କ'ଣ କାଲି ସଂଧ୍ୟାରେ ସ୍ନେହ ମାଡାମ ତୋ' ଗୁଣଗ୍ରାମ କହିବାକୁ ତମ ଘରକୁ ଯାଇଥିଲେ ।" 


ରୁବୁ ନିରୀହ ଚାହାଣି ସହିତ ଅଳ୍ପ ହସ ହସିଦେଇ କହେ, " ନାଇଁ ବା ! ଆସି ନାହାନ୍ତି ।" 


ତେବେ ସେ ସମୟରେ ସେମିତି ଭୁଲ୍ କରି ମୁଁ ଆଦୌ ଅନୁତାପ କାହିଁକି କରୁନଥିଲି, ଆଜି ତାହା ଭାବିଲେ ଖୁବ୍ ଅଶ୍ଚର୍ଯ୍ୟ ଲାଗେ । କିନ୍ତୁ ଭଗବାନଙ୍କ ଖେଳ ବି ଖୁବ୍ ବିଚିତ୍ର । ସେଇ ଘଟଣା ଘଟିବାର ମାତ୍ର ୪ ବର୍ଷପରେ ଅର୍ଥାତ୍ ୧୯୯୪ ମସହିାରେ ମୁଁ ସେଇ କଲେଜରେ ଅଧ୍ୟାପକ ଭାବରେ ଯୋଗଦେଲି । ନିତ୍ୟାନନ୍ଦ ସାର୍, ବ୍ରଜ ସାର୍, ଧୃବ ସାର୍, ଆଦି ସାର୍ ମାନେ ସବୁ କମନରୁମ୍ ରେ ବସିଥିବା ବେଳେ ମୋତେ ସେଠି ସେମାନଙ୍କ ପାଖରେ ବସିବାକୁ କାହିଁକି ଖୁବ୍ ଶଂକୁଚିତ ଲାଗେ । ନିତ୍ୟାନନ୍ଦ ସାର୍ ଙ୍କୁ କଲେଜ ବାରଣ୍ତା ବା ଷ୍ଟାଫ୍ କମନରୁମ୍ ରେ ନମସ୍କାର କରିବା ବେଳେ ମୋତେ ଏମିତି ଲାଗେ , ସାର୍ ଯେମିତି ଟିକେ ନାକ ଟେକି ବିରକ୍ତିର ସହିତ ମୋତେ ପ୍ରତିନମସ୍କାର କରନ୍ତି । ସାର୍ ପ୍ରାୟ ବିଶେଷ ହସନ୍ତି ନାହିଁ । କବି ହୋଇଥିବାରୁ ବହୁତ ସମୟ ଚୁପ୍ ଚାପ୍ ବସି କିଛି ଭାବୁଥିବାର ମୁଁ ଦେଖେ । ସାର୍ ଦେଖିବାକୁ ଖୁବ୍ ସାଧାସିଧା ଆଉ କାଉଁରିଆ କାଠିପରି ଚେହେରାର ଗୋରା ତକ୍ ତକ୍ ମଣିଷ ଜଣେ ।


ସାର୍ ମୋତେ ନେଇ କିଛି ନକରାତ୍କମ ଚିନ୍ତା କରଛନ୍ତି କି ନାଇଁ ତାହା ମୋତେ ଜଣା ନାହିଁ । କିନ୍ତୁ ମୁଁ ଭାବେ ସାର୍ ନିଶ୍ଚେ ମୋର ସେଇ ପଢିବା ବେଳେ କରିଥିବା ଭୁଲକୁ ଭୁଲି ନଥିବେ ଆଉ ସେଇଥିପାଇଁ ବୋଧେ ପ୍ରତିନମସ୍କାର କଲାବେଳେ ନାକଟେକି ନିଜର କ୍ରୋଧକୁ ସାମ୍ନାକୁ ଆଣୁଛନ୍ତି । ହୁଏତ ସାର୍ ଙ୍କର ସେମିତି ପ୍ରତିନମସ୍କାର କରିବାର ଶୈଳୀଟା ଅଭ୍ୟାସଗତ ହୋଇଥିବ, କିନ୍ତୁ "ଚୋର ମନ ସବୁବେଳେ ଶଙ୍କାଗ୍ରସ୍ତ " ନ୍ଯାୟରେ ମୁଁ ସେମିତି ଭାବୁଥାଇପାରେ ।


କିନ୍ତୁ ଏସବୁ ବାଦ୍, ମୋତେ ସେତେବେଳେ ଖୁବ୍ ଅସହଜ ଲାଗିଲା, ମୁଁ ଯେତେବେଳେ ସେଇ ଇଂରାଜୀ ସେମିନାର୍ ଠାରୁ ମାତ୍ର ଦୁଇଟି ରୁମ୍ ଛାଡି ଆମ ରାଜନୀତି ବିଜ୍ଞାନ ଅନର୍ସ ପିଲାଙ୍କ କ୍ଲାସ୍ ନେଲି । ସେତେବେଳେ ମୁଁ ଫିଲ୍ କଲି, ଛାତ୍ର ଅବସ୍ଥାରେ ଜଣେ କ୍ଲାସ ନେଉଥିବା ଶିକ୍ଷକଙ୍କୁ ବାହାରପଟରୁ କବାଟ ଦେଇ ମୁଁ କେତେବଡ ଅପରାଧ କରିଛି । ଜଣେ ଶିକ୍ଷକ ଯେତେବେଳେ ପାଠ ପଢାଇବାରେ ମଜ୍ଜି ଯାଇଥାଏ, ସେଇ ସମୟରେ ବାହାର ବାରଣ୍ତାରେ ଯିବା ଆସିବା କରୁଥିବା ପିଲାମାନେ ପାଟିତୁଣ୍ତ କରିବା ଦ୍ୱାରା କ୍ଲାସ ନେଉଥିବା ଶିକ୍ଷକ ଓ କ୍ଲାସରେ ବସିଥିବା ପିଲାମାନଙ୍କର ପାଠ ପଢାରେ ବ୍ୟାଘ୍ୟାତ ହେଉଥିବା ହେତୁ କବାଟ ଆଉଜେଇଦେଇ ପଢାଇବାକୁ ଶିକ୍ଷକମାନେ ଉଚିତ୍ ମଣନ୍ତି । ମୁଁ କବାଟ ବନ୍ଦକରି କ୍ଲାସ ନେଉଥିବା ବେଳେ, ପ୍ରତି ମୁହୂର୍ତ୍ତରେ ମୋତେ ଏମିତି ଫିଲ୍ ହୁଏ , ଯେମିତି କିଏ ଜଣେ ଛାତ୍ର ଆଉଜା ହୋଇଥିବା କବାଟର ଆଲଡ୍ରପ୍ ଦେବାପାଇଁ ରେଡ୍ଡି ହୋଇ ଆସୁଛି । ୧୯୯୪ ରୁ ୨୦୨୦ ଅର୍ଥାତ୍ ଏଇ ୨୬ବର୍ଷ ଅଧ୍ୟାପନା ମଧ୍ୟରେ ଏମିତି ଶଙ୍କା, ଛନକା ମୋ ମନଭିତରେ କେତେ ହଜାର ଥର ଆସିଥିବ ତାର ହିସାବ ନାହିଁ । ଆଗକୁ ଅହୁରି ୧୧ ବର୍ଷ ରହିଛି ମୋର ଅବସର ନେବାକୁ ଏବଂ ସେଇ ସବୁ ବର୍ଷ ଭିତରେ " ସେଇ କବାଟ କାଳେ କିଏ ଦେଇ ଦେବ" ଆଶଙ୍କା ସେମିତି ଆସୁଥିବ ଏଇ ମନ ଭିତରକୁ ନିଶ୍ଚୟ । ଏଇ ଯେଉଁ ଛନକା ବା ଭୟଭାବ ମନ ଭିତରେ ବାରମ୍ୱାର ଆସୁଛି, ତାହା କ'ଣ ଦଣ୍ତ ନୁହେଁ ? ଛାତ୍ର ଜୀବନର ସେଇ ଭୁଲ୍ ପାଇଁ ମୁଁ ଖୁବ୍ ଅନୁତପ୍ତ । ମନରେ ସମୟେ ସମୟେ ଆସେ, କିଛି ପ୍ରାୟଶ୍ଚିତ କରି ହୁଅନ୍ତା ନାହିଁ ସେବେ କରିଥିବା ମୋର ସେଇ ଭୁଲ ପାଇଁ ?


ଗତ ତା ୦୮/୧୦/୨୦୨୦ ରିଖରେ ଖବର ପାଇଲି ଯେ, ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକଙ୍କୁ ୪୧ତମ ସାରଳା ପୁରସ୍କାର ପାଇଁ ମନୋନୀତ କରାଯାଇଛି । ମୁଁ ସେ ନିଉଜ୍ ଟିଭି ରୁ ଦେଖୁଦେଖୁ ଜାଣିଗଲି, ଏଇ ବିଶିଷ୍ଟ କବି ହେଉଛନ୍ତି ଆମ ସାର୍ । ବହୁତ ଖୁସି ଲାଗିଲା ଯେ, ଆମ କଲେଜରେ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟଧରି ଅଧ୍ୟାପନା କରିଥିବା ଜଣେ ଲୋକ ଏପରି ଏକ ସମ୍ମାନଜନକ ପୁରସ୍କାର ଓଡିଆ ସାହିତ୍ଯ ପାଇଁ ପାଇଲେ ବୋଲି । ସାର୍ ଙ୍କ ଦୁଇଟି କବିତା ଆମ କଲେଜ ମୁଖପତ୍ର " ମରୁବାଲି " ରୁ ସଂଗ୍ରହ କରି ତାଙ୍କ ଉପରେ କିଛଲେଖି ଫେସବୁକରେ ଥିବା ଆମ କଲେଜ ଗ୍ରୁପ୍ ସହିତ ମୋ ଟାଇମଲାଇନ୍ ରେ ପୋଷ୍ଟ୍ କରିଦେଲି । ସାର୍ ଆମ କଲେଜରେ ଥିବା ସମୟରେ କବିତା ପାଇଁ ବିଷୁବ ପୁରସ୍କାର ସହିତ ଅନ୍ୟକିଛି ପୁରସ୍କାର ବି ପାଇଥିଲେ । ଆଜିକାର ସାହିତ୍ୟରେ ପୁରସ୍କାର ପାଇଁ ଯେପରି ଲବି କରାଯାଉଚି, ନିଜର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପ୍ରକାର ବାଟ, ଅବାଟ ସବୁକୁ ପ୍ରୟୋଗ କରାଯାଉଚି, ଏସବୁ ଠାରୁ ଢେର୍ ଦୂରତାରେ ନିତ୍ୟାନନ୍ଦ ସାର୍ ରହିଥାନ୍ତି । ନିଜ କବିତାକୁ ନେଇ ପ୍ରଚାର ପ୍ରସାର କରିବା କେହି କେବେ ଦେଖି ନାହାନ୍ତି । ତେବେ ସାର୍ ସାରଳା ପୁରସ୍କାର ପାଇବାପରେ ମୁଁ ଯେତିକି ଗର୍ବକଲି, କଲେଜରେ ପଢୁଥିବା ବେଳେ କରିଥିବା ସେଇ ଭୁଲ୍ ପାଇଁ ସେତିକି ଦୁଃଖ ମଧ୍ୟ କରୁଥାଏ । ସାର୍ ଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇବାକୁ ସାହାସ ଜୁଟାଇ ନପାରି ହ୍ୱାଟସଅାପରେ ମେସେଜ୍ କରି ଅଭିନନ୍ଦନ ଜଣାଇଲି । ଖୁବ୍ ଖୁସିହେଲି ସାରଙ୍କ ରିପ୍ଲାଏ ମେସେଜ୍ ଦେଖି, ଯେଉଥିରେ ସାର୍ ଲେଖିଥିଲେ, " ଥ୍ୟାଙ୍କ୍ସ୍ ପ୍ରଶାନ୍ତ " ।


ରୁବୁ ସହିତ ଫୋନରେ କଥା ହେଲି । ସେ ଏବେ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସ୍ ରେ ଜଣେ ପଦସ୍ଥ ଅଧିକାରୀ ଭାବରେ କୋରାପୁଟର ଭବାନୀପାଟଣା ଠାରେ ଅବସ୍ଥାପିତ । ଏ ଭିତରେ ମୋତେ କରୋନା ହୋଇ ଛାଡିଯାଇଥିବା ବେଳେ ରୁବୁ କରୋନାରେ ଆକ୍ରାନ୍ତ ଥିବାର ଜାଣିଲି । ତାକୁ ସାହସ ଦେଇ କହିଲି, କିଛି ହେବନି, ସବୁ ଠିକ୍ ହୋଇଯିବ । ସେ ବି ଖୁବ୍ ଦମ୍ଭର ସହିତ ଏକୁଟିଆ ସେଠି ରହି କରୋନା ସହିତ ଫାଇଟ୍ କରୁଛି । ( ରୁବୁର ପରିବାର ଏଠି ଘରେ ରୁହନ୍ତି ) ନିତ୍ୟାନନ୍ଦ ସାରଙ୍କ ସାରଳା ପୁରସ୍କାର ପାଇବା କଥା ଶୁଣି ବହୁତ ଖୁସି ହୋଇଗଲା । କହିଲା , " ଆରେ ଜଟିଆ ! ମନେ ଅଛି ଟି ସେ କବାଟ କଥା ?"


ମୁଁ କହିଲି , " ଭୁଲିବି କେମିତି କହିଲୁ ? ସେଇ ଭୁଲପାଇଁ ପରା ମୁଁ ଅଧ୍ୟାପକ ହେବା ପରଠାରୁ ଆଜିଯାଏ ଅନୁତପ୍ତ ।"


ରୁବୁ କହିଲା, " ଯାହା ହେଉ , ଖୁସି ଖବରାଟାଏ ଦେଲୁ । ବ୍ୟସ୍ତ ହ ନା , ଏ କରୋନା ପରିସ୍ଥିତି ସୁଧୁରିଗଲେ ସାର୍ ଙ୍କ ପାଖକୁ ସାଙ୍ଗ ହୋଇ ଯିବା । ସାର୍ ଏବେ କଟକ ଖପୁରିଆରେ ଘରକରି ନିଜ ତିନି ପୁଅ ସତ୍ୟଶଙ୍କର ( ମୁନା ), ଶିବଶଙ୍କର ( କୁନା ), ଶୁଭଶଙ୍କର ( ପିଣ୍ଟୁ ), ତିନି ବୋହୁ, ନାତି ନାତୁଣୀ ଓ ସ୍ନେହଲତା ମାଡାମଙ୍କ ସହିତ ଖୁସିରେ ଅଛନ୍ତି । "


ଦେଖିଲି ରୁବୁ ସାର୍ ଙ୍କ ବିଷୟରେ ସମସ୍ତ ଖବର ରଖିଛି । ଆଗକୁ ରୁବୁ ସହିତ ସାରଙ୍କ ଘରକୁ ନିଶ୍ଚତ ଯିିବି । ଅଭିନନ୍ଦନ ଜଣାଇବାକୁ ନୁହେଁ , କରିଥିବା ଭୁଲର ପ୍ରାୟଶ୍ଚତି କରିବାକୁ ।



Rate this content
Log in

Similar oriya story from Inspirational