STORYMIRROR

Bhagirathi Mohanty

Abstract Tragedy Others

4  

Bhagirathi Mohanty

Abstract Tragedy Others

ପର ଆପଣା

ପର ଆପଣା

8 mins
347


ଆଜି ପୂର୍ଣ୍ଣମୀ କିନ୍ତୁ ଚାରିଆଡେ ଅନ୍ଧାର। ଜୋଛନା କୁ ଘୋଡେଇ ରଖିଛି କଳା ହାଣ୍ଡିଆ ମେଘ। ବିଜୁଳି ମାରୁଛି ମଝିରେ ମଝିରେ। ବର୍ଷା  ହେବ କି? ସିମେଣ୍ଟ ଚଉତରା ରେ ବସି ବସି ନିଦ ଆସି ତାକୁ ଲକ୍ଷ ଭ୍ରଷ୍ଟ କରୁଥିଲେ ବି ଫୁଟିକି ରେ ଉଡେଇ ଦେବା ର ଶବ୍ଦ ନିଜେ ଶୁଣୁଥିଲା ପ୍ରବୀର। କେତେ ବାସ୍ ଯାଉଛନ୍ତି ଆସୁଛନ୍ତି। ଦକ୍ଷିଣ ରୁ ଆସୁଥିବା ବାସ୍ ଗୁଡିକ ରହଣି ଜାଗାରେ ଠିଆ ହେବା ପୂର୍ବରୁ, ସେ ଆଖି ଡବ ଡବ କରି ଚାହେଁ। କି ଅସମ୍ଭବ କଥା! ବାସ୍ ‌ଗୁଡାକ ନାରୀ ବିହୀନ କେମିତି ! ସେ ଯାହାକୁ ଖୋଜୁଛି ସେ ନାରୀ ଶ୍ରେଣୀୟ । ୟାର ଅର୍ଥ କଣ ଏଇୟା ଦୁଧ ଖାଉଥିବା ଟିକି ଝିଅ କୁ ବି ତାକୁ ଦରକାର! ତା' ମୁଣ୍ଡରେ କିଏ ପାହାର ଟିଏ ପକେଇଲା । କାହାର ହାତ! ତା'ସମ୍ମୁଖ କୁ ଚାଲି ଆସିଥିବା ହାତଟାକୁ ସେ ଧରି ପଚାରିଲା,"ତମେ କିଏ? ମତେ ମାରୁଛ କାହିଁକି ?" ସେ ହାତ ଟାକୁ ତା'ମୁଠାରେ ଧରିନେଲା । ଏଇଟା ତ ତା'ନିଜ ହାତ! ସରି, କିନ୍ତୁ ତା'ନିଜ ହାତ ତାକୁ ମାରିଲା !

   "ଭୁଲ କରିଥିବାରୁ।"

 "କିଏ ତମେ ?"

 ସେ ଚାରିଆଡେ ଚାହିଁଲା ଯାତ୍ରୀମାନେ ଯିବା ଆସିବା କରୁଛନ୍ତି ।ସେ ନିଜ ଭିତରକୁ ନିରୀକ୍ଷଣ କଲା। ଆରେ ତା'ଭିତରୁ କେହିଜଣେ କହୁଛି,"ତମେ ଏତେ ଗାଳି ଖାଇବା ସତ୍ତ୍ଵେ ବି ସୁଦ୍ଧା ବି ବାଟ କୁ ଆସୁ ନାହଁ?"

 ସେ ଭିତରୁ କୁ ନଦେଖି ବାହାରକୁ ଚାହିଁଲା। କେହିଜଣେ ଆସୁଛି ତା'ଆଡକୁ । ଆରେ ଇଏ ତ ଶୋଭା !

   ଖୁସିରେ ମୂର୍ଚ୍ଛା ହେଇ ଯିବ କି ସେ! ତା'ପାଖରେ ପହଞ୍ଚିବା ଯାଏଁ ସେ ବସି ପାରି ନଥିଲା ; ତାକୁ ଭିଡି ନେବ କି !,"ତୁ ଏତେ ଡେରିରେ ! ସକାଳ ଯାଇ ସଂଜ ହେଲାଣି ,ମୁଁ ଗୋଟେ ଜାଗାରେ ବସିଛି ଯେ ବସିଛି.....।"

  ପ୍ରବୀର କଥାରେ ଗୁରୁତ୍ବ ନ ଦେଇ ସେ କହିଲା,,"ସାର୍,ଚାଲନ୍ତୁ କିଛି ଖାଇ ନେବା।ମୋ ପେଟରେ ମୂଷା ଦୌଡୁଛି।"

   ତା'କଥା ରେ ଦମ୍ ଥିଲା।"ମୁଁ ବି କିଛି ଖାଇ ନାହିଁ।ତମେ କୁଆଡେ ହଜି ଯିବ ଏଇ ଗହଳି ଭିତରେ,;ବସି ପାରୁନିକି,ଠିଆ ହୋଇ ପାରୁନି;ଖାଲି ଦୌଡୁଛି, ଦକ୍ଷିଣ ରୁ ଆସୁଥିବା ବାସ୍ ଗୁଡିକ ପାଖକୁ।" ଶତ ପ୍ରତିଶତ ତାକୁ ଭଲ ପାଇବାର ନମୂନା ପେସ କରୁଥିଲା ସେ।

  ଶୋଭା ର ହସର ତେରେଛା ବାଣରେ ତା' ଲୋମ କୂପ ମାନଙ୍କର ଶିହରଣ, ସେ ତାକୁ ଦେଖେଇ ପାରୁନଥିଲା।

  ରେଷ୍ଟୁରାଣ୍ଟ ର ପିଲାକୁ ଡାକି ଖାଇବା ଅର୍ଡର୍ ଦେଇଥିଲା ଶୋଭା। ୟା ଠାରୁ ବେଶୀ ଖୁସିର କଥା ଆଉ କିଛି ନଥିଲା ପ୍ରବୀର ପାଇଁ।

  ଦୁଇଟି ପ୍ଲେଟରେ ଲଡୁ, ଗୋଲାପ ଜାମ, ଗୁଡ ରସଗୋଲା,ଛେନାପୋଡ଼ ଥୋଇଦେଲା ପରେ ଶୋଭା ବିନା ବାକ୍ୟ ବ୍ୟୟ ରେ ମାତ୍ର କେଇ ମିନିଟ ମଧ୍ୟରେ ପ୍ଲେଟ ଖାଲି କରି ଦେଇ ଆହୁରି ବରାଦ ଦେଇ, ପ୍ରବୀର କୁ ଚାହିଁ ଦେବା କ୍ଷଣି ଦୁଇ ଚକ୍ଷୁର ମିଳନ ହୋଇଥିଲା । 

  "ଆରେ ସାର୍ , ଆପଣ ଖାଉ ନାହାନ୍ତି ଯେ !"

 ପ୍ରବୀର ତାକୁ କହି ପାରୁନଥିଲା,ତୁମ କୁ ଦେଖି ମୋ ପେଟ ଅଧାରୁ ବେଶୀ, ବାକି ଅଧାକ ତୁମ ଖାଇବା ସମୟର ପରିତୃପ୍ତିର ହସ ଦେଖି ପୂରି ଯାଇଛି। 

  ଏଇ ବୁଢାଟା କୁ କ'ଣ କହିବ ଯେ ସେ। ତାକୁ ଖାଇ ଯିବା ପରି ଚାହିଁ ରହିଛି।କେତେ ବିକଳ ହେଉଛି ତା'ଲାଗି !ବୟସ ଷାଠିଏ ରୁ ବେଶୀ ହେବ। ଏବେବି ଟୋକୀ ଙ୍କ ପାଇଁ ପାଗଳ। ୟାର ଘର ଦ୍ବାର, ଛୁଆ ପିଲା, କିଛି ଅଛନ୍ତି କି ନାହିଁ। ସୁଧି ଦେବାବେଳେ ପ୍ରବୀର ପଦେ ଉଁ କି ଚୁ କିଛି କହିବ ନାହିଁ। ପୁଣି କିଛିଦିନ ଅନ୍ତରରେ ତେଲ ମାଲିଶ କରିବା ଆରମ୍ଭ କରିଦେବ; ଯେମିତି କିଛି କେହିନଥିଲା ଶୋଭା।

   ପ୍ରବୀର ପଇସା ଚୁକ୍ତି କଲା ପରେ ଦୁଇଜଣ ରେଷ୍ଟୁରାଣ୍ଟ ଛାଡିଲେ।

 ଶୋଭା ପଚାରିଲା,"ୟା ପରେ କୁଆଡେ ଯିବା, ସାର୍?"

  ତା'ର ଏଇ 'ସାର୍' ଡାକରେ କୃତ୍ୟ କୃତ୍ୟ ହୋଇ ଯାଏ ପ୍ରବୀର।'ସାର୍,' ଡାକ ଶୁଣିବା ପାଇଁ ଗୋଟେ ଯୁଗ ବିତି ଗଲା।

  "ଆପଣଙ୍କୁ କ'ଣ ପଚାରିଲି ପରା ?" ଶୋଭା ସାମାନ୍ୟ ଉତ୍ତେଜିତ ଜଣା ପଡୁଥିଲା।

  କାନରେ ତତଲା ତେଲ ଢାଳିବା ପରି ଚିହିଁକି ଉଠିଲା ସେ।ରାଗିଗଲା କି?ସିଏ ରାଗିଗଲେ ତା' ଗାଲ ଗୋଲାପୀ ଦିଶେ।ସେଇ କେତୋଟି ମୁହୂର୍ତ୍ତ ସେ ମନ ଭରି ଉପଭୋଗ କରେ।ବେଶୀ ରାଗିଗଲେ ମୁ‌ହଁଟା ଲାଲ ଦିଶେ।

  ଅଟୋରେ ଯିବାବେଳେ ରାସ୍ତା କଡରେ ଗରମ ଗରମ ସିଙ୍ଗଡ଼ା, ବରା ଦେଖି ତା' ଭୋକ ଦ୍ଵିଗୁଣ ହୋଇ ଗଲା। ଶୋଭା କହନ୍ତା କି, "ଏଇଠି ଅଟୋ ରଖ।" 

  ନା, ସେ ପେଟେ ମିଠା ଖାଇ ଦେଇଛି। ତା' ପେଟରେ ହାତ ମାରି ଦେଖିଲା,ପେଟ ଆଉ କାହିଁ ? ଯାଇ ପିଠିରେ ଲାଗିଲାଣି ପରା? ଗୋଟେ ଦିନ ତାକୁ ସେ ଉପାସ ରଖି ଦେଲା ‌‌। ତାକୁ ଡାକୁଛି କି ?

   "ସାର୍,କାନ ରେ ନ ଶୁଣି ଆଖିରେ ଶୁଣନ୍ତୁ; କୋଉଠି କୁ ନେଇ ଯାଉଛନ୍ତି?"

  "ବିଗ୍ ବଜାର ।"

"ବଡ ବଜାର? ସେଠି କ'ଣ କରିବା?"

  "ତମେ କେବେ ଭୁବନେଶ୍ଵର ଆସିନ କି?" ଅନୁଚ୍ଚ ସ୍ବର ରେ ପଚାରିଲା ପ୍ରବୀର।ଶୁଣି ଥିଲେ ତ ରାଗି ଯାଇ ଥାନ୍ତା। ନା, ଶୁଣିନି ବୋଧେ। କେତେ ଦିନ ପରେ ପାଇଛି ତାକୁ_ ବର୍ଷକ ରୁ ବେଶି ହେବ; ଫୋନରେ ଫୋନରେ କଥା ହୋଇ ହୋଇ। 

   'ବିଗ୍ ବଜାର', ସାମନା ରେ ଅଟୋ ଲାଗିଲା। ତା'ହାତ ଧରି ହିରୋ ଙ୍କ ପରି ଭିତରକୁ ଯିବା ପାଇଁ ହାତ ବଢେଇବା ବେଳକୁ ଆଉ ଏକ ଅଜଣା ଯୁବତୀ ର ହାତ ଧରି ଗୁଡାଏ ଗାଳି ଶୁଣିଲା ଯାହା....। ମୁହଁରେ ରୁମାଲ ଜାକି ହସୁଥିଲା ଶୋଭା।

   ତାପରେ ପାହାଚ ପରେ ପାହାଚ ଅତିକ୍ରମ କରି ପ୍ରତ୍ୟେକ ମହଲାରେ ଅଧଘଣ୍ଟାଏ ରୁ ବେଶି ସପିଙ୍ଗ କରି ଜୋତା ଛତା ଠୁ ଆରମ୍ଭ କରି ଡ୍ରେସ,ନାଇଟି,ବ୍ୟାଗ,ଡିଜିଟାଲ ଫୋନ୍,ଘଣ୍ଟା,ସାମ୍ପୋ, ସାବୁନ; କିଣି ଦେଇ ଶୋଭା ର ମୁହଁ କୁ ଚାହିଁ ତା'ର ଖୁସି ର ସୀମା ଆକଳନ କରିବା ପାଇଁ ଚେଷ୍ଟା କରୁଥିଲା ସେ।କେମିତି ଏକ ବିରକ୍ତି ପଣ ତା'ଅଙ୍ଗ ଅବୟବ ରୁ ସ୍ପଷ୍ଟ ବାରି ହେଉଥିଲା।

  ଏଥର ମୁହଁ ସଳଖ କରି ପ୍ରବୀର କୁ ଚାହିଁ ସେ ପଚାରିଲା,"ସାର୍ ଯିବା ?ମୋ ଶେଷ ବାସ୍ ନ'ଟାରେ।"

  "ତମେ କୁଆଡେ ଯିବ? ହୋଟେଲ ରେ ରୁମ୍ ବୁକ୍ କରିଛି। ରାତି ସୋ ସିନେମା ଟିକେଟ କରିଛି.....‌"

  "ଆପଣ ମତେ ନ ପଚାରି କରିଥିଲେ କାହିଁକି?ମୋ ବୋଉ ଦେହ ଖରାପ। ବାପା ଦୂରରେ ଚାକିରି କରନ୍ତି,ସାନ ଭାଇ ପାଠ ପଢ଼େ କଟକ ମେଡିକାଲ୍ ରେ। ସବୁ ଦାୟିତ୍ବ ମୋ ଉପରେ। ମତେ ଛାଡି ଦିଅନ୍ତୁ ବସ ଷ୍ଟାଣ୍ଡ ରେ।"  

  କ୍ଷୁବ୍ଧ ହୋଇଗଲା ଶୋଭା।ତା'ର ଚଣ୍ଡି ରୂପ ଦେଖି ସେ ତ୍ରାହି ତ୍ରାହି କରୁଥିଲା।

 ତା'କଥା ର କ୍ଷିପ୍ର ସ୍ରୋତ ରେ ଭାସି ଯାଇଥିଲା ପ୍ରବୀର। ତା'ସ୍ବପ୍ନ ର ଦୁର୍ଗ ଭୁସୁଡ଼ି ପଡୁଥିଲା।ତାକୁ ସେ ଯେତୋଟି ବାକ୍ୟ କହିଲା ପ୍ରତ୍ୟେକ ଟା ତା'ଗାଲରେ ଶକ୍ତ ଚାପୁଡା କଷି ଦେବା ପରି ଲାଗୁଥିଲା। ତଥାପି ସେ ସମ୍ଭାଳି ନେଲା; କେବଳ ଆଗକୁ ସମ୍ପର୍କ ରଖିବା ମୋହରେ।

   "ମୁଁ କ'ଣ କହୁଥିଲି କି,ଯଦି ବାସ୍ ଫେଲ୍ ହେବାର ଭୟ ଅଛି, ତା'ର ମାନେ ....

   "କ'ଣ ମାନେ ମାନେ ମାନେ ହଉଛନ୍ତି, କଥାଟା ଖୋଲି କରି କୁହନ୍ତୁ!

   "ଭୋକ ଲାଗି ନି?ଭୋକ ଲାଗୁଥିବ ନିଶ୍ଚୟ ଏଇ ପାଖରେ ଗୋଟେ ଭଲ ହୋଟେଲ ଅଛି ଖାଇ ନେବା ?"

  ନୂଆ ଡିଜିଟାଲ ଘଣ୍ଟା ର ଟାଇମ ଦେଖି ଚିଡି ଯାଇ ସେ କହିଲା,"ଶୀଘ୍ର ଅଟୋ ଡାକନ୍ତୁ।ଦେଖିଲା ଅଟୋ ଟା ଘରର ଘରର କରୁଛି,"ଏଇ ତ ଆମକୁ ଅପେକ୍ଷା କରିଛି ଅଟୋ ,ଜଲଦି ବସି ଯାଆନ୍ତୁ।"

  ଷ୍ଟାଣ୍ଡ ରେ ବାସ୍ ଯିବ ଯିବ ହେଉଛି। ସେ ଉଠିଗଲା,ତା'ସହିତ ପ୍ରବୀର ବି।

   ଗହଳି ଭିତରେ ଦି'ଜଣ ଠେଲି ପେଲି ପଶିଯିବା ବେଳକୁ ଗାଡି ହୁଁ.....କରିବାବେଳେ ପ୍ରବୀର କୁ ଚାହିଁ ଶୋଭା ପଚାରିଲା ,"ଆପଣ ଯିବେ କି!"

  "ନା,ଏଇ ପାଞ୍ଚ ହଜାର ଟଙ୍କା ଧର, ପହଞ୍ଚି ଫୋନ୍ କରିବ।"

  ଆଁ ଟାଏ କରି ସେ ପ୍ରବୀର କୁ ପଲକ ପାତ ନ କରି ଚାହିଁ ରହି ଭାବୁଥିଲା ଏ ବୁଢା ପାଖରେ ବହୁତ ମାଲ ଅଛି । ତା'ବ୍ୟାଙ୍କ ଜମା ସବୁ ଶୂନ୍ୟ କରିଦେବ ସେ। ନିଜ ସ୍ତ୍ରୀ ପିଲା ଛୁଆଙ୍କୁ କଥା ନ ବୁଝି ପର ଝିଅ ମାନଙ୍କୁ ପଟେଇ ବାର ମଜା ଛଡେଇ ଦେବ। କ୍ରୋଧରେ ତା'ନାସିକା ରୁ ମହାବାତ୍ୟା ର ସୂଚନା ମିଳୁଥିଲା।

  ଏତେ ଡେରି ହେଲାଣି! ମାର୍କେଟରେ କିଛି ପରିବା ପତ୍ର ଥିବ କି ନାହିଁ!! କେତେଥର ଫୋନ କଲାଣି ବନଜା। ରେଷ୍ଟୁରାଣ୍ଟ ରେ ପହଞ୍ଚି , ଯାହା ପାଇଲା ଗିଳି ପକାଇଲା।

  ଖାଉଥିଲା,ଆଉ ଭାବୁଥିଲା,ଶୋଭା ଘରେ ପହଞ୍ଚି ଫୋନ୍ ନକଲେ ତା'ମୁଣ୍ଡ ଖରାପ ହୋଇଯିବ।କରିବ ନା?  

  ଏକଥା ଭାବିବା ବେଳେ ବନଜା ଫୋନ କଲା,"ଆଜି ଘରକୁ ଫେରିବ ନା ନାହିଁ?"

   ଉତ୍ତର ନ ଦେଇ, ବ୍ୟାଗ ଧରି ସେ ପରିବା ହାଟ ଭିତର କୁ ଯାଇ ଦେଖେ,ସବୁ ପରିବା ପଚାଶ ଉପରେ ;ତାହା ପୁଣି ତଟକା ନୁହେଁ। ଅସାଧୁ ବ୍ୟବସାୟୀ ମାତି ଛନ୍ତି। ସେମାନଙ୍କ ଉପରେ ସରକାରଙ୍କ ଲଗାମ କାମ କରୁନାହିଁ_ବଟି ଦେଉଛନ୍ତି ସରକାରୀ ଲୋକଙ୍କୁ, ସେମାନଙ୍କର କିଏ କ'ଣ କରିବ?

   ପରିବା ଧରି ଘରେ ପହଞ୍ଚିବା ବେଳକୁ ରାତି ଦଶଟା ଅଧେ ।ସି.ସି.ଟିଭି ଲାଗିଥିବାରୁ ବେଲ୍ ବଜାଇବା  ଦରକାର ହେଲାନି।

  ଦୁଆର ଖୋଲିବା କ୍ଷଣି ବନଜା , ତା'ଉପର କୁ ମାଡି ଆସି ହାତରୁ ସ୍ମାର୍ଟ ଫୋନ ଟା ଛଡେଇ ଆଣି କହିଲା,"ସେଇ ଝିଅ ନା ଆଉ କେହି?"

   ଫୋନ୍ କଲ୍ ଚେକ୍ କରି ଜାଣି ପାରିଲା ସେଇ ଶୋଭା। ରାଗରେ ଥରୁଥିଲା ସେ।

    "ଦଉଛି ତାକୁ।" 

  ବନଜା ର ଉଗ୍ର ମୂର୍ତ୍ତୀ ଦେଖି,ଗୋଡ ଧରି ପକାଉଥିଲା ସେ,"ପ୍ଲିଜ, ତାକୁ ଫୋନ୍ କରନି ଆଉ ଏ ଭୁଲ କରିବିନି।"

  ଫୋନ୍ ଟା ଫୋପାଡି ଦେଇ କହିଲା,"ଆଜି ଖାଇବା ବନ୍ଦ।"

  ନିଜକୁ ନିଜେ ଧନ୍ୟବାଦ ଦେଉଥିଲା ପ୍ରବୀର,ସେ ରେଷ୍ଟୁରାଣ୍ଟ ରେ ଖାଇ ନଥିଲେ ଦିନ ରାତି ଖାଡା ଉପାସ ରହି ଥାଆନ୍ତା । 

   କିଛି କ୍ଷଣ ପରେ ପୁଣି ଶୋଭା ଚିନ୍ତା;ପହଞ୍ଚିଲା କି ନାହିଁ।ଫୋନ୍ କରି ପଚାରିବ ପଚାରିବ ଭାବୁ ଭାବୁ କେତେବେଳେ ଫୋନ୍ ଟା ହାତରୁ ଖସି ପଡିଥିଲା। ସେ ଶୋଇ ପଡିଥିଲା।

  ସକାଳ ହେଲା। ଯେ ଯାହାର କାମରେ ବ୍ୟସ୍ତ ରହିଲେ; ଶୋଭା ଭାବନାରେ ମଜ୍ଜି ଯାଇଥିଲା ସେ। ପହଞ୍ଚି ଫୋନ୍ କରିବାକୁ କହିଥିଲା,କଲାନି। ଚାରିଆଡେ ଚାହିଁଲା ସେ।ବନଜା ବାଥ ରୁମ୍ ରେ । ବଡ ପୁଅ ଝିଅ କଲେଜ ଗଲେଣି।ସବୁଠାରୁ ଛୋଟ ଝିଅ ଟା 'ମାଁ ମାଁ'ହେଉଛି।ଏଇଟା ଠିକ୍ ସମୟ ଫୋନ କରିବା ପାଇଁ। ଫୋନ କଲା; ବ୍ୟସ୍ତ ଦେଖେଇଲା,ତିନିଥର ଯାକ।ବାଥ୍ ରୁମ୍ ଖୋଲିବାର ଶବ୍ଦ ଶୁଭିଲା । ଫୋନ ରଖିଦେଲା ସେ।

   ବନଜା ଶାଢୀ ନ ପାଲଟି ପଚାରିଲା,"ଏମିତି ଇଆଡେ ସିଆଡେ ଚାହୁଁଛ ଯେ କିଛି ଚୋରି କାମ କରିଛ କି?"

 ତା'ହାତରୁ ଫୋନ୍ ନେଇ ଯାଇ ଦେଖି ରାଗି ଯାଇ ପଚାରିଲା,"ପୁଣି ତାକୁ ଫୋନ କଲ? ଯାଉନ ତା'ପାଖରେ ରହିବ?"ଫୋନ୍ ଟା କଚାଡି ଦେଲା ତଳେ।

  ପ୍ରବୀର ଫୋନ୍ ଟା ତଳୁ ଉଠାଇ ଆଣି ରୁମାଲ୍ ରେ ପୋଛା କରୁ ଥିଲା _ଯେମିତି ସେଇଟା ଶୋଭା !!

 ବନଜା ଶାଢୀ ପିନ୍ଧି ଆସିବା ପୂର୍ବ ରୁ ସେ ବଜାର ପଳେଇ ଯାଇଥିଲା।

 ଚା' ପିଉ ପିଉ କେତେବେଳେ ଦି'ତିନ କପ୍ ହେଇ ଗଲାଣି। "ସାର୍,କିଛି ଖାଇଛନ୍ତି; ନହେଲେ ଏସିଡ ହୋଇ ଯାଇ ପାରେ?"ଟାଇଗର ର ଛୋଟ ପ୍ୟାକେଟ ଟିଏ ତା'ହାତକୁ ବଢେଇ ଦେଇଥିଲା ଦୋକାନୀ ମୋହନ।

   ୟା ପରେ ଶୋଭା କୁ କଲ କରି କରି ଥକି ପଡିଥିଲା ପ୍ରବୀର।କମ୍ପୁଟର ବାରମ୍ବାର କହୁଛି,"ଆପଣ ଯାହାକୁ କଲ୍ କରୁଛନ୍ତି ସେ ତା'ର ଉତ୍ତର ଦେଉ ନାହାନ୍ତି।" ଫୋନ ଟା ଉପରେ ରାଗ ଶୁଝି ଥିଲା ପ୍ରବୀର।

  ଫୋନ୍ ଟା ପେଣ୍ଟ ପକେଟ୍ ରେ ରଖୁ ରଖୁ ରିଙ୍ଗ ହେଲା।ସେଇଟି କୁ କାଢିବା ବେଳେ ଦି' ତିନି ଥର ଖସେଇ ପକେଇଲା।କେଡେ ଫାଲତୁ ଲୋକଟା।

  "ଶୋଭା... ଫୋନ୍ କରିଛି ଶୋଭା..."। ସେ ଜୋରରେ କହୁଥିଲା।

  "ଏତେ ବଡ ପାଟି! ସାର୍ ଲଟେରୀ ଲାଗିଗଲା କି!!"ପଚାରୁଥିଲା ଚା' ଦୋକାନୀ।

    ତା'କଥା ନ ଶୁଣି ବଡ ବଡ ପାଦ ପକେଇ ଆଗକୁ ଚାଲିଥିଲା।

   "ଶୋଭା, କାଲି ଫୋନ୍ କରିଲ ନି କାହିଁକି?" 

  ତା'ଖୁସି ର ମାନେ ଶୋଭା ପାଇଁ କିଛି ନଥିଲା।

   ତା'ଖୁସି, ସ୍ବାର୍ଥ ପ୍ରଣୋଦିତ ।

   "ସାର, ସାର୍ ଶୁଣନ୍ତୁ, ମୁଁ ଓ.ଇ.ଏସ. ଦେବି । ଆପଣଙ୍କ ଉପରେ ବହି ପତ୍ର ର ଦାୟିତ୍ବ। ଆପଣ ଭୁବନେଶ୍ଵରରେ ଅଛନ୍ତି ,ବହି କିଣିବା ରେ କିଛି ଅସୁବିଧା ହେବନାହିଁ; ଭୁବନେଶ୍ଵର ନହେଲେ କଟକ, ଯୋଉଠି ହେଲେ ମିଳିଯିବ। ଯେତେବେଳେ କହିବେ ଯିବି।"

   ପ୍ରବୀର ତ ଦବା ବାଲା କିନ୍ତୁ ଭୁବନେଶ୍ଵର ରେ ଯାହା ହେବ; କଟକ ତା'ସାଙ୍ଗରେ ଯାଇ ପାରିବନି,

 ଛଞ୍ଚାଣ ଆଖି ଦି'ଟା ତାକୁ ଚାହିଁ ରହିଛି,କେତେ ଲୁଚି ଛପି କରିବ_ କାହା ସହିତ କେତେବେଳେ ଫୋନ୍ କଲେ, ବନଜା ର ପ୍ରତ୍ୟେକ କଥା ଛୁରୀ ର ଧାର ପରି କଚ୍ କିନା କାଟି ପକେଇବ। 

  ତଥାପି ଦମ୍ଭ ଦେଖେଇ କହିଲା,"ଠିକ୍ ଅଛି,ଯୋଉ ଦିନ ଆସିବ ତା'ପୂର୍ବ ଦିନ କହିବ।"

 ସେ ହସି ହସି କହିଲା "ମୁଁ କହିବି ଆପଣ ରଖି ବେନି; ଏକଥା କ'ଣ ହେଇ ପାରେ? ମୁଁ ଯିବାର ଦିନେ ଆଗରୁ କହିବ।"

   ଇଏ ଫୋନ୍ କାଟିଲା ନା ସିଏ! ଯିଏ କାଟୁ,ତାକୁ ସତର୍କ ରହିବାକୁ ହେବ;ଫୋନ କୁ ଗୋଟେ ଘର ଚାର୍ଜ କରି ଅନ୍ୟ ଏକ ଘରେ ବସିବନି; ଜୋକ ପରି ଜଡେଇ ରଖି ଥିବ ସେଇଟି। ତା'ର ଏଇ ଆବିଷ୍କାର ଟି ଶୋଭା କରିଥିଲା ।ଆଉ ସେ ଶିଖେଇ ଥିଲା ବି ଫୋନ୍ ଲକ୍ କରି ରଖିବା ଲାଗି।ଏଇଟା ଗୋଟେ ଭଲ ଉପାୟ ବନଜା ଠାରୁ ନିରାପଦରେ ରହିବା ପାଇଁ।  

  ଏଇ ଲୁଚା ଲୁଚି ଖେଳ ରେ ବେଶୀ ଲାଭ  ହେଉଥିଲା ଶୋଭାର।

   ୟା ପୂର୍ବରୁ ଯେଉଁ କେତୋଟି ଝିଅ ସହିତ ସମ୍ପର୍କ ରଖିଥିଲା ସେମାନେ ସମସ୍ତେ ବାହା ହୋଇ ଗଲେଣି।ତା'ର ଏଇ ଉଦାରତା କୁ ବୁଝି ନ ପାରି,ଲୋକମାନେ ତାକୁ ଅପମାନ କରୁଥିଲେ।ତା'ର ଏଇ ସରଳତାର ସୁଯୋଗ ନେଉଥିଲେ। ସେମାନେ କହୁଥିଲେ," ଝିଅ ମାନଙ୍କ ସହ, ଘନିଷ୍ଟ ହେବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛି ପ୍ରବୀର" । 

   ସେମାନେ ଯାହା କହୁଥିଲେ ଠିକ୍ । ତା' ବୟସ ରୁ ଦୁଇଗୁଣ ସାନ ଝିଅ ମାନଙ୍କୁ ସେମାନଙ୍କ ଶିକ୍ଷା, ସ୍ଵାସ୍ଥ୍ୟ, ପରିବାର ଆର୍ଥିକ ଅନାଟନ ରେ ମୁକ୍ତ ହସ୍ତ ରେ ଦାନ କରି ସେମାନଙ୍କ ପ୍ରଶଂସା ଲାଭ କରୁ ଥିଲା । ଯିଏ ତାକୁ ଯେଉଁ ଭାବରେ ନେଉ ସିଏ କିନ୍ତୁ ଗୋଟିଏ ସତ୍ୟ କୁ ଭଲ ଭାବରେ ଜାଣିଥିଲା ତା'ର ଉଦାରତା ଏବଂ ଦାନୀ ପଣିଆ ର ହିସାବ ଉପରକୁ ଗଲେ ପାଇବ। ଅନିତ୍ୟ ସୁଖ ପଛରେ କେବେ ସେ ଦୌଡୁ ନ ଥିଲା।ସେଇଥିପାଇଁ କିରାଣି ଚାକିରିରୁ ଯେଉଁ ଉପରି ମିଳୁଥିଲା, ସେଇ କଳା ଧନ କୁ ଧଳା କରିବା ପାଇଁ ସେ ଏଇ ମାନଙ୍କ ପଛରେ ଖର୍ଚ୍ଚ କରୁଥିଲା_ନୂଆ ପ୍ଲଟ ଟିଏ କି ଘର ଟିଏ ସେ କିଣି ନଥିଲା। ତା'ର ଏଇ ସଂଶୟ ଜଡିତ ଚରିତ୍ର ଲାଗି,ତା'ର ଘନିଷ୍ଟ ବନ୍ଧୁ ନିଜ ନିଜ ଭିତରେ ଆଲୋଚନା କରୁଥିଲେ,"ପ୍ରବୀର ଅନ୍ୟ ଜଣେ ଗୋପବନ୍ଧୁ ହୋଇ ପାରିଥାନ୍ତା ଯଦି ଝିଅ ପୁଅ ନିର୍ବିଶେଷରେ ସେ ସମସ୍ତଙ୍କୁ ସାହାଯ୍ୟ କରୁ ଥାନ୍ତା।" ନିଃସନ୍ଦେହରେ ସେ କେବଳ ସୁନ୍ଦରୀ ଝିଅ ମାନଙ୍କ ପରିବାର ର ଆର୍ଥିକ ସ୍ଥିତି ର ଉନ୍ନତି କରୁଥିଲା।ସେମାନେ କିଛି ମାଗିବା ପୂର୍ବରୁ ସେମାନଙ୍କ ଅଭାବ ନ ପଚାରି ଜବରଦସ୍ତି ଡ୍ରେସ,ଜୋତା,ଆପଲ, ସ୍ୱାସ୍ଥ୍ୟ ଠିକ୍ ରଖିବା ପାଇଁ ବିଭିନ୍ନ ଉପାଦେୟ ଜିନିଷ କିଣି ଦେଉଥିଲା।

  ଏପରି ଜଣେ ଉଦାର ଏବଂ ଉଚ୍ଚମାନର ଲୋକକୁ ଭୁଲ ବୁଝୁଥିଲେ କାହିଁକି !!

    ସ୍ତ୍ରୀ ଝଗଡ଼ା କରୁଥିଲା ପିଲା ଛୁଆଙ୍କୁ ପର କରି ଏଇ ବୟସ ରେ ଝିଅମାନଙ୍କ ପଛରେ ଗୋଡେଇ ବଦନାମ ହେଉଛି ବୋଲି। ଏଇ ଦୁନିଆରେ ସମସ୍ତେ ପର କେହି ବି ନିଜର ନୁହନ୍ତି। ଶ୍ମଶାନ ର ସାଥି ସମସ୍ତେ।

    ତା'ହୃଦୟ କେଡେ ବଡ; ସ୍ନେହ ର ଗଣ୍ଠି ରେ ସମସ୍ତଙ୍କୁ ଗଣ୍ଠି ପକେଇ ରଖିବ।ସିଏ ଜୀବନ ର ବଡ ବଡ ଝଡ ସହି ଯେଉଁ ମାନଙ୍କୁ ନିଜର କରିବା ପାଇଁ ସବୁ ବଳି ଦେଇଛି ; ସେ ଶୋଭା ହେଉ ବା ସୁମିତ୍ରା ମରିବା ପରେ ସେମାନେ ଯଦି ଲୁହ ଟୋପେ ଟୋପେ ଆଖିରୁ ଝରେଇ କହିବେ"ସାର୍, ଆପଣ ସବୁଦିନ ଆମର ଆମେ ଅଭିନ୍ନ; ଏକ" ସେତିକି ତା'ପାଇଁ ଯଥେଷ୍ଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract