ପ୍ରାରବ୍ଧ
ପ୍ରାରବ୍ଧ
ବୋଉକୁ ମଶାଣୀରେ ଦାହ କରି କାନ୍ଦୁ କାନ୍ଦୁ ମୁନା ଦେଖିଲା ଟିକେ ଦୂରରେ ବୁଢାଲୋକ ଜଣେ ତଳକୁ ମୁଣ୍ଡ ପୋତି କାନ୍ଦୁଛନ୍ତି. ମୁନା ପାଖକୁ ଯାଇ ଦେଖିଲା ଓ ଚିହ୍ନିଲା.ଏ ବ୍ୟକ୍ତି ସେଇ ଡାକିଆ ମଉସା ଯିଏ ତା ଲେଖା ଚିଠି ସବୁକୁ ନେଇଯାଉଥିଲେ ତା ଶହୀଦ ହୋଇଯାଇଥିବା ବାପାଙ୍କୁ ଦେବାକୁ. ପିଲାଦିନେ ସେ ବୁଝିନଥିଲା ଶହୀଦଙ୍କ ଅର୍ଥ. ମାଆ କହୁଥିଲେ ବାପା ତୋର ଦେଶର ସେବା କରିବାକୁ ବହୁ ଦୂର ଚାଲିଯାଇଛନ୍ତି. ତୁ ମନ ଦେଇ ପାଠ ପଢିଲେ ସେ ଫେରିଆସିବେ. ସେ ପାଠ ପଢିଲା ସତ ବାପା କିନ୍ତୁ ଆଉ ଫେରିନଥିଲେ. ବାପାଙ୍କ ପାଖକୁ ସବୁଦିନ ଲେଖୁଥିବା ଚିଠି ସବୁକୁ ଡାକିଆ ମଉସା ନେଇ ତାକୁ ଭରସା ଦେଉଥିଲେ. ବିଶ୍ୱାସରେ ଶତ କଦମ୍ବ ଫୁଟାଉଥିଲେ. କିନ୍ତୁ ଯୋଉଦିନ ଜାଣିଲେ ତା ବାପା ଠିକ ତାଙ୍କ ପୁଅ ପରି ଦେଶ ରକ୍ଷା କରିବାକୁ ଯାଇ ଶହୀଦ ହୋଇଯାଇଛନ୍ତି, ଭାଙ୍ଗିପଡ଼ିଥିଲେ ସେ. ତଳୁ ଉଠେଇଲା ମୁନା ତାଙ୍କୁ. ଏଣିକି ଡାକିଆ ମଉସାଙ୍କର ସବୁକିଛି ମୁନା. ମୁନା ଯେବେ ଦୁଃଖ କରୁଥିଲା ଦେଶ ସେବାରୁ ବଞ୍ଚିତ ହୋଇଛି ବୋଲି ଡାକିଆ ମଉସା କହନ୍ତି ଜନ୍ମଭୂମି ତଥା ଜନ୍ମମାଟିରେ ପିତା ମାତାଙ୍କ ସ୍ମୃତିରେ ଗାଁରେ ରହି ପିତା ମାତାଙ୍କ ସ୍ବପ୍ନ ପୁରଣ କରିବା ମଧ୍ୟ ଦେଶ ସେବା. ମୁନା ବୁଝିଯାଏ ଯେ ତା ପିଲାଦିନର ଡାକିଆ ମଉସାଙ୍କୁ ସାହାରା ଦେଇ ସେ ଠିକ କରିଛି. ପୁତ୍ର ଶୋକ ତଥା ପୁତ୍ର ବିୟୋଗ ପରେ ପତ୍ନୀ ଶୋକରେ ମ୍ରିୟମାଣ ଡାକିଆ ମଉସା ଆଜି ମୁନାର ଡାକିଆ ଅଜା ପାଲଟି ଯାଇଛନ୍ତି. ପ୍ରାରବ୍ଧ କର୍ମଫଳ ଭୋଗୁଛି କହି ଦୁଃଖରେ ଭାଙ୍ଗି ପଡୁଥିବା ଡାକିଆ ଅଜା ଆଜି ମୁନା ପାଇଁ ପୁଣି ବଞ୍ଚିବାର ଇଛାଶକ୍ତି ଫେରିପାଇଛନ୍ତି.
ଡାକିଆ ଅଜା କହୁଥିଲେ ଏ ଜନ୍ମର କର୍ମ ଫଳ ଏଇ ଜନ୍ମରେ ହିଁ ଭୋଗ ହୁଏ ମୁନା. ମୋ ବାପା ତାଙ୍କ ସମସ୍ତ ପେନସନ ଟଙ୍କା ମୃତ ସାନଭାଇ ସ୍ତ୍ରୀ ଓ ପିଲାଙ୍କ ପାଇଁ ଖର୍ଚ୍ଚ କରିଦେଉଥିବାରୁ ମୁଁ ତାଙ୍କ ଶବ ସଂସ୍କାର ବେଳେ ଉପସ୍ଥିତ ହେବାକୁ କୁଣ୍ଠାବୋଧ କରିଥିଲି. ତେଣୁ ଏ ଜନ୍ମରେ ମତେ ପୁତ୍ର କଷ୍ଟ ଭୋଗିବାର ଥିଲା.ପଛରେ ଅନୁତାପ କରି ମାଆକୁ ପାଖରେ ରଖି ତାର ଯାବତୀୟ ମନୋସ୍କାମନା ପୁରଣ କରିଥିଲି ବୋଲି ତୋ ପରି ପୁଅ ତଥା ନାତି ପାଇଛି. ମୁନା କହୁଥିଲା ତେବେ ମୋର କୋଉ ପାପ କର୍ମ ପାଇଁ ମୁଁ ମୋ ପିତା ମାତାଙ୍କୁ ହରେଇଲି ଅଜା?ଅଜା କହିଲେ ସେଇଟା ତୋର ପାପ ନୁହେଁ. ପୁତ୍ରକୁ ବସେଇ ପିତା ମାତା ଆଗ ଚାଲିଯିବା ଏକ ସୁକୃତ ସ୍ୱରୂପ ଫଳ. ଏହା କହି ନିଜ ମାଆଙ୍କର ଶେଷ ଚିଠି କାଢି ଡାକିଆ ଅଜା ମୁନା ହାତକୁ ବଢ଼େଇ ଥିଲେ ଯୋଉ ଚିଠିରେ ଲେଖାଥିଲା ପିତା ମାତାଙ୍କ ସୁକୃତରୁ ପୁତ୍ର ହୁଏ ସୁଖୀ.. ପୁତ୍ର ଯଦି ସୁଖୀ ହୁଏ କୂଳ ଧର୍ମ ରଖି. ସେ ଚିଠି ସହିତ ମୁନା ପିଲାଦିନେ ତା ଶହୀଦ ବାପାଙ୍କ ପାଖକୁ ଲେଖିଥିବା ସମସ୍ତ ଚିଠି ମଧ୍ୟ ଥିଲା ଏବଂ ତା ସହିତ ଡାକିଆ ଅଜାଙ୍କ ଫୌଜି ପୁଅର ଶେଷ ଚିଠି ମଧ୍ୟ ଥିଲା.ସେହି ସବୁ ଚିଠି ଅଜା ନାତି ଦୁହିଁଙ୍କ ଆଖିର ବର୍ଷାରେ ଭିଜୁଥିଲା.।
