Aravinda Das

Inspirational

3  

Aravinda Das

Inspirational

ପଞ୍ଚୁକ ଓ ହବିଷିଆଳି

ପଞ୍ଚୁକ ଓ ହବିଷିଆଳି

3 mins
574



 କଲ୍ୟାଣୀ ପଞ୍ଚୁକ ପାଇଁ ପୁରୀ ଯାଆନ୍ତି।ଗୋଟାଏ ଭଡା ଘରେ ସେମାନେ ତିନି ସାଙ୍ଗ , କମଳିନୀ,ଆରତୀ ଓ ସେ, ଗଲା ଛଅ ବର୍ଷ ହେଲାଣି ଏକାଠି ରହି ପଞ୍ଚୁକ ପାଳି ହବିଷ କରୁଛନ୍ତି।


ପୁରୀରେ ହିଁ ସେମାନଙ୍କ ଭିତରେ ଚିହ୍ନା ପରିଚୟ ହୋଇଥିଲା।ସେଇଠୁ ନିବିଡ଼ତା।


  ନିଜ ବ୍ୟାଗ ପତ୍ର ସଜାଡିଲା ବେଳେ ଭାବନାରେ ମଜିଗଲେ କଲ୍ୟାଣୀ।ଏଇ ପାଞ୍ଚଟା ଦିନ କେତେ ଜଲଦି କଟିଯାଏ ?କେତେ ଗପସପ କରନ୍ତି ସେମାନେ ?  


   ପୁରୀରୁ ନିତ୍ୟାନନ୍ଦ ଫୋନ କରିଥିଲା।ସେମାନେ ଭଡ଼ାରେ ରହୁଥିବା ଘର , ସେଠାରେ ଖିଆପିଆ, ସବୁଦିନ ବଡ଼ ମନ୍ଦିର ଯିବାଆସିବା ଓ ପୂଜା ସାମଗ୍ରୀ ଯୋଗାଡ଼ ଇତ୍ୟାଦି ସବୁ ଦାୟିତ୍ୱ ତାର।ବିଶ୍ୱାସୀ ଲୋକ।ଖାଲି ତାକୁ ଟଙ୍କା ଦେଇଦେଲେ ସବୁ କାମ ସେ କରେ।


- ଅପା,ଏଥର ନୂଆ ଘର ଠିକ ହୋଇଛି।ପୂର୍ବବର୍ଷ ମାନଙ୍କରେ ତମେ ରହୁଥିବା ଘର ,ସରକାରଙ୍କ ତରଫରୁ ଏଥର ଭଙ୍ଗା ହୋଇଛି।ନୂଆଘରଟା ମନ୍ଦିରଠୁ ଟିକେ ଦୂର, କିନ୍ତୁ ଭଲ ରେଟ ରେ ମିଳିଛି।"

- କମଳିନୀ ଓ ଆରତୀ କେବେ ଆସି ପହଞ୍ଚୁଛନ୍ତି ?

- ଆପଣ କଣ ଖବର ଜାଣି ନାହାନ୍ତି ? ଦୁଇଦିନ ତଳେ ପରା କମଳିନୀ ଅପା ହାର୍ଟ ଆଟାକରେ ଚାଲିଗଲେ। ଆରତୀ ନାନୀଙ୍କ ଦେହ ଭଲ ନାହିଁ।।ଏବର୍ଷ ଆସିବେନି। ନୂଆ ସାଙ୍ଗ ମିଳିଯିବେ ଆପଣଙ୍କୁ।

   ନିତ୍ୟାନନ୍ଦ କଥା ଶୁଣି କଲ୍ୟାଣୀ ଆବାକାବା ହୋଇଗଲେ।ମନଟା ତାଙ୍କର ଭଲ ଲାଗୁନଥିଲା।


- ଅପା, ଏଥର ଯେଉଁ ନୂଆ ଘର ଭଡା ନିଆ ଯାଉଛି, ତା ମାଲିକାଣୀ ଭାରି ଭଲ ଲୋକ।ସେ ବି ଏକୁଟିଆ ମଣିଷ।କେବଳ ଲେଡିଜଙ୍କୁ ଘର ଭଡା ଦିଅନ୍ତି।"


   ଫୋନ ରଖିଲା ପରେ ବି ମନଟା ବ୍ୟସ୍ତ ଲାଗୁଥିଲା କଲ୍ୟାଣୀଙ୍କର।ଜୀବନଟା ସତରେ ପାଣିଫୋଟକା ଭଳି।କେତେବେଳେ କାହାର କଣ ହେବ କିଏ ଜାଣେ ?କାନ୍ଥ ରେ ଟଙ୍ଗା ହୋଇଥିବା ସ୍ବାମୀଙ୍କ ଫଟକୁ ଅନାଇଲେ ସେ।

ସୁଧୀର ତ ଏମିତି ହାର୍ଟ ଆଟାକରେ ଚାଲିଯାଇଥିଲେ।


କମଳିନୀ କଥା ମନେପଡୁଥିଲା।ବିଚାରୀ ଭାରି ଦୁଖୀ ଥିଲା।ବୋହୁ ସହିତ କାଳେ ତାର ପଡୁନଥିଲା।ସବୁବେଳେ ଖିଟପିଟ ଲାଗେ।ଆରତୀ ବି ନିଜ କାହାଣୀ କୁହନ୍ତି।କଲ୍ୟାଣୀ ବି ଗପନ୍ତି।ସେଇ ଗପସପରେ ସମୟ କଟେ ।ଏଇ ପଞ୍ଚୁକରେ ହବିଷିଆଳି ଭାବେ ପୂଜା,ବ୍ରତରେ ଯେତିକି ସମୟ ନକଟେ, ତା ଠାରୁ ଅଧିକ ସମୟ ଯାଏ ନିଜ ବୋହୁ ମାନଙ୍କ ବିପକ୍ଷରେ କଥାବାର୍ତ୍ତାରେ।

  

ପୁରୀରେ ପହଁଚି ନୂଆ ଭଡା ଘରକୁ ଦେଖି ଖୁସି ହୋଇଗଲେ କଲ୍ୟାଣୀ।ରୁମ ଗୁଡାକ ଟିକେ ବଡ଼।ଆଟାଚ୍ ଲାଟିନ ବାଥ।ଘର ବାହାରେ ସୁନ୍ଦର ଚଉରା ଟିଏ।ତଳ ମହଲାରେ ଚାରୋଟି ରୁମ।ଉପର ମହଲାରେ ମାଲିକାଣୀ ବୃନ୍ଦାବତୀ ଦେବୀ ରୁହନ୍ତି ଏକୁଟିଆ ।ସେ ବି ବିଧବା।ତେବେ ଅନେକ ସମୟରେ ସେ ନିଜ ଦୁଇପୁଅଙ୍କ ପାଖରେ ଦିଲ୍ଲୀ ବା କଲିକତାରେ ରୁହନ୍ତି।ମଝିରେ ମଝିରେ ଘର ଦେଖାଶୁଣା କରିବାକୁ ପୁରୀ ଆସନ୍ତି।


  ତଳ ମହଲାର ଅନ୍ୟ ରୁମରେ  ହବିଷିଆଳି ଲୋକ ଥିଲେ।ନୂଆ ବୁଢ଼ୀଗୁଡାକ କେମିତି ହୋଇଥିବେ କେଜାଣି ?ଘର ମାଲିକାଣୀଙ୍କ ସହ ମିଶିବା ବରଂ ଭଲ ହେବ।ଉପର ମହଲାକୁ ଗଲେ କଲ୍ୟାଣୀ।ବୃନ୍ଦାବତୀ ଦେଵୀ ଟିଭି ଦେଖୁଥିଲେ।

 

 ବେଶ ମେଳାପୀ ସ୍ଵଭାଵ'ର ମଣିଷ ଭଳି ଲାଗିଲା।ପୁରୀରେ ନିଜ ପୂର୍ବ ବର୍ଷ ପଞ୍ଚୁକ ଅଭିଜ୍ଞତା ଓ ହବିଷିଆଳି ବାନ୍ଧବୀଙ୍କ କଥା କହିଲେ କଲ୍ୟାଣୀ।


- ବ୍ୟସ୍ତ ହୁଅନ୍ତୁନି।ନୂଆ ସାଙ୍ଗ ମିଳିଯିବେ।ଜୀବନଟା ହିଁ ଏମିତି।ସବୁବେଳେ କଣ ଆମେ ନିଜେ ବଞ୍ଚିବା ?"

- ହବିଷ ବ୍ରତର ପୁଣ୍ୟ ଫଳ ଯୋଗୁଁ ସ୍ୱର୍ଗକୁ ଚାଲିଗଲା କମଳିନୀ।


-ଯିଏ ମରିଗଲା ଜାଣ ସେ ତ୍ରାହି ପାଇଗଲା ବୋଲି ଭାଵନ୍ତୁ।ସ୍ୱର୍ଗ,ନର୍କ ଏସବୁ ଖାଲି ଆମ ଭାବନା।ହବିଷ ନକରୁଥିବା ଲୋକ ବି ପୁଣ୍ୟ କମାଏ।ଭକ୍ତି,ନିଷ୍ଠାର ସହ ଯେଉଁମାନେ ବ୍ରତ କରନ୍ତି ତାଙ୍କୁ ଦେଖି ମନଭରିଯାଏ।ତେବେ ପୁରୀରେ ପଞ୍ଚୁକ ବା ହବିଷ କରୁଥିବା ବହୁତ ଲୋକଙ୍କୁ ଦେଖି ମୋତେ ଲାଗେ ସେମାନେ ଭଗବତ ଚିନ୍ତା ଅପେକ୍ଷା ନିଜ କଥା ଓ ପୁଅ ବୋହୁଙ୍କ କଥା ଅଧିକ ଜପନ୍ତି।ଏବର୍ଷ ଦେଖାଯାଉ କଣ ହେଉଛି।"

- ଆପଣ ତ ପଞ୍ଚୁକ ଓ ହବିଷ କରୁଥିବେ ? 

- ନା,ମୁଁ କରେନା।"କହିଲେ ବୃନ୍ଦାବତୀ।

- କାହିଁକି ?ଆପଣଙ୍କ ଆଡ଼େ ହବିଷ...

- ଅଛି।ତେବେ ମୋତେ କୌଣସି ଜିନିଷ ଦେଖାଣିଆ ଭାବେ କରିବାକୁ ଭଲ ଲାଗେନା।ଯେଉଁ ଲୋକଟା ସାରାଜୀବନ ତା ସ୍ତ୍ରୀକୁ କଲବଲ କରିଥିବ, ତା ପାଇଁ ମନରେ କଣ ଭାବନା ରହେ ?ଆଉ ଗୋଟେ ସ୍ତ୍ରୀ ସହ ସମ୍ପର୍କ ଯୋଗୁଁ ମୋତେ ବହୁତ ମାରଧର କରୁଥିଲେ ମୋ ସ୍ୱାମୀ।ମୁଁ ନିଜେ ଭଗବାନଙ୍କୁ ଡାକୁଥିଲି, ସେ ଲୋକଟାକୁ ମାରିଦେବା ପାଇଁ।ବାସ,ଭଗବାନ ମୋ ଡାକ ଶୁଣିଲେ।ଦୁଇ ପିଲାଙ୍କୁ ନିଜ ହାତରେ ମଣିଷ କରିଛି।ମନ୍ଦିର ଯାଏ,ପୂଜା କରେ। ସ୍ବାମୀଙ୍କୁ କେବେ ଦେବତା ଭାବିନି।"


-ଆସନ୍ତା ଜନ୍ମରେ ବୈଧବ୍ୟ ଯନ୍ତ୍ରଣା ନମିଳୁ ଓ ପୁଣ୍ୟ କମାଇବା ପାଇଁ ଏ ବ୍ରତ କରନ୍ତି ସମସ୍ତେ।"


- ବୈଧବ୍ୟକୁ ଯନ୍ତ୍ରଣା ବୋଲି ନଭାବି ଜୀବନର ଏକ ଅଂଶ ବୋଲି ଭାବିଲେ ଦୁଃଖ ଲାଗେନା।ଭାବିନିଅ ଏହା ଏକ ଆକ୍ସିଡେଣ୍ଟ।ପରିସ୍ଥିତି ସହ ଖାପ ନଖୁଆଇଲେ ଆମେ ଦୁଃଖ ପାଉ।ମୁଁ ତ ଭାବୁଛି ବୈଧବ୍ୟ ମୋ ପାଇଁ ବରଦାନ ଥିଲା।ସ୍ୱାମୀ ଚାଲିଗଲା ପରେ ମୁଁ ଶାନ୍ତିରେ ରହିଲି।ତେବେ ଏଇ କାର୍ତ୍ତିକରେ ମୁଁ ହବିଷ,ପଞ୍ଚୁକ ନକରି ବି ଢେର ପୁଣ୍ୟ କମାଏ।"

- କେମିତି ?"

ସ୍ମିତ ହସି ବୃନ୍ଦାବତୀ କହିଲେ,

- ହବିଷିଆଳିଙ୍କୁ ଘର ଭଡା ଦେଉଛି ପରା।ସମସ୍ତେ ମୋ ଘରେ ପୂଜା କରନ୍ତି,ଚଉରା ଚାରପଟେ ମୁରୁଜ ପକାନ୍ତି,ହବିଷ ମାହାତ୍ମ୍ୟ ବହି ପଢ଼ନ୍ତି।କାର୍ତ୍ତିକ ପୁନେଇରେ ଡଙ୍ଗା ଭସାଇଲା ବେଳେ ଆମେ ଯେମିତି କହୁ ,"ପାନ ଗୁଆ ତୋର,ମାସକ ଧର୍ମ ମୋର।"ସେମିତି ହବିଷିଆଳିଙ୍କ ପୁଣ୍ୟ ଫଳର ଅଂଶ ମୋତେ ମିଳୁଥିବ ।

 ଟିକେ ରହି ପୁଣି କହିଲେ,"ପଞ୍ଚୁକ, ହବିଷ ବ୍ରତ ବେଳେ ଅନ୍ୟର କୁତ୍ସାରଟନା ନକରି ଭଗବତ ଚିନ୍ତା କରିବା ଦରକାର।ମୁଁ ସକାଳୁ ଉଠି ଝରକା ବାଟେ ନୀଳଚକ୍ରରେ ବନ୍ଧା ପତିତପାବନ ବାନାକୁ ଦେଖି ସବୁଦିନ ମୁଣ୍ଡିଆ ମାରେ।କାର୍ତ୍ତିକରେ,ପଞ୍ଚୁକରେ ପୁଣ୍ୟ କମାଇବା ପାଇଁ ହବିଷିଆଳି ହେବା ନିହାତି ଜରୁରୀ ନୁହେଁ; ମନରେ ଭକ୍ତି ଥିଲେ ଯଥେଷ୍ଟ।


Rate this content
Log in

Similar oriya story from Inspirational