ପୋଡି ହୋଇ ମରିଯିବା
ପୋଡି ହୋଇ ମରିଯିବା
ମୋର ନୂଆ ନୂଆ ଚାକିରୀ ଲାଗିଥାଏ। ଆସାମ ରେ ପୋଷ୍ଟିଙ୍ଗ। ମୁଁ ଯିବା ପାଇଁ ଜିନିଷ ସଜଡ଼ା ରେ ଲାଗିଥାଏ।ଆମ ଘର ପାଖୁ ଜଣେ ଇଂଜିନିୟର ଙ୍କ ଘର। ଡିପ୍ଲୋମା କରି ଚାକିରୀ ପାଇଁ ଥାନ୍ତି। ନୂଆ ବାହାଘର ହୋଇଥାଏ।ତାଙ୍କ ସ୍ତ୍ରୀ ଦେଖିବାକୁ ବହୁତ ସୁନ୍ଦରୀ ଟିଏ।ମୋ ଭଉଣୀ ଦେହ ଖରାପ ଥାଏ ଯେ ବାପା ବୋଉ ଭଉଣୀକୁ ନେଇ ଡାକ୍ତରଖାନା ଯାଇ ଥାନ୍ତି। ମୁଁ ଘର ଟାରେ ଏକଲା ଥାଏ। ହଠାତ୍ ବଂଚାଅ, ବଂଚାଅ ଚିତ୍କାର ଶୁଭିଲା।ଆମ ଝରକା କୁ ଇଂଜିନିୟର ଙ୍କ ଝରକା ପ୍ରାୟ ପାଖାପାଖି। ମୁଁ ଝରକା ପାଖକୁ ଯାଇ ଦେଖେତ ସେ ଇଂଜିନିୟର ଙ୍କ ସ୍ତ୍ରୀ ଗୋଟାପଣ ଜଳୁଛନ୍ତି। ମୁଁ ହଠାତ୍ ବୁଝି ପାରିଲିନି କ'ଣ ଘଟୁଛି ବୋଲି।ତାଙ୍କ ଚିତ୍କାର ରେ ହଠାତ୍ ହୋସ୍ ପଶିଲା।ଦଉଡିକି କବାଟ ଖୋଲିବାକୁ ଗଲା ବେଳକୁ ତାଙ୍କ କବାଟ ଆଗୁଆଁ ଦିଆ ହୋଇଛି।ତାଲା ଵାଡେଇକି ଭାଙ୍ଗିବାକୁ ଚେଷ୍ଟା କଲି ହେଲେ ପାରୁ ନ ଥାଏ।ସେ ଚିତ୍କାର କରି କେତେବେଳେ ଝରକା ପାଖକୁ ତ କେତେବେଳେ କବାଟ ପାଖକୁ ଆସୁଥାନ୍ତି। ମୋ ତେ ବିକଳରେ ଡାକ ପକାଉ ଥାଆନ୍ତି।ମୋର ବି ବୁଦ୍ଧି ଘର ଧରୁ ନ ଥାଏ ।ଝରକା ପାଖକୁ ଯାଇ ଭ୍ରମି ଯାଉଥାଏ ତ କବାଟ ପାଖକୁ ତାଲା ଭାଙ୍ଗି ବାକୁ ଦଉଡ଼ି ଆସି ଚେଷ୍ଟା କରୁଥାଏ।ଧିରେ ଧିରେ ତାଙ୍କ ପାଟି ବନ୍ଦ ହୋଇ ଆସୁଥାଏ।ଶେଷରେ ଥଙ୍ଗେଇ ଥଙ୍ଗେଇ ଝରକା ପଟେ ପାଣି ମୁନ୍ଦେ ଦେବାକୁ କହିଲେ।ଝରକା ପଟେ ପାଣି ବି କୋଉ ଦେଇ ପାରୁଥାଏ।ଛଟପଟ ହୋଇ ଅଳ୍ପ ସମୟରେ ସେ ମରିଗଲେ। ମୁଁ ଅବଶ୍ୟ କବାଟ ତାଲା ତାଡ଼ି ଯାଇ ତାଙ୍କ ଉପରେ ବସ୍ତା ଖଣ୍ଡେ ପକାଇବାକୁ ଚେଷ୍ଟା କଲି ସେତେବେଳ କୁ ବହୁତ ଡେରି ହୋଇସାରିଥିଲା।ମୋର କାଳେ କ'ଣ ଅସୁବିଧା ହେବ ଭାବି ସେ ଯାଗା ଛାଡି ଚାଲି ଯିବାକୁ ଈଶାରା ଦେଉଥିଲେ। ଆତ୍ମହତ୍ୟା କି କେହି ମାରିଦେବା ର ଚେଷ୍ଟା। କିଛି ବି ହୋଇପାରେ। ମୁଁ ଆଖିଦେଖା ସାକ୍ଷୀ ରହିଯିବିନା।ସବୁ ସାମ୍ନା ରେ ଦେଖିଚି।ସେ ହାତ ଠାରି ମନାକଲେ। ତାଙ୍କର ଶରୀରର ଅଧା ଅଂଶ ପୋଡ଼ି ସାରିଥିଲା।ବସ୍ତା କି କମ୍ବଳ ପକେଇ ଫାଇଦା କ'ଣ?ମୁଁ ହତବାକ୍ ହୋଇ ତାଙ୍କ ପୋଡ଼ା ଦେହ ପାଖେ ବସିଥାଏ।ବୋଉ ବାପା ଆସି ସେତିକି ବେଳେ ପହଞ୍ଚିଲେ।ମୋର ଭେମା ରଡି ଶୁଣି ତାଙ୍କ ଘରେ ପହଞ୍ଚିଲେ।ସେ ବି ବାପା, ମାଁ।ମୋର ଏ ଅବସ୍ଥା ଦେଖି ବୋଉ ମୋତେ ଜବରଦସ୍ତି ସେଠୁ ଘରକୁ ନେଇ ଆସିଲା।ବାପା କହିଲେ ବୋଉକୁ, ତାକୁ ଏଠୁ ନେଇ ଯାଅ। ମୁଁ ଭାବୁଥିଲି ସେ ଭାଉଜ ବିତ କାହାର ଝିଅ ।ସେ ଆଜି ମରିପଡିଚନ୍ତି।ମୋ ଭଉଣୀ ହୋଇଥିଲେ!ସଂସାର ନିୟମ ନା ମୋ ବୋଉ କହିଲା ଭଳି।ତୁ ସଂସାର ଉଦ୍ଧାର ଠେକା ନେଇନୁ
ମୋ ବାପା,ବୋଉଙ୍କର ତାଙ୍କ ପୁଅ ଚିନ୍ତା। ନୂଆ ଚାକିରୀ କୋଉଠୀ କ'ଣ ଅସୁବିଧା ହେବ।ତାଙ୍କ ପୁଅ ବସିବ।ଯେଝା ଜୀବନ ଯେଝା କୁ ବଡ।ଆଖି ଦେଖା ସାକ୍ଷୀ ମୁଁ ନାଁ।ମୋ କ୍ୟାରିୟର ଉପରେ ପ୍ରଭାବ ପଡ଼ିବ।
ବାପା ସେଠି ରହିଲେ ବୋଉ ମୋତେ ଘରକୁ ଆଣି ପାଣି ପିଆଇ ପାଖରେ ବସି ରହିଲା। ମୁଁ ବାହାରୁ ଥିଲି ପୁଲିସ୍ କୁ ସବୁ କହିବି ମୋ ଆଗରେ ଯାହା ଘଟିଚି।ବୋଉ ରାଣ ନିୟମ ପକେଇ ଅଟକାଇଲା।ବୋଉ କହିବା କଥା ଆମେ ବି ଏଠି ଉଠାପାହିଆ। ଚାକିରୀ ସରିଲେ ବାପାଙ୍କ ର ଆମ ବାଟେ ଆମେଯିବା।ବାପା ଯାଗା ଉପରେ ଅଛନ୍ତି।ଆଉ ଚାରିଜଣ ଙ୍କ ପରାମର୍ଶ କରିବେ ପୋଡ଼ି ହେବା ଘଟଣା।ଜଣକ ନିଷ୍ପତ୍ତି ରେ କିଛି ହବନି।ତୋର ଦୁନିଆଦାରି ରେ କେତେ ବୁଦ୍ଧି ହେଲାଣି।ବାପା,ସମସ୍ତ ଲୋକଙ୍କୁ ଏକାଠି କରି ଯାହା ଗୋଟେ କରିବେ।ତୋତେ କେତେଜଣ ଚିହ୍ନି ଛନ୍ତି।ବାପାକୁ ମାଷ୍ଟର ବୋଲି ସମସ୍ତେ ଜାଣନ୍ତି।ତାକୁ , ସେ ଇଂଜିନିୟର କୁ ଖୋଜା ଗଲା।ସେ ତାଲା ପକାଇ ଶାଳୀ କୁ ନେଇ ଏମ୍ପ୍ଲୋଇମେଣ୍ଟ ଅଫିସ୍ ଯାଇଥିଲା ଶାଳୀର ନାଁ ରେଜିଷ୍ଟ୍ରେସନ କରିବାକୁ।
ତା ଶାଳୀର କ'ଣ ଇଣ୍ଟରଭିୟୁ ଥିଲା।ତା ସ୍ତ୍ରୀ ପୋଡ଼ି ହେଲା କେମିତି। ପୋଲିସ୍ ତା ବରକୁ ଥାନାକୁ ନେଲା।କିନ୍ତୁ ଶାଶୁଘର ଲୋକଙ୍କ ବୟାନ ଆଉ ପ୍ରମାଣ ଅଭାବରୁ ସେ ଲୋକ ଖସିଗଲା। ଝିଅ ଘର ଲୋକ କୁଆଡ଼େ କହିଲେ ଆମ ଝିଅ ର ମୁଣ୍ଡ ଦୋଷ ଥିଲା। ଏକୁଟିଆ ଥାଇ କ'ଣ କରି ଦେଇ ଥିବ।ଯଦିମୁଣ୍ଡ ଦୋଷ ଜାଣିଥିଲେ ବାହା ଦେଲେ କାଇଁ। ନୂଆ ଜୋଇଁ ଟା ତାକୁ ସିନା କହିପାରିବିନି।ସାନ ଭଉଣୀକୁ ପରା ସାଙ୍ଗରେ ପଠାଇଥିଲ।ସେ କେମିତି ଏକା ଛାଡ଼ି ପଳାଇଲା।ଚାଲାଖିଆ କଥା।ମୋତେ ତ ସାଙ୍ଗେ ସାଙ୍ଗେ ତା ପରଦିନ ଗାଁ କୁ ପଠେଇଦେଲେ ଆମ ଗାଁରୁ ମୁଁ ଆସାମ ପଳାଇଲି। ପରେ ଆସି ଶୁଣିଲି ବର୍ଷକ ଭିତରେ ସେ ଇଂଜିନିୟର ଶାଳୀକୁ ବାହା ହୋଇପଡ଼ିଲା।ତାଙ୍କ ସ୍ତ୍ରୀ ତ ଏତେ ସୁନ୍ଦର ଥିଲେ।ସତରେ ପାଗଳ ଥିଲେ!କ'ଣ ଥିଲା ତାଙ୍କ ପରିବାର ରହସ୍ୟ? ସବୁଦିନ ପାଇଁ ମୋର ଅଜଣା ହୋଇ ରହିଗଲା।ମୋର କ'ଣ ସମସ୍ତଙ୍କ ପାଇଁ ଅଜଣା। ଯଦିଓ ବୋଉ ଶୁଣାଶୁଣିରୁ କୁହେ ଝିଅ ମୁଣ୍ଡର ସବୁ ଚୁଟି ପାଚିଯାଇଥିଲା।ଟିକେ ମୁଣ୍ଡ ଦୋଷ ଥିଲା। ଝିଅ ଘର ପ୍ରବଳ ଯଉତୁକ ଦେଇ ଵାହା କରିଥିଲେ।ଚଳିପାରିବନି କାଳେ ସାଙ୍ଗରେ ଭଉଣୀକୁ ଛାଡି ଥିଲେ।ବାହାଘର ବେଶୀ ଦିନ ବି ହୋଇନି ଯେ ଶାଳୀକୁ ଭଲ ପାଇଗଲେ ସେ ଇଂଜିନିୟର ବାବୁ,
ଏତେ ସୁନ୍ଦର ସ୍ତ୍ରୀ ବି ଥାଉ ଥାଉ। ଝିଅ ଘର ଲୋକ ଚାକିରିଆ ଜୋଇଁ ପାଇ ଦ୍ବିତୀୟ ଝିଅ କୁ ବି ତାରି ସାଙ୍ଗରେ ବାହା ଦେଲେ ।ଡର ଲାଗିଲାନି ବଡ଼ ଝିଅ ର ଯୋଉ ଅବସ୍ଥା ହେଲା ହୁଏତ ସାନ ଝିଅ ସହ ସେଇ ଘଟଣା ଘଟିପାରେ।ନିଜ ସାନ ଝିଅ ପାଇଁ କ'ଣ ଆଉ ବଡ଼ ଝିଅ ମଲା?
ଭଉଣୀ ସଉତୁଣୀ ହୋଇ ମାରି ଦେଇପାରେ!! ରହସ୍ୟ, ରହସ୍ୟ ହୋଇ ରହିଲା?
