Nityananda Nandi

Inspirational

3  

Nityananda Nandi

Inspirational

ପୋଷ୍ଟମାଷ୍ଟର ହରିବାବୁ

ପୋଷ୍ଟମାଷ୍ଟର ହରିବାବୁ

6 mins
207


 


ଭିନ୍ନକ୍ଷମ ହେଲେ ବି ହରିବାବୁଙ୍କ ପ୍ରତିଭା ଠିକ୍ ବଣମଲ୍ଲି ପରି । ବଣରେ ଫୁଟିଛନ୍ତି ସତ କିନ୍ତୁ ବଣରେ ମଉଳି ନାହାନ୍ତି । ବାସ୍ନା ବୋହି ନେଇ ଆସିଛନ୍ତି ସହର ପର୍ଯ୍ୟନ୍ତ । ମୂକ ସେ, ଠିକ୍ ଭାବେ କଥା କହି ଆସେନି !!

ପୋଷ୍ଟମାଷ୍ଟର ହରି ବାବୁ । ଛୋଟ ପୋଷ୍ଟଅଫିସ, ଛୋଟ ପରିବାର । ଅନୁ ସହକର୍ମୀ, ମାନୁଆ ଡାକ ପିଅନ । ଗାଆଁ ଗାଆଁ ଯାଇ ଚିଠି ବାଣ୍ଟେ । ହରିବାବୁ ଆଜି ଅବସର ନେବେ । 

ଜିଲ୍ଲା ମୁଖ୍ୟ ପୋଷ୍ଟଅଫିସରୁ କିଛି ଷ୍ଟାଫଙ୍କ ସାଥିରେ ବଡବାବୁ ଆସି ଯୋଗଦେବେ ହରିବାବୁଙ୍କ ବିଦାୟକାଳୀନ ସମାରୋହରେ । ତଥାକଥିତ ପରମ୍ପରା । 


କାନ୍ଥଘଡିକୁ ଅନେଇଲା ଅନୁ । ସାତଟା !! 

କଣ ହେଲା ସେମାନେ ଭୁଲିଗଲେ ନା କଣ ???

ହରିବାବୁ ଅନୁ ସହିତ ବସି ଆଜିର ହିସାବ ମିଳେଇ ଦେଲେ, ସବୁ ଠିକ୍ ଅଛି । 

ଗୋଟେ ତୃପ୍ତିର ହସ, ହିସାବନିକାଶ କରି ତାରା ସହିତ ତାରାକୁ ଯୋଡ଼ି ଆକାଶରେ ଧ୍ରୁବତାରା ଖୋଜି ପାଇଲେ ଯେମିତି ଗୋଟାଏ ତୃପ୍ତି ମିଳେ, ଠିକ୍ ସେମିତି କିଛି ଅନୁଭବ କଲେ ସେ ମନ ଭିତରେ ! ଶେଷ ଭଲ ତ ସବୁ ଭଲ । 

ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି, ଏଇ ଅଫିସରେ ଆଜି ତାଙ୍କର ଶେଷଦିନ । କଥା କହି ପାରନ୍ତି ନାହିଁ ସିନା, ତାଙ୍କ ହସରେ ହିଁ ମହକ ଥାଏ । ମିଟିଂ ରୁମରେ ଯାଇ ବସିଲେ ହାରିବାବୁ । ଅଚାନକ ସେ ଅନୁଭବ କଲେ, ଚିରପରିଚିତ ସମସ୍ତଙ୍କଠୁ ବିଦାୟ ନେଇ ଘରକୁ ଫେରିଯିବେ ସେ ସବୁଦିନ ପାଇଁ । ଆଉ ଅଫିସ ଆସିବାକୁ ହେବନି କାଲିଠୁ । ମନଟା ହଠାତ୍ କାହିଁକି ଭାରି ହୋଇଗଲା !!! ଅନୁପ୍ରିୟା ତାଗିଦ କଲେ ମନୁଆକୁ, ବଡ ବାବୁଙ୍କ ଆଗରେ ବେଶି ବକବକ କରିବୁନି । ମିଟିଂ ଚାଲିଥିବ, ଗରମ ଗରମ ଚା ସାଥିରେ ପକୋଡ଼ି ପରଷି ଦେବୁ !!! ଭାଷଣ ସମୟରେ ମୋ ମୋବାଇଲ ନେଇ ଫଟୋ ଉଠେଇବୁ । 

କାନ୍ଥ ଘଡିରେ ଆଠଟା...

ଜିଲ୍ଲା ମୁଖ୍ୟ ପୋଷ୍ଟ ଅଫିସରୁ ଫୋନ ଆସିଲା, ବଡ଼ବାବୁଙ୍କ ଫୋନ । 

ସରି, ହରିବାବୁ ! ଆଜି ଆମେ ଆଉ ଆସି ପାରିଲୁ ନାହିଁ । ଅନୁପ୍ରିୟା ପାତ୍ରଙ୍କୁ ଚାବି ହାଣ୍ଡ ଓଭର କରିଦିଅ । ମୁଁ ତାକୁ କହି ଦେଉଛି । ତମ ଆକାଉଣ୍ଟରେ ତମର ସବୁ ପ୍ରାପ୍ୟ କ୍ରେଡିଟ ହୋଇଯିବ, ଅଲ୍ ଦା ବେଷ୍ଟ...

ଏମିତି ଗୋଟେ ସାଧାରଣ ଫୋନ କଲରେ ଅସାଧାରଣ ବୃତ୍ତିଗତ ସମ୍ପର୍କଟିଏ ଧରାଶାୟୀ ହୋଇଗଲା ନିଃଶବ୍ଦରେ । ସ୍ୱର୍ଗକୁ ନିଶୁଣି ନାହିଁ କି ବଡ ଲୋକଙ୍କୁ ଉତ୍ତର ନାହିଁ । ଅଧସ୍ତନ କର୍ମଚାରୀର ଅଧିକାର ଅତି ସୀମିତ । ଏମିତି ହରିବାବୁ କଥା କହିପାରନ୍ତି ନାହିଁ ଠିକ୍ ଭାବରେ । କିଛି ପ୍ରତିକ୍ରିୟା ଦିଅନ୍ତି ନାହିଁ ବୋଲି ସମସ୍ତେ ତାର ସୁବିଧା ଉଠେଇ ଥାଆନ୍ତି । ଏଣ୍ଡୁଅ ପରି ରଙ୍ଗ ବଦଳେଇବା ଜାଣି ନାହାନ୍ତି ହରିବାବୁ । କର୍ମକ୍ଷେତ୍ରରୁ ସବୁଦିନ ପାଇଁ ବିଦାୟ ନେଇ ଯାଉଥିବା ମଣିଷର କାନ୍ଧରେ ହାତ ରଖିଦେଲେ ମନର ଉତ୍ସାହ ଦିଗୁଣିତ ହୁଏ, ହାତ ଧରି ଦୁଇ ପାଦ ଆଗେଇନେଲେ ଭରସା ଦୃଢୀଭୂତ ହୁଏ, ହାୟ ! ହରିବାବୁଙ୍କ ଭାଗ୍ୟଟା ହିଁ ସେମିତି !!! ଫୋନ ପକେଟରେ ରଖି ଅନେଇଲେ କାନ୍ଥଘଣ୍ଟାକୁ । ବଡ ଅଫିସର ଭାଷଣ ଦେଇଥାନ୍ତେ, ବାଃ ବାଃ କରିଥାନ୍ତେ ହରି ବାବୁଙ୍କୁ । ତିରିଶ ବର୍ଷରୁ ଅଧିକ, ଅକ୍ଲାନ୍ତ ପରିଶ୍ରମ ପରେ ମଣିଷ ସେତିକି ଟିକେ ଚାହେଁ ବିଦାୟ ସମାରୋହରେ । 


ଠାରି ଦେଇ ହରିବାବୁ କହିଲେ, ଅନୁ ! ସେମାନେ ଆସୁ ନାହାନ୍ତି, ମିଟିଂ ହେବନି । ମୁଁ ଆସୁଛି ! ସାର୍ ! ବସନ୍ତୁ, ଏମିତି ହୁଏନି, କେହି ନ ଆସନ୍ତୁ, କଣ ହେଲା !! ଆମେ ଦୁଇଜଣ ଆପଣଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବୁ । ଆପଣ ଏମିତି କେମିତି ଯିବେ ??? ହରି ବାବୁ ବସିଲେ ଚେୟାର ଉପରେ । ଅନୁ ଛିଡାହୋଇ ଫୁଲମାଳାଟିଏ ଧରେଇଦେଲେ ତାଙ୍କ ହାତରେ । ହରି ବାବୁଙ୍କ ଉଦ୍ଦେଶ୍ୟରେ କିଛି କହିଲେ ଅନୁପ୍ରିୟା । 


ସାର୍ ! ଆପଣଙ୍କ ସହିତ ପାଞ୍ଚ ବର୍ଷ ପାଞ୍ଚ ଦିନ ପରି କାଟିଗଲା । ଆପଣ ଯିବା ପରେ କାହିଁକି କେଜାଣି ଖାଲି ଖାଲି ଲାଗିବ ଅଫିସଟା, ଯେମିତି କେହି ଜଣେ ଅତି ନିଜର, ଅତି ଅନ୍ତରଙ୍ଗ ବନ୍ଧୁ ହାତ ଛାଡି ଚାଲିଯିବେ ଆମ ପାଖରୁ । ବିନା ସୂତାରେ ସମ୍ପର୍କ ସବୁ ଆମ୍ବକଷି ପରି ଲାଖି ହୋଇଥାଏ ଗୋଟାଏ ଡାଳରେ । ଗୋଟାଏ ଆମ୍ବକଷି ଖସି ଗଲେ ମହା ଶୂନ୍ୟତା ସୃଷ୍ଟି ହୁଏ । ଆପଣ ସେମିତି ଗୋଟାଏ ବିଶାଳ ଶୂନ୍ୟତାକୁ ଛାଡି ଯାଇଛନ୍ତି ଆମ ପାଇଁ, ଯାହା କେବେ ଭରିବା ସମ୍ଭବ ନୁହେଁ ସାର୍ । 

ପ୍ରତି ଦିନ ମଧ୍ୟାହ୍ନ ଭୋଜନରେ ଆପଣଙ୍କ ସହ ବସି ଖାଇବାରେ ଯୋଉ ମଜା ଥାଏ, ଭାଷାରେ ବର୍ଣ୍ଣନା କରି ହେବନି । ଆପଣଙ୍କ ଖିଚୋଡ଼ିର ଗୁଆଘିଅ ବାସ୍ନା କେବେ ଭୁଲି ହେବନି । କାହିଁକି କେଜାଣି, ଅଧାରୁ ଅଧିକ ମୋ ଥାଳିରେ ବାଢ଼ି ଦିଅନ୍ତି ଆପଣ । ମନଟା ତରଳି ଯାଏ ଖିଚୋଡ଼ିର ସେଇ ଘିଅ ସାଥିରେ । ଏକ ନିଆରା ସ୍ନେହର ସୁଗନ୍ଧ । ବାତ୍ସଲ୍ୟ ମମତା... ଧୀରେ ଧୀରେ ମୁଁ ଆବଦ୍ଧ ହୋଇ ଗଲି ଆପଣଙ୍କ ହୃଦୟ ଭିତରେ । ସାର୍ ! ମୋ ବାପା ଆଉ ଏଇ ଦୁନିଆରେ ନାହାନ୍ତି, ଶ୍ୱଶୁର ବି ଗଲେଣି, ପାଞ୍ଚ ବର୍ଷରୁ ଅଧିକ ହେବ । ଆପଣ ଙ୍କୁ ଦେଖିଲେ ଲାଗେ ଯେମିତି ମୋ ବାପା ତ ବଂଚିଛନ୍ତି, ଭୟ ଆଉ କାହାକୁ ??? ଆପଣ ପିତୃତୁଲ୍ୟ । 


ମନେ ଅଛି ନା ସାର୍ ! ଅଚାନକ ମୁଁ ପଚାରିଥିଲି, ଆପଣଙ୍କୁ, ଘରେ କିଏ କିଏ ଅଛନ୍ତି ?

ଭାବବିହ୍ୱଳ ହୋଇ ଗୋଟାଏ କାଗଜରେ ଆପଣ ଲେଖିଦେଲେ ମୁଁ ଆଉ ମୋ ସ୍ତ୍ରୀ ରୂପା, ଭଗବାନ ଆମକୁ ଛୁଆପିଲା ଦେଇ ନାହାନ୍ତି । 

ଚଳଚଞ୍ଚଳ ମନଟା ଚାଲି ଶିଖୁଥିବା ମୃଗ ଶାବକ ପରି ହାମୁଡେଇ ପଡ଼ିଲା ଆବୁଡ଼ା ଖାବୁଡ଼ା ରାସ୍ତା ଉପରେ । ଦୀର୍ଘନିଃଶ୍ୱାସ ମାରିବା ଆଗରୁ ମନଟା କ୍ଷତାକ୍ତ ହୋଇଗଲା । ଭିତରେ କଲିଜାଟା କାମୁଡି ହୋଇଗଲା କିଛି ଦୁଃଖ ଆଉ କିଛି ଭୟରେ । ମୁଁ ଅନ୍ୟମନସ୍କ ହୋଇ କମ୍ପ୍ୟୁଟରରେ ଭୁଲ ଭାଲ ଡାଟା ସବୁ ଏଣ୍ଟ୍ରି କଲି । ତା ପରେ ଆପଣଙ୍କ ବିଷୟରେ ଆଉ କିଛି ପଚାରିବାକୁ ସାହସ ହେଲା ନାହିଁ, ନା କେବେ କିଛି ପଚାରିଛି !!!

ତା ପରେ ପ୍ରତିଦିନ ଆପଣଙ୍କ ଭିତରେ ଗୋଟେ ଶୂନ୍ୟ ବେଦନାପ୍ଲୁତ ଆକାଶକୁ ହିଁ ଆବିଷ୍କାର କରେ । ସେଇ କାଗଜକୁ ଆଜି ବି ମୁଁ ବେଗ ଭିତରେ ସାଇତି ରଖିଛି ସାର୍, ଗୋଟାଏ ଧାଡ଼ି ମୁଁ ବାର ବାର ପଢ଼େ, ଦୁଃଖ ଭୁଲିଯାଏ । 


କଥା ନ କହି ବି ଆପଣ ଅନେକ କଥା କହି ଯାଆନ୍ତି, ଆମେ ବୁଝି ପାରୁ । ଆପଣଙ୍କ କାର୍ଯ୍ୟ ଦକ୍ଷତା ଅତୁଳନୀୟ । ଆପଣଙ୍କ ପରି ଜଣେ ଅଫିସର ବିରଳ । ଆପଣ ଦୟାଳୁ, କର୍ତ୍ତବ୍ୟ ପରାୟଣ, କର୍ମଯୋଗୀ, ସରଳ, ସଚ୍ଚୋଟ । ଅବଶୋଷ !! ଆମ ଡିପାର୍ଟମେଣ୍ଟ ଆପଣଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ସମ୍ମାନ ଦେଇପାରିଲା ନାହିଁ । ଆପଣ ଦିବ୍ୟାଙ୍ଗ ସିନା, ମନରେ କିନ୍ତୁ ବିକଳାଙ୍ଗ ସେମାନେ । ଉପର ଅଫିସର ହେଲେ କଣ ହେଲା,ସେମାନେ ହିଁ ବିବେକହୀନ....


ଗୋଟେ କଥା କହିବି ସାର୍, ମୋତେ ଖାଲି ହୃଦୟରେ ଟିକିଏ ଜାଗା ଦିଅନ୍ତେନି, ଝିଅ ବୋଲି ଭାବି, ବାସ୍ । ଶୁଣିଛି ହୃଦୟଟା ଏତେ ପ୍ରଶସ୍ତ ଯେ ସମସ୍ତଙ୍କ ପାଇଁ ସେଇଠି ଜାଗା ଥାଏ...


ସାରଙ୍କ ଆଖିରୁ ଦୁଇ ଟୋପା ଲୁହ ବହି ଆସିବା ଦେଖି ଅନୁ ଚୁପ୍ ହୋଇଗଲେ । ସାର୍, କ୍ଷମା କରିବେ ! ଓଦା ମାଟି ପାଇ ମଞ୍ଜିଟିଏ ଚେର ବିଛେଇ ଦିଏ, ମଣିଷ ମନଟା ଠିକ୍ ସେମିତି । ଦରଦୀ ହୃଦୟ ପାଖରେ ଅଟକି ଯାଏ । ସମ୍ପର୍କ ବନେଇ ବସେ । ମୁଁ ବି ସେମିତି ଗୋଟାଏ ହୃଦୟ ଖୋଜି ପାଇଛି ସାର୍, 

ତୁ କିଛି କହିବୁ କି ମନୁଆ....ମନୁଆ କାନ୍ଦି ପକେଇଲା । ସାର୍ ଆପଣ କିଛି କୁହନ୍ତୁ ! ଠାରରେ, ଆମେ ବୁଝି ପାରିବୁ । 


ହରିବାବୁ ଛିଡା ହୋଇ ଅନେକ କିଛି କହିବାକୁ ଚେଷ୍ଟା କରୁଥିଲେ, କିନ୍ତୁ କହି ପାରୁ ନ ଥିଲେ, ଆଖିରୁ ଲୁହ ଝରି ଆସିଲା । ନିଃଶବ୍ଦ ଭାଷା ସୁନାମୀକୁ ଜନ୍ମ ଦିଏ ଲୁହ ଭିତରେ । କିଛି ନ କହି ବି ଅନେକ କଥା କହିଗଲେ ହରିବାବୁ ତାଙ୍କ ବିଦାୟ ଭାଷଣରେ । ଅତ୍ୟଧିକ ଭାବପ୍ରବଣତା । ମନୁଆ ଓ ଅନୁ ସାରଙ୍କ ହାତ ଧରି ବସେଇଦେଲେ ଚେୟାର ଉପରେ । କିଛି ଅକୁହା କଥା କହି ନ ପାରିଲେ କଷ୍ଟ ହୁଏ ମନକୁ । ତିନି ଜଣ ଙ୍କୁ ନେଇ ବିଦାୟ ସମାରୋହ, ସମସ୍ତେ ଭାବପ୍ରବଣ । ହରି ବାବୁଙ୍କ ଜୀବନରେ ସର୍ବଶ୍ରେଷ୍ଠ ବିଦାୟ କାଳୀନ ଏଇ ସମାରୋହ !! ହରିବାବୁଙ୍କ ମନ ଓ ହୃଦୟକୁ ଛୁଇଁ ଗଲା ଘଟଣାଟି । 

*******

ସାର୍ କୋଲ୍ଡ ଡ୍ରିଙ୍କ ପିଅନ୍ତିନି । ଅଫିସରେ ଫ୍ରିଜ ନାହିଁ । ଆଇସକ୍ରିମ ତରଳି ଯାଇ ବହି ଗଲାଣି ଚଟାଣ ଉପରେ । ମନୁଆ ବିସ୍କୁଟ, ଚେନାଚୂର ଦେଲା ହରିବାବୁଙ୍କୁ । ହାରିବାବୁ ଠାରି ଦେଇ କହିଲେ ନା ଖାଇବିନି । 

ଝଡ ତୋଫାନ ଚାଲିଯାଏ ସିନା, ପଛରେ ଚିହ୍ନ ସବୁ ଛାଡିଯାଏ । ସ୍ମୃତି ଭରା ଚିହ୍ନକୁ ସାଉଁଟୁ ଥିଲା ମନୁଆ । ସବୁ ବିଦାୟ ଏକା ପରି ନୁହଁ, କିଛି ଏମିତି ଘଟଣା ମନକୁ କ୍ଷତ ବିକ୍ଷତ କରି ଚାଲିଯାଏ । ବୁଝି ହୁଏନି । ମନୁଆ ହାତ ଯୋଡ଼ି ଗମ୍ଭୀର ହୋଇ ଛିଡା ହୋଇ ରହିଲା । ଅନୁ ପାଦ ଛୁଇଁ ଆଶୀର୍ବାଦ ନେଲା ହରିବାବୁଙ୍କଠୁ । ହରି ବାବୁ ଝୁଲାଟିକୁ କାନ୍ଧରେ ଝୁଲେଇ ଛିଡା ହେଲେ । ଅନୁପ୍ରିୟାଙ୍କୁ ଚାବି ଧରେଇ ଦେଇ ବାହାରି ଆସିଲେ ବାହାରକୁ । ବାହାରେ ଲାଗିଥିଲା ନାଆଁ ଫଳକ " ପୋଷ୍ଟମାଷ୍ଟର ହରିବାବୁ" । ଟିକିଏ ବଳ ପ୍ରୟୋଗ କରି ଉଠେଇ ଆଣିଲେ ହରିବାବୁ, ଫଳକଟିକୁ । ବାରଣ୍ଡା ତଳେ ଥିବା ଡଷ୍ଟବିନରେ ଫିଙ୍ଗି ଦେଲେ । 

ଅନୁ ଭାବୁଥିଲେ, ନାଆଁ ଫଳକଟି ଅଳିଆ ଗଦା ଭିତରେ ସବୁଦିନ ପାଇଁ ଲୁଚିଯିବ ସିନା, ହରିବାବୁଙ୍କ ପରି ପ୍ରିୟ ମଣିଷଟିଏ କିନ୍ତୁ ସାମ୍ରାଜ୍ୟ ବିସ୍ତାର କରି ଚାଲିଥିବେ ପ୍ରତିଟି ହୃଦୟ ଭିତରେ । ସକାଳ ଆସିଲେ, ରାତି ଉଭେଇ ଯାଏ, ସ୍ମୃତି ଭରା ସ୍ୱପ୍ନ ସବୁ ଛାଡି ଦେଇଯାଏ ଚଲା ପଥରେ । କିଏ ଅବା ଭୁଲି ପାରିବ ହରିବାବୁଙ୍କୁ...


ହାଲୁକା ବର୍ଷା ଗୁଣ୍ଡି ଝଡୁଥିଲା ବାହାରେ । ଛତା ଖୋଲି ଅନୁ ଧରେଇ ଦେଲେ ହରି ବାବୁଙ୍କ ହାତରେ । ଏଇଟା ମୋ ତରଫରୁ ଉପହାର ଆପଣଙ୍କ ପାଇଁ । ଭାବିଥିଲି ଆପଣଙ୍କ ବେଗ ଭିତରେ ଲୁଚେଇକି ଦେଇଥାଆନ୍ତି, ଯା ହେଉ ସଙ୍ଗେ ସଙ୍ଗେ କାମରେ ଲାଗିଲା । କହି ଭାବପ୍ରବଣ ହୋଇ ଗଲେ ଅନୁପ୍ରିୟା । 

ଗେଟ ଖୋଲି ବାହାରିଗଲେ ହରିବାବୁ । ହାତ ଠାରି ଦୁହିଁଙ୍କୁ ତାଙ୍କ ଘରକୁ ଆସିବା ପାଇଁ ଇଙ୍ଗିତ କଲେ । ମନୁଆ ଆଖି ପୋଛୁ ପୋଚ୍ଛୁ କହିଲା, ସାର୍ ! ମଝିରେ ମଝିରେ ଅଫିସ ଆଡେ ବୁଲି ଆସିବେ । ହରିବାବୁ ପଛକୁ ଅନେଇ ହସିଦେଲେ, ଆଖି ଭିତରେ କିଛି ଗୋଟାଏ ଜକ ଜକ କରୁଥିଲା, ଲୁହ ଉପରେ ଆଲୁଅ ପଡ଼ିଲେ ଲୁହର ରଙ୍ଗ ଯେମିତି ବଦଳି ଯାଏ, ଜକ ଜକ କରେ !!! 

ଆକାଶ ଆଡେ ଅନେଇଲେ ହରିବାବୁ, ମେଘ ଅପସରି ଯାଇଥିଲା ହାତପାଅନ୍ତା ଆକାଶରୁ, ଜହ୍ନର ମୃଦୁ କିରଣ ବିଛୁଡ଼ି ହୋଇ ପଡ଼ୁଥିଲା ହରି ବାବୁଙ୍କ ଚଲା ରାସ୍ତାରେ...ପୋଷ୍ଟ ମାଷ୍ଟର ହରିବାବୁ ଚାଲିଲେ ଘରମୁହାଁ ହୋଇ...ଅନୁ ଛତା ଉପହାର ଦେଇଛି, ସମ୍ପର୍କର ବିଶାଳ ସୁରକ୍ଷା ମଥା ଉପରେ । ପଶିଗଲେ ଘର ଭିତରକୁ ସମ୍ପର୍କର ବୋଝଟିଏ ଧରି...ରକ୍ତରେ ନ ହେଲା ନାହିଁ, ବିଦାୟୀ ସମ୍ବର୍ଦ୍ଧନା ଉତ୍ସବରେ ସବୁଠାରୁ ବଡ଼ ଉପହାର, ଅନୁକୁ ପାଇଛନ୍ତି ତାଙ୍କ ଝିଅ ରୂପରେ... 


ବହୁତ କିଛି ପାଇଥିବ ନା ଆଜି, ରୂପା ପଚାରିଲେ ହରି ବାବୁଙ୍କୁ..??

ଦୁଇ ବାହୁକୁ ବିସ୍ତାର କରି ଠାରି ଦେଇ କହିଲେ ଏତେ ବଡ ଉପହାର ପାଇଛି ....ରୁହ, ସବୁ କଥା କହିବି....



Rate this content
Log in

Similar oriya story from Inspirational