Papu parida

Drama Action Inspirational

4.5  

Papu parida

Drama Action Inspirational

ପୋଲିସ ଗୁଣ୍ଡା

ପୋଲିସ ଗୁଣ୍ଡା

4 mins
482


ସମୟ ସକାଳ ଆଠଟା ହେବ । ସହରର ଏକ ଚାହା ଖଟି ପାଖର ଦୃଶ୍ୟ। ଚରିତ୍ର: ମିଶ୍ର ବାବୁ ଜଣେ ବୟସ୍କ ପୋଲିସ କନେଷ୍ଟବଳ, ସାହୁ ବାବୁ ଅବସର ପ୍ରାପ୍ତ ଶିକ୍ଷକ,ପାଖରେ ଚାହାଵାଲା କିଛି ବ୍ୟକ୍ତି

ସାହୁବାବୁ : କିହୋ ମିଶ୍ରବାବୁ, ଏ ପଟେ ମ। କେଉଁ ଆଡେ ତରବର ହୋଇ ଚାଲି ଯାଇଛ ଯେ।ଆସ ଚାହା ଟିକେ ନିଅ।

ମିଶ୍ରବାବୁ: କୁଆଡେ ଆଉ ଯିବି।ଥାନାକୁ ଯାଉଥିଲି।

ସାହୁ ବାବୁ:ଏ ହରି,ବାବୁଙ୍କୁ ଗୋଟେ ଚାହା ଦେଲୁ।

ଉଭୟେ ଚାହା ପିଇ ପିଇ କଥା ବାର୍ତ୍ତା ଜାରି ରଖିଲେ।

ମିଶ୍ରବାବୁ: ଆଉ ସାହୁ ବାବୁ ସବୁ ଭଲ ତ?

ସାହୁବାବୁ:ହଁ ସବୁ ଭଲ।

ମିଶ୍ରବାବୁ:ଘରେ ସବୁ ଭଲ ଅଛନ୍ତି ତ?

ସାହୁବାବୁ : ହଁ ସମସ୍ତେ ଭଲ ଅଛନ୍ତି।

ମିଶ୍ରବାବୁ:ଅବସର ପରେ ଆପଣଙ୍କ ଜୀବନ କିପରି ଚାଲିଛି?

ସାହୁବାବୁ: ହଁ ମିଶ୍ରବାବୁ। ଜୀବନ ସାରା ପରିଶ୍ରମ କରି କରି ଥକି ଯାଇଥିଲି।ଆଉ ଏବେ ଖାଲି ଆରାମ। ଦିନର ଆରମ୍ଭ ଏ ଚାହା ଖଟିରୁ ହୁଏ। କିଛି ସମୟ ଘରେ ଟିଭି,ନଟିନାତୁଣୀଙ୍କ ସହ କଟିଯାଏ।ପୁଣି ସନ୍ଧ୍ୟା ହେଲେ ତ ଏଇଠି(ହା...ହା....)।

ଆଉ କଣ ମ କିଛି ଦିନ ହେଲା ଦେଖା ଯାଉ ନଥିଲେ ଯେ?

ମିଶ୍ରବାବୁ: ସେ କିଛି ନାହିଁ ଥାନା କାମରେ ବ୍ୟସ୍ତ ରହୁଥିଲି।ଆଉ ଦି ମାସ ରହିଲା ଅବସର ପାଇଁ। ତା ପରେ ଯାଇ ମଣିଷକୁ ଟିକେ ଶାନ୍ତି ମିଳିବ।

ସାହୁବାବୁ: କି ଏବେ ଶାନ୍ତି କୁଆଡେ ବୁଲିବାକୁ ଯାଇଛନ୍ତି କି?

ମିଶ୍ରବାବୁ: ଗମ୍ଭୀର ଭାବେ କଣ କହିବି ସାହୁବାବୁ। ଜୀବନସାରା ଚାକିରୀ କରି ଲୋକଙ୍କ ସେବା କରି କରି ଚୁଟି ପାଚିଗଲାଣି। କୋରନା ସମୟରେ ନିଜ ଜୀବନ କୁ ଖାତିର ନକରି, ନିଜ ସ୍ୱାସ୍ଥ୍ୟ କଥା ଭୁଲି ଦିନରାତି ଉଜାଗର ରହି ଲୋକଙ୍କୁ ସଚେତନ କରାଇଲୁ। ସେଥିପାଇଁ ସେତେବେଳେ ସମସ୍ତେ ଆମକୁ ପ୍ରଶଂସାରେ ପୋତି ପକାଉଥିଲେ।ଆଗଧାଡ଼ିର କୋରନା ଯୋଦ୍ଧା କହି ସମ୍ମାନିତ କରୁଥିଲେ।କିନ୍ତୁ ଦେଖୁନାହାନ୍ତି କଣ କହୁଛନ୍ତି ସେମାନେ ଟିଭିରେ ଟିଭିରେ କିଛି ଆନ୍ଦୋଳନରତ ଯୁବକ : ଉତ୍ୟକ୍ତ ଭାବେ ଆମର ଦାବି ପୂରଣ ହେଉ।ସରକାର ଯେ ପର୍ଯ୍ୟନ୍ତ ଆମର ଦାବି ବବିତା ମେହେରଙ୍କ ଦୋଷୀଙ୍କୁ ଫାଶୀ ଦେଇ ନାହାନ୍ତି ଆମେ ଆନ୍ଦୋଳନ ହଟିବୁ ନାହିଁ। ଆମେ ନ୍ୟାୟ ପାଇଁ ଆନ୍ଦୋଳନ କରିଲା ବେଳେ ଏ ଅପାରଗ ସରକାରର ବଟିଖିଆ ଗୁଣ୍ଡା ପୋଲିସମାନେ ଆମ ଉପରେ ଅତ୍ୟାଚାର କରୁଛନ୍ତି। ସରକାରର ପୋଷାକୁକୁର ପରି ତାଙ୍କ କଥାରେ ଉଠବସ ହୋଉଛନ୍ତି।ଆମକୁ ଜେଲକୁ ନେବ ନିଅ। ଯେ ପର୍ଯ୍ୟନ୍ତ

ମନ୍ତ୍ରୀ ଭବ୍ୟଶଙ୍କର ଇସ୍ତଫା ଦେଇନାହାନ୍ତି ଓ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ନ ମିଳିଛି ଆମ ଆନ୍ଦୋଳନ ଜାରି ରହିବ। ଭାରତ ମାତା କି ଜୟ। ଆମର ଦାବି

ମିଶ୍ରବାବୁ: ଶୁଣିଲେ ତ। ମୁଁ ବୁଝି ପାରୁନି କଣ ଆମ ଭଳି ପୋଲିସମାନେ ମଧ୍ୟ ଗୁଣ୍ଡା ଓ କୁକୁର। ଆମେ ତ କେବଳ ଆମ କାମ କରୁଛୁ।ଆମେ ଚାକିରୀ କରୁଛୁ। ଯାହା ଆମକୁ ଉପରୁ ନିର୍ଦ୍ଦେଶ ମିଳେ ଆମେ ତାହା କରୁ। ଆମେ ଯଦି ତାଙ୍କ ଆଦେଶ ନ ମାନିବୁ ଆମ ଚାକିରୀ ରହିବ କି? ତା ପରେ ଆମ ଛୁଆ ପିଲାଙ୍କୁ ପୋଷିବ କିଏ? ଆମେ ସରକାରଙ୍କ ଆଦେଶ ମାନିବା ପାଇଁ ବାଧ୍ୟ। ତେବେ କଣ ଆମକୁ ଗୁଣ୍ଡା କହି ଘୃଣା କରିବା ଯୁକ୍ତିଯୁକ୍ତ?ଆମେ କଣ ଚାହୁଁ ନାହୁଁ ବବିତାକୁ ନ୍ୟାୟ ମିଳୁବୋଲି? ଆମେ କଣ ଚାହୁଁ ନାହୁଁ ନାରୀ ସୁରକ୍ଷା? ଆରେ ଆମ ଘରେ ବି ତା ମାଆ ଭଉଣୀ ଅଛନ୍ତି। ଆମକୁ କଣ ବାଧୁନାହିଁ ? ଆମ ରକ୍ତ କଣ ତାତୁ ନାହିଁ? କିନ୍ତୁ ଆମକୁ ତ ପ୍ରୋଟୋକାଲ ମାନିବାକୁ ପଡିବ ନା।

ସାହୁ ବାବୁ: ଆପଣ ଠିକ କହୁଛନ୍ତି। ହେଲେ ଏତେ କଥା ହେଲା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏ ବିଷୟରେ ପାଟି ଖୋଲୁନାହାନ୍ତି କାହିଁକି ଯେ?କେଉଁ ଡର ତାଙ୍କୁ ବାନ୍ଧି ରଖୁଛି ଯେ?ଦୋଷୀଙ୍କୁ କାହିଁକି ଏ ଯାଏଁ ଦଣ୍ଡ ମିଳି ପାରୁନି କେଜାଣି? ଦେଖା ଯାଉ ଆଗକୁ କଣ ହେଉଛି?

ମିଶ୍ରବାବୁ: କଣ ଆଉ ହେବ ? କିଛି ଦିନ ଆନ୍ଦୋଳନ କରିବେ ଆଉ ତା ପରେ ଚୁପ ହୋଇଯିବେ। ତା ପରେ ଆମ ଅନ୍ଧ ସରକାର ବି ଆଉ ଧ୍ୟାନ ଦେବେ ନି। ପୁଣି ଆଉ ଗୋଟେ ଝିଅର ଅସ୍ତିତ୍ବ ଚର୍ମଲୋଭି ରାକ୍ଷସଙ୍କ ହାତରେ ପୋଛି ହୋଇଯିବ। ଯଦି ନ୍ୟାୟ ପାଇଁ ଇଚ୍ଛା ଅଛି ତେବେ ସବୁ ଦଳ ଓ ଗୋଷ୍ଠୀ ମିଳିତ ଭାବେ କାହିଁକି କୋର୍ଟର ଦ୍ୱାରସ୍ଥ ହେଉନାହାନ୍ତି ? କାହିଁକି ବିଧାନ ସଭାରେ ଏ ପ୍ରସଙ୍ଗ ଉଠୁନାହିଁ ? ହଁ ,ବିଧାନ ସଭାରେ ହୋ ହାଲା କରି ଗୃହ ବନ୍ଦ କରିବା ଛଡା ଆମ ନେତା ମନ୍ତ୍ରୀ ମାନେ ଆଉ କଣ ଶିଖିଛନ୍ତି କି ? ଭିନ୍ନ ଭିନ୍ନ ଦଳ ସବୁଦିନେ ଆନ୍ଦୋଳନ ପାଇଁ ବସି ଯାଉଛନ୍ତି। ଆଉ ଆମକୁ ସେମାନଙ୍କୁ ଜଗିବା ପାଇଁ ପଡୁଛି। ଆରେ ଯଦି ନ୍ୟାୟ ପାଇଁ ଯଦି ଏ ଆନ୍ଦୋଳନ ତେବେ ସମସ୍ତେ ମିଳିତ ଭାବେ କାହିଁକି ସରକାର ତଥା ଆଇନ ଆଗରେ ନିଜ ଦାବି ରଖୁ ନାହାନ୍ତି ? ଆମେ ତ ଆମ ଡ୍ୟୁଟି କରୁଛୁ।ଡ୍ୟୁଟି ନ କଲେ ଚାକିରିରୁ ବିଦା ଆଉ କଲେ ଆମେ ଭଡାଟିଆ ଗୁଣ୍ଡା। ବା କି ମହାନ ଚିନ୍ତାଧାରା ଆମ ଲୋକଙ୍କର।

ସାହୁବାବୁ: ହଁ ପରା ମିଶ୍ରବାବୁ। ସବୁ ପାର୍ଟି ଯଦି ମିଳିତ ଭାବେ କୋର୍ଟର ଦ୍ୱାରସ୍ଥ ହୁଅନ୍ତେ ତେବେ ହୁଏତ ଝିଅଟା ନ୍ୟାୟ ପାଇପାରିଥାନ୍ତା।କିନ୍ତୁ ସମସ୍ତେ ତ ଏଠି ପାଳିଟିକାଲ ମାଇଲେଜ ନେବାରେ ବ୍ୟସ୍ତ। ସେଥିରୁ ଫୁରୁସତ ମିଳିଲେ ତ କିଛି କରିବେ।ଆଜି ଏ ପାର୍ଟିର ରାସ୍ତାରୋକ ତ କାଲି ସେ ପାର୍ଟିର । କଣ ଯେ ହେବ? ଛାଡ଼ ଆମ ନେତାଙ୍କ ତ ଏହା ନିତିଦିନିଆ ବେପାର।

ମିଶ୍ରବାବୁ: ଆଉ କାଲି କଣ ହୋଇଛି ଜାଣିଛନ୍ତି। ମତେ ସେ ମନ୍ତ୍ରୀ ଭବ୍ୟଶଙ୍କର ର ସୁରକ୍ଷା ପାଇଁ ନିୟୋଜିତ କରାଯାଇଥିଲା। ଡ୍ୟୁଟି ତ କରିବାକୁ ପଡିବ। କେଜାଣି କେଉଁ ଆଡୁ ଦି ଟା ଅଣ୍ଡା ଆସି ମୋ ମୁଣ୍ଡରେ ଆଉ ପିଠିରେ ବାଜିଲା।ଅଣ୍ଡାଟା ବୋଲି ବଞ୍ଚି ଗଲି ଟେକା କି ପଥର ହୋଇଥିଲେ ତ ମୋ ଜୀବନ ହିଁ ପଳେଇଥାନ୍ତା। ଆଉ ମାତ୍ର ଦି ମାସ ରହିଲା। ଯଥାଶୀଘ୍ର ଅବସର ଟା ହୋଇଗଲେ ଟିକେ ଶାନ୍ତି ମିଳିବ।ଆସୁଛି ସାହୁବାବୁ ଆଜି ପୁଣି କେଉଁ ଗୋଟେ ପାର୍ଟିର ଆନ୍ଦୋଳନ ଅଛି। ସେଠି ମୋ ଡ୍ୟୁଟି ପଡିଛି।

ସାହୁବାବୁ: ହେଉ ଆଜ୍ଞା ଆସନ୍ତୁ।

ତା ପରେ କିଛି ଦିନ ଆଉ ମିଶ୍ରବାବୁ ଆଉ ଦେଖା ଦେଲେ ନାହିଁ। ପରେ ସାହୁବାବୁ ଜାଣିବାକୁ ପାଇଲେ ଯେ ଦି ଦିନ ତଳେ ଏସପି ଅଫିସ ଆଗରେ ଯେଉଁ ଆନ୍ଦୋଳନ ହୋଇଥିଲା ସେଥିରେ ପୋଲିସ ଓ ଆନ୍ଦୋଳନକାରୀ ମାନଙ୍କ ମଧ୍ୟରେ ହୋଇଥିବା ଧସ୍ତାଧସ୍ତିରେ କେହି ଅଜାଣତରେ ମିଶ୍ରବାବୁଙ୍କୁ ଠେଲି ଦେଇଥିଲା ଏବଂ ସେ ପାଖ ବ୍ୟାରିକେଟରେ ଯାଇ ବାଡେଇ ହୋଇଯାଇଥିଲେ। ଫଳରେ ତାଙ୍କ ବାମ ହାତର ହାଡ ଟା ସାମନ୍ୟ ବଙ୍କି ଯାଇଛି। ତେଣୁ ସେ ଆରାମ କରୁଛନ୍ତି। ସାହୁବାବୁ ମନେ ମନେ ଦୁଃଖିତ ହେଲେ ଆଉ ଚାହା ପିଇ ପିଇ ମିଶ୍ରବାବୁଙ୍କ କଥା ଗୁଡିକୁ ମନେ ମନେ ତର୍ଜମା କରୁଥିଲେ।


Rate this content
Log in

Similar oriya story from Drama