ଝିଅ ଆଶା ମାଟ୍ରିକ ପାସ କରିବା ପରେ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ସହରକୁ ଯାଉ ବୋଲି ବାପା ଯଦିଓ ଚାହୁଁଥିଲେ ମାଆ ଚାହୁଁଥିଲେ ଘରେ ଖାଇ ପିଇ ଘରୁ ଯାଇ ଆସି ଗାଁରେ ଖୋଲିଥିବା କଲେଜ ଯିବାକୁ ଝିଅ ହେଲେ ଝିଅର ଏକାଜିଦ ଗାଁ ପାଖ କଲେଜରେ ପଢିଲେ ପାଠ ଛଡା କିଛି ଶାଠ ମିଳିବନି. ଦୁନିଆଁ ଯାଇ କୋଉଠି ପହଞ୍ଚିଲାଣି. ଯୁଗପୋଯୋଗୀ ହେବାକୁ ହେଲେ ଭଲ କଲେଜରେ ପଢିବା ଉଚିତ. ସାର୍ଟିଫିକେଟ ଆଣିଲାବେଳେ ସ୍କୁଲ ଗୁରୁମା କହୁଥିଲେ ତୋର ଅସୁବିଧା କଣ!ଘରୁ ଖାଇପିଇ ଗାଁ କଲେଜରେ ପଢ଼ିବୁ. ଭଲ ମାର୍କ ରଖିଲେ ସି. ଟି କରି ଭଲ ଶିକ୍ଷୟିତ୍ରୀଟିଏ ହୋଇପାରିବୁ. ଗୁରୁମାଙ୍କୁ ପ୍ରଣାମ କରି ଆଶା ଫେରିଲା ବେଳେ ଭାବୁଥିଲା ଭଲ ଶିକ୍ଷୟିତ୍ରୀ ହୋଇ କଣ କରିବି! ମୁଁ ଇଞ୍ଜିନିଅର ହେବି. କହିଲେ କଣ ନା ଘରେ ଖାଇ ପିଇ ରହି ଗାଁ କଲେଜରେ ପଢ଼. ଆଶାର ଆଶା ନିରାଶାରେ ପରିଣତ ହେଲା ଯେବେ ସହରରେ ଥିବା କଲେଜରେ ତାକୁ ସିଟ ମିଳିନଥିଲା. ଭଲ ନମ୍ବର ନଥିବାରୁ ନିଜକୁ ନୁହେଁ ବରଂ ସେଇ ଗୁରୁମାଙ୍କୁ ଦାୟୀ କରୁଥିଲା. ପଛ ବେଞ୍ଚରେ ବସେ ବୋଲି ଟିକେ ସାଙ୍ଗ ସଙ୍ଗେ କଥା ହେଉ ହେଉ ଗୁରୁମା ସେଇ ଏକା କଥା କହନ୍ତି ତୋର କଣ ଅଛି. ଘରୁ ଖାଇ ପିଇ ଘରେ ରହି ଗାଁ କଲେଜରେ ପଢ଼ିବୁ ହେଲେ ମାଟ୍ରିକରେ ଟିକେ ଭଲ ନମ୍ବର ତ ରଖେ. ଏହା କହି ଗୁରୁମା ସେଦିନ କ୍ଲାସରେ ସିଟ ସବୁକୁ ଏମିତି ଅର୍ଦ୍ଧ ଚନ୍ଦ୍ର ବା ମେରି ଗୋ ରାଉଣ୍ଡ ଦୋଳି ପରି ସଜେଇ ଥିଲେ ଆଉ ପଛ ବେଞ୍ଚ ବୋଲି କିଛି ନଥିଲା. ଅର୍ଦ୍ଧ ବୃତ୍ତାକାର ଛାତ୍ର ଛାତ୍ରୀ ସମସ୍ତଙ୍କୁ କେନ୍ଦ୍ରରେ ଥାଇ ଗୁରୁମା ଦେଖି ପାରୁଥିଲେ ଠିକ ଜାପାନ ସ୍କୁଲମାନଙ୍କ ପରି.ଆଉ କହୁଥିଲେ ଝିଅ ପିଲା ପାଠ ଶାଠ ଦି ଅକ୍ଷର ପଢିଥିଲେ କୋଉଠି ହାରିବ ନାହିଁ.ଘରେ ପହଁଞ୍ଚି ଆଶା ଦେଖିଥିଲା ସ୍ପଟ ସିଲେକସନରେ ତାର କଲେଜରେ ନାମ ଲେଖା ପାଇଁ ଚିଠି ଆସିଯାଇଛି. ଖୁସିରେ ବେଡିଙ୍ଗ ବନ୍ଧୁଥିଲା ଆଶା. ମାଆର ସୁଭଦ୍ରା ଟଙ୍କାରେ ଆଶାର ନାମ ଲେଖା ହେଲାଦିନ ଆଶା କହିଥିଲା ମନଦୁଃଖ କରନା ମାଆ ମୁଁ ଇଂଜିନିଅର ହେଲେ ସୁଧ ସହ ମୂଳ ପାଇଯିବୁନି ତୁ! ମାଆ ଶୁଖିଲା ହସ ହସି କହିଥିଲେ ନିଜ ଉପରେ ନିୟନ୍ତ୍ରଣ ରଖିବୁ. ଏଠି ଆଗକୁ ପଛକୁ କେହି ନାହିଁ ପଥ ଓ ପାଥେୟ ସଜାଡି ଠିକ ରାସ୍ତା ଦେଖାଇବାକୁ. ଗାଁରେ ରହି ଗାଁ କଲେଜରେ ପଢିଥିଲେ ପିଠିରେ ପଡ଼ିବାକୁ ବାପା ମାଆ ସାହି ଭାଇ ଥାଆନ୍ତେ. ହଉ ବାପା ଆସୁଥିବେ ଚୂଡ଼ା ମୁଢି, ଲିଆ, ଛତୁଆ ନେଇ. ଠିକରେ ଚଳିବୁ କହି ମାଆ ଫେରିଗଲା ପରେ ଆଶା ଭଡ଼ାଘର ଖଟ ଉପରେ ବେଡ଼ସିଟ ଉପରେ ଶୋଇ କେତେ ସ୍ବପ୍ନ ଦେଖୁ ଦେଖୁ ଆତ୍ମହରା ହୋଇ ଉଠୁଥିଲା.
ବାପା କିନ୍ତୁ ଏବେ ସହରକୁ ଆସି ଝିଅକୁ ନପାଇ ଦୁଃଖରେ ଗାଁକୁ ଫେରି ଯାଇଥିଲେ. କେହି କିଛି କହିପାରୁନଥିଲେ ଆଶା ବିଷୟରେ. କିଏ କହୁଥିଲା କୋଉ ଆଶା ତ କିଏ କହୁଥିଲା ଆଶା ତା ସ୍ୱପ୍ନରେ ବୋଭୋର ଥିବ ତ କିଏ କହୁଥିଲା ଆଶା ବୋଲି ଗୋଟେ ଝିଅ ଏ କଲେଜରେ ପାଠ ପଢୁଥିଲା କାହିଁ ଆମେ ତ ଜାଣିନୁ ପୁଣି କିଏ କହୁଥିଲା ପୁରା ଗାଉଁଲି ଚୂଡ଼ା ଥିଲା କି? ଏସବୁ ଏମିତି ବାଜେ ଉତ୍ତର ଶୁଣି ବାପା ନିରାଶ ହୋଇ ଘରକୁ ଫେରୁଥିଲେ ଆଉ ଏବେ ଭାବୁଥିଲେ ଘର ପାଖ ଗାଁ କଲେଜରେ ପଢ଼େଇଥିଲେ ଝିଅକୁ କେତେ ଭଲ ହୋଇନଥାନ୍ତା ସତରେ. ଏତେ କଥା ଖବର କାଗଜ ଓ ଟିଭିରେ ପଢି ଦେଖି ମଧ୍ୟ ଜ୍ଞାନ ହଜିଗଲା ବୋଲି ପସ୍ତେଇ ହେଲାବେଳେ ନେଡି ଗୁଡ଼ କହୁଣୀକୁ ବୋହି ସାରିଥିଲା. କଲେଜରେ ପ୍ରିନ୍ସପାଲଙ୍କ ସଙ୍ଗେ ଭେଟ ହୋଇ ପାରୁନଥିଲା କି ମାନ ମହତ ଭୟରେ ଥାନାକୁ ଯାଇହେଉନଥିଲା. ଆଶା ଲୋ କୁଆଡେ ହଜିଗଲୁ ମୋ ଝିଅ କହି ସକଉ ଥିଲା ମାଆ.ବର୍ଷ ପରେ ବର୍ଷ ବିତୁଥିଲା.
ସେଦିନ ସହରରେ ମିଟିଙ୍ଗରେ ଯୋଗ ଦେଇ ବସ ଷ୍ଟାଣ୍ଡ ଆସିବାକୁ ଅଟୋରେ ବସି କେତେ ପଇସା ପଚାରିବାରୁ ଝିଅଟି ଉତ୍ତର ରଖୁଥିଲା ସମସ୍ତଙ୍କୁ ଉତ୍ତର ନଦେଇ ହାତଠାରି ଅଟୋରେ ମରାଯାଇଥିବା ଭଡା ପଇସାର ଲିଷ୍ଟ ଦେଖାଇଦିଏ ଗୁରୁମା କିନ୍ତୁ ଆପଣଙ୍କୁ ଦେଖି ସେମିତି କରିପାରିଲିନି. ଆଶା ତୁ କହି ଚମକି ପଡ଼ୁ ପଡ଼ୁ ଆଶା କହୁଥିଲା ହଁ ଗୁରୁମା ଆପଣଙ୍କ କଥା ମାନି ଗାଁ କଲେଜରେ ପଢିଥିଲେ ଆଜି ମତେ ଏ ଅବସ୍ଥାରେ ଦେଖିନଥାନ୍ତେ. ଗୁରୁମା କହିଲେ ଆରେ ଝିଅ ପେଟ ପୋଷ ନାହିଁ ଦୋଷ. ଏଥିରେ ଲଜ୍ୟା ବା ସଂକୋଚ କରିବାର କିଛି ନାହିଁ. ଇଞ୍ଜିନିଅର କଣ କଷ୍ଟ କରୁନାହାଁନ୍ତି ନା ତାଙ୍କ କାମରେ ପରିଶ୍ରମ ନାହିଁ!ସବୁ କାମରେ ପରିଶ୍ରମ ଅଛି. ପରିଶ୍ରମ ନକରି କିଏ ଉପାର୍ଜ୍ଜନ କରିପାରେ କି କିନ୍ତୁ ଯାହା କରୁଛୁ ଖୁବ ଭଲ. ଝିଅଟିଏ ସବୁ କାମ କରିପାରେ ଏହାର ଜ୍ୱଳନ୍ତ ଉଦାହରଣ ନିଜେ ହୋଇ କୁଣ୍ଠାବୋଧ କରି ବାପା ମାଆଙ୍କ ଠାରୁ ଆତ୍ମଗୋପନ କରିବା କିନ୍ତୁ ତୋର ଉଚିତ ନୁହେଁ ଆଶା.ମୋ ପାଖରେ ଆଉ କିଛି ଉପାୟ ନଥିଲା ଗୁରୁମା. ମାଆକୁ ଦେଇଥିବା ପ୍ରତିଶ୍ରୁତିକୁ ପାଣିର ଗାର ଭାବି ପ୍ରକାଶ କଥାରେ ରାଜି ହୋଇ ସେଇ ଅନ୍ଧାରୀ ବନ୍ଦ ଘରେ ତା ସହ ଏକତ୍ର ରହୁ ରହୁ ମାଆ ହେବି ଜାଣିବା ପରେ ପ୍ରକାଶ ମତେ ଧୋକା ଦେଇ କୁଆଡେ ଚାଲିଗଲା. ନିଜେ ନିଜେ ସବୁ ସହି ଯାହାକୁ ପୃଥିବୀର ଆଲୋକ ଦେଖାଇଲି ସେ ଗୋଟେ ଦିବ୍ୟାଙ୍ଗ ଝିଅ. କୋଉ ମୁଁହରେ ଆଉ ଘରକୁ ଯାଇ ବାପା ମାଆଙ୍କ ବୋଝ ଉପରେ ଲଳିତା ବିଡା ହୋଇଥାନ୍ତି ଗୁରୁମା!
ଗୁରୁମା କହିଲେ ଆରେ ଝିଅ ଆଶା ତୋ ଭଳି ପାଦ ଖସେଇବା ଝିଅ ଅନେକ କିନ୍ତୁ ଧର୍ଯ୍ୟ, ସାହାସ, ଶକ୍ତି ଆପଣେଇ ତୁ ତ ଏକ ଆହ୍ୱାନର ଜ୍ୱଳନ୍ତ ଉଦାହରଣ ସାଜିଛୁ. ଆଶା କାନ୍ଦିପକେଇଥିଲା ତ ଗୁରୁମା କହିଥିଲେ ତୁ ଶକ୍ତିମୟୀ. ଧର୍ଯ୍ୟ ରଖି ଆତ୍ମହତ୍ୟା କି ଆତ୍ମଦାହ ପନ୍ଥା ଅବଲମ୍ବନ ନକରି,ସାହାସ ରଖି ଝିଅକୁ ଜନ୍ମ ଦେଇଛୁ. ଅଟୋ ଚଳେଇ ତୋ ମାତୃତ୍ୱ ଓ କର୍ତ୍ତବ୍ୟ ସବୁ ସମ୍ପାଦନ କରିଚାଲିଛୁ. ଆଶା ଗୁରୁମାଙ୍କୁ ବସରେ ବସେଇ ଦେଇ କହିଥିଲା ମାଆ ଓ ବାପାଙ୍କୁ ଜଣେଇଦେବେ ଗୁରୁମା ମୁଁ ଝିଅ ସହ ଯାଇ ଖୁବ ଶୀଘ୍ର ଗାଁରେ ପହଞ୍ଚିବି. ଗୁରୁମା ଆଶୀର୍ବାଦରେ ଯଶସ୍ବୀ ହୁଅ କହୁ କହୁ ବସ ଛାଡିଦେଇଥିଲା ଗୁରୁମାଙ୍କର ତ ଆଶା ଫେରିପଡ଼ି ଷ୍ଟାର୍ଟ ମାରୁଥିଲା ଅଟୋରେ ଆଉ ଭାବୁଥିଲା ଗୁରୁଙ୍କୁ ନମଣିବ ନର... ଗୁରୁ ହିଁ ସାକ୍ଷାତ ଇଶ୍ୱର.