Santanu Bisoi

Inspirational

5.0  

Santanu Bisoi

Inspirational

ପଞ୍ଚୁ ନା'।

ପଞ୍ଚୁ ନା'।

5 mins
422


ଗ୍ରାମ୍ୟ ଜୀବନର ବଞ୍ଚିବା ଶୈଳୀ ଖୁଵ ନିଆରା। ଗାଁ ମାଟିର ହାତ ଠରା ଡାକ ହୃଦୟକୁ ଥରେ ଛୁଇଁଗଲେ କର୍ମ ଜଞ୍ଜାଳ ସବୁ ଭୁଲି ମଣିଷ ଘର ମୁହାଁ ହୋଇଥାଏ। 


ଆତ୍ମୀୟ ସ୍ଵଜନଙ୍କ ଭଲପାଇବା, ଜନ୍ମଭୂମିର ଆକର୍ଷଣ ରବିକୁ ସୁଦୂର ହାଇଦ୍ରାବାଦରୁ ଗାଁ ମାଟିକୁ ଟାଣି ଆଣିଲା। ସାଙ୍ଗ,ସାଥି, ବନ୍ଧୁ ପରିଜନଙ୍କ ଗହଣରେ କଟିଗଲା କେତେ ସୁନେଲି ମୁହୂର୍ତ୍ତ। 


ଅତୀତକୁ ରୋମନ୍ଥନ, ବର୍ତ୍ତମାନକୁ ପରିମାର୍ଜିତ ଓ ଭବିଷ୍ୟତକୁ ଉଜ୍ଜ୍ୱଳ କରିବାର ଅନେକ ସୁଯୋଗ ତା' ହୃଦୟ ଝରକା ଖୋଲି ଅନ୍ତର ଭିତରେ ପଶି ଯାଉଥିଲେ।


ଅନେକ ଶତ୍ରୁ ଆପଣାର ହୋଇ ସାରିଥିଲେ। ସୁବିଧା ସୁଯୋଗ ହାସଲ କରିସାରିଲା ପରେ କିଛି ଅନ୍ତରଙ୍ଗ ବନ୍ଧୁମାନେ ପଛରୁ ଛୁରା ମାରିଲା ଭଳି ବିଶ୍ୱାସଘାତକ ସାଜିବାକୁ ବି ପଛଘୁଞ୍ଚା ଦେଇ ନଥିଲେ।


ଏହାର ଅନ୍ୟ ନାମତ ଜୀବନ


ଏମିତି ଅନେକ ଆତ୍ମସମୀକ୍ଷା କରି ଚାଲିଥିଲା ରବି।


ଗାଁ ରେ ଝଗଡା ଝାଟି ହେଲେ ଆଗରେ ଠିଆ ହୋଇଥିବ ରବି। ମାଡ଼ ମାରିଥିଲେ ରବି, ମାଡ଼ ଖାଇଥିଲେ ରବି।ଯଦି କୋଉଠି ନିଆଁ ଲାଗିଥିବ ସେ ନିଆଁ ଲଗାଇଥିବ ରବି। ରବି ଗୋଟିଏ ଭଲ ଖରାପ ମିଶ୍ରିତ ମଣିଷ। 

ଗୋଟିଏ ଶିକ୍ଷିତ ପୁଅର ହରକତ ଓ ସମ୍ମାନ ବଞ୍ଚାଇବାକୁ ଘର ଲୋକ ଉପଦେଶ ଦେଇଥିଲେ ରବିକୁ ଚାକିରୀ କରିବା ପାଇଁ।


ଘର ଲୋକଙ୍କ ଉପଦେଶ ରବିର ପସନ୍ଦ ଆସିଥିଲା। ଗୋଟିଏ ଦିନର ସକାଳ ହିଁ ତା'ଚରିତ୍ରକୁ ବଦଳେଇ ଦେଇଥିଲା।


ଦିନେ ସକାଳୁ ରବି ପାଣିଢାଳ ନେଇ ପିଣ୍ଢାରେ ଦାନ୍ତ ଘଷୁଥାଏ। ଦାନ୍ତଘଷା ଶେଷରେ ମୁହଁ ଧୋଇ ଏକ ଲକ୍ଷରେ ସାମ୍ନାକୁ ଚାହିଁ ରହିଥାଏ। ଦୁଇଟି ବାଳକ ତାର ଧ୍ୟାନ ଭଗ୍ନ କଲେ। ରବି ଚାହିଁ ଦେଖିଲା। ଜଣେ ପାଞ୍ଚ ବର୍ଷର ଓ ଅନ୍ୟ ଜଣକ ଆଠ ନଅ ବର୍ଷର ହେବ। ଦୁହେଁ ଏକସ୍ଵରରେ କହିଲେ ଗୁଣ୍ଡା, କେମିତି ଅନେଇଛି... ପାଠ ଶାଠ ପଢି କାମଧନ୍ଦା ନାହିଁ, ଗାଁ ରେ ଗୁଣ୍ଡାଗିରି କରୁଛି।


ଛୋଟ ଛୁଆ ଦୁଇଟିର କଥା, ରବି ଛାତିରେ ଗୁଳି ବିଦ୍ଧ ହେଲାଭଳି ଅନୁଭବ ହୋଇଥିଲା।


ଅନେକ ଗୁଣ୍ଡା ହୁଣ୍ଡାଙ୍କ ଉପରକୁ ରବି ହାତ ଉଠେଇଛି। ଏମାନଙ୍କୁ ଦୁଇ ଥାପ୍ପଡ ହିଁ ଯଥେଷ୍ଟ ହେଇଥାନ୍ତା। କିନ୍ତୁ ଆଜି ଏଇ ଦୁଇ ଛୁଆଙ୍କ ପାଖରେ ସେ ଯେମିତି ହାରିଯାଉଥିଲା। ନିଜ ଅତୀତକୁ ଫେରି ଚାହିଁଲା ରବି। ଭଲ ଷ୍ଟୁଡେଣ୍ଟ ନ ହେଲେ ବି ସେ ଗ୍ରାଜୁଏସନ କମ୍ପ୍ଲିଟ କରିଛି। ସରକାରୀ ନ ହେଲେ ବି ବେସରକାରୀ ଚାକିରୀ ଖଣ୍ଡେ କରିପାରିବ। ନିକଟସ୍ଥ ସହରକୁ ଯାଇ ସେ ନିଜପାଇଁ କର୍ମସଂସ୍ଥାନ ଯୋଗାଡ଼ କରିପାରିବ। ନିଜ ନାଁ କିମ୍ବା ବାପାଙ୍କ ନାଁ ଖରାପ ହେବା ପୂର୍ବରୁ ସେ ଗାଁ ଛାଡି ସହରକୁ ଯିବ। କାରଣ ପାଞ୍ଚ ବର୍ଷ ଓ ନଅ ବର୍ଷର ବାଳକର କଥା ତାହା ନଥିଲା। ସେମାନେ କଣ ଜାଣନ୍ତି ଦୁଇ ଛୁଆଙ୍କ ବାପା ଜଣେ ବୁଦ୍ଧିଜୀବୀ। ନିଶ୍ଚୟ ତାଙ୍କ ଘରେ ଓ ପରିବାରରେ ରବିର ଗୁଣ୍ଡାମି କଥା ଉଠିଥିବ। ପିଲା ଦୁଇଟି ଯାହା ଶୁଣିଥିଲେ ନିର୍ଭୀକ ଭାବେ ତାହା ରବିକୁ ଆକ୍ଷେପ କରି କହିଦେଇଥିଲେ। 


ସେଦିନର ସେଇ ଆକ୍ଷେପ ଆଜି ରବିକୁ ହାଇଦ୍ରାବାଦ ସହରର ଗୋଟିଏ କମ୍ପାନୀରେ ଅଫିସର କରି ଠିଆ କରେଇ ଦେଇଛି। ତା' ଜୀବନର ମୋଡ଼ ବଦଳେଇ ଦେଇଛି।


ଗ୍ରାମ୍ୟ ଜୀବନ ପ୍ରତିଟି ପାହୁଣ୍ଡରେ ରବିକୁ ଶିକ୍ଷା ଦେଇଛି। ଯାହା ତା' ଜୀବନରେ ଗୋଟିଏ ଗୋଟିଏ ଅଲିଭା ସ୍ମୃତି ହୋଇ ସବୁଦିନ ପାଇଁ ରହିଯିବ। ଆଉ ଏଥିପାଇଁ ସେ ଗାଁ ମାଟିର ମମତାକୁ ଭୁଲି ପାରିନି।


"କକେଇ ନମସ୍କାର"। କାହାର କଣ୍ଠସ୍ୱର ଶୁଣି ରବି ପ୍ରକୃତିସ୍ଥ ହେଲା। 


ନମସ୍କାର।


ଆରେ କେମିତି ଅଛୁ।


ଭଲ ଅଛି କକେଇ, କହି ପବିତ୍ର ଚାଲିଗଲା।


ପବିତ୍ର। ପଞ୍ଚୁ ପାହାନ ପୁଅ। ପଞ୍ଚୁ ପାହାନ ଭଳି ଜଣେ ଖଳ ଲୋକର ପୁଅ ହୋଇ ପବିତ୍ର ପ୍ରହ୍ଲାଦ ଭଳି ଏତେ ପବିତ୍ର ହେଲା କେମିତି??


ପଞ୍ଚୁ ପାହାନ ଗୋଟିଏ ଆତଙ୍କର ନାଁ। ଗାଁର ଗର୍ଭିଣୀ ଗାଈ ପଞ୍ଚୁ ପାହାନ ଆସୁଛି ଜାଣିଲେ ବାଟ ଛାଡିଦିଏ। ଗାଁ ଦାଣ୍ଡରେ ମଦ ପିଇ କେତେ ଦଙ୍ଗା ହଙ୍ଗାମା ନ କରିଛି! କେତେ ନେତାଙ୍କ ଚରିତ୍ର ସଂହାର ନ କରିଛି। ପରିସ୍ଥିତି ଜଟିଳ ହେଲେ, ପଞ୍ଚୁ ପାହାନର କାତି, ଟାଙ୍ଗିଆ କଥା କହନ୍ତି। କିନ୍ତୁ ତା' ପୁଅ ସଂସ୍କାରି ଟିଏ ହୋଇପାରିଛି।


ରବି ଓ ପଞ୍ଚୁ ପାହାନର ଅହି ନକୁଳ ସମ୍ପର୍କ। ତିନି ତିନି ଥର ପଞ୍ଚାୟତ ନିର୍ବାଚନରେ ପଞ୍ଚୁ ବିପକ୍ଷରେ ପ୍ରାର୍ଥୀ ଠିଆ କରାଇ ରବି ପଞ୍ଚୁ କୁ ହରାଇଛି।


ଦୂରରୁ ରବି ପଞ୍ଚୁଆ ନା ବୋଲି ଡାକେ।

ଆଉ, ପଞ୍ଚୁ; ହଉ ହେଲା ରବି କହି ଚାଲିଯାଏ। କିନ୍ତୁ ଆନ୍ତରିକତା ନଥାଏ।


ବେଶ୍ୟାର ପ୍ରଣୟ ଭଳି ରାଜନୀତିର ବି ସ୍ଥିରତା ନଥାଏ। ଚନ୍ଦ୍ରର ଆକୃତି ଭଳି ରାଜନୀତି ଦୃଶ୍ୟମାନ ହୁଏ। କେତେବେଳେ ପୂର୍ଣ୍ଣ ଚନ୍ଦ୍ର, କେତେବେଳେ ଏକାଦଶୀର ତ ଆଉ କେବେ ଆମବାସ୍ୟା ସଦୃଶ।


ଯୋଉମାନେ ତିନିଥର ହେଲା ରବିର ଲାଙ୍ଗୁଡ ଧରି, ଅର୍ଥବଳ, ବାହୁବଳ ଓ କୂଟଚକ୍ରାନ୍ତର ଆଶ୍ରାରେ ଜିତି ଆସିଛନ୍ତି, ସେମାନେ ଆଜି ରବିକୁ ଦେଖିଲେ ମୁହଁ ବୁଲେଇ ଚାଲି ଯାଉଛନ୍ତି। ... କାଳେ ଟଙ୍କା ପଇସା ମାଗି ଦେବ..!! କରିଥିବା ସାହାଯ୍ୟର ପ୍ରତିବଦଳରେ କିଛି ପ୍ରତିଦାନ ମାଗିନେବ ସେଥିପାଇଁ।


ଏତେ ଦିନ ଧରି ଶତ୍ରୁପାଇଁ ଶାଣ ଦିଆ ଯାଉଥିବା ଧାରୁଆ ଅସ୍ତ୍ର ଟା ହଠାତ ରବି ପଛପଟୁ ଭୁସିଦିଆଜିବ ବୋଲି ନିଜେ ରବି ହିଁ ଜାଣି ନ ଥିଲା। 


ସମସ୍ତଙ୍କ ପାଖରୁ ପ୍ରତାରଣା ପାଇସାରିଲା ପରେ, ରବି ରାଜନୀତି ଛାଡି ଦେଇଛି। ନିଜର ଗତିପଥ ବଦଳାଇ ଦେଇଛି। ଦୁଷ୍ଟ ଲୋକଙ୍କ ଠାରୁ ଦୂରତା ରଖିଛି। ଶତ୍ରୁ ମିତ୍ରଙ୍କ ପାଖରେ ଯୋଡି ହେବାକୁ ନିଜକୁ ପ୍ରଯତ୍ନ କରିଛି। ବୋଧହୁଏ ଲୋକ ଚିହ୍ନିବାରେ ସେ ଆଉ ଭୁଲ କରିବନି।


ପ୍ରାଇଭେଟ ସର୍ଭିସ, ଦୁଇଦିନ ପରେ ରବି ଗାଁ ଛାଡି ପୁଣି ହାଇଦ୍ରାବାଦ ଚାଲିଯିବ। ଯିବା ପୂର୍ବରୁ ଗାଁଟାକୁ ଟିକିଏ ଭଲକରି ଆଖିପୁରେଇ ଦେଖିଯିବ। ଗାଁ ଗହୀର, ପୋଖରୀ ଗଡ଼ିଆ, ନଈ ପଠା, ମନ୍ଦିର ମଣ୍ଡପ ସବୁ ଘେରାଏ ନ ମାରିଲେ ତାକୁ ଆତ୍ମତୃପ୍ତି ମିଳିବ ନାହିଁ।


ମୋଟର ସାଇକେଲ ନେଇ ବାହାରି ପଡ଼ିଲା ରଘୁନାଥ ଦର୍ଶନ ପାଇଁ। ଅତ୍ରିମୁନିଙ୍କ ଆଶ୍ରମ, ଦ୍ୱିତୀୟ ଶ୍ରୀକ୍ଷେତ୍ର ହେଉଛି ଓଡ଼ଗାଁ ଶ୍ରୀରଘୁନାଥ ମନ୍ଦିର। 


ଗାଁ ଛକ ଦେଇ ଗଲା ବେଳେ ପଠାଣି ବରାଦୋକାନ ଭିତରୁ ଡାକ ଶୁଭିଲା ରବି କିରେ... କେବେ ଆସିଲୁ?

ମନ୍ଥର ଗତିରେ ଯାଉଥିବା ମୋଟର ସାଇକେଲର ବ୍ରେକ କଷି, ରବି ପଠାଣିର ଦୋକାନ ଭିତରକୁ ଚାହିଁଲା। ଅବାକ୍ ନ ହୋଇ ରହିପରିଲା ନାହିଁ ରବି। ଚିର ଶତ୍ରୁ ପଞ୍ଚୁ ନା'। ଗାଡି ଆଉ ଆଗକୁ ଗଡୁ ନଥିଲା। ସ୍ନେହ କାଙ୍ଗାଳ ରବି ଏକ ଅଜଣା ବନ୍ଧନର ଡୋରି ସତେ ଯେମିତି ବାନ୍ଧି ହୋଇଯାଉଥିଲା। 


ମୋଟର ସାଇକେଲର ଷ୍ଟାଣ୍ଡ ମାରି ରବି ପଠାଣି ଦୋକାନ ଆଡକୁ ଗଲା। ନିଃସର୍ତ୍ତ, ନିଃସ୍ୱାର୍ଥ, ନିରହଙ୍କାରର ନିବିଡ଼ କୋଳାଗ୍ରତ। 


ଆବିଳତା ବିହୀନ ଦୁଇଟି ହୃଦୟର ନିଃସର୍ତ୍ତ ଆତ୍ମସମର୍ପଣ।


ପଞ୍ଚୁ ନା ଆଉ ରବି।

ରବି ଆଉ ପଞ୍ଚୁ ନା।


ଶତ୍ରୁପାଇଁ ଶାଣ ଦିଆଯାଇଥିବା ଶାଣିତ ତରବାରିଟା ଯେମିତି ଛାଏଁ ଛାଏଁ ନିଜର ଗତିପଥ ବଦଳାଇ ଦେଉଥିଲା।


ପଞ୍ଚୁ ନା ସଧିରେ ପଚାରୁ ଥାଏ, ବା'ରେ ପିଲାମାନେ ଭଲରେ ଅଛନ୍ତି ତ? 

ବାହାରି ଜାଗା, କିଛି ଅସୁବିଧା ହଉନି ତ..?

 ଯାହା ହେଉ, ମଝିରେ ମଝିରେ ଗାଁ ଆଡେ ଟିକେ ଆସୁଥା। ଅତି କମ୍ ରେ ଦେଖା ଚାହାଁ ତ ହେଇପାରିବ।


ନିର୍ବାକ୍ ହୋଇ ଠିଆ ହୋଇଥିଲା ରବି। ଯେଉଁମାନଙ୍କ ପାଇଁ ସେ ଅର୍ଥ, ଶ୍ରମ, ତନ ମନ ଦେଇ ଦେଇଥିଲା ସେମାନେ ଆଜି ବାଟ ଭାଙ୍ଗି ଚାଲିଯାଉଛନ୍ତି। ପଞ୍ଚୁ ନା'ର କଅଁଳିଆ କଥା ଚାରିପଦ ଭିତରେ ରବି ଖୋଜିବୁଲୁଥିଲା ସମ୍ପର୍କର ମାନେ

ସେ ପଞ୍ଚୁ ନା ର ମୁହଁକୁ ଚାହିଁ ଆଜି କହି ପାରୁନି, "ପଞ୍ଚୁ ନା' ତୁ ହରିଯାଇଛୁ ସିନା, ମୁଁ ମୋ ଭୋଟ ଖଣ୍ଡିକ ତୋତେ ଦେଇଛି"।


ସମ୍ପର୍କର କେଇଟା ପୃଷ୍ଠା ସିନା ରବି ଚିରି ଫୋପାଡ଼ି ଦେଇଥିଲା। ହେଲେ ସମ୍ପୂର୍ଣ୍ଣ ବହିଟିକୁ ସାଇତି ରଖିଛି ପଞ୍ଚୁନା। ପଛ କଥା ପଛକୁ ଠେଲି ଦେଇ, ସେ ଶିଖାଇଛି ସମ୍ପର୍କର ନୂଆଁ ରାହା।


ପଞ୍ଚୁ ନା' ସମ୍ପର୍କର ମାନେ ବୁଝି ପାରିଥିଲା, ସବୁ କଥାକୁ ପଛରେ ପକାଇ ରବିକୁ ପଚାରି ଥିଲା "ଭାଇ ପିଲାମାନେ କେମିତି ଅଛନ୍ତି"??


ରବିର ଆଖି ଓ ମୁହଁ ଉଭୟ ତଳକୁ ହୋଇଯାଉଥାଏ। 


ପୁଣି ପଚାରିଲା କୁଆଡେ ଯାଉଛୁ?


ରବି ଉତ୍ତର ଦେଲା, ଯାଉଛି ରଘୁନାଥ ଦର୍ଶନ କରି। 


ପଞ୍ଚୁ ନା'ର ଉତ୍ତର ଥିଲା, ହଉ ଯା' ଆସିଲେ କଥା ହେବା।


ଚିନ୍ତାର ବିଷୟ ଥିଲା,ଲୋକ ଅଛନ୍ତି, ଯେଉଁମାନଙ୍କ ପାଇଁ ରବି ଭୋଟ କରାଇ ଦେଇଥିଲା, ନିଜର ସର୍ବସ୍ୱ ବାଜି ଲଗାଇ ଦେଇଥିଲା ସେ ଲୋକ ଦୂରରୁ ଦେଖି ଫେରି ମୁହଁ ଫେରେଇ ନେଉଛନ୍ତି। କିନ୍ତୁ ପଞ୍ଚୁ ନା.... ପଞ୍ଚୁ ନା' ଏକ ବ୍ୟତିକ୍ରମ।

କଣ ଦେଇ ପାରିଛି ରବି ପଞ୍ଚୁ ନା'କୁ, କଣ କରିପାରିଛି ତା ପାଇଁ? ଛଳନା, ପ୍ରତାରଣା, ମିଛ ଅଭିନୟ, ତା'ପ୍ରତି ବିରୋଧାଭାସ


ଆଜି ପଞ୍ଚୁ ନା' ରବିକୁ ଶିକ୍ଷା ଦେଇଥିଲା, "ସମ୍ପର୍କର ମାନେ, ସମ୍ପର୍କର ବହି ଟିଏ"। 


କାହା ପାଇଁ କଣ ହୋଇପାରେ ପଞ୍ଚୁ ନା, ଏକଥା ରବି ଜାଣେନା। କିନ୍ତୁ ସେ ଗୋଟିଏ କଥା ଅଙ୍ଗେ ଲିଭେଇଲା, ଯଦିଓ ବିଭିନ୍ନ ସମୟରେ ସେଇ ସମ୍ପର୍କର ବହିରୁ ଗୋଟେ, ଦୁଇଟି ପୃଷ୍ଠା ସେ ନିଜେ ଚିରି ନଷ୍ଟ କରିଦେଇଛି, ଦ୍ଵିଧା ନରଖି ପଞ୍ଚୁ ନା ସେ ପୃଷ୍ଠା ଗୁଡିକୁ ଅଣଦେଖା କରି ପୁରା ବହିକୁ ସେ ଫୋପାଡ଼ି ଦେଇନି।


ମୂର୍ଖ ପଞ୍ଚୁ ନା' ଆଜି ଉଚ୍ଚ ଶିକ୍ଷିତ ରବିକୁ ବୁଝାଇ ଦେଇଛି, ଜୀବନଟା ହେଉଛି ଗୋଟିଏ ଅଲେଖା ବହି ସଦୃଶ। ପ୍ରଥମ ପୃଷ୍ଠାଟି ଜନ୍ମର ପ୍ରତୀକ ଓ ଶେଷ ପୃଷ୍ଠାଟି ମୃତ୍ୟୁର। ଅଢେଇ ଦିନର ସଂସାରରେ ଏତେ ଅହଂକାର କାହିଁକି ରାଜନୀତିର ଉର୍ଦ୍ଧ୍ବରେ ରହି ଛାତିକୁ ଛାତି ମିଶାଇ ଭ୍ରାତୃତ୍ବର ପ୍ରେମବନ୍ଧନରେ ଜୀବନ ବିତାଇଦେବା ହିଁ ମାନବ ଜୀବନର ଶ୍ରେଷ୍ଠ କର୍ମ


ଜୀବନ ଯାତ୍ରା ଓ ରାଜନୀତିକୁ ଫେଣ୍ଟି, ମଣିଷ କଣ ପାଉଛି ସେଥିରୁ

ମିଛ ଅହଂକାର

କାଙ୍ଗାରୁ କୋଟ

ଅଶାନ୍ତିର ଦାବାନଳ

ଘରେ ଘରେ, ସାହି ସାହିରେ, ଗାଁ ଗାଁରେ ଅଶାନ୍ତିର ବିଷ ମଞ୍ଜି


Rate this content
Log in

Similar oriya story from Inspirational