Aravinda Das

Abstract

3  

Aravinda Das

Abstract

ଫୁଲେଇ ଟମାଟୋ

ଫୁଲେଇ ଟମାଟୋ

2 mins
14.2K


ଫୁଲେଇ ଟମାଟୋ
**************
ଟମାଟୋ ଦାମ ଶହେ ଟଙ୍କା ଶୁଣି ବିରକ୍ତ ହୋଇ ମାର୍କେଟରୁ ଚାଲିଆସିଲା ସୁଜିତ ।
ମନେ ମନେ ଭାବିଲା ,ଟମାଟୋ ନା ସୁନା?
ବ୍ୟାଗରୁ ଅନ୍ୟ ପରିବା ରଖୁ ରଖୁ ,ତା କଥା ଶୁଣି,ସ୍ତ୍ରୀ ଗୀତା କହିଲେ," ହଁ, ମ; କେଉଁ ଅପୂର୍ବ ପରିବା ଯେ ନହେଲେ ଚଳିବନି ? ତେନ୍ତୁଳି,ଆମ୍ବୁଲ, ଲେମ୍ବୁ କିମ୍ବା ଟମାଟୋ ସସରେ କାମ ଚଳିଯିବ।"
ତା ମନ କଥା, ଗୀତାଙ୍କ ମୁହଁରେ ଶୁଣି ଖୁସି ହେଲା ସୁଜିତ । ସ୍ତ୍ରୀମାନଙ୍କ ମତିଗତି ଠିକ ପାଗର ମିଜାଜ୍ ଭଳି। କେତେବେଳେ କେଉଁ ମୁଡ଼୍ ।
ସୁଜିତ ଦାଣ୍ଡ ପିଣ୍ଡାରେ ବସି ଖବର କାଗଜ ପଢିଲା ବେଳେ, ପଡୋଶୀ କଣ୍ଟ୍ରାକ୍ଟର ରାମ ବାବୁଙ୍କ ସ୍ତ୍ରୀ ପ୍ରମିଳା ଦେବୀ ଆସି ଡାକ ପକାଇଲେ ଗୀତାଙ୍କୁ ।
ନାଲି ଶାଢ଼ୀ ପରିହିତା ପ୍ରମିଳାଙ୍କ ହାତରେ ଥିଲା ଲାଲ୍, ଲାଲ୍ ଟମାଟୋ ଭର୍ତ୍ତି ଏକ ପାଛିଆ । ସୁଜିତ ଅନୁମାନ କଲା ନିଶ୍ଚୟ ଦୁଇ କିଲୋ ହୋଇଥିବ ।
" ଗୀତା,ତମ ଫ୍ରିଜରେ ଏ ଟମାଟୋ ରଖିଦେବ ? ଆମ ଫ୍ରିଜ୍ କାମ କରୁନି । ମେକାନିକ କେତେବେଳେ ଆସିବ କେଜାଣି ?ୟାଙ୍କ ବୁଦ୍ଧି ଦେଖୁନ ? ଏତେ ଦାମ ଦେଇ ଏତେ ଗୁଡା ଟମାଟୋ ଆଣିବା କଣ ନିହାତି ଦରକାର ଥିଲା?
ଗୀତା ପଚାରିଲା ," ଆପଣଙ୍କୁ ଲକି ଡ୍ରରେ ଟମାଟୋ ମିଳିଲା ନା କଣ?"
ଭୁବନ ମୋହିନୀ ହସ ମୁହଁରେ ଖେଳାଇ ପ୍ରମିଳାଦେବୀ କହିଲେ,"ମୋର ଟମାଟୋ ଖଟା ଖାଇବାକୁ ଇଛା ହେଲା ବୋଲି ବାବୁ ଆମର ଏତେ ଦାମ ଦେଇ ନେଇ ଆସିଲେ । ଦେଖେଇ ହେବା ୟାଙ୍କର ପ୍ରକୃତି।"
ଲାଜ ଲାଜ ହସରେ ପ୍ରମିଳା ଦେବୀଙ୍କ ଗାଲ ଦୁଇଟା, ସୁଜିତକୁ ଲାଲ୍ ଟମାଟୋ ଭଳି ଦିଶୁଥିଲା ।
"ଆପଣ ବହୁତ ଭାଗ୍ୟବତୀ । ଯାହା ଇଛା କରିବେ ରାମବାବୁ ସାଙ୍ଗେ ସାଙ୍ଗେ ପୁରଣ କରିବେ । ଆମର ସେ ଭାଗ୍ୟ ନାହିଁ। ତେବେ ଆମ ଫ୍ରିଜରେ ବି ଜିନିଷ ଭର୍ତ୍ତି । ଟମାଟୋ ରଖି ହେବନି।"
ସୁଜିତ ବାବୁ ଭାରୀ ଭଲ ଲୋକ । ତାଙ୍କ ନାଁରେ କାହିଁକି ମିଛରେ ଅଭିଯୋଗ କରୁଛନ୍ତି ?
ଅଣ୍ଟାକୁ ହଲାଇ ,ଟମାଟୋ ପାଛିଆ ଧରି ,ସର୍ପିଳ ଗତିରେ ଚାଲି ଯାଉ ଯାଉ କହିଲେ ପ୍ରମିଳାଦେବୀ ।
ସୁଜିତ ମନଟା ଖୁସିରେ କୁଣ୍ଢେ ମୋଟ ହୋଇଗଲା।
"ଆମ ଫ୍ରିଜରେ ସତରେ ଜାଗା ନାହିଁ ?"
ଖିଙ୍କାରି ହେଲା ସ୍ୱରରେ ଗୀତା କହିଲା,"ତମର ଏତେ ଦରଦ କାହିଁକି ? ସେ ଫୁଲେଇ ମାଇକିନାକୁ ମୁଁ ଠିକ ଜାଣିଛି । କେଉଁଠୁ ମାଗଣାରେ ପାଇଥିବ । ଫୁଟାଣି ମାରି ଦେଖେଇ ହେବାକୁ ଆସିଥିଲା ଯେ ଦାମିକା ପରିବା ସେ ହିଁ ଖାଇପାରେ । ହୁଁ !ଛୋପରି କେଉଁଠିକାର । ଟମାଟୋ ଖଟା କାଳେ ୟାର ଖାଇବାକୁ ଇଛା ହେଉଛି ? ତାହେଲେ ଖଟା ନ କରି ମୋ ଫ୍ରିଜରେ କାହିଁକି ରଖିବାକୁ ଆସୁଛୁ ? ଆମେ ଟମାଟୋ ଦେଖିନୁ ନା ଖାଇନୁ?"
ସୁଜିତ ଚୁପକିନା ଯାଇ ଦୋକାନରୁ ଅଧକିଲୋ ଟମାଟୋ ନେଇଆସିଲା।
ବିରକ୍ତ ହୋଇ ଗୀତା କହିଲେ,"ସେ ଫୁଲେଇ ସ୍ତ୍ରୀ ଲୋକ ତମକୁ ପ୍ରଶଂସା କଲା ବୋଲି ଟମାଟୋ ନେଇ ଆସିଲ? ତମେ ପୁରୁଷ ଲୋକ ଗୁଡାକ ସତରେ ....."
ଗାଧେଇସାରି ବାହାରିବା ବେଳେ ସୁଜିତଙ୍କ କାନରେ ପଡ଼ିଲା ଗୀତାଙ୍କ ସ୍ୱର । କାମବାଲୀ ରମାକୁ କହୁଥିଲେ ଗୀତା,"ଶହେ କୋଡ଼ିଏ ଟଙ୍କା ଦେଇ ବାବୁ ଟମାଟୋ ଆଣିଛନ୍ତି" ମିଛରେ ଅଧିକ ରେଟ କାହିଁକି କହୁଛନ୍ତି ତାହା ବୁଝିପାରୁନଥିଲା ସୁଜିତ ।
"ଟମାଟୋ ପରା ଶହେ ଟଙ୍କା ?"ପ୍ରଶ୍ନ କଲା ରମା ।
"ଆଲୋ, ସେଗୁଡା ହାଇବ୍ରିଡ଼ । ଇୟେ ପରା ଦେଶୀ । ମୋର ଟମାଟୋ ଖଟା ଖାଇବାକୁ ଇଛା ହେଲାବୋଲି ବାବୁ ନେଇଆସିଲେ।"
'ବୁଝିଲ ମା, ଇୟେ ହେଉଛି ଟମାଟୋର ଅଭିଶାପ । କିଛି ଦିନ ତଳେ ଆମ ଚାଷୀମାନେ ,ବହୁତ ଶସ୍ତା ଦର ଯୋଗୁଁ ଟମାଟୋକୁ ରାସ୍ତାରେ ଫିଙ୍ଗୁଥିଲେ । ଏବେ ଟମାଟୋ ପ୍ରତିଶୋଧ ନେଉଛି।"
ଦୀର୍ଘ ନିଶ୍ୱଆସଟେ ଛାଡି ଗୀତା କହିଲେ, "ନିଜ ରଙ୍ଗ ଦେଖାଉଛି ଟମାଟୋ।"
ମୁହଁରେ ହସ ଖେଳିଗଲା ସୁଜିତଙ୍କର । ମନେ ମନେ ଭାବିଲେ,ସତରେ ଟମାଟୋଟା ଏକଦମ ଫୁଲେଇ।


Rate this content
Log in

Similar oriya story from Abstract