ବଳରାମ ବାରିକ

Abstract

2  

ବଳରାମ ବାରିକ

Abstract

ପୋସ୍ (Posh)

ପୋସ୍ (Posh)

4 mins
228


ନିତୁ ଭାରି ଚୁଲୁବୁଲି ଝିଅଟେ। ହସିବା ଯେମିତି ତାର ପିଲା ବେଳୁ ସ୍ଵଭାଵ। ପ୍ରତି କଥାରେ ସେ ହସ ଆଉ ମଜାର ଖୋରାକ୍ ଖୋଜୁଥାଏ। ସମସ୍ତଙ୍କୁ ହସାଇବା ଯେମିତି ତାର ଏକ ରୀତିମତ ଅଭ୍ୟାସ,ସେଥିପାଇଁ ଅଫିସରେ ତାକୁ ହସମୁଖ୍ ନିତୁ ଡାକନ୍ତି।

ଅଫିସରେ ଝାଡୁଦାର ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ, ସମସ୍ତଙ୍କୁ ନିତୁ ଅଫିସରେ ପଶିଲା କ୍ଷଣି ଏକ ବିରାଟ ସ୍ମାଇଲ୍ ଦିଏ। ପ୍ରତିଉତ୍ତର ରେ ମଧ୍ୟ ସମସ୍ତେ ମିଠା ହସ ହସନ୍ତି। ନିତୁ ଛୁଟି ନେଲେ ଅଫିସଟା ହସ ଶୂନ୍ୟ ଲାଗେ। ସମସ୍ତେ ନିଜ ନିଜ ମୁହଁ ଦେଖନ୍ତି କିନ୍ତୁ କେହି ହସନ୍ତି ନାହିଁ। ସଭିଏଁ ଯେମିତି ନିତୁର ହସ ହସ ମୁହଁକୁ ଅନେଇ ରହିଥାନ୍ତି।

ସମସ୍ତଙ୍କର ଗେଲ୍ହା। ଅଫିସରେ ବହୁତ କର୍ମଚାରୀ ନିତୁକୁ ନିଜ ଭଉଣୀଠୁ ମଧ୍ୟ ବେଶୀ ଭଲ ପାଆନ୍ତି। ରାଖୀ ଆସିଲେ ନିତୁ ସମସ୍ତଙ୍କ ହାତରେ ରାଖୀ ଭିଡ଼େ।

ଡିପାର୍ଟମେଣ୍ଟର ଅନ୍ୟ ଝିଅମାନେ ନିତୁକୁ ଦେଖି ଇର୍ଷାରେ ଜଳି ଯାଆନ୍ତି। ତା ପଛେ ପଛେ ତାକୁ ନିନ୍ଦା କରନ୍ତି। କହନ୍ତି ବେଶୀ ଗୋଟେ ଫୁଲେଇ ହେଉଛି। ଭାବୁଛି କେହି କିଛି ଜାଣି ପାରିବେନି। ଆମକୁ ଜଣା ତୁ କୋଉ ଜାଗାରେ କେତେ ହସୁଛୁ।


ଘରର ବଡ଼ ଝିଅ ନିତୁ ତା ତଳେ ସାନ ଭାଇ ନିହାର୍। ନିହାର୍ ନାଇନଥ୍ ଷ୍ଟାଣ୍ଡର୍ଡରେ ପଢେ। ନିତୁ ପାଖା ପାଖି ଦୁଇ ବର୍ଷ ହେବ ବୃତ୍ତିଗତ ଜୀବନରେ ପାଦ ଦେଇଛି। ବି:କମ୍ ଫାଷ୍ଟ କ୍ଲାସରେ ପାସ୍ ପାସ୍ କରିଥିଲା। କ୍ୟାରିୟର ମଧ୍ୟ ଫାଷ୍ଟକ୍ଲାସ ସେଥିପାଇଁ ଜବ୍ ପାଇଗଲା। ଭାବିଲା ଚାକିରୀ ସାଙ୍ଗରେ ପାଠ ପଢ଼ା ଚାଲୁ ରଖିବି। ସୁନାନାକୀ ଝିଅଟେ ନିତୁ। ବାପାଙ୍କର ଗାଁ ବସ୍ ଷ୍ଟାଣ୍ଡରେ ଜଳଖିଆ ଦୋକାନର ଠେଲା ଗୋଟେ। ନିତୁ ଚାକିରୀ ପାଇଲା ପରେ ବାପାଙ୍କୁ କହିଲା ...

-ବାପା ତୁମେ ଆଉ ଚିନ୍ତା କରନି। ମୁଁ ଦରମା ପଇସା ସଞ୍ଚୟ କରିବି। ଖୁବ୍ ଶୀଘ୍ର ତୁମେ ଗୋଟେ ହୋଟେଲ୍ ଖୋଲିବ।

ବାପା ମନେ ମନେ ଭାବୁଥାନ୍ତି । ଯାହା ହେଉ ଯୋଗଜନ୍ମା ଝିଅଟା ମୋର।

ହସି ହସି କହନ୍ତି । ହଉ ତୁ ନୂଆ ନୂଆ ଚାକିରୀ କରିଛୁ । ତୁ ଭଲରେ ରହ। ତୋ ପଇସା ମୋର ଦରକାର ନାହିଁ। ତୁ ମଜାରେ ରହ। ଜୀବନକୁ ଉପଭୋଗ କର। ମୋ ଠେଲା ଠିକ୍ ଅଛି।


ସବୁକିଛି ଠିକ୍ ଚାଲିଥିଲା। କିନ୍ତୁ ଏଇ କିଛି ମାସ ହେଲା ନିତୁ ଭାରି ବ୍ୟସ୍ତ ଆଉ ବିବ୍ରତ ଜଣା ପଡୁଥିଲା। ତାକୁ ଅଣ ନିଶ୍ଵାସୀ ଆଉ ଭାରି ଭାରି ଲାଗୁଥିଲା ତାର ସ୍ଥିତି। ଡରୁଆ ଲାଗୁଥିଲା। ତାକୁ ଯେମିତି ଲାଗୁଥିଲା ଅଥର୍ବ ସାର୍ ତାକୁ ଗୋଟେ ଅଜବ୍ ଦୃଷ୍ଟିରେ ଦେଖୁଛନ୍ତି। ପ୍ରଥମେ ପ୍ରଥମେ ସେ କିଛି ବୁଝି ପାରୁନଥିଲା। ଅଥର୍ବ ସାର୍ ହସ ମଜାକରେ ପ୍ରାୟ ହାଇ ଫାଇଭ୍ କରି ପକାନ୍ତି। କିନ୍ତୁ ଏବେ ପ୍ରାୟ ସମୟ କ୍ୟାବିନରୁ ବାହାରି ନିତୁର କିଉବିକିଲ୍ ପାଖରେ ଲଣ୍ଡର ଭଣ୍ଡର ହେଉଛନ୍ତି। ନିତୁର ମ୍ୟାନେଜର ଅଥର୍ବ ସାର୍। ନିତୁକୁ ବହୁତ ପସନ୍ଦ କରନ୍ତି । ନିତୁ ମଧ୍ୟ ବୁଝିବାକୁ କେବେ ଚେଷ୍ଟା କରିନି,କାରଣ ନିତୁ ଅତ୍ୟନ୍ତ କର୍ମଠ। ଯେଉଁ କାମ ତାକୁ ଅଥର୍ବ ସାର୍ ଦେଇଥାନ୍ତି, ସମୟ ପୂର୍ବରୁ ସମାପ୍ତ କରିଦିଏ।

ଏଇ କିଛି ଦିନ ହେବ ଅଥର୍ବ ସାର୍ ନିତୁକୁ ବିଳମ୍ବ ରାତିରେ ମେସେଜ୍ କରୁଛନ୍ତି। ଆଉ ସେହି ମେସେଜ୍ ଗୁଡିକ ମଜାଳିଆ ହେଲେ ମଧ୍ୟ ଶାଳୀନତା କମ୍ ଥାଏ। ପ୍ରଥମେ ପ୍ରଥମେ ନିତୁ ମେସେଜ୍ ଗୁଡିକ ପଢି ପ୍ରତିଉତ୍ତର ଦେଉଥିଲା। କିନ୍ତୁ ଦିନକୁ ଦିନ ଏହି ମେସେଜ୍ ଓ ଭିଡ଼ିଓ ଗୁଡିକର ମାତ୍ରା ବଢି ଚାଲିଲା। ନିତୁ ଚାହିଁକି ମଧ୍ୟ କିଛି କରି ପାରୁ ନଥାଏ। ଯେହେତୁ ମ୍ୟାନେଜର, ତାଙ୍କ ହୁଆଟ୍ସ ଆପ୍ ନମ୍ବରକୁ ମଧ୍ୟ ବ୍ଲକ କରି ପାରୁ ନଥିଲା।

ତହିଁ ଆରଦିନ ନିତୁକୁ ପଚାରି ଦେଉଥିଲେ ଅଥର୍ବ ସାର୍ କେମିତି ଥିଲା ଭିଡ଼ିଓଟା। ନିତୁ ନଶୁଣିଲା ପରି ଇଗନୋର୍ କରୁଥିଲା।

ନିତୁକୁ ଅସହାୟ ଲାଗୁଥିଲା। କଣ କରିବ ବୁଝି ପାରୁନଥିଲା।

ଏହା ମଧ୍ୟରେ ଅଥର୍ବ ସାର୍ ଅନେକ ଥର ବାହାରକୁ ବୁଲିଯିବାକୁ ନିମନ୍ତ୍ରଣ କଲେଣି। ନିତୁ ବିଭିନ୍ନ କାରଣ ଦେଖାଇ ମନା କରି ଦେଉଥିଲା।

ଅଫିସରେ ନିତୁର ଜନ୍ମ ଦିନ ପାଳନ ଅବସରରେ ନିତୁ ଗାଲରେ ଏକ ଅଜବ ଖିଆଲରେ କେକ୍ ବୋଳି ଦେଉଥିଲେ ଅଥର୍ବ ସାର୍। ଏ କେକ୍ ବୋଳା ନିତୁକୁ ଜମା ଭଲ ଲାଗିଲା ନାହିଁ । ରାଗ ତମ ତମ ହୋଇ ଚାଲିଗଲା।

ଅଥର୍ବ ସାର୍ ନିତୁର ଏ ରାଗ ଦେଖି କିଛି ଦିନ ନିତୁ ପାଖରେ ପଶିଲେ ନାହିଁ।

କିନ୍ତୁ ଯାହାର ପ୍ରକୃତି ଯାହା ସେ କେମିତି ସେଥିରୁ ନିବୃତ ରହିବ। ଗତ ସପ୍ତାହରେ ଲଞ୍ଚ ଆୱାର ସମୟ ...

ଅଫିସର ପ୍ରାୟ ଷ୍ଟାଫ୍ କ୍ୟାଣ୍ଟିନ୍ ରେ ଲଞ୍ଚ କରୁଥାନ୍ତି। ନିତୁ କାମରେ ମଜି ଯାଇ ଲଞ୍ଚ କରିବାକୁ ଭୁଲି ଯାଇଛି । ଅଥର୍ବ ସାର ଚୁପ୍ ଚାପ୍ ଆସି ନିତୁର ଦୁଇ କାନ୍ଧରେ ହାତ ରଖୀ କହିବାକୁ ଲାଗିଲେ।

-ମ୍ୟାଡମ୍ ଆଉ କେତେ ସମୟ ପର୍ଯ୍ୟନ୍ତ କାମ କରିବ ??

ଯାଅ ଲଞ୍ଚ କରିନିଅ। ନିତୁ ଆଉ କ୍ରୋଧ ସମ୍ଭାଳି ପାରିଲା ନାହିଁ।ତା ଦେହର ରକ୍ତ ଟକ୍ ଟାକ୍ ଫୁଟୁଥାଏ। ଚେୟାରକୁ ଛାଟି ଦେଇ ରାଗ ତମ ତମ ହୋଇ ଚିଲ୍ଲେଇ କହି ପକାଇଲା।

-ପ୍ଲିଜ ସାର୍। ଆପଣ ଏସବୁ ବାଜେ କାମରୁ ଦୂରେଇ ରୁହନ୍ତୁ । ଆପଣଂକୁ କଣ ଲାଗୁଛି। ମୁଁ କିଛି ବୁଝି ପାରୁନାହିଁ।

ଆପଣଙ୍କ ଘରେ ପରା ନିଜର ସ୍ତ୍ରୀ ଆଉ ଆଠ ବର୍ଷର ଝିଅ ଅଛନ୍ତି। ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ ସ୍ତ୍ରୀ କାନ୍ଧରେ ଯଦି କେହି ବାହାର ପୁରୁଷ ଏମିତି ପଛରୁ ହାତ ପକାଇ ତାଙ୍କୁ କିଛି କହେ ଆପଣ କଣ ତାକୁ ଅନୁମତି ପ୍ରଦାନ କରିବେ।

ମୁଁ ଅନେକ ଦିନରୁ ଆପଣଂକୁ ତାଗିଦ୍ କରିବି ବୋଲି ଭାବୁଥିଲି । କିନ୍ତୁ ଆଉ ନୁହେଁ। କାର୍ଯ୍ୟସ୍ଥଳୀରେ ଆପଣଙ୍କର ମୋ ପ୍ରତି ଏମିତି ବ୍ୟବହାର ଜଣେ ମହିଳାର ମୌଳିକ ଅଧିକାରକୁ ଆଘାତ କରୁଛି। ଆପଣ ଜ୍ଞାନୀଲୋକ ପୋସ୍ ଆକ୍ଟ ବିଷୟରେ ଜାଣିଥିବେ।

ମୁଁ ଏବେ ଯାଉଛି ଆମ କମ୍ପାନୀର "ପୋସ୍ କମିଟି" ଆଗରେ ଆପଣଙ୍କ ନାଁରେ ଅଭିଯୋଗ କରିବି।

ବହୁତ ସହିଲି ଆଉ ନୁହେଁ। ଏ କଷ୍ଟ ମୋ ଭିତରେ ମୁଁ ଆଉ ବଢିବାକୁ ଦେବିନି।

ନା...

ଭୟ ଓ ଲଜ୍ୟାରେ ଅଥର୍ବ ସାର୍ ନିତୁର ଗୋଡ ତଳେ ପଡିଗଲେ।

କାନ୍ଦ କାନ୍ଦ ହୋଇ କହିଲେ...

-ପ୍ଲିଜ ନିତୁ । ତୁମେ ଏମିତି କରନି। ମୋ ଇଜତ୍ ମହତ ସବୁ ଚାଲିଯିବ। ଥରେ ମୁଁ ଅଭିଯୁକ୍ତ ହୋଇଗଲେ ମୋତେ ଆଉ କେଉଁଠି ଚାକିରୀ ମଧ୍ୟ ମିଳିବନି। ମୋ ସ୍ତ୍ରୀ ପିଲା ଛୁଆ ଦାଣ୍ଡରେ ଭିକ ମାଗିବେ।

ପ୍ଲିଜ ନିତୁ..

ମୋ ଆଖି ଖୋଲି ଯାଇଛି। ଗୋଟିଏ ଖରାପ ଆବେଗରେ ଆସି ମୁଁ ଏମିତି କରି ଚାଲିଥିଲି।

ମୋ ଦ୍ୱାରା ବହୁତ ବଡ଼ ଭୁଲ୍ ହୋଇଯାଇଛି। ଆଉ ଏଇ ଭୁଲ୍ କ୍ଷମା ଯୋଗ୍ୟ ନୁହେଁ।

ପ୍ଲିଜ ତୁମେ କେଉଁଠି କମ୍ପ୍ଲେନ କରିବନି। ମୁଁ ତୁମ ଗୋଡ଼ ତଳେ ପଡୁଛି।

ମୁଁ କାଲି ଏ କମ୍ପାନୀରୁ ଇଚ୍ଛାକୃତ ଭାବେ ଇସ୍ତଫା ଦେଉଛି। ଏଠି ରହି ମୁଁ ତୁମକୁ କେବେ ସାମ୍ନା କରିପାରିବି ନାହିଁ।

ପ୍ଲିଜ ....

ହସମୁଖ୍ ଝିଅ ନିତୁ ମୁହଁରେ ସେଦିନ ଆଦୌ ହସ ନଥିଲା।

ତା'ର ରୌଦ୍ର ରୂପ ଦେଖି ଅଥର୍ବ ସାର୍ ଛାନିଆ ହୋଇ ଯାଇଥିଲେ। ନିତୁର କେବେଳ ଗୋଟିଏ ଉତ୍ତର ଥିଲା..

-ମୋ ସାମ୍ନାରୁ ଦୂରେଇ ଯାଆନ୍ତୁ..

ନହେଲା ଯେଉଁ ଟିକେ ସମ୍ମାନ ଅଛି ତାକୁ ମଧ୍ୟ ହରାଇ ବସିବେ।


ସେଦିନ ନିତୁ ଆଉ ଅଥର୍ବ ସାରଙ୍କ ଭିତରେ ଯାହା ଘଟିଗଲା ହୁଏତ ଆଉ କାହାକୁ ଜଣା ପଡିଲା ନାହିଁ। ଗୋଟିଏ ସପ୍ତାହ ମଧ୍ୟରେ ଅଥର୍ବ ସାର୍ ଅଲଗା କମ୍ପାନୀ ରେ ଚାକିରୀ ହୋଇଯାଇଛି ବୋଲି ଦର୍ଶାଇ ସେ କମ୍ପାନୀରୁ ଇସ୍ତଫା ଦେଇ ଚାଲିଗଲେ।

ନିତୁର ସାମାନ୍ୟ ଦୟାପାଇଁ ଗୋଟେ ପରିବାର ଉଜୁଡିବାରୁ ରକ୍ଷା ପାଇଗଲା।

କିନ୍ତୁ ସମସ୍ତ ପୁରୁଷ ଯେଉଁମାନେ କାର୍ଯ୍ୟସ୍ଥଳୀରେ ନିଜ ଅଧିନସ୍ଥ କିମ୍ବା ସମକକ୍ଷ ମହିଳା କର୍ମଚାରୀଙ୍କୁ ଏପରି ବ୍ୟବହାର ଦେଖାନ୍ତି କଣ ସମାଜ ପାଇଁ ଏକ କଳଙ୍କ ନୁହନ୍ତି ?


Rate this content
Log in

Similar oriya story from Abstract