ପମି
ପମି
ସବୁବେଳେ କଣ ଦାନ୍ତ ଦେଖେଇଥିବ ମ ! କିଛି କାରଣ ନଥାଇ କେହି ହସିଲେ ଭାରି ଚିଡି ମାଡ଼େ କାବେରୀକୁ l ସତରେ କଣ ଏଇଟି ସବୁଠୁ ସୁଖୀ ? ନା କଲେଜ ଟୋକାଙ୍କୁ ନିଜ ଆଡେ ଟାଣିବା ପାଇଁ ଏସବୁ ଚଲେଇଛି ? ହସିବା କଥା ନହେଲେ ବି ହସ ? କାବେରୀ ବାଲକୋନୀ ରେ ବସି ବସି ସବୁଦିନ ଝିଅଟି କୁ ଦେଖିଥାଏ l କେତେ ହସକୁରି ଝିଅ ଦେଖିଛି କିନ୍ତୁ ୟା ପରି ଛୋପରି ହୁଁ l
ଏମିତି ବି ହୋଇପାରେ ହାତୀ ସୁନା କଳସ ଢ଼ାଳି ଦେଇଥିବ ତା ମୁଣ୍ଡରେ l ଆମର ତ ସବୁଦିନ ଅମାବାସ୍ୟା ! ଆମର ଆଲୋକ ଦେଖିବାର ଅଛି ନା ଖୁସି ହେବାକୁ ଅଛି l ଯାହାକୁ ଜୀବନସାଥୀ ଭାବେ ବରଣ କଲା ମଣିଷ ସିଏ ଦିନେ କେବେ ପଚାରିଲା ନାହିଁ କାବେରୀ ତୁମେ ଜୀବନରେ କଣ ଚାହୁଁଛ ? ଦିନ ନାହିଁ ରାତି ନାହିଁ ଖାଲି ମୋତେ ଓ ମୋ ପିଲା ମାନଙ୍କୁ ଖୁସି ରେ ରଖିଥା l ତୁ ମଲେ କି ଗଲେ ଚିନ୍ତା ନାହିଁ l
ଆଉ ରହିଲେ ଦୁଇ ପୁଅ ଓ ଝିଅଟିଏ l ଯୋଗ କୁ ସମସ୍ତେ ଗୋଟିଏ ସହର ରେ ରହନ୍ତି ସିନା ହେଲେ ବାପା ମା ପାଖରେ କେହି ନାହିଁ l କଣ ନା ପ୍ରାଇଭେସୀ ରହିବନି l କୋଳେଇ କାଖେଇ ମଣିଷ କର l ଡେଣା ଲାଗିଗଲେ ପ୍ରାଇଭେସି ଦରକାର l ଦେଖା ସାକ୍ଷାତ ବି ଦିନକୁ ଦିନ କମି କମି ଆସିଲାଣି
ହେଇ ପରା ବଡ଼ ପୁଅର ପୁଅ ମ୍ୟାଥ୍ସ ଅଲିମ୍ପିୟାଡ଼ରେ ମିଶିବା ପାଇଁ ଆମେରିକା ଗଲା ଯେ କାବେରୀ କୁ ଆଶୀର୍ବାଦ ମାଗିବା ତ ଦୂର ର କଥା ଫୋନ ରେ ଦି ପଦ କହିଲା ନାହିଁ ମଧ୍ୟ l ସେଇ କଥା ଟା ଝିଅ ଦିନେ କହୁ କହୁ କହିଦେଲା l ସାନ ପୁଅ ତ ତଦ୍ରୁପ l ସିଏ ତାର ଯେମିତି ଚୁପଚାପ ବୋହୂ ବି ସେମିତି ସ୍ୱଳ୍ପଭାଷିଣି l ତେଣୁ ଅଭିଯୋଗ କରିବ ତ କାହାକୁ କରିବ l ନିଃସଙ୍ଗତା ସାଙ୍ଗକୁ ଦୁନିଆ ରୋଗ ମାଡି ବସିଲେଣି l ନିରଜ ବି ଭୁକ୍ତ ଭୋଗୀ l ତାଙ୍କ ମନ ରେ କୋଉ ଅବା ସୁଖ ଅଛି l ରୋଗ ଗୁଡିକ ପାଳି କରି କାବେରୀ କୁ ନହେଲେ ନିରଜ କୁ ଆସି ଦେଖା କରି ଯାଉଛନ୍ତି l
ସେଦିନ ହସ୍ପିଟାଲ ଗଲାବେଳେ କାବେରୀ ଝିଅଟିକୁ ଚୁଡି ଦୋକାନ ରେ ଦେଖିଥିଲା l ସେମିତି ହାତ ହଲେଇ ହସି ହସି କଣ କଥାବାର୍ତ୍ତା କରୁଛି l ଘର କୁ ଫେରି ନିରଜ କୁ କହିଲା
କେତେ ଲୋକଙ୍କର ମୋଟେ ଦୁଃଖ ନଥାଏ କି କଣ l ସବୁବେଳେ ଖୁସି l ଭଗବାନ ଙ୍କ ନିକଟରେ ଅପୂରଣୀୟ କାମନା ବି କିଛି ନଥାଏ l ତୁମେ ତୁମ କାମରେ ମନ ଦିଅ l କିଏ ଖୁସି ହେଲା କି ଦୁଃଖ କଲା ତୁମକୁ ଏତେ ଚିନ୍ତା କାହିଁକି ଶୁଣେ ? ଝିଅଟି ବୋଧେ ବହୁତ ଗରୀବ l ମାତ୍ର ଦୁଇଟି ତିନୋଟି ଚୁଡିଦାର ରେ କାବେରୀ ତାକୁ ତିନିବର୍ଷ ହେଲା ଦେଖି ଆସୁଛି l କାବେରୀ ର ମନ ହେଉଥିଲା ଝିଅଟି କୁ ଡାକିବ l ଯଦି ଗରୀବ ଘର ର ହୋଇଥାଏ ଲୁଗାପଟା ଦୁଇଖଣ୍ଡ l
ସେ ସବୁ ଡ୍ରାମା ବନ୍ଦ କର l ସେ କିଏ ଆମେ ଜାଣିନୁ l ସତରେ ଗରୀବ କି ପଇସା ବଞ୍ଚାଇବା ପାଇଁ ସେମିତି କରୁଛି କିଏ ଜାଣେ ? କଣ ନା ଡ୍ରେସ କିଣିଦେଵି l ଭାରି ଦେଲା ବାଲା ତ ! ତାଠୁ ନଜର ହଟାଇ ଅନ୍ୟ କାମରେ ମନ ଦିଅ l କିନ୍ତୁ କଣ ହେବ ଯେତେ ନଜର ହଟାଇଲେ ବି ଝିଅଟି ସବୁବେଳେ ସେଇ ବାଟରେ ଯିବା ଆସିବା କରୁଥାଏ ଏବଂ ଆଖିରେ ପଡୁଥାଏ l
ସେଦିନ କାବେରୀ ଝିଅଟିକୁ ବଡ଼ ପାଟିରେ ଡାକିଥିଲା l ହେଲେ ସେ ଚାହିଁ ନଥିଲା l ଆଉଥରେ ବି ଗେଟ ପାଖେ ଠିଆ ହୋଇ ହାତ ହଲାଇ ଥିଲା ହେଲେ ସେଇ ସୁଖୀ ଝିଅଟି ଯାହା ଟିକିଏ ହସି ଦେଇ ତା ରାସ୍ତାରେ ଚାଲି ଯାଇଥିଲା l କାବେରୀ ଭାବିଲା ଗର୍ବୀ ଝିଅଟିଏ ନିଶ୍ଚୟ l ନହେଲେ ଏତେ ଫୁଟାଣି କାହିଁକି ?
ସେଦିନ କାମବାଲୀ ମଲ୍ଲୀ କହିଲା
--ମା ତୁମେ ମୋତେ ସବୁଥର ଦଶହରା କୁ ପାଞ୍ଚ ଶହ ଟଙ୍କା ଦେଉ ଥିଲ କିନ୍ତୁ ଏବର୍ଷ ହଜାରେ ଦେବ l କାହିଁକି ନା ମିସେସ ମିଶ୍ର ଓ ମିସେସ ପଟନାୟକ ବି ହଜାରେ ଲେଖାଏଁ ଦେଉଛନ୍ତି l ତା ଛଡା ରେଟ ବଢ଼ି ଯାଇଛି l
--ତୁମ ମାନଙ୍କ ର ବି ରେଟ ଅଛି ନା କଣ ? ତୁମେ ଚାହିଁଲେ ଦରମା ବଢାଇବ ତୁମେ ଚାହିଁଲେ କମାଇ ପାରିବ l ତୁମେ ମାନେ ଚାହିଁଲେ କାମ ବି ବଢିବ କମିବ l ଏସବୁ କଲେ ଆମକୁ ତୋ କାମ ଦରକାର ନାହିଁ l ମଲ୍ଲୀ କାନ୍ଦି ପକାଇଲା l
--ଆମ ପରି ଲୋକଙ୍କୁ ସାହାଯ୍ୟ କଲେ ତୁମର କେତେ ଏମିତି ସରିଯିବ ମା ? କେତେ ଦୁଃଖ ଆମ ଜୀବନରେ ତୁମେ ବୁଝିଲେ ସିନା ହେବ l
--ସେଇ ଝିଅଟିକୁ ଦେଖିଛୁ ତୁ ? ଏଇ ବାଟେ ଦିନକୁ ଦୁଇ ଥର
ଯାଉଛି l
--ଓହୋ ତୁମେ ପମି କଥା କହୁଛ କି ?
--ମୁଁ ଜାଣିନି ତା ନାଁ l ହେଲେ ଝିଅଟି କେମିତି ସବୁବେଳେ ଖୁସିବାସୀ ଦେଖ l ଯେତେବେଳେ ଦେଖ ହସୁଥିବ l ଆଉ ଜାଣିଛୁ ? ଗରୀବ ଘର ର ଝିଅଟିଏ ହେଇଥିବ କି କଣ l ହେଲେ ବି ସର୍ବଦା ହସ ହସ ମୁହଁ l କିଛି ଶିଖ ତାଠ
ୁ l ତା ମୁହଁରେ କେମିତି ଗୋଟେ ଅପୂର୍ବ ପ୍ରଶାନ୍ତି ଖେଳି ବୁଲୁଛି l କାହାରି ପ୍ରତି କୌଣସି ଅଭିଯୋଗ ନାହିଁ ଯେମିତି l
--ତା ଦୁଃଖ କଣ କହିବି ମା ? ବାପା ଟା ଡ୍ରାଇଭର ଓ ମା ଆମ ପରି ସମସ୍ତଙ୍କ ଘରେ କାମ କରି ପିଲା ଦୁଇଟା କୁ ଖୁବ ପାଠ ପଢାଇବାର ଆଶା ରଖିଥିଲା l ହେଲେ ସେ ବର୍ଷ ଯୋଉ ଦଙ୍ଗା ହେଲା ନା ସେଇଥିରେ ଦୁଇ ଜଣ ଯାକ ଚାଲିଗଲେ ଓ ଝିଅଟା ଅନାଥ ହୋଇଗଲା l ସାନ ଭାଇଟିଏ ବି ଥିଲା ଯେ l ସେ ବି ଦଙ୍ଗା ପରଠୁ କୁଆଡେ ହଜି ଯାଇଛି ଜଣା ନାହିଁ l ଏଡେବଡ ସକ ଯୋଗୁଁ ଝିଅଟି ର କଥା କହିବା ଶକ୍ତି ଲୋପ ପାଇଗଲା l ମାମୁଁ ମାଇଁ କେତେଦିନ ଆଉ ପାଖରେ ରଖିଥାନ୍ତେ ? କିଛି ଦିନ ରଖିଲା ପରେ ଏବେ ଆଣି ଚିଦାନନ୍ଦ ଅନାଥାଶ୍ରମ ରେ ଛାଡି ଦେଇ ଯାଇଛନ୍ତି l ଆଶ୍ରମ ତରଫ ରୁ ଝିଅଟି ସିଲେଇ ଶିଖି କିଛି ଗୋଟେ କରିବ l
କାବେରୀ ଆଖି ସାମ୍ନାରେ ଭାସି ଯାଇଥିଲା କିଛି ବର୍ଷ ତଳର ଘଟଣାଟିଏ l ସହର ରେ ସୃଷ୍ଟି ହୋଇଥିବା ଗୋଟିଏ ସାମାନ୍ୟ ବଚସା ଯେତେବେଳେ ଦଙ୍ଗା ର ରୂପ ନେଇଥିଲା ଅଳ୍ପ କେତେ ଜଣ ମୃତାହତ ହୋଇଥିଲେ l ଦୁର୍ଭାଗ୍ୟ ବଶତଃ ଝିଅଟିର ମା ବାପା ସେଥି ମଧ୍ୟରୁ ଅନ୍ୟତମ l ମଲ୍ଲୀ ପୁଣି ଥରେ ଆରମ୍ଭ କଲା
--ମା ଜାଣିଛ ନା ଝିଅଟି ବହୁତ ଭଲ ଚିତ୍ର ଅଙ୍କିଥାଏ l ଅବିକଳ ନକଲ l ଭଗବାନ ଜାଣନ୍ତି କୋଉ ଦିନ ସିଏ କଥା କହିପାରିବ ନା l
ପରଦିନ କାବେରୀ ଜଗି ବସିଥିଲା କେତେବେଳେ ଝିଅଟି ସେଇବାଟ ଦେଇ ଯିବ l ଝିଅଟିକୁ ଅତି ପାଖରୁ ଯାଇ ଡାକିଲା l ଏଥର କିନ୍ତୁ ଝିଅଟି ପାଖକୁ ଆସିଥିଲା l ଠାର ମାଧ୍ୟମରେ ଏବଂ ମୋବାଇଲ ରେ ପ୍ରଶ୍ନ ଉତ୍ତର ଦିଆ ନିଆ ଚାଲିଥିଲା l କାବେରୀ ଜାଣିଲା ଯେ ଝିଅଟି ସମ୍ପୂର୍ଣ୍ଣ ରୂପେ ସିଲେଇ ଶିଖି ସାରିଲେ ନିଜେ ଗୋଟିଏ ଟେଲରିଙ୍ଗ ଦୋକାନ ଖୋଲିବ ଓ ଆଶ୍ରମ ଛାଡ଼ିଦେବ l ପୁଣିଥରେ ଆସିବା ପାଇଁ କହି କାବେରୀ ଝିଅଟିକୁ ବିଦାୟ ଦେଲାବେଳେ ତାର ଖୁସି ରହିବାର ରହସ୍ୟଟି ପଚାରିଥିଲା l ଏତେ ଝଡ଼ ଝଞ୍ଜାର ସାମ୍ନା କରି ମଧ୍ୟ ଏତେ ଖୁସି କିପରି ରହି ପାରୁଛି ? ଝିଅଟି ମେସେଜ ଲେଖିଥିଲା
--ଯଦି ସମସ୍ୟା ର ସମାଧାନ ଆମ ହାତରେ ଥାଏ ତେବେ ଚିନ୍ତାର କାରଣ ନାହିଁ l ଯଦି ସମାଧାନ ନଥାଏ ତେବେ ବି ଚିନ୍ତା କରି କିଛି ଲାଭ ନାହିଁ l ସୁତରାଂ ଚିନ୍ତା ର କୌଣସି ଆବଶ୍ୟକତା ହିଁ ନାହିଁ l ଖୁସି ଗୋଟିଏ ଏମିତି ଜିନିଷ ମାଡାମ ଯାହା ଦ୍ବିଗୁଣିତ ହୋଇ ପୁଣି ଆମ ପାଖକୁ ହିଁ ଫେରି ଆସିଥାଏ l
--ହଁ ରେ ମା ! ମୁଁ କହିବି ତୋଠୁ ତ ମୁଁ ନିଶ୍ଚିତ ରୂପେ ସୁଖୀ କିନ୍ତୁ ମୋ ଦୁର୍ଗ ଭିତରେ ହିଁ ମୁଁ ବନ୍ଦୀ l
ଏହାର କିଛିଦିନ ପରେ ପମି କାବେରୀର ଗୋଟିଏ ଚିତ୍ର କରି ପଠାଇ ଥିଲା l ଅବିକଳ କାବେରୀର ମୁହଁ l ହେଲେ ଚିତ୍ରଟିରେ କାବେରୀ ହସୁଛି l ଯାହାକି ବାସ୍ତବ ଜୀବନରେ ଦୁର୍ଲଭ l ଶେଷଥର ପାଇଁ କେବେ ହସିଥିଲା ମନେ ନାହିଁ ଆଉ l କାବେରୀ ର ରୁଚି ସହ ପିଲା ମାନଙ୍କ ର କିମ୍ବା ନିରଜ ର ରୁଚି ଖାପ ଖାଏନି l ଯେ ଯାହାର ଜୀବନ ରେ ବ୍ୟସ୍ତ l ସୁତରାଂ କାବେରୀ ଏକାକିନୀ l
ସୁଖୀ ହେଲେ ବି ଖୁସି ମିଳେନି ! ଅଦ୍ଭୁତ ଜୀବନଚର୍ଯ୍ୟା !
ବଡ଼ ବୋହୁ ବୁଲିବାକୁ ଭଲ ପାଏ l ସାନ ବୋହୂ କୁ ଗୀତ ଶୁଣିବାକୁ ଇଚ୍ଛା l ସେ ନିଜେ ଭଲ ରୋଷେଇ କରି ପାରେ କିନ୍ତୁ ଏଇ ବୋହୂ ମାନେ ଖାଲି ଅନଲାଇନ ଖାଇବାରେ ବ୍ୟସ୍ତ l ନା ଧର୍ଯ୍ୟ ଧରି ବସୁଛନ୍ତି ନା ଶିଖୁଛନ୍ତି l କିନ୍ତୁ କାବେରୀ କେବେ ବୋହୂ ମାନଙ୍କ ପରି ହେବାକୁ ଚେଷ୍ଟା କରିଛି କି ? କାହା ସହ ସେ କେବେ କୁଆଡେ ଯିବାର ମନେ ନାହିଁ ତ l
ସ୍ୱଳ୍ପ ଭାଷିଣି ସାନ ବୋହୂ ସିପ୍ରା କୁ ଫୋନ ଲଗାଇଲା l ଶାଶୁ ର ଫୋନ କେବେ ଆସେ ନାହିଁ ହଠାତ ଦେଖି ସାନ ବୋହୁ ଛାନିଆ l ଫୋନ ଉଠାଇଲା ପରେ କାବେରୀ କହିଲା
--ଆରେ ମା ଆଜି ସବୁ କାମ ଶୀଘ୍ର ସାରି ଦେଇଥିବୁ l ମୁଁ ସନ୍ଧ୍ୟା ରେ ଯାଇ ତୋ ଘରେ ପହଞ୍ଚିବି l ରବୀନ୍ଦ୍ର ମଣ୍ଡପ ରେ ଜଗଜିତ ସିଂ ଙ୍କ ର ଗଜଲ ପ୍ରୋଗ୍ରାମ ଅଛି ଯିବା l
--ମା ଆପଣ ଗୀତ ପ୍ରୋଗ୍ରାମ ?
--କାହିଁକି ମୋ ସହିତ ଯିବାକୁ ତୋର ଇଚ୍ଛା ନାହିଁ କି ?
--ଆପଣଙ୍କ ସହିତ ଯିବା ମୋର ପରମ ସୌଭାଗ୍ୟ l ଆପଣଙ୍କ ପୁଅ ତ ଅଫିସରେ ହିଁ ଘର କରିଦେଇଛନ୍ତି l ସାଙ୍ଗରେ ଯିବାକୁ କେହି ନଥିଲେ l ଥାଙ୍କ ୟୁ ମା !
ଆଜନ୍ମ ଗୀତ ନାଚ କୁ ନାପସନ୍ଦ କରୁଥିବା କାବେରୀ ଆଜି ବାହା ହେଲା ପରେ ପ୍ରଥମ ଥର ପାଇଁ ଏତେ ଖୁସି ପାଇଥିଲା l ସାନ ବୋହୂକୁ ଖୁସି ରେ ଆତ୍ମହରା ହେବାର ଦେଖି କାବେରୀ ର ଖୁସି ଦ୍ବିଗୁଣିତ ହୋଇ ଉଠିଥିଲା l ପମିର ଗୋଟିଏ କଥା ମନେ ପଡୁଛି l ଆପଣ ଦୁଃଖୀ ହେଲେ ଦୁଃଖ କୁ ଆକର୍ଷିତ କରିବେ l ଖୁସି ହୋଇ ଦେଖନ୍ତୁ ଚାରି ଆଡୁ ଖୁସିର ସ୍ରୋତ ଆପଣଙ୍କ ଆଡେ ମାଡି ଆସିବ l