sushama Parija

Inspirational

3  

sushama Parija

Inspirational

ପଲ୍ଲବୀର ନିର୍ଣ୍ଣୟ

ପଲ୍ଲବୀର ନିର୍ଣ୍ଣୟ

10 mins
7.7K


ଦିନକ ଆଗରୁ ଘୋ ଘୋ ହୋଇ କମ୍ପୁ ଥିବା ଘରଟାରେ କେମିତି ଗୋଟାଏ ଶ୍ମଶାନର ନୀରବତା ଛାଇ ହୋଇ ଯାଇଛି । ସମସ୍ତେ ଚୁପ୍ । କାହାରି ମୁହଁରେ ଭାଷା ନାହିଁ। ବୋଉ କାନ୍ଦି କାଟି ଉଚ୍ଛନ୍ନ ହୋଇ ଅଚେତ୍ ହୋଇ ପଡି ରହିଛି । ବାପା ଗର୍ଜନ ତର୍ଜନ କରି ଥକି ଯାଇ ମୁଣ୍ଡରେ ହାତ ଦେଇ ବାରଣ୍ଡାରେ ଗୋଟାଏ କଣକୁ ଆଉଜି ମୂର୍ତ୍ତି ଟିଏ ଭଳି ବସିଛନ୍ତି । ଅଭାବନୀୟ ପରିସ୍ଥିତିରେ ବିଚଳିତ ହୋଇ ବନ୍ଧୁ ବାନ୍ଧବମାନେ ମଧ୍ୟ ଯିଏ ଯାହାର ବାଟ କାଟି ଚାଲି ଯାଇଛନ୍ତି ହେଲେ ଦୃଢ ହୋଇ ଅପଲକ ନୟନରେ ବସି ରହିଛି ପଲ୍ଲବୀ।

ମୁହଁରେ ଶତ ସିଂହୀର ଉଦ୍ଦାମତା ଭରି , ଅବିଚଳିତ ଭାବରେ ବସି ରହିଛି ନିଜ ଜିଦ୍ ରେ ଅଟଳ ହୋଇ। ବାପା ବୋଉଙ୍କ ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ, କୁଣିଆ ମଇତ୍ର, ସାଙ୍ଗ ସାଥୀ ସମସ୍ତେ ବୁଝେଇ ବୁଝେଇ ଥକି ଗଲେଣି । ବୋଉ କାନ୍ଦି କାନ୍ଦି ହାତଓଠ ଧରି ନେହୁରା ହୋଇ କେତେ ଅନୁନୟ କରି ବୁଝେଇ ଥିଲା ପଲ୍ଲବୀକୁ । କହିଥିଲା ''ମାଆଲୋ ! ଆଖ ପାଖ ପାଞ୍ଚ ଖଣ୍ଡ ଗାଁ ରେ ତୋ ବାପର ନାଁ ଅଛି , ଗାଁ ଗଣ୍ଡାରେ ନ୍ୟାୟ ନିଶାପ ହେଲେ ଲୋକେ ଡାକୁଛନ୍ତି ତୋ ବାପାଙ୍କୁ । ତୁ ଆଜି ଯେଉଁ ନିଷ୍ପତ୍ତି ନେଉଛୁ ,କାଲି ତୋ ବାପା ଗାଁ ଦାଣ୍ଡରେ ମୁଣ୍ଡ ଟେକି ଚାଲି ପାରିବେ ତ ? ତୁ ତ ପାଠ ପଢୁଆ ଝିଅ ଆମର , ଯାହା କରିବୁ ବୁଝି ବିଚାରି କରିବୁ। ତୁ ଆମ କଥାରେ ରାଜି ହୋଇଯାଆ। ବାପଅଜା ନାଁ ନପଡୁ ଏ ଗାଁ ରେ '' । ଚୁପ୍ ଟି ହୋଇ ବସି ରହିଥାଏ ପଲ୍ଲବୀ । ହୁଁ ଚୁଁ କିଛି କହୁନଥାଏ। ବୋଉର ବାରମ୍ବାର ସେଇ କଥା ଶୁଣି ଶୁଣି ସେ ବିରକ୍ତ ହୋଇ

ଉଠିଗଲା ଘର ଭିତରକୁ ଆଉ ଗଲା ବେଳକୁ ଶୁଣେଇ ଦେଇଗଲା ''ମୋର ଶେଷ କଥା ମୁଁ କହି ସାରିଛି , ମୋତେ ବାରମ୍ବାର ଗଳା ମଡେଇଲେ ମୁଁ ଆତ୍ମହତ୍ୟା କରିବାକୁ ବାଧ୍ୟହେବି । ନିଆଁ ରେ ପାଣି ପଡିଲା ପରି

ଚୁପ୍ ହୋଇ ଯାଇଥିଲା ବୋଉ। ବାପା ରାଗରେ ନିଆଁବାଣ ହେଉଥିଲେ । ଗର୍ଜନ କରି କହିଲେ '' ଏମିତି ଝିଅ ଜନ୍ମ ଦେଇଥିଲି ଯେ ଗାଁ ମଝିରେ ମତେ ବେଇଜ୍ଜତ କଲା , ମୋ ନାକ ନିଶ ତଳେ ପକାଇଲା । ଏମିତି ଝିଅ

ଥିଲେ କେତେ ମଲେ କେତେ । ଜୀବଦ୍ଦଶାରେ ଆଉ ତା' ମୁହଁ ଚାହିଁବି ନାହିଁ '' । ସବୁ ଶୁଣୁଥିଲା ପଲ୍ଲବୀ

ଘରଭିତରେ ରହି । ଆଟାଚି ଟିରେ ଦି ଖଣ୍ଡ ଲୁଗା ପଟା ଆଉ କିଛି ଆବଶ୍ୟକୀୟ କାଗଜପତ୍ର ପୁରେଇ ବାହାରି ଆସି ସିଧା ଚାଲିଲା ବସ୍ ଷ୍ଟାଣ୍ଡ ଅଭିମୁଖେ । କୋରାପୁଟ ଲାଗି ଟିକେଟ୍ ଖଣ୍ଡିଏ କରି ବସ୍ ରେ ବସି ସିଟ୍ କୁ ଆଉଜି ବସି ପଡିଲା ସେ । ଆଖି ବନ୍ଦ କଲା ମାତ୍ରକେ ଦୁଃସ୍ବପ୍ନ ପରି ଆଖିରେ ନାଚି ଗଲା

ତା ଉପରେ ଗତ ଦୁଇ ଦିନ ଧରି ଘଟି ଯାଇଥିବା ଦୁର୍ଘଟଣାର ଦୃଶ୍ୟମାନ ।

ଜଗତସିଂହପୁର ଜିଲ୍ଲାର ନହରଣା ଗାଁ ରେ ପଲ୍ଲବୀର ବାପା ଫଗୁ ଖୁଣ୍ଟିଆ ଜଣେ ଜଣାଶୁଣା ଚାଷୀ । ଜଣେ

ଭଦ୍ର, ଆମାୟିକ, ମର୍ଯ୍ୟାଦାବନ୍ତ ଲୋକ ହିସାବରେ ସେ ପାଞ୍ଚ ଖଣ୍ଡ ଗାଁରେ ପରିଚିତ । ପଲ୍ଲବୀ ତାଙ୍କର ଏକମାତ୍ର ଝିଅ । ସେଥିଲାଗି ତାକୁ ଉତ୍ତମ ଶିକ୍ଷା ଦେଇ ଭଲ ମଣିଷଟିଏ କରିବା ଲାଗି ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ ସେ । ଗାଁ ସ୍କୁଲରେ ପକାଇଲା ବେଳେ ସାର୍ ମାନଙ୍କୁ ବାରମ୍ବାର ଅନୁରୋଧ କରୁଥିଲେ ତା' ପାଠ ପଢା ପ୍ରତି ବିଶେଷ ଧ୍ୟାନ ଦେବା ଲାଗି । ଗାଁ ସ୍କୁଲରୁ ମାଟ୍ରିକ ପାସ୍ କଲାପରେ ଜଗତସିଂହପୁର କଲେଜରେ ନାମ ଲେଖାଇ ହଷ୍ଟେଲରେ ରହିବାର ବନ୍ଦୋବସ୍ତ କରିଦେଇଥିଲେ । ଝିଅର ଯେମିତି କୌଣସି ପ୍ରକାର ଅଭାବ ଅସୁବିଧା ନ ହୁଏ ସେଥିଲାଗି ପ୍ରତି ଦୁଇଦିନରେ ଥରେ ଆସି ବୁଲି ଯାଉଥିଲେ ତା'ପାଖରୁ।ସେ ପଲ୍ଲବୀକୁ ସବୁ ପ୍ରକାର ସ୍ଵାଧୀନତା ଦେଇଥିଲେ କିନ୍ତୁ ସେ ଚାହୁଁନଥିଲେ ଯେ ପଲ୍ଲବୀ ସେ ସବୁର ଦୁରୁପଯୋଗ କରୁ । ସେଥିଲାଗି ସେ ପଲ୍ଲବୀ ଉପରେ କଡ଼ା ନଜର ରଖିଥିଲେ। ବି .ଏ. ପାସ୍ କରି ବି.ଇଡି. ଟ୍ରେନିଂ ନେଲା ପଲ୍ଲବୀ । ସେଇ ସମୟରୁ ତା'ର ବାହାଘର ପ୍ରସ୍ତାବ ଖୋଜିବା ଆରମ୍ଭ କରିଥିଲେ ଫଗୁ ବାବୁ ।

ଭଲ ଘର ଭଲ ବର ଟିଏ ଠିକଣା କରିବା ଲାଗି ଲଗାଇ ଥିଲେ ମଧ୍ୟସ୍ଥି ମାନଙ୍କୁ। ଗୋଟିଏ ବୋଲି ଝିଅ ତାଙ୍କର । ଭଲ ଜ୍ବାଇଁ ଟିଏ ମିଳିଲେ ତାଙ୍କର ବି ଶେଷ ସମୟକୁ ସାହା ହେବ, ପୁଅଟିଏ ଭଳି ତିଙ୍କର ଦେଖାଶୁଣା କରିବ । ତାଙ୍କର ଆଉ କିଏ ଅଛି ଯେ ଏଇ ସମ୍ପତ୍ତି ବାଡି ଭୋଗ କରିବାକୁ । ସବୁ ତ ପଲ୍ଲବୀ ନେବ । ଭଲ ଜ୍ୱାଇଁଟିଏ ମିଳିଲେ ହେଲା । ଶେଷରେ ପ୍ରସ୍ତାବ ସ୍ଥିରୀକୃତ ହେଲା ଗୋବିନ୍ଦପୁର ଗାଁର ମୁକୁନ୍ଦ ଚୌଧୁରୀଙ୍କ ଘରେ । ଖାନଦାନୀ ଘର । ଗୋଟିଏ ବୋଲି ପୁଅ ନୀରଜ । ଧାନ ଚାଉଳ , ପନିପରିବା, ନଡ଼ିଆ , ଆମ୍ବ କେଉଁଥିରେ ଊଣା ନାହିଁ । ବର ପାତ୍ରଟି ବାଙ୍ଗାଲୋରରେ କୋଉ ଗୋଟିଏ ବଡ କମ୍ପାନୀରେ ଚାକିରି କରିଛି ।

ପରିବାରର ଝିଅ ନାହିଁ , ତେଣୁ ବୋହୂଟିଏ ନେଲେ ସେ ଝିଅ ଭଳି ରଖିବେ। ସବୁଆଡ଼ୁ ଭଲ ଦେଖି ମନ ମାନିଲା ଫଗୁ ବାବୁଙ୍କର। ଦବାନବା ମଧ୍ୟ ଛିଡିଗଲା। ବାଟ ଖର୍ଚ୍ଚ ବାବଦରେ ଦୁଇ ଲକ୍ଷ ଟଙ୍କା ,ବାକିସବୁ ଯାହା ଝିଅର ଗହଣା ଗାଣ୍ଠି , ଆସବାବପତ୍ର ଦେବାକୁ ଚାହିଁବେ ଝିଅକୁ ଦେବେ। ଖୁସିରେ ଗୋଡ ତଳେ ଲାଗୁ ନଥିଲା ଫଗୁ ବାବୁଙ୍କର। ପତ୍ନୀଙ୍କୁ ଡାକି କହିଲେ '' ବୁଝିଲ ସୁଲୋଚନା ! ପଲ୍ଲୀଟା ଆମର ବଡ ଭାଗ୍ୟବତୀ ,ନହେଲେ ଏମିତିକା ଭଲ ଘର ବର ପାଇବା କ'ଣ ସମସ୍ତଙ୍କ କପାଳରେ ଯୁଟେ ? '' । ସୁଲୋଚନା ମୁରୁକି ହସି ଦୁଇହାତ ମୁଣ୍ଡରେ ଜୋଡି କହୁଥିଲେ ''ସବୁ ମା ମଙ୍ଗଳାଙ୍କ କରୁଣା ''।

ଦୁଇ ପରିବାର ମିଶି ଠିକଣା କଲେ ବୈଶାଖ ମାସର ପ୍ରଥମ ତିଥିରେ ବାହାଘର ହେବ । ତା'ର ସପ୍ତାହକ

ଆଗରୁ ନିର୍ବନ୍ଧ ହେବ ଗାଁ ଠାକୁରାଣୀଙ୍କ ମନ୍ଦିରରେ , ସେଇଦିନ ବାଟ ଖର୍ଚ୍ଚଟା ଦେଇ ଦେବାକୁ ହେବ ଫଗୁ ବାବୁଙ୍କୁ , ନହେଲେ ବାଜା,ବାଣ, ରୋଷଣୀ ସବୁ କେମିତି ହେବ । ଖୁସିରେ ରାଜି ହୋଇଗଲେ ଫଗୁବାବୁ ।

ନିର୍ଦ୍ଧାରିତ ସମୟରେ ନିର୍ବନ୍ଧ ହୋଇଗଲା ପଲ୍ଲବୀ ସାଥିରେ ନୀରଜ ଙ୍କର। ବାହାଘରକୁ ନେଇ ସୁନେଲି ସ୍ବପ୍ନ ଦେଖିବାକୁ ଲାଗିଥିଲା ପଲ୍ଲବୀ । କେମିତି ଶାଶୁ ଶଶୁରଙ୍କ ସେବା କରିବ, କେମିତି ଘରକରଣା କରିବ ,

ସେ ସବୁ ଗୋଟି ଗୋଟି କରି ତା'କୁ ଶିଖାଉଥିଲେ ସୁଲୋଚନା । ଫଗୁ ବାବୁଙ୍କର ଗୋଡ ତଳେ ଲାଗୁ ନଥିଲା । ଦିନ ରାତି ଏକାକାର କରି ଲାଗି ପଡିଥିଲେ ଝିଅ ବାହାଘରରେ। କୋଡ଼ିଏ ଭରିର ସୁନା ଅଳଙ୍କାର ସାଙ୍ଗରେ ଦଶ ଭରିର ରୂପା ଅଳଙ୍କାର, ଖଟମାଠ, ବାସନକୁସନ ସହିତ ଯାବତୀୟ ଆସବାବପତ୍ର, ଦାମୀ ଦାମୀ ଲୁଗାପଟା, ମିଠା ମିଠି ଆଉ ପନିପରିବାର ଭାର ସବୁ ଯୋଗାଡ କରି ରଖିଥିଲେ ଯେମିତି ଶାଶୁଘର ଲୋକେ ଝିଅକୁ ପଦେ ନ କହିବେ। ତାଙ୍କ ଝିଅ ଚୌଧୁରୀ ଘରର ବୋହୂ ହୋଇ ଯିବ ଏଇଟା ତାଙ୍କ ଲାଗି ଖୁବ୍ ଗର୍ବ ଆଉ ଗୌରବର ବିଷୟ ଥିଲା।

ଗତ କାଲି ଥିଲା ପଲ୍ଲବୀର ବାହାଘର । ଗାଁ ମାମଲତକାର ବାପା ତା'ର ଆଖ ପାଖ ଅଞ୍ଚଳର ପ୍ରାୟ ହଜାରେ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ ବାହାଘର ଭୋଜିକୁ । ଗାଁ ମୁଣ୍ଡରେ ତୋରଣ ସଜ୍ଜିତ କରାଯାଇଥାଏ

ବରଯାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ଲାଗି । ସେଇଠି ପଣା ପାଣିର ବ୍ୟବସ୍ଥା କରାଯାଇଥିଲା ସେମାନଙ୍କ ଲାଗି । ସେଇଠୁ ପଣା ପାଣି ପିଇ ଟିକିଏ ବିଶ୍ରାମ ନେଇ ବର ରୋଷଣୀ କରି ଆସିବ ପଲ୍ଲବୀ ର ଘରକୁ ।

ଗାଁ ମୁଣ୍ଡରେ ବର ପହଞ୍ଚିଲା କ୍ଷଣି ଗୋଟାଏ ଗହଳ ଚହଳ ଆରମ୍ଭ ହୋଇଗଲା । ସମସ୍ତେ ସଜାଗ ହୋଇ ନିଜ ନିଜ କାମରେ ଲାଗିଗଲେ। ଘର ଭିତରେ ବୋହୂ ବେଶ ହୋଇ ବସି ଥିବା ପଲ୍ଲବୀର ଦେହରେ ଗୋଟିଏ ଶିହରଣ ଖେଳିଯାଉଥିଲା । ଆଉ ମାତ୍ର ଅଳ୍ପ କେତୋଟି ମୁହୂର୍ତ୍ତରେ ଆସିଯିବ ସେଇ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ । ବାଟବରଣୀ ହୋଇ ଆସି ବେଦୀରେ ବସିବେ ନୀରଜ । ଆନୁସଙ୍ଗିକ କେତୋଟି କର୍ମ ପରେ ପଡିବ ତା'ର ହାତଗଣ୍ଠି । ତା' ପରେ ବାପା ବୋଉ ,ଏ ଅଗଣା, ଏ ଘର ସବୁ ତା'ର ପର ହୋଇଯିବେ ।

ତେଇଶି ବର୍ଷର ସମସ୍ତ ସମ୍ପର୍କ କାଟି ସେ ଚାଲି ଯିବ ଚୌଧୁରୀ ଘରକୁ ଆଉ ଗୋଟିଏ ନୂଆ ଜୀବନ ଆରମ୍ଭ କରିବାକୁ । ଏଇ ସବୁ କଥା ଭାବି ଭାବି କୋହରେ ତାର କଣ୍ଠ ରୁଦ୍ଧ ହୋଇ ଯାଉଥିଲା । ହର୍ଷ ଅପେକ୍ଷା ବିଷାଦ ବେଶୀ ଘାରି ପକାଉଥିଲା ତା'କୁ ।

ଶଙ୍ଖମହୁରୀର ଶବ୍ଦ ଭେଦ କରି ଗୋଟିଏ କ'ଣ କୋଳାହଳ ଶୁଣାଗଲା ପଲ୍ଲବୀକୁ। ଯେମିତି ବହୁତ ଲୋକ ମିଶି କିଛି କଳି ତକରାଳ କରୁଛନ୍ତି । ଢୋ ଢା ବାଣର ଶବ୍ଦକୁ ଡି. ଜେ. ର ଉତ୍କଟ ସଙ୍ଗୀତରେ କାନ ଫାଟି ଗଲା ଭଳି ଅବସ୍ଥା । ବେଶୀ କିଛି ଶୁଣି ପାରିଲା ନାହିଁ ପଲ୍ଲବୀ । କ'ଣ ଗୋଟାଏ ହୋଇ ଥିବ ଭାବି ଚୁପ୍ ରହିଲା ସେ । ଧୀରେ ଧୀରେ ବାଜାର ଶବ୍ଦ ପାଖକୁ ପାଖକୁ ଆସୁଥିଲା । ସେଇ ଶବ୍ଦ ମଝିରେ ପୁଣି କୋଳାହଳ ଶୁଣିପାରିଲା ସେ। ଏଥରକ କିଛି ଗାଁ ଲୋକଙ୍କ କଣ୍ଠସ୍ଵର ଶୁଭୁଥିଲା ତାକୁ। ବାପାଙ୍କୁ କେହିଜଣେ ଆସି କହୁଥିଲା ଯେ ବରଯାତ୍ରୀଙ୍କ ଭିତରୁ କେହି କିଛି ଗଣ୍ଡଗୋଳ କରିଛନ୍ତି ଯେଉଁଥିରେ ଗାଁ ଲୋକେ ପ୍ରତିବାଦ କରୁଛନ୍ତି । ବରବରଣୀ କରିବା ଲାଗି ଦୁଆର ମୁହଁରେ ଠିଆ ହୋଇଥିବା ବାପା କିଛି ବାଟ ଆଗେଇ ଗଲେ ଘଟଣା କ' ବୁଝିବା ଲାଗି । କିଛି ସମୟ ପରେ ଲେଖାଯୋଖାର ସାନ ଭଉଣୀଟିଏ ହେବ ସୁନିତୀ , ସେ ଆସି ପଲ୍ଲବୀ କାନରେ ଚୁପ୍ ଚୁପ୍ କହିଲା '' ଜାଣିଛୁ ପଲ୍ଲୀ ଅପା ! ତୋର ବର ସହିତ ଆସିଥିବା ବରଯାତ୍ରୀ ମାନେ ନା ନିହାତି ଅଭଦ୍ର । ମଦ ପିଇ ମାତାଲ ହୋଇ ନାଚି ନାଚି ଉତ୍ପାତ ହଉଛନ୍ତି, ପରିଆ ଦାଦାଙ୍କର ଘର ଆଗରେ ତାଙ୍କ ନାତୁଣୀ ଠିଆ ହୋଇ ଥିଲା, ତାକୁ ତା'ର ହାତ ଧରି ଭିଡି ନେଇଗଲେ ନାଚିବାକୁ ତାଙ୍କ ସାଙ୍ଗରେ । ସେଇଠୁ ଗଣ୍ଡଗୋଳ ଆରମ୍ଭ ହୋଇଛି, ଏବେ ବଢି ବଢି ମାଡ ପିଟ୍ ଯାଏ କଥା ଗଲାଣି । ଫଗୁ ଦାଦା ସେଠିକି ଗଲେଣି ବୁଝାମଣା କରିବାକୁ । ଆଶଙ୍କାରେ ଛାତି ଥରିଗଲା

ପଲ୍ଲବୀର। ଚୌଧୁରୀ ପରିବାରର ଏତେ ନାଆଁ , ସେଥିରେ ପୁଣି ଏତେ ଅଭଦ୍ରାମି କରୁଛନ୍ତି ବରଯାତ୍ରୀ ମାନେ । ତାଙ୍କର କ'ଣ କେହି ମୁରବୀ ନାହାଁନ୍ତି ନା କଅଣ ? କିଛି ସମୟ ପରେ ଯଥା ରୀତି ବର ବରଣୀ

ସରିଲା ପରେ ବର ଆସି ଘରେ ବସିଲା । ପଲ୍ଲବୀର ମନ ଖାଲି ବ୍ୟାକୁଳ ହେଉଥାଏ ଗଣ୍ଡଗୋଳ କଥା ବୁଝିବା ପାଇଁ । ସେ ଖାଲି ମଉକା ଖୋଜୁଥାଏ କେମିତି ସୁନିତୀକୁ ପାଇବ ଆଉ ସେକଥା ପଚାରିବ ।

ବହୁତ ସମୟ ପରେ ସୁନିତୀ ଆସିଲା ବେଳକୁ ତା'କୁ ବେଦୀରେ କର୍ମ କରିବାକୁ ନେଇଗଲାଣି ସାବି ବାରିକାଣୀ। ଆଉ ସୁବିଧା ସୁଯୋଗ ମିଳିଲା ନାହିଁ ପଲ୍ଲବୀକୁ ସୁନିତୀ ପାଖରୁ କିଛି ବୁଝିବା ଲାଗି ।

ବେଦୀ ଉପରେ ପ୍ରଥମ କର୍ମ ସାରି ଫେରିଲା ବେଳକୁ ଭେଟ ହୋଇଗଲା ସୁନିତୀ । ତା'ର ହାତକୁ ଧରି

ଘରର ଗୋଟିଏ କଣକୁ ନେଇ ଘଟଣା ବିଷୟରେ ପଚାରିଲା ପଲ୍ଲବୀ । କାନ୍ଦୁଣୁ ମାନ୍ଦୁଣୁ ହୋଇ ସୁନିତୀ କହିଲା '' ତୁ ଜାଣିନୁ ଲୋ ପଲ୍ଲୀ ଅପା ! ତୋ ବର ଘରର ଲୋକ ଗୁଡା ଭାରି ବଦ୍ ମାସ୍। ଫଗୁ ଦାଦାଙ୍କୁ

ତାଙ୍କ ଯୋଗୁ ଗାଁ ବାଲାଙ୍କୁ କ୍ଷମା ମାଗିବାକୁ ପଡିଲା , ମଦ ପିଇ ଉତ୍ପାତ ହୋଇ ବରଯାତ୍ରୀ ମାନେ ଭଙ୍ଗାରୁଜା କରିଥିବା ଜିନିଷ ପତ୍ର ସବୁର କ୍ଷତିପୂରଣ ଦେବାକୁ ପଡିଲା । ସେଠି ମୁଁ ଦେଖିଲା ବେଳକୁ

ଫଗୁ ଦାଦା ତୋ ଶଶୁରଙ୍କ ଗୋଡ ଧରି କ'ଣ ସବୁ କହୁଥିଲେ, ତା ' ପରେ ଯାଇ ବର ଆସିଲା ବରଣୀ ହେବାକୁ'' । ଘୋର ବିତୃଷ୍ଣାରେ ଭର୍ତ୍ତି ହେଇଯାଇଥିଲା ପଲ୍ଲବୀର ମନ। ତା' ପାଇଁ ତା'ବାପା ସହିଥିବା

ଅପମାନରେ ଜଳି ଯାଉଥିଲା ତା'ର ସର୍ବାଙ୍ଗ । ଲଜ୍ଜା ଅପମାନରେ ଜର୍ଜରିତ ହୋଇ ସେ ଭୂଲି ଯାଉଥିଲା

ବାହାଘର ପାଇଁ ସେ ଦେଖିଥିବା ସ୍ବପ୍ନ ସବୁକୁ । ଲୁହ ସବୁ ଧାର ଧାର ହୋଇ ବୋହି ଯାଇ ତା'ର ସାଜସଜ୍ଜାକୁ ଖରାପ କରୁଥିଲେ ସେ କଥା ସେ ଜାଣି ପାରୁନଥିଲା ।

ଏତିକି ବେଳେ ସାବି ବାରିକାଣୀ ଆସିଲା ବରଘରର ତାଟ ସଜ ନେଇ । ମହିଳା ମହଲରେ ଗୋଟିଏ ଗୁଞରଣ ଖେଳିଗଲା ବରଘରର ଦାମିକା ଶାଢୀ, ଗହଣା ଆଉ ଅନ୍ୟାନ୍ୟ ସାମଗ୍ରୀ ସବୁ ଦେଖି । ପଲ୍ଲବୀର ମନ କିନ୍ତୁ ମରି ଯାଉଥିଲା ବାପାଙ୍କ କଥା ଭାବି ଭାବି । ତା'ର ଆଉ ସେ ପୂର୍ବ ଆଗ୍ରହ ନଥିଲା ବାହାଘର ପାଇଁ। ନିଜର ଅନିଚ୍ଛା ସତ୍ତ୍ବେ ମଧ୍ୟ ପଲ୍ଲବୀ ସଢବାଜ ହୋଇ ସାବି ବାରିକାଣୀ ସାଥୀରେ ବେଦୀକୁ ଗଲା

ଅବଶିଷ୍ଟ କର୍ମ ପାଇଁ। ନୀରଜ ଆଗରୁ ବସିଥାଆନ୍ତି ବେଦୀ ଉପରେ । ତାଙ୍କ ପାଖରେ ନେଇ ବସେଇ ଦିଆଗଲା ତା'କୁ । କେମିତି ଗୋଟାଏ ଅଜବ ବାସ୍ନା ବାଜିଲା ତା'ନାକରେ । ବ୍ରାହ୍ମଣଙ୍କର ମନ୍ତ୍ର ଉଚ୍ଚାରଣ ସହ

ସେ ବାସ୍ନାଟା ବି ବଢି ବଢି ଚାଲିଥାଏ । ପଲ୍ଲବୀକୁ ଲାଗୁଥିଲା ସେ ବାନ୍ତି କରି ପକେଇବ ଏ ଉତ୍କଟ

ଗନ୍ଧରେ । ଗନ୍ଧଟି କେଉଁଠାରୁ ଆସୁଛି ବୋଲି ଅନୁମାନ ଲଗାଇଲା ପଲ୍ଲବୀ । ମୁହଁରେ ପଡିଥିବା ଓଢଣୀ

ଆଢୁଆଳରେ ଲକ୍ଷ୍ୟ କଲା ନୀରଜଙ୍କୁ । ନୀରଜଙ୍କର ଗୋରା ତକତକ ମୁହଁଟା କେମିତି ଗୋଟାଏ ଥମ୍ ଥମ୍ ଦେଖା ଯାଉଥିଲା । ବେଦୀ ଉପରେ ବସି ସେ ହଲିବା ଭଳି ଲାଗୁଥିଲେ। କେମିତି ଗୋଟିଏ ଖାପଛଡା ପଣ ଥିଲା ତାଙ୍କ ପାଖରେ । ପଲ୍ଲବୀର ମନେ ପଡିଗଲା ସୁନିତୀର କଥା । ତା' କୁ ଲାଗୁଥିଲା ନୀରଜ ମଦପିଇ ବେଦୀରେ ବସିଛନ୍ତି । ଘୃଣାରେ ଦେହ ଶୀତେଇ ଉଠୁଥିଲା ତା'ର । ଇସ୍ କ'ଣ କରିବାକୁ ଯାଉଛି ସିଏ । ଗୋଟାଏ ମଦୁଆ ସ୍ଵାମୀକୁ ଧରି ସେ ସାରା ଜୀବନ କାଟିବ କେମିତି ? ତା' ମନରେ ଆସୁଥିବା ଘୃଣାଭାବ ନେଇ ସେ ନୀରଜଙ୍କୁ ଗୋଟିଏ ପତ୍ନୀର ପ୍ରେମ ଦେଇ ପାରିବ ତ ? ତା ବାପାଙ୍କ ପ୍ରତି ହୋଇଥିବା ଅପମାନର ଜ୍ୱାଳାକୁ ସହି ସେ ଚୌଧୁରୀ ପରିବାରରେ ବୋହୂ ପଣିଆ କରି ପାରିବ ତ ???

ନା ନା କହି ଗୋଟାଏ ଝଟକାରେ ବେଦୀରୁ ଉଠି ପଡିଲା ପଲ୍ଲବୀ । ଉଠିଲା ନାହିଁ ତ ଉଠି ଘରଆଡେ ଚାଲିବାକୁ ଆରମ୍ଭ କଲା । ହାଁ ହାଁ କ'ଣ ହେଲା କ'ଣ ହେଲା କହି ଧାଇଁ ଆସିଲେ ସମସ୍ତେ । କେହି କିଛି ବୁଝିବା ପୂର୍ବରୁ ଗୋଟିଏ ଘର ଭିତରେ ପଶି ଭିତରୁ କବାଟ ବନ୍ଦ କରି ଦେଲା ସେ ।

କୁଣିଆ ମଇତ୍ର ବନ୍ଧୁ ବାନ୍ଧବ ସମସ୍ତେ ହତ ଚକିତ ହେଉଥାନ୍ତି କ'ଣ ହେଲା କହି । ବାପା ବୋଉ କବାଟ ବାଡେଇ ବାଡେଇ ଥକିଲେଣି । ମା ' କବାଟ ଖୋଲ , କଥା କ'ଣ କହ, କ'ଣ ଅସୁବିଧା ଜଣାଇଲେ ସିନା ଆମେ ବୁଝିବୁ । ତୁ ଏମିତି କବାଟ ବନ୍ଦ କରି ବସି ରହିଲେ ଆମେ କ'ଣ କରିବୁ? ବର ଘର ତେଣେ ରାଗି ପାଚି ଉଚ୍ଛନ୍ନ ହେଲେଣି । ଘଟଣା କ'ଣ କହ । କେତେବେଳ ପରେ ସେମିତି ଘର ଭିତରେ ଥାଇ କାନ୍ଦି କାନ୍ଦି ଉତ୍ତର ଦେଲା ପଲ୍ଲବୀ '' ମୁଁ ସେ ମଦୁଆ ବରକୁ କସ୍ମିନ୍ କାଳେ ବାହା ହେବି ନାହିଁ । ତମେ ତାକୁ ଫେରାଇ ଦିଅ । ମୋର ଦରକାର ନାହିଁ ସେ ଉଚ୍ଚ ଚାକିରିଆ ବର କି ସେ ଅମଣିଷିଆ ଚୌଧୁରୀ ଘର ''।

ବୋଉ ଯେତେ ନେହୁରା ହୋଇ କହିଲା ' ସାଙ୍ଗ ସାଥୀରେ ପଡି ଖୁସିରେ ଟିକେ ପିଇ ଦେଇ ଥିବ, ତୁ

ସେଇ କଥାକୁ ଧରି ବସିଲେ ହେବ। ଗାଁ ଗଣ୍ଡାରେ ଲୋକ ଆମକୁ କଣ କହିବେ ? ଅଧା ବାହାଘର ସରି

ଗଲାଣି , ବର ଏଠୁ ଖାଲି ହାତରେ ଫେରିବ କେମିତି ? ତୁ ମଙ୍ଗୁଳା କନିଆଁ , ବର ଫେରିଗଲେ ତୋ ମୁହଁ

ଚାହିଁବେ ନାହିଁ କେହି। ଆମେ କ'ଣ କରିବୁ ? କୁଆଡେ ଯିବୁ ତୁ ଟିକେ ଚିନ୍ତା କର ଝିଅ । ଆମ ବାପ ମା ଦୁଇଟାଙ୍କ କଥା ଥରେ ଭାବି ଦେଖ । କିଛି ଶୁଣିଲା ନାହିଁ ପଲ୍ଲବୀ । ଏକା ଜିଦ୍ ଧରି ବସିଲା , ମଦୁଆ ବରକୁ ବାହା ହେବ ନାହିଁ ,ହେବ ନାହିଁ । ବେଶୀ ବାଧ୍ୟ କଲେ ଘରଭିତରେ ଦଉଡି ଦେଇ ଦେବ ନହେଲେ

ଦେହରେ କିରୋସିନି ଢାଳି ନିଆଁ ଲଗେଇଦେବ ପଛକେ ଚୌଧୁରୀଙ୍କ ଘରକୁ ବୋହୁ ହୋଇ ଯିବ ନାହିଁ ।

ଗାଁ ସାଇ ପଡିଶା ଜାଣିଲେ ବରକୁ ଅଧା ବାହାଘରରୁ ଫେରାଇ ନେବା ପାଇଁ ବାଧ୍ୟ ହେଲେ ଚୌଧୁରୀ ଘର । କେତେକ ପଲ୍ଲବୀକୁ ଦୋଷ ଦେଉଥିଲେ ତ ଆଉ କତେକ ନୀରଜକୁ ଆଉ ତା'ର ବରଯାତ୍ରୀଙ୍କୁ।

ଲଜ୍ଜା ଅପମାନରେ ମୁଣ୍ଡ ତଳକୁ ପୋତି ବସି ରହିଲେ ବାପା । ବର ଫେରି ଗଲା । କାନ୍ଦିକାନ୍ଦି ଅଚେତ୍ ହୋଇ ଗଲା ବୋଉ । ତଥାପି ଜିଦ୍ ଛାଡିଲା ନାହିଁ ପଲ୍ଲବୀ । ସେ ସ୍ଥିର କଲା ଆଉ ବାହା ହେବ ନାହିଁ ।

କୋରାପୁଟ କନ୍ୟାଶ୍ରମ ଚାଲି ଯିବ। ସେଇଠି ତାର ଜଣେ ସିନିୟର ଭଉଣୀ ଶିକ୍ଷକତା କରୁଛନ୍ତି, ତାଙ୍କରି

ପାଖରେ ରହି ନିରୀହ ଆଦିବାସୀଙ୍କ ବିକାଶ ଦିଗରେ କାମ କରିବ। ସେଇଆ ଭାବି ଘର ଛାଡି ଥିଲା ସେ ।

ଦିଦି ! ଓ ଦିଦି ! ତମ ଷ୍ଟପେଜ୍ ଆସିଗଲା ପରା କହି ପଲ୍ଲବୀକୁ ହଲେଇ ଦେଲା ବସ୍ ର ହେଲ୍ ପର୍ ପିଲାଟି।

ଚମକି ପଡି ବ୍ୟାଗ୍ ଟି ଧରି ବସ୍ ରୁ ଓହ୍ଲାଇ ପଡିଲା ପଲ୍ଲବୀ । କଲ୍ୟାଣୀ ଅପାଙ୍କ ସ୍କୁଲର ଠିକଣାଟି ବ୍ୟାଗ୍ ରୁ କାଢି ବସଷ୍ଟାଣ୍ଡରେ ଥିବା ପାନଦୋକାନୀକୁ ଦେଖାଇ ଧୀରେ ଧୀରେ ପାଦ ଆଗକୁ ଆଗକୁ ବଢେଇଲା।।


Rate this content
Log in

Similar oriya story from Inspirational