Bauribandhu Lenka

Inspirational

3  

Bauribandhu Lenka

Inspirational

ପେଟ ପୋଷ ନାହିଁ ଦୋଷ

ପେଟ ପୋଷ ନାହିଁ ଦୋଷ

2 mins
25



ବାବୁ ନମସ୍କାର । ବହୁଦିନ ପରେ ଆପଣଙ୍କୁ ଦେଖିଲି । କଣ ପରିବା ପାଇଁ ଆସିଛନ୍ତି ? 

ଆରେ କାଳିଆ ତୁ କଣ ଏଠି ପରିବା ଧରି ବସିଛୁ । ମୁଁ ଶୁଣିଥିଲି ତୁ କୁଆଡେ ଅଟୋ ଚଲଉଥିଲୁ ବୋଲି । 

"ହଁ ବାବୁ ଅଟୋ ଚଲଉଥିଲି । ଏବେ ଅଟୋ ଘରେ ଥୁଆ ହୋଇଛି । ଏବର ପରିସ୍ଥିତି ଆପଣ ତ ଜାଣିଛନ୍ତି , ମୁଁ ଆଉ ଅଧିକ କଣ କହିବି । ଲକ୍ ଡାଉନରେ ଗାଡି ଘୋଡା ସବୁ ବନ୍ଦ । ଯାହା କିଛି ଦୁଇ ପଇସା ପାଖରେ ଅଛି ସେଥିରେ କେତେଦିନ ପରିବାର ଚଳିହେବ । ବସି ଖାଇଲେ ପରା ନଈବାଲି ସରେ । ଆପଣ ଆଜ୍ଞା ବଡଲୋକ । ମୁଁ ଆପଣଙ୍କୁ କଣ ସବୁ କହି ଯାଉଛି । ମୋ କଥା କିଛି ଧରିବେନି ବାବୁ । କୋଉ ଏମିତି ବଡ କାମ କରୁଥିଲି ଯେ ପରିବା ବିକିଲେ ଲାଜ ଲାଗିବ ? କଥାରେ କହନ୍ତି ପରା ପେଟ ପୋଷ ନାହିଁ ଦୋଷ । ଏମିତି ହେବ ବୋଲି କିଏ କଣ ଜାଣିଥିଲା । ସବୁ କଳ କାରଖାନା ବନ୍ଦ । ସମସ୍ତେ ହାତ ବାନ୍ଧି ବସିଛନ୍ତି । ଗାଆଁ ହେଉ ବା ସହର , କୌଣସି ଜାଗାରେ କାମ କରିବା ପାଇଁ ସୁଯୋଗ ନାହିଁ । ଯାହା କିଛି ଫନ୍ଦି ଫିକର କରି ଚଳିବାକୁ ତ ପଡିବ । ମୁଁ ତ ବାବୁ ଗାଆଁକୁ ବହୁତ ଆଗରୁ ଛାଡି ଦେଇ ଆସି ଏଠି ଅଟୋ ଚଲଉଛି । ସେଠି ବି କଣ ଅଛି ଯେ ସେ ଜାଗାକୁ ଫେରିବି । ଖାଲି ଢିହଟା ପଡିଥିବ । ଚାଳ ଖଣ୍ଡିଏ ବି ମୁଣ୍ଡ ଗୁଞ୍ଜିବାକୁ ନଥିବ । ଗାଆଁରେ ତ ରହୁନି ତେଣୁ ନା ରେସନ୍ କାର୍ଡ ଅଛି ନା ଭୋଟ ପରିଚୟ ପତ୍ର । ତେଣୁ ସରକାରୀ ସାହାଯ୍ୟ ଯାହା ବି ଦିଆ ଯାଉଛି ମତେ ମିଳିବ ନାହିଁ । ଛାଡନ୍ତୁ ସେ କଥା ବାବୁ । ପରିବା ପାଇଁ ପରା ଆସିଛନ୍ତି ? ଭଲ ପରିବା ଅଛି । ଆପଣଙ୍କଠୁ କଣ ଅଧିକା ଦାମ ନେବି ନା ଖରାପ ଜିନିଷ ଦେବି ? କଣ ନେବେ କୁହନ୍ତୁ ।"


ସେଦିନ ପରିବା ନେଇ ଘରକୁ ଫେରି ଆସିଥିଲି ମୁଁ । କାଳିଆକୁ କିଛି ଆର୍ଥିକ ସାହାଯ୍ୟ କରିବାକୁ ଇଚ୍ଛା ହେଉଥିଲା । ହେଲେ ମୁଁ ସାହସ କରି ପାରିନଥିଲି କାଳିଆକୁ କିଛି ଟଙ୍କା ଦେବା ପାଇଁ । ତା'ର କଥାବାର୍ତ୍ତାରେ ମୁଁ ସ୍ୱାଭିମାନର ବାସ୍ନା ବାରି ପାରୁଥିଲି । ହାତ ଗୋଡ ଚାଲୁଥିବା ପର୍ଯ୍ୟନ୍ତ ଅନ୍ୟର ଦୟା ଉପରେ ବଞ୍ଚିବାକୁ ଚାହେଁନି ବୋଲି ମୁଁ ତା'ର କଥାରୁ ଠଉରେଇ ନେଇଥିଲି । ଅଳସୁଆ ହୋଇ ଘରେ ବସି ସରକାରୀ ସାହାଯ୍ୟ ନେବାକୁ ମଧ୍ୟ ସେ ପସନ୍ଦ କରେନି ।

ସେଦିନ କାଳିଆର ସେ କେଇପଦ କଥା ମୋର ମନକୁ ଆନ୍ଦୋଳିତ କରୁଥିଲା । ସତରେ ଯଦି ସମସ୍ତଙ୍କ ମାନସିକତା କାଳିଆ ପରି ହୋଇଥାନ୍ତା ......  ..... ।

     *********


Rate this content
Log in

Similar oriya story from Inspirational