Sambit Srikumar

Inspirational

4.0  

Sambit Srikumar

Inspirational

ପୋଥି ବାଇଗଣ

ପୋଥି ବାଇଗଣ

2 mins
137


ପ୍ରଫେସର୍ ଜାନକୀ ରମଣ ସିଂହ! ନୂଆଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ। ତିନି ଶହରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରିସାରିଛନ୍ତି ଏକକ ଏବଂ ଯୌଥ ଭାବରେ। ନିଜର ଦୀର୍ଘ ପଞ୍ଚତିରିଶି ବର୍ଷର ଅଧ୍ୟାପନା ଜୀବନରେ ଅଗଣିତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଦେଶବିଦେଶରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ। ସଂଘୀୟ ପ୍ରଶାସନିକ ସେବା ଓ ପ୍ରାଦେଶିକ ପ୍ରଶାସନିକ ସେବାରେ ମଧ୍ୟ ଅଧିକାଂଶ ଛାତ୍ରଛାତ୍ରୀ ସେବାରତ। 


ଏତଦବ୍ୟତୀତ ମୁଷ୍ଟିମେୟ ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟର ପ୍ରାନ୍ତୀୟ ସରକାରରେ ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଏସବୁ ଉପଲବ୍ଧିକୁ ନିଜ ଅଧ୍ୟାପକ ଜୀବନର ଅମୂଲ୍ୟ ସମ୍ପଦ ଭାବେ ବିବେଚନା କରନ୍ତି ପ୍ରଫେସର ସିଂହ। ବିଭିନ୍ନ ସଭାସମିତି ଓ ଆଲୋଚନା ଚକ୍ରରେ ଏହି ବିଷୟରେ ଆଲୋକପାତ କରି ନିଜକୁ ଗର୍ବିତ ଅନୁଭବ କରନ୍ତି। 


ଅବସରକାଳୀନ ଜୀବନ ନିଜର ଜନ୍ମମାଟି କଟକ ସହରରେ ବିତାଉଛନ୍ତି ପ୍ରଫେସର ସିଂହ। ଅଧୁନାତନ ରାଜନୈତିକ ପରିସ୍ଥିତିକୁ ଦେଖି ତାଙ୍କ ମନରେ କ୍ଷୋଭ ଜାତ ହୁଏ। ବନ୍ଧୁମାନଙ୍କ ସହିତ ଆଲୋଚନା କାଳରେ ଦିନେ ମନରେ ତାଙ୍କର ଏକ ଅଜବ ଖିଆଲଟିଏ ଆସିଲା। ପରିଣତ ବୟସରେ ରାଜନୀତିରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନେଲେ। ଅବଶ୍ୟ ରାଜନୀତିରେ ପ୍ରୌଢ ହିଁ ଯୁବକ।


ଏହି ବିଷୟକୁ ନେଇ ବନ୍ଧୁମାନେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଗଲେ। କେତେକ ରାଜନୀତିରେ ପ୍ରବେଶ କରିବା ସପକ୍ଷରେ ଥିଲେ ତ ଅନ୍ୟ କେତେ ଜଣ ଘୋର ବିରୋଧ କରି ଅଯଥା ଝାମେଲାରେ ନ ପଶି ଅବସର ଜୀବନକୁ ସୁଖ ଶାନ୍ତିର ସହିତ କାଟିବା ନିମନ୍ତେ ପରାମର୍ଶ ଦେଇଥିଲେ। କିନ୍ତୁ ସଂଖ୍ୟାଧିକ ବନ୍ଧୁ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବାକୁ ପ୍ରବର୍ତ୍ତାଇଥିଲେ। କିଛି ଶୁଭେଚ୍ଛୁ ମତ ଦେଲେ, "ଯଦି ରାଜନୀତି ବିଜ୍ଞାନର ଅଧ୍ୟାପକ ହୋଇ କ୍ଷମତାର ସ୍ୱାଦ ଚାଖିବେ ନାହିଁ ତ ଆଉ କଣ କରିବେ?"


ସୁତରାଂ ପ୍ରଫେସର ସିଂହ ଆଗାମୀ ମହାନଗର ନିଗମ ନିର୍ବାଚନ ପାଇଁ ନିଜ ସାହିରୁ କର୍ପୋରେଟର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ। ବିନା କୌଣସି ରାଜନୈତିକ ଦଳର ସମର୍ଥନରେ ନିର୍ଦ୍ଦଳୀୟ ସ୍ୱାଧୀନ ପ୍ରାର୍ଥୀ ହେଲେ ସେ। ନିଜର ବରିଷ୍ଠ ନାଗରିକ ବନ୍ଧୁମାନଙ୍କ ସହିତ ଘରକୁ ଘର ବୁଲି ପ୍ରଚାରରେ ଲାଗିଗଲେ। କାହିଁକି ସେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବୋଲି ସଭିଙ୍କୁ ବୁଝାଉଥିଲେ। ରାଜନୀତିରେ ବାହୁବଳ ଅର୍ଥବଳର ପ୍ରାବଲ୍ୟ ବୃଦ୍ଧି ବିରୋଧରେ ନିଜର ଯୁଦ୍ଧ ଜାରି ରଖିଲେ। 


ଭୋଟରମାନଙ୍କ ସକାରାତ୍ମକ ପ୍ରତିକ୍ରିୟାକୁ ଦେଖି ପ୍ରଫେସର ମହୋଦୟ ଖୁବ୍ ଉତ୍ସାହିତ ଦେଖା ଯାଉଥିଲେ। ଜାତୀୟ ତଥା ରାଜ୍ୟର ବିଭିନ୍ନ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିଲା ତାଙ୍କ ବିଷୟରେ। ପ୍ରତିଷ୍ଠିତ ଛାତ୍ରଛାତ୍ରୀମାନେ ଆକୁଣ୍ଠ ସହଯୋଗ କରୁଥିଲେ ବିଭିନ୍ନ ଉପାୟରେ। କିଏ ବ୍ୟାନର ଆଉ ପୋଷ୍ଟର ଯୋଗାଇ ଦେଉଥିଲେ ତ ଆଉ କିଏ ସାମାଜିକ ଗଣମାଧ୍ୟମରେ ନିଜ ଗୁରୁଙ୍କ ପାଇଁ ପ୍ରଚାର କରୁଥିଲେ ବିଦେଶରେ ଥାଇ। 


ତାଙ୍କର ନିଆରା ପ୍ରଚାର ଶୈଳୀ ଦେଖି ଅନ୍ୟ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମନରେ ଛନକା ପଶିଗଲା। ସେମାନଙ୍କ ପକ୍ଷରୁ ଭୋଟରଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରିବାକୁ ଅପଚେଷ୍ଟା ଆରମ୍ଭ କରି ହୋଇଗଲା। କିଏ ଭୋଜିଭାତର ଆୟୋଜନ କଲା ତ ଆଉ କିଏ ମେଲୋଡି କାର୍ଯ୍ୟକ୍ରମ କଲା। ପୁଣି କିଏ ଘରେ ଘରେ ମିଠା ପ୍ୟାକେଟ୍ ବାଣ୍ଟିଲା। ଆଉ କିଏ ମନ୍ଦିରରେ ଭଜନକୀର୍ତ୍ତନ ବାହାନାରେ ଭୋଟରଙ୍କୁ ଠାକୁରଙ୍କ ପାଦୁକ ପ୍ରଦାନ କରି ନିଜକୁ ଭୋଟ୍ ଦେବା ପାଇଁ ଶପଥ କରାଇଲା। ଚାହୁଁ ଚାହୁଁ ନିର୍ବାଚନ ତାରିଖ ପାଖେଇ ଆସିଲା।


ବେଶ୍ ସୁରୁଖୁରୁରେ ବିନା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟିରେ ନିର୍ବାଚନ ଅନୁଷ୍ଠିତ ହେଲା। ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ସମସ୍ତ ପ୍ରାର୍ଥୀ ନିଜ ନିଜର ଦାଓପେଞ୍ଚ ଖେଳି ସାରିଥିଲେ। ଭୋଟ୍ ବାକ୍ସରେ ବନ୍ଦ ହୋଇ ସାରିଥିଲା ସେମାନଙ୍କର ଭାଗ୍ୟ। ଏବେ କେବଳ ଫଳାଫଳକୁ ଅପେକ୍ଷା। କଡ଼ା ସୁରକ୍ଷା ବଳୟରେ ଆରମ୍ଭ ହେଲା ଗଣତି।


ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ପ୍ରଫେସର ସିଂହଙ୍କ ଫଳାଫଳ। ଅନେକ ରାଜନେତାଙ୍କୁ ହାତଧରି ରାଜନୀତିର ପାଠ ପଢାଇଥିବା ଗୁରୁ ମାତ୍ର ଦୁଇ ଖଣ୍ଡ ଭୋଟ୍ ପାଇ ଅମାନତ ହରାଇଥିଲେ। କହିବା ବାହୁଲ୍ୟ ମାତ୍ର ନିଜର ଏବଂ ପତ୍ନୀଙ୍କ ମତ ହାସଲ କରିଥିଲେ। କଲେଜ୍ ମାଟି ମାଡିନଥିବା ସାହିର ଗୁଣ୍ଡାଟା ବହୁ ସଂଖ୍ୟକ ଭୋଟ୍ ପାଇ ବିଜୟୀ ହୋଇଥିଲା। 


ପ୍ରଫେସର୍ "ପୋଥି ବାଇଗଣ ଆଉ ବାଡ଼ି ବାଇଗଣର ପାର୍ଥକ୍ୟ"କୁ ମର୍ମେ ମର୍ମେ ଅନୁଭବ କରୁଥିଲେ।



Rate this content
Log in

Similar oriya story from Inspirational