Nityananda Nandi

Inspirational

4.4  

Nityananda Nandi

Inspirational

ଫୋନ କଲ୍ @ ୧୦ PM

ଫୋନ କଲ୍ @ ୧୦ PM

5 mins
314



ଏତେ ବଡ ଅଫିସରଙ୍କୁ ଏତେ ଭାବପ୍ରବଣ ହେବା ଆଗରୁ କେବେ ଦେଖି ନ ଥିଲି ।  

ସବୁ ଠିକ ଅଛି ତ ! ପଚାରିଲି । କିଛି ଉତ୍ତର ଦେଲେନି ସେ । 

ଚଷମା ବାହାର କରି ଆଖି ପୋଛିଲେ । 

ଦସ୍ତଖତ କରି ଫାଇଲ ବଢେଇ ଦେଲେ ମୋ ହାତକୁ । କହିଲେ ଶର୍ମାକୁ ଦେଇ ଆସ । 


ମୁଁ ଇଂଲିଶ ପଢି ପାରେନି ବୋଲି ସମସ୍ତେ ଫାଇଦା ଉଠେଇଲେ ଭଳି ଆଜି ମନେ କରୁଥିଲି । ତିନି ଦିନ ହେଲା ସେଇ ଫାଇଲଟିକୁ ଧରି ଅତି କମରେ ସାତ ଜଣ ଅଫିସରଙ୍କ ପାଖକୁ ଯାଇଛି । କିଛି ଆଭାସ ପାଇଲିନି କାହା ପାଖରୁ । ଆଜି କିନ୍ତୁ ସାହେବଙ୍କ ଉଦାସୀନତାକୁ ବୁଝିବାକୁ ଚେଷ୍ଟା କରୁ କରୁ ଜାଣି ସାରିଥିଲି ମୁଁ ଛଟେଇ ହୋଇ ଯାଇଛି ଚାକିରିରୁ । ଶର୍ମାକୁ ଫାଇଲ ଦେବା ଆଗରୁ ଅତି ନିଜର ଜଣେ ଜୁନିଅର ଆସିଷ୍ଟାଣ୍ଟ ପାଖରୁ ସବୁ ବୁଝିଲି ଫାଇଲରେ କଣ ଲେଖା ଅଛି ।  

"କମ୍ପାନୀ କ୍ଷତିରେ ଚାଲୁଛି, ଖର୍ଚ୍ଚ କମେଇବାକୁ ହେବ । ପ୍ରଥମ ପର୍ଯ୍ୟାୟରେ ଡ୍ରାଇଭର କମ୍ କାଜୁଆଲ ରାଜୁ ବଳିଆର ସିଂକୁ କାମରୁ ଛଟେଇ କରାଯାଉ !!! "

ନିଜ ମୃତ୍ୟୁ ୱାରେଣ୍ଟକୁ ହାତରେ ଧରି ବୁଲିବା ଭଳି ଲାଗୁଥିଲା ମୋତେ, ପାଖେ ପାଖେ ବୁଲୁଥିବା ଅଦୃଶ୍ୟ ସତଟି ସୁନାମୀ ପରି ଆସି କେତେ ବେଳେ ଚାଲିଗଲା ମୁଁ ଜାଣି ପାରିଲିନି, କିଛି କ୍ଷତ ନାହିଁ ମୋ ଶରୀରରେ, କିନ୍ତୁ ଅସହ୍ୟ ଯନ୍ତ୍ରଣା....


ଅଚାନକ ଶର୍ମା କହିଥିଲେ ହୁଏତ ମୋତେ ସକ୍ ଲାଗିଥାଆନ୍ତା । ତା ପୂର୍ବରୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ଯାଇଥିଲି ବୋଲି ତାଙ୍କ ରୁକ୍ଷ, କର୍କଶ ସ୍ୱର ମୋତେ ସେତେଟା ଆଘାତ କଲାନି । 

 

'କାଲିଠୁ ଆଉ କାମକୁ ଆସିବା ଦରକାର ନାହିଁ । ଯା...'


ଝିଅର ଜନ୍ମଦିନ ଥିଲା, ହାତରେ ଲମ୍ବା ତାଲିକା । ଅନେକ ଜିନିଷ କିଣି ନେଇ ଯିବାକୁ କହିଛି ଝିଅ । ମନକୁ ଦୃଢ କରି ରହିଲି । ସେମାନଙ୍କୁ ଜାଣିବାକୁ ଦେବିନି, ମୋର ଆଉ ଚାକିରି ନାହିଁ ବୋଲି...


ବଡ଼ ସାହେବଙ୍କ ରୁମ ଭିତରକୁ ପଶି ହସିଦେଲି ।  

ଶେଷ ହସର ମାଧୁର୍ଯ୍ୟ କିନ୍ତୁ ଅଲଗା । ସ୍ନେହର ଛିଟା ବିଛୁଡି ପଡେ , ସମସ୍ତଙ୍କ ଦେହରେ ନେସି ହୋଇଯାଏ ରଙ୍ଗ ବେରଙ୍ଗ ଛିଟା ସବୁ । ମୋ ହାତରୁ ସାଧା ପାନଟିଏ ଖାଆନ୍ତି ସେ ସବୁଦିନ । ଆଜି ଭୁଲି ଯାଇଥିଲି ଦେବାକୁ । ପାନଟିକୁ ତାଙ୍କ ଟେବୁଲ ଉପରେ ରଖି ହାତ ଯୋଡ଼ି ନମସ୍କାର କଲି, ଲାଗିଲା ଯେମିତି ହୃଦୟହୀନ ଗୋଟେ ପଥର ଆଗରେ ମୁଁ ଛିଡ଼ା ହୋଇଛି, ବାହାରି ଆସିଲି । ଚୁପ ରହିଲେ, କିଛି କହିଲେନି ସେ । 

ଅଫିସରୁ ବାହାରି ଯିବା ବେଳେ ସମସ୍ତେ ମୋତେ ଅନଉ ଥିଲେ, ସମସ୍ତେ ନିରୁପାୟ ଥିଲେ ବୋଧେ । ଗେଟ ପାଖରେ ୱାଚମେନ୍ କୁଣ୍ଢେଇ ନେଇ ଭୋ ଭୋ ହୋଇ କାନ୍ଦିଲା । ମୁଁ ଚୁପଚାପ୍ ଲିଫ୍ଟ ଭିତରକୁ ପଶି ଗଲି ।  

ମୁଁ ଜଣେ ଡ୍ରାଇଭର, କାଜୁଆଲ ଲେବର । ମୋତେ କଣ ଆଉ ଫୁଲମାଳ ଦେଇ ଫେଆରୱେଲ ଦିଆ ଯାଇଥାଆନ୍ତା !! ପଞ୍ଜୁରୀ ଭିତରେ ଅଦରକାରୀ ଚଢେଇ ଆମେ ସବୁ । କେତେବେଳେ ପଞ୍ଜୁରୀ ଖୋଲି ବାହାର କରି ଦିଆଯାଏ, ବୁଝି ହୁଏନି!!


ସହର ଫୁଟପାଥ ଉପରେ ଜନ ଗହଳି ଭିତରେ ମୁଁ ନିଜକୁ ହଜେଇ ଦେଲି । ଗୋଟାଏ ଭିନ୍ନ ପୃଥିବୀରେ ନିଜକୁ ଆବିଷ୍କାର କଲି । ଫୁଟପାଥରେ ଆଇସକ୍ରିମବାଲାର ରଡି, ରିକ୍ସା, ଟେକ୍ସିର ହର୍ଣ୍ଣ୍ ଭିତରେ କାହିଁକି କେଜାଣି ପୃଥିବୀଟା ଭାରି ବ୍ୟସ୍ତବହୁଳ ଲାଗୁଥିଲା । ଗୋଟାଏ ଶୂନ୍ୟ ମନକୁ ଧରି ଚାଲିଲି ଆଗକୁ । ମନ ଶୂନ୍ୟ ଥିଲେ ଏତେ ହାଲୁକା ଲାଗେ, ଆଗରୁ ଜାଣି ନ ଥିଲି । ମନର ବି ସ୍ଵତନ୍ତ୍ର ଇଚ୍ଛା ଥାଏ । ମନ ବି ଠିକ ମୋ ପରି ବଞ୍ଚିବାକୁ ଚାହେଁ । ଇଚ୍ଛା ତ ହୁଏ ନଦୀରେ ସବୁ ପାଣି ବହି ଯିବା ପରେ ନଦୀ ଅତିକ୍ରମ କରିବି । ସବୁ କଣ ସମ୍ଭବ !!! ନଦୀ କଣ କେବେ ଶୁଖେ ..!!

ସବୁ ଶେଷ ହେବାପରେ ଏକ ନୂତନ ଯୁଗର ଆରମ୍ଭ ହୁଏ । ନୂତନତାରେ ଭରିଯାଏ ପୃଥିବୀଟା । ନୂଆ କରି ଆଉ ଥରେ ମୋତେ ବଞ୍ଚିବାକୁ ହେବ । ସୁନିତା ପାଇଁ, ଖାସ୍ ଝିଅ ଲିଜା ପାଇଁ ।  


ଏ.ଟି.ଏମ୍ ଭିତରକୁ ପଶିଯାଇ ମିନିମମ୍ ବାଲାନ୍ସ ଦେଖିଲି । ସାତ ହଜାର ଛଅ ଶହ ଟଙ୍କା । ଝିଅ ଲିଜାର ଜନ୍ମଦିନ ଡ୍ରେସ୍ ପାଇଁ ତିନି ହଜାର ଲାଗିବ, ସୁନା ନାକ ଫୁଲ ଦେବି ବୋଲି ଅନେକ ଆଗରୁ କହିଛି । ଅତି କମରେ ହଜାରେ ଲାଗିବ । ପାଞ୍ଚ ହଜାର ଉଠେଇଲି ଏ.ଟି.ଏମ୍.ରୁ । 

ଝିଅର ଖୁସି କହିଲେ ନ ସରେ ।  

ବାପା ! ତମେ କହିଥିଲ ଚାକିରି ତୁମର ସ୍ଥାୟୀ ହୋଇଗଲେ ମୋତେ ନାକ ଫୁଲ ଦେବ ବୋଲି, ତା ମାନେ ତୁମେ ପର୍ମାନେଣ୍ଟ ହୋଇଯାଇଛ । କଂଗ୍ରାଚୁଲେସନ ଡାଡି । ମୁଁ ହସିଦେଲି, ମୋତେ ହସିବାର ଦେଖି ମୋ ସ୍ତ୍ରୀ ସୁନିତା ହସି ଦେଇ କହିଲେ, ଏତେ ଖୁସି ଖବର, ମୋ ପାଇଁ ଶାଢ଼ୀ ଆଣିବ କହିଥିଲ !!! 

ହଁ, କାଲି ଆଣିଦେବି ନିଶ୍ଚୟ, ଆଜି ଆଉ ସମୟ ହେଲାନି ।  

ଦୁଃଖ ସାଥିରେ ଖୁସିର କିଛି ମୁହୂର୍ତ୍ତ ମିଶିଗଲେ ଦୁଃଖର ରଙ୍ଗ ବଦଳିଯାଏ । ସେଇ ମିଶ୍ରଣର ଅଦ୍ଭୁତ ମାଦକତା , କାହିଁକି କେଜାଣି ସବୁ ଭୁଲିଗଲି କିଛି ମୁହୂର୍ତ୍ତ ପାଇଁ । କାଲିର କଥା କାଲି ଦେଖିବି !!!


ଝିଅ ସାଥିରେ ମିଶି କେକ୍ କାଟିଲି । ମାଆ ଝିଅ ଅତି ଖୁସି ହୋଇ ମୋ ମୁହଁରେ କେକ୍ ବୋଳି ଦେଲେ । ଖୁସିରେ ସାମିଲ ହୋଇଗଲି ସେମାନଙ୍କ ସହିତ । ହସ ଖୁସିରେ ଅଧା ଘଣ୍ଟା କେମିତି କଟିଗଲା ଜାଣି ପାରିଲିନି । ଟେପ୍ ପାଖକୁ ଯାଇ ମୁହଁ ଧୋଇଲି । ଆଖିରୁ ଦୁଇ ଟୋପା ଲୁହ ବୋହିଗଲା ପାଣି ସହିତ । ଗାମୁଛାରେ ମୁହଁ ପୋଛି ଦେଲେ ଆଖିର ଲୁହକୁ ସେମାନେ ବାରି ପାରିବେ ବୋଲି ମୁହଁ ଆଉ ପୋଛିଲି ନାହିଁ । ପାଣି ସାଥିରେ ହିଁ ଆଖି ଭିତର ଲୁହ ଶୁଖିଗଲା ।  


କାଲି ସକାଳେ ଉଠିଲା ବେଳକୁ ସୁନିତା ଲଞ୍ଚ ବକ୍ସ ପ୍ରସ୍ତୁତ କରି ରଖି ଦେଇଥିବ ଟେବୁଲ ଉପରେ । ଜୋତା ପାଲିସ କରି ଥୋଇ ଦେଇଥିବ ଦ୍ଵାର ମୁହଁରେ । ୟୁନିଫର୍ମ ଆଣି ମୋ କାନ୍ଧ ଉପରେ ରଖିଦେବ ସୁନିତା । କଣ କରିବି, ବୁଝି ପାରୁନି !!

ଆଉ ଯଦି କହିଦିଏ କାଲିଠୁ ମୋ ଚାକିରି ନାହିଁ, ମୁଁ ଆଉ ଅଫିସ ଯିବିନି, ଦୁଇ ଜଣ ଭାଙ୍ଗି ପଡ଼ିବେ । ଯାହା କି ମୁଁ ସହି ପାରିବିନି । ଆକାରହୀନ ସ୍ୱପ୍ନ ସେମାନଙ୍କର । ସେମାନଙ୍କ ସ୍ୱପ୍ନର ବୟସ ବା କେତେ, ଅଚାନକ ମୃତ୍ୟୁ ନ ହେଉ ସେମାନଙ୍କ ସ୍ୱପ୍ନର....ସ୍ୱପ୍ନ ହିଁ ଜୀବନ ସେମାନଙ୍କ ପାଇଁ !!


ବାରଣ୍ଡାକୁ ଆସି ଆକାଶ ଆଡ଼କୁ ଅନେଇଲି ମୁଁ । ମନ ପରି ଆକାଶ ବି ଶୂନ୍ୟ । ନିରାଶାର କଳା ବାଦଲ ଜହ୍ନକୁ ଘୋଡେ଼ଇ ଦେଲା । ଅସୁମାରୀ ପ୍ରଶ୍ନ ମନ ଭିତରେ ଜମାଟ ହେଲା ଧୀରେ ଧୀରେ । ଓଜନିଆ ଲାଗିଲା ମନଟା । ଗୋଟାଏ ପଟରେ ଏ.ଟି.ଏମ୍.ରେ ପଡ଼ିଥିବା ବାକି ଦୁଇ ହଜାର ଛଅ ଶହ ଟଙ୍କା , ଅନ୍ୟ ପଟରେ ସୁନିତା ଓ ଲିଜାର ସ୍ୱପ୍ନ । ସ୍ୱପ୍ନର ଓଜନ ଅମାପ । ତଉଲିବା କଣ ସମ୍ଭବ !!!!! 


ହଠାତ, ଫୋନ ବାଜିଲା । ରୁଦ୍ର ସାରଙ୍କ ଫୋନ !!! ସୁନିତା ବଢେଇ ଦେଲା ମୋ ହାତକୁ

ରାତି ଦଶଟା... ସାହେବ କାହିଁକି ଫୋନ କଲେ ?????

ହଁ ରାଜୁ, କେମିତି ଅଛୁ ?

ମୁଁ ଚୁପ ରହିଲି...

ତୁ ଚାଲି ଆସିବା ପରେ ଅଫିସଟା କାହିଁକି ଖାଁ ଖାଁ ଲାଗିଲା । ମୁଁ ବହୁତ ବିଚଳିତ ତୋ ପାଇଁ । 

ଫାଇଲ ନେଇ ମୋ ପାଖକୁ ତୁ ଆସିଥିଲୁ, ତୋତେ ଆଗରେ ଦେଖି କାହିଁକି କେଜାଣି ଭିତରୁ ଭିତରୁ ଧ୍ୱସ୍ତ, ବିଧ୍ୱସ୍ତ ହୋଇଗଲି । ମୋର ନୃଶଂସ ଦସ୍ତଖତ ପାଇଁ ଗୋଟାଏ ସ୍ୱପ୍ନର ସୌଧ ଭୁଷୁଡି ଗଲା ମୋ ଆଖି ଆଗରେ, ତୁ ଚାକିରି ହରେଇ ବସିଲୁ । ମୁଁ ପଥର ପାଲଟି ଗଲି କିଛି ମୁହୂର୍ତ୍ତ ପାଇଁ... 

ରାଜୁ ! ଆଦୌ ସହଜ ନୁହେଁ ଜୀବନଟା । ମଣିଷର ଇଚ୍ଛା ପାହାଡି ଝରଣା ପରି, ଗଙ୍ଗା ସହିତ ବିଲୟ ହେବାର ଲକ୍ଷ୍ୟ । ଏତେ ବଡ଼ ନଦୀ ସହ ମିଶିବା ଆଗରୁ କିନ୍ତୁ ଶୁଖିଯାଏ ଝରଣାଟି । କି ବିଡମ୍ବନା !!!

ମୁଁ ଭୁଲି ଯାଇଥିଲି, ତୋ ଝିଅର ଜନ୍ମଦିନ ଆଜି । ଜନ୍ମଦିନ ଶୁଭେଚ୍ଛା ଦେବୁ ଝିଅକୁ । 

ଲକଡ଼ାଉନ ପରେ ଅଫିସର ଅବସ୍ଥା ଏତେ ଖରାପ ହୋଇଗଲା ଯେ ତୋ ଛଟେଇ ପାଇଁ ଉପରୁ ନିର୍ଦ୍ଦେଶ ଆସିଲା । ମୁଁ ନିରୁପାୟ ଥିଲି । କିଛି କରି ପାରିଲିନି ତୋ ପାଇଁ । ଭୁଷୁଡି ପଡ଼ୁଥିବା ଅଟ୍ଟାଳିକାକୁ କଣ ହାତ ଦେଇ ଟେକି ହୁଏ !!! ଚରମ ସତ୍ୟର ନିଷ୍ଠୁରତା ଅତି କଠୋର, ରାଜୁ !!

ତୋ କଥା ଘରେ ଆଲୋଚନା କଲି । ମାଡାମ୍ ବିବ୍ରତ ହେଲେ । ଦୁଇ ଘଣ୍ଟାରୁ ଅଧିକ ହେବ ତୋ ବିଷୟରେ ଆଲୋଚନା ହେଲା । ମାଡାମ୍ କହିଲେ କିଛି ଗୋଟାଏ ବ୍ୟବସ୍ଥା କର ! ଚାକିରି ହରେଇବାର ପରବର୍ତ୍ତୀ ଯନ୍ତ୍ରଣା କେତେ କଷ୍ଟ ଦାୟକ, ଅନୁଭବ କରିବାକୁ ଦିଅନି ରାଜୁକୁ । ଚାଲ କିଛି ଗୋଟାଏ ଉପାୟ ବାହାର କରିବା । ପ୍ରତି ମୁହୂର୍ତ୍ତରେ କାହିଁକି କେଜାଣି ତୋ ଝିଅର ଚେହେରା ଆଖି ଆଗରେ ନାଚି ଉଠିଲା । ଲିଜାକୁ ଅନେକ ରାସ୍ତା ଚାଲିବାକୁ ହେବ, ଏଇ ମାତ୍ର ଆରମ୍ଭ । ଅନେକ ବଡ ହେବାକୁ ବାକି ଅଛି ସେ । ତା ପାଇଁ କେତେ ସ୍ୱପ୍ନ ତୁ ଦେଖିଥିବୁ ରାଜୁ, ସେ ତୋ ଝିଅ ହେଲେ ବି ଆମ ଝିଅ ପରି... ଛୋଟ ଫୁଲ କଢ଼ିଟିଏ । ଝଡି ନ ଯାଉ ସେ ସମ୍ପୂର୍ଣ୍ଣ ଫୁଟିବା ଆଗରୁ, ସେ ଫୁଟିବ ହିଁ ଫୁଟିବ । ବଡ଼ ହେବା ତାର ଜନ୍ମଗତ ଅଧିକାର ରାଜୁ । 


ହଁ ଶୁଣ ! କାଲିଠୁ ତୁ ମୋ କାର୍ ଚଲେଇବୁ । ମାଡମଙ୍କ ଅଫିସରେ କାମ କରିବୁ ଏଗାରରୁ ଚାରିଟା ପର୍ଯ୍ୟନ୍ତ । ଠିକ୍ ସେତିକି ଦରମା କୋଡିଏ ହଜାର ଓକେ !! ଫୋନ କାଟିଦେଲେ । 

ଆଖିରୁ ଦୁଇ ଟୋପା ଲୁହ ଝରି ଆସିବା ଦେଖି ସୁନିତା ମୋତେ ପଚାରିଲା, କଣ ହେଲା !!

ନା ନା କିଛି ହୋଇନି, ଆମ ଝିଅ ପାଇଁ ବହୁତ ବଡ ଉପହାର ଦେଇଛନ୍ତି ଆମ ସାହେବ । ସୁନିତା ମୋ କାନ୍ଧକୁ ଆଉଜି ପଡ଼ି ପଚାରିଲା କେତେ ବଡ ଗିଫ୍ଟ ! 

ସବୁ ଉପହାରର ମୂଲ୍ୟ କଣ ଆକଳନ କରି ହୁଏ ସୁନିତା, କିଛି ଉପହାର ସ୍ନେହ ମମତାର ଡୋରିରେ ବନ୍ଧା ହୋଇ ଆସିଥାଏ, ତାକୁ ଖୋଲି ଦେଖିବାକୁ ହୁଏ, କେତେ ବଡ !! ଚାଲ ଆଜି ଶୋଇଯିବା, ଅନେକ ରାତି ହେଲାଣି !!!!



Rate this content
Log in

Similar oriya story from Inspirational